‘ଗଣତନ୍ତ୍ର’କୁ ଜେଲରେ ରଖିଲେ ସରକାର ଜେଲରୁ ଚାଲିବ: କେଜରୀୱାଲ
![](https://moanubhav.com/wp-content/uploads/2024/05/Aravind-Kejriwal-1.jpg)
![](http://moanubhav.com/moads/upload/banner2.jpg)
ପ୍ରସାଦ ରାଓ
ନୂଆଦିଲ୍ଲୀ/ମଇ ୨୩
ଦେଶରେ ୧୮ତମ ଲୋକସଭା ପାଇଁ ଷଷ୍ଠ ପର୍ଯ୍ୟାୟ ମତଦାନ ଆସନ୍ତା ଶନିବାର ଅର୍ଥାତ ମଇ ୨୫ ତାରିଖରେ ହେବାକୁ ଯାଉଛି । ସାତ ପର୍ଯ୍ୟାୟରେ ହେଉଥିବା ଏହି ନିର୍ବାଚନ ପ୍ରାୟ ଶେଷ ପର୍ଯ୍ୟାୟରେ ପହଂଚି ଥିବା ବେଳେ ଦେଶର ପ୍ରମୁଖ ନେତାମାନେ ବିଭିନ୍ନ ସମ୍ବାଦପତ୍ରରେ ଲମ୍ବା ଲମ୍ବା ସାକ୍ଷାତକାର ଦେଇ ସେମାନଙ୍କ ଦଳ ପ୍ରତି ମତଦାତାଙ୍କୁ ଆକର୍ଷିତ କରିବାକୁ ଉଦ୍ୟମ କରୁଛନ୍ତି । ଗତ ଦଶ ବର୍ଷ ହେଲା କେନ୍ଦ୍ରରେ କ୍ଷମତାରେ ଥିବା ବିଜେପି ଦ୍ୱାରା ଉତ୍ପୀଡିତ ହୋଇ ଦେଶରେ ଏକ ବିବାଦୀୟ ରାଜନେତା ଭାବେ ପରିଚିତି ପାଇଥିବା ଆମ୍ ଆଦମୀ ପାର୍ଟି (ଆପ୍) ଜାତୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ ମଧ୍ୟ ଗତ ବୁଧବାର (୨୨ ତାରିଖ) ଦିନ ଏକ ଜାତୀୟ ଇଂରାଜୀ ଦୈନିକକୁ ସାକ୍ଷାତକାର ଦେଇ କେନ୍ଦ୍ରରେ କ୍ଷମତାରେ ଥିବା ବିଜେପି ସରକାରଙ୍କ ଏକଛତ୍ରବାଦ ବିରୋଧରେ ସ୍ୱର ଉଠାଇଛନ୍ତି । ୨୦୨୪ ଲୋକସଭା ନିର୍ବାଚନରେ ଯଦି ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରର ପୁନଃ ପ୍ରତିଷ୍ଠା କରନ୍ତି ତେବେ ଦେଶରେ ଆଉ ଗଣତନ୍ତ୍ର ବୋଲି କିଛି ରହିବ ନାହିଁ, ଭବିଷ୍ୟତରେ ଆଉ ନିର୍ବାଚନ ହେବ ନାହିଁ, ଯଦିବା ହେବ ଋଷିଆ, ବାଂଲାଦେଶ ଓ ପାକିସ୍ତାନରେ ଯେଭଳି ହେଉଛି ସେହିଭଳି ହେବ । ମମତା ବାନାର୍ଜୀ, ରାହୁଲ ଗାନ୍ଧୀ, ପିନରାୟ ବିଜୟନ, ଏମ.କେ.ଷ୍ଟାଲିନଙ୍କ ଭଳି ବିରୋଧୀ ନେତାଙ୍କୁ ଜେଲରେ ରଖିବା ପରେ ହିଁ ସରକାର ନିର୍ବାଚନ କରାଇବେ ବୋଲି କେଜରୀୱାଲ କହିଛନ୍ତି । ଦେଶ ଗଣତନ୍ତ୍ରରୁ ଏକଛତ୍ରବାଦ ଆଡକୁ ଯାଉଛି, ଏକଥା ସେମାନେ ବୁଝବା ଦରକାର ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ମତ ରଖିଛନ୍ତି ।
ଦିଲ୍ଲୀ ସରକାରଙ୍କ ନୂତନ ଅବକାରୀ ନୀତି (ଯାହାକି ପ୍ରତ୍ୟାହୃତ ହୋଇ ସାରିଛି)ରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ କେନ୍ଦ୍ର ସରକାରଙ୍କ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଦ୍ୱାରା ହୋଇଥିବା ଏକ ଅର୍ଥନୈତିକ ଦୁର୍ନୀତି (ପିଏମଏଲଏ) ମାମଲାରେ ମୁଖ୍ୟମନ୍ତ୍ରୀ କେଜରୀୱାଲ ଅଭିଯୁକ୍ତ ଅଛନ୍ତି । ଗତ ମାର୍ଚ୍ଚ ୨୧ ତାରିଖ ରାତିରେ ଇଡି ତାଙ୍କୁ ଗିରଫ କରିଥିଲା ଏବଂ ଦିଲ୍ଲୀର ଏକ ସ୍ଥାନୀୟ ଅଦାଲତ କେଜରୀୱାଲଙ୍କୁ ଏପ୍ରିଲ ୦୧ ତାରିଖରୁ ନ୍ୟାୟିକ ହାଜତ (ତିହାର ଜେଲ)କୁ ପଠାଇ ଦେଇଛନ୍ତି । ଜେଲରେ ଥିବା ଅବସ୍ଥାରେ ସେ ଇଡିର ଗିରଫଦାରୀକୁ ଚ୍ୟାଲେଂଜ କରି ଦିଲ୍ଲୀ ହାଇକୋର୍ଟ ପର୍ଯ୍ୟନ୍ତ ଯାଇଥିଲେ । ହାଇକୋର୍ଟରୁ ଆଶ୍ୱସ୍ତି ନପାଇ ସୁପ୍ରମି କୋର୍ଟରେ ଆବେଦନ କରିଛନ୍ତି । ନିର୍ବାଚନ ସମୟରେ ତାଙ୍କୁ ଜେଲରେ ଅଟକ ରଖାଯିବା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ମୁଖ୍ୟମନ୍ତ୍ରୀ କେଜରୀୱାଲଙ୍କ ଆବେଦନକୁ ବିଚାର କରି ସୁପ୍ରିମ କୋର୍ଟ ଦଳ ପାଇଁ ନିର୍ବାଚନ ପ୍ରଚାର କରିବା ସକାଶେ ତାଙ୍କୁ ୨୧ ଦିନିଆ ଅନ୍ତରୀଣ ଜାମିନ ଦେଇଛନ୍ତି । ଜେଲରୁ ବାହାରିବା ପରେ ମୁଖ୍ୟମନ୍ତ୍ରୀ ‘ଆପ୍’ ଓ ବିରୋଧୀ ‘ଇଣ୍ଡି’ ମେଂଟ ନିମନ୍ତେ ନିର୍ବାଚନ ପ୍ରଚାରରେ ଅଛନ୍ତି । ଜୁନ ୦୧ ତାରିଖରେ ଶେଷ ପର୍ଯ୍ୟାୟ ମତଦାନ ସରିବ ଏବଂ ସୁପ୍ରିମ କୋର୍ଟ ଦେଇଥିବା ଜାମିନର କଂଟ ପୁରିବ । ଜୁନ ୦୨ରେ ଜେଲରେ ଆତ୍ମସମର୍ପଣ କରିବାକୁ କୋର୍ଟର ଆଦେଶ ରହିଛି । ଜୁନ ୦୨ ତାରିଖରେ ସେ ଜେଲକୁ ଫେରିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଉ ନାହାନ୍ତି ବୋଲି କେଜରୀୱାଲ ସ୍ପଷ୍ଟ କରିଛନ୍ତି ।
‘ଯଦି ସେମାନେ ଗଣତନ୍ତ୍ରକୁ ଜେଲରେ ଅଟକାଇ ରଖିବେ, ଆମେ ଜେଲରୁ ଶାସନ ଚଳାଇ ସେମାନଙ୍କୁ ଦେଖାଇବୁ’ ବୋଲି ଏହି ସାକ୍ଷାତକାରରେ ସେ କହିଛନ୍ତି । ମୁଖ୍ୟମନ୍ତ୍ରୀ କେଜରୀୱାଲ କହିଛନ୍ତି, ଭାରତୀୟ ରାଜନୈତିକ ଇତିହାସରେ ‘ଆପ୍’ ହେଉଛି ସର୍ବାଧିକ ରାଜନୈତିକ ଉତ୍ପୀଡନର ଶିକାର ହୋଇଥିବା ଏକ ଆଂଚଳିକ ଦଳ । କେନ୍ଦ୍ର ସରକାରଙ୍କ ପ୍ରରୋଚନାରେ ବିଭିନ୍ନ ତଦନ୍ତକାରୀ ସଂସ୍ଥା ‘ଆପ୍’ ସଦସ୍ୟଙ୍କ ବିରୋଧରେ ୨୫୦ରୁ ଅଧିକ ‘ମିଛ ମାମଲା’ କରିଛନ୍ତି । ସେଥିରୁ ୧୩୦ରୁ ଅଧିକ ମାମଲାରେ ଦଳର ନେତାମାନେ ନିର୍ଦୋଷ ସାବ୍ୟସ୍ତ ହୋଇଛନ୍ତି । ସଂପୃକ୍ତ ତଦନ୍ତକାରୀ ସଂସ୍ଥାଙ୍କୁ ଆଦାଲତରେ ମଧ୍ୟ କଡା ସମାଲୋଚନାର ସମ୍ମୁଖୀନ ହେବାକୁ ପଡିଛି । ନିବାଚନ ସରିବା ପରେ ବିଜେପି ପୁନଃ କ୍ଷମତାକୁ ଆସିଲେ ‘ଆପ୍’ର ସମସ୍ତ ବ୍ୟାଙ୍କ ଆକାଉଂଟ ଜବତ ହୋଇଯିବ ଏବଂ ଦଳର କାର୍ଯ୍ୟାଳୟରୁ ମଧ୍ୟ ଆମକୁ ବେଦଖଲ କରି ଦିଆଯିବ ବୋଲି ଶୁଣିବାକୁ ମିଳୁଛି । ‘ଆପ୍’କୁ ଧ୍ୱସ୍ତବିଧ୍ୱସ୍ତ କରି ଦେବାକୁ ଯେଉଁ ଉଦ୍ୟମ ଚାଲିଛି ସେଥିରେ ଦଳର ମନୋବଳ ଦୁର୍ବଳ ହେବା ପରିବତ୍ତେ ଅଧିକ ଶକ୍ତିଶାଳୀ ହୋଇଛି । ଦଳରେ ଏକତା ମଧ୍ୟ ମଜଭୂତ ହୋଇଥିବା ଦେଖିବାକୁ ମିଳୁଛି । କେନ୍ଦ୍ର ସରକାର ୨୦୧୮ରେ ଦେଶରେ ଯେଉଁ ‘ଇଲୋକ୍ଟୋରାଲ ବଣ୍ଡ୍’ ବ୍ୟବସ୍ଥା କାର୍ଯ୍ୟକାରୀ କରିଥିଲେ ତାହା ହେଉଛି ଦେଶର ସ୍ୱାଧାନତା ପରବର୍ତ୍ତୀ ସବୁଠାରୁ ବଡ ଦୁର୍ନୀତି ବା ସ୍କାମ୍ ବୋଲି ମୁଖ୍ୟମନ୍ତ୍ରୀ କେଜରୀୱାଲ କହିଛନ୍ତି ।
କେନ୍ଦ୍ରରେ ‘ଇଣ୍ଡିଆ’ ମେଂଟ କ୍ଷମତାକୁ ଆସିଲେ ପ୍ରଥମ ଶହେ ଦିନ ମଧ୍ୟରେ ସମସ୍ତ ନିର୍ବାଚନୀ ବଣ୍ଡ୍ ଚାନ୍ଦାର ତଦନ୍ତ କରାଯିବ । ସିବିଆଇ, ଇଡି ଭଳି କେନ୍ଦ୍ରୀୟ ସଂସ୍ଥାଙ୍କ ଦ୍ୱାରା ପୀଡିତ ବ୍ୟବସାୟୀ ଓ କର୍ପୋରେଟ ସଂସ୍ଥାଙ୍କ ନିକଟରୁ ଶାସକ ବିଜେପି ସର୍ବାଧିକ ପରିମାଣର ନିର୍ବାଚନୀ ଚାନ୍ଦା ପାଇଛି ବୋଲି ସେ କହିଛନ୍ତି । ଚଳିତ ନିର୍ବାଚନରେ ଦେଶର ମୁଦ୍ରାସ୍ଫୀତି ଓ ବେକାରୀ ସମସ୍ୟାକୁ ନେଇ ଜନସାଧାରଣରେ ବ୍ୟାପକ ଅସନ୍ତୋଷ ଥିବା ବେଳେ ତାହାର ସମାଧାନ ସଂପର୍କରେ ମୋଦୀ ସରକାର କଥା ହେବାକୁ ଚାହୁଁ ନାହାନ୍ତି । ଏଥର, ବିଜେପି ଓ ହିନ୍ଦୁତ୍ୱବାଦୀ ସଂଗଠନ ମଧ୍ୟରେ ଘୋର ଅନ୍ତଦ୍ୱର୍ନ୍ଦ୍ୱ ଥିବା ମଧ୍ୟ ପରିଲକ୍ଷିତ ହେଉଛି । ସେମାନେ ମିଳିତ ମଂଚରୁ ନିର୍ବାଚନ ଲଢୁ ନାହାନ୍ତି । ସେମାନେ ଆରଏସଏସ ସମର୍ଥନ ଆଉ ଲୋଡୁ ନାହାନ୍ତି ବୋଲି ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି.ନଡ୍ଡା ଏକ ସାକ୍ଷାତକାରରେ କହିଥିବା କଥାରୁ ଏହା ସ୍ପଷ୍ଟ ହେଉଛି । ବିଜେପିରେ ନେତୃତ୍ୱର ଉତ୍ତରାଧିକାରୀ ହେବା ପାଇଁ ଆଗ୍ରହୀ ନେତାଙ୍କ ସଂଖ୍ୟା ବଢିବାରେ ଲାଗିଛି । ଦଳର ଅଧିକାଂଶ ନେତା ମୋଦୀ ଓ ଶାହାଙ୍କ ନେତୃତ୍ୱକୁ ନାପସନ୍ଦ କରୁଥିବାରୁ ଦଳ ଏକ ରାଜନୈତିକ ଭୂ-କଂପନ ଦେଇ ଗତି କରୁଛି ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଦାବି କରିବା ସହ ୨୦୨୪ ନିର୍ବାଚନରେ ବିଜେପିକୁ ୨୨୦ରୁ କମ୍ ଆସନ ମିଳିବ ଓ ‘ଇଣ୍ଡିଆ’ ମେଂଟର ସଂଖ୍ୟା ୩୦୦ରୁ ଅଧିକ ହେବ ବୋଲି ଆକଳନ କରିଛନ୍ତି ।
କେଜରୀୱାଲ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ବଂଧୁମାନଙ୍କ ୧୫ ଲକ୍ଷ କୋଟି ଟଙ୍କାର ବକେୟା ଋଣ ଛାଡ କରିଛନ୍ତି ଏବଂ ସେମାନଙ୍କୁ ୨୫ ହଜାର କୋଟି ଟଙ୍କା କର୍ପୋରେଟ ଟ୍ରାକ୍ସ ଇନ୍ସେଂଟିଭ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନିଜ ବଂଧୁମାନଙ୍କୁ ହାଲୁଆ ଖୁଆଉଛନ୍ତି, ସେଥିରେ ଆମର କିଛି କହିବାର ନାହିଁ । ଆମେ ଯେତେବେଳେ ଗରିବ ଓ ମଧ୍ୟବିତ୍ତଙ୍କୁ ବିଭିନ୍ନ ମାଗଣା ସୁବୁଧା (ରେବଡି) ଦେବା ଘୋଷଣା କରୁଛି ସେମାନଙ୍କ ପାଇଁ ସମସ୍ୟା ହେଉଛି । ସ୍ୱାସ୍ଥ୍ୟ ପାଇଁ ରେବଡି ଭଲ ନା ହାଲୁଆ- ତାହା ସେମାନେ (ବିଜେପି ନେତୃତ୍ୱ) ନିଷ୍ପତ୍ତି ନିଅନ୍ତୁ । ଦିଲ୍ଲୀରେ ସାତଟି ଲୋକସଭା ଆସନ ପାଇଁ ଭୋଟ ହେବାକୁ ଥିବାରୁ କଂଗ୍ରେସ ଓ ଆପ୍ ମଧ୍ୟରେ ସେମାନେ ଚାହୁଁଥିବା ଭଳି ଭୋଟ ଟ୍ରାନ୍ସଫର ହେବ ବୋଲି ଭାବୁଛନ୍ତି କି (?) – ବୋଲି ସାକ୍ଷାତକାର ବେଳେ ପ୍ରଶ୍ନ ହେବାରୁ କେଜରୀୱାଲ କହିଛନ୍ତି, ଚଳିତ ନିର୍ବାଚନ ଦଳକୁ ନୁହେଁ, ଦେଶକୁ ଓ ଦେଶର ଗଣତନ୍ତ୍ରକୁ ବଂଚାଇବାକୁ ମତଦାନ କରିବାକୁ ବିରୋଧୀ ମେଂଟ ମତଦାନାଙ୍କୁ ନିବେଦନ କରୁଛି । ଏଥର ବିଜେପି କ୍ଷମତାକୁ ଫେରିଲେ ଦେଶରେ ଗଣତନ୍ତ୍ର ଓ ସମ୍ବିଧାନ ବୋଲି କିଛି ରହିବ ନାହିଁ । ସରକାର ଆଉ ନିର୍ବାଚନ କରିବେ ନାହିଁ । ଋଷିଆ, ପାକିସ୍ତାନ, ବାଂଲାଦେଶ ଭଳି ଭାରତରେ ନିର୍ବାଚନ ହେବ । ଏହି ବାର୍ତ୍ତା ଲୋକଙ୍କ ନିକଟରେ ପହଂଚିଛି । ଆଉ ଜେଲରୁ ଶାସନ ଚଳାଇବା ସଂପର୍କରେ କେଜରୀୱାଲ କହିଛନ୍ତି, ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ବିଜେପି ଚାହୁଁଛି । ଏହା ହେଲେ ‘ଆପ୍’କୁ କ୍ଷମତାରୁ ବେଦଖଲ କରିବା ସହଜ ହେବ । ଆମେ ସେହି ଜାଲରେ ଫସିବାକୁ ଚାହୁଁନୁ । କୌଣସି ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇ ନାହାନ୍ତି ବା ତାଙ୍କ ପ୍ରତି କୌଣସି ମାମଲାରେ ଦଣ୍ଡବିଧାନ ହୋଇ ନାହିଁ । ତେଣୁ, ସେ ଜେଲରେ ଥାଇ ମଧ୍ୟ ନିର୍ବାଚନ ଲଢି ପାରିବେ, ମୁଖ୍ୟମନ୍ତ୍ରୀ ହୋଇ ପାରିବେ ଏବଂ ମୁଖ୍ୟମନ୍ତ୍ରୀ ଭାବେ ଜେଲରୁ କାର୍ଯ୍ୟ କରି ପାରିବେ । ସେଥି ସକାଶେ ତାଙ୍କୁ ସମସ୍ତ ସୁବିଧା ମିଳିବା ଦରକାର । କୋର୍ଟରେ ଏହି କଥା କୁହାଯିବ ବୋଲି କେଜରୀୱାଲ କହିଛନ୍ତି ।
ବହୁଚର୍ଚ୍ଚିତ ସ୍ୱାତୀ ମାଲିୱାଲ ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ନିରବ କାହିଁକି ବୋଲି ବିଜେପି ପ୍ରଶ୍ନ ଉଠାଉ ଥିବା ବେଳେ ସାକ୍ଷାତକାର ବେଳେ ସଂପୃକ୍ତ ଇଂରାଜୀ ଦୈନିକ ପକ୍ଷରୁ ତାଙ୍କୁ ଏହାର ଉତ୍ତର ମଗା ଯାଇଥିଲା । ତେବେ, ମାମଲା କୋର୍ଟର ବିଚାରାଧୀନ ଥିବା କହି ସେ ଏହି ପ୍ରଶ୍ନକୁ ଏଡାଇ ଯାଇଛନ୍ତି । ତେବେ, ମାମଲାର ନିରପେକ୍ଷ ତଦନ୍ତ ପାଇଁ ସେ ପୁଲିସକୁ ନିବେଦନ କରିଥିବା କହିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, ‘ଆପ୍’ ରାଜ୍ୟସଭା ସାଂସଦ ତଥା ଦିଲ୍ଲୀ ମହିଳା କମିଶନ (ଡିସିଡବ୍ଲୁ)ର ପୂର୍ବତନ ଅଧ୍ୟକ୍ଷା ସ୍ୱାତୀ ମାଲିୱାଲଙ୍କୁ ନିକଟରେ ମୁଖ୍ୟମନ୍ତ୍ରୀ କେଜରୀୱାଲଙ୍କ ଦିଲ୍ଲୀ ସରକାରୀ ବାସଭବନରେ ତାଙ୍କ (ମୁଖ୍ୟମନ୍ତ୍ରୀଙ୍କ) ବ୍ୟକ୍ତିଗତ ଅଧିକାରୀ ବୈଭବ କୁମାର ମାଡ ମାରିଥିବା ଅଭିଯୋଗ ହୋଇଥିଲା । ଦିଲ୍ଲୀ ପୁଲିସ ବୈଭବ କୁମାରଙ୍କ ବିରୋଧରେ ଏକ ମାମଲା ରୁଜୁ କରି ଗିରଫ କରିବା ସହ ରିମାଣ୍ଡରେ ନେଇ ଜେରା କରୁଛନ୍ତି । ଏହି ମାମଲାରେ ‘ଆପ୍’ ପକ୍ଷରୁ ରାଜ୍ୟର ମନ୍ତ୍ରୀ ଅତଶୀ ମାର୍ଲେନା ଗଣମାଧ୍ୟମରେ ଉତ୍ତର ରଖୁଥିବା ବେଳେ ମୁଖ୍ୟମନ୍ତ୍ରୀ କେଜରୀୱାଲଙ୍କ ନିରବତାକୁ ନେଇ ବିଜେପି ପ୍ରଶ୍ନ ଉଠାଉଛି । ସ୍ୱାତୀ ମାଲିୱାଲ ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷା ଥିବା ବେଳେ ଠିକା ନିଯୁକ୍ତିରେ ଅନିୟମିତତା ହୋଇଥିବା ବେଳେ କେନ୍ଦ୍ରୀୟ ଏଜେନ୍ସିଙ୍କ ଆଡୁ ତଦନ୍ତ ଚାଲି ଥିବାରୁ ବିଜେପି ନିର୍ବାଚନ ସମୟରେ ସ୍ୱାତୀଙ୍କୁ ମୋହରା କରି ବିଭ୍ରନ୍ତି ସୃଷ୍ଟି ଉଦ୍ୟମ କରୁଛି ବୋଲି ‘ଆପ୍’ ଅଭିଯୋଗ କରୁଛି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
![](http://moanubhav.com/moads/upload/banner3.jpg)
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS