ଶେଷ ପର୍ଯ୍ୟାୟ ଭୋଟରେ ମନମୋହନଙ୍କ ଚିଠି !


ପ୍ରସାଦ ରାଓ
ନୂଆଦିଲ୍ଲୀ/ମଇ ୩୦
୨୦୨୪ ଲୋକସଭା ନିର୍ବାଚନର ଶେଷ ପର୍ଯ୍ୟାୟ ମତଦାନ ଶନିବାର (ଜୁନ ୦୧ ତାରିଖ) ହେବାକୁ ଯାଉଛି । ଆଜି ନିର୍ବାଚନ ପ୍ରଚାରର ଶେଷ ଦିନ ଥିବା ବେଳେ କଂଗ୍ରେସ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କୁ ସାମ୍ନାକୁ ଆଣିଛି । ୯୧ ବର୍ଷ ବୟସ୍କ ସିଂହ ଆଜି ପଂଜାବବାସୀଙ୍କୁ ତିନି ପୃଷ୍ଠାର ଏକ ଭାବପୂର୍ଣ୍ଣ ପତ୍ର ଲେଖିଛନ୍ତି ଏବଂ ବିଜେପିର ଗତ ଦଶ ବର୍ଷର ଶାସନରେ ଦେଶର ଗଣତନ୍ତ୍ର ଓ ସମ୍ବିଧାନ ଉପରେ ବାରମ୍ବାର ଆକ୍ରମଣ ଚାଲିଥିବା ଦର୍ଶାଇ ତାହାକୁ ସୁରକ୍ଷା ଦେବା ପାଇଁ ଏହା ଶେଷ ସୁଯୋଗ ବୋଲି କହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପିର ଗତ ଦଶ ବର୍ଷର ଶାସନରେ ଦେଶର ଅର୍ଥନୀତି ବିପର୍ଯ୍ୟସ୍ତ ହୋଇପଡିଥିବା ଦର୍ଶାଇ ଡକ୍ଟର ସିଂହ କହିଛନ୍ତି, ଦେଶରେ ବିମୁଦ୍ରୀକରଣ କରାଯିବା ଏକ ବିପର୍ଯ୍ୟୟ ଥିଲା । ସରକାରଙ୍କ ଜିଏସଟି ନୀତି ମଧ୍ୟ ତୃଟିପୂର୍ଣ୍ଣ । ସରକାରଙ୍କ କୋଭିଡ଼ ମହାମାରୀ ପରିଚାଳନା ମଧ୍ୟ ତୃଟିପୂର୍ଣ୍ଣ ଥିଲା । ଫଳରେ, ଦେଶର ଅର୍ଥନୀତି ବିପର୍ଯ୍ୟୟମୁଖୀ ହେବା ସହ ତାହାର ପରିଣତି ମଧ୍ୟ ଯନ୍ତ୍ରଣାଦାୟକ ଥିଲା । ତାଙ୍କ ନେତୃତ୍ୱରେ ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ଦେଶରେ କ୍ଷମତାରେ ଥିବା ୟୁପିଏ ସରକାରରେ ଜିଡିପି ଅଭିବୃଦ୍ଧି ହାର ପ୍ରାୟ ଆଠ (୦୮) ପ୍ରତିଶତ ରହିଥିବା ବେଳେ ବିଜେପି ଶାସନରେ ଗଲା ୧୦ ବର୍ଷରେ ତାହା ତାହା ଛଅ (୦୬) ପ୍ରତିଶତ ତଳକୁ ଖସି ଯାଇଛି । ଦେଶରେ ବେକାରୀ ଓ ମୁଦ୍ରାସ୍ଫୀତି ହାର ଉଦ୍ବେଗଜନକ ରହିଥିବା ବେଳେ ଅର୍ଥନୈତିକ ବୈଷମ୍ୟ ମଧ୍ୟ ବହୁଗୁଣ ବୃଦ୍ଧି ପାଇଛି । ଏଠାରେ ସୂଚନାଯୋଗ୍ୟ, ୨୦୨୪-୨୫ ଆର୍ଥିକ ବର୍ଷରେ ଦେଶର ଜିଡିପି ଅଭିବୃଦ୍ଧି ହାର ସାତ ପ୍ରତିଶତ ହେବ ବୋଲି କେନ୍ଦ୍ରୀୟ ବ୍ୟାଙ୍କ ଦ୍ୱାରା ସଦ୍ୟ ପ୍ରକାଶିତ ବାର୍ଷିକ ରିପୋର୍ଟରେ ଆକଳନ କରାଯାଇଥିବା ବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ସିଂହ ଲେଖିଥିବା ଏହି ଚିଠି କଂଗ୍ରେସ ଦ୍ୱାରା ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ପୋଷ୍ଟ୍ କରାଯାଇଛି । ଗତ ବର୍ଷ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ)ର ରିପୋର୍ଟରେ ୨୦୨୩-୨୪ରେ ଦେଶର ଜିଡିପି ଅଭିବୃଦ୍ଧି ହାର ଆଠ ପ୍ରତିଶତ ହେବ ବୋଲି ଆକଳନ କରାଯାଇଥିଲା । ଜିଡିପି ଅଭିବୃଦ୍ଧିକୁ ନେଇ ବିଶ୍ୱ ବ୍ୟାଙ୍କର ତଥ୍ୟ ଅନୁଯାୟୀ, ୟୁପିଏ ସରକାରରେ ୨୦୧୦ରେ ଦେଶର ଜିଡିପି ଅଭିବୃଦ୍ଧି ହାର ୮.୫ ପ୍ରତିଶତକୁ ବୃଦ୍ଧି ପାଇଥିବା ବେଳେ ୨୦୦୮ରେ (ବିଶ୍ୱ ଅର୍ଥନୈତିକ ସଂକଟ ସମୟରେ) ୩.୧ ପ୍ରତିଶତକୁ କମି ଥିଲା । ଗତ ଦର୍ଶ ବର୍ଷରେ ଦେଶର ଜିଡିପି ହାର ୨୦୨୧ରେ ୯.୧ ଉଚ୍ଚତାକୁ ଯାଇଥିବା ବେଳେ ମହାମାରୀ ସମୟରେ ତାହା ବିୟୁକ୍ତ (-) ୫.୮ ରହିଥିଲା । ୟୁପିଏ ସରକାରରେ ସମସ୍ତ ପ୍ରକାର ପ୍ରତିବନ୍ଧକ ସତ୍ତ୍ୱେ ଜନସାଧାରଣଙ୍କ କ୍ରୟ ଶକ୍ତି ବୃଦ୍ଧି ପାଇଥିଲା । ବିଜେପିର କୁଶାସନରୁ ଜନସାଧାରଣର ସଂଚୟ ୪୭ ବର୍ଷ ତଳକୁ ଖସି ଯାଇଛି । ୨୦୨୨-୨୩ ଆର୍ଥିକ ବର୍ଷରେ ପରିବାରଗୁଡିକର ନେଟ୍ ଫାଇନାନ୍ସିଆଲ୍ ସେଭିଂ ପାଂଚ ବର୍ଷ ତଳକୁ ୧୪.୨ ଟ୍ରିଲିଅନକୁ ଖସିଛି, ଯାହାକି ଜିଡିପିର ୫.୩ ପ୍ରତିଶତ । ତେବେ, ୨୦୧୧-୧୨ରୁ ୨୦୨୧-୨୨ ଆର୍ଥିକ ବର୍ଷରେ (କୋଭିଡ଼ ମହାମାରୀ ର୍ବେଗୁଡିକ ବ୍ୟତୀତ) ଏହି ହାର ସାତରୁ ଆଠ ପ୍ରତିଶତ ରହିଛି । ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ସିଂହ ହେଉଛନ୍ତି ଜଣେ ଆନ୍ତର୍ଜାତିକସ୍ତରର ଅର୍ଥନୀତିଜ୍ଞ । ସେ ୧୯୯୧ରେ ପ୍ରଧାନମନ୍ତ୍ରୀ ପିଭି ନରସିଂହ ରାଓଙ୍କ ସରକାରରେ ଅର୍ଥମନ୍ତ୍ରୀ ଥିବା ସମୟରେ ଭାରତୀୟ ଅର୍ଥନୀତିରେ ଉଦାରୀକରଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ପୂର୍ବରୁ ସେ ଆରବିଆଇ (ଭାରତୀୟ ରିଜର୍ଭ ବ୍ୟାଙ୍କ) ଗଭର୍ଣ୍ଣର ଥିଲେ । ୨୦୦୪ରୁ ୨୦୧୪ ମଧ୍ୟରେ କେନ୍ଦ୍ରରେ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାରରେ ସେ ଦୁଇ ଥର ପ୍ରଧାନମନ୍ତ୍ରୀ ରହିଛନ୍ତି । ଡକ୍ଟର ସିଂହ ତାଙ୍କ ଚିଠିରେ ଗତ ୧୦ ବର୍ଷ ମଧ୍ୟରେ ଦେଶରେ ଘଟିଥିବା ଅର୍ଥନୈତିକ ବିପର୍ଯ୍ୟୟ କଥା କେବଳ କହି ନାହାନ୍ତି, ୨୦୨୨ ସୁଦ୍ଧା ଦେଶର ଚାଷୀଙ୍କ ଆୟ ଦୁଇ ଗଣ ହେବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିବା ବେଳେ ଚାଷୀଙ୍କ ଆୟ ନିମ୍ନମୁଖୀ ହୋଇଛି ବୋଲି ମଧ୍ୟ ଅଭିଯୋଗ କରିଛନ୍ତି । ସେ କହିଛନ୍ତି, ଚାଷୀଙ୍କ ଜାତୀୟ ହାରାହାରି ଆୟକୁ ଦେଖିଲେ ତାହା ଦୈନିକ ୨୭ ଟଙ୍କାକୁ ଖସି ଆସିଥିବା ବେଳେ ସରକାରୀ ତଥ୍ୟ ଅନୁଯାୟୀ ଚାଷୀଙ୍କ ମୁଣ୍ଡପିଛା ଋଣ ପରିମାଣ ୨୭ ହଜାର ଟଙ୍କା ରହିଛି । ତିନି ନୂଆ କୃଷି ଆଇନ ବିରୋଧରେ ଚାଷୀ ଆନ୍ଦୋଳନ ବିଷୟ ଉଲ୍ଲେଖ କହି ଡକ୍ଟର ସିଂହ କହିଛନ୍ତି, ଆଜି ମଧ୍ୟ ଚାଷୀଙ୍କ ଅସନ୍ତୋଷ ସରକାରଙ୍କୁ ଗୋଡାଉଛି । ଚାଷୀ ସଂଗଠନଙ୍କ ଦୁର୍ବାର ଆନ୍ଦୋଳନ ଯୋଗୁଁ ମୋଦୀ ସରକାର ବର୍ଷାଧିକ ସମୟ ପରେ ତିନି କୃଷି ଆଇନ ପ୍ରତ୍ୟାହାର କରିଥିଲେ । ତେବେ, ଆନ୍ଦୋଳନ ସମୟରେ ମୋଦୀ ସରକାର ଚାଷୀଙ୍କ ଉପରେ କେବଳ ଲାଠି ଓ ରବର ଗୁଳି ଚଳାଇବାରେ ସୀମିତ ନଥିଲେ, ସଂସଦ ଗୃହରେ ଚାଷୀଙ୍କୁ ‘ପାରାସାଇଟସ୍’ ବୋଲି ମଧ୍ୟ ସମାଲୋଚନା କରିଥିଲେ । ଅନ୍ୟପକ୍ଷରେ, ତାଙ୍କ ଶାସନରେ (ୟୁପିଏ ସରକାରରେ) ୩.୭୩ କୋଟି ଚାଷୀଙ୍କୁ ୭୨ ହଜାର କୋଟି ଟଙ୍କାର କୃଷି ଋଣ ଛାଡ କରାଯାଇଥିଲା, କୃଷି ଉତ୍ପାଦନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରାଯାଇଥିଲା ଏବଂ କୃଷି ଉତ୍ପାଦ ରପ୍ତାନୀକୁ ଉତ୍ସାହିତ କରାଯାଇ ଦେଶରେ ଉତ୍ପାଦନ ମଧ୍ୟ ବୃଦ୍ଧି କରାଯାଇଥିଲା । ଚଳିତ ନିର୍ବାଚନରେ କଂଗ୍ରେସ ଏମସପି (କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ)କୁ ଆଇନଗତ ମାନ୍ୟତା ଦେବାକୁ, କୃଷି ଉପଜର ଆମଦାନୀ-ରପ୍ତାନୀ ଏକ ଏକ ସ୍ଥିର ନୀତି ଆଣିବାକୁ ଏବଂ କୃଷି ଋଣ ଛାଡ ସହ ଫସଲ କ୍ଷତି ହେବାର ୩୦ ଦିନ ମଧ୍ୟରେ ବୀମା ରାଣି ବ୍ୟାଙ୍କ୍ ଟ୍ରାନ୍ସଫର ମାଧ୍ୟମରେ ଚାଷୀଙ୍କ ନିକଟରେ ପହଂଚାଇବାକୁ ପ୍ରତିଶ୍ରୁତି ଦେଇଛି । ବେକାରୀ ସଂପର୍କରେ ଡକ୍ଟର ସିଂହ କହିଛନ୍ତି, ମୋଦୀ ସରକାର ଆୟକର ଫାଇଲିଂ ତଥ୍ୟ ଓ ଇପିଏଫ ଡାଟାକୁ ଦେଖାଇ ଦେଶରେ ନୂତନ ନିଯୁକ୍ତି ସୃଷ୍ଟି କରାଯାଉଥିବା କହୁଥିଲେ ମଧ୍ୟ ବାସ୍ତବରେ ସରକାରୀ ପରିସଂଖ୍ୟାନ ରିପୋର୍ଟ ଅନୁଯାୟୀ ଦେଶର ସହରାଂଚଳରେ ୧୫ ବର୍ଷରୁ ଅଧିକ ବୟସ ବେକାରଙ୍କ ହାର ପୂର୍ବ ବର୍ଷ ଜାନୁୟାରୀରୁ ମାର୍ଚ୍ଚ ମଧ୍ୟରେ ୬.୮ ପ୍ରତିଶତ ଥିବା ବେଳେ ଚଳିତ ବର୍ଷ ଜାନୁୟାରୀରୁ ମାର୍ଚ୍ଚ ମଧ୍ୟରେ ତାହା ମାତ୍ର ୬.୭ ପ୍ରତିଶତକୁ କମିଛି । ବିଜେପିର ଅଗ୍ନିବୀର ନିଯୁକ୍ତିକୁ ମଧ୍ୟ ଡକ୍ଟର ସିଂହ ସମାଲୋଚନା କରିଛନ୍ତି । ଏହା ସରକାରଙ୍କ ‘ମିଥ୍ୟା’ ଜାତୀୟତାବାଦକୁ ସୂଚାଉଛି ବୋଲି ସେ କହିଛନ୍ତି । ପଂଜାବର ସମସ୍ତ ୧୩ ଲୋକସଭା ଆସନ ପାଇଁ ଜୁନ ୦୧ରେ ମତଦାନ ହେବାକୁ ଯାଉଛି । କଂଗ୍ରେସ ସମସ୍ତ ୧୩ ଆସନରେ ପ୍ରାର୍ଥୀ ଦେଇଥିବା ବେଳେ ରାଜ୍ୟରେ ଶାସନରେ ଥିବା ଆମ୍ ଆଦମୀ ପାର୍ଟି ମଧ୍ୟ ସବୁ ଆସନରେ ପ୍ରାର୍ଥୀ ଦେଇଛି । ଏହା ଏକ ସୀମାନ୍ତ ରାଜ୍ୟ ହୋଇଥିବାରୁ ଡକ୍ଟର ସିଂହ ପଂଜାବ ଓ ପଂଜାବାସୀଙ୍କୁ ସେମାନଙ୍କ ପରାକ୍ରମ କଥା ମନେ ପକାଇଛନ୍ତି । ଦେଶର ଗଣତନ୍ତ୍ର ଓ ଭାତୃଭାବକୁ ସୁରକ୍ଷିତ ରଖିବାକୁ ସେମାନେ ମତଦାନ କରିବାକୁ ସେ ଆହ୍ୱାନ ଦେଇଛନ୍ତି । ଚଳିତ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ ନିର୍ବାଚନ ସଭାରେ ଦେଇଥିବା ଆକ୍ରମଣାତ୍ମକ ଭାଷଣ ଉପରେ ପ୍ରତିକ୍ରିୟା ରଖି ଡକ୍ଟର ସିଂହ କହିଛନ୍ତି, ପୂର୍ବରୁ ଦେଶର କୌଣସି ପ୍ରଧାନମନ୍ତ୍ରୀ ଏଭଳି ନିମ୍ନସ୍ତରକୁ ଖସି ନଥିଲେ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଘୃଣାପୂର୍ଣ୍ଣ, ଅସାମ୍ବିଧାନିକ ଓ ନିମ୍ନମାନର ଭାଷଣ ସବୁ ସୀମା ଟପି ଯାଇଛି । କଂଗ୍ରେସ କ୍ଷମତାକୁ ଆସିଲେ ଦେଶର ସମସ୍ତ ସଂପତ୍ତିକୁ ହାତେଇ ମୁସଲାମାନଙ୍କୁ ବାଂଟି ଦେବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ରାଜସ୍ଥାନରେ ଏକ ନିର୍ବାଚନ ସଭାରେ ଦେଇଥିବା ମନ୍ତବ୍ୟକୁ ଉଲ୍ଲେଖ କରି ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ସିଂହ ଏହି ପ୍ରତିକ୍ରିୟା ରଖିଛନ୍ତି । ମୋଦୀଙ୍କ ଏହି ଭାଷଣ ନିର୍ବାଚନର ଆଦର୍ଶ ଆଚରଣ ବିଧିର ଉଲଂଘନ କରୁଛି ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭାରତୀୟ ନିର୍ବାଚନ ଆୟୁକ୍ତ (ଇସିଆଇ)କୁ ଚିଠି ଲେଖି ଅଭିଯୋଗ କରିଥିଲେ । ଦେଶରେ ସଂହତି ଓ ଭାତୃଭାବକୁ କୁଠାରାଘାତ କରିବା ପାଇଁ ଶାସକ ଦଳ ଯେଭଳି ବ୍ୟାଖ୍ୟାନ ଉପସ୍ଥାପନ କରୁଛି ତାହା ସମସ୍ତ ଦେଶବାସୀ ଦେଖୁଛନ୍ତି ଓ ହୃଦବୋଧ କରୁଛନ୍ତି । ଏଭଳି ଶକ୍ତିଙ୍କ ହାତରୁ ଦେଶକୁ ସୁରକ୍ଷିତ ରଖିବା ପାଇଁ ରାଜ୍ୟବାସୀ ଶନିବାର ମତଦାନ କରିବାକୁ ଡକ୍ଟର ସିଂହ ପଂଜାବବାସୀଙ୍କୁ ନିବେଦନ କହିଛନ୍ତି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS