ଜୁନ ୦୨ରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଜେଲକୁ ଫେରିବେ


ପ୍ରସାଦ ରାଓ
ମଇ ୨୮
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ତାଙ୍କୁ ସୁପ୍ରିମ କୋର୍ଟରୁ ମେ’ ୧୦ ତାରିଖରେ ମିଳିଥିବା ୨୧ ଦିନିଆ ଅନ୍ତରୀଣ ଜାମିନକୁ ଆଉ ସାତ ଦିନ ବୃଦ୍ଧି କରାଯିବାକୁ ଆବେଦନ କରିଥିଲେ । ସେ ଆବଶ୍ୟକ ସ୍ୱାସ୍ଥ୍ୟ ପରୀକ୍ଷା ପରେ ଜୁନ ୦୯ ତାରିଖରେ ତିହାର ଜେଲରେ ଆତ୍ମସମର୍ପଣ କରିବାକୁ ଚାହୁଁଥିବା ମଧ୍ୟ ସୁପ୍ରିମ କୋର୍ଟଙ୍କୁ ଜଣାଇ ଥିଲେ । ତେବେ, ସୁପ୍ରିମ କୋର୍ଟ ବିଚାରପତି ଜଷ୍ଟିସ ଜେ.କେ.ମାହେଶ୍ୱରୀ ଓ ଜଷ୍ଟିସ କେ.ଭି.ବିଶ୍ୱନାଥନଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଆବେଦନ ଉପରେ ତ୍ୱରିତ ଶୁଣାଣୀ କରିବାକୁ ମନା କରି ଦେଇଛନ୍ତି । ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡଙ୍କ ନିକଟକୁ ତାଙ୍କ ଆବେଦନକୁ ପଠାଇ ଦିଆଯିବ । ସେ ଏହା ଉପରେ କେବେ ଶୁଣାଣୀ ହେବ ତାହା ନିର୍ଣ୍ଣୟ କରିବେ ବୋଲି ସୁପ୍ରିମ କୋର୍ଟର ଏହି ଅବକାଶକାଳୀନ ବେଂଚ୍ ଆଜି କହିଛନ୍ତି । ଦିଲ୍ଲୀ ସରକାରଙ୍କ ଅବକାରୀ ନୀତିରେ ଦୁର୍ନୀତି ମାମଲାରେ ଇଡି ତାଙ୍କୁ ଗିରଫ କରିଥିବା କଥାକୁ ଚ୍ୟାଲେଂଜ କରି ମୁଖ୍ୟମନ୍ତ୍ରୀ କେଜରୀୱାଲ ସୁପ୍ରିମ କୋର୍ଟରେ ଯେଉଁ ଆବେଦନ କରିଥିଲେ ତାହା ଉପରେ ମେ’ ୧୭ ତାରିଖରେ ଶେଷ ଶୁଣାଣୀ ହୋଇ ରାୟ ସଂରକ୍ଷିତ ଥିବାରୁ ପ୍ରଧାନ ବିଚାରପତି ହିଁ ତାଙ୍କ ଆବେଦନ (ଅନ୍ତରୀଣ ଜାମିନ ସାତ ଦିନ ବଢାଇବା)କୁ ପଂଜୀକୃତ କରିବା ନେଇ ଉପଯୁକ୍ତ ନିର୍ଣ୍ଣୟ ନେବେ ବୋଲି ସୁପ୍ରିମ କୋର୍ଟ ବେଂଚ ଆଜି କେଜରୀୱାଳଙ୍କୁ ଜଣାଇ ଦେଇଛନ୍ତି । କେଜରୀୱାଲଙ୍କ ପକ୍ଷରୁ ଅନ୍ତରୀଣ ଜାମିନ ଆଉ ସାତ ଦିନ ବୃଦ୍ଧି କରାଯିବାକୁ ହୋଇଥିବା ଆବେଦନର ସମୟକୁ ନେଇ ମଧ୍ୟ ସୁପ୍ରିମ କୋର୍ଟ ବେଂଚ ପ୍ରଶ୍ନ ଉଠାଇଛନ୍ତି । ଗତ ସପ୍ତାହରେ ସେ ଏହି ଆବେଦନ କରିପାରିଥା’ନ୍ତେ । କେଜରୀୱାଲଙ୍କୁ ଅନ୍ତରୀଣ ଜାମିନ ମଂଜୁର କରିଥିବା ବେଂଚରେ ଜଷ୍ଟିସ ଦୀପଂକର ଦତ୍ତ ଥିଲେ ଏବଂ ଗତ ସପ୍ତାହରେ ସେ ବିଭିନ୍ନ ମାମଲାର ଶୁଣାଣୀ କରୁଥିଲେ । କେଜରୀୱାଲ ସେହି ସମୟରେ ତାଙ୍କ ଅନ୍ତରୀଣ ଜାମିନ ସାତ ଦିନ ବଢାଇବାକୁ ଆବେଦନ କଲେ ନାହିଁ କାହିଁକି (?) ବୋଲି ଜଷ୍ଟିସ ମାହେଶ୍ୱରୀ ଓ ଜଷ୍ଟିସ ବିଶ୍ୱନାଥନଙ୍କ ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି । ସୁପ୍ରିମ କୋର୍ଟଙ୍କ ପୂର୍ବ ନିର୍ଦେଶ ଅନୁଯାୟୀ ଜୁନ ୦୧ ତାରିଖ ଦିନ ଦେଶରେ ସାଧାରଣ ନିର୍ବାଚନ ସରିବା ସହ ମୁଖ୍ୟମନ୍ତ୍ରୀ କେଜରୀୱାଲଙ୍କ ୨୧ ଦିନ ଅନ୍ତରୀଣ ଜାମିନ ସମୟ ଶେଷ ହେଉଛି । ଜୁନ ୦୨ ତାରିଖରେ ସେ ତିହାର ଜେଲରେ ଆତ୍ମସମର୍ପଣ କରିବାକୁ ପଡିବ । ନହେଲେ ତାଙ୍କ ବିରୋଧରେ କୋର୍ଟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । କେଜରୀୱାଲଙ୍କ ଓକିଲ ଅଭିଷେକ ମନୁ ସିଂଘଭି ଆଜି ସୁପ୍ରିମ କୋର୍ଟ ବେଂଚ ସମ୍ମୁଖରେ ଉପସ୍ଥିତ ହୋଇ ଅନ୍ତରୀଣ ଜାମିନ ସାତ ଦିନ ବୃଦ୍ଧି ପାଇଁ ହୋଇଥିବା ଆବେଦନ ଉପରେ ତ୍ୱରିତ ଶୁଣାଣୀ ପାଇଁ ଆବେଦନ କରିଥିଲେ । କେଜରୀୱାଲ କୋର୍ଟ ନିଜରରେ ରହିବେ । କୁଆଡେ ଫେରାର ହୋଇଯିବା ଆଶଙ୍କା ନାହିଁ । ସୁପ୍ରିମ କୋର୍ଟ ଦ୍ୱାରା ଧାର୍ଯ୍ୟ ସର୍ତ୍ତାବଳୀକୁ ମାନି ସେ ଜେଲ ବାହାରେ ରହିବେ ଓ ଅବଶ୍ୟକ ସ୍ୱାସ୍ଥ୍ୟ ପରୀକ୍ଷା କରାଇବେ ବୋଲି ସିଂଘଭି ସୁପ୍ରିମ କୋର୍ଟ ବେଂଚକୁ ଜଣାଇ ଥିଲେ । ତେବେ, ସୁପ୍ରିମ କୋର୍ଟ ବେଂଚ ଆବେଦନ ଉପରେ ତ୍ୱରିତ ଶୁଣାଣୀ ପାଇଁ ଆବେଦନକୁ ଅଗ୍ରାହ୍ୟ କରି ପ୍ରଧାନ ବିଚାରପତି ଏହା ଉପରେ ଉଚିତ ନିର୍ଣ୍ଣୟ ନେବେ ବୋଲି କହିଥିଲେ । ଏଠାରେ ସୂଚନାଯୋଗ୍ୟ, ସୁପ୍ରିମ କୋର୍ଟ ଚଳିତ ଲୋକସଭା ନିର୍ବାଚନ ପ୍ରଚାରରେ ଭାଗ ନେବା ପାଇଁ ‘ଆପ୍’ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରୀୱାଲଙ୍କୁ ୨୧ ଦିନ ପାଇଁ ଅନ୍ତରୀଣ ଜାମିନ ଦେଇ ଜୁନ ୦୨ ତାରିଖରେ ତିହାର ଜେଲରେ ଆତ୍ମସମର୍ପଣ କରିବାକୁ ନିର୍ଦେଶ ଦେଇଥିଲେ ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS