ଜଣେ ହେଉଛନ୍ତି ଶ୍ରୀଜଗନ୍ନାଥ ଭକ୍ତ, ଆର ଜଣକ ଭଗବାନଙ୍କ ଭଗବାନ !


ପ୍ରସାଦ ରାଓ
ଭୁବନେଶ୍ୱର/ମଇ ୨୧
ଓଡ଼ିଶା ବିଜେଡ଼ିର ବ୍ୟାଖ୍ୟାନ ହେଉଛି – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେଉଛନ୍ତି ପ୍ରଭୁ ଶ୍ରୀଜଗନ୍ନାଥଙ୍କ ମହାଭକ୍ତ । ତାଙ୍କ ସହକାରୀ ଭି.କାର୍ତ୍ତିକେୟନ ପାଣ୍ଡିଆନ ମଧ୍ୟ ଦାବି କରୁଛନ୍ତି – ତାଙ୍କ ଗୁରୁ ନବୀନ ପଟ୍ଟନାୟକ ଓ ଠାକୁର ହେଉଛନ୍ତି ଶ୍ରୀଜଗନ୍ନାଥ । ଚଳିତ ଲୋକସଭା ନିର୍ବାଚନ ସମୟରେ ଓଡ଼ିଶା ଆସୁଥିବା ବିଜେପି ରାଷ୍ଟ୍ରୀୟ ନେତାମାନେ ବିଭିନ୍ନ ନିର୍ବାଚନ ସଭାରେ ସେମାନଙ୍କ ପ୍ରତି ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଥିବା ଦାବି କରୁଛନ୍ତି ଏବଂ ୨୦୨୪ରେ ରାଜ୍ୟରେ ନବୀନ ସରକାରଙ୍କ ପତନ ଘଟିବ ଓ ବିଜେପିର ସରକାର ଆସିବ ବୋଲି ଦୃଢୋକ୍ତି ପ୍ରକାଶ କରୁଛନ୍ତି । ନିକଟରେ ବିଜେପି ଜାତୀୟ ମୁଖପାତ୍ର ତଥା ପୁରୀ ଲୋକସଭା ଆସନରୁ ପ୍ରାର୍ଥୀ ସମ୍ବିତ ପାତ୍ର ପୁରୀରେ ନିର୍ବାଚନ ରାଲିରେ ଯାଉଥିବା ବେଳେ ଏକ ଆଂଚଳିକ ବୈଦ୍ୟୁତିକ ଗଣମାଧ୍ୟମକୁ କହିଥିଲେ, ୨୦୧୯ ସାଧାରଣ ନିର୍ବାଚନରେ ସେ ପୁରୀ ଲୋକସଭା ନିର୍ବାଚନରେ ପରାଜିତ ହେବା ପରେ ପ୍ରଭୁ ଜଗନ୍ନାଥଙ୍କ ଉପରେ ଅଭିମାନ କରିଥିଲେ । ‘କାହିଁକି ମୋତେ ହରାଇଲୁ’ ବୋଲି ସେ କୁଆଡେ ଶ୍ରୀଜଗନ୍ନାଥଙ୍କୁ ପ୍ରଶ୍ନ କରିଥିଲେ । ଠାକୁର କୁଆଡେ କହିଥିଲେ, ‘ହାରିଲେ ହିଁ ତୁ ଅଧିକ ସଶକ୍ତ ହୋଇପାରିବୁ’ । ଗଲା ପାଂଚ ବର୍ଷ ଧରି ସେ ପୁରୀ ଲୋକସଭା କ୍ଷେତ୍ରକୁ ପୂର୍ଣ୍ଣ ସମୟ ଦେଇଛନ୍ତି । ଶ୍ରୀଜଗନ୍ନାଥଙ୍କ କ୍ଷେତ୍ରରେ ଯିଏ ପୂର୍ଣ୍ଣ ସମୟ ଦେବ ତା’ ଦେହରେ ପ୍ରଭୁଙ୍କ ରଂଗ ଲାଗି ଯିବ । ତେଣୁ, ତାଙ୍କ ଗୋରା ରଂଗ ବଦଳି ଯାଇଛି । ସେଥିରେ ପ୍ରଭୁ ଜଗନ୍ନାଥଙ୍କ ରଂଗ ଲାଗି ଯାଇଛି । ସମ୍ବିତ ବିଜେପିର ଜଣେ କୁହାଳିଆ ନେତା । ଦଳର ଜାତୀୟ ମୁଖପାତ୍ର ଭାବେ ବହୁ ବର୍ଷ ଧରି ମିଡ଼ିଆ ଫୋକସରେ ରହିଛନ୍ତି ଏବଂ ମୋଦୀ ସରକାରଙ୍କ ଗୁଣଗାନ କରିବାରେ ତାଙ୍କର ସ୍ୱତନ୍ତ୍ର ସ୍ଥାନ ରହିଛି । ଟିଭି ପରଦାରେ ବିରୋଧୀ ନେତା ଓ ମୁଖପାତ୍ରଙ୍କୁ ଚୁପ୍ କରାଇବା ଭଳି କ୍ଷମତା ରଖିଥିବା ସମ୍ବିତ ଗଲା ସୋମବାର (ମଇ ୨୦ ତାରିଖ) ଦିନ କେମିତି ନିଜ ଜିଭକୁ ନିୟନ୍ତ୍ରଣରେ ରଖି ପାରିଲେ ନାହିଁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରମ ଭକ୍ତ କହିବା ବଦଳରେ ପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ପ୍ରଧାନମନ୍ତ୍ରୀ ମୋଦୀଙ୍କ ପରମ ଭକ୍ତ ବୋଲି କହି ପକାଇଲେ (!) – ତାହା ଆଜି ଦିନରେ ନିୟୁତ ଡଲାର ପ୍ରଶ୍ନ ହୋଇଛି । ପ୍ରଧାନମନ୍ତ୍ରୀ ମୋଦୀ ୨୦୨୪ ଲୋକସଭା ନିର୍ବାଚନରେ ଓଡ଼ିଶା ବିଜେପିର ଫୋକସ୍ ରେ ଥିବାରୁ ଇତିମଧ୍ୟରେ ତିନି ଥର ଓଡ଼ିଶା ଗସ୍ତରେ ଆସି ସଭା, ସମାବେଶ କଲେଣି । ଏଥର ୧୯ ତାରିଖ ସନ୍ଧ୍ୟାରେ ଓଡ଼ିଶାରେ ପହଂଚି ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଯାଇଥିଲେ ଏବଂ ସେଠାରେ ରାଜ୍ୟରେ ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିବା ଦଳୀୟ ନେତାଙ୍କୁ ଭେଟି ଗୁରୁମନ୍ତ୍ର ଦେବା ପରେ ରାଜଭବନରେ ରାତ୍ରୀଯାପନ କରି ପରଦିନ ଅର୍ଥାତ ୨୦ ତାରିଖ ସକାଳେ ପୁରୀ ଯାଇ ଶ୍ରୀଜୀଉମାନଙ୍କ ଦର୍ଶନ କରିବା ସହ ବଡଦାଣ୍ଡରେ ବିରାଟ ନିର୍ବାଚନୀ ପଟୁଆର କରି ପୁରୀରୁ ଦଳର ଲୋକସଭା ପ୍ରାର୍ଥୀ ସମ୍ବିତ ଓ ବିଧାନସଭା ପ୍ରାର୍ଥୀ ଜୟନ୍ତ ଷଡଙ୍ଗୀଙ୍କ ସମେତ ଏହି ଲୋକସଭା ନିର୍ବାଚନ ମଣ୍ଡଳୀର ଦଳୀୟ ବିଧାୟକ ପ୍ରାର୍ଥୀଙ୍କୁ ବିଜୟୀ କରାଇବାକୁ ଜନତାଙ୍କୁ ନିବେଦନ କରିଥିଲେ । ସାଧାରଣତଃ ଶ୍ରୀଜୀଉମାନଙ୍କ ଦର୍ଶନ ପାଇଁ ଏବେ ପୁରୀରେ ଅସମ୍ଭବ ଭିଡ ହେଉଛି । ପ୍ରଧାନମନ୍ତ୍ରୀ ମୋଦୀ ସେଦିନ ପୁରୀରେ ନିର୍ବାଚନ ରାଲି କରୁଥିବାର ପୁରୀ ବଡଦାଣ୍ଡ ଭରପୁର ରହିବା ସ୍ୱାଭାବିକ କଥା ଥିଲା । ତେବେ, ସମ୍ବିତ ଭିଡକୁ ଦେଖି ଏତେଦୂର ଭାବବିହ୍ୱଳ ହୋଇପଡିଲେ ଯେ ପୁରୀ ବଡଦାଣ୍ଡରେ ଉମୁଡି ପଡିଥିବା ଭିଡ ପ୍ରଭୁ ଶ୍ରୀଜଗନ୍ନାଥଙ୍କର ନୁହେଁ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭକ୍ତ ବୋଲି ଧରି ନେଇଥିଲେ ଓ ଗଣମାଧ୍ୟମରେ ବୟାନ ରଖି ବଡ ଠାକୁର ହେଉଛନ୍ତି ପ୍ରଧାନମନ୍ତ୍ରୀ ମୋଦୀଙ୍କ ପରମ ଭକ୍ତ ବୋଲି ଅବାଂଛିତ ମନ୍ତବ୍ୟ ଦେଇଥିଲେ । ପ୍ରଭୁ ଶ୍ରୀଜଗନ୍ନାଥ କେବଳ ଓଡ଼ିଶାର ବା ଓଡ଼ିଆଙ୍କ ଆରାଧ୍ୟ ଦେବତା ନୁହନ୍ତି, ସମଗ୍ର ବିଶ୍ୱର ଆରାଧ୍ୟ । ତେଣୁ, ସମ୍ବିତ ପାତ୍ରଙ୍କ ଅବାଂଛିତ ବୟାନ ଉପରେ ତୁରନ୍ତ ପ୍ରତିକ୍ରିୟା ଆସି ଯାଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୁରନ୍ତ ସାମାଜିକ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ପ୍ରଭୁ ଜଗନ୍ନାଥ କେମିତି ଜଣେ ସାଧାରଣ ମଣିଷର ପରମ ଭକ୍ତ ହୋଇଗଲେ ବୋଲି ପ୍ରଶ୍ନ ଉଠାଇ ଥିବା ବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ ଦିଲ୍ଲୀରୁ ପ୍ରତିକ୍ରିୟା ରଖି ଏହା ବିଜେପି ନେତୃତ୍ୱର ‘ଅହଂକାର’କୁ ପ୍ରତିଫଳିତ କରୁଛି ବୋଲି କହିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ଆସିଲେ, ୨୦ ତାରିଖ ଦିନ ପରୀ ସମେତ ରାଜ୍ୟର ଅନ୍ୟ କେତେକ ସ୍ଥାନରେ ନିର୍ବାଚନ ସଭାରେ ଭାଷଣ ଦେଇ ଚାଲି ଗଲେ । ତେବେ, ମୋଦୀଙ୍କ ପୁରୀ ରାଲି ଓ ଶ୍ରୀଜଗନ୍ନାଥଙ୍କୁ ନେଇ ବିଜେପି ନେତା ସମ୍ବିତ ପାତ୍ରଙ୍କ ଅବାଂଛିତ ବୟାନ ସାମାଜିକ ଗଣମାଧ୍ୟମରେ ପ୍ରମୁଖ ଚର୍ଚ୍ଚାର ବିଷୟ ରହିଛି । ସାମାଜିକ ଗଣମାଧ୍ୟମରେ ସମ୍ବିତଙ୍କୁ ଯେଉଁ ଭାଷାରେ ସମାଲୋଚନା କରାଯାଉଛି ବେଧହୁଏ କାନ ଉଠିବା ଦିନରୁ ସେ ସେଭଳି ଭାଷା କେବେ ଶୁଣି ନଥିବେ । ଟିଭି ବିତର୍କରେ ବିରୋଧୀଙ୍କ ମୁହଁରେ ତାଲା ପକାଇବା ଭଳି କଥା କହିପାରୁଥିବା ସମ୍ବିତ ଜନତାର ପ୍ରତିକ୍ରିୟା ଦେଖି ସ୍ତବ୍ଧ । କହୁଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରମ ଭକ୍ତ ବୋଲି ସେ କହିବାକୁ ଚାହୁଁଥିଲେ । କିନ୍ତୁ, ପାଟିରୁ ଖସିଗଲା ପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ପ୍ରଧାନମନ୍ତ୍ରୀ ମୋଦୀଙ୍କ ପରମ ଭକ୍ତ । ଏଭଳି ଏକ ଅନିଚ୍ଛାକୃତ ବୟାନ ପାଇଁ ସେ ମର୍ମାହତ । ତେଣୁ, ତିନି ଦିନ ଉପବାସରେ ରହି ଭୁଲର ପ୍ରାୟଶ୍ଚିତ କରିବେ । ପ୍ରଭୁ ଶ୍ରୀଜଗନ୍ନାଥ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପରମ ଭକ୍ତ ବୋଲି ସେ କହିଥିବା ଭିଡ଼ିଓ ସହ ସମ୍ବିତ ପ୍ରାୟଶ୍ଚିତ କରିବାକୁ ଚାହୁଁଥିବା ଭିଡ଼ିଓ ମଧ୍ୟ ସାମାଜିକ ଗଣମାଧ୍ୟମରେ ବହୁଳ ଭାବେ ପ୍ରସାରିତ ହେଉଛି । ତଥାପି, ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତମାନଙ୍କ କ୍ରୋଧ କମିବା ପରି ଲାଗୁ ନାହିଁ । ସାମାଜିକ ଗଣମାଧ୍ୟମରେ ଅତି କଦର୍ଯ୍ୟ ଭାଷାରେ ସମ୍ବିତଙ୍କ ପ୍ରତି ସମାଲୋଚନା ଜାରି ରହିଛି । ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର ପ୍ରଧାନମନ୍ତ୍ରୀ ମୋଦୀଙ୍କ ପୁରୀ ଗସ୍ତ ପରେ ସ୍ଥାନୀୟ ଏକ ନ୍ୟୁଜ୍ ଚ୍ୟାନେଲକୁ କହିଥିଲେ, ‘ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଦେଖିବା ପାଇଁ ପୁରୀରେ ଲକ୍ଷାଧିକ ଜନସମାଗମ ହୋଇଥିଲା । ପ୍ରଭୁ ଜଗନ୍ନାଥ ହେଉଛନ୍ତି ମୋଦୀଙ୍କ ଭକ୍ତ ଏବଂ ଆମେ ସମସ୍ତେ ହେଉଛୁ ମୋଦୀ ପରିବାରର ସଦସ୍ୟ । ତେଣୁ, ଏଭଳି ବିଶାଳ ଜନସମାଗମ ଦେଖି ମୁଁ ନିଜର ଭାବପ୍ରବଣତାକୁ ନିୟନ୍ତ୍ରଣ କରିପାରୁନାହିଁ । ମୁଁ ଭାବୁଛି, ସବୁ ଓଡ଼ିଆଙ୍କ ପାଇଁ ଆଜି ଦିନଟି ହେଉଛି ଏକ ସ୍ୱତନ୍ତ୍ର ଦିନ’ । ସମ୍ବିତଙ୍କ ଏହି ବୟାନ ହିଁ ଶ୍ରୀଜଗନ୍ନାଥଙ୍କ ଭକ୍ତଙ୍କ ମନରେ ନିଆଁ ଲଗାଇ ଦେଇଛି । ସମ୍ବିତଙ୍କ ବୟାନ ସମସ୍ତ ଜଗନ୍ନାଥ ପ୍ରେମୀଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇଛି । ତେଣୁ, ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ ବୋଲି କଂଗ୍ରେସ ପକ୍ଷରୁ ପୁରୀ ସିଂହଦ୍ୱାର ଥାନାରେ ଏତଲା ଦିଆଯିବା ସହ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ ହୋଇଛି । ପୁଲିସ ବା ନିର୍ବାଚନ କମିଶନ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ଭିନ୍ନ କଥା । ତେବେ, ନିଜ ଜିଭ ଉପରେ ନିୟନ୍ତ୍ରଣ ରଖି ନ ପାରିଲେ ବଡ ବଡ କୁହାଳିଆ ନେତା ବି କେମିତି ଫସି ଯାଆନ୍ତି ତାହା ସମ୍ବିତ ପାତ୍ରଙ୍କ ଅଡୁଆରୁ ସ୍ପଷ୍ଟ ହେଉଛି । ଆମେ ଜ୍ଞାନ ପାଇବା ଦିନରୁ ଶୁଣି ଆସିଛୁ, ପୁରୀ ଗଜପତି ମହାରାଜା ହେଉଛନ୍ତି ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରମ ଭକ୍ତ ଓ ଚଳନ୍ତି ଠାକୁର । ପ୍ରଭୁ ଶ୍ରୀଜଗନ୍ନାଥ ଗଜପତି ମହାରାଜାଙ୍କ ସ୍ୱପ୍ନରେ ଆସିଥା’ନ୍ତି ଓ ଯାହା କହିବା କଥା କହିଥା’ନ୍ତି । ଆଜି ଦିନରେ ଭୋଟ ରାଜନୀତିରେ ସମସ୍ତେ ନିଜକୁ ଶ୍ରୀଜଗନ୍ନାଥଙ୍କ ପରମ ଭକ୍ତ ଦର୍ଶାଇ ଓଡ଼ିଶାବାସୀଙ୍କୁ ପ୍ରଭାବିତ କରିବାକୁ ଓ ଓଡ଼ିଶାକୁ ଶାସନ କରିବାକୁ ସ୍ୱପ୍ନ ଦେଖୁଛନ୍ତି । ସମ୍ବିତ ପାତ୍ର ପାଦେ ଆଗେଇ ଯାଇ ପ୍ରଭୁ ଶ୍ରୀଜଗନ୍ନାଥ ମୋଦୀଙ୍କ ଭକ୍ତ (ଜାଣତରେ ହେଉ ବା ଅଜାଣତରେ) କହି ବିରୁଡି ବସାରେ ହାତ ମାରିଛନ୍ତି । ତିନି ଦିନ ଉପବାସରେ ରହି ସେ ପ୍ରାୟଶ୍ଚିତ କଲେ ମଧ୍ୟ ପୁରୀ ପ୍ରଭୁ ଶ୍ରୀଜଗନ୍ନାଥ ଓ ପୁରୀ ଲୋକସଭା କ୍ଷେତ୍ରର ଜନତା ତାଙ୍କୁ କ୍ଷମା କରୁଛନ୍ତି କି ନାହିଁ ତାହା ଜୁନ ୦୪ ତାରିଖରେ ନିର୍ବାଚନ ଫଳାଫଳ ଆସିଲେ ସ୍ପଷ୍ଟ ହେବ ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS