୨୦୨୪ରେ ରେକର୍ଡ : ୬୪ କୋଟି ମତଦାତା ମତଦାନ କରିଛନ୍ତି


ପ୍ରସାଦ ରାଓ
ନୂଆଦିଲ୍ଲୀ/ଜୁନ ୦୩
୨୦୨୪ ସାଧାରଣ ନିର୍ବାଚନରେ ଦେଶର ୬୪.୨ କୋଟି ମତଦାତା ମତଦାନ କରିଛନ୍ତି । ସେଥିରେ ମହିଳାଙ୍କ ସଂଖ୍ୟା ହେଉଛି ୩୧.୨ କୋଟି । ମତଦାନରେ ଭାରତ ବିଶ୍ୱ ରେକର୍ଡ ସୃଷ୍ଟି କରିଛି ବୋଲି ଦେଶର ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଆଜି ଏଠାରେ ଗଣମାଧ୍ୟମକୁ କହିଛନ୍ତି । ସେ କହିଛନ୍ତି, ନିର୍ବାଚନ ସମୟରେ ବିଭିନ୍ନ ଅଂଚଳରୁ ଛୋଟ ମୋଟ ହିଂସାର ଖବର ଆସିଥିଲା । ତେବେ, ସେଭଳି କିଛି ବଡ ଧରଣର ହିଂସାର ଖବର ନାହିଁ । ମୋଟାମୋଟି ଭାବେ ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି । ଆସନ୍ତା କାଲି ସକାଳୁ ଭୋଟ ଗଣତି ଆରମ୍ଭ ହୋଇ ଫଳାଫଳ ପ୍ରକାଶ ପାଇବାକୁ ଥିବା ବେଳେ ମୁଖ୍ୟ ନିର୍ବାଚନ କମିଶନର ସାମ୍ବାଦିକ ସମ୍ମିଳନୀ କରି ସାମାଜିକ ଗଣମାଧ୍ୟମରେ ନିର୍ବାଚନ କମିଶନକୁ ନେଇ ପ୍ରସାରିତ ନକାରାତ୍ମକ ଟିପ୍ପଣୀର ସମାଲୋଚନା କରିଛନ୍ତି । ନିର୍ବାଚନ ସମୟରେ କିଛି ସାମାଜିକ ଗଣମାଧ୍ୟମ ନିର୍ବାଚନ କମିଶନରଙ୍କୁ ‘ଲାପତ୍ତା ଜେଂଟଲମ୍ୟାନ୍’ ବା ‘ନିଖୋଜ ଭଦ୍ରଲୋକ’ ବୋଲି କଟାକ୍ଷ କରିଥିଲେ । ତେବେ, ନିର୍ବାଚନ କମିଶନ ସର୍ବଦା ସକ୍ରିୟ ଥିଲା । ଏବେ ସେମାନେ ‘ନିଖୋଜ ଭଦ୍ରଲୋକ ଫେରିଲେ’ ବୋଲି କଟାକ୍ଷ କରିବେ ବୋଲି ସିଇସି ରାଜୀବ କୁମାର କହିଛନ୍ତି । ସେ କହିଛନ୍ତି, ୨୦୨୪ ସାଧାରଣ ନିର୍ବାଚନ ପରିଚାଳନାରେ ୬୮ ହଜାରରୁ ଅଧିକ ମନିଟରିଂ ଟିମ୍ ଏବଂ ଦେଢ କୋଟି ପୋଲିଂ ଓ ସୁରକ୍ଷା କର୍ମୀ ସାମିଲ ଥିଲେ । ନିର୍ବାଚନରେ ପାଖାପାଖି ଚାରି ଲକ୍ଷ ଯାନବାହନ, ୧୩୫ଟି ସ୍ୱତନ୍ତ୍ର ଟ୍ରେନ୍ ଓ ୧୬୯୨ଟି ଛୋଟ ବଡ ବିମାନର ବ୍ୟବହାର ହୋଇଥିଲା । ୨୦୧୯ ସାଧାରଣ ନିର୍ବାଚନରେ ଦେଶରେ ବିଭିନ୍ନ କାରଣରୁ ୫୪୦ଟି ପୁନଃ ମତଦାନ (ରି-ପୋଲିଂ) ହୋଇଥିବା ବେଳେ ୨୦୨୪ ନିର୍ବାଚନରେ ମାତ୍ର ୩୯ଟି ପୁନଃ ମତଦାନ ହୋଇଛି । ୨୦୨୪ ଲୋକସଭା ନିର୍ବାଚନରେ ଜମ୍ମୁ-କଶ୍ମୀରରେ ୫୮.୫୮ ପ୍ରତିଶତ ମତଦାନ ହୋଇଛି । କେବଳ କଶ୍ମୀର ଉପତ୍ୟକାରେ ମତଦାନ ୫୧.୦୫ ପ୍ରତିଶତ ରହିଛି । ୨୦୨୪ ନିର୍ବାଚନରେ ଜମ୍ମୁ-କଶ୍ମୀରରେ ହୋଇଥିବା ଗତ ଚାରି ଦଶକ ମଧ୍ୟରେ ସର୍ବାଧିକ ଓ ରେକର୍ଡ ସୃଷ୍ଟି କରିଛି ବୋଲି ସେ କହିଛନ୍ତି । ନିର୍ବାଚନକୁ ମୁକ୍ତ ଓ ନିରପେକ୍ଷ କରିବା ପାଇଁ ନିର୍ବାଚନ କମିଶନ ଦୁଇ ବର୍ଷରୁ ଅଧିକ ସମୟ ହେଲା ପ୍ରସ୍ତୁତି ଚଳାଇ ଥିଲେ । ଏହାର ପରିଣାମ ସ୍ୱରୂପ ୨୦୨୪ ନିର୍ବାଚନରେ ଅର୍ଥବଳ, ବାହୁବଳ ଓ ମାଗଣା ବଂଟନ ସଂସ୍କୃତିକୁ ନିର୍ବାଚନ କମିଶନ ରୋକିବାରେ ସଫଳ ହୋଇଛନ୍ତି । ନିର୍ବାଚନ ସମୟରେ ସକ୍ରିୟ ଥିବା ଫ୍ଲାଇଂ ସ୍ୱାଡ୍ ଦେଶର ବିଭିନ୍ନ ଅଂଚଳରୁ ୧୦,୦୦୦ କୋଟି ଟଙ୍କାର ନଗଦ, ମଦ, ମାଦକ ଦ୍ରବ୍ୟ ଓ ମାଗଣା ବଂଟନ ସମାଗ୍ରୀ ଜବତ କରିଛନ୍ତି । ୨୦୧୯ ସାଧାରଣ ନିର୍ବାଚନରେ ଏହାର ପରିମାଣ ଥିଲା ୩,୫୦୦ କୋଟି ଟଙ୍କା ବୋଲି ରାଜୀବ କୁମାର କହିଛନ୍ତି । ଗୁଜରାଟର ସୁରଟ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ଥିବା ମୁକେଶ ଦଲାଲଙ୍କୁ ନିର୍ବାଚନ କମିଶନ ନିର୍ଦ୍ଦନ୍ଦ୍ୱର ନିର୍ବାଚିତ ଘୋଷଣା କରିବା ସୁପ୍ରିମ କୋର୍ଟଙ୍କ ‘ନୋଟା’ ସଂପର୍କିତ ରାୟର ଉଲଂଘନ ନୁହେଁ କି (?) ବୋଲି ଗଣମାଧ୍ୟମ ପ୍ରତିନିଧିମାନେ ସିଇସି ରାଜୀବ କୁମାରଙ୍କୁ ପ୍ରଶ୍ନ କରିଥିଲେ । ସିଇସି ଏହାର ଉତ୍ତରରେ କହିଛନ୍ତି, ଯେଉଁଠି ନାମାଙ୍କନ ପ୍ରତ୍ୟାହାର ପାଇଁ ନିର୍ବାଚନ ମଇଦାନରେ ଥିବା ପ୍ରାର୍ଥୀଙ୍କ ଉପରେ ଚାପ ସୃଷ୍ଟି କରାଯାଉଥିବା ଅଭିଯୋଗ ଆସିବ ସେଠି ନିର୍ବାଚନ କମିଶନ ହସ୍ତକ୍ଷେପ କରି ପାରିବେ । କିନ୍ତୁ, ଆପୋଷ ବୁଝାମଣା ଭିତ୍ତିରେ ସବୁ କିଛି ହେଲେ ନିର୍ବାଚନ କମିଶନ କଣ କରିବେ ? ସୁରଟ ଲୋକସଭା ଆସନରୁ କଂଗ୍ରେସରୁ ନାମାଂକନପତ୍ର ଦାଖଲ କରିଥିବା ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ଯାଂଚ ସମୟରେ ନାକଚ ହୋଇଥିଲା । ପରେ, ବିଜେପି ବିପକ୍ଷରେ ଯେଉଁମାନେ ପ୍ରାର୍ଥୀ ଥିଲେ ସେମାନେ ନିଜ ଆଡୁ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରି ନେଇଥିଲେ । ତେଣୁ, ବିଜେପି ପ୍ରାର୍ଥୀ ମୁକେଶ ଦଲାଲଙ୍କୁ ନିଦ୍ଦ୍ୱର୍ନ୍ଦ୍ୱରେ ନିର୍ବାଚିତ ଘୋଷଣା କରିବା ବ୍ୟତୀତ ନିର୍ବାଚନ କମିଶନଙ୍କ ନିକଟରେ ଅନ୍ୟ କିଛି ବିକଳ୍ପ ନଥିଲା । ଏଠାରେ ସୂଚନାଯୋଗ୍ୟ, ୨୦୧୩ରେ ସୁପ୍ରିମ କୋର୍ଟ ଏକ ଦୃଷ୍ଟାନ୍ତମୂଳକ ରାୟରେ କହିଥିଲେ, ‘ଗଣତନ୍ତ୍ରକୁ ବଂଚାଇ ରଖିବା ସକାଶେ ଦେଶକୁ ଚଳାଇବା ପାଇଁ ନିଜ ଭିତରେ ଥିବା ଉପଯୁକ୍ତ ବ୍ୟକ୍ତିଙ୍କୁ ଜନପ୍ରତିନିଧି ଭାବେ ଚୟନ କରାଯିବା ଆବଶ୍ୟକ । ଏହା ସକାରାତ୍ମକ ଭୋଟ ମାଧ୍ୟମରେ ଜଣେ ଚାରିତ୍ରିକ ଓ ନୀତିଗତ ମୂଲ୍ୟବୋଧ ରଖିଥିବା ବ୍ୟକ୍ତିଙ୍କୁ ଚୟନ କରାଯିବା ମାଧ୍ୟମରେ ସମ୍ଭବ ହୋଇପାରିବ । ଗଣତନ୍ତ୍ରକୁ ଅଧିକ ଶକ୍ତିଶାଳୀ ଓ ପରଦର୍ଶୀ କରିବା ପାଇଁ ଇଲୋକ୍ଟୋନିକ ଭୋଟିଂ ମେସିନରେ ‘ନୋଟା’ (ପ୍ରାର୍ଥୀଙ୍କ ମଧ୍ୟରୁ କେହି ପସନ୍ଦଯୋଗ୍ୟ ନୁହନ୍ତି ବା ନନ୍ ଅଫ୍ ଦି ଏବଭ୍) ବୋତାମ ଟିପିବା ବ୍ୟବସ୍ଥା ରହିଛି । ଏହା ଦ୍ୱାରା ରାଜନୈତିକ ଦଳମାନେ ଉପଯୁକ୍ତ ବ୍ୟକ୍ତିଙ୍କୁ ନିର୍ବାଚନରେ ପ୍ରାର୍ଥୀ କରିବାକୁ ବାଧ୍ୟ ହେବେ’ । ଇଭିଏମରେ ମତଦାତାଙ୍କ ପାଇଁ ‘ନୋଟା’ ବିକଳ୍ପ ରହି ଥିବାରୁ ନିର୍ବାଚନ ପ୍ରତିଦ୍ୱନ୍ଦ୍ୱିତାରେ ଏକମାତ୍ର ପ୍ରାର୍ଥୀ ଥିଲେ ତାଙ୍କୁ ନିଦ୍ଦ୍ୱନ୍ଦ୍ୱରେ ନିର୍ବାଚିତ ଘୋଷଣା ନ କରି ମତଦାତାଙ୍କୁ ‘ନୋଟା’ର ଉପଯୋଗ କରାଯିବାକୁ ଆଇନରେ ସଂଶୋଧନ କରାଯିବା ସକାଶେ ପ୍ରସ୍ତାବ ଆଣିବାକୁ ସେ ଚାହିଁବେ କି (?) ବୋଲି ସିଇସି ରାଜୀବ କୁମାରଙ୍କୁ ଗଣମାଧ୍ୟମ ପ୍ରତିନିଧିମାନେ ପ୍ରଶ୍ନ କରିବାକୁ ସେ କହିଛନ୍ତି, ନିର୍ବାଚନ କମିଶନ ଚାହାଁନ୍ତି ପ୍ରତିଟି ଆସନ ପାଇଁ ପ୍ରତିଦ୍ୱନ୍ଦ୍ୱିତା ହେଉ । ତେବେ, ପ୍ରାର୍ଥୀମାନେ ନାମାଂକନ ପ୍ରତ୍ୟାହାର କଲେ ନିର୍ବାଚନ କମିଶନ କଣ କରିବ ? ପ୍ରାର୍ଥୀ ଚାପରେ ପଡି ବା ବଳ ପ୍ରୟୋଗ କାରଣରୁ ନାମାଂକନପତ୍ର ପ୍ରତ୍ୟାହାର କରୁଥିବା ଅଭିଯୋଗ ହେଲେ ସେଠି ନିର୍ବାଚନ କମିଶନଙ୍କ ଭୂମିକା ରହିଛି । ଯେଉଁଠି ସ୍ୱଇଚ୍ଛାରେ ବା ବୁଝାମଣା ଭିତ୍ତିରେ ପ୍ରାର୍ଥୀ ନାମାଂକନ ପ୍ରତ୍ୟାହାର କରୁଛନ୍ତି ସେଠାରେ ନିର୍ବାଚନ କମିଶନ କେମିତି ତାହାକୁ ରୋକି ପାରିବ ବୋଲି ସେ ପ୍ରଶ୍ନ କରିଛନ୍ତି । ତେଣୁ, ଯେଉଁ ଆସନରେ ଜଣେ ମାତ୍ର ପ୍ରାର୍ଥୀ ରହିଛନ୍ତି ସେଠି ନିର୍ବାଚନ କରାନଯିବାକୁ ଆଇନରେ ବ୍ୟବସ୍ଥା କରାଯିବା ଠିକ ନୁହେଁ ବୋଲି ସେ କହିଛନ୍ତି । ୨୦୨୪ ସାଧାରଣ ନିର୍ବାଚନର ପ୍ରଥମ ଚରଣରେ ଗୁଜରାଟର ସୁରଟ ଲୋକସଭା ଆସନ ପାଇଁ ନିର୍ବାଚନ ହୋଇଥିଲା । ଏହି ଆସନରୁ କଂଗ୍ରେସରୁ ପ୍ରାର୍ଥୀ ଥିବା ବ୍ୟକ୍ତିଙ୍କ ନାମାଂକନ ଯାଂଚ ବେଳେ ନାକଚ ହୋଇଥିଲା । ପରେ ପରେ ବିଜେପି ପ୍ରାର୍ଥୀ ଦଲାଲଙ୍କ ବ୍ୟତୀତ ମଇଦାନରେ ଥିବା ଅନ୍ୟ ସମସ୍ତ ପ୍ରାର୍ଥୀ ସେମାନଙ୍କ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରି ନେଇଥିଲେ । ଫଳରେ, ନିର୍ବାଚନ କମିଶନ ବିଜେପି ପ୍ରାର୍ଥୀ ଦଲାଲଙ୍କୁ ନିଦ୍ଦ୍ୱର୍ନ୍ଦ୍ୱରେ ନର୍ବାଚିତ ଘୋଷଣା କରିଥିଲେ । ସେହି ସମୟରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା । ଗୁଜରାଟରେ ବିଜେପିର ସରକାର ଥିବାରୁ ଅଦୃଶ୍ୟ ଚାପ ସୃଷ୍ଟି କରାଯାଇ ପ୍ରାର୍ଥୀମାନଙ୍କୁ ନିର୍ବାଚନରୁ ଓହରାଇ ଦିଆଯାଇଛି ବୋଲି କଂଗ୍ରେସ ଅଭିଯୋଗ କରିଥିଲା । ଅନ୍ୟମାନେ ମଧ୍ୟ ସୁରଟ ଲୋକସଭା ଆସନରେ ଦଲାଲ ଏକମାତ୍ର ପ୍ରାର୍ଥୀ ରହିବାକୁ ନିର୍ବାଚନ କମିଶନ ସେଠାରେ ଆଉ ମତଦାନ ନ କରାଇ ମୁକେଶ ଦଲାଲଙ୍କୁ ନିଦ୍ଦ୍ୱର୍ନ୍ଦରେ ନିର୍ବାଚିତ ଘୋଷଣା କରିବା ‘ନୋଟା’ ବିକଳ୍ପ ଥାଇ ମଧ୍ୟ ମତଦାତାଙ୍କ ମୌଳିକ ଅଧିକାରକୁ କ୍ଷୁର୍ଣ୍ଣ କରାଯାଇଛି ବୋଲି ଅଭିଯୋଗ କରିଥିଲେ । ମତଦାନ ନହେବା ପଛରେ ବିଜେପିର ଅଦୃଶ୍ୟ ଚାପ ଥିବା ମଧ୍ୟ ବିରୋଧୀଙ୍କ ଆଡୁ ଅଭିଯୋଗ ହୋଇଥିଲା । ଦେଶର ମୁଖ୍ୟ ନିର୍ବାଚନ କମିଶନର ଆଜି ଏହାକୁ ନେଇ ସ୍ପଷ୍ଟୀକରଣ ରଖିଛନ୍ତି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS