ହେଲିକପ୍ଟର ଦୁର୍ଘଟଣାରେ ଇରାନ ରାଷ୍ଟ୍ରପତି ଓ ବିଦେଶ ମନ୍ତ୍ରୀଙ୍କ ମୃତ୍ୟୁ


ପ୍ରସାଦ ରାଓ
ମଇ ୨୦
ଗତକାଲି ଇରାନ-ଆଜେରବାଇଜାନ ସୀମାନ୍ତ ଏକ ଦୁର୍ଗମ ପାର୍ବତ୍ୟାଂଚଳରେ ଘଟିଥିବା ହେଲିକପ୍ଟର ଦୁର୍ଘଟଣାରେ ଇରାନ ରାଷ୍ଟ୍ରପତି ଡକ୍ଟର ଇବ୍ରାହିମ ରଇସି ଓ ବିଦେଶ ମନ୍ତ୍ରୀ ହୋସେନ ଅମିର-ଅବଦୋଲ୍ଲାହିନଙ୍କ ମୃତ୍ୟୁ ଘଟିଥିବା ଆଜି ଇରାନର ଜନୈକ ସରକାରୀ ଅଧିକାରୀ ଆନ୍ତର୍ଜାତିକ ସମ୍ବାଦ ସରବରାହ ସଂସ୍ଥା ‘ରଏଟର’କୁ ସୂଚନା ଦେଇ ସ୍ପଷ୍ଟ କରିଛନ୍ତି । ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସି ଗତକାଲି ଆଜେରବାଇଜାନ ରାଷ୍ଟ୍ରପତି ଇହାମ ଆଲିୟେଭଙ୍କ ସହ ସୀମାନ୍ତରେ ନିର୍ମିତ କ୍ୱିଜ୍ କ୍ୱାଲାସୀ ଡ୍ୟାମ୍ ଉଦ୍ଘାଟନ କରି ଇରାନୀୟ ସହର ତବରିଜକୁ ଫେରୁଥିବା ବେଳେ ଦୁର୍ଗମ ପାର୍ବତ୍ୟାଂଚଳରେ ଏହି ହେଲକପ୍ଟର ଦୁର୍ଘଟଣା ଘଟିଥିଲା । ପାଗ ଖରାପ ଓ ପ୍ରବଳ କୁହୁଡି କାରଣରୁ ହେଲିକପ୍ଟରଟି ଉଡାଣ ଭରିବାର ପ୍ରାୟ ୩୦ ମିନିଟ ମଧ୍ୟରେ ଯୋଗଯୋଗ ବାହାରକୁ ଚାଲି ଯାଇଥିଲା । ପାଇଲଟ୍ ବାଧ୍ୟ ହୋଇ ହାର୍ଡଲ୍ୟାଣ୍ଡିଂ କରିଥିବା ଏବଂ ହେଲିକପ୍ଟରରେ ଥିବା ରାଷ୍ଟ୍ରପତି ଇବ୍ରାହିମ ରାଇସି ଓ ବିଦେଶ ମନ୍ତ୍ରୀ ହୋସେନ ଅମିର-ଅବଦୋଲ୍ଲାହିନଙ୍କ ସହ କୌଣସି ଯୋଗଯୋଗ ସମ୍ଭବ ନ ହେବାରୁ ଇରାନ ସେନା, ଆରଜିଏଫ (ରିଭୋଲ୍ୟୁସନାରୀ ଗାର୍ଡ ଫୋର୍ସ) ଓ ପୁଲିସ ୟୁନିଟ ସହ ୬୦ରୁ ଅଧିକ ସର୍ଚ୍ଚ ପାର୍ଟି ବ୍ୟାପକ ସର୍ଚ୍ଚ ଅପରେସନ ଆରମ୍ଭ କରି ଦେଇଥିଲେ । ତେବେ, ପ୍ରତିକୂଳ ପାଗ ଓ ପ୍ରବଳ କୁହୁଡି ଏହି ସର୍ଚ୍ଚ ଅପରେସନରେ ବ୍ୟାଘାତ ସୃଷ୍ଟି କରିଥିଲା । ଆନ୍ତର୍ଜାତିକ ସମୁଦାୟ ଏହି ଘଟଣାରେ ଗଭୀର ଉଦବେଗ ପ୍ରକାଶ କରିବା ସହ ସହାୟତର ହାତ ବଢାଇ ଥିଲେ । ଇରାକ, କୁଏତ୍, କ୍ୱତାର, ସାଉଦି ଆରବ, ସିରିଆ, ଋଷିଆ, ତୁର୍କୀ ପ୍ରଭୃତି ପଡୋଶୀ ରାଷ୍ଟ୍ର ସମେତ ୟୁରୋପିଆନ ୟୁନିୟନ ବ୍ୟାପକ ସର୍ଚ୍ଚ ଅପରେସନରେ ନିଜକୁ ସାମିଲ କରିଥିଲେ । ୟୁରୋପିଆନ ୟୁନିୟନ (ଇୟୁ) ତାହାର ରାପିଡ ରେସପନ୍ସ ମ୍ୟାପିଂ ସର୍ଭିସକୁ ମଧ୍ୟ ସକ୍ରିୟ କରି ଦେଇଥିଲା । ଆଜି ସଂପୃକ୍ତ ଦୁର୍ଗମ ପାର୍ବତ୍ୟାଂଚଳରୁ ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରର ଭଗ୍ନାଂଶ ସହ ୬୩ ବର୍ଷ ବୟସ୍କ ରାଷ୍ଟ୍ରପତି ଇବ୍ରାହିମ ରଇସି ଓ ବୈଦେଶିକ ମନ୍ତ୍ରୀ ଇହାମ ଆଲିୟେଭଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଗତକାଲି ରାତିରେ ଦୁର୍ଘଟଣା ସଂପର୍କିତ ଖବର ଗଣମାଧ୍ୟମରେ ପ୍ରସାରିତ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟ୍ ମାଧ୍ୟମରେ ଇସଲାମିକ ରିପବ୍ଲିକ ଅଫ୍ ଇରାନର ରାଷ୍ଟ୍ରପତି ଡକ୍ଟର ଇବ୍ରାହିମ ରଇସିଙ୍କ ନିଧନରେ ଗଭୀର ଶୋକବ୍ୟକ୍ତ କରିବା ସହ ତାଙ୍କ ପରିବାରକୁ ସମବେଦନା ଜଣାଇ ଥିଲେ । ଭାରତ-ଇରାନ ମଧ୍ୟରେ ଦ୍ୱିପାକ୍ଷିକ ସଂପର୍କ ବୃଦ୍ଧିରେ ରାଷ୍ଟ୍ରପତି ରଇସିଙ୍କ ଅବିସ୍ମରଣୀୟ ଭୂମିକା ସଂପର୍କରେ ଉଲ୍ଳେଖ କରି ଇରାନ ପଇଁ ଏଭଳି ଏକ ଦୁଃଖଦାୟକ ସମୟରେ ଭାରତ ଇରାନ ସହିତ ଠିଆ ହୋଇଛି ବୋଲି ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ପୋଷ୍ଟ୍ ରେ କହିଛନ୍ତି । ଇରାନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ନସିର କନାନି ଗତକାଲି ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କ ହେଲକପ୍ଟର ଦୁର୍ଘଟଣାଗ୍ରସ୍ତ ହେବା ପରେ ବିଶ୍ୱ ସମୁଦାୟ ନିଖୋଜ ବିମାନକୁ ଖୋଜିବାରେ ଯେଭଳି ଭାବେ ସହଯୋଗର ହାତ ବଢାଇଲେ ସେଥିପାଇଁ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ପରିସ୍ଥିତି ଉପରେ ସତର୍କ ଦୃଷ୍ଟି ରଖିଥିବା ଆମେରିକା ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଗତକାଲି ଇରାନ ରାଷ୍ଟ୍ରପତିଙ୍କ ହେଲକପ୍ଟର ଦୁର୍ଘଟଣାଗ୍ରସ୍ତ ହେବା ଘଟଣାକୁ କେବଳ ଏକ ‘ଦୁର୍ଘଟଣା’ ବୋଲି ଇରାନର ରାଷ୍ଟ୍ରୀୟ ଗଣମାଧ୍ୟମ ପ୍ରାଥମିକ ଭାବେ କହିଥିଲେ ମଧ୍ୟ ଗାଜାରେ ଇସ୍ରାଏଲ ପକ୍ଷରୁ ଚାଲିଥିବା ସାମରିକ କାର୍ଯ୍ୟାନୁଷ୍ଠାନ ଏବଂ ଏହାକୁ ନେଇ ଇସ୍ରାଏଲ ଓ ଇରାନ ମଧ୍ୟରେ ବୃଦ୍ଧି ପାଇଥିବା ଉତ୍ତେଜନା ଦୃଷ୍ଟିରୁ ସମଗ୍ର ବିଶ୍ୱର ନଜର ଏବେ ଏହି ଦୁର୍ଘଟଣା ଉପରେ ରହିଛି । ୨୦୨୧ରୁ ଇରାନର ରାଷ୍ଟ୍ରପତି ଥିବା ଡକ୍ଟର ଇବ୍ରାହିମ ରଇସି ପାଲେଷ୍ଟାଇନକୁ ଦୃଢ ସମର୍ଥନ ଦେଇ ଆସିଛନ୍ତି । ଗତକାଲି ସେ ଆଜେରବାଇଜାନ ସୀମାନ୍ତରେ କ୍ୱିଜ୍ କ୍ୱାଲାସୀ ଡ୍ୟାମ୍ ଉଦ୍ଘାଟନ ଭାଷଣରେ ମଧ୍ୟ ପାଲେଷ୍ଟାଇନର ସାର୍ବଭୌମତ୍ୱ ପ୍ରତି ଇରାନର ଦୃଢ ସମର୍ଥନ ଥିବା ଦୋହରାଇ ଥିଲେ । ଗତକାଲି ରାତିରେ ହେଲକପ୍ଟର ଦୁର୍ଘଟଣାରେ ଇରାନ ରାଷ୍ଟ୍ରପତି ରଇସି ଓ ବୈଦେଶିକ ମନ୍ତ୍ରୀ ହୋସେନ ଅମିର-ଅବଦୋଲ୍ଲାହିନଙ୍କ ମୃତ୍ୟୁ ପରେ ଆଜି ଇରାନ ସମ୍ବିଧାନ ଅନୁଯାୟୀ ଦେଶର ପ୍ରଥମ ଉପ ରାଷ୍ଟ୍ରପତି ମହମ୍ମଦ ମୁଖବେର (୬୯)ଆନ୍ତରୀଣ ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରୁଥିବା ସୂଚନା ମିଳିଛି । ମୁଖବେର ହେଉଛନ୍ତି ଦେଶର ଜଣେ ପ୍ରଭାବଶାଳୀ ରାଜନେତା ଏବଂ ଇରାନର ସୁପ୍ରିମ ନେତା ଆୟେତୋଲ୍ଳା ଆଲି ଖୋମିନୀଙ୍କ ସହ ତାଙ୍କର ଘନିଷ୍ଟ ସଂପର୍କ ରହିଥିବା ସୂଚନା ମିଳିଛି । ୫୦ ଦିନ ମଧ୍ୟରେ ଇରାନର ନୂତନ ରାଷ୍ଟ୍ରପତି ନିର୍ବାଚନ ହେବ । ଏଥିସକାଶେ ଅନ୍ତରୀଣ ରାଷ୍ଟ୍ରପତି ମୁଖବେର, ଇରାନ ସଂସଦର ବାଚସ୍ପତି ମହମ୍ମଦ ବାକର କ୍ୱାଲିବାଫ ଓ ବିଚାର ବିଭାଗୀୟ ମୁଖ୍ୟ ଗୋଲାମହୋସେନ ମୋହସେନୀ ଇଜେହିଙ୍କୁ ନେଇ ଏକ କାଉନସିଲ ଗଠନ ହୋଇଛି । ନିର୍ବାଚନ ପରେ ସୁପ୍ରିମ ନେତା ଖାମନେୀଙ୍କ ଅନୁମୋଦନ ପରେ କ୍ଷମତା ହସ୍ତାନ୍ତର ହେବ ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS