ଓଡ଼ିଶାରେ ଶେଷ ପର୍ଯ୍ୟାୟ ନିର୍ବାଚନ, ବିଜେପିର ଶେଷ ପ୍ରହାର..


ପ୍ରସାଦ ରାଓ
ଭୁବନେଶ୍ୱର/ମଇ ୨୮
ଲୁହା ଗରମ ଥିବା ସମୟରେ କମାର ତାହାକୁ ଇଚ୍ଛା ମୁତାବକ ରୂପ ଦେବା ପାଇଁ ଶେଷ ପ୍ରହାର କରିଥାଏ । ଆଜି ଓଡ଼ିଶା ରାଜନୀତି ସେଭଳି ଏକ ନିର୍ଣ୍ଣାୟକ ମୋଡରେ ପହଂଚିଛି । ଗଲା ୨୪ ବର୍ଷରୁ ଅଧିକ ସମୟ ହେଲା ରାଜ୍ୟରେ ବିଜେଡ଼ି ସରକାର ରହିଛି । ଦଳ ଷଷ୍ଠ ଥର ପାଇଁ କ୍ଷମତାକୁ ଫେରିବା ସକାଶେ ସମସ୍ତ ଶକ୍ତି ଖଟାଇ ଥିବା ବେଳେ ବିଜେପି ଏଥର କ୍ଷମତା ଦଖଲ କରିବା ଆଶାରେ ନିଜର ସମସ୍ତ କଳ, ବଳ, କୌଶଳ ପ୍ରୟୋଗ କରି ଚାଲିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଲଗାତର ଓଡ଼ିଶା ଆସୁଛନ୍ତି ଏବଂ ଓଡ଼ିଶାରେ ଏକ ବିଜେଡ଼ି ବିରୋଧୀ ହାୱା ରହିଥିବା ଅନୁମାନ କରି ଜନମତକୁ ନିଜ ସପକ୍ଷରେ ପ୍ରଭାବିତ କରିବା ପାଇଁ ‘ଓଡ଼ିଆ ଅସ୍ମିତା’ ଲୁହା ଉପରେ ଚୋଟ ପରେ ଚୋଟ ମାରୁଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଣେ ତାମିଲଭାଷୀଙ୍କୁ ନିଜ ଉତ୍ତରାଧିକାରୀ କରିବାକୁ ଚାହୁଁ ଥିବାରୁ ଓଡ଼ିଶାବାସୀ ଜଣେ ଓଡ଼ିଆଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛନ୍ତି କି ନାହିଁ ବୋଲି ପ୍ରଶ୍ନ କରି ଶେଷ ପର୍ଯ୍ୟାୟ ମତଦାନ ନିଜ ପକ୍ଷରେ ନେବାର ପ୍ରୟାସରେ ଥିବା ବେଳେ ବାହାରୁ ଆସୁଥିବା ବିଜେପି ନେତାମାନେ କଂଚା ମିଛ କହୁଛନ୍ତି, ତାହାକୁ ବିଶ୍ୱାସ ନକରି ଓଡ଼ିଶାବାସୀ ରାଜ୍ୟର ଦୃତ ବିକାଶ ପାଇଁ ବିଜେଡ଼ି ସପକ୍ଷରେ ହିଁ ମତଦାନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ନିର୍ବାଚନ ସଭା, ସମାବେଶରେ ନିବେଦନ କରୁଥିବା ପରିସ୍ଥିତି କେତେ ଗମ୍ଭୀର ତାହା ସୂଚାଉଛି । ରାଜ୍ୟରେ ମେ’ ୧୩ ତାରିଖରୁ ଚାଲିଥିବା ଚାରି ପର୍ଯ୍ୟାୟ ଲୋକସଭା ଓ ରାଜ୍ୟ ବିଧାନସଭା ନିର୍ବାଚନ ଶେଷ ପ୍ରହରରେ ପହଂଚି ଥିବା ବେଳେ ଗଲା ତିନିଟି ପର୍ଯ୍ୟାୟ ମତଦାନରେ ଦୁଇ ଦଳ ସରକାର ଗଠନ ପାଇଁ ଆବଶ୍ୟକ ସଂଖ୍ୟା ହାସଲ କରିସାରିଥିବା ଦାବି କରୁଛନ୍ତି । ୨୦୧୯ ସାଧାରଣ ନିର୍ବାଚନରେ ମଧ୍ୟ ଦୁଇ ଦଳ ମୁହାଁମୁହିଁ ହୋଇଥିଲେ । ନିର୍ବାଚନ ଜିତିବା ପାଇଁ ପରସ୍ପର ପରସ୍ପରକୁ ଭାଷଣରେ ଆକ୍ରମଣ କରିଥିଲେ । ବିଜେପି ଆକ୍ରମଣାତ୍ମକ ଥିଲେ ମଧ୍ୟ ବିଜେଡ଼ି ମୁଖ୍ୟଙ୍କ ନିର୍ବାଚନ ପ୍ରଚାର ଶେଷ ପର୍ଯ୍ୟନ୍ତ ମାର୍ଜିତ ଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାରକୁ ବିଜେପିର ରାଷ୍ଟ୍ରୀୟ ନେତାମାନେ ପୋଡା ଟ୍ରାନ୍ସଫର୍ମର କହି ରାଜ୍ୟରେ ବିଜେପି ସରକାର ଆସିଲେ ହିଁ ଦୁଇଟି ଇଂଜିନ ବିକାଶକୁ ଅଧିକ ବେଗରେ ଆଗେଇ ନେବ ବୋଲି ଓଡ଼ିଶାବାସୀଙ୍କୁ ବୁଝାଇବାକୁ ଉଦ୍ୟମ କରିଥିଲେ । ତେବେ, ନିର୍ବାଚନ ଫଳାଫଳ ଭିନ୍ନ କଥା କହିଥିଲା । ରାଜ୍ୟବାସୀ ନବୀନଙ୍କ ନେତୃତ୍ୱ ପ୍ରତି ଆସ୍ଥା ବ୍ୟକ୍ତ କରି ବିଜେଡ଼ିକୁ ୧୪୭ରୁ ୧୧୨ ବିଧାନସଭା ଓ ୨୧ରୁ ୧୨ଟି ଲୋକସଭା ଆସନରେ ବିଜୟୀ କରାଇ ଥିଲେ । ତେବେ, ୨୦୨୪ ସାଧାରଣ ନିର୍ବାଚନରେ ବିଜେପି ମୁଖ୍ୟମନ୍ତ୍ରୀଙ୍କ ଅସୁସ୍ଥତାକୁ ପ୍ରସଙ୍ଗ କରି ବିଜେଡ଼ିକୁ ଘେରିଛି । ଅସୁସ୍ଥ ମୁଖ୍ୟମନ୍ତ୍ରୀଙ୍କୁ ଗୃହବନ୍ଦୀ ରଖି କିଛି ଅଣ ଓଡ଼ିଆ ପ୍ରଶାସକ ରାଜ୍ୟର ଶାସନକୁ ନିୟନ୍ତ୍ରଣକୁ ନେଇ ସାରିଥିବା ଅଭିଯୋଗ କରୁଛି । ପୂର୍ବତନ ଆଇଏଏସ୍ ତଥା ବର୍ତ୍ତମାନର ବିଜେଡ଼ି ନେତା ଭି.କେ.ପାଣ୍ଡିଆନ ୨୦୨୪ ସାଧାରଣ ନିର୍ବାଚନର ବର୍ଷକ ପୂର୍ବରୁ ରାଜ୍ୟସାରା ଗସ୍ତ କରି ମୁଖ୍ୟମନ୍ତ୍ରୀଙ୍କ ପାଇଁ ଜନ ଅଭିଯୋଗ ଶୁଣାଣୀ କରିଥିଲେ ଏବଂ ସେସବୁ ଅଭିଯୋଗ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଉପସ୍ଥାପନ କରି ସମାଧାନ ଦିଗରେ ପଦକ୍ଷେପ ନେଇଥିଲେ । ସେତେବେଳେ ରାଜ୍ୟ ବିଜେପି ନେତାମାନେ ପାଣ୍ଡିଆନଙ୍କ ବିରୋଧରେ କେନ୍ଦ୍ର ସରକାରଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ସରକାରଙ୍କ ଆଡୁ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିଲା । ଓଲଟା, କେନ୍ଦ୍ର ସରକାରଙ୍କ କାର୍ମିକ ମନ୍ତ୍ରଣାଳୟ ପାଣ୍ଡିଆନଙ୍କ ବିରୋଧରେ ହୋଇଥିବା ଅଭିଯୋଗର ତଦନ୍ତ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ଦାୟିତ୍ୱମୁକ୍ତ ହୋଇଯାଇଥିଲେ । କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଓଡ଼ିଶା ଗସ୍ତରେ ଆସିଥିବା ସମୟରେ ତାରକା ହୋଟେଲରେ ପାଣ୍ଡିଆନଙ୍କ ସହ ନିଭୃତ ଆଲୋଚନା କରି ଥିଲେ । ପରବର୍ତ୍ତୀ ସମୟରେ ପାଣ୍ଡିଆନ ସ୍ୱତଃ ଅବସର ଗ୍ରହଣ ନିଷ୍ପତ୍ତି ନେଇ କେନ୍ଦ୍ର ସରକାରଙ୍କୁ ଆବେଦନ କରିଥିଲେ ଏବଂ ତାହା ମଧ୍ୟ ସରକାରଙ୍କ ଆଡୁ ତୁରନ୍ତ ମଂଜୁର ହୋଇଥିଲା । ପାଣ୍ଡିଆନ ବିଜେଡ଼ିରେ ଯୋଗ ଦେବା ପରେ ବିଜେଡ଼ି-ବିଜେପି ମେଂଟ ଉଦ୍ୟମର ନେତୃତ୍ୱ ନେଇଥିଲେ ଓ ବିଜେଡ଼ି ରାଜ୍ୟ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ସାଥିରେ ନେଇ ଦିଲ୍ଲୀ ଯାଇ ବିଜେପି କେନ୍ଦ୍ରୀୟ ନେତାଙ୍କ ସହ ଆଲୋଚନା କରୁଥିଲେ । ବିଜେପି ରାଜ୍ୟ କାର୍ଯ୍ୟକର୍ତ୍ତାମାନେ ବିରୋଧ କରିବାରୁ ଦୁଇ ଦଳ ମଧ୍ୟରେ ମେଂଟ ସମ୍ଭବ ହୋଇନଥିଲା ଏବଂ ଏବେ ଦୁଇ ଦଳ ଉଗ୍ର ଭାବେ ପରସ୍ପର ବିରୋଧରେ ନିର୍ବାଚନ ଲଢୁଛନ୍ତି । ମେଂଟ ଗଠନ ଉଦ୍ୟମ ଫସର ଫାଟିବା ଯାଏଁ ଯେଉଁ ବିଜେପି ରାଷ୍ଟ୍ରୀୟ ନେତୃବୃନ୍ଦ ପାଣ୍ଡିଆନଙ୍କୁ ମୁଣ୍ଡରେ ବସାଇ ଥିଲେ ସେମାନେ ଆଜି ନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀଙ୍କ ଅପେକ୍ଷା ବିଜେଡ଼ି ନେତା ପାଣ୍ଡିଆନଙ୍କୁ ଅଧିକ ଉଗ୍ର ଆକ୍ରମଣ କରୁଛନ୍ତି । ପୁରୀ ଶ୍ରୀମନ୍ଦିରର ରତ୍ନ ଭଣ୍ଡାର ଚାବି ପାଣ୍ଡିଆନ ଚୋରାଇ ନେଇ ତାମିଲନାଡୁରେ ଲୁଚାଇ ଦେଇଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଅସୁସ୍ଥତାର ସୁଯୋଗ ନେଇ ପାଣ୍ଡିଆନ ଓ ତାଙ୍କର କିଛି ଘନିଷ୍ଟ ସହଯୋଗୀ (ଅଣ ଓଡ଼ିଆ ପ୍ରଶାସନିକ ଅଧିକାରୀ) ତାଙ୍କୁ ଗୃହବନ୍ଦୀ କରି ରଖିବା ସହ ନିଜ ଇଚ୍ଛା ଅନୁସାରେ ଓଡ଼ିଶା ଶାସନ ଚଳାଉଛନ୍ତି, ପାଣ୍ଡିଆନଙ୍କୁ ମୁଖ୍ୟମନ୍ତ୍ରୀ ନିଜର ଉତ୍ତରାଧିକାରୀ ବାଛି ସାରିଲେଣି, ଅଣ-ଓଡ଼ିଆଙ୍କ ହାତରେ ରାଜ୍ୟକୁ ସମର୍ପି ଦେବାକୁ ମୁଖ୍ୟମନ୍ତ୍ରୀ ଚାହୁଁ ଥିବାରୁ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ଅସ୍ମିତା ବିପନ୍ନ ହୋଇଛି ବୋଲି ବିଜେପି ରାଷ୍ଟ୍ରୀୟ ନେତାମାନେ ନିର୍ବାଚନ ସମୟରେ ଯେଉଁ ପ୍ରଚାର ଚଳାଇଛନ୍ତି ତାହା ସଂପୂର୍ଣ୍ଣ ଭାବେ ମିଛ ବୋଲି ମୁଖ୍ୟମନ୍ତ୍ରୀ ନିଜେ କହୁଥିଲେ ସୁଦ୍ଧା ବିଜେପି ନେତୃତ୍ୱ ଏଭଳି ବ୍ୟାଖ୍ୟାନରେ ପୂର୍ଣ୍ଣଛେଦ ନ ପକାଇ ଶେଷ ପର୍ଯ୍ୟାୟ ଭୋଟ ସମୟରେ ମଧ୍ୟ ସେହି ଏକା ଗୀତ ଗାଉଥିବା ରାଜ୍ୟବାସୀଙ୍କୁ ଭ୍ରମିତ କରିବାକୁ ଏକ ସୁଚିନ୍ତିତ ପ୍ରଚାର କୌଣଳ କୁହାଯାଇପାରେ । ବିଜେପିର ଏହି ପ୍ରଚାର ମୁଖ୍ୟମନ୍ତ୍ରୀଙ୍କୁ ସେ ସୁସ୍ଥ ଅଛନ୍ତି ଏବଂ ରାଜ୍ୟ ଶାସନ ତାଙ୍କ ନିୟନ୍ତ୍ରଣରେ ରହିଛି ପ୍ରମାଣ ଦେବାକୁ ପଡୁଛି । ମୁଖ୍ୟମନ୍ତ୍ରୀ ‘ନବୀନ ନିବାସ’ରୁ ବାହାରକୁ ଆସି ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ଅଂଚଳରେ ନିର୍ବାଚନ ସଭା କରିବା ସହ ସଭାମଂଚରେ ଓ ରୋଡ-ସୋ’ରେ ନିଜର ସକ୍ଷମତାର ପ୍ରମାଣ ରଖିବାକୁ ବାଧ୍ୟ ହୋଇଛନ୍ତି । ତଥାପି ବିଜେପି ନବୀନଙ୍କ ଭିଡ଼ିଓ ବାର୍ତ୍ତା ସବୁ ଆର୍ଟିଡଫିସିଆଲ୍ ଇଂଟେଲିଜେନ୍ସ (ଏଆଇ)ର କମାଲ୍ କହି ଓଡ଼ିଶାବାସୀଙ୍କୁ ଭ୍ରମିତ କରିବା ଉଦ୍ୟମ ଜାରି ରଖିଛି । ଯେତେବେଳେ ଦେଶର ପ୍ରଧାନମନ୍ତ୍ରୀ, ଗୃହ ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ବିଜେପି ଶାସିତ ରାଜ୍ୟ ମୁଖ୍ୟମନ୍ତ୍ରୀ ଓ ଦଳର ବରିଷ୍ଠ ନେତାମାନେ ଆସି ‘ମୁଖ୍ୟମନ୍ତ୍ରୀ ଅସୁସ୍ଥ, ପାଣ୍ଡିଆନ ରାଜ୍ୟ ଶାସନକୁ ହଡପି ନେଇଛନ୍ତି, ଗଲା ୨୪ ବର୍ଷରେ ରାଜ୍ୟରେ କିଛି ବିକାଶ ହୋଇ ନାହିଁ, ଥରେ ବିଜେପି ହାତରେ କ୍ଷମତା ସମର୍ପି ଦିଅନ୍ତୁ, ଦେଖିବେ ଡବଲ ଇଂଜିନର କମାଲ୍’ ବୋଲି ଜୋରଦାର ପ୍ରଚାର କରୁଛନ୍ତି ମତଦାତାଙ୍କ ଉପରେ ତାହାର କିଛିଟା ପ୍ରଭାବ ପଡିବା ନିଶ୍ଚିତ । ତାହା ମଧ୍ୟ ଦେଖିବାକୁ ମିଳୁଛି । ମୁଖ୍ୟମନ୍ତ୍ରୀଙ୍କ ଅସୁସ୍ଥତା ଏବଂ ବିଜେଡ଼ି ଓ ସରକାର ଉପରେ ପାଣ୍ଡିଆନଙ୍କ ନିରଂକୁଶ ନିୟନ୍ତ୍ରଣ ଚଳିତ ନିର୍ବାଚନରେ ପ୍ରମୁଖ ଚର୍ଚ୍ଚାର ବିଷୟ ହୋଇଛି । ଲୁହା ଗରମ ଥିବା ବେଳେ ପାହାର ପକାଇବା ନ୍ୟାୟରେ ବିଜେପି ମଧ୍ୟ ୨୦୨୪ ନିର୍ବାଚନରେ ଓଡ଼ିଶା ଦଖଲ ଆଶା ରଖି ଥିବାରୁ ଓଡ଼ଶାବାସୀଙ୍କ ନୀରିହତାକୁ ପ୍ରହାର କରି ଚାଲିଛି । ଗଲା ତିନି ପର୍ଯ୍ୟାୟ ମତଦାନରେ ବିଜେପିର ଏହି ବ୍ୟାଖ୍ୟାନ ମତଦାତାଙ୍କୁ ପ୍ରଭାବିତ କରିଥିବା ଓ ଶେଷ ପର୍ଯ୍ୟାୟ ମତଦାନରେ ମଧ୍ୟ ପ୍ରଭାବ ପକାଇବାକୁ ଯାଉଥିବା ବିଜେପି ନେତାମାନେ ଦାବି କରୁଛନ୍ତି । ତେବେ, ଗତ ୨୪ ବର୍ଷ ହେଲା ରାଜ୍ୟବାସୀ ଓଡ଼ିଶାରେ ସ୍ଥିର ଓ ସାଂପ୍ରଦାୟିକ ସଦ୍ଭାବନାପୂର୍ଣ୍ଣ ଶାସନ ଦେଖି ଆସୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଅସୁସ୍ଥତା ଏବଂ ଓଡ଼ିଆ ଅସ୍ମିତା କଥା କହି ବିଜେପି ରାଜ୍ୟବସୀଙ୍କୁ ଭ୍ରମିତ କରିବାରେ କେତେମାତ୍ରାରେ ସଫଳ ହୋଇଛି ତାହା ନିର୍ବାଚନ ଫଳାଫଳରୁ ଜଣାପଡିଛି । ୨୦୧୯ ଭଳି ୨୦୨୪ ନବୀନଙ୍କର ହୋଇ ରହିବ ନା ଓଡ଼ିଶାବାସୀ ବିଜେପିକୁ ଥରେ ସୁଯୋଗ ଦେବାକୁ ଇଚ୍ଛା କରିବେ – ତାହା ଆସନ୍ତା ସପ୍ତାହରେ ସ୍ପଷ୍ଟ ହୋଇଯିବ ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS