ବିଦ୍ରୋହୀଙ୍କ ଚାପରେ ଓଡ଼ିଶା କଂଗ୍ରେସ !


ପ୍ରସାଦ ରାଓ
ଭୁବନେଶ୍ୱର/ ମଇ ୦୫
ଏଆଇସିସି କେନ୍ଦ୍ରୀୟ ନିର୍ବାଚନ କମିଟି ଆଜି ଓଡ଼ିଶାର ପାଂଚଟି ବିଧାନସଭା ଆସନରେ ଦଳୀୟ ପ୍ରାର୍ଥୀଙ୍କୁ ପରିବର୍ତ୍ତନ କରିଥିବା ବେଳେ ନୀଳଗିରି ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ରାଜ୍ୟର ଯେଉଁ ପାଂଚଟି ବିଧାନସଭା ଆସନରେ କଂଗ୍ରେସ ଆଜି ପ୍ରାର୍ଥୀ ପରିବର୍ତ୍ତନ କରିଛି ସେସବୁ ଆସନ ହେଉଛି – ପୁରୀ, ଆଠଗଡ, ଆଠମଲ୍ଲିକ, ବରୀ ଓ ଜଳେଶ୍ୱର । ପୂର୍ବରୁ ଦଳ ପୁରୀ ବିଧାନସଭା ଆସନରୁ ସୁଜିତ ମହାପାତ୍ରଙ୍କୁ ପ୍ରାର୍ଥୀ କରିଥିଲା । ପରିବର୍ତ୍ତିତ ତାଲିକାରେ ସୁଜିତଙ୍କ ସ୍ଥାନରେ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ଉମା ବଲ୍ଲଭ ରଥଙ୍କ ନାମ ଘୋଷଣା ହୋଇଛି । କଂଗ୍ରେସ ପୁରୀରୁ ସୁଜିତଙ୍କୁ ପ୍ରାର୍ଥୀ କରିବା ପରେ ପୂର୍ବତନ ବିଧାୟକ ଉମା ବଲ୍ଲଭ ରଥ ନିଜକୁ ଉପେକ୍ଷିତ ମନେ କରି ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବେ ବୋଲି ଘୋଷଣା କରିଥିଲେ । ବେଦାନ୍ତ ବିଶ୍ୱବିଦ୍ୟାଳୟ ବିରୋଧୀ ଆନ୍ଦୋଳନର ମୁଖ୍ୟ ପୁରୋଧା ଥିଲେ ଉମା ବଲ୍ଲଭ ରଥ । ଏହି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ଯେଉଁ ଚାଷୀ ପରିବାରଙ୍କ ଜମି ଦଖଲ କରି ନେଇଛନ୍ତି ସେମାନଙ୍କୁ ନ୍ୟାୟ ଦେବା ପାଇଁ ସେ ସୁପ୍ରିମ କୋର୍ଟ ପର୍ଯ୍ୟନ୍ତ ଯାଇଥିଲେ । ସୁପ୍ରିମ କୋର୍ଟ ମଧ୍ୟ ଜମି ହରାଇ ଥିବା ଚାଷୀ ପରିବାରଙ୍କ ସପକ୍ଷରେ ରାୟ ଦେଇଛନ୍ତ । ତେଣୁ, କଂଗ୍ରେସ ଉମାଙ୍କୁ ପୁରୀରୁ ପ୍ରାର୍ଥୀ କରିବା ଏହି ପରିବାରଗୁଡିକ ମଧ୍ୟ ଚାହୁଁଥିଲେ । ଉମା ପୁରୀରୁ ସ୍ୱାଧୀନ ପ୍ରାର୍ଥୀ ହେବେ ବୋଲି ଘୋଷଣା କରିବା ପରେ କଂଗ୍ରେସ ନେତୃତ୍ୱ ମନ ବଦଳାଇଛନ୍ତି ଏବଂ ଆଜି ପରିବତ୍ ର୍ତିତ ତାଲିକା ଘୋଷଣା କରି ସୁଜିତଙ୍କ ସ୍ଥାନରେ ତାଙ୍କୁ ପ୍ରାର୍ଥୀ କରିଛନ୍ତି । ସେହିଭଳି, ଜଳେଶ୍ୱର ଆସନରେ କଂଗ୍ରେସ ଦେବୀ ଚାନ୍ଦଙ୍କୁ ପ୍ରାର୍ଥୀ କରିବା ପରେ ଦଳର ବରିଷ୍ଠ ନେତା ତଥା ରାଜ୍ୟ ମୁଖପାତ୍ର ସୁଦର୍ଶନ ଦାସ ଓ ତାଙ୍କ ସମର୍ଥକମାନେ ଦୃଢ ବିରୋଧ କରୁଥିଲେ । ଏପରିକି, ସେମାନେ ଭୁବନେଶ୍ୱରସ୍ଥିତ ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ସେମାନଙ୍କ ଅସନ୍ତୋଷ ଜାହିର କରିଥିଲେ । ସୁଦର୍ଶନ କଂଗ୍ରେସରୁ ଇସ୍ତଫା ଦେଇ ଅନ୍ୟ ଦଳ ମୁହାଁ ହୋଇ ପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଥିଲା । ଏଆଇସିସିର ରାଜ୍ୟ ପ୍ରଭାରୀ ଡକ୍ଟର ଅଜୟ କୁମାର ଜଳେଶ୍ୱର ନିର୍ବାଚନ ମଣ୍ଡଳୀ କଂଗ୍ରେସ ନେତା ଓ କର୍ମୀଙ୍କ ବିରୋଧକୁ ଦେଖି କଂଗ୍ରେସ କେନ୍ଦ୍ରୀୟ ନେତୃତ୍ୱକୁ ତାହା ଅବଗତ କରାଇଥିଲେ । ଏଆଇସିସି କେନ୍ଦ୍ରୀୟ ନିର୍ବାଚନ କମିଟି ଆଜି ଜଳେଶ୍ୱର ଆସନରେ କଂଗ୍ରେସ ପ୍ରାର୍ଥୀ ପରିବର୍ତ୍ତନ କରି ଦେୀ ଚାନ୍ଦଙ୍କ ସ୍ଥାନରେ ସୁଦର୍ଶନ ଦାସଙ୍କ ନାମରେ ମୋହର ମାରିଛନ୍ତି । ଆଜି ପ୍ରାର୍ଥୀ ପରିବର୍ତ୍ତନ ହୋଇଥିବା ତୃତୀୟ ଆସନ ହେଉଛି ଯାଜପୁର ଜିଲ୍ଲାର ବରୀ । କଂଗ୍ରେସ ପୂର୍ବରୁ ବରୀ ବିଧାନସଭା ଆସନରୁ ପ୍ରାର୍ଥୀ ଭାବେ ଆରତୀ ଦେଓଙ୍କ ନାମ ଘୋଷଣା କରିଥିଲା । ତେବେ, ଆଜି ଆରତୀଙ୍କ ସ୍ଥାନରେ ରାଜ୍ୟର ପୂର୍ବତନ ମନ୍ତ୍ରୀ ତଥା ବରୀରୁ ତିନି ଥର ବିଧାୟକ ନିର୍ବାଚିତ ହୋଇଥିବା ଦେବାଶିଷ ନାୟକଙ୍କ ନାମ ଘୋଷଣା କରିଛି । ୨୦୧୯ ପର୍ଯ୍ୟନ୍ତ ଦେବାଶିଷ ବରୀରୁ ବିଜେଡ଼ିରୁ ବିଧାୟକ ଥିଲେ । ୨୦୧୯ ବିଧାନସଭା ସଭା ନିର୍ବାଚନରେ ବିଜେଡ଼ି ଦେବାଶିଷଙ୍କୁ ଦଳୀୟ ଟିକଟ ନଦେଇ ବରୀରୁ ମହିଳା ପ୍ରାର୍ଥୀ ଦେବାରୁ ଦେବାଶିଷ ଅସନ୍ତୁଷ୍ଟ ଥିଲେ । ୨୦୨୪ ନିର୍ବାଚନରେ ମଧ୍ୟ ଦଳ ତାଙ୍କ ଟିକଟ ଦେଉନଥିବା ଅନୁଭବ କରି ସେ ବିଜେଡ଼ିରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଥିଲେ । ବିଜେପି ମଧ୍ୟ ତାଙ୍କୁ ଟିକଟ ନଦେଇ ଅନ୍ୟ ଜଣକ ନାମ ଘୋଷଣା କରିବାରୁ ଦେବାଶିଷ ସଦ୍ୟ ବିଜେପିରୁ ଇସ୍ତଫା ଦେଇ କଂଗ୍ରେସରେ ସାମିଲ ହୋଇଛନ୍ତି ଏବଂ କଂଗ୍ରେସ ବରୀରେ ପ୍ରାର୍ଥୀ ପରିବର୍ତ୍ତନ କରି ଦେବାଶିଷଙ୍କୁ ପ୍ରାର୍ଥୀ କରିଛି । କଂଗ୍ରେସ ଆଜି ପ୍ରାର୍ଥୀ ପରିବର୍ତ୍ତନ କରିଥିବା ଅନ୍ୟ ଦୁଇଟି ଆସନ ହେଉଛି ଆଠଗଡ଼ ଓ ଆଠମଲ୍ଲିକ । ପୂର୍ବରୁ କଂଗ୍ରେସ ଆଠଗଡ଼ରୁ ମେହେବୁବ ଅହମ୍ମଦ ଖାନ ଓ ଆଠମଲ୍ଲିକରୁ ବିଜୟାନନ୍ଦ ଚାଉଳିଆଙ୍କୁ ପ୍ରାର୍ଥୀ କରିଥିଲା । ଆଜି ସେଥିରେ ପରିବର୍ତ୍ତନ କରି ଆଠଗଡ଼ରୁ ସୁଦର୍ଶନ ସାହୁ ଓ ଆଠମଲ୍ଲିକରୁ ହିମାଂଶୁ ଚାଉଳିଆଙ୍କୁ ପ୍ରାର୍ଥୀ କରିଥିବା ଘୋଷଣା କରିଛି । ଓଡ଼ିଶାର ନୀଳଗିରି ବିଧାନସଭା ଆସନରୁ ବିଜେଡ଼ି ଓ ବିଜେପି ଏଇ କିଛି ଦିନ ତଳେ ସେମାନଙ୍କ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିବା ବେଳେ କଂଗ୍ରେସ ଆଜି ଅକ୍ଷୟ ଅଚାର୍ଯ୍ୟଙ୍କ ନାମ ଘୋଷଣା କରିଛି । ନୀଳଗିରିରୁ ବିଜେଡ଼ିର ସୁକାନ୍ତ ନାୟକ ଓ ବିଜେପିର ସନ୍ତୋଷ ଖଟୁଆ ପ୍ରାର୍ଥୀ ଅଛନ୍ତି । କଂଗ୍ରେସ ଦଳ ରାଜ୍ୟର ପ୍ରାୟ ସମସ୍ତ ନିର୍ବାଚନ ମଣ୍ଡଳୀ ପାଇଁ ଦଳୀୟ ପ୍ରାର୍ଥୀଙ୍କ ନାମ ଘୋଷଣା କରି ସାରିଥିବା ବେଳେ ଆଜି ମଧ୍ୟ ଗୁରୁତ୍ୱପୂର୍ଣ୍ଣ ରାଉରକେଲା ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ କିଏ ହେବ ଘୋଷଣା ହୋଇ ନାହିଁ । ବିଜେପି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଦଳର ବରିଷ୍ଠ ନେତା ଦିଲ୍ଲୀପ ରାୟଙ୍କୁ ରାଉରକେଲା ବିଧାନସଭା ଆସନରୁ ପ୍ରାର୍ଥୀ କରିଥିବା ବେଳେ ରାଉରକେଲା ବିଧାୟକ ତଥା ରାଜ୍ୟର ପୂର୍ବତନ ମନ୍ତ୍ରୀ ସାରଦା ନାୟକ ବିଜେଡ଼ିରୁ ପ୍ରାର୍ଥୀ ଅଛନ୍ତି । ରାଉରକେଲାରେ ଲଢେଇ ଜୋରଦାର ହେବାକୁ ଥିବା ବେଳେ କଂଗ୍ରେସ ପଛରେ ପଡିଥିବା ଆଲୋଚନାର ବିଷୟ ହୋଇଛି । କଂଗ୍ରେସ ମୟୁରଭଂଜ ଲୋକସଭା ଆସନ ପାଇଁ ମଧ୍ୟ ପ୍ରାର୍ଥୀଙ୍କ ନାମ ଘୋଷଣା କରି ନାହିଁ । ଏଆଇସିିସି ସାଧାରଣ ସଂପାଦକ (ସଂଗଠନ) କେ.ସି.ବେଣୁଗୋପଳ ଆଜି ଏହି ପରିବତ୍ତିତ ପ୍ରାର୍ଥୀ ତାଲିକା ସହ ନୀଳଗିରି ଆସନରୁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି । ପୁରୀରୁ କଂଗ୍ରେସର ଲୋକସଭା ପ୍ରାର୍ଥୀ ହୋଇଥିବା ସୁଚରିତା ମହାନ୍ତି ନିର୍ବାଚନ ପରିଚାଳନା ପାଇଁ ଦଳ ତାଙ୍କୁ ପାଣ୍ଠି ଦେବାକୁ ମନା କରି ଦେଇଥିବା ଏବଂ ବାହାରୁ ମଧ୍ୟ ସେ ପାଣ୍ଠି ଯୋଗାଡ ଉଦ୍ୟମରେ ବିଫଳ ହୋଇଥିବା ଦର୍ଶାଇ ଗତକାଲି ଦଳକୁ ସାଂସଦ ପ୍ରାର୍ଥୀ ଟିକଟ ଫେରାଇ ଦେବାରୁ ଦଳ ଶନିବାର ରାତିରେ ତାଙ୍କ ସ୍ଥାନରେ ଜୟ ନାରାୟଣ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଥିବା ଘୋଷଣା କରିଛି । ସୁଚରିତାଙ୍କୁ ନିର୍ବାଚନ ପରିଚାଳନା ପାଇଁ କଂଗ୍ରେସ ପାଣ୍ଠି ଦେବାକୁ ମନା କରିଥିବା ଅଭିଯୋଗରେ କୌଣସି ସତ୍ୟତା ନାହିଁ । ସେ ଠିକ୍ ଭାବେ ନିଜ ନିର୍ବାଚନ ପରିଚାଳନା କରିପାରୁନଥିବାରୁ ଦଳ ପୁରୀ ଲୋକସଭା ଆସନରେ ପ୍ରାର୍ଥୀ ବଦଳାଇବାକୁ ଚାହୁଁ ଥିଲା । ତାହା ଜାଣିପାରି ସୁଚରିତା ଏଭଳି ଏକ ବାହାନା ଦେଖାଇ ଗତକାଲି ତାଙ୍କ ଟିକଟ ଫେରାଇ ଦେଇଛନ୍ତି ବୋଲି ଡକ୍ଟର ଅଜୟ କୁମାର ଗତକାଲି ଗଣମାଧ୍ୟମରେ ବୟାନ ରଖିଛନ୍ତି । ୨୦୨୪ ସାଧାରଣ ନିର୍ବାଚନ ଅତ୍ୟନ୍ତ ରୋଚକ ମୋଡରେ ଥିବା ବେଳେ କଂଗ୍ରେସ ପ୍ରାର୍ଥୀଙ୍କ ନାମ ଘୋଷଣା କରୁଥିବା ଏବଂ ଦଳୀୟ ନେତା ଓ କର୍ମର୍ୀଙ୍କ ଚାପରେ ସେଥିରେ ପରିବର୍ତ୍ତନ କରିବା କାର୍ଯ୍ୟ ଜାରି ରଖିବା ଦଳର ଦୁର୍ବଳତାକୁ ପଦାରେ ପକାଇଛି । ଦଳ ତଳସରା ବିଧାନସଭା ଆସନରୁ ପ୍ରଥମେ ଆନ୍ତର୍ଜାତିକ ଖ୍ୟାତିସଂପନ୍ନ ହକି ତାରକା ପ୍ରବୋଧ ତୀର୍କିଙ୍କୁ ପ୍ରାର୍ଥୀ କରି ପରେ ତାଙ୍କ ହାତରୁ ଟିକଟ ଛଡାଇ ନେବା ଓ ଦେବେନ୍ଦ୍ର ଭିତିରିଆଙ୍କୁ ତାଙ୍କ ସ୍ଥାନରେ ପ୍ରାର୍ଥୀ କରିବା ଏକ ଜାତୀୟସ୍ତରରେ ଚର୍ଚ୍ଚାର ବିଷୟ ହୋଇଥିଲା । ପ୍ରବୋଧ କଂଗ୍ରେସର ଏଭଳି କାର୍ଯ୍ୟକୁ ନେଇ ସର୍ବସାଧାରଣରେ ଆଖିରୁ ଲୁହ ଗଡାଇବା ସହ କଂଗ୍ରେସରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଛନ୍ତି । ପ୍ରବୋଧ ତୀର୍କିଙ୍କଠାରୁ ଆରମ୍ଭ ହୋଇଥିବା କଂଗ୍ରେସର ପ୍ରାର୍ଥୀ ପରିବର୍ତ୍ତନ ପ୍ରକ୍ରିୟା ଆଜି ସରିଥିବା ଅନୁମାନ କରାଯାଉଛି । ପ୍ରବୋଧ ମଧ୍ୟ ଟିକଟ ପାଇବା ପାଇବା ପରେ ନିଜର ନିର୍ବାଚନ ପରିଚାଳନାରେ ଅବହେଳା କରିବାରୁ ତାଙ୍କ ଟିକଟ ପ୍ରତ୍ୟାହାର କରାଯାଇଥିଲା ବୋଲି ସେତେବେଳେ ଅଜୟ କୁମାର କହିଥିଲେ ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS