୨୦୨୪ ନିର୍ବାଚନ ଓ ରାମଲାଲାଙ୍କ ଅନ୍ତଃସ୍ରୋତ …


ପ୍ରସାଦ ରାଓ
ମଇ ୧୮
ଗତ ସପ୍ତାହରେ ଏକ ପାରିବାରିକ ଉତ୍ସବରେ ଯୋଗ ଦେବାକୁ ଯାଇଥିଲି ମୁମ୍ବାଇ । ଏହା ସଂପୂର୍ଣ୍ଣ ପାରିବାରିକ ଗସ୍ତ ଥିଲା । ଦେଶରେ ଚାଲି ଥିବା ସାଧାରଣ ନିର୍ବାଚନ ସହ ଏହାର କିଛି ସଂପର୍କ ନଥିଲା । ତେବେ, ନିର୍ବାଚନ ସମୟରେ ମହାରାଷ୍ଟ୍ର, ବିଶେଷକରି ମୁମ୍ବାଇ ସହରର ମତଦାତାଙ୍କ ମନୋଭାବକୁ ପରଖିବାର ଚାପା ଆଗ୍ରହ ମଧ୍ୟ ରହିଥିଲା । ତେଣୁ, ପ୍ରତ୍ୟକ୍ଷ ରାଜନୀତିରେ ସଂପୃକ୍ତ ନଥିବା କିଛି ଲୋକଙ୍କ ସହ ଆଳାପ ଆଲୋଚନା ବେଳେ ଜାଣିବାକୁ ଚାହିଁଥିଲି ସାଂପ୍ରତିକ ରାଜ୍ୟ ରାଜନୀତିକୁ ନେଇ ସେମାନଙ୍କ ମତ କଣ । ଯେଉଁମାନଙ୍କ ସହ ଆଲୋଚନା କରିଥିଲି ସେମାନେ ଥିଲେ ମୁମ୍ବାଇ ସହରର ଛୋଟ, ବଡ ବ୍ୟବସାୟ ଏବଂ ସରକାରୀ, ବେସରକାରୀ ସଂସ୍ଥାରେ କାର୍ଯ୍ୟ କରୁଥିବା କର୍ମଚାରୀ । ସାଦାସିଧା ମଣିଷ । ରାଜନୀତି ସଂପର୍କରେ ଆଲୋଚନା କରିବାକୁ ସେମାନେ କୋଚିତ ଅବସର ପାଇଥା’ନ୍ତି । ତଥାପି, ରାଜ୍ୟବାପୀ ନିର୍ବାଚନ ମାହୋଲ ଥିବାରୁ ଚଳିତ ନିର୍ବାଚନକୁ ନେଇ ସେମାନେ କଣ ଭାବୁଛନ୍ତି ଜାଣିବା ଆଗ୍ରହକୁ ଦମନ କରିପାରିନଥିଲି । ଜଣେ ପେଶାଦାର (ସାମ୍ବାଦିକ) ହୋଇଥିବାରୁ ମନରେ ଏଭଳି ଆଗ୍ରହ ରହିବା ସ୍ୱାଭାବିକ ।
୨୦୧୯ ବିଧାନସଭା ନିର୍ବାଚନ ପରରୁ ମହାରାଷ୍ଟ୍ର ରାଜନୀତି ଗୋଳିଆ ହୋଇ ରହିଛି । ରାଜନୈତିକ ଦୃଷ୍ଟିରୁ ମହାରାଷ୍ଟ୍ର ହେଉଛି ଏକ ସ୍ପର୍ଶକାତର ରାଜ୍ୟ । ୨୦୨୪ ନିର୍ବାଚନରେ ରାଜ୍ୟର ଜନମତ କୁଆଡେ ଯିବ, ସେ ନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ଚିତ୍ର ମିଳି ନାହିଁ । ରାଜନୀତି ସହ ପ୍ରତ୍ୟକ୍ଷ ସଂପର୍କ ନଥିବା କିଛି ଲୋକଙ୍କ ସହ ଆଲୋଚନା କରି ରାଜ୍ୟର ଜନମତ କୁଆଡେ ଯାଉଛି ପରଖିବା ବିଜ୍ଞାନ-ସମ୍ମତ ହୋଇନଥିଲେ ମଧ୍ୟ ଲୋକଙ୍କ ମୁଡ୍ ନେଇ କିଛି ସୁରାକ ମିଳିବା ଆଶାରେ ସେମାନଙ୍କ ମନ ଭିତରକୁ ଅଣ୍ଡାଳିବାକୁ ଉଦ୍ୟମ କରିଥିଲି । ମହାରାଷ୍ଟ୍ରର ସାଂପ୍ରତିକ ରାଜନୈତିକ ପରିସ୍ଥିତି ସଂପୂର୍ଣ୍ଣ ଭିନ୍ନ । ଗୋଟିଏ ପଟେ କଂଗ୍ରେସ, ଶିବସେନା (ୟୁବିଟି) ଓ ଏନସିପି (ଶରଦଚନ୍ଦ୍ର ପାୱାର)ର ମହା ବିକାଶ ଅଘାଡି (ଏମଭିଏ) ଏବଂ ଅନ୍ୟପଟେ – ବିଜେପି, ଶିବସେନା ଏକନାଥ ସିନ୍ଧେ ଗୋଷ୍ଠୀ ଓ ଏନସିପି ଅଜିତ ପାୱାର ଗୋଷ୍ଠୀର ମହାମେଂଟ । ବିଜେପି ସହ ଥିବା ଗୋଷ୍ଠୀ ଏବେ ସରକାରରେ ଅଛନ୍ତି । ୨୦୨୪ ସାଧାରଣ ନିର୍ବାଚନରେ ଏହି ଦୁଇ ମହାମେଂଟ ମଧ୍ୟରେ ଲଢେଇ ସୀମିତ ରହୁଛି କହିଲେ ଚଳେ ।
୨୦୧୯ ସାଧାରଣ ନିର୍ବାଚନ ପରିସ୍ଥିତି ଭିନ୍ନ ଥିଲା । ରାଜ୍ୟରେ ବିଜେପି ଓ ଶିବସେନା ମେଂଟ ସରକାର ଥିଲା । ସେହି ବର୍ଷ ଏପ୍ରିଲରେ ଅନୁଷ୍ଠିତ ଲୋକସଭା ଓ ଅକ୍ଟୋବରରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ସେମାନେ ଏକାଠି ନିର୍ବାଚନ ଲଢିଥିଲେ । ମହାରାଷ୍ଟ୍ରର ୪୮ଟି ଲୋକସଭା ଆସନ ପାଇଁ ହୋଇଥିବା ଭୋଟରେ ବିଜେପି ୨୩ଟି ଆସନ ଓ ଅବିଭକ୍ତ ଶିବସେନା ୧୮ଟି ଆସନରେ ବିଜୟୀ ହୋଇଥିଲା । ରାଜ୍ୟର ଅନ୍ୟତମ ଶକ୍ତିଶାଳୀ ରାଜନୈତିକ ଦଳ ଶରଦ ପାୱାରଙ୍କ ଏନସିପି ୦୪ଟି, କଂଗ୍ରେସ ଗୋଟିଏ, ଏଆଇଏମଆଇଏମ ଗୋଟିଏ ଓ ସ୍ୱାଧୀନ ପ୍ରାର୍ଥୀ ଗୋଟିଏ ଆସନରେ ବିଜୟୀ ହୋଇଥିଲେ । ୨୦୧୯ ଅକ୍ଟୋବରରେ ରାଜ୍ୟ ବିଧାନସଭାର ୨୮୮ ଆସନ ପାଇଁ ଭୋଟ ହୋଇଥିଲା । ବିଜେପି ୧୦୫, ଅବିଭକ୍ତ ଶିବସେନା ୫୬, କଂଗ୍ରେସ ୪୫, ଏନସିପି ୫୩ ଆସନରେ ବିଜୟୀ ହୋଇଥିଲା । ବିଜେପି-ଶିବସେନା ରାଜ୍ୟରେ ମିଳିତ ସରକାର ଗଠନ ପାଇଁ ବେଂଚ ମାର୍କ (୧୪୫ ଆସନ)ରୁ ଅଧିକ ସଂଖ୍ୟା ପାଇଥିଲେ ମଧ୍ୟ ଶିବସେନା ମୁଖ୍ୟମନ୍ତ୍ରୀ ପଦ ପାଇଁ ଅଡି ବସିବାରୁ ମେଂଟ ଭାଂଗି ଥିଲା ଏବଂ ରାଜ୍ୟ ରାଜନୀତିରେ ନୂତନ ସମୀକରଣର ଅଭ୍ୟୁଦୟ ହୋଇଥିଲା ।
ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ନିଜ ଦଳରୁ ଜଣକୁ ମୁଖ୍ୟମନ୍ତ୍ରୀ କରିବାକୁ ଅଡି ରହିବା ବେଳେ ବିଜେପି ଦେବେନ୍ଦ୍ର ଫଡନାଭିସଙ୍କୁ ରିପିଟ କରିବାକୁ ଚାହିଁଲା । କୌଣସି ରାଜନୈତିକ ଦଳ ରାଜ୍ୟରେ ଏକାକୀ ସରକାର ଗଠନ କରିବାକୁ ସକ୍ଷମ ନଥିବାରୁ ରାଜ୍ୟପାଳଙ୍କ ସୁପାରିଶରେ ରାଜ୍ୟରେ କିଛି ସମୟ ପାଇଁ ରାଷ୍ଟ୍ରପତି ଶାସନ ଲାଗୁ ହେଲା । ତାହାରି ଭିତରେ ବିଜେପି ଏନସିପିର ଅଜିତ ପାୱାରଙ୍କୁ ହାତ ମୁଠାକୁ ନେଇ ସରକାର ଗଠନ ପ୍ରୟାସ କଲା । ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶିୟାରୀ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଓ ଏନସିପି ନେତା ଅଜିତ ପାୱାରଙ୍କୁ ରାତି ଅଧିଆ ମୁଖ୍ୟମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ପାଠ କରାଇ ବିଜେପିକୁ ସନ୍ତୁଷ୍ଟ କରିବାକୁ ଉଦ୍ୟମ କଲେ । ତେବେ, ସରକାରରେ ରହିବା ପାଇଁ ଆବଶ୍ୟକ ସଂଖ୍ୟକ ବିଧାୟକଙ୍କ ସମର୍ଥନ ନ ମିଳିବାରୁ ଫଡନାଭିସ ଓ ଅଜିତ ପାୱାର ଇସ୍ତଫା ଦେଲେ । ଅନ୍ୟପକ୍ଷରେ, ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଏନସିପି ଓ କଂଗ୍ରେସ ନେତୃତ୍ୱ ସହ ଆଲୋଚନା କରି ରାଜ୍ୟରେ ଶିବସେନା-ଏନସିପି ଓ କଂଗ୍ରେସକୁ ନେଇ ମହାମେଂଟ ବା ମହା ବିକାଶ ଅଘାଡି ଗଠନ କରି ରାଜ୍ୟରେ ସରକାର ଗଠନ ପାଇଁ ରାଜ୍ୟପାଳଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲେ ।
ଶିବସେନା-ଏନସିପି-କଂଗ୍ରେସକୁ ନେଇ ଗଠିତ ମହା ବିକାଶ ଅଘାଡି ଉଦ୍ଧବଙ୍କୁ ନେତା ନିର୍ବାଚିତ କରିବା ପରେ ସେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ । ରାଜ୍ୟରେ ଏହା ଥିଲା ପ୍ରଥମ ଶିବସେନା ନେତୃତ୍ୱାଧୀନ ମେଂଟ ସରକାର । ବିଜେପି ସହିତ ହାତ ମିଳାଇ ଫଡନାଭିସଙ୍କ ଡେପୁଟୀ ଭାବେ କିଛି ଦିନ ତଳେ ଶପଥ ନେଇଥିବା ଏନସିପି ନେତା ଅଜିତ ପାୱାର ପୁନର୍ବାର ଦାଦା ଶରଦ ପାୱାରଙ୍କ ନିକଟକୁ ଫେରି ଆସି ଉଦ୍ଧବ ଠାକରେ ସରକାରରେ ଏନସିପି କୋଟାରେ ଉପ ମୁଖ୍ୟମନ୍ତ୍ରୀ ହେଲେ । ସେହି ସମୟର ଏହି ରାଜନୈତିକ ଖେଳ ଆଜି ସୁଦ୍ଧା ଜନମାନସରେ ରହିଛି । ରାଜ୍ୟରେ ରକାର ଗଠନ କରିବାରେ ବିଫଳ ହୋଇ ବିଜେପି ଶିବସେନାକୁ ‘ବିଶ୍ୱାସଘାତକ’ କହିବା ସହ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ମହା ବିକାଶ ଅଘାଡି ସରକାରକୁ କ୍ଷମତାଚ୍ୟୁତ କରିବା ପାଇଁ ଗୋଟି ଚଳାଇ ଥିଲା । ୨୦୨୨ରେ ଶିବସେନାର ଉଚ୍ଚାଭିଳାଷୀ ନେତା ଏକନାଥ ସିନ୍ଧେ ଉଦ୍ଧବଙ୍କ ବିରୋଧରେ ବିଦ୍ରୋହ କରିବା ମାଧ୍ୟମରେ ବିଜେପିକୁ ଏହି ସୁଯୋଗ ଦେଲେ ।
ସିନ୍ଧେଙ୍କ ନେତୃତ୍ୱରେ ଶିବସେନାର ସଂଖ୍ୟାଗରିଷ୍ଠ ବିଧାୟକ ଓ ସାଂସଦ ଦଳର ନେତା ଉଦ୍ଧବ ଠାକରେଙ୍କ ବିରୋଧରେ ବିଦ୍ରୋହ ଘୋଷଣା କରି ବିଜେପି ସହ ହାତ ମିଳାଇଲେ ଏବଂ ବିଜେପି ସମର୍ଥନରେ ମହା ବିକାଶ ଅଘାଡି ସରକାରଙ୍କୁ କ୍ଷମତାଚ୍ୟୁତ କରି ରାଜ୍ୟରେ ନୂଆ ସରକାର ଗଠନ କଲେ । ବିଜେପିର ୧୦୫ ବିଧାୟକ ଥାଇ ମଧ୍ୟ ଦଳ ଶିବସେନା ବିଦ୍ରୋହୀ ନେତା ସିନ୍ଧେଙ୍କୁ ମୁଖ୍ୟମନ୍ତ୍ରୀ ଆସନ ସମର୍ପି ଦେବା ସହ ଦଳର ବରିଷ୍ଠ ନେତା ତଥା ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କୁ ଉପ ମୁଖ୍ୟମନ୍ତ୍ରୀ ପଦରେ ବସାଇଲା । ନିର୍ବାଚନ କମିଶନ ଓ ରାଜ୍ୟ ବିଧାନସଭା ବାଚସ୍ପତି ସିନ୍ଧେଙ୍କ ନେତୃତ୍ୱାଧୀନ ଶିବସେନାକୁ ‘ମୂଳ ଶିବସେନା’ ଭାବେ ସ୍ୱୀକୃତି ଦେବା ସହ ଶିବସେନାର ମୂଳ ନିର୍ବାଚନ ଚିହ୍ନ ମଧ୍ୟ ସିନ୍ଧେ ଗୋଷ୍ଠୀ ହାତରେ ସମର୍ପି ଦେଇଛନ୍ତି । ସେହିଭଳି, ୨୦୨୩ରେ ବିଜେପି ଏନସିପିରେ ମଧ୍ୟ ବିଭାଜନ ଘଟାଇଛି ଏବଂ ପୁତୁରା ଅଜିତ ପାୱାରଙ୍କୁ ଅସ୍ତ୍ର କରି ଦାଦା ତଥା ଏନସିପି ପ୍ରତିଷ୍ଠାତା ବର୍ଷିୟାନ ନେତା ଶରଦ ପାୱାରଙ୍କୁ ଶକ୍ତ ଝଟକା ଦେଇଛି ।
ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାର ଦାଦା ଶରଦ ପାୱାରଙ୍କୁ ଝଟକା ଦେଇ ପ୍ରାୟ ୪୦ ଏନସିପି ବିଧାୟକ ଏବଂ ସାଂସଦଙ୍କ ସହ ଅଲଗା ଗୋଷ୍ଠୀ ଗଠନ କରିଛନ୍ତି । ମୁଖ୍ୟମନ୍ତ୍ରୀ ସିନ୍ଧେଙ୍କ ସରକାରରେ ସାମିଲ ହୋଇ ସେ ରାଜ୍ୟର ଦ୍ୱିତୀୟ ଉପ ମୁଖ୍ୟମନ୍ତ୍ରୀ (ପ୍ରଥମ ଉପ ମୁଖ୍ୟମନ୍ତ୍ରୀ ଅଛନ୍ତି ବିଜେପି ନେତା ଦେବେନ୍ଦ୍ର ଫଡନାଭିସ୍) ହୋଇଛନ୍ତି । ଶିବସେନା ବିଦ୍ରୋହୀଙ୍କ ଭଳି ଏନସିପି ବିଦ୍ରୋହୀଙ୍କୁ ମଧ୍ୟ ନିର୍ବାଚନ କମିଶନ ଓ ରାଜ୍ୟ ବିଧାନସଭା ବାଚସ୍ପତି ‘ମୂଳ ଦଳ’ର ସ୍ୱୀକୃତି ଦେଇଛନ୍ତି । ଏନସିପିର ମୂଳ ନିର୍ବାଚନ ଚିହ୍ନ ମଧ୍ୟ ଅଜିତ ପାୱାର ଗୋଷ୍ଠୀ ହାତରେ । ଉଭୟ ଶିବସେନା ଓ ଏନସିପି ନିଜର ଅସ୍ତିତ୍ୱ ପାଇଁ ଏବେ ସୁପ୍ରିମ କୋର୍ଟରେ ମାମଲା ଲଢୁଥିବା ବେଳେ ନିର୍ବାଚନ କମିଶନ ଉଦ୍ଧବ ଓ ଶରଦ ପାୱାରଙ୍କୁ ନୂଆ ନିର୍ବାଚନ ଚିହ୍ନରେ ସାଧାରଣ ନିର୍ବାଚନ ଲଢିବାକୁ ଏକପ୍ରକାର ବାଧ୍ୟ କରିଛନ୍ତି ।
ଉଦ୍ଧବଙ୍କ ଶିବସେନା, କଂଗ୍ରେସ ଓ ଏନସିପି ଶରଦ ପାୱାର ଗୋଷ୍ଠୀ ଏବେ ମହାରାଷ୍ଟ୍ରରେ ମହା ବିକାଶ ଅଘାଡି ଏବଂ ଜାତୀୟସ୍ତରରେ ‘ଇଣ୍ଡି’ ମେଂଟର ସଦସ୍ୟ ଭାବେ ନିର୍ବାଚନ ମଇଦାନରେ ଥିବା ବେଳେ ଶିବସେନା-ସିନ୍ଧେ ଓ ଏନସିପି-ଅଜିତ ପାୱାର ଗୋଷ୍ଠୀ ବିଜେପି ନେତୃତ୍ୱାଧୀନ ଏନଡିଏରେ ରହିଛନ୍ତି । ଶିବସେନା ଓ ଏନସିପିରେ ବିଭାଜନ ରାଜ୍ୟ ରାଜନୀତିକୁ ଅଧିକ ଗୋଳିଆ କରିଛି । ଏହି ଦୁଇ ଆଂଚଳିକ ଦଳର ବିଭାଜିତ ଗୋଷ୍ଠୀ ପରସ୍ପର ବିରୋଧରେ ଲଢୁଥିବାର ରୋଚକ ଦୃଶ୍ୟ ଶରଦ ପାୱାରଙ୍କ ବାରାମତି ଲୋକସଭା ଆସନରେ ଦେଖିବାକୁ ମିଳୁଛି । ବାରାମତିରୁ ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା ପାୱାର ଏନସିପିର ଲୋକସଭା ପ୍ରାର୍ଥୀ ଥିବା ବେଳେ ତାଙ୍କ ଲଢେଇ ହେଉଛି ନଣନ୍ଦ ଶରଦଚନ୍ଦ୍ର ପାୱାର ଏନିସିପି ପ୍ରାର୍ଥୀ ସୁପ୍ରିୟା ସୁଲେ (ଶରଦ ପାୱାରଙ୍କ ସାଂସଦ କନ୍ୟା)ଙ୍କ ସହ । ଦାଦା-ପୁତୁରା ପରସ୍ପର ବିରୋଧରେ ନିର୍ବାଚନ ପ୍ରଚାର କରୁଥିବା ମଧ୍ୟ ରାଜ୍ୟବାସୀଙ୍କୁ ଦ୍ୱନ୍ଦ୍ୱରେ ପକାଇଛି । କେବଳ ବାରାମତି ନୁହେଁ, ରାଜ୍ୟର ଅନ୍ୟ ଲୋକସଭା ଆସନରେ ମଧ୍ୟ ଏକାଭଳି ଚିତ୍ର ଦେଖିବାକୁ ମିଳୁଛି ।
ଶିବସେନା ବନାମ ଶିବସେନା ଏବଂ ଏନସିପି ବନାମ ଏନସିପି ଲଢେଇରେ ନୂଆ ନିର୍ବାଚନ ଚିହ୍ନକୁ ନେଇ ଉଦ୍ଧବ ଠାକରେ ଓ ଶରଦ ପାୱାରଘାଂଟି ହେଉଛନ୍ତି । ତେବେ, ଦୁଇ ଦଳର ମୂଳ ସଂଗଠନ ଉଦ୍ଧବ ଓ ଶରଦ ପାୱାରଙ୍କ ସହ ଥିବାରୁ ଶିବସେନା-ସିନ୍ଧେ ଓ ଏନସିପି-ଅଜିତ ପାୱାର ଗୋଷ୍ଠୀ ଏହି ନିର୍ବାଚନରେ ଉଚିତ ଶିକ୍ଷା ପାଇବେ ବୋଲି ଉଦ୍ଧବ ଓ ପାୱାର (ଶରଦ) ସମର୍ଥକମାନେ ଆଶା କରୁଛନ୍ତି । ଅପରପକ୍ଷରେ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ଓ ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାର ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଶୀର୍ବାଦରେ ନିର୍ବାଚନ ବୈତରଣୀ ପାରି ହେବା ଆଶା ରଖିଛନ୍ତି । ତେବେ, ମହାରାଷ୍ଟ୍ରର ଗ୍ରାମାଂଚଳ ମତଦାତା କୁଆଡେ ଢଳିବେ – ତାହା ଉପରେ ସମସ୍ତଙ୍କ ନଜର ରହିଛି । ବର୍ଷ ଆରମ୍ଭରେ ବିଭିନ୍ନ ଜାତୀୟ ଗଣମାଧ୍ୟମରେ ହୋଇଥିବା ପ୍ରାକ୍ ନିର୍ବାଚନୀ ସର୍ଭେ ରିପୋର୍ଟ ଅସ୍ପଷ୍ଟ ଥିଲା । ତଥାପି, ଉଦ୍ଧବ ଓ ଶରଦ ପାୱାରଙ୍କ ପ୍ରତି ମହାରାଷ୍ଟ୍ରର ଗ୍ରମାଂଚଳରେ ଅନୁକଂପା ଥିବା ଏହି ସର୍ଭେରୁ ସୂଚନା ମିଳୁଥିଲା ।
ଏବେ ଆଉ ଗୋଟିଏ କଥା ସାମ୍ନାକୁ ଆସିଛି – ମହାରାଷ୍ଟ୍ରର ଗ୍ରାମାଂଚଳରୁ ନହେଲେ ବି ସହରାଂଚଳରୁ । ଗତ ଜାନୁୟାରୀରେ ଅଯୋଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଲୋକାର୍ପିତ ରାମଲାଲାଙ୍କ ମନ୍ଦିର ସହରୀ ଭୋଟରଙ୍କ ମନକୁ ଅବୋରି ରଖିଛି । ରାମଲାଲାଙ୍କ ମନ୍ଦିର ପ୍ରତିଷ୍ଠାକୁ ନେଇ ଜନତାଙ୍କ ମନରେ ବିଜେପି ସପକ୍ଷରେ ଏକ ଅଦୃଶ୍ୟ ଲହର ରହିଥିବା ମୁମ୍ବାଇରେ କିଛି ଲୋକଙ୍କ ସହ ଆଲୋଚନା ବେଳେ ସୂଚନା ମିଳିଛି । ପାଂଚ ଶହ ବର୍ଷର ଆଇନଗତ ଲଢେଇ ପରେ ଅଯୋଧ୍ୟରେ ରାମଲାଲାଙ୍କ ଭବ୍ୟ ମନ୍ଦିର ନିର୍ମାଣର ଶ୍ରେୟ କିଛି ଲୋକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦେବାକୁ ପଛାଉ ନାହାନ୍ତି । ମଲା ପର୍ଯ୍ୟନ୍ତ ସେମାନେ ମୋଦୀଙ୍କୁ ହିଁ ଭୋଟ ଦେବେ ବୋଲି ଖୋଲାଖୋଲି କହୁଛନ୍ତି । ଗତ ରବିବାର (ମଇ ୧୨ ତାରିଖ) ଦିନ ମଲାଡରେ ଆୟୋଜିତ ଏକ ପାରିବାରିକ କାର୍ଯ୍ୟକ୍ରମରେ ଯୋଗ ଦେଇ ସନ୍ଧ୍ୟାରେ ଅନ୍ଧେରୀର ‘ଇଂପେରିଆଲ ହୋଟେଲ’କୁ ଫେରୁଥାଏ । ଟ୍ୟାକ୍ସି ଚାଳକ ବିହାର ବା ୟୁପିର ବାସିନ୍ଦା ।
ସେ ନିଜ ଆଡୁ ପ୍ରଥମେ ନିର୍ବାଚନ କଥା ଉଠାଇଲେ । ଗତ ୧୦ ବର୍ଷରେ ଦେଶରେ ବହୁ ଭିତ୍ତିଭୂମି ବିକାଶ କାର୍ଯ୍ୟ ହୋଇଥିବା କହିଥିଲେ । ପାଂଚ ଶହ ବର୍ଷର ଆଇନଗତ ଲଢେଇ ପରେ ଅଯୋଧ୍ୟାରେ ରାମଲାଲା ମନ୍ଦିର ନିର୍ମାଣ ଶ୍ରେୟ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଦେଇଥିଲେ । ଗତ ୧୦ ବର୍ଷରେ ଦେଶରେ ବହୁ ଭିତ୍ତିଭୂମି ବିକାଶ କାର୍ଯ୍ୟ ହୋଇଥିବା କହିଥିଲେ । ପାଂଚ ଶହ ବର୍ଷର ଆଇନଗତ ଲଢେଇ ପରେ ଅଯୋଧ୍ୟାରେ ରାମଲାଲା ମନ୍ଦିର ନିର୍ମାଣର ଶ୍ରେୟ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଦେଇଥିଲେ ଏଥର ବିଜେପି ୪୦୦ରୁ ଅଧିକ ଆସନରେ ବିଜୟୀ ହେଲେ ଦେଶରେ ଆଉ ନିର୍ବାଚନ କରାଇବ ନାହିଁ, ସମ୍ବିଧାନକୁ ବଦଳାଇ ଦେବ । ଦେଶର ଗଣତନ୍ତ୍ର ପ୍ରତି ବିପଦ ବଢିଯିବ । ଚୀନ, ବଂଗଳାଦେଶ ଓ ଋଷିଆ ଭଳି ଭାରତ ମଧ୍ୟ ଏକଛତ୍ରବାଦ ଆଡକୁ ଚାଲିଯିବ – ବିରୋଧୀଙ୍କ ଏଭଳି ବ୍ୟାଖ୍ୟାନକୁ ସେ ଗ୍ରହଣ କରିବାକୁ ପ୍ରସ୍ତୁତ ନଥିଲେ । କିଛି ଉଦାହରଣ ଦେବାରୁ ‘ଏମିତି ହେଉଛି କି ?’ ବୋଲି ପ୍ରଶ୍ନ କରି ଦୀର୍ଘ ସମୟ ନିରବ ରହି ଥିଲେ । ଟ୍ୟାକ୍ସି ‘ଇଂପେରିଆଲ ହୋଟେଲ’ ନିକଟରେ ପହଂଚିଲା ବଳକୁ ସେ ନିରବ ଥିଲେ । ଭାବିଲି, ସେ ମୋ ଯୁକ୍ତିରେ ପ୍ରଭାବିତ ।
ତେବେ, ମୁଁ ଟ୍ୟାକ୍ସିରୁ ଓହ୍ଲାଇବା ବେଳେ ଡ୍ରାଇଭରଙ୍କ ସ୍ପଷ୍ଟ ବକ୍ତବ୍ୟ ଥିଲା, ସରକାରଙ୍କ ଛୋଟ ଛୋଟ ଭୁଲକୁ ମାଫ୍ କରିଦିଆଯିବା ଉଚିତ । ମୋଦୀ ଜୀ ଅଯୋଧ୍ୟାରେ ରାମଲାଲାଙ୍କ ଭବ୍ୟ ମନ୍ଦିର ନିର୍ମାଣ କରାଇ ହିନ୍ଦୁତ୍ୱର ଗର୍ବ ଓ ଗୌରବ ଫେରାଇ ଆଣିଛନ୍ତି । ଯାହା ହୋଇ ଯାଉନା କାହିଁକି ମୁଁ ଜୀବନ ଥିବା ଯାଏଁ ମୋଦୀଙ୍କୁ ହିଁ ଭୋଟ ଦେବି । ଟ୍ୟାକ୍ସି ଚାଳକଙ୍କ ଅନ୍ତିମ ଉତ୍ତର ମୋ ସହ ଥିବା ପରିବାର ସଦସ୍ୟଙ୍କୁ ଚକିତ କରିଥିଲା । ବିଦାୟ ନେଲା ବେଳେ ତାଙ୍କୁ କହିଥିଲି, ‘କିଛି ବ୍ୟସ୍ତ ହେବାର ନାହିଁ, ପ୍ରତିଟି ମଣିଷର ନିଜର ବ୍ୟକ୍ତିଗତ ମତ ରହିଛି ।’ ଟ୍ୟାକ୍ସି ଚାଳକ ବିଦାୟ ନେବା ପରେ ପତ୍ନୀ କହିଲେ – ‘ଶେଷରେ ତୁମ ଯୁକ୍ତି ବି କାଟୁ କଲାନି ?’ ଅଯୋଧ୍ୟାରେ ରାମଲାଲାଙ୍କ ମନ୍ଦିର ନିର୍ମାଣ କରିବା ମାଧ୍ୟମରେ ବିଜେପି ଜନତାଙ୍କୁ ଏତେଦୂର ‘ବ୍ରେନ୍ ୱାସ୍’ କରି ଦେଇଛି ଯେ ଲୋକ ଆଉ ରାମଲାଲାଙ୍କ ବ୍ୟତୀତ ଅନ୍ୟ କିଛି ଚିନ୍ତା କରିବାକୁ ପ୍ରସ୍ତୁତ ନାହାନ୍ତି ।
ମୁମ୍ବାଇରୁ ଓଡ଼ିଶା ଫେରିବା ସମୟରେ ସେହି ଟ୍ୟାକ୍ସି ଚାଳକଙ୍କ କଥା ହିଁ ଭାବୁଥିଲି । ଏକା କଣ ସେହି ଟ୍ୟାକ୍ସି ଚାଳକ, ସମଗ୍ର ଦେଶରେ ଏଭଳି ଅସଂଖ୍ୟ ଅନ୍ଧଭକ୍ତ ଥିବେ, ଯେଉଁମାନେ କି ଗଣତନ୍ତ୍ର, ସମ୍ବିଧାନ, ଏକଛତ୍ରବାଦ ଭଳି ବିରୋଧୀଙ୍କ ଓଜନଦାର ବ୍ୟାଖ୍ୟାନଗୁଡିକୁ ବୁଝି ମଧ୍ୟ ଅବୁଝା ରହୁଥିବେ । ନିର୍ବାଚନକୁ ଏକପାଖିଆ କରିବା ଶକ୍ତି ସେମାନେ ରଖନ୍ତି । ୨୦୨୪ ନିର୍ବାଚନରେ ଶାସକ ଓ ବିରୋଧୀ ବିଭିନ୍ନ ପ୍ରସଙ୍ଗ ଓ ପ୍ରଲୋଭନ ମାଧ୍ୟମରେ ମତଦାତାଙ୍କୁ ନିଜ ପକ୍ଷକୁ ଢଳାଇବା ଉଦ୍ୟମରେ ଅଛନ୍ତି । ହିନ୍ଦୁତ୍ୱ ଓ ରାମଲାଲାଙ୍କ ମନ୍ଦିର ମଧ୍ୟ ବଡ ନିର୍ବାଚନୀ ପ୍ରସଙ୍ଗ ହୋଇ ରହିଛି । ଶାସକ ବିଜେପି ଏଥିର ଫାଇଦାରେ ରହିବା ଆଶା ରଖିଛି । ଧାର୍ମିକ ଓ ରାଜନୈତିକ ଧ୍ରୁବୀକରଣ ମଧ୍ୟରେ ଏହି ନିର୍ବାଚନ ହେଉଛି । ଫଳାଫଳ କଣ ହେବ, କେହି ନିଶ୍ଚିତ ନୁହନ୍ତି । ‘ରାମଲାଲା’ ଲହର ସବୁ ପ୍ରକାର ବ୍ୟାଖ୍ୟାନକୁ କାଟି ନିର୍ବାଚନକୁ ଏକପାଖିଆ କରିବା ଶକ୍ତି ରଖିଥିବାରୁ ଓଡ଼ିଶାରେ ହେଉଥିବା ନିର୍ବାଚନ ମଧ୍ୟ ରାମଲାଲାଙ୍କ ଦ୍ୱାରା ପ୍ରଭାବିତ ନୁହେଁ ତ ? ଏହାର ଉତ୍ତର ତୁରନ୍ତ ମିଳିବା କଷ୍ଟ । ଜୁନ ୦୪ ତାରିଖ ଫଳାଫଳ ଆସିବା ଯାଏଁ ଆମକୁ ଅପେକ୍ଷା କରିବାକୁ ପଡିବ ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS