ଓଡ଼ିଶାରେ ‘ତାମିଲ’ ଶାସନ – ବିଜେପି ବନାମ ବିଜେଡ଼ି


ପ୍ରସାଦ ରାଓ
ଭୁବନେଶ୍ୱର/ମଇ ୨୪
ଓଡ଼ିଶାରେ ବିଜେଡ଼ି କ୍ଷମତାକୁ ଫେରିଲେ ରାଜ୍ୟରେ ‘ତାମିଲ’ ଶାସନ ଚାଲିବ, ଯାହାକୁ କି ଓଡ଼ିଶାବାସୀ ପସନ୍ଦ କରୁ ନାହାନ୍ତି । ତେଣୁ, ବିଜେପି ଏଥର କ୍ଷମତାକୁ ଆସିବ ଓ ଓଡ଼ିଶା ମାଟିର ଜଣେ ପୁଅ ବା ଝିଅକୁ ମୁଖ୍ୟମନ୍ତ୍ରୀ କରିବ । ଏଭଳି ଏକ ବ୍ୟାଖ୍ୟାନକୁ ନେଇ ରାଜ୍ୟରେ ବିଜେପି ନେତାମାନେ ନିର୍ବାଚନ ପ୍ରଚାର କରୁଛନ୍ତି । ରାଜ୍ୟବାସୀ ଚାହାଁନ୍ତୁ ବା ନ ଚାହାଁନ୍ତୁ ସେମାନଙ୍କ ମୁଣ୍ଡରେ ‘ଓଡ଼ିଆ ଅସ୍ମିତା’ କଥା ଭତ୍ତି କରି ବିଜେପି ରାଜ୍ୟରେ ରାଜନୀତିର ରୋଟି ସେକିବାକୁ ଉଦ୍ୟମ କରୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ ଓଡ଼ିଶା ପାଇଁ ଏହି ରଣନୀତି ପ୍ରସ୍ତୁତ କରିିବା ବେଳେ ୨୫ ତାରିଖ ହେବାକୁ ଥିବା ରାଜ୍ୟର ତୃତୀୟ ପର୍ଯ୍ୟାୟ ମତଦାନରେ ଏହା ପ୍ରମୁଖ ପ୍ରସଙ୍ଗ ହୋଇପାରେ ବୋଲି କିଛି ରାଜନୈତିକ ବିଶ୍ଲେଷକ ଅନୁମାନ କରୁଛନ୍ତି ।
ଶନିବାର ରାଜ୍ୟର ଛଅଟି ଲୋକସଭା ଓ ୪୨ ବିଧାନସଭା ଆସନ ପାଇଁ ମତଦାନ ହେବାକୁ ଅଛି । ଭୁବନେଶ୍ୱର, କଟକ, ପୁରୀ, ସମ୍ବଲପୁର, ଢେଙ୍କାନାଳ ଓ କେଉଁଝର ଲୋକସଭା ଆସନ ସମେତ ଏହି ସବୁ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଧାନସଭା ଆସନ ସବୁ ପାଇଁ ମତଦାନ ହେବାକୁ ଥିବାରୁ ରାଜ୍ୟ ରାଜନୀତି ସରଗରମ ରହିଛି । ସମ୍ବଲପୁର ଲୋକସଭା ଆସନରୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ୱର ଆସନରୁ ସାଂସଦ ଅପରାଜିତା ଷଡଙ୍ଗୀ, କଟକ ଆସନରୁ ଛଅ ଥରର ସାଂସଦ ଭର୍ତ୍ତୃହରି ମହତାବ, ପୁରୀରୁ ବିଜେପିର ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର, ଢେଙ୍କାନାଳ ଆସନରୁ ରୁଦ୍ର ନାରାୟଣ ପାଣି ଓ କେଉଁଝର ଆସନରୁ ଅନନ୍ତ ନାୟକ ବିଜେପିରୁ ପ୍ରାର୍ଥୀ ଥିବା ବେଳେ ବିଜେଡିର ରାଜ୍ୟ ସାଂଗଠନିକ ସଂପାଦକ ବବି ଦାସ ଓରଫ ପ୍ରଣବ ପ୍ରକାଶ ଦାସ ସମ୍ବଲପୁର, ମନ୍ମଥ ରାଉତରାୟ ଭୁବନେଶ୍ୱର, ସଂତୃପ୍ତ ମିଶ୍ର କଟକ, ଅରୂପ ପଟ୍ଟନାୟକ ପୁରୀ, ଅବିନାଶ ସାମଲ ଢେଙ୍କାନଳ ଓ ଧନଂଜୟ ସିଦ୍ଧୁ କେଉଁଝରରୁ ଲୋକସଭା ପ୍ରାର୍ଥୀ ଅଛନ୍ତି ।
ସମ୍ବଲପୁର ଲୋକସଭା ଆସନରେ ଦଶ ବର୍ଷର କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିପକ୍ଷରେ ବିଜେଡ଼ିର ଟାଣୁଆ ନେତା ତଥା ରାଜ୍ୟ ସଂଗଠନ ସଂପାଦକ ବବି ଦାସ, କଟକ ଲୋକସଭା ଆସନରେ ସାଂସଦ ଭର୍ତ୍ତୃହରି ମହାତାବଙ୍କ ବିପକ୍ଷରେ ବିଜେଡ଼ିର ନବାଗତ ନେତା ସଂତୃପ୍ତ ମିଶ୍ର, ପୁରୀ ଲୋକସଭା ଆସନରେ ବିଜେପି ନେତା ସମ୍ବିତ ପାତ୍ରଙ୍କ ବିପକ୍ଷରେ ପୂର୍ବତନ ମହାରାଷ୍ଟ୍ର କ୍ୟାଡର ଆଇପିଏସ୍ ଅରୂପ ପଟ୍ଟନାୟକ ଓ ଭୁବନେଶ୍ୱର ଲୋକସଭା ଆସନରେ ବିଜେପିର ଅଗ୍ନିବର୍ଷି ନେତ୍ରୀ ଅପରାଜିତା ଷଡଙ୍ଗୀଙ୍କ ବିପକ୍ଷରେ ବିଜେଡ଼ିର ନବାଗତ ନେତା ମନ୍ମଥ ରାଉତରାୟ ପ୍ରାର୍ଥୀ ଥିବାରୁ ଏହି ଚାରିଟି ଆସନ ଉପରେ ବିଜେପି ଓ ବିଜେଡ଼ି ନେତୃତ୍ୱର ଅଧିକ ଫୋକସ୍ ରହିଛି । ମନ୍ମଥ ରାଉତରାୟ ହେଉଛନ୍ତି କଂଗ୍ରେସର ପୂର୍ବତନ ବରିଷ୍ଠ ନେତା ସୁର ରାଉତରାୟଙ୍କ କନିଷ୍ଠ ପୁତ୍ର । ବାପାଙ୍କ ଭଳି ପୁଅ ମଧ୍ୟ ‘ମାଡି ଚାଲ..’ ସ୍ଲୋଗାନ ଦେଇ ଅପରାଜିତାଙ୍କ ସହ ଲଢୁଛନ୍ତି । ତୃତୀୟ ପର୍ଯ୍ୟାୟ ମତଦାନରେ ଏହି ସମସ୍ତ ନେତାଙ୍କ ଭାଗ୍ୟ ନିର୍ଣ୍ଣୟ ହେବାକୁ ଯାଉଛି ।
ବିଜେପି ଏଥର (୨୦୨୪ ନିର୍ବାଚନ) ଓଡ଼ିଶା ଦଖଲ ନେଇ ବେଶ୍ ଆଶାବାଦୀ ଥିବାରୁ ଦଳର ମୁଣ୍ଡିଆଳ ନେତାମାନେ ବାରମ୍ବାର ଓଡ଼ିଶା ଗସ୍ତରେ ଆସି ନିର୍ବାଚନ ପ୍ରଚାରକୁ ସରଗରମ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି.ନଡ୍ଡା, କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଲୋକସଭା ବାଚସ୍ପତି ଓମ୍ ବିରଳା, ମଥୁରା ସାଂସଦ ତଥା ବଲିଉଡ୍ ଅଭିନେତ୍ରୀ ହେମା ମାଳିନୀଙ୍କ ସମେତ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ରାଜ୍ୟରେ ବିଜେପିର ନିର୍ବାଚନ ପ୍ରଚାରକୁ ହାଇ-ପ୍ରୋଫାଇଲ୍ କରିଥିବା ବେଳେ ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏକମାତ୍ର ଷ୍ଟାର୍ ପ୍ରଚାରକ ରହିଛନ୍ତି ପୂର୍ବତନ ଆଇଏଏସ୍ ଭି.କାର୍ତ୍ତିକେୟ ପାଣ୍ଡିଆନ । ଆଇଏଏସ୍ ଚାକିରୀରୁ ଆଗୁଆ ଅବସର ନେଇ ବିଜେଡ଼ିର ୫-ଟି ଅଧ୍ୟକ୍ଷ ଥିବା ପାଣ୍ଡିଆନ ନବୀନଙ୍କ ଛାଇ ସଦୃଶ ଦଳର ନିର୍ବାଚନ ରଣନୀତି ପ୍ରସ୍ତୁତ କରିବା ସହ ପ୍ରାର୍ଥୀଙ୍କ ପ୍ରଚାରର ମଂଗ ଧରି ଥିବାରୁ ବିରୋଧୀଙ୍କ ସବୁ ଅସ୍ତ୍ର ତାଙ୍କ ମୁହାଁ ହୋଇଛି ।
କାର୍ତ୍ତିକ ପାଣ୍ଡିଆନଙ୍କ ଜନ୍ମ ତାମିଲନାଡୁରେ ହୋଇଥିଲେ ମଧ୍ୟ ସେ ଓଡ଼ିଶା କ୍ୟାଡର ଆଇଏଏସ୍ ଅଧିକାରୀ ଭାବେ ଦୀର୍ଘ ବର୍ଷ ଧରି ଓଡ଼ିଶାରେ କାର୍ଯ୍ୟ କରିଛନ୍ତି । ତାଙ୍କ ପତ୍ନୀ ଜଣେ ଓଡ଼ିଆ ଏବଂ ଓଡ଼ିଶା କ୍ୟାଡର ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଓ ରାଜ୍ୟ ପ୍ରଶାସନରେ କମିଶନର ପାହ୍ୟାରେ ନିଯୁକ୍ତ । ପାଣ୍ଡିଆନଙ୍କ ଦୁଇ ପିଲା ଓଡ଼ିଶାରେ ଜନ୍ମିତ । ଓଡ଼ିଆ ବୁଝନ୍ତି ଓ କୁହନ୍ତି । ପାଣ୍ଡିଆନ କୁହନ୍ତି, ତାଙ୍କ ଜନ୍ମଭୂମୀ ଓଡ଼ିଶା ନୁହେଁ, କିନ୍ତୁ କର୍ମଭୂମି ହେଉଛି ଓଡ଼ିଶା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେଉଛନ୍ତି ତାଙ୍କର ପ୍ରେରଣା ଏବଂ ରାଜନୈତିକ ଗୁରୁ । ପ୍ରଭୁ ଶ୍ରୀଜଗନ୍ନାଥ ତାଙ୍କ ଆରାଧ୍ୟ ଦେବତା । ନବୀନଙ୍କ ନେତୃତ୍ୱରେ ସେ ଓଡ଼ିଶା ମାଟିର ସେବା କରିବାକୁ ପଣ ନେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ପିତୃସମ ଶ୍ରଦ୍ଧା କରୁଥିବାରୁ ତାଙ୍କୁ ପୁଣି ଥରେ ରାଜ୍ୟର ମୁଖ୍ୟମନ୍ତ୍ରୀ କରିବାକୁ ଚାକିରୀ ଛାଡି ବିଜେଡ଼ିରେ ସାମିଲ ହୋଇଛନ୍ତି ଓ ଦଳ ପାଇଁ କାର୍ଯ୍ୟ କରୁଛନ୍ତି । ନବୀନଙ୍କ ପରେ ଓଡ଼ିଶାରେ କିଏ ତାଙ୍କ ଉତ୍ତରାଧିକାରୀ ହେବ ଓଡ଼ିଶାବାସୀ ନିର୍ଣ୍ଣୟ କରିବେ ବୋଲି ବାରମ୍ବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହୁଥିବା ବେଳେ ବିରୋଧୀ ରାଜନୀତିର ରୋଟି ସେକିବା ପାଇଁ ତାଙ୍କୁ ଟାର୍ଗେଟ୍ କରୁଛନ୍ତି ।
ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ଏପର୍ଯ୍ୟନ୍ତ ନିଜ ଉତ୍ତରାଧିକାରୀଙ୍କ ନାମ ଘୋଷଣା କରି ନଥିବାରୁ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଲୋକଙ୍କ ନାମ ଚର୍ଚ୍ଚାକୁ ଆସୁଛି । କେତେବେଳେ ପୁତୁରା ଅରୁଣ ପଟ୍ଟନାୟକଙ୍କ ନାମ ତ ଆଉ କେତେବେଳେ ଭଉଣୀ ଗୀତା ମେହେଟ୍ଟାଙ୍କ ନାମ । ଏବେ ପାଣ୍ଡିଆନଙ୍କ ନାମ ଚର୍ଚ୍ଚାରେ ରହିଛି । ତାଙ୍କ ପରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ କିଏ ହେବ ଓଡ଼ିଶାବାସୀ ନିର୍ଣ୍ଣୟ କରିବେ ବୋଲି ନବୀନ ବାରମ୍ବାର କହୁଥିଲେ ମଧ୍ୟ ନବୀନଙ୍କ ଉତ୍ତରାଧିକାରୀ ପ୍ରସଙ୍ଗକୁ ନେଇ ଚର୍ଚ୍ଚା ଥମୁ ନାହିଁ । ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଗଲା କିଛି ବର୍ଷ ହେଲା ରାଜ୍ୟ ଓ ଜାତୀୟ ଗଣମାଧ୍ୟମରେ ବିଭିନ୍ନ ପ୍ରକାର ଆଲୋଚନା ଚାଲିଥିଲା । ୨୦୨୪ ନିର୍ବାଚନ ପୂର୍ବରୁ ଏହି ଆଲୋଚନା ରାଜନୀତିର ମୋଡ ନେଇ ସାରିଛି । ନବୀନ ଅସୁସ୍ଥ । ଆଗ ଭଳି କାମ କରିପାରୁ ନାହାନ୍ତି । ପାଣ୍ଡିଆନ ‘କା’ ସଦୃଶ କାର୍ଯ୍ୟ କରିବା ସହ ଦଳ (ବିଜେଡ଼ି) ଓ ସରକାରକୁ ନିଜ କବ୍ଚାକୁ ନେଇ ସାରିଲେଣି । ରାଜ୍ୟରେ ତାମିଲ ଶାସନ ଚାଲିଛି । ‘ରିମୋଟ’ରେ ସରକାର ନିୟନ୍ତ୍ରଣ ହେଉଛନ୍ତି । ପାଣ୍ଡିଆନ ନିଜେ ଯାହା କରୁଛନ୍ତି ବା କହୁଛନ୍ତି ମୁଖ୍ୟମନ୍ତ୍ରୀଙ୍କ ମୁହଁରେ କୁହାୁଛନ୍ତି ଏବଂ ଆର୍ଟିଫିସିଆଲ ଇଂଟେଲିଜେନ୍ସ (ଏଆଇ) ବ୍ୟବହାର ମାଧ୍ୟମରେ ପ୍ରସ୍ତୁତ ହେଉଥିବା ମୁଖ୍ୟମନ୍ତ୍ରୀଙ୍କ ଭିଡ଼ିଓ ସବୁ ପଦାକୁ ଆସୁଛି ।
ଏହା ହେଉଛି ବିରୋଧୀଙ୍କ ଅଭିଯୋଗ । ମୁଖ୍ୟମନ୍ତ୍ରୀ ଅସୁସ୍ଥ ଥିବାରୁ ଅବସର ନେଇ ଯାଆନ୍ତୁ । ଜଣେ ଓଡ଼ିଆଙ୍କ ହାତରେ ରାଜ୍ୟର କ୍ଷମତା ସମର୍ପି ଦିଅନ୍ତୁ ବୋଲି ବିରୋଧୀ ଗୋଟିଏ ପଟେ କହୁଥିବା ବେଳେ ଅନ୍ୟପଟେ ‘ତାମିଲ’ ଶାସନକୁ ନେଇ ଓଡ଼ିଶାବାସୀ ଅସନ୍ତୁଷ୍ଟ, ଚଳିତ ନିର୍ବାଚନରେ ଏକ ପରିବର୍ତ୍ତନ ଚାହୁଁଛନ୍ତି । ରାଜ୍ୟରେ ବିଜେପି ସପକ୍ଷରେ ହାୱା ରହିଛି ବୋଲି ଦେଶର ପ୍ରଧାନମନ୍ତ୍ରୀ, ସ୍ୱରାଷ୍ଟ୍ର ମନ୍ତ୍ରୀ, ବିଜେପି ରାଷ୍ଟ୍ରୀୟ ସଭାପତିଙ୍କଠାରୁ ଆରମ୍ଭ କରି ବିଭିନ୍ନ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ପ୍ରଚାର ‘ତିନି ତୁଣ୍ଡରେ ଛେଳି କୁକୁର…’ ସଦୃଶ ରାଜ୍ୟର ରାଜନୈତିକ ସମୀକ୍ଷକମାନଙ୍କ ମଧ୍ୟ ଦ୍ୱନ୍ଦ୍ୱରେ ପକାିଛି । ରାଜନୈତିକ ବିଶ୍ଲେଷକମାନେ ଓଡ଼ିଶାରେ କାହା ସପକ୍ଷରେ ହାୱା ରହିଛି ଆଲୋଚନା କଲା ବେଳେ କୌଣସି ସ୍ଥିତ ସିଦ୍ଧାନ୍ତରେ ପହଂଚୁ ନଥିବା ଦେଖିବାକୁ ମିଳୁଛି । ଏହାଦ୍ୱାରା ରାଜ୍ୟରେ ଗତ ୨୪ ବର୍ଷ ମଧ୍ୟରେ ହୋଇଥିବା ଉନ୍ନୟନ କାର୍ଯ୍ୟ ଆଉ ଚର୍ଚ୍ଚାକୁ ଆସୁନି । କେବଳ ‘ଓଡ଼ିଆ ଅସ୍ମିତା’ ଏବଂ ‘ତାମିଲ ଶାସନ’କୁ ନେଇ ଓଡ଼ିଶାରେ ନବୀନ ସରକାରଙ୍କ ବିରୋଧରେ ଥିବା ଚାପା ଅସନ୍ତୋଷ ବିତର୍କର ମୁଖ୍ୟ ପ୍ରସଙ୍ଗ ହୋଇଛି । ବିଶେଷକରି, ବୁଦ୍ଧିଜୀବୀ ମହଲରେ ଏଳି ଚର୍ଚ୍ଚା ହେଉଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପାଣ୍ଡିଆନଙ୍କ ନିର୍ବାଚନ ସଭା, ସମାବେଶ ଓ ରୋଡ-ସୋ’ରେ ବିପୁଳ ଜନସମାବେଶ ସାଧାରଣ ଜନତାରେ ଏଭଳି କିଛି ହାୱା ଥିବାର ସୂଚନା ଦେଉ ନାହିଁ ।
ଏଭଳି ଏକ ଦ୍ୱନ୍ଦ୍ୱାତ୍ମକ ବାତାବରଣରେ ରାଜ୍ୟରେ ଦୁଇ ପର୍ଯ୍ୟାୟ ମତଦାନ ସରିଛି ଓ ଶନିବାର ତୃତୀୟ ପର୍ଯ୍ୟାୟ ମତଦାନ ହେବାକୁ ଯାଉଛି । ଜୁନ ୦୧ ତାରିଖରେ ଶେଷ ପର୍ଯ୍ୟାୟ ମତଦାନ ହେବ । ୨୦୧୯ ସାଧାରଣ ନିର୍ବାଚନରେ ନବୀନ ସରକାରକୁ ‘ପୋଡା ଟ୍ରାନ୍ସଫର୍ମର’ କହି ସମାଲୋଚନା କରିଥିବା ବିଜେପି ରାଷ୍ଟ୍ରୀୟ ନେତାମାନେ ୨୦୨୪ ନିର୍ବାଚନରେ ଏହି ସରକାରକୁ ବଂଗୋପସାଗରକୁ ଫିଙ୍ଗି ଦେବାକୁ ରାଜ୍ୟବାସୀଙ୍କୁ ଆହ୍ୱାନ ଦେଉଛନ୍ତି । ସେମାନେ ମୁଖ୍ୟମନ୍ତ୍ରୀ ପଟ୍ଟନାୟକଙ୍କ ବିରୋଧରେ କମ୍ ଓ ତାଙ୍କ ଘନିଷ୍ଟ ସହଯୋଗୀ କାର୍ତ୍ତିକ ପାଣ୍ଡିଆନଙ୍କୁ ଅଧିକ ଆକ୍ରମଣ କରୁଛନ୍ତି । ଏପରିକି, ପୁରୀ ଶ୍ରୀମନ୍ଦିରର ରତ୍ନ ଭଣ୍ଡାର ଚାବି ତାମିଲନାଡୁ ଚାଲି ଯାଇ ଥିବ ବୋଲି ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜ୍ୟରେ ବିଜେପି ଦ୍ୱାରା ଆୟୋଜିତ ସାଧାରଣ ସଭାରେ ଉପର ଠାଉରିଆ ଅଭିଯୋଗ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାଧାରଣରେ ନିନ୍ଦିତ କରିବାକୁ ପଛାଇ ନାହାନ୍ତି । ଏସବୁ ହେଉଛି କେବଳ ରାଜ୍ୟରେ କ୍ଷମତା ଦଖଲ ପାଇଁ । ରାଜ୍ୟର ମତଦାତା ଏହାକୁ କିଭଳି ଭାବେ ଗ୍ରହଣ କରିଛନ୍ତି ବା କରୁଛନ୍ତି ତାହା ମତଦାନର ଫଳାଫଳ ଆସିବା ପରେ ସ୍ପଷ୍ଟ ହେବ । ତେବେ, ରାଜନୀତି ପାଇଁ ନେତାମାନେ କେତେ ତଳକୁ ଯାଇ ପାରନ୍ତି – ତାହା ୨୦୨୪ ନିର୍ବାଚନରେ ଓଡ଼ିଶାବାସୀ ଦେଖୁଛନ୍ତି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS