ବିଭବ କୁମାରଙ୍କ ଜାମିନ ଆବେଦନ ଖାରଜ, ସ୍ୱାତୀ ମାଲିୱାଲ ମାମଲା ଦିନକୁ ଦିନ ରୋଚକ ହେଉଛି


ପ୍ରସାଦ ରାଓ
ନୂଆଦିଲ୍ଲୀ/ମଇ ୨୭
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲଙ୍କ ସରକାରୀ ବାସଭବନରେ ମେ’ ୧୩ ତାରିଖ ଦିନ ଘଟିଥିବା ସ୍ୱାତୀ ମିଲିୱାଲ-ବିଭବ କୁମାର ହାତାହାତି ଘଟଣା ଦିନକୁ ଦିନ ରୋଚକ ହେବାରେ ଲାଗିଛି । ସ୍ୱାତୀ ମାଲିୱାଲ ଆମ୍ ଆଦମୀ ପାର୍ଟି (ଆପ୍) ରାଜ୍ୟସଭା ସାଂସଦ ତଥା ଦିଲ୍ଲୀ ଜାତୀୟ ମହିଳା କମିଶନ ଏନସିଡବ୍ଲୁ)ର ପୂର୍ବତନ ଅଧ୍ୟକ୍ଷ ଥିବା ବେଳେ ବିଭବ କୁମାର ହେଉଛନ୍ତି ମୁଖ୍ୟମନ୍ତ୍ରୀ କେଜରୀୱାଲଙ୍କ ବ୍ୟକ୍ତିଗତ ସଚିବ । ସେ ଜଣେ ସରକାରୀ ଅଧିକାରୀ ଥିଲେ । ୨୦୦୭ରେ ଜଣେ ସରକାରୀ କର୍ମଚାରୀଙ୍କ କାର୍ଯ୍ୟରେ ବାଧା ଦେବା ଅଭିଯୋଗରେ ବିଭବ କୁମାର ଚାକିରୀ ହରାଇ ଥିଲେ ଏବଂ କେନ୍ଦ୍ରୀୟ ପ୍ରଶାସନିକ ଟ୍ରିବ୍ୟୁନାଲରୁ ମଧ୍ୟ ସେ ଆଶ୍ୱସ୍ତି ପାଇ ନଥିଲେ । ଏହି ଘଟଣାରେ ଭିଜିଲାନ୍ସ ବିଭାଗ ଗତ ଏପ୍ରିଲ ମାସରେ ବିଭବ କୁମାରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ସେବା ନିବୃତ୍ତ କରିଥିଲେ ମଧ୍ୟ ୨୦୧୫ରୁ ମୁଖ୍ୟମନ୍ତ୍ରୀ କେଜରୀୱାଲଙ୍କ ଘନିଷ୍ଟ ସହଯୋଗୀ ଥିବା ବିଭବ କୁମାରଙ୍କ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନରେ ଅବାଧ ପ୍ରବେଶ ରହିଛି । ମେ’ ୧୩ ତାରିଖ ଦିନ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନରେ ବାସ୍ତବରେ କଣ ଘଟିଲା ତାହା ଏପର୍ଯ୍ୟନ୍ତ ଅସ୍ପଷ୍ଟ । ତେବେ, ସାଂସଦ ସ୍ୱାତୀ ମିଲିୱାଲଙ୍କ ଅଭିଯୋଗ ଭିତ୍ ତିରେ ବିଭବ କୁମାର ଗିରଫ ହୋଇ ଜେଲରେ ଅଛନ୍ତି । ସ୍ୱାତୀଙ୍କ ଅଭିଯୋଗ ହେଉଛି, ୧୩ ତାରିଖ ଦିନ ମୁଖ୍ୟମନ୍ତ୍ରୀ କେଜରୀୱାଲଙ୍କୁ ଭେଟିବାକୁ ସେ ତାଙ୍କ ସରକାରୀ ବାସଭବନକୁ ଯାଇଥିବା ବେଳେ ସେଠାରେ ଉପସ୍ଥିତ ଥିବା ବିଭବ କୁମାର ତାଙ୍କୁ ଭେଟିବାରେ ବାଧା ଦେବା ସହ ମାଡ ମାରିଥିଲେ । ବିଭବ କୁମାରଙ୍କ ଅଭିଯୋଗ ହେଉଛି, ସ୍ୱାତୀ ମାଲିୱାଲ ଦଳର ରାଜ୍ୟସଭା ସାଂସଦ ଥିଲେ ସୁଦ୍ଧା ଭେଟିବାକୁ ପୂର୍ବାନୁମତି ନ ନେଇ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ପହଂଚି ଥିଲେ ଏବଂ ସୁରକ୍ଷା ବ୍ୟବସ୍ଥାକୁ ଅମାନ୍ୟ କରି ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠରେ ଜବରଦସ୍ତ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ । ତେଣୁ, ସୁରକ୍ଷା କର୍ମୀ ତାଙ୍କୁ ରୋକି ଥିଲେ । ମାଲିୱାଲ ସେମାନଙ୍କୁ ଦୁୁର୍ବ୍ୟବହାର କରିଥିଲେ ମଧ୍ୟ ସୁରକ୍ଷା କର୍ମୀମାନେ ତାଙ୍କୁ ସସମ୍ମାନେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ବାହାରେ ନେଇ ଛାଡି ଥିଲେ । ଦୁଇ ପକ୍ଷ ପରସ୍ପର ବିରୋଧରେ ଏତଲା ଦେଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ବିଭବ କୁମାର ତାଙ୍କୁ ମାଡ ମାରି କ୍ଷତାକ୍ତ କରିଥିବା ନେଇ ସ୍ୱାତୀ ମାଲିୱାଲ ବିଳମ୍ବରେ ହେଉ ପଛେ ଦିଲ୍ଲୀ ପୁଲିସ ନିକଟରେ ଯେଉଁ ଅଭିଯୋଗ କରିଛନ୍ତି ପୁଲିସ ତାହା ଉପରେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ବିଭବ କୁମାରଙ୍କୁ ଗିରଫ କରି ଜେଲ ପଠାଇଛନ୍ତି । ଅନ୍ୟପକ୍ଷରେ, ସ୍ୱାତୀ ମାଲିୱାଲଙ୍କ ବିରୋଧରେ ବିଭବ କୁମାର ଯେଉଁ ଟ୍ରେସପାସିଂ (ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠରେ ବଳପୂର୍ବକ ପ୍ରବେଶ ଉଦ୍ୟମ) ଅଭିଯୋଗ କରିଛନ୍ତି ଓ ଥାନାରେ ଏତଲା ଦେଇଛନ୍ତି ତାହା ଉପରେ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ । ମିଲିୱାଲଙ୍କ ଅଭିଯୋଗକୁ ଭିତ୍ତି କରି ଦିଲ୍ଲୀରେ ବିଜେପି ‘ଆପ୍’ ବିରୋଧରେ ଜୋରଦାର ରାଜନୈତିକ ଅଭିଯାନ ଚଳାଇ ଥିବା ବେଳେ ‘ଆପ୍’ ସଂପୂର୍ଣ୍ଣ ଘଟଣାକୁ ବିଜେପିର ସୁଚିନ୍ତିତ ଷଡଯନ୍ତ୍ର କହି ବିଜେପି ଓ ସ୍ୱାତୀ ମାଲିୱାଲଙ୍କୁ ଘେରୁଛି । ସ୍ୱାତୀ ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷା ଥିବା ସମୟରେ ଠିକା କର୍ମଚାରୀ ନିଯୁକ୍ତିରେ ଦୁର୍ନୀତି ହୋଇଥିବା ଅଭିଯୋଗର କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ତଦନ୍ତ କରୁଛନ୍ତି । ଗିରଫ ହେବା ଆଶଙ୍କା ଥିବାରୁ ସ୍ୱାତୀ ସେଥିରୁ ବର୍ତ୍ତିବା ପାଇଁ ‘ଆପ୍’ ବିରୋଧରେ ବିଜେପିର ମୋହରା ସାଜିଛନ୍ତି ବୋଲି ଆମ୍ ଆଦମୀ ପାର୍ଟି ଅଭିଯୋଗ କରୁଛି । ଦିଲ୍ଲୀର ସାତଟି ଲୋକସଭା ଆସନ ପାଇଁ ନିର୍ବାଚନ ହେବାକୁ ଥିବା ସମୟରେ ସ୍ୱାତୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଯାଇ ତାଙ୍କୁ ଭେଟିବାକୁ ଉଦ୍ୟମ କରିବା, ତାଙ୍କୁ ବିଭବ କୁମାର ମାଡ ମାରିଥିବା ଅଭିଯୋଗ ହେବା ଏବଂ ପୁଲିସ ବିଭବ କୁମାର ଦେଇଥିବା ଏତଲା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି ସ୍ୱାତୀଙ୍କ ମାମଲା ଭିତ୍ତିରେ ତାଙ୍କୁ ଗିରଫ କରିବା ଏବଂ ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମୁହଁ ଖୋଲୁ ନାହାନ୍ତି କାହିଁକି ବୋଲି ସ୍ୱାତୀଙ୍କ ସମେତ ବିଜେପି ନେତାମାନେ ସର୍ବସାଧାରଣରେ ଅଭିଯୋଗ କରି ପଛରେ ଯେ ରାଜନୈତିକ ଷଡଯନ୍ତ୍ର ରହିଛି, ତାହା ଅନୁମାନ ସାପେକ୍ଷ । ମୁଖ୍ୟମନ୍ତ୍ରୀ କେଜରୀୱାଲ ମଧ୍ୟ ଏହି ଘଟଣାରେ ଦୁଇଟି ଭିନ୍ନ ଭିନ୍ନ ଚିତ୍ର ଆସୁ ଥିବାରୁ ଏହାର ନିରପେକ୍ଷ ତଦନ୍ତ କରାଯିବା ଉପରେ ଗୁରୁତ୍ୱ ଦେଇଛନ୍ତି । ତେବେ, ଆଜି ଦିଲ୍ଲୀର ଏକ ଅଦାଲତରେ ବଭବ କୁମାର ଜାମିନ ଜାମିନ ଆବେଦନର ଶୁଣାଣୀ ବେଳେ ନାଟକୀୟ ପରିସ୍ଥିତି ସୃଷ୍ଟି ହୋଇଥିବା ସୂଚନା ମିଳିଛି । ବିଭବ କୁମାରଙ୍କୁ ଜାମିନ ଦିଆଗଲେ ତାଙ୍କ ପ୍ରତି ଓ ତାଙ୍କ ପରିବାର ପ୍ରତି ବିପଦ ରହିଛି ବୋଲି ସ୍ୱାତୀ ଅଦାଲତଙ୍କୁ କାନ୍ଦି କାନ୍ଦି ଜଣାଇବାରୁ ବିଚାରପତି ଉଭୟ ପକ୍ଷର ଓକିଲଙ୍କ ଯୁକ୍ତି ଶୁଣିବା ସହ ଜାମିନ ଆବେଦନ ଉପରେ ରାୟ ଅପରାହ୍ନ ୪ଟା ପର୍ଯ୍ୟନ୍ତ ସ୍ଥଗିତ ରଖିଥିଲେ । ବିଭବ କୁମାରଙ୍କୁ ଦିଲ୍ଲୀ ପୁଲିସ ଗିରଫ କରିବା ପରେ ସୁପ୍ରିମ କୋର୍ଟରୁ ଆନ୍ତରୀଣ ଜାମିନରେ ଆସି ବାହାରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରୀୱାଲ ବିଜେପି ନେତୃତ୍ୱ ବିରୋଧରେ ବଡ ଅଭିଯୋଗ କରିଥିଲେ । ବିଜେପି ‘ଆପ୍’ର ସବୁ ବଡ ନେତାଙ୍କୁ ଗିରଫ କରି ଜେଲରେ ପୁରାଇବା ଷଡଯନ୍ତ୍ର ରଚିଛି ବୋଲି ଅଭିଯୋଗ କରି ଦଳର ସବୁ ବଡ ନେତାଙ୍କୁ ନେଇ ଦିଲ୍ଲୀସ୍ଥିତ ବିଜେପି କାର୍ଯ୍ୟାଳୟକୁ ଶୋଭାଯାତ୍ରାରେ ଯାଇଥିଲେ । ତେବେ, ସେତେବେଳେ ସେ ସ୍ୱାତୀ ମାଲିୱାଲଙ୍କ ଅଭିଯୋଗ ଉପରେ କୌଣସି ପ୍ରକାର ମନ୍ତବ୍ୟ ଦେଇ ନଥିଲେ । ଆଜି ସ୍ୱାତୀଙ୍କ ଓକିଲ କୋର୍ଟରେ ପ୍ରଶ୍ନ କରିଛନ୍ତି, ସ୍ୱାତୀ ଯଦି ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଜୋର ଜବରଦସ୍ତ ପ୍ରବେଶ କରିଥିଲେ ତେବେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍ୱାତୀଙ୍କ ବିରୋଧରେ ଏତଲା ହୋଇ ନାହିଁ କାହିଁକି ? ଦିଲ୍ଲୀ ପୁଲିସ ପକ୍ଷରୁ ମଧ୍ୟ ପ୍ରଶ୍ନ ହୋଇଛି, କେଜରୀୱାଲ ଦିନେ ଯାହାକୁ ‘ଲେଡି ସିଂହମ୍’ ବୋଲି କହୁଥିଲେ ଆଜି ସେହି ମହିଳା କେମିତି ‘ଆପ୍’କୁ ବଦନାମ କରିବା ପାଇଁ ବିଜେପିର ଅସ୍ତ୍ର ସାଜିଛନ୍ତି ବୋଲି ଅଭିଯୋଗ କରାଯାଉଛି ? ଯେଉଁ ବ୍ୟକ୍ତିଙ୍କୁ ସୁରକ୍ଷା ଦିଆଯାଉଛି ସେ ଜଣେ ବହିଷ୍କୃତ ସରକାରୀ କର୍ମଚାରୀ । ବିଭବ କୁମାରଙ୍କ ଓକିଲ ଯୁକ୍ତି ଦର୍ଶାଇଛନ୍ତି, ସେ କେବଳ ତାଙ୍କ ମହକିଲଙ୍କ ଜାମିନ ପାଇଁ ଆବେଦନ କରିଛନ୍ତି, ତାଙ୍କୁ ଦୋଷମୁକ୍ତ କରାଯିବାକୁ ଆବେଦନ କରି ନାହାନ୍ତି । ମେ’ ୧୩ ତାରିଖ ଘଟିଥିବା ଘଟଣାକୁ ନେଇ ପୁଲିସ ଯେଉଁ ମାମଲା ରୁଜୁ କରିଛି ତାହା ସଂପୂର୍ଣ୍ଣ ଭାବେ ପୂର୍ବ ଯୋଜନା ମୁତାବକ ହୋଇଛି । ବିଭବ କୁମାର କେବଳ ସ୍ୱାତୀଙ୍କ ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠରେ ଜବରଦସ୍ତ ପ୍ରବେଶ ଉଦ୍ୟମକୁ ରୋକି ଥିଲେ । ଦିଲ୍ଲୀ ପୁଲିସ ବିଭବଙ୍କ ବିରୋଧରେ ଜଣେ ମହିଳାଙ୍କୁ ଯୌନ ଉତ୍ପୀଡନ ଦିଆଯାଇଥିବା ନେଇ ଆଇପିସିର ବିଭିନ୍ନ ଦଫାରେ ଯେଉଁ ମାମଲା ରୁଜୁ କରିଛନ୍ତି ତାହା ପ୍ରୟୋଜିତ । ସ୍ୱାତୀ ଘଟଣା ଘଟିବା ଦିନ ଥାନାରେ ଏତଲା ନ ଦେଇ ତିନି ଦିନ ପରେ ଏତଲା ଦେବାର ରହସ୍ୟ କଣ (?) ବୋଲି ବିଭବ କୁମାରଙ୍କ ଓକିଲ କୋର୍ଟରେ ପ୍ରଶ୍ନ ଉଠାଇଛନ୍ତି । ଅପରାହ୍ନ ୪ଟାରେ ଦିଲ୍ଲୀ ତିସ୍ ହଜାରୀ କୋର୍ଟ ବିଭବ କୁମାରଙ୍କ ଜାମିନ ଆବେଦନକୁ ନାମଂଜୁର କରିବାରୁ ସେ ଏହା ବିରୋଧରେ ହାଇକୋର୍ଟରେ ଆବେଦନ କରିବେ ବୋଲି ବିଭବ କୁମାର କହିଛନ୍ତି । ସ୍ୱାତୀ ମାଲିୱାଲ ବନାମ ବିଭବ କୁମାର ମାମଲା ଏବେ ଅଦାଲତରେ ପହଂଚି ସାରିଥିବା ବେଳେ ଦିଲ୍ଲୀରେ ବିଜେପି ବନାମ ‘ଆପ୍’ ଲଢେଇରେ ରୂପାନ୍ତରିତ ହୋଇସାରିଛି । ସ୍ୱାତୀ ‘ଆପ୍’ର ରାଜ୍ୟସଭା ସାଂସଦ ଥିବା ସତ୍ତ୍ୱେ ମୁଖ୍ୟମନ୍ତ୍ରୀ କେଜରୀୱାଲ ମେ’ ୧୩ ତାରିଖ ଦିନ ତାଙ୍କୁ ଭେଟିବାକୁ ଚାହିଁ ନଥିଲେ କାହିଁକି (?) ଓ ମାଲିୱାଲ ମଧ୍ୟ ଘଟଣା ଘଟିବାର ତିନି ଦିନ ପର୍ଯ୍ୟନ୍ତ ଏତଲା ନଦେଇ ପରେ ଏତଲା ଦେବାକୁ ସ୍ଥିର କଲେ କାହିଁକି (?) – ତାହା ଆଜି ଦିନର ପ୍ରଶ୍ନ ହୋଇଛି । ମେ’ ୨୫ ତାରିଖ ଦିନ ଦିଲ୍ଲୀର ସାତଟି ଲୋକସଭା ଆସନ ପାଇଁ ମତଦାନ ସରିଛି । ନିର୍ବାଚନ ସମୟରେ ସ୍ୱାତୀଙ୍କ ‘ଆପ୍’ ବିରୋଧରେ ଅଭିଯୋଗ ନିର୍ବାଚନକୁ କେତେମାତ୍ରାରେ ପ୍ରଭାବିତ କରିଛି ତାହା ଫଳାଫଳ ଆସିଲେ ସ୍ପଷ୍ଟ ହେବ ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS