ଜାମିନ ସମୟ ସାତ ଦିନ ବଢାଇବାକୁ ସୁପ୍ରିମ କୋର୍ଟରେ କେଜରୀୱାଲଙ୍କ ଆବେଦନ


ପ୍ରସାଦ ରାଓ
ନୂଆଦିଲ୍ଲୀ/ମଇ ୨୭
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ ଆଜି ସୁପ୍ରିମ କୋର୍ଟରେ ପିଟିସନ ଦାଖଲ କରି ତାଙ୍କୁ ମିଳିଥିବା ଅନ୍ତରୀଣ ଜାମିନ ସାତ ଦିନ ବୃଦ୍ଧି କରାଯିବାକୁ ନିବେଦନ କରିଛନ୍ତି । ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ସେ ଏହି ଆବେଦନ କରିଥିବା ଜଣାପଡିଛି । ଦିଲ୍ଲୀ ସରକାର ନୂତନ ଅବକାରୀ ନୀତି କାର୍ଯ୍ୟକାରୀ କରିବା ସମୟରେ ବ୍ୟାପକ ଆର୍ଥିକ ଦୁର୍ନୀତି ହୋଇଥିବା ଅଭିଯୋଗରେ ମୁଖ୍ୟମନ୍ତ୍ରୀ କେଜରୀୱାଲଙ୍କୁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (ଇଡି) ଗତ ମାର୍ଚ୍ଚ ୨୧ ତାରିଖରେ ଗିରଫ କରିଥିଲେ । ଏପ୍ରିଲ ୦୧ ତାରିଖରୁ ସେ ତିହାର ଜେଲରେ ଥିଲେ । ଦେଶରେ ଲୋକସଭା ନିର୍ବାଚନ ଚାଲିଥିବା ସମୟରେ ତାଙ୍କୁ ଗିରଫ କରାଯାଇ ଦଳ (ଆମ୍ ଆଦମୀ ପାର୍ଟି)ର ନିର୍ବାଚନ ପ୍ରଚାର କରିବାରୁ ବଂଚିତ କରାଯାଇଥିବା ଦର୍ଶାଇ ସେ ସୁପ୍ରିମ କୋର୍ଟରେ ଅନ୍ତରୀଣ ଜାମିନ ଆବେଦନ କରିଥିଲେ । ମେ’ ୧୦ ତାରିଖ ଦିନ ସୁପ୍ରିମ କୋର୍ଟ ତାଙ୍କୁ ୨୧ ଦିନ ପାଇଁ ଅନ୍ତରୀଣ ଜାମିନ ଦେଇଥିଲେ । ଜାମିନ ସର୍ତ୍ତ ଅନୁଯାୟୀ କେଜରୀୱାଲ ଜୁନ ୦୧ ତାରିଖରେ ଶେଷ ପର୍ଯ୍ୟାୟ ନିର୍ବାଚନ ସରିବା ପରେ ୦୨ ତାରିଖ ଜେଲରେ ଆତ୍ମସମର୍ପଣ କରିବା କଥା । ତେବେ, ଅନ୍ତରୀଣ ଜାମିନ ଆଉ ଅଧିକ ସାତ ଦିନ ବୃଦ୍ଧି କରାଯିବାକୁ ସେ ଆବେଦନ କରିଛନ୍ତି । ଆମ୍ ଆଦମୀ ପାର୍ଟି (ଆପ୍) ପକ୍ଷରୁ କୁହାଯାଇଛି, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଗିରଫ ହୋଇ ତିହାର ଜେଲ ଯିବା ପରେ ତାଙ୍କ ଓଜନ ସାତ କିଲୋ କମି ଯାଇଛି, ଯାହାକି ଏପର୍ଯ୍ୟନ୍ତ ଭରଣା ହୋଇ ପାରିନି । ତାଙ୍କ କେଂନଟନ୍ ସ୍ତର ମଧ୍ୟ ବହୁ ଅଧିକ ରହିଛି । ତେଣୁ, କେଜରୀୱାଲଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଜରୁରୀ ବୋଲି ଡାକ୍ତରମାନେ କହିଛନ୍ତି ଏବଂ ବିଭିନ୍ନ ଟେଷ୍ଟ୍ ପାଇଁ ପରାମର୍ଶ ଦେଇଛନ୍ତି । କେଜରୀୱାଲଙ୍କ ପିିଇଟି-ସିଟି ସ୍କାନ ହେବାର ଅଛି । ଏଥି ସକାଶେ କେଜରୀୱାଲଙ୍କୁ ମିଳିଥିବା ଅନ୍ତରୀଣ ଜାମିନ ଆଉ ସାତ ଦିନ ବୃଦ୍ଧି କରାଯିବାକୁ ସୁପ୍ରିମ କୋର୍ଟରେ ଆବେଦନ ହୋଇଛି ବୋଲି ଆପ୍ ନେତ୍ରୀ ତଥା ଦିଲ୍ଲୀର ମନ୍ତ୍ରୀ ଆତିଶୀ କହିଛନ୍ତି । ଦିଲ୍ଲୀ ସରକାରଙ୍କ ନୂତନ ଅବକାରୀ ନୀତି ୨୦୨୨ରେ ରଦ୍ଦ ହୋଇ ସାରିଥିଲେ ମଧ୍ୟ ଅବକାରୀ ଦୁର୍ନୀତିର ତଦନ୍ତ ଚାଲିଛି ଏବଂ ଅବକାରୀ ନୀତି କାର୍ଯ୍ୟକାରୀ ହେବା ସମୟରେ ରାଜ୍ୟର ଅବକାରୀ ମନ୍ତ୍ରଣାଳୟ ଦାୟିତ୍ୱରେ ଥିବା ଉପ ମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ମୁଖ୍ୟ ଅଭିଯୁକ୍ତ ଭାବେ ଗିରଫ ହୋଇ ବର୍ଷାଧିକ ସମୟ ଧରି ତିହାର ଜେଲରେ ଅଛନ୍ତି । ଦଳର ରାଜ୍ୟସଭା ସାଂସଦ ସଂଜୟ ସିଂହ ମଧ୍ୟ ଏହି ମାମଲାରେ ଗିରଫ ହୋଇ ଛଅ ମାସ ତିହାର ଜେଲରେ ଥିଲେ । ସେ ଏବେ ସୁପ୍ରିମ କୋର୍ଟରୁ ମିଳିଥିବା ଜାମିନ ବଳରେ ବାହାରେ ଅଛନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅନ୍ତରୀଣ ଜାମିନ ପାଇବା ପରେ ନିର୍ବାଚନ ପ୍ରଚାରରେ ସାମିଲ ହୋଇଥିଲେ । ଆପ୍ ଓ ବିରୋଧୀ ‘ଇଣ୍ଡି’ ମେଂଟ ପାଇଁ ସେ ନିର୍ବାଚନ ପ୍ରଚାର କରିଛନ୍ତି । ଆସନ୍ତା ୦୪ ତାରିଖ ଲୋକସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବ । ‘ଇଣ୍ଡି’ ମେଂଟ ଯଦି ବିଜୟୀ ହୋଇ ଦେଶରେ ସରକାର ଗଠନ କରେ ସେ ଜେଲରୁ ମୁକୁଳିବେ ବୋଲି ମୁଖ୍ୟମନ୍ତ୍ରୀ କେଜରୀୱାଲ ନିକଟରେ ଗଣମାଧ୍ୟମରେ ବୟାନ ଦେଇଥିଲେ । କେନ୍ଦ୍ରରେ କ୍ଷମତାରେ ଥିବା ବିଜେପି କେଜରୀୱାଲଙ୍କ ଏହି ବୟାନକୁ ରାଜନୈତିକ ରଂଗ ଦେଇ ଜୋରଦାର ପ୍ରଚାର କରିଛି । ‘ବର୍ତ୍ତମାନ ବିଚାର ବ୍ୟବସ୍ଥା ଚାପରେ ରହିଛି । ସେମାନେ କେତେ ଚାପ ଭିତରେ କାମ କରୁଛନ୍ତି ତାହା ସମସ୍ତେ ଜାଣୁଛନ୍ତି’ ବୋଲି କେଜରୀୱାଲ ଆଜି ମନ୍ତବ୍ୟ ଦେବା ସହ ତାଙ୍କ ବିରୋଧରେ କେନ୍ଦ୍ର ସରକାରଙ୍କ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି)ର ମାମଲା ‘ଭିତ୍ତିହୀନ’, ତାଙ୍କୁ ଦୋଷୀ ସାବ୍ୟସ୍ୟ କରିବା ପାଇଁ ଇଡି ମନି ଟ୍ରେଲ୍ ରେ କାଣିଚାଏ ମଧ୍ୟ ପ୍ରମାଣ ପାଇ ନାହିଁ ବୋଲି କହିଛନ୍ତି । ୨୦୧୫ରୁ ଦିଲ୍ଲୀରେ ଆମ୍ ଆଦମୀ ପାର୍ଟି ସରକାର ରହିଛି । କେଜରୀୱାଲ ମୁଖ୍ୟମନ୍ତ୍ରୀ ରହିଛନ୍ତି । ପଂଜାବରେ ମଧ୍ୟ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍ ଙ୍କ ନେତୃତ୍ୱରେ ‘ଆପ୍’ ସରକାର ଚାଲିଛି । ଦିଲ୍ଲୀର ସାତଟି ଓ ପଂଜାବର ୧୩ଟି ଲୋକସଭା ଆସନ ବିଜେପି ପାଇଁ ବେଶ୍ ମହତ୍ତ୍ୱ ରଖୁଛି । ପଂଜାବରେ ‘ଆପ୍’ ଏକାକୀ ନିର୍ବାଚନ ଲଢୁଥିବା ବେଳେ ଦିଲ୍ଲୀରେ କଂଗ୍ରେସ ସହ ମେଂଟ କରିଛି । ଏହି ୨୦ଟି ଲୋକସଭା ନିର୍ବାଚନ ଫଳାଫଳ ଉପରେ ସମଗ୍ର ଦେଶର ନଜର ରହିଛି । ଠିକ୍ ଲୋକସଭା ନିର୍ବାଚନ ତାରିଖ ଘୋଷଣା ପରେ ଇଡି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରୀୱାଲଙ୍କୁ ଗିରଫ କରିଥିଲା । କାଣିଚାଏ ପ୍ରମାଣ ନଥାଇ ତାଙ୍କୁ ଗିରଫ କରାଯାଇଥିବା ‘ବେଆଇନ’ । ତାଙ୍କୁ ଗିରଫ କରାଯିବା ସମୟ ମଧ୍ୟ ରାଜନୈତିକ ଅଭିସନ୍ଧି ଥିବା ଦର୍ଶାଉଛି । ତେଣୁ, ଶାସକ ବିଜେପିର ରାଜନୈତିକ ସ୍ୱାର୍ଥ ରକ୍ଷା ପାଇଁ ଇଡି ତାଙ୍କୁ ଗିରଫ କରି ଜେଲରେ ପୁରାଇ ଥିବାରୁ ଇଡି କାର୍ଯ୍ୟାନୁଷ୍ଠାନକୁ ରଦ୍ଦ କରାଯିବାକୁ କେଜରୀୱାଲ ସୁପ୍ରିମ କୋର୍ଟରେ ଆବେଦନ କରିଥିଲେ । ସୁୁପ୍ରିମ କୋର୍ଟରେ ମାମଲା ବିଚାରାଧୀନ ରହିଛି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS