ରାହୁଲ ହେବେ ଲୋକସଭାରେ ବିରୋଧୀ ଦଳ ନେତା !


ପ୍ରସାଦ ରାଓ
ନୂଆଦିଲ୍ଲୀ/ଜୁନ ୦୬
୧୮ତମ ଲୋକସଭା ନିର୍ବାଚନ ଫଳାଫଳ ଆସିବା ପରେ ଦେଶର ରାଜନୈତିକ ଚିତ୍ର ସଂପୂର୍ଣ୍ଣ ବଦଳି ଯାଇଛି । ବିଜେପି ନେତୃତ୍ୱାଧୀନ ଶାସକ ମେଂଟ ଏନଡିଏ ୫୪୩ରୁ ୨୯୩ ଲୋକସଭା ଆସନରେ ସୀମିତ ଥିବା ବେଳେ ବିରୋଧୀ ମେଂଟ (ଆଇଏନଡିଆଇଏ) ୨୩୨ ଆସନ ପାଇଁ ଏକ ଶକ୍ତିଶାଳୀ ବିରୋଧୀ ଦଳ ଭୂମିକାରେ ଉଭା ହୋଇଛି । ପୂର୍ବ ଦୁଇଟି ଲୋକସଭା ନିର୍ବାଚନରେ ବିଜେପି ଏକାକୀ ଯଥାକ୍ରମେ ୨୮୨ (୨୦୧୪) ଓ ୩୦୩ (୨୦୧୯) ଆସନ ପାଇ ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ ସରକାର ଚଳାଇ ଥିଲା । ଗଲା ଦଶ ବର୍ଷ ହେଲା ଦେଶରେ ଏନଡିଏର ସରକାର ଥିଲା ସିନା ବିଜେପି ହାତରେ ନିରଂକୁଶ କ୍ଷମତା ଥିଲା । ଏନଡିଏରେ ଥିବା ଅନ୍ୟ ସଦସ୍ୟ ଦଳମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନେଇଥିବା ସମସ୍ତ ନିଷ୍ପତ୍ତିରେ କେବଳ ହାତ ଟେକା ଭୂମିକାରେ ଥିଲେ । କଂଗ୍ରେସ ଦଳ ୨୦୧୪ ଓ ୨୦୧୯ରେ ଦୁଇ ଅଂକ ମଧ୍ୟରେ ସୀମିତ ଥିଲା । ୨୦୧୯ ନିର୍ବାଚନରେ ଦଳ ପୂର୍ବ ନିର୍ବାଚନ ତୁଳନାରେ ଭଲ ପ୍ରଦର୍ଶନ କରିଥିଲା ସିନା ମାତ୍ର ୫୪ଟି ଆସନ ପାଇ ଲୋକସଭାରେ ମୁଖ୍ୟ ବିରୋଧୀ ଦଳ ହେବା ଯୋଗ୍ୟତା ମଧ୍ୟ ପାଇ ନଥିଲା । ୨୦୨୪ ସାଧାରଣ ନିର୍ବାଚନରେ ଏହି ଅଂକ ବଦଳିଛି । ଦେଶରେ ସରକାର ଗଠନ ପାଇଁ ୨୭୨ ସଂଖ୍ୟାର ଆବଶ୍ୟକତା ଥିବା ବେଳେ ବିଜେପି ଏକାକୀ ୨୪୦ ଆସନରେ ବିଜୟୀ ହୋଇ ଏହି ସଂଖ୍ୟାଠାରୁ ୩୨ ଆସନ ଦୂରରେ ରହିଛି । କଂଗ୍ରେସ ଏଥର ଭଳ ପ୍ରଦର୍ଶନ କରିଛି । ୯୯ ଲୋକସଭା ଆସନରେ ଦଳର ବିଜୟ ହୋଇଛି, ଗତ ଦୁଇଟି ଲୋକସଭା ନିର୍ବାଚନରେ ଦଳକୁ ମିଳିଥିବା ସଂଖ୍ୟାର ପ୍ରାୟ ଦୁଇ ଗୁଣ କହିଲେ ଚଳିବ । ଉଭୟ ବିଜେପି ଓ କଂଗ୍ରେସ ଏକୁଟିଆ ସରକାର ଗଠନ ପାଇଁ ଆବଶ୍ୟକ ମେଂଜିକ ସଂଖ୍ୟାଠାରୁ ଦୂରରେ ଥିବା ବେଳେ ବିଜେପି ନେତୃତ୍ୱାଧୀନ ଏନଡିଏ ୨୯୩ ଆସନରେ ବିଜୟୀ ହୋଇ ମେଜିକ ସଂଖ୍ୟାରୁ ଉପରେ ରହିଛି । ଶାସକ ମେଂଟ ପକ୍ଷରେ ମେଜିକ ସଂଖ୍ୟାରୁ ଅଧିକ ୨୧ ବିଧାୟକ ଅଛନ୍ତି । ଅନ୍ୟପକ୍ଷରେ, କଂଗ୍ରେସ ୯୯ ଲୋକସଭା ଆସନ ଜିତି ଥିଲେ ମଧ୍ୟ ବିରୋଧୀ ଆଇଏନଡିଆଇଏ ମିଳିତ ଭାବେ ୨୩୨ ଆସନରେ ବିଜୟୀ ହୋଇ ମେଜିକ ସଂଖ୍ୟାରୁ ମାତ୍ର ୪୦ ଆସନ ଦୂରରେ ଅଛନ୍ତି । ବିଜେପି ନିଜେ ଏକକ ସଂଖ୍ୟାଗରିଷ୍ଠତା ପାଇ ନଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହେଉଥିଲେ ମଧ୍ୟ ସରକାର ଗଠନ ପାଇଁ ଟିଡିପିର ୧୬ ଓ ଜେଡିୟୁର ୧୨ ସାଂସଦଙ୍କ ଉପରେ ନିର୍ଭର କରିବାକୁ ବାଧ୍ୟ । ଟିଡିପି ମୁଖ୍ୟ ଏନ.ଚନ୍ଦ୍ରବାବୁ ନାଇଡୁ ଓ ଜେଡିୟୁ ମୁଖ୍ୟ ନୀତୀଶ କୁମାର ଗତକାଲି ଏନଡିଏକୁ ସରକାର କରିବାକୁ ସମର୍ଥନପତ୍ର ଦେଇ ସାରିଛନ୍ତି ସତ, କିନ୍ତୁ ସେମାନଙ୍କ ସର୍ତ୍ତକୁ ମାନି ମୋଦୀଙ୍କୁ ତୃତୀୟ ପାଳି ସରକାର କରିବାକୁ ପଡିବ । ଏଭଳି ସ୍ଥିତିରେ ୧୮ତମ ଲୋକସଭାରେ ବିଜେପି ଓ ଏନଡିଏର ମନମାନୀର ଅନ୍ତ ଘଟିଥିବା ବେଳେ ଏବଂ କଂଗ୍ରେସ ସାମିଲ ଥିବା ବିରୋଧୀ ମେଂଟ ଆଇଏନଡିଆଇଏ (ଇଣ୍ଡିଆ) ସୁଯୋଗ ପାଇଲେ ସରକାର ପରିବର୍ତ୍ତନର କ୍ଷମତା ରଖିଥିବା ଦେଖିବାକୁ ମିଳୁଛି । ତେଣୁ, ଗତକାଲି ଏନଡିଏ ଅଂଶୀଦାରଙ୍କ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ (୨୦୨୪ ଆନ୍ଧ୍ର ପ୍ରଦେଶ ବିଧାନସଭା ନିର୍ବାଚନରେ ଟିଡିପିକୁ ବହୁମତ ମିଳି ଥିବାରୁ ନାଇଡୁ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି) ତଥା ତେଲୁଗୁ ଦେଶମ ପାର୍ଟି (ଟିଡିପି) ମୁଖ୍ୟ ଏନ.ଚନ୍ଦ୍ରବାବୁ ନାଇଡୁଙ୍କୁ ଘୋଷାଡି ଆଣି ପାଖରେ ବସାଉଥିବା ବେଳେ ଅପରପାଶ୍ୱର୍ରେ ବସି ଥିବା ଜେଡିୟୁ (ଜନତା ଦଳ-ୟୁନାଇଟେଡ) ମୁଖ୍ୟ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ମୁହଁରେ ହସ ଉକୁଟି ଉଠୁଥିବା ଦେଖିବାକୁ ମିଳି ଥିଲା । ମୋଦୀ ତୃତୀୟ ଥର ମୁଖ୍ୟମନ୍ତ୍ରୀ ହେଉଥିବା ନେଇ ବିଜେପି ନେତାମାନେ ଯେତେ ଖୁସି, ନାଇଡୁ ଓ ନୀତୀଶ ତାହାଠାରୁ ଅଧିକ ଖୁସି । କାରଣ,ଏଥର ସେମାନେ ମୂଲଚାଲ କରିବା କ୍ଷମତା ରଖି ସରକାରରେ ସାମିଲ ହେବାକୁ ଯାଉଛନ୍ତି । ଉଭୟେ ଲୋକସଭା ବାଚସ୍ପତି ପଦ ସମେତ କେନ୍ଦ୍ର ସରକାରରେ ବହୁ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟର ଦାବିଦାର ଥିବା ସୂଚନା ମିଳିଛି । ମୋଦୀ ସେମାନଙ୍କ ଦାବିକୁ ଅଗ୍ରାହ୍ୟ କଲେ ‘ଇଣ୍ଡି’ ମେଂଟ ସରକାର ଗଢିବ ବୋଲି ଟାକି ରହିଛି । ୨୦୨୪ ଲୋକସଭା ନିର୍ବାଚନରେ ଦେଶବାସୀ ଏନଡିଏକୁ ବହୁମତ ଦେଇଥିଲେ ମଧ୍ୟ ବିଜେପିକୁ ବହୁମତ ନଦେଇ ଦେଶର ସମ୍ବିଧାନ ଓ ଗଣତନ୍ତ୍ରକୁ ସୁରକ୍ଷିତ ରଖିବା ବନ୍ଦୋବସ୍ତ କରିଥିବା ବେଳେ ବିପକ୍ଷକୁ ମଧ୍ୟ ସମାନ ଗୁରୁତ୍ୱ ଦେଇଛନ୍ତି । ଗତ ଦଶ ବର୍ଷର ମୋଦୀ ଶାସନରେ ବିଜେପି ଓ ବିଜେପିକୁ ସମର୍ଥନ କରୁଥିବା ଭାରତୀୟ ଗଣମାଧ୍ୟମ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଅପଦାର୍ଥ ବା ପପ୍ପୁ କହି କଟାକ୍ଷ କରି ଆସୁଥିଲେ । ବିଜେପି ହାତରେ ନିରଂକୁଶ କ୍ଷମତା ଥିବାରୁ ରାହୁଲ ଶାସକ ମେଂଟ ନଜରରେ ‘ପପ୍ପୁ’ ହୋଇ ରହିଥିଲେ ମଧ୍ୟ ସଂସଦରେ ଓ ସଂସଦ ବାହାରେ ନିଜକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦୃଢ ସମାଲୋଚନା ସାବ୍ୟସ୍ତ କରିବାରେ ପଛାଇ ନଥିଲେ । ପ୍ରଧାନମନ୍ତ୍ରୀ ମଧ୍ୟ ବିରୋଧୀଙ୍କ ଟାର୍ଗେଟ କଲା ବେଳେ ରାହୁଲ ଗାନ୍ଧୀଙ୍କଠାରୁ ଆରମ୍ଭ କରୁଥିଲେ ଓ ରାହୁଲ ଗାନ୍ଧୀଙ୍କଠାରେ ସାରୁ ଥିଲେ । ଦେଶବାସୀଙ୍କ ସମ୍ମୁଖରେ ରାହୁଲଙ୍କୁ ଅପଦାର୍ଥ ସାବ୍ୟସ୍ତ କରିବା ଉଦ୍ୟମ ୨୦୨୪ରେ ବିଫଳ ହୋଇଛି । ରାହୁଲ ଗାନ୍ଧୀଙ୍କ ଦୁଇଟି ପଦଯାତ୍ରା ଓ ନ୍ୟାୟଯାତ୍ରା ସହ ‘ଇଣ୍ଡି’ ମେଂଟରେ ଥିବା ସଦସ୍ୟ ରାଜନୈତିକ ଦଳଙ୍କ ଦମଦାର ପ୍ରଦର୍ଶନ ଏହି ନିର୍ବାଚନରେ ଶାସକ ବିଜେପି ଓ ତାହାର ମେଂଟକୁ ଧୂଳି ଚଟାଇଛି । ଜାତୀୟସ୍ତରରେ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖାର୍ଗେ, କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ୟୁପିରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ, ପଶ୍ଚିମ ବଂଗରେ ଟିଏମସି ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ମହାରାଷ୍ଟ୍ରରେ ଏନସିପି (ଶରଦଚନ୍ଦ୍ର ପାୱାର) ନେତା ଶରଦ ପାୱାର ଓ ଶିବସେନା (ୟୁବିଟି) ନେତା ଉଦ୍ଧବ ଠାକରେ, ତାମିଲନାଡୁରେ ମୁଖ୍ୟମନ୍ତ୍ରୀ ଏମ.କେ.ଷ୍ଟାଲିନଙ୍କ ଡିଏମକେ, କେରଳରେ ପିନୟରାୟ ବିଜୟନ ପ୍ରମୁଖ ମୋଦୀ ସରକାରଙ୍କୁ ଏଭଳି ଧୂଳି ଚଟାଇଛନ୍ତି ଯେ ନିର୍ବାଚନ ପଳାଫଳ ଆସିବା ପରେ ବିଜେପି ତାହାର ସ୍ଲୋଗାନ ‘ଫିର୍ ଇସ୍ ବାର ମୋଦୀ ସରକାର’ ବଦଳାଇ ‘ଇସ୍ ବାର କୋଲିସନ୍ ସରକାର’ କରିବାକୁ ବାଧ୍ୟ ହୋଇଛି । ଅପରପକ୍ଷରେ, ୧୮ତମ ଲୋକସଭାରେ ରାହୁଲ ଗାନ୍ଧୀଙ୍କୁ ବିରୋଧୀ ଦଳ ନେତା କରିବାକୁ କଂଗ୍ରେସ ନେତୃତ୍ୱ ମନସ୍ତ କରିଥିବା ସୂଚନା ମିଳୁଛି । ବରିଷ୍ଠ କଂଗ୍ରେସ ନେତା ତଥା ବର୍ତ୍ତମାନର କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ୧୬ତମ ଲୋକସଭାରେ କଂଗ୍ରେସ ସଂସଦୀୟ ଦଳ ନେତା ଭାବେ ବିରୋଧୀ ଦଳ ନେତା ଥିଲେ । ୧୭ତମ ଲୋକସଭାରେ କଂଗ୍ରେସ ସାଂସଦ ଅଧୀର ରଂଜନ ଚୌଧୁରୀ ବିରୋଧୀ ଦଳ ନେତା ରହିଥିଲେ । ୨୦୨୪ ନିର୍ବାଚନରେ ଅଧୀର ରଂଜନ ଚୌଧୁରୀ ପରାଜିତ ହୋଇଛନ୍ତି । ଏହି ନିର୍ବାଚନରେ କଂଗ୍ରେସକୁ ଏକ ସମ୍ମାନଜନକ ସ୍ଥିତିରେ ପହଂଚାଇ ଥିବା ରାହୁଲ ଗାନ୍ଧୀଙ୍କୁ ୧୮ତମ ଲୋକସଭାରେ ବିରୋଧୀ ଦଳ ନେତା ପଦରେ ବସାଯିବାକୁ ଗତକାଲି ‘ଇଣ୍ଡି’ ମେଂଟ ବୈଠକ ପରେ କଂଗ୍ରେସ ସଭାପତି ଖାର୍ଗେ ଗଣମାଧ୍ୟମକୁ ସୂଚନା ଦେଇଥିବା ଜଣାପଡିଛି । ରାହୁଲ ଉଭୟ କେରଳର ୱାଇନାଡ ଓ ୟୁପିର ରାୟବରେଲି ଲୋକସଭା ଆସନରୁ ବିଜୟୀ ହୋଇଛନ୍ତି । ସେ କେଉଁ ଆସନ ରଖିବେ ଓ କେଉଁ ଆସନ ଛାଡିବେ – ତାହା ଏଠାରେ ଆଲୋଚନା ପ୍ରସଙ୍ଗ ନୁହେଁ । ଏତିକି କହି ହେବ, ୨୦୨୪ ସାଧାରଣ ନିର୍ବାଚନ ଫଳାଫଳ ଜାତୀୟ ରାଜନୀତିରେ ରାହୁଲଙ୍କ ଗୁରୁତ୍ୱ ବଢାଇ ଦେଇଛି । ଗଲା ଦଶ ବର୍ଷ ଧରି ଯେଉଁମାନେ ରାହୁଲଙ୍କୁ ପପ୍ପୁ ବା ‘ଅପଦାର୍ଥ’ କହି ସମାଲୋଚନା କରୁଥିଲେ ସେମାନଙ୍କ ସ୍ୱର ଏବେ ବଦଳିଛି । ‘ଇଣ୍ଡି’ ମେଂଟରେ ତାଙ୍କ ଗୁରୁତ୍ୱ ବଢିଥିବା ବେଳେ ଜାତୀୟ ଗଣମାଧ୍ୟମ (ଜୁନ ୦୪ ତାରିଖ ପୂର୍ବରୁ ତାଙ୍କୁ ପପ୍ପୁ ବୋଲି ସମ୍ଭାଷଣ କରୁଥିଲେ) ଅପଦାର୍ଥ କହୁଥିଲେ)ମଧ୍ୟ ଦୁଇ ଦିନ ହେଲା ରାହୁଲଙ୍କ ପ୍ରଶଂସାରେ ଶତମୁଖ । ତେଣୁ, କଂଗ୍ରେସ ରାହୁଲ ଗାନ୍ଧୀଙ୍କୁ ୧୮ତମ ଲୋକସଭାରେ ବିରୋଧୀ ଦଳର ନେତା ଦାୟିତ୍ୱ ଦେଇ ମୋଦୀ ସରକାରଙ୍କୁ ଘେରିବା ଏକ ପ୍ରକାର ନିଶ୍ଚିତ ମନେ ହେଉଛି । ଆମେ ଏବେ ଯିବା ଚନ୍ଦ୍ରବାବୁ ଓ ନୀତୀଶ କୁମାରଙ୍କ ପାଖକୁ । ଏନ.ଚନ୍ଦ୍ରବାବୁ ନାଇଡୁ ୨୦୧୮ ପର୍ଯ୍ୟନ୍ତ ଏନଡିଏର ଅଂଶୀଦାର ଥିଲେ । ୨୦୧୪ରେ ଆନ୍ଧ୍ର ପ୍ରଦେଶର ବିଭାଜନ ହୋଇ ସ୍ୱତନ୍ତ୍ର ତେଲେଂଗାନା ରାଜ୍ୟ ଗଠନ ହେବା ପରେ ଆନ୍ଧ୍ର ପ୍ରଦେଶକୁ ସ୍ୱତନ୍ତ୍ର ପାହ୍ୟା ରାଜ୍ୟ ମାନ୍ୟତା ଦେବାକୁ କେନ୍ଦ୍ର ସରକାରଙ୍କ ଆଡୁ ପ୍ରତିଶ୍ରୁତି ମିଳିଥିଲା । କେନ୍ଦ୍ରରେ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାର କ୍ଷମତାଚ୍ୟୁତ ହୋଇ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବିଜେପି ସରକାର ପ୍ରତିଷ୍ଠା ସମୟରେ ଚନ୍ଦ୍ରବାବୁଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆନ୍ଧ୍ର ପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦେବାକୁ ପ୍ରତିଶ୍ରୁତି ଦୋହରାଇ ଥିଲେ । ତେବେ, ଶେଷ ପର୍ଯ୍ୟନ୍ତ ତାହା ପୂରଣ କରାଯାଇନଥିଲା । ଚନ୍ଦ୍ରବାବୁ ଏଡାର ପ୍ରତିବାଦରେ ୨୦୧୮ରେ ଏନଡିଏରୁ ଓହରି ଯାଇଥିଲେ । ୨୦୧୯ ଆନ୍ଧ୍ର ବିଧାନସଭା ନିର୍ବାଚନରେ ଚନ୍ଦ୍ରବାବୁଙ୍କ ଟିଡିପି ସରକାରର ପତନ ଘଟିଲା ଓ ୱାଇ.ଏସ.ଜଗନ ମୋହନ ରେଡିଙ୍କ ୱାଇଏସଆରସିପି ରାଜ୍ୟରେ କ୍ଷମତାସୀନ ହେଲା । ୨୦୧୯ରୁ ୨୦୨୪ ପର୍ଯ୍ୟନ୍ତ ବିଜେପି ଓ ୱାଇଏସଆରସିପି ମଧ୍ୟରେ ସଂପର୍କ କାହାରିକୁ ଅଛପା ନାହିଁ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମସ୍ତ ଗୁରୁତ୍ୱପୂର୍ଣ୍ଣ ବିଲ୍ କୁ ଓଡ଼ିଶାର ବିଜେଡ଼ି ଭଳି ଆନ୍ଧ୍ରର ଜଗ ମୋହନ ରେଡି ସରକାର ସମର୍ଥନ ଦେଇ ଆସିଥିଲେ । ରେଡୀ ଏନଡିଏର ଅଂଶୀଦାର ନଥିଲେ ମଧ୍ୟ ବିଜେପି ସରକାରଙ୍କ ଶୁଭଚିନ୍ତକ ଥିଲେ । ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡି ଦୁର୍ନୀତି ଅଭିଯୋଗରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ଜେଲରେ ପୁରାଇବାକୁ ପଛାଇ ନଥିଲେ । ଏବେ ନାଇଡୁ କୋର୍ଟରୁ ଜାମିନରେ ଅଛନ୍ତି । ୨୦୨୪ ସାଧାରଣ ନିର୍ବାଚନର ଠିକ୍ ପୂର୍ବରୁ ବିଜେପି ଚନ୍ଦ୍ରବାବୁଙ୍କ ତେଲୁଗୁ ଦେଶମ ପାର୍ଟି ସହ ନିର୍ବାଚନ ବୁଝାମଣା କରି ଆନ୍ଧ୍ରରେ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ଲଢିଛି ଏବଂ ନିର୍ବାଚନରେ ୱାଇଏସ୍ ଜଗନ ମୋହନ ରେଡିଙ୍କ ୱାଇଏସଆରସିପି ମୂଳପୋଛ ହୋଇଛି । ଆନ୍ଧ୍ର ପ୍ରଦେଶର ୨୧ ଲୋକସଭା ଆସନରୁ ଟିଡିପିକୁ ୧୬ଟି, ତାହାର ସହଯୋଗୀ ଦଳ ପବନ କଲ୍ୟାଣଙ୍କ ଜନ ସେନା ପାର୍ଟିକୁ ୦୨ ଓ ବିଜେପିକୁ ୦୩ ଆସନ ମିଳିଛି । ବିହାରର ୪୦ ଲୋକସଭା ଆସନରୁ ବିଜେପି ଓ ଜେଡିୟୁ ୧୨ଟି ଲେଖାଏଁ ଆସନରେ ବିଜୟୀ ହୋଇଥିବା ବେଳେ ‘ଇଣ୍ଡି’ ମେଂଟକୁ ୦୭ଟି ଆସନ (ଆରଜେଡି ୦୪ ଓ କଂଗ୍ରେସ ୦୩) ମିଳିଛି । ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ୨୦୨୪ ସାଧାରଣ ନିର୍ବାଚନରେ ବିଜେପିକୁ ପରାଜିତ କରିବା ପାଇଁ କଂଗ୍ରେସ, ଆରଜେଡ଼ି ଓ ଅନ୍ୟ ବିଜେପି-ବିରୋଧୀ ରାଜନୈତିକ ଦଳଙ୍କୁ ନେଇ ମହା ଗଠବନ୍ଧନ କରିଥିଲେ । କିନ୍ତୁ, ନିର୍ବାଚନ ବର୍ଷରେ ସେ ବିରୋଧୀ ଗଠବନ୍ଧନରୁ ଓହରି ଆସି ପୁନଃ ଏନଡିଏରେ ସାମିଲ ହୋଇଛନ୍ତି । ବିଜେପି ୨୦୨୪ ଲୋକସଭା ନିର୍ବାଚନରେ ୨୪୦ ଆସନରେ ସୀମିତ ଥିବାରୁ ସରକାର ଗଠନ କରିବା ପାଇଁ ଚନ୍ଦ୍ରବାବୁ ଓ ନୀତୀଶଙ୍କ ସାହାରା ଲୋଡିଛି । ଏହି ଦୁଇ ନେତା ଏବେ ଏନଡିଏ ସହ ଅଛନ୍ତି ଓ ସରକାର ଗଠନ ପାଇଁ ସମର୍ଥନପତ୍ର ଦେଇଛନ୍ତି । ତେବେ, କେତେଦିନ ଏହା ଜାରି ରହିବ, କେନ୍ଦ୍ରରେ ମେଂଟ ସରକାର ଚାଲିବ – ତାହା ବଡ ପ୍ରଶ୍ନ ହୋଇଛି ।
ମୁଖ୍ୟ ସଂପାଦକ, ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS