ଚିଟ୍ ଫଣ୍ଡରୁ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଚାବି ହଜିବା ପର୍ଯ୍ୟନ୍ତ …
ପ୍ରସାଦ ରାଓ
ଭୁବନେଶ୍ୱର/ମଇ ୨୨
୨୦୨୪ ସାଧାରଣ ନିର୍ବାଚନରେ କ୍ଷମତା ଦଖଲ ପାଇଁ ବିଜେପି ଓଡ଼ିଶାରେ ବେଶ୍ ଆକ୍ରମଣାତ୍ମକ ହୋଇ ଉଠିଛି । ଚିଟ୍ ଫଣ୍ଡ ଦୁର୍ନୀତିରୁ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଚାବି ହଜିବା ପର୍ଯ୍ୟନ୍ତ ପ୍ରସଙ୍ଗକୁ ନିର୍ବାଚନ ପ୍ରଚାରର କେନ୍ଦ୍ରବିନ୍ଦୁ କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ବିଜେପି ରାଷ୍ଟ୍ରୀୟ ସଭାପତି ଡକ୍ଟର ଜେ.ପି.ନଡ୍ଡାଙ୍କଠାରୁ ଆରମ୍ଭ କରି ବିଜେପିର ବହୁ ବରିଷ୍ଠ ନେତା, କେନ୍ଦ୍ର ମନ୍ତ୍ରୀ ଓ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଘନ ଘନ ଓଡ଼ିଶା ଗସ୍ତ କରି ଶାସକ ବିଜେଡ଼ି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସେମାନଙ୍କ ନିଶାଣରେ ନେଉଥିବା ଏବଂ ରାଜ୍ୟରେ ପରିବର୍ତ୍ତନର ହାୱା ଥିବା ଦର୍ଶାଇ ‘ଏଥର ଓଡ଼ିଶାରେ ବିଜେପି ସରକାର’ ବୋଲି ରାଜ୍ୟବାସୀଙ୍କ ମନରେ ବିଶ୍ୱାସ ଜନ୍ମାଇବାକୁ ଉଦ୍ୟମ କରୁଥିବା ଏହି ନିର୍ବାଚନକୁ ରୋଚକ କରିଛି । ତେବେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ହାର୍ ମାନିବା ସ୍ଥିତିରେ ନାହାନ୍ତି । ନିଜେ ନିର୍ବାଚନ ରଥରେ ଶବାର ହୋଇ ସିଧାସଳଖ ଜନତା ସହ ଯୋଗଯୋଗ କରୁଥିବା ବେଳେ ତାଙ୍କ ‘ହନୁମାନ’ ସାଜିଥିବା ବିଜେଡ଼ି ୫-ଟି ଅଧ୍ୟକ୍ଷ ପୂର୍ବତନ ପ୍ରଶାସକ ଭି.କାର୍ତ୍ତିକେୟନ ପାଣ୍ଡିଆନ ରାଜ୍ୟବ୍ୟାପୀ ଗସ୍ତ କରି ଦିନକୁ ଏକାଧିକ ନିର୍ବାଚନ ସଭା କରିବା ସହ ବିଜେଡ଼ି ନିର୍ବାଚନ ପ୍ରଚାରର ମୋର୍ଚ୍ଚା ସମ୍ଭାଳିଛନ୍ତି । ମଂଚ ଉପରୁ ସେ ଯେତେବେଳେ ପ୍ରଧାନମନ୍ତ୍ରୀ, କେନ୍ଦ୍ର ଗୃହ ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବିଜେପିର ଜାତୀୟ ନେତାମାନଙ୍କୁ ପ୍ରଶ୍ନ କରୁଛନ୍ତି ସଭାସ୍ଥଳରେ କଂପନ ସୃଷ୍ଟି ହେଉଛି । ପ୍ରଧାନମନ୍ତ୍ରୀ ମୋଦୀ, ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ଭଳି ନବୀନ କିମ୍ବା ପାଣ୍ଡିଆନ ଲମ୍ବା ଭାଷଣ ଦେଉ ନାହାନ୍ତି । ନବୀନ ନିର୍ବାଚନ ରଥରେ ବସି ତାଙ୍କ ଶାସନ ଓ ଯୋଜନା ସବୁରେ ଓଡ଼ିଶାବାସୀ ଖୁସି ତ (?) ବୋଲି ପ୍ରଶ୍ନ କରୁଛନ୍ତି ଏବଂ ଉପସ୍ଥିତ ଜନତାଙ୍କ ଆଡୁ ଯେତେବେଳେ ‘ହଁ’ ଶୁଣୁଛନ୍ତି ଦଳର ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ନାମ ନେଇ ରାଜ୍ୟର ଅଧିକ ବିକାଶ ପାଇଁ ସେମାନଙ୍କୁ ଭୋଟ ଦେବାକୁ ଓ ରାଜ୍ୟରେ ପୁନର୍ବାର ବିଡ଼େିକୁ ସରକାର କରିବାକୁ ଦେବାକୁ ନିବେଦନ କରୁଛନ୍ତି । ପାଣ୍ଡିଆନଙ୍କ ଭାଷଣ ମଧ୍ୟ ମପାଚୁପା । ଦଶରୁ ପନ୍ଦର ମିନିଟ ଭାଷଣରେ ସେ ମୁଖ୍ୟମନ୍ତ୍ରୀଙ୍କୁ ନେଇ ଉପସ୍ଥିତ ଜନତା ଖୁସି ତ (?) ବୋଲି ପ୍ରଶ୍ନ କରୁଛନ୍ତି । ରାଜ୍ୟ ସରକାରଙ୍କ ଆଡୁ କାର୍ଯ୍ୟକାରୀ ହୋଇଥିବା ବିଭିନ୍ନ ଯୋଜନା ଏବଂ ଆଗାମୀ ଦିନର କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇ ଓଡ଼ିଶା ବାହାରୁ ଆସୁଥିବା ବିଜେପି ନେତାମାନଙ୍କୁ ‘ରାଜନୈତିକ ପର୍ଯ୍ୟଟକ’ ବୋଲି ତାଚ୍ଛଲ୍ୟ କରୁଛନ୍ତି । ବହିରାଗତ ବିଜେପି ନେତାମାନେ ନିର୍ବାଚନ ସମୟରେ ଓଡ଼ିଶାକୁ ପର୍ଯ୍ୟଟକଙ୍କ ଭଳି ଆସି ରାଜ୍ୟବାସୀଙ୍କୁ ପ୍ରଲୋଭିତ କଲା ଭଳି ବିଭିନ୍ନ ପ୍ରତିଶ୍ରୁତି ଦେଉଛନ୍ତି ସିନା ନିର୍ବାଚନ ସରିବା ପରେ ସେମାନଙ୍କ ଦେଖା ମିଳିବ ନାହିଁ । ରାଜ୍ୟର ଜନତା ମଧ୍ୟ ସେମାନଙ୍କ ସମସ୍ୟା ନେଇ ସେମାନଙ୍କ ନିକଟରେ ପହଂଚି ପାରିବେ ନାହିଁ । ଗତ ୨୫ ବର୍ଷ ହେଲା ରାଜ୍ୟବାସୀଙ୍କ ଦୁଃଖ, ସୁଖରେ ଭାଗିଦାର ହୋଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ନେତୃତ୍ୱାଧୀନ ବିଜେଡ଼ି ସରକାର ହିଁ ଲୋକଙ୍କ ସହ ରହିବେ ଏବଂ ରାଜ୍ୟରେ ଚାଲିଥିବା ବିକାଶ କାର୍ଯ୍ୟକୁ ଆଗେଇ ନେବେ । ତେଣୁ ରାଜ୍ୟବାସୀ ବିଜେଡ଼ିର ଉଭୟ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ‘ଶଙ୍ଖ’ ଚିହ୍ନରେ ମୋହର ଦେଇ ବିପୁଳ ସଂଖ୍ୟାରେ ବିଜୟୀ କରାଇବାକୁ ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଆହ୍ୱାନ ଦେଉଛନ୍ତି । ସେ ଜଣେ ତାମିଲନାଡୁ ଅଧିବାସୀ ଓ ରାଜ୍ୟ ବାହାର ନେତା କହି ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବିଜେପି ରାଷ୍ଟ୍ରୀୟ ନେତାମାନେ ବିଭିନ୍ନ ନିର୍ବାଚନ ସଭାରେ ଯେଭଳି ତାଚ୍ଛଲ୍ୟ କରୁଛନ୍ତି ତାହାର ମଧ୍ୟ ପାଣ୍ଡିଆନ ଜବାବ ଦେଉଛନ୍ତି । ରାଜ୍ୟରେ ବିଜେପି କ୍ଷମତାକୁ ଆସିଲେ କୌଣସି ରାଜ୍ୟ ବାହାର ନେତାଙ୍କୁ ନୁହେଁ, ଭଲ ଓଡ଼ିଆ ଜାଣିଥିବା, ଓଡ଼ିଶା ମାଟିର ସାହିତ୍ୟ, ସଂସ୍କୃତି ଓ ଅସ୍ମିତା ସହ ସୁବିଦିତ ଥିବା ଜଣେ ଓଡ଼ିଆ ପୁଅ ବା ଝିଅକୁ ରାଜ୍ୟର ମୁଖ୍ୟମନ୍ତ୍ରୀ କରାଯିବ ବୋଲି ବିଜେପିର ବରିଷ୍ଠ ରାଷ୍ଟ୍ରୀୟ ନେତାମାନେ ଓଡ଼ିଶାବାସୀଙ୍କୁ ଆଶ୍ୱସ୍ତ କହୁଥିବା ବେଳେ ନିର୍ବାଚନ ପୂର୍ବରୁ ସେମାନେ ରାଜ୍ୟର ମୁଖ୍ୟମନ୍ତ୍ରୀ କିଏ ହେବ ନାମ ଘୋଷଣା କରିବାକୁ ଡରୁଛନ୍ତି କାହିଁକି (?) ବୋଲି ପାଣ୍ଡିଆନ ପ୍ରଶ୍ନ କରିବା ସହ ବିଜେପି ମୁଖ୍ୟମନ୍ତ୍ରୀ କିଏ ହେବ ଆଗୁଆ ଘୋଷଣା କରିଦେଲେ ଓଡ଼ିଶାରେ ଦଳର ସ୍ଥିତି ବିପନ୍ନ ହୋଇପଡିବ ଏବଂ ବିଜେପି ଯେତିକ ଭୋଟ ପାଇବା ଆଶା ରଖିଛି ତାହା ମଧ୍ୟ ମିଳିବ ନାହିଁ କହି ପାଣ୍ଡିଆନ ତାଙ୍କ ଜବାବରେ କହୁଛନ୍ତି । ରାଜ୍ୟରେ ବିଜେଡ଼ିର ୨୫ ବର୍ଷର ଶାସନରେ କୌଣସି ବିକାଶମୂଳକ କାର୍ଯ୍ୟ ହୋଇ ନାହିଁ । ଓଡ଼ିଶା ୫୦ ବର୍ଷ ପଛକୁ ଫେରି ଯାଇଛି । କେନ୍ଦ୍ର ସରକାରଙ୍କ ଜନମଂଗଳ କାର୍ଯ୍ୟକ୍ରମକୁ ବିଜେଡ଼ି ତାହାର ୫-ଟି ଅଖାରେ ଭର୍ତ୍ତି କରି ଲୋକଙ୍କ ପାଖରେ ପହଂଚାଇଛି । ଓଡ଼ିଶାରେ ବିଜେପି କ୍ଷମତାସୀନ ହେଲେ ଡବଲ ଇଂଜିନ ସରକାର ବିକାଶକୁ ତ୍ୱରାନ୍ୱିତ କରିବେ ବୋଲି ବିଜେପି ରାଷ୍ଟ୍ରୀୟ ନେତାଙ୍କ ବ୍ୟାଖ୍ୟାନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ଡେପୁଟୀ କାର୍ତ୍ତିକ ପାଣ୍ଡିଆନ ‘କଂଚା ମିଛ’ କହିବା ସହ ବିଜେପିର ଡବଲ ଇଂଜିନ ସରକାର ଥିବା ରାଜ୍ୟମାନଙ୍କରେ କାହିଁକି ସେଭଳି କିଛି ବିକାଶ ହୋଇନି ବୋଲି ପ୍ରଶ୍ନ କରୁଛନ୍ତି । ବିଜେଡ଼ି-ବିଜେପି ମଧ୍ୟରେ ନିର୍ବାଚନ ବୁଝାମଣା ଉଦ୍ୟମ ଫସର ଫାଟିବା ପରେ ଏବେ ନିର୍ବାଚନକୁ ଆଖିରେ ରଖି ଚାଲିଥିବା ବାକ୍-ଯୁଦ୍ଧ ରାଜ୍ୟବାସୀ ବେଶ୍ ଉପଭୋଗ କରୁଥିବା ଦେଖିବାକୁ ମିଳୁଛି । ବିଜେପି ରାଷ୍ଟ୍ରୀୟ ନେତାମାନଙ୍କ ସଭା, ସମାବେଶରେ ଯେଭଳି ଆଶାତୀତ ଜନସମାଗମ ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପାଣ୍ଡିଆନଙ୍କ ନିର୍ବାଚନ ସଭା ଓ ରୋଡ-ସୋ’ମାନଙ୍କରେ ମଧ୍ୟ ସେଭଳି ଆଶାତୀତ ଭିଡ ହେଉଛି । ପାଣ୍ଡିଆନ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ଲୋକସଭା, ବିଧାନସଭା ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ସଭା କରିବାକୁ ଗଲା ବେଳେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତରେ ହେଉଥିବା ସୁରକ୍ଷା ବ୍ୟବସ୍ଥା ଭଳି ପୁଲିସ ଓ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ହେଉଛି । ହଜାର ହଜାର ସଂଖ୍ୟାରେ ପୁରୁଷ, ମହିଳାଙ୍କ ସମାଗମ ମଧ୍ୟରେ ସେ ବିଜେପି ଓ ତାହାର ନେତାମାନଙ୍କୁ ଆକ୍ରମଣ କରୁଛନ୍ତି ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ କରିବାକୁ ଜନତାଙ୍କୁ ନିବେଦନ କରୁଛନ୍ତି । ଜୁନ ୦୪ ତାରିଖରେ ନିର୍ବାଚନ ଫଳାଫଳ ଆସିବା ପରେ ୦୯ ତାରିଖ ଦିନ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ଲଗାତର ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଥିବା ପାଣ୍ଡିଆନ ଘୋଷଣା କଲା ବେଳେ ଉପସ୍ଥିତ ଜନତାଙ୍କ ହର୍ଷୋଲ୍ଲାସ ଦେଖିବାକୁ ମିଳୁଛି । ଏଥିରୁ ରାଜ୍ୟରେ ସରକାର-ବିରୋଧୀ ହାୱା ଥିବା ମନେ ହେଉ ନାହିଁ । ସେହିଭଳି, ବିଜେପି ରାଷ୍ଟ୍ରୀୟ ନେତାମାନଙ୍କ ସଭା, ସମାବେଶ, ଶୋଭାଯାତ୍ରାରେ ବିପୁଳ ଜନସମାଗମ ହେଉଛି ସିନା ରାଜ୍ୟବାସୀ ଏଥର ବିଜେପିକୁ କ୍ଷମତାକୁ ଆଣିବାକୁ ଚାହୁଁଥିବା ଭଳି କି ଅନ୍ତରୀଣ ହାୱା ଦେଖିବାକୁ ମିଳୁନି । ଏଭଳି ଏକ ଅନିଶ୍ଚିତତା ମଧ୍ୟରେ ମେ’ ୨୫ ତାରିଖରେ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ହେବାକୁ ଯାଉଛି । ତୃତୀୟ ପର୍ଯ୍ୟାୟ ମତଦାନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଓ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଓଡ଼ିଶା ଆସି ନିର୍ବାଚନ ସଭାମାନ କରି ବିଜେଡ଼ି ସରକାରରେ ହୋଇଥିବା ସହସ୍ରାଧିକ କୋଟି ଟଙ୍କାର ଚିଟ୍ ଫଣ୍ଡ ଦୁର୍ନୀତି ଓ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗ ଉଠାଇଛନ୍ତି । ରତ୍ନ ଭଣ୍ଡାରର ମୂଳ ଚାବି ମିଳିନଥିବା ବେଳେ ଡୁପ୍ଲିକେଟ ଚାବି ମିଳିଛି । ସରକାର ରତ୍ନ ଭଣ୍ଡାର ଖୋଲୁ ନଥିବାରୁ ବିଶ୍ୱବ୍ୟାପୀ ଜଗନ୍ନାଥ-ପ୍ରେମୀ ଅସନ୍ତୁଷ୍ଟ । ରତ୍ନ ଭଣ୍ଡାର ଚାବି ବୋଧହୁଏ ତାମିଲନାଡୁ ପଳାଇଛି । ପ୍ରଧାନମନ୍ତ୍ରୀ ମୋଦୀ ନିଜେ ଏଭଳି ଆକ୍ଷେପ କରିଥିବା ବେଳେ କେନ୍ଦ୍ର ଗୃହ ମନ୍ତ୍ରୀ ଶାହା ତାହାକୁ ଦୋହରାଇଛନ୍ତି । ଏହାର ଜବାବ ରଖିଛନ୍ତି ବିଜେଡ଼ି ନେତା ପାଣ୍ଡିଆନ । ଦେଶର ସମସ୍ତ ତଦନ୍ତ ସଂସ୍ଥା କେନ୍ଦ୍ର ସରକାରଙ୍କ ନିୟନ୍ତ୍ରଣରେ ଥିବା ବେଳେ ହଜି ଯାଇଥିବା ରତ୍ନ ଭଣ୍ଡାର ଚାବିକୁ କେନ୍ଦ୍ର ଖେଜୁନି କାହିଁକି (?) ବୋଲି ସେ ପ୍ରଶ୍ନ କରିଛନ୍ତି । ରାଜ୍ୟରେ ବିଜେପି ସରକାର ହେଲେ ଚିଟ୍ ଫଣ୍ଡ ଦୁର୍ନୀତି ସହ ସଂପୃକ୍ତ ଲୋକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ହେବ ଏବଂ ଏହି ଦୁର୍ନୀତି ଦ୍ୱାରା ସର୍ବସ୍ୱାନ୍ତ ହୋଇଥିବା ପରିବାରଙ୍କୁ ସେମାନଙ୍କ ଟଙ୍କା ଫେରସ୍ତ ମିଳିବ ବୋଲି ବିଜେପି କେନ୍ଦ୍ରୀୟ ନେତାମାନେ ପ୍ରତିଶ୍ରୁତି ଦେଉଛନ୍ତି । ଦଶ ବର୍ଷ ତଳେ ଓଡ଼ିଶାରେ କୋଟି କୋଟି ଟଙ୍କାର ଚିଟ୍ ଫଣ୍ଡ ଦୁର୍ନୀତି ହୋଇଥିଲା । ସୁପ୍ରିମ କୋର୍ଟଙ୍କ ଆଦେଶରେ ସିବିଆଇ ଚିଟ୍ ଫଣ୍ଡ ଦୁର୍ନୀତିର ତଦନ୍ତ କରୁଛି । ଗଲା ୧୦ ବର୍ଷ ମଧ୍ୟରେ ସିବିଆଇ ଓଡ଼ିଶାରେ କିଛି ରାଜନେତା, ପ୍ରଶାସକ, ବ୍ୟବସାୟୀ ଓ ସରକାରୀ ଅଧିକାରୀଙ୍କୁ ଜେରା କରିଛି । ସେମାନଙ୍କ ମଧ୍ୟରୁ କିଛି ଜେଲ ଯାଇ ଜାମିନରେ ବାହାରିଛନ୍ତି । କେତେକ ଚିଟ୍ ଫଣ୍ଡ ସଂସ୍ଥାର ମାଲିକ ଦୀର୍ଘ ବର୍ଷ ହେଲା ଜେଲରେ ଷଢୁଛନ୍ତି । ସିବିଆଇ ତଦନ୍ତ ସରିବା ନାଁ ନେଉ ନାହିଁ । କିନ୍ତୁ, ନିର୍ବାଚନ ଆସିଲେ ଚିଟ୍ ଫଣ୍ଡ୍ ଦୁର୍ନୀତି ପ୍ରସଙ୍ଗ ଆଲୋଚନାକୁ ଆସୁଛି । ସିବିଆଇ ମଧ୍ୟ ନାମକୁମାତ୍ରା ସକ୍ରିୟତା ଦେଖାଉଛି । ଅନ୍ଧାଧୁନିଆ କିଛି ଚଢାଉ ଓ କିଛି ଲୋକଙ୍କୁ ଜେରା କରି ନିରବ ରହୁଛି । ଦଶ ବର୍ଷ ହେଲା କେନ୍ଦ୍ରରେ ବିଜେପି ସରକାର ରହିଛି । ସିବିଆଇ, ଇଡି, ଆୟକର ବିଭାଗ ଭଳି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାମାନେ ସ୍ୱୟଂଶାସିତ କୁହାଯାଉଥିଲେ ମଧ୍ୟ କେନ୍ଦ୍ର ସରକାରଙ୍କ ନିୟନ୍ତ୍ରିଣରେ । ଓଡ଼ଶା ସରକାର ୧୦ ବର୍ଷ ହେଲା କେନ୍ଦ୍ର ସରକାରଙ୍କ ସମସ୍ତ ନୀତିଗତ ନିଷ୍ପତ୍ତିକୁ ଅନ୍ଧ ଭାବେ ସମର୍ଥନ ଦେଇ ଆସିଛନ୍ତି । ଚିଟ୍ ଫଣ୍ଡ ଦୁର୍ନୀତିରେ ରାଜ୍ୟର ବହୁ ରାଜନେତା, ପ୍ରଶାସନିକ ଓ ପୁଲିସ ଅଧିକାରୀ ସଂପୃକ୍ତ ଥିବା ବିଭିନ୍ନ ସମୟରେ ହୋଇଥିବା ଚଢାଉରୁ ସୂଚନା ମିଳୁଥିଲା । ସିବିଆଇ ଚଢାଉ ଭୟରେ ରାଜ୍ୟ ସରକାର କେନ୍ଦ୍ରକୁ ଅନ୍ଧ ସମର୍ଥନ ଦେଉଥିବା ରାଜ୍ୟବାସୀଙ୍କ ଧାରଣା ରହି ଆସିଛି । ଏଭଳି ସ୍ଥିତିରେ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଗୃହ ମନ୍ତ୍ରୀ ନିର୍ବାଚନକୁ ଆଖିରେ ରଖି ଚିଟ୍ ଫଣ୍ଡ ଦୁର୍ନୀତି ପ୍ରସଙ୍ଗ ଉଠାଇବା ରାଜ୍ୟବାସୀଙ୍କୁ ଭ୍ରମିତ କଲା ଭଳି ନୁହେଁ କି ? ଚଳିତ ନିର୍ବାଚନ ସମୟରେ ରାଜ୍ୟର ମୁଖ୍ୟସ୍ରୋତ ଗଣମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ଲମ୍ବା ଲମ୍ବା ସାକ୍ଷାତକାର ପ୍ରକାଶ ପାଇଛି । କିନ୍ତୁ, କୌଣସି ଗଣମାଧ୍ୟମ ଓଡ଼ିଶାର ଚିଟ୍ ଫଣ୍ଡ ଦୁର୍ନୀତିକୁ ନେଇ ଓଡ଼ିଶାରେ ସିବିଆଇ ତଦନ୍ତ ଶିଥିଳ କାହିଁକି ବୋଲି ପ୍ରଶ୍ନ କରୁନଥିବା ରହସ୍ୟମୟ । ବରାଦି ପ୍ରଶ୍ନ ଓ ବାରାଦି ଉତ୍ତର ଯୁଗରେ ଆମେ ମୁଖ୍ୟସ୍ରୋତ ଗଣମାଧ୍ୟମରୁ ଅଧିକ କଣ ବା ଆଶା କରିବା ?
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS