ମତଦାନ ସରିଲା, କାହାର ହେବ ସରକାର ?


ପ୍ରସାଦ ରାଓ
ନୂଆଦିଲ୍ଲୀ/ଜୁନ ୦୧
ଦେଶରେ ୧୮ତମ ଲୋକସଭା ପାଇଁ ମତଦାନ ଆଜି ଶେଷ ହୋଇଛି । ସାତ ପର୍ଯ୍ୟାୟ ବିଶିଷ୍ଟ ଏହି ନିର୍ବାଚନର ସପ୍ତମ ତଥା ଶେଷ ପର୍ଯ୍ୟାୟରେ ଆଜି ସାତଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଂଚଳର ୫୭ ଲୋକସଭା ଆସନ ପାଇଁ ଭୋଟ ହୋଇଛି । ଶେଷ ପର୍ଯ୍ୟାୟ ମତଦାନରେ କେତେ ପ୍ରତିଶତ ମତଦାତା ଭାଗ ନେଲେ ତାହା ବିଳମ୍ବିତ ସନ୍ଧ୍ୟାରେ ସାମ୍ନାକୁ ଆସିବ । ତେବେ, ଏପ୍ରିଲ ୧୯ ତାରିଖରୁ ଜୁନ ୦୧ ତାରିଖ ପର୍ଯ୍ୟନ୍ତ ଚାଲିଥିବା ନିର୍ବାଚନ ଯେ ବେଶ୍ ପ୍ରତିଦ୍ୱନ୍ଦ୍ୱିତାମୂଳକ ଥିଲା, ତାହା ଦେଶବାସୀ ଅନୁଭବ କରିଛନ୍ତି । ନିର୍ବାଚନରେ ଗୋଟିଏ ପଟେ ବିଜେପି ଓ ତାହାର ସହଯୋଗୀ ଦଳମାନେ (ଏନଡିଏ) ‘ଏଥର ମଧ୍ୟ ମୋଦୀ ସରକାର, ୪୦୦ ପାର୍’ ବ୍ୟାଖ୍ୟାନକୁ ନେଇ ସଂପୂର୍ଣ୍ଣ ନିର୍ବାଚନ ଲଢିଥିବା ବେଳେ ବିରୋଧୀ ‘ଇଣ୍ଡି’ ମେଂଟ (୨୮ଟି ରାଜନୈତିକ ଦଳର ମେଂଟ) ଗତ ଦଶ ବର୍ଷର ମୋଦୀ ସରକାରରେ ଦେଶର ଗଣତନ୍ତ୍ର ଓ ଗଣତାନ୍ତ୍ରିକ ଅନୁଷ୍ଠାନଗୁଠିକ ଅବଦମିତ ହୋଇଥିବା ଏବଂ ସରକାର ସିବିଆଇ, ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି), ଆୟକର ବିଭାଗ ଭଳି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାଙ୍କ ଦୁରୁପଯୋଗ କରି ବିରୋଧୀ ସ୍ୱରକୁ ଦବାଇବା ଉଦ୍ୟମ କରିଥବା ଅଭିଯୋଗ କରି ଗଣତନ୍ତ୍ରର ପୁନଃ ପ୍ରତିଷ୍ଠା ପାଇଁ ଜନସାଧାରଣ ମତଦାନ କରିବାକୁ ଆହ୍ୱାନ ଦେଇ ନିର୍ବାଚନ ମଇଦାନରେ ଥିଲା । ଦେଶର ଅଧିକାଂଶ ଜାତୀୟ ଓ ଆଂଚଳିକ ଗଣମାଧ୍ୟମ ମୋଦୀ ସରକାରଙ୍କ ଗୁଣଗାନରେ ବ୍ୟସ୍ତ ରହି ନିର୍ବାଚନକୁ ଏକପାଖିଆ କରିବାକୁ ଉଦ୍ୟମ କରିଥିଲେ ମଧ୍ୟ କିଛି ସାମାଜିକ ଗଣମାଧ୍ୟମ ବିରୋଧୀଙ୍କ ସ୍ୱର ଦେଶବାସୀଙ୍କ ନିକଟରେ ପହଂଚାଇ ପ୍ରତିଦ୍ୱନ୍ଦ୍ୱିତାର ବାତାବରଣ ସୃଷ୍ଟି କରିଥିଲେ । ଶେଷ ପର୍ଯ୍ୟନ୍ତ ନିର୍ବାଚନ ବିଜେପି ବନାମ ବିରୋଧୀ ଥିବା ଦେଖିବାକୁ ମିଳିଛି । ବିଜେପିର ନିର୍ବାଚନ ପ୍ରଚାର ମଂଗ ଧରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ପ୍ରମୁଖ । ଦଳର ବରିଷ୍ଠ ନେତାମାନେ ବିଭିନ୍ନ ରାଜ୍ୟରେ ନିର୍ବାଚନ ପ୍ରଚାର ସମୟରେ ବିରୋଧୀ ମେଂଟର ନେତାମାନଙ୍କୁ କଡା ଭାଷାରେ ଟାର୍ଗେଟ୍ କରିଥିଲେ ମଧ୍ୟ ସେମାନଙ୍କ ପ୍ରମୁଖ ଟାର୍ଗେଟ ଥିଲେ ଜାତୀୟସ୍ତରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପଶ୍ଚିମ ବଂଗରେ ଟିଏମସି ଅଧ୍ୟକ୍ଷା ତଥା ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଦିଲ୍ଲୀ ଓ ପଂଜାବରେ ଆମ୍ ଆଦମୀ ପାର୍ଟି (ଆପ୍) ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ, ୟୁପିରେ ସମାଜବାଦୀ ପାର୍ଟି (ଏସପି) ମୁଖ୍ୟ ଅଖିଳେଶ ଯାଦବ ଓ ଓଡ଼ିଶାରେ ବିଜୁ ଜନତା ଦଳ (ବିଜେଡ଼ି) ସୁପ୍ରିମୋ ତଥା ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦକ୍ଷିଣ ଭାରତୀୟ ରାଜ୍ୟମାନଙ୍କ ସମେତ ଓଡ଼ିଶା ଓ ପଶ୍ଚିମ ବଂଗ ୨୦୨୪ ନିର୍ବାଚନରେ ବିଜେପିର ପ୍ରମୁଖ ଟାର୍ଗେଟ ରହିଥିବା ମୋଟାମୋଟି ଭାବେ ଏହି ନିର୍ବାଚନରେ ଦେଖିବାକୁ ମିଳିଛି । କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ପ୍ରତିଷ୍ଠା ପରଠାରୁ ଓଡ଼ିଶା ଓ ପଶ୍ଚିମ ବଂଗ ବିଜେପିର ଟାର୍ଗେଟ୍ ରହିଛି । ପୂର୍ବାଂଚଳ ଦଖଲ ଅଭିଯାନରେ ୨୦୧୪ ଓ ୨୦୧୯ ନିର୍ବାଚନରେ ବିଜେପି ଏହି ଦୁଇ ରାଜ୍ୟକୁ ଟାର୍ଗେଟ କରିଥିଲା । ଏହି ଦୁଇ ସାଧାରଣରେ ନିର୍ବାଚନରେ ମୋଦୀଙ୍କ ହାୱା କଂଗ୍ରେସର ମୂଳୋତ୍ପାଟନ କରିବା ସହ ଦେଶବ୍ୟାପୀ ବିଜେପି ସପକ୍ଷରେ ବଡ ହାୱା ସୃଷ୍ଟି କରିଥିଲେ ମଧ୍ୟ ଓଡ଼ିଶା ଓ ପଶ୍ଚିମ ବଂଗ ଗେରୁଆ ଦଳ ପାଇଁ ଅପହଂଚ ରହିଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶାରେ ବିଜେଡ଼ି ୨୦୧୪ ଓ ୨୦୧୯ରେ ମୋଦୀ ହାୱା ଓ ବିଜେପିର ଆକ୍ରମଣାତ୍ମକ ରାଜନୀତିକୁ ସଫଳ ଭାବେ ମୁକାବିଲା କରି ବିଧାନସଭାରେ ନିଜର ପ୍ରଭୁତ୍ୱ ବଜାୟ ରଖିଥିବା ବେଳେ ପଶ୍ଚିମ ବଂଗରେ ମଧ୍ୟ ମମତା ବାନାଜୀ ୨୦୨୦ ବିଧାନସଭା ନିର୍ବାଚନରେ ବିଜେପିର ରଣନୀତିକୁ ସଫଳ ମୁକାବିଲା କରି ଲଗାତର ତୃତୀୟ ଥର ପାଇଁ କ୍ଷମତାକୁ ଆସିବା ଓ ମୁଖ୍ୟମନ୍ତ୍ରୀ ହେବାରେ ସଫଳ ହୋଇଥିଲେ । ତେଣୁ, ବିଜେପିର ପୂର୍ବାଂଚଳ ଦଖଲ ସ୍ୱପ୍ନ ଅଧୁରା ରହିଛି । ପ୍ରଧାନମନ୍ତ୍ରୀ ମୋଦୀ ଓ ତାଙ୍କ ଟିମ୍ ୨୦୨୪ ସାଧାରଣ ନିର୍ବାଚନରେ ଏହି ଅଧୁରା ସ୍ୱପ୍ନକୁ ବାସ୍ତବ କରିବା ପାଇଁ ସମସ୍ତ କଳ, ବଳ, କୌଶଳ ଓ କୁଟନୀତିର ପ୍ରୟୋଗ କରିଛନ୍ତି । ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡ଼ି ସରକାରକୁ କ୍ଷମତାଚ୍ୟୁତ କରି ବିଜେପି ସରକାର ପ୍ରତିଷ୍ଠା ପାଇଁ ସେମାନେ ଅତ୍ୟନ୍ତ ନିମ୍ନ ସ୍ତରର ପ୍ରଚାର କୌଶଳକୁ ଆପଣାଇ ଥିବା ବେଳେ ପଶ୍ଚିମ ବଂଗରେ ଥିବା ୪୨ ଲୋକସଭା ଆସନରୁ ସର୍ବାଧିକ ସଂଖ୍ୟକ ଆସନ ହାସଲ କରିବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଷଣ୍ଡୁଆସୀ ଆକ୍ରମଣ କରିବାକୁ ପଛାଇ ନାହାନ୍ତି । ବିଭିନ୍ନ ଦୁର୍ନୀତି ପ୍ରସଙ୍ଗରୁ ଆରମ୍ଭ କରି ସନ୍ଦେଶଖାଲିରେ ଟିଏମସି ନେତାଙ୍କ ପକ୍ଷରୁ ମହିଳାଙ୍କ ପ୍ରତି ହୋଇଥିବା ଯୌନାଚାର ଅଭିଯୋଗ ପର୍ଯ୍ୟନ୍ତ ଟିଏମସି ବିରୋଧୀ ନିର୍ବାଚନ ପ୍ରଚାରର ମୁଖ୍ୟ ଆୟୁଧ ଥିଲା । ଘନ ଘନ ସିବିଆଇ ଓ ଇଡି ଚଢାଉ ଭିତରେ ରାଜ୍ୟରେ ନିର୍ବାଚନ ସରିଛି । ଦିଲ୍ଲୀ ଓ ପଂଜାବରେ ଆମ୍ ଆଦମୀ ପାର୍ଟି (ଆପ୍) ସରକାର ରହିଛି । ଏହି ଦୁଇ ରାଜ୍ୟରେ ମୋଟ ୨୦ଟି ଲୋକସଭା ଆସନ (ଦିଲ୍ଲୀର ସାତ ଓ ପଂଜାବର ୧୩) ଥିବା ଦୃଷ୍ଟିରୁ ବିଜେପି ତାହାର ‘୪୦୦ ପାର୍’ ଲକ୍ଷ୍ୟ ପୂରଣ କରିବାକୁ ‘ଆପ୍’ ମୁଖ୍ୟ ଅରବିନ୍ଦ କେଜରୀୱାଲଙ୍କୁ ନିର୍ବାଚନ ପ୍ରଚାରରୁ ଦୂରେଇ ରଖିବାକୁ ଉଦ୍ୟମ କରିଥିଲା । ନିର୍ବାଚନ କମିଶନଙ୍କ ପକ୍ଷରୁ ୨୦୨୪ ସାଧାରଣ ନିର୍ବାଚନର ତାରିଖ ଓ କାର୍ଯ୍ୟସୂଚୀ ଘୋଷଣା ହେଉ ହେଉ କେନ୍ଦ୍ର ସରକାରଙ୍କ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଦିଲ୍ଲୀରେ ଅବକାରୀ ନୀତିର କାର୍ଯ୍ୟକାରିତାରେ ହୋଇଥିବା କଥିତ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ମାର୍ଚ୍ଚ ୨୧ ତାରିଖ ରାତିରେ ଗିରଫ କରି ଏପ୍ରିଲ ୦୧ ତାରିଖରୁ ତିହାର ଜେଲକୁ ପଠାଇ ଦେଇଥିଲେ । ଏହି ମାମଲାରେ ଦିଲ୍ଲୀର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ବର୍ଷେରୁ ଅଧିକ ସମୟ ହେଲା ଜେଲରେ ଅଛନ୍ତି । ‘ଆପ୍’ ଅନ୍ୟତମ ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ସଂଜୟ ସିଂହ ଇଡି ଦ୍ୱାରା ଗିରଫ ହୋଇ ଛଅ ମାସ ଜେଲରେ ରହିବା ପରେ ସୁପ୍ରିମ କୋର୍ଟରୁ ଜାମିନ ପାଇ ବାହାରେ ଅଛନ୍ତି । ମୁଖ୍ୟମନ୍ତ୍ରୀ କେଜରୀୱାଲ ତାଙ୍କ ଗିରଫକୁ ସୁପ୍ରିମ କୋର୍ଟରେ ଚ୍ୟାଲେଂଜ କରିଛନ୍ତି, ଯାହାକି ଅଦାଲତଙ୍କ ବିଚାରାଧୀନ ରହିଛି । ତେବେ, ନିର୍ବାଚନ ପ୍ରଚାରରୁ ଦୁରେଇ ରଖିବା ପାଇଁ ତାଙ୍କ ଗିରଫଦାରୀ ବିଜେପିର ଏକ ରାଜନୈତିକ ଷଡଯନ୍ତ୍ର ଥିଲା ବୋଲି କେଜରୀୱାଲ ଅଭିଯୋଗ କରି ଆସୁଛନ୍ତି ଏବଂ ସୁପ୍ରିମ କୋର୍ଟ ମଧ୍ୟ ୨୧ ଦିନ ପାଇଁ ତାଙ୍କୁ ଅନ୍ତରୀଣ ଜାମିନ ଦେଇ ନିର୍ବାଚନ ପ୍ରଚାରର ସୁଯୋଗ ଦେଇଥିଲେ । ଅଧିକ ସାତ ଦିନ ଅନ୍ତରୀଣ ଜାମିନ ପାଇଁ ତାଙ୍କ ଆବେଦନକୁ ସୁପ୍ରିମ କୋର୍ଟ ଗ୍ରହଣ କରିନଥିବାରୁ କେଜରୀୱାଲ ରବିବାର (ଜୁନ ୦୨ ତାରିଖ) ତିହାର ଜେଲ କର୍ତ୍ତୃପକ୍ଷଙ୍କ ନିକଟରେ ଆତ୍ମସମର୍ପଣ କରିବା ନିଶ୍ଚିତ । ଦେଶର ସର୍ବାଧିକ ଲୋକସଭା ଆସନ (୮୦) ୟୁପିରେ ରହିଛି ଏବଂ ରାଜ୍ୟରେ ବିଜେପି ଶାସନ ଚାଲିଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଲୋକପ୍ରିୟତା ସତ୍ତ୍ୱେ ବିଜେପି ସମାଜବାଦୀ ପାର୍ଟି ଓ ‘ଇଣ୍ଡି’ ମେଂଟ ଆଡୁ ୨୦୨୪ ନିର୍ବାଚନରେ କଡା ମୁକାବିଲାର ସମ୍ମୁଖୀନ ହେଉଥିବା ଆଶଙ୍କା କରି ଏସପି ମୁଖ୍ୟ ଅଖିଳେଶ ଯାଦବଙ୍କୁ କଡା ଭାଷାରେ ସମାଲୋଚନା କରି ଆସୁଛି । ରାହୁଲ ଗାନ୍ଧୀ-ଅଖିଳେଶ ଯାଦବ ଯୋଡିକୁ ପ୍ରଧାନମନ୍ତ୍ରୀ ମୋଦୀ ସବୁ ନିର୍ବାଚନ ସଭାରେ ସମାଲୋଚନା କରିଛନ୍ତି । ନିର୍ବାଚନ ପ୍ରଚାର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ହିନ୍ଦୁ-ମୁସଲମାନ ପ୍ରମୁଖ ପ୍ରସଙ୍ଗ ରହିଛି । କେନ୍ଦ୍ରରେ ଯଦି ‘ଇଣ୍ଡି’ ମେଂଟ ସରକାର ଆସେ ସଂଖ୍ୟାଗରିଷ୍ଠ ସଂପ୍ରଦାୟଙ୍କ ସମସ୍ତ ସଂପତ୍ତି ସେମାନେ ହଡପ କରି ନେବେ ଓ ଅଧିକ ସନ୍ତାନ ଥିବା ସଂଖ୍ୟାଲଘୁ ସଂପ୍ରଦାୟ (ମୁସଲମାନ)ଙ୍କୁ ବାଂଟି ଦେବେ । ହିନ୍ଦୁ ମହିଳାଙ୍କ ବେକରେ ଥିବା ମଂଗଳସୂତ୍ର ମଧ୍ୟ ବାଦ୍ ପଡିବ ନାହିଁ ବୋଲି ନିଜେ ପ୍ରଧାନମନ୍ତ୍ରୀ ବିଭିନ୍ନ ନିର୍ବାଚନ ସଭାରେ ମନ୍ତବ୍ୟ ରଖିବା ନିର୍ବାଚନ ପ୍ରଚାର କେତେ ନିମ୍ନସ୍ତରରେ ଥିଲା, ତାହା ସୂଚାଉଛି । ମହାରାଷ୍ଟ୍ରରେ ବରିଷ୍ଠ ରାଜନେତା ଶରଦ ପାୱାର ଓ ଉଦ୍ଧବ ଠାକରେ ମଧ୍ୟ ବିଜେପିର ସମାଲୋଚନାର ଶରବ୍ୟ ଥିଲେ । ତେବେ, ପ୍ରଚାରର ଅନ୍ତିମ ଚରଣ ଯାଏଁ ପ୍ରଧାନମନ୍ତ୍ରୀ ଓ ବିଜେପିର ପ୍ରମୁଖ ନେତାମାନେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ପ୍ରମୁଖ ଟାର୍ଗେଟ କରିଥିବା ଦେଖିବାକୁ ମିଳିଥିଲା । ରାହୁଲଙ୍କ ଆମେଥିରୁ ପଳାୟନ, ୱାଇନାଡରୁ ଦ୍ୱିତୀୟ ଥର ପାଇଁ ନିର୍ବାଚନ ଲଢିବା, ୱାଇନାଡରେ ଭୋଟ ସରିବା ପରେ ମା’ ସୋନିଆ ଗାନ୍ଧୀ ଛାଡିଥିବା ଆସନ ରାୟବରେଲିରୁ ପ୍ରାର୍ଥୀ ହେବା ଏବଂ ସୋନିଆ ଗାନ୍ଧୀ ରାୟବରେଲିରେ ପରାଜୟ ହେବା ଭୟରେ ଫେବୃୟାରୀରେ ଅନୁଷ୍ଠିତ ରାଜ୍ୟସଭା ନିର୍ବାଚନରେ ରାଜସ୍ଥାନରୁ ନିର୍ବାଚିତ ହୋଇ ନିଜ ରାଜନୀତିକୁ ସୁରକ୍ଷିତ କରି ନେବା ପ୍ରଭୃତି ବିଜେପି ବ୍ୟାଖ୍ୟାନର ପ୍ରମୁଖ ଉପାଦାନ ଥିଲା । ଶେଷ ପର୍ଯ୍ୟାୟ ମତଦାନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କନ୍ୟାକୁମାରୀ ଯାଇ ବିବେକନନ୍ଦ ରକ୍ ମେମୋରିଆଲରେ ୪୮ ଘଂଟିଆ ମୌନବ୍ରତରେ ରହିଥିବା ବେଳେ ଦେଶରେ କେଉଁ ଦଳକୁ କେତେ ଆସନ ମିଳିବା ସମ୍ଭାବନା ରହିଛି ଓ କିଏ ସରକାର କରିବାକୁ ଯାଉଛି – ସେନେଇ ବୈଦ୍ୟୁତିକ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରେ ଆଗୁଆ ଆକଳନକୁ ନେଇ ଉଚ୍ଚାଟ ଆରମ୍ଭ ହୋଇଯାଇଛି । ସ୍ୱରାଜ ଇଣ୍ଡିଆ ମୁଖ୍ୟ ଯୋଗେନ୍ଦ୍ର ଯାଦବ ଦେଶରେ ତୃତୀୟ ଥର ପାଇଁ ମୋଦୀ ସରକାରର ଆକଳନ କରିଥିଲେ ମଧ୍ୟ ବିଜେପି ଏକାକୀ ମେଜିକ ସଂଖ୍ୟା ୨୭୨ ଛୁଇଁବ ନାହିଁ ଏବଂ ସରକାର ବିରୋଧୀ ହାୱା ଯଦି ଠିକ୍ କାମ କରିଥାଏ ତେବେ ବିଜେପିର ସଂଖ୍ୟା ୨୫୦ ତଳକୁ ମଧ୍ୟ ଖସି ପାରେ ବୋଲି ଆକଳନ କରିଛନ୍ତି । ତେବେ, ଏନଡିଏର ଅନ୍ୟ ସଦସ୍ୟମାନେ ୩୫ରୁ ୪୦ ଆସନ ପାଇ ପାରନ୍ତି ବୋଲି ସେ କହିଛନ୍ତି । ଏହି ନିର୍ବାଚନରେ କଂଗ୍ରେସ ଏକାକୀ ପାଖାପାଖି ୧୦୦ ଲୋକସଭା ଆସନରେ ବିଜୟୀ ହୋଇପାରେ ବୋଲି ଯାଦବଙ୍କ ଭଳି ନିର୍ବାଚନ ବିଶେଷଜ୍ଞମାନେ ଅନୁମାନ ବ୍ୟକ୍ତ କରିଥିବା ବେଳେ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖର୍ଗେ ଦଳକୁ ୧୨୮ ପର୍ଯ୍ୟନ୍ତ ଆସନ ମିଳିବ ବୋଲି ଆଜି ଦୃଢୋକ୍ତି ପ୍ରକାଶ କରିଛନ୍ତି । ରାହୁଲ ଗାନ୍ଧୀ ଦେଶର ଯୁବ ସମାଜର ପ୍ରତିନିଧିତ୍ୱ କରୁଥିବାରୁ କଂଗ୍ରେସ ତାଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବାକୁ ଚାହିଁବ ବୋଲି ଖର୍ଗେ ଗଣମାଧ୍ୟମରେ ବୟାନ ରଖିଛନ୍ତି । ୨୦୧୪ ଓ ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ସପକ୍ଷରେ ଏକପାଖିଆ ହାୱା (କଂଗ୍ରେସ ବିରୋଧୀ ହେଉ ବା ପୁଲୱାମାରେ ଯବାନଙ୍କ ଉପରେ ଆକ୍ରମଣ ଘଟଣାରୁ ହେଉ) ଥିଲା । ୨୦୨୪ ନିର୍ବାଚନରେ ଦଳ ନିଜ ସପକ୍ଷରେ ସେଭଳି ହାୱା ସୃଷ୍ଟି କରିବାରେ ସଫଳ ହୋଇ ନାହିଁ । ବିଜେପି ଓ ବିରୋଧୀଙ୍କ ମେଂଟ ମଧ୍ୟରେ ‘କଂଟାକୁ କଂଟା’ ପ୍ରତିଦ୍ୱନ୍ଦ୍ୱିତା ହୋଇଛି । ତେଣୁ, ମୋଦୀ ତୃତୀୟ ଥର ପାଇଁ କ୍ଷମତାକୁ ଆସିଲେ ମଧ୍ୟ ବିଜେପି ଓ ଏନଡିଏକୁ କେତେ ଆସନ ମିଳୁଛି ସେନେଇ କେହି ନିଶ୍ଚିତ ନୁହନ୍ତି । ଫଳାଫଳ ପ୍ରକାଶ ପାଇବା ପରେ ରାଜନୈତିକ ସମୀକରଣ ବଦଳି ପାରେ ବୋଲି ମଧ୍ୟ ଅନେକ ଅନୁମାନ କରୁଛନ୍ତି । ତେଣୁ, ଫଳାଫଳ ଆସିବା ପୂର୍ବରୁ ବିଭିନ୍ନ ଗଣମାଧ୍ୟମରେ ଯେଉଁ ‘ଏକଜିଟ୍ ପୋଲ’ର ଉଚ୍ଚାଟ ରହିଛି ସେଥିରୁ ସମସ୍ତେ ଦୂରେଇ ରହିବା ଉଚିତ ବୋଲି ଅନେକ ମତ ଦେଉଛନ୍ତି । କଂଗ୍ରେସ ଦଳ ତ ଟିଭି ‘ଏକଜିଟ୍ ପୋଲ’ ବିତର୍କରେ ଭାଗ ନେବ ନାହିଁ ବୋଲି କହି ସାରିଲାଣି । ତେଣୁ, ଟିଭି ଚ୍ୟାନେଲଗୁଡିକ ନିଜ ନିଜ ଟିଆରପି ବଢାଇବା ପାଇଁ ଆଜି ସନ୍ଧ୍ୟାରୁ ଯେଉଁ ଉଚ୍ଚାଟ ଆରମ୍ଭ କରିଛନ୍ତି ସେଥିରେ କେଉଁମାନେ ଭାଗ ନେଉଛନ୍ତି, ସେମାନଙ୍କ ଆକଳନ କଣ କହୁଛି ଏବଂ ଜୁନ ୦୪ ତାରିଖ ଫଳାଫଳ ସହ ତାହା କେତେମାତ୍ରା ମ୍ୟାଚ୍ କରୁଛି- ଦେଖିବା ସମୟ ଆସୁଛି । ଏହାକୁ ନେଇ ସମସ୍ତଙ୍କ ମନରେ ଉତ୍କଂଠା ରହିବା କିଛି ଅସ୍ୱାଭିବକ ନୁହେଁ ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS