ମିଠା ଆଗରୁ ଚିନି ଖୁଆଖୁଇ ହେଲେଣି ବିଜେପି ସମର୍ଥକ !


ପ୍ରସାଦ ରାଓ
ଭୁବନେଶ୍ୱର/ଜୁନ ୦୨
୧୮ତମ ଲୋକସଭା ନିର୍ବାଚନ ଫଳାଫଳ ଆସିବାକୁ ଗୋଟିଏ ଦିନ ବାକି ଅଛି, ଶନିବାର ସନ୍ଧ୍ୟାରୁ ବିଭିନ୍ନ ଟିଭି ଚ୍ୟାନେଲରେ ‘ଏକ୍ଜିଟ୍ ପୋଲ୍’ର ପ୍ରସାରଣ ଆରମ୍ଭ ହୋଇଯାଇଛି । ଜାତୀୟ ଓ ଆଂଚଳିକସ୍ତର (ଓଡ଼ିଶା)ରେ ବିଜେପିର ପ୍ରଦର୍ଶନ ଉତ୍ସାହଜନକ ହେବାକୁ ଥିବା ଏକ୍ଜିଟ୍ ପୋଲ୍ କହିବା ପରେ ବିଜେପି ସମର୍ଥକଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳୁଛି । ଜୁନ ୦୪ ତାରିଖରେ ନିର୍ବାଚନ ଫଳାଫଳ ଆସିବ । ତେବେ, ଫଳାଫଳ ବୁଥ୍ ବାହୁଡା ମତର ପାଖାପାଖି ରହିବା ସମ୍ଭାବନାକୁ ଦେଖି ସେମାନେ ଉତ୍ସାହରେ ନିଜ ନିଜ ଭିତରେ ମିଠା ବଂଟାବଂଟି ପୂର୍ବରୁ ଚିନି ଖୁଆଖୁଇ ହୋଇ ଖୁସି ଜାହିର କରି ଦେଲେଣି । ଶନିବାର ବିଳମ୍ବିତ ସନ୍ଧ୍ୟାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ବିଜେଡ଼ିର ଗଡ଼ ଭାବେ ପରିଚିତ ଭୁବନେଶ୍ୱର ଲକ୍ଷ୍ମୀସାଗର ଅଂଚଳରେ ।
ଶନିବାର ବିଳମ୍ବିତ ସନ୍ଧ୍ୟାରେ ଏହି ଅଂଚଳରେ ଥିବା ଗୋଟିଏ ଚା’ ଦୋକାନରେ ଠିଆ ହୋଇ ଚା’ ପିଉଥିଲି । ଟିଭିରେ ‘ଏକ୍ଜିଟ୍ ପୋଲ୍’ ପ୍ରସାରଣ ଆରମ୍ଭ ହୋଇସାରଥାଏ । ଚା’ ଦାକାନ ନିକଟରେ ଠିଆ ହୋଇଥିବା ଦଳେ ଲୋକ ‘ଏକ୍ଜିଟ୍ ପୋଲ୍’ ତଥ୍ୟକୁ ନେଇ ଆଲୋଚନା କରୁଥା’ନ୍ତ । ଅଚାନକ ସେମାନଙ୍କ ମଧ୍ୟରୁ ଜଣେ ଚା’ ଦୋକାନୀଙ୍କ ପାଖକୁ ଆସି ମୁଠାଏ ଚିନି ମାଗି ଥିଲେ ଓ ତାହା ତାଙ୍କ ସହ ଆଲୋଚନାରେ ବ୍ୟସ୍ତ ଥିବା ଅନ୍ୟମାନଙ୍କୁ ବାଂଟି ନିଜର ଖୁସି ଜାହିର କଲେ । ‘ଏକ୍ଜିଟ୍ ପୋଲ୍’ ଯେ ‘ଏକଜାକ୍ଟ୍ ପୋଲ୍’ ନୁହେଁ – ତାହା ଜାଣି ସୁଦ୍ଧା ବିଜେପି ସମର୍ଥକ ସେଥିରେ ଖୁସି ବ୍ୟକ୍ତ କରି ନିଜ ନିଜ ଭିତରେ ଚିନି ଖୁଆଖୁଇ ହେବା ସଂପୃକ୍ତ ଚା’ ଦୋକାନୀକୁ ମଧ୍ୟ ଚକିତ କରିଥିଲା । ତେବେ, ଚା’ ଦୋକାନୀ ନିଜ ପ୍ରତିକ୍ରିୟା ରଖିବାକୁ ମନା କରିଥିଲେ ।
ତାଙ୍କ କହିବା କଥା ଥିଲା, ଫଳାଫଳ ଯାହା ହେଉନା କାହିଁକି କାହାରିକୁ ତ ବିରୋଧ କରି ହେବନି..! ଆମେ ହେଉଛୁ ଛୋଟମୋଟ ବ୍ୟବସାୟୀ । ଏଠିକି ସମସ୍ତେ ଆସୁଛନ୍ତି ଚା’ ପିଇବାକୁ । କିଏ କୋଉ ଦଳର, ଆମେ ଜାଣିବାକୁ ଆଗ୍ରହୀ ନୁହଁ । ଜାଣିଲେ ବି କିଛି ଫରକ ପଡୁ ନାହିଁ । କାରଣ, ଯିଏ ଆସିଲେ ମଧ୍ୟ ଆମର କିଛି ହେବାର ନାହିଁ । ଏଥର ରାଜ୍ୟରେ ପରିବର୍ତ୍ତନର ହାୱା ଥିବା ଶୁଣୁଥିଲୁ । ଏବେ, ବୁଥ୍ ବାହୁଡା ମତ ସେହି କଥା କହୁଛି । ଅତି ସାଧାରଣ ଜଣେ ଚା’ ଦୋକାନୀର ଏହା ହେଉଛି ସରକାରଙ୍କୁ ନେଇ ପ୍ରତିକ୍ରିୟା । ଚବିଶି ବର୍ଷର ବିଜେଡ଼ି ସରକାରରେ ସାଧାରଣ ଜନତା ଯେ ଏତେଦୂର ନିରାଶ ହୋଇସାରିଥିଲେ ତାହା ଚା’ ଦୋକାନୀଙ୍କ ପ୍ରତିକ୍ରିୟାରୁ ସ୍ପଷ୍ଟ ହେଉଛି । କେବଳ ରାଜଧାନୀ ଭିତରେ ନୁହେଁ, ରାଜଧାନୀ ବାହାରେ ମଧ୍ୟ ସୃ୍େଟି ହୋଇସାରିଥିବା ହତାଶା ଭାବ ୨୦୨୪ ନିର୍ବାଚନରେ ପରିବର୍ତ୍ତନର ହାୱା ସୃ୍େଟି କରିଥିବା ଗତକାଲି ରାତି କଥାରୁ ସ୍ପଷ୍ଟ ହେଉଛି ।
ଦେଶରେ ୨୦୨୪ ଏପ୍ରିଲ ୧୯ରୁ ଜୁନ ୦୧ ତାରିଖ ପର୍ଯ୍ୟନ୍ତ ସାତ ପର୍ଯ୍ୟାୟରେ ମୋଟ ୫୪୩ ଲୋକସଭା ଆସନ ପାଇଁ ମତଦାନ ହୋଇଥିବା ବେଳେ ଓଡ଼ିଶାରେ ମେ’ ୧୩ରୁ ଜୁନ ୦୧ ତାରିଖ ପର୍ଯ୍ୟନ୍ତ ଚାରି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ସରିଛି । ଫଳାଫଳ ଜୁନ ୦୪ରେ ପ୍ରକାଶ ପାଇବାକୁ ଥିବା ବେଳେ ବୁଥ୍ ବାହୁଡା ମତ ଆଧାରରେ କାହା ସରକାର ହେବ ସେ ନେଇ ମୃଦୁ ଗୁଂଜରଣ ଆରମ୍ଭ ହୋଇ ସାରିଛି । ବିଭିନ୍ନ ଜାତୀୟ ସର୍ବେକ୍ଷଣ ସଂସ୍ଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତୃତୀୟ ଥର ପାଇଁ କେନ୍ଦ୍ରରେ ସରକାର କରୁଥିବା ପୂର୍ବାନୁମାନ କରିଥିଲେ ମଧ୍ୟ ସଂଖ୍ୟାକୁ ନେଇ ସହମତ ନୁହନ୍ତି । କିଏ ବିଜେପି ନେତୃତ୍ୱାଧୀନ ଏନଡିଏକୁ ୩୫୦ରୁ ୪୦୦ ପର୍ଯ୍ୟନ୍ତ ଆସନ ଦେଇଥିବା ବେଳେ ଆଉ କିଏ ୩୦୦ରୁ ୩୫୦ ମଧ୍ୟରେ ରଖିଛି । କିନ୍ତୁ, ସଟ୍ଟା ବଜାରର ପୂର୍ବାନୁମାନ ଭିନ୍ନ ରହିଛି । ମୋଦୀ ତୃତୀୟ ଥର ପାଇଁ ଦେଶରେ ସରକାର ବୋଲି ବିଭିନ୍ନ ସଟ୍ଟା ବଜାର ପୂର୍ବାନୁମାନ କରିଥିଲେ ମଧ୍ୟ ବିଜେପିକୁ ମିଶାଇ ଏନଡିଏର ସଂଖ୍ୟା ୨୪୬ରୁ ୨୮୨ ମଧ୍ୟରେ ସୀମିତ ରହିବ ବୋଲି ସଟ୍ଟା ବଜାର ପୂର୍ବାନୁମାନ କରିଛି ।
ଜାତୀୟ ଗଣମାଧ୍ୟମ ପ୍ରୟୋଜିତ ସର୍ବେକ୍ଷଣ ସଂସ୍ଥାଙ୍କୁ ପୂର୍ବନୁମାନ ଠିକ୍ ହେଉ ବା ସଟ୍ଟା ବଜାରର ସରକାର ଗଠନ ପାଇଁ ମେଜିକ ସଂଖ୍ୟା ୨୭୨ ଥିବାରୁ ବିଜେପି ନେତୃତ୍ୱାଧୀନ ଏନଡିଏ ଏହି ସଂଖ୍ୟା ହାସଲ କରି ଦେଶରେ ତୃତୀୟ ଥର ପାଇଁ ସରକାର କରୁଥିବା ଏକପ୍ରକାର ନିଶ୍ଚିତ । ତେବେ, ଓଡ଼ିଶାର ବିଧାନସଭା ନିର୍ବାଚନ ଫଳାଫଳକୁ ନେଇ ଜାତୀୟ ଗଣମାଧ୍ୟମ ସର୍ବେକ୍ଷଣ ସଂସ୍ଥାଗୁଡିକ ନିରବ ଥିବା ରାଜ୍ୟବାସୀଙ୍କୁ ଦ୍ୱନ୍ଦ୍ୱରେ ପକାଇଲା ଭଳି ହୋଇଛି । ତେବେ, ଓଡ଼ିଶାର ୨୧ ଲୋକସଭା ଆସନକୁ ନେଇ ସର୍ବେକ୍ଷଣ ସଂସ୍ଥାଗୁଡିକ ଭିନ୍ନ ଭିନ୍ନ ପୂର୍ବାନୁମାନ ପ୍ରକାଶ କରି ଥିଲେ ମଧ୍ୟ ବିଜେଡ଼ି ଅପେକ୍ଷା ବିଜେପିକୁ ଅଧିକ ଆସନ ପାଉଥିବା ନେଇ ସେମାନେ ପ୍ରାୟତଃ ଏକମତ । ୨୦୧୯ ସାଧାରଣ ନିର୍ବାଚନରେ ବିଜେଡ଼ି ୨୧ରୁ ୧୨ ଲୋକସଭା ଆସନ ପାଇଥିଲା । ବିଜେପି ତାହାର ସଂଖ୍ୟା ୦୧ (୨୦୧୪)କୁ ୦୮ଟିକୁ ବୃଦ୍ଧି କରିଥିଲା । କଂଗ୍ରେସ ମାତ୍ର କୋରାପୁଟ ଆସନରେ ସୀମିତ ଥିଲା । ୨୦୨୪ରେ ଫଳାଫଳ ଠିକ୍ ଓଲଟା ହେବ ବୋଲି ପୂର୍ବାନୁମାନ କରାଯାଇଛି । କିଛି ସଂସ୍ଥା ବିଜେପିକୁ ୧୩ରୁ ୨୦ ପର୍ଯ୍ୟନ୍ତ ଆସନ ଦେଇ ଉତ୍ସାହ ବୃଦ୍ଧି କରିଥିବା ସମୟରେ ବିଜେଡ଼ି ତାହାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହେଁ ।
ରାଜ୍ୟର ୨୧ରୁ ୧୫ ଲୋକସଭା ଆସନରେ ବିଜେଡ଼ିିର ବିଜୟ ସୁନିଶ୍ଚିତ ବୋଲି ବିଜେଡ଼ି ଫକ୍ଷରୁ ହୋଇଥିବା ଏକ ଘରୋଇ ସର୍ବେକ୍ଷଣରୁ ଜଣାପଡିଛି ବୋଲି ବିଜେଡ଼ି ନେତାମାନେ ଦାବି କରୁଛନ୍ତି । ଦେଶର ପ୍ରାୟ ସମସ୍ତ ଘରୋଇ ବୈଦ୍ୟୁତିକ ଗଣମାଧ୍ୟମ ବିଜେପି ଦ୍ୱାରା ପ୍ରଭାବିତ ଥିବାରୁ ଓଡ଼ିଶାକୁ ନେଇ ନେଇ ସେମାନଙ୍କ ପୂର୍ବାନୁମାନ ପକ୍ଷପାତପୂର୍ଣ୍ଣ ରହିଛି ବୋଲି ଦଳର ମୁଖପାତ୍ରମାନେ ଅଭିଯୋଗ କରିବାକୁ ପଛାଉ ନାହାନ୍ତି । ଦିନକ ପରେ ନିର୍ବାଚନ କମିଶନ ଭୋଟ ଗଣତି କରି ଫଳାଫଳ ଘୋଷଣା କଲେ କିଏ ସତ, କିଏ ମିଛ ସ୍ପଷ୍ଟ ହୋଇଯିବ । ତେବେ, ତାହା ପୂର୍ବରୁ ବିଜେପି ସମର୍ଥକମାନେ ଉତ୍ସାହିତ ହୋଇ ଚିନି ଖୁଆଖୁଇରେ ମାତିଛନ୍ତି । ଦେଶର ଜଣାଶୁଣା ରାଜନୈତିକ ରଣନୀତିକାର ପ୍ରଶାନ୍ତ କିଶୋର ୨୦୨୪ ସାଧାରଣ ନିର୍ବାଚନକୁ ନେଇ ଜାତୀୟ ଗଣମାଧ୍ୟମରେ ବୁଥ୍ ବାହୁଡା ମତ (ଏକ୍ଜିଟ୍ ପୋଲ୍) ଉପରେ ଚାଲିଥିବା ବିତର୍କକୁ ନେଇ କଟୁ ମନ୍ତବ୍ୟ ରଖିଛନ୍ତି । ଶନିବାର ଦିନ ସେ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ କରିଥିବା ଏକ ପୋଷ୍ଟ୍ ରେ ଦେଶବାସୀ ‘ନକଲି ସାମ୍ବାଦିକ ଓ ବଡ ପାଟିଆ ରାଜନେତା’ଙ୍କ ବିତର୍କଠାରୁ ନିଜକୁ ଦୂରେଇ ରଖିବାକୁ, ନିଜର ମୂଲ୍ୟବାନ ସମୟର ବୃଥା ଅପଚୟ ନ କରିବାକୁ ପରାମର୍ଶ ଦେଇଛନ୍ତି ।
ସେ କହିଛନ୍ତି, ୨୦୨୪ରେ ବିଜେପି ନେତୃତ୍ୱାଧୀନ ଏନଡିଏ ବହୁମତ ପାଇ ଦେଶରେ ସରକାର ଗଠନ କରିବା ନିଶ୍ଚିତ । ତେବେ, ଏହି ମେଂଟକୁ ୨୦୧୯ରେ ମିଳିଥିବା ସଂଖ୍ୟା ମିଳିବ, ଅଥବା କିଛି ଅଧିକ ଆସନ ମିଳିବ । ବିଜେପି ୨୧୦୯ରେ ୩୦୩ ଲୋକସଭା ଆସନରେ ବିଜୟୀ ହୋଇଥିଲା । ଦେଶର ଉତ୍ତରାଂଚଳ ଓ ପଶ୍ଚିମାଂଚଳରେ ଦଳ ଅଧିକ ଲାଭବାନ ହେବା ଆଶା କ୍ଷୀଣ । କିନ୍ତୁ, ପୂର୍ବାଂଚଳ ଓ ଦକ୍ଷିଣାଂଚଳରେ ଦଳକୁ ଯଥେଷ୍ଟ ସମର୍ଥନ ମିଳିଛି । ଅଧିକାଂଶ ଏକ୍ଜିଟ୍ ପୋଲ୍ ଏନଡିଏ ତାମିଲନାଡୁ ଓ କେରଳରେ ଖାତା ଖୋଲିବ ଓ କର୍ଣ୍ଣାଟକରେ ସ୍ୱିପ୍ କରିବ ଏବଂ ବିହାର, ରାଜସ୍ଥାନ, ମହାରାଷ୍ଟ୍ର ଓ ହରିୟାଣାରେ ତାହାକୁ ମିଳୁଥିବା ଆସନ ସଂଖ୍ୟା ୨୦୧୯ ତୁଳନାରେ କମି ଯିବ ବୋଲି ପୂର୍ବାନୁମାନ କରିଥିବା ବେଳେ ପ୍ରଶାନ୍ତ କିଶୋର ତେଲେଂଗାନା, ଆନ୍ଧ୍ର ପ୍ରଦେଶ, କେରଳ ଓ ତାମିଲନାଡୁରେ ଏନଡିଏର ପ୍ରଦର୍ଶନ ଭଲ ରହିବ ବୋଲି ପୂର୍ବାନୁମାନ କରିଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପି ନେତୃବର୍ଗ ୨୦୨୪ ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ଏନଡିଏର ଲୋକସଭା ଆସନ ସଂଖ୍ୟା ୪୦୦ ଟପି ଯିବ ବୋଲି ସୋମାନଙ୍କ ଦାବିକୁ ଦୋହରାଇଥିବା ବେଳେ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖାର୍ଗେ ‘ଇଣ୍ଡି’ ମେଂଟକୁ ୨୯୫ରୁ ଅଧିକ ଆସନ ମିଳିବ ବୋଲି ଦାବି କରିଛନ୍ତି । ଗତକାଲି ନୂଆଦିଲ୍ଲୀରେ ଖାର୍ଗେଙ୍କ ବାସଭବନରେ ‘ଇଣ୍ଡି’ ମେଂଟ ନେତାଙ୍କ ବୈଠକ ହୋଇଥିଲା । ପିପୁଲ୍ସ ସର୍ଭେରୁ ଏହି ମେଂଟ ୨୯୫ରୁ ଅଧିକ ଆସନ ପାଉଥିବା ସୂଚନା ମିଳିଛି ବୋଲି ସେ କହିଛନ୍ତି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରସିଦ୍ଧ ପଂଜାବୀ ଗାୟକ ସ୍ୱର୍ଗତ ସିଦ୍ଧୁ ମୁସେୱାଲଙ୍କ ‘୨୯୫ ? ୨୯୫’ ଗୀତ ଶୁଣାଇ ଏଥର ୨୯୫ରୁ ଅଧିକ ବୋଲି କହିଥିବା ବେଳେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଏକଜିଟ୍ ପୋଲ୍ ପୂର୍ବାନୁମାନକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଏସବୁ ଏକ୍ଜିଟ୍ ପୋଲ୍ ନିର୍ବାଚନର କିଛି ମାସ ପୂର୍ବରୁ ହୋଇଥିଲା । ସେୟାର ମାର୍କେଟ୍ କୁ ଉଦ୍ଜୀବିତ ରଖିବା ପାଇଁ ବିଜେପି ଏକଜିଟ୍ ପୋଲ୍ ପୂର୍ବାନୁମାନକୁ ବ୍ୟବହାର କରୁଛି ବୋଲି ଅଖିଳେଶ କହିଛନ୍ତି । ବିଜେପି ଯାହା ଦାବି କରୁଛି ଠିକ୍ ହୋଇଥାଉ ବା ‘ଇଣ୍ଡି’ ମେଂଟର ଦାବି – ଦିନକ ପରେ ୨୦୨୪ ନିର୍ବାଚନ ଫଳାଫଳ ଆସିଲେ ସବୁ କିଛି ସ୍ପଷ୍ଟ ହୋଇଯିବ । ସେପର୍ଯ୍ୟନ୍ତ ମିଠା ବଦଳରେ ଚିନି ବଂଟାବଂଟି ହେଲେ କାହାର କଣ ଆପତ୍ତି କରିବାର ଅଛି ?
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS