ଉଭୟ ଓଡ଼ିଶା ଓ ଜାତୀୟ ରାଜନୀତିରେ ଅହଂକାରୀଙ୍କୁ ଶକ୍ତ ଝଟକା
ପ୍ରସାଦ ରାଓ
ନୂଆଦିଲ୍ଲୀ/ଜୁନ ୦୪
କ୍ଷମତା ଚିରସ୍ଥାୟୀ ନୁହେଁ । ଦିନେ ନା ଦିନେ ତାହା ଗୋଟିଏ ହାତରୁ ଅନ୍ୟ ହାତକୁ ଯିବ । ଏହି ଚିରନ୍ତନ ସତ୍ୟକୁ ନକାରି ଆସୁଥିବା ରାଜନେତାଙ୍କୁ ଆଜି ଦେଶର ମତଦାତା କଡା ଜବାବ ଦେଇଥିବା ନିର୍ବାଚନ ଫଳାଫଳ ଆସିବା ପରେ ଦେଖିବାକୁ ମିଳିଛି । କେନ୍ଦ୍ର ଓ ବିଧାନସଭା ନିର୍ବାଚନ ହୋଇଥିବା ରାଜ୍ୟରେ ମତଦାତା କ୍ଷମତାରେ ଥିବା ରାଜନୈତିକ ଦଳଙ୍କ ଅହଂକାରକୁ ଚୁରମାର କରିବା ସହ ୨୦୨୪ର ଗଣିତ ବଦଳାଇ ଦେଇଛନ୍ତି । ଓଡ଼ିଶାରେ ୨୦୦୦ ମସିହାରୁ ଲଗାତର ବିଧାନସଭା ନିର୍ବାଚନ ଜିତି ଆସୁଥିବା ଓ ୨୪ ବର୍ଷ ଧରି କ୍ଷମତାରେ ଥିବା ବିଜୁ ଜନତା ଦଳକୁ ରାଜ୍ୟବାସୀ କ୍ଷମତାଚ୍ୟୁତ କରି ବିଜେପି ହାତରେ ରାଜ୍ୟ ଶାସନକୁ ସମର୍ପି ଦେଇଥିବା ବେଳେ ଆନ୍ଧ୍ର ପ୍ରଦେଶରେ ମଧ୍ୟ ଜନତା ମୁଖ୍ୟମନ୍ତ୍ରୀ ତଥା ୱାଇଏସଆରସିପି ନେତା ୱାଇ.ଏସ.ଜଗନ ମୋହନ ରେଡ୍ଡୀଙ୍କ ଶାସନର ପତନ ଘଟାଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ.ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି (ତେଲୁଗୁ ଦେଶମ ପାର୍ଟି)କୁ କ୍ଷମତା ହସ୍ତାନ୍ତର କରିଛନ୍ତି । ଦେଶର ୫୪୩ ଲୋକସଭା ଆସନରେ ହୋଇଥିବା ନିର୍ବାଚନରେ ବିଜେପି ଏକାକୀ ୩୭୦ ଆସନ ଓ ବିଜେପି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଂଟ (ଏନଡିଏ) ୪୦୦ ପାରି ହୋଇଯିବ ବୋଲି ବିଜେପିର ବ୍ୟାଖ୍ୟାନ ଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବିଜେପିର ସମସ୍ତ ବରିଷ୍ଠ ନେତା ଓ ବିଜେପି ଶାସିତ ରାଜ୍ୟ ମୁଖ୍ୟମନ୍ତ୍ରୀମାନେ କଂଗ୍ରେସ ନେତୃତ୍ୱାଧୀନ ବିରୋଧୀ ମେଂଟ (ଇଣ୍ଡି ମେଂଟ)କୁ ଦୁର୍ନୀତିଗ୍ରସ୍ତ, ବଂଶବାଦୀ ଏବଂ ସେମାନେ କ୍ଷମତାକୁ ଆସିଲେ ଦେଶର ସଂପତ୍ତି ଲୁଟି ନେଇ ସଂଖ୍ୟାଲଘୁ ମୁସଲମାନ ସଂପ୍ରଦାୟକୁ ବାଂଟି ଦେବେ ଦେଶବ୍ୟାପୀ ପ୍ରଚାର କରିଥିଲେ । ଅପରପକ୍ଷରେ, ଇଣ୍ଡି ମେଂଟ ଦେଶରେ ଗଣତନ୍ତ୍ର ଓ ଗଣତାନ୍ତ୍ରିକ ସଂସ୍ଥା ସବୁ ବିପଦରେ ଥିବା ଦର୍ଶାଇ ଗଣତନ୍ତ୍ର ଓ ସମ୍ବିଧାନକୁ ସୁରକ୍ଷିତ ରଖିବା ପାଇଁ ସେମାନେ ଏକାଠି ହୋଇଥିବା ଦର୍ଶାଇ ବିଜେପି ନେତୃତ୍ୱାଧୀନ ଏନଡିଏର ମୁକାବିଲା କରିଥିଲେ । ଦେଶର ପ୍ରମୁଖ ଜାତୀୟ ଗଣମାଧ୍ୟମ ସବୁ, ବିଶେଷକରି ଜାତୀୟ ଓ ଆଂଚଳିକ ବୈଦ୍ୟୁତିକ ଗଣମାଧ୍ୟମ ପ୍ରଧାନମନ୍ତ୍ରୀ ମୋଦୀ ଓ ବିଜେପିର ଇଣ୍ଡି ମେଂଟ ବିରୋଧୀ ପ୍ରଚାର ବା ଅପପ୍ରଚାରକୁ ସର୍ବାଧିକ ଗୁରୁତ୍ୱ ଦେଇ ବିରୋଧୀ ମେଂଟର ଦାବିକୁ ଗୌଣ କରି ଦେବାକୁ ଶେଷ ପର୍ଯ୍ୟନ୍ତ ଉଦ୍ୟମ କରିଥିଲେ । ତେବେ, ଦେଶର ମତଦାତା ଏହି ନିର୍ବାଚନରେ ଦେଶର ସମ୍ବିଧାନ ଓ ଗଣତନ୍ତ୍ରକୁ ସୁରକ୍ଷିତ ଦେଖିବା ପାଇଁ ବିଜେପି ଓ ଏନଡିଏ ସପକ୍ଷରେ ଏକପାଖିଆ ମତଦାନ ନକରି ବିରୋଧୀ ମେଂଟକୁ ମଧ୍ୟ ସମ୍ମାନଜନକ ସଂଖ୍ୟା ଦେଇଛନ୍ତି । ଯାହାକି ବିଜେପିର ବ୍ୟାଖ୍ୟାନ ଓ ତାହାକୁ ସମର୍ଥନ ଦେଇ ଆସିଥିବା ଜାତୀୟ ଓ ଆଂଚଳିକ ଗଣମାଧ୍ୟମ ପାଇଁ ବଡ ଝଟକା ହୋଇଛି । ଦେଶର ଜନତା ୨୦୧୪ ସାଧାରଣ ନିର୍ବାଚନରେ କଂଗ୍ରେସ ଶାସନ ବିରୋଧରେ ସେମାନଙ୍କ ଅସନ୍ତୋଷ ଜାହିର କରିବାକୁ ଯାଇ ବିଜେପି ସପକ୍ଷରେ ବିପୁଳ ମତଦାନ କରିବା ସହ ମୋଦୀଙ୍କୁ ପ୍ରଧାନମନ୍ତ୍ରୀ କରିଥିଲେ । ୨୦୧୯ ସାଧାରଣ ନିର୍ବାଚନ ସମୟରେ ଜମ୍ମୁ-କଶ୍ମୀରର ପୁଲୱାମାରେ ଦେଶର ଯବାନଙ୍କ ଉପରେ ହୋଇଥିବା ଆତଙ୍କୀ ଆକ୍ରମଣ ଏବଂ ପରବର୍ତ୍ତୀ ସମୟରେ ଭାରତୀୟ ସେନା ପକ୍ଷରୁ ପାକିସ୍ତାନ ଅଂଚଳରେ ହୋଇଥିବା ସର୍ଜିକାଲ ଷ୍ଟାଇକ୍ ନିର୍ବାଚନକୁ ପ୍ରଭାବିତ କରିଥିଲା । ସମଗ୍ର ଦେଶରେ ଏକ ଜାତୀୟତାବାଦ ମନୋଭାବ ସୃଷ୍ଟି ହେବା ସହ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ମୋଦୀ ଓ ବିଜେପି ସପକ୍ଷରେ ଏକପାଖିଆ ମତଦାନ ହୋଇଥିଲା । ଦେଶରେ ସରକାର ଗଠନ ପାଇଁ ୨୭୨ ଅଂକର ଆବଶ୍ୟକତା ଥିବା ବେଳେ ଦେଶବାସୀ ବିଜେପିକୁ ୩୦୩ ଆସନରେ ବିଜୟୀ କରାଇଥିଲେ । ୨୦୨୪ ନିର୍ବାଚନରେ ସେଭଳି ପରିବେଶ ବା ପରିସ୍ଥିତି ନଥିଲା । କିନ୍ତୁ, ନିର୍ବାଚନର ମାତ୍ର ଗୋଟିଏ ବର୍ଷ ପୂର୍ବରୁ ବିଜେପିକୁ ପରାଜିତା କରିବା ଲକ୍ଷ୍ୟ ନେଇ ଏକାଠି ହୋଇଥିବା ବିରୋଧୀ ରାଜନୈତିକ ଦଳଙ୍କ ମଧ୍ୟରେ ବିଭିନ୍ନ କାରଣରୁ ଅସ୍ଥିରତା ଲାଗି ରହିବା ଏବଂ ବିରୋଧୀ ମେଂଟ ଦେଶବାସୀଙ୍କ ସମ୍ମୁଖରେ ମେଂଟର ପ୍ରଧାନମନ୍ତ୍ରୀ ଭାବେ ଜଣେ ଦକ୍ଷ ନେତାଙ୍କୁ ଉପସ୍ଥାପିତ କରିବାରେ କୁଂଠିତ ହେବା ବିଜେପି ଓ ଏନଡିଏ ମେଂଟ ସପକ୍ଷରେ ଏକ ଅନୁକୂଳ ବାତାବରଣ ସୃଷ୍ଟି କରିଥିଲା । ପ୍ରଧାନମନ୍ତ୍ରୀ ମୋଦୀ ଓ ଅନ୍ୟ ବିଜେପି ନେତାମାନେ ଇଣ୍ଡି ମେଂଟ ଓ ତାହାର ନେତାମାନଙ୍କୁ ଦୁର୍ନୀତିଗ୍ରସ୍ତ, ବଂଶବାଦୀ ଏବଂ ଲୁଂଠନକାରୀ ସାବ୍ୟସ୍ତ କରିବାକୁ ଶେଷ ପର୍ଯ୍ୟନ୍ତ ଚାହିଁଥିଲେ ସୁଦ୍ଧା ସଫଳ ହୋଇ ନାହାନ୍ତି । ଦେଶବାସୀ ବିଭିନ୍ନ ଜାତୀୟ ଗଣମାଧ୍ୟମର ବୁଥ୍ ବାହୁଡା ମତଦାନ ଆଧାରରେ ନିର୍ବାଚନ ପଳାଫଳର ପୂର୍ବାନୁମାନକ ଭୁଲ ପ୍ରମାଣିତ କରି ବିଜେପିକୁ ଏକକ ସଂଖ୍ୟାଗରିଷ୍ଠତା ଦେଇନଥିବା ବେଳେ ଏନଡିଏକୁ ସରକାର ଗଠନ ପାଇଁ ଆବଶ୍ୟକ ସଂଖ୍ୟା ଦେଇଛନ୍ତି । ସେହିଭଳି, ଲୋକସଭାରେ କଂଗ୍ରେସ ସାମିଲ ଥିବା ଇଣ୍ଡି ମେଂଟ ଯେଭଳି ଦୃଢତାର ସହ ସରକାରର ମୁକାବିଲା କରି ପାରିବ – ତାହାକୁ ଦୃଷ୍ଟିରେ ରଖି ୨୦୨୪ ନିର୍ବାଚନରେ ଜନତାଙ୍କ ମତଦାନ ହୋଇଥିବା ଦେଖିବାକୁ ମିଳିଛି । ଏହି ଲେଖା ପ୍ରସ୍ତୁତ ହେବା ସୁଦ୍ଧା ଦେଶବ୍ୟାପୀ ଲୋକସଭା ଭୋଟ ଗଣତି ଚାଲି ଥିବାରୁ ଚୂଡାନ୍ତ ଫଳାଫଳ କଣ ଆସୁଛି ଜଣାପଡି ନାହିଁ । ତଥାପି, ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ଗଠନ ପାଇଁ ଆବଶ୍ୟକ ସଂଖ୍ୟା ପାଉଥିବା ଏବଂ ମୋଦୀ ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହେବା ଏକପ୍ରକାର ସ୍ପଷ୍ଟ ହୋଇଯାଇଛି । ସନ୍ଧ୍ୟା ୫ଟା ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ ବିଜେପି ନେତୃତ୍ୱଧୀନ ଏନଡିଏ ୨୯୧ ଲୋକସଭା ଆସନରେ ଆଗୁଆ ଥିବା ବେଳେ କଂଗ୍ରେସ ଓ ତାହାର ଇଣ୍ଡି ମେଂଟ ୨୩୩ ଆସନରେ ଆଗୁଆ ରହିଛନ୍ତି । ଦୁଇ ମେଂଟ ମଧ୍ୟରେ ‘କାଂଟେ କି ଟକ୍କର’ ହୋଇଥିବା ଏପର୍ଯ୍ୟନ୍ତ ମିଳିଥିବା ସୂଚନାରୁ ଜଣାପଡୁଛି । ବିଜେପି ତାହାର ଗଡ଼ ୟୁପିରେ ଶକ୍ତ ଝଟକା ଖାଇଛି । ୮୦ରୁ ୮୦ ଲୋକସଭା ଆସନ ଜିତିବ ବୋଲି ଦାମ୍ଭିକତା ପ୍ରକାଶ କରିଥିବା ବିଜେପିର ଦମ୍ଭକୁ ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି ଭାଂଗି ଦେଇଛି । ସେହିପରି, ପଶ୍ଚିମ ବଂଗରେ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ପାର୍ଟି (ଟିଏମସି) ବିଜେପି ଓ ଜାତୀୟ ଗଣମାଧ୍ୟମର ସମସ୍ତ ଆକଳନକୁ ଭୁଲ ପ୍ରମାଣିତ କରି ୪୨ରୁ ୩୦ ଆସନରେ ଆଗୁଆ ରହିଛି । ହରିୟାଣା, ରାଜସ୍ଥାନ, ପଂଜାବରେ କଂଗ୍ରେସର ପ୍ରଦର୍ଶନ ଭଲ ଥିବା ବେଳେ ମହାରାଷ୍ଟ୍ରରେ ଶିବସେବା (ୟୁବିଟି), ଏନସିପି (ଶରଦଚନ୍ଦ୍ର ପାୱାର) ଓ କଂଗ୍ରେସର ମିଳିତ ପ୍ରଦର୍ଶନ ବେଶ୍ ଭଲ ରହିଛି । ବିହାରରେ ତେଜସ୍ୱୀ ଯାଦବଙ୍କ ନେତୃତ୍ୱାଧୀନ ଆରଜେଡ଼ି ୨୦୧୯ ଲୋକସଭା ନିର୍ବାଚନରେ ଗୋଟିଏ ହେଲେ ଆସନ ପାଇନଥିବା ବେଳେ ୨୦୨୪ ନିର୍ବାଚନରେ ତିନିଟି ଆସନରେ ଆଗୁଆ ରହିଛି । ଅପରାହ୍ନ ସୁଦ୍ଧା ମିଳିଥିବା ରିପୋର୍ଟ ମୁତାବକ ଏନଡିଏରେ ଥିବା ବିଜେପି ୨୪୧ ଆସନରେ ଆଗୁଆ ଥିବା ବେଳେ ଟିଡିପି ୧୬, ଜେଡିୟୁ ୧୪, ଏଲଜେପି ୦୫, ଶିବସେନା (ସିନ୍ଧେ) ୦୫, ଏନସିପି (ଅଜିତ ପାୱାର) ୦୨, ଜେଡ଼ିଏସ ୦୨, ଆରଏଲଡି ୦୨, ଜେଏସପି ୦୨ ଆସନରେ ଆଗୁଆ ଥିଲା । ସେହିଭଳି, ବିରୋଧୀ ଇଣ୍ଡି ମେଂଟରେ ଥିବା କଂଗ୍ରେସ ୧୦୦ ଲୋକସଭା ଆସରେ ଆଗୁଆ ଥିବା ବେଳେ ଟିଏମସି ୩୦, ଏନସିପି (ଶରଦ ପାୱାର) ୦୫, ଶିବସେନା (ୟୁବିଟି) ୧୧, ସମାଜବାଦୀ ପାର୍ଟି ୩୫, ଡିଏମକେ ୨୧, ସିପିଏମ ୦୪, ସିପିଆଇ ୦୨, ଜେଏମଏମ ୦୩, ଆଇୟୁଏମଏଲ ୦୩, ଜେକେଏନସି ୦୨, ଆପ୍ ୦୩ ଓ ଆରଜେଡ଼ି ୦୩ ଆସନରେ ଆଗୁଆ ରହିଥିଲା । ମୋଟାମୋଟି ଭାବେ ବିଜେପି ଏକାକୀ ସରକାର ଗଠନ ପାଇଁ ମେଜିକ ସଂଖ୍ୟା (୨୭୨)ରୁ ବହୁ ଦୂରରେ ଥିଲେ ମଧ୍ୟ ଏନଡିଏ ମେଜିକ ସଂଖ୍ୟା ପାର୍ କରି ସାରିଛି । କଂଗ୍ରେସ ଓ ଇଣ୍ଡି ମେଂଟ ମିଳିଥିବା ସଂଖ୍ୟା ଦୃଷ୍ଟିରୁ ଲୋକସଭାରେ ଏକ ସଶକ୍ତ ବିରୋଧୀ ଦଳର ଭୂମିକାରେ ରହିବେ ବୋଲି ସ୍ପଷ୍ଟ ହେଉଛି । ନିର୍ବାଚନ ଫଳାଫଳ କଣ ହେବ ତାହାର ଝଲକ ମିଳିବା ପରେ ଉଭୟ ବିଜେପି ମେଂଟ ଓ କଂଗ୍ରେସ ସାମିଲ ଥିବା ଇଣ୍ଡି ମେଂଟରେ ବେଶ ଉତ୍ସାହ ଦେଖିବାକୁ ମିଳୁଛି । ଏନଡିଏର ୪୦୦ ପାର୍ ନାରା ଦେଉଥିବା ବିଜେପି ନେତାମାନେ ଦଳର ଲୋକସଭା ଆସନ ସଂଖ୍ୟା ମେଜିକ ସଂଖ୍ୟାଠାରୁ ବହୁ ଦୂରରେ ଥିବା ଜାଣି ମଧ୍ୟ ଏନଡିଏ ମେଂଟ ସରକାର ଗଠନ କରିବାକୁ ସକ୍ଷମ ଥିବାରୁ ‘ଜୋ ଜିତା ୱହି ସିକନ୍ଦର’ ବୋଲି ନୂଆ ନାରା ଦେବା ଆରମ୍ଭ କରିଛନ୍ତି । ତେବେ, ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୪ରେ ଏକ ମିଳିତ ସରକାରର ନେତୃତ୍ୱ ନେବାକୁ ଯାଉଥିବା ସ୍ପଷ୍ଟ । ୨୦୦୪ରୁ ୨୦୧୪ ଦେଶରେ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ (ମିଳିତ ପ୍ରଗତିଶୀଳ ମେଂଟ)ର ସରକାର ଥିଲା । ୨୦୧୪ରୁ ୨୦୨୪ ବିଜେପି ମେଂଟ ସରକାର ଚଳାଇ ଥିଲେ ମଧ୍ୟ ସରକାରରେ ଦଳର ଏକାଧିପତ୍ୟ ରହିଥିଲା । କଂଗ୍ରେସ କହିଛି, କେନ୍ଦ୍ରରେ ମେଂଟ ସରକାର ଚଳାଇବା ଅଭିଜ୍ଞତା କଂଗ୍ରେସର ରହିଛି । ଏବେ, ବିଜେପିକୁ ଏନଡିଏରେ ଅନ୍ତର୍ଭୁକ୍ତ ଥିବା ସବୁ ରାଜନୈତିକ ଦଳଙ୍କୁ ନେଇ ସରକାର ଚଳାଇବାକୁ ପଡିବ । ଏହା ସେତେ ସହଜ ନୁହେଁ । ଏନଡିଏର ବିଜୟ ସମ୍ଭାବନା ଦେଖି ପ୍ରଧାନମନ୍ତ୍ରୀ ମୋଦୀ ଆଜି ଏଥିରେ ସାମିଲ ଥିବା ସବୁ ରାଜନୈତିକ ଦଳର ନେତାଙ୍କ ସହ ଆଲୋଚନା କରିବା ସହ ବିଜେପି ମୁଖ୍ୟାଳୟରେ ବିଜୟ ପର୍ବ ପାଳନ କାର୍ଯ୍ୟକ୍ରମ ରଖିଛନ୍ତି । ସେହିଭଳି, ଇଣ୍ଡି ମେଂଟ ମଧ୍ୟ ସଫଳତାକୁ ନେଇ ମେଂଟରେ ଥିବା ସବୁ ଦଳଙ୍କ ସହ ଆଲୋଚନା ଆରମ୍ଭ କରିଥିବା ଜଣାପଡିଛି । ଜାତୀୟସ୍ତରରେ ଏଭଳି ଉତ୍ସାହ ଦେଖିବାକୁ ମିଳିଥିବା ବେଳେ ଓଡ଼ିଶାରେ ବିଜେଡ଼ି ଶିବିରରେ ଦୁଃଖର ବାତାବରଣ ରହିଛି । ରାଜ୍ୟର ୨୧ ଲୋକସଭା ଆସନରୁ ବିଜେପି ସନ୍ଧ୍ୟା ସୁଦ୍ଧା ୧୯ ଆସନରେ ଆଗୁଆ ଥିବା ବେଳେ ବିଜେଡ଼ି ଓ କଂଗ୍ରେସ ଗୋଟିଏ ଲେଖାଏଁ ଆସନରେ ଆଗୁଆ ଥିଲେ । ସେହିଭଳି, ଓଡ଼ିଶା ବିଧାନସଭାର ୧୪୭ ଆସନରୁ ବିଜେଡ଼ି ୫୭ ଆସନରେ ଆଗୁଆ ଥିବା ବେଳେ ବିଜେପି ୭୪ ଆସନରେ ଓ କଂଗ୍ରେସ ୧୬ ଆସନରେ ଆଗୁଆ ଥିଲେ । ୦୩ଟି ଆସନରେ ଅନ୍ୟମାନେ ଆଗୁଆ ଥିଲେ । ଫଳାଫଳକୁ ନେଇ ବିଜେପି ଶିବିର ବେଶ୍ ଉତ୍ସାହିତ । ୨୦୧୪ ଲୋକସଭା ନିର୍ବାଚନରେ ବିଜେପି ରାଜ୍ୟର ଗୋଟିଏ ମାତ୍ର ଆସନରେ ବିଜୟୀ ହୋଇଥିବା ବେଳେ ୨୦୧୯ ନିର୍ବାଚନରେ ୦୮ଟି ଆସନରେ ବିଜୟୀ ହୋଇଥିଲା । ୨୦୧୯ରେ ବିଜେଡ଼ି ୧୨ଟି ଲୋକସଭା ଆସନ ଓ କଂଗ୍ରେସ ଗୋଟିଏ ଲୋକସଭା ଆସନ ପାଇଥିଲା । ବିଜେଡ଼ି ୨୦୧୪ ବିଧାନସଭା ନିର୍ବାଚନରେ ରାଜ୍ୟର ୧୪୭ ଆସନରୁ ୧୧୭ ଓ ୨୦୧୯ରେ ୧୧୨ ଆସନରେ ବିଜୟୀ ହୋଇଥିଲା । ୨୦୨୪ ବିଧାନସଭା ନିର୍ବାଚନରେ ଦଳ ୧୦୦ରୁ ଅଧିକ ଆସନ ପାଇବ ବୋଲି ଆଶା ରଖଥିବା ବେଳେ ୫୭କୁ ଖସି ଆସିଛି । ତେବେ, ଜାତୀୟସ୍ତରରେ ଦଶ ବର୍ଷ ଧରି ମୋଦୀ ସରକାରଙ୍କ ସହ ବିଜେଡ଼ିର ସଂପର୍କ ଉତ୍ତମ ରହିଥିବାରୁ ଲୋକସଭା ଗଣିତରେ ଏପାଖ ସେପାଖ ହେଲେ କିଛି ଫରକ ପଡିବାର ନାହିଁ ବୋଲି ରାଜନୈତିକ ସମୀକ୍ଷକମାନେ କହୁଛନ୍ତି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS