ଓଡ଼ିଶା ରାଜନୀତି: ମାର ମାର ଭଣ୍ଡାରିଆକୁ ମାର…!


ପ୍ରସାଦ ରାଓ
ଭୁବନେଶ୍ୱର/ଜୁନ ୦୭
୨୦୨୪ ବିଧାନସଭା ନିର୍ବାଚନ ଫଳାଫଳ ଆସି ତିନି ଦିନ ବିତିଲାଣି, କିନ୍ତୁ ରାଜ୍ୟରେ ଯେଭଳି ଉତ୍ସାହ ଓ ଉତ୍ସବର ମାହୋଲ ଦେଖିବାକୁ ମିଳିବା କଥା, ତାହା ଦେଖିବାକୁ ମିଳୁ ନାହିଁ । ଏହି ନିର୍ବାଚନରେ ୨୪ ବର୍ଷ ଧରି ରାଜ୍ୟରେ କ୍ଷମତାରେ ଥିବା ବିଜେଡ଼ିର ବଡ ପରାଜୟ ହୋଇଛି । ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ଥିବା ବିଜେପି ଦଶ ବର୍ଷ ଧରି ଉଦ୍ୟମ କରିବା ପରେ ପ୍ରଥମ ଥର ପାଇଁ ରାଜ୍ୟରେ ନିଜ ବଳରେ ସରକାର ଗଢିବାକୁ ଯାଉଛି । ୧୪୭ ଆସନ ବିଶିଷ୍ଟ ରାଜ୍ୟ ବିଧାନସଭାରେ ସରକାର ଗଠନ ପାଇଁ ୭୪ ଆସନର ଆବଶ୍ୟକତା ଥିବା ବେଳେ ବିଜେପି ଏକାକୀ ୭୮ ଆସନ ପାଇଛି । ବିଜେଡ଼ି ତିନି ଅଂକ ବିଶିଷ୍ଟ ସଂଖ୍ୟା ପାଇ ରାଜ୍ୟରେ ଷଷ୍ଠ ଥର ପାଇଁ ସରକାର କରିବ ବୋଲି ଫଳାଫଳ ଆସିବା ପର୍ଯ୍ୟନ୍ତ ଦାବି କରୁଥିଲା । କିନ୍ତୁ, ଦୁଇ ଅଂକରେ ସୀମିତ ରହିଲା । ଦଳକୁ ମାତ୍ର ୫୧ ଆସନ ମିଳିଛି, ଯାହାକି ୨୦୧୯ରେ ମିଳିଥିବା ସଂଖ୍ୟା (୧୧୩)ରୁ ୬୨ କମ୍ । ରାଜ୍ୟରେ କଂଗ୍ରେସର ବିଧାୟକ ସଂଖ୍ୟା ୦୯ (୨୦୧୯)ରୁ ୧୪ (୨୦୨୪)କୁ ବୃଦ୍ଧି ପାଇଛି । ସିପିଏମ ଗୋଟିଏ ଓ ସ୍ୱାଧୀନ ପ୍ରାର୍ଥୀ ତିନିଟି ଆସନ ଜିତିଛନ୍ତି । ଅତୀତରେ ହୋଇଥିବା ବିଧାନସଭା ନିର୍ବାଚନ ଭଳି ଓଡ଼ିଶାର ୨୦୨୪ ବିଧାନସଭା ନିର୍ବାଚନ ମଧ୍ୟ ରାଜ୍ୟବାସୀଙ୍କ ପାଇଁ ଏକ ସ୍ୱାଭାବିକ ନିର୍ବାଚନ ଥିଲା । ୨୦୧୪ ଓ ୨୦୧୯ରେ ରାଜ୍ୟବାସୀ ନିର୍ବାଚନ ସମୟରେ ରାଜ୍ୟରେ ହାଇଭୋଲଟେଜ ପ୍ରଚାର ଦେଖିଥିଲେ । ୨୦୨୪ ନିର୍ବାଚନରେ ମଧ୍ୟ ଦେଖିଲେ । ତେବେ, ଏତିକି ଭିନ୍ନ ଥିଲା, ନିର୍ବାଚନ ପୂର୍ବରୁ ରାଜ୍ୟରେ ଶାସକ ବିଜେଡ଼ି ଓ ମୁଖ୍ୟ ବିରୋଧୀ ଦଳ ବିଜେପି ମଧ୍ୟରେ ମେଂଟ ହେବାର ଏକ ସମ୍ଭାବନା ସୃଷ୍ଟି ହୋଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତୀୟ ସ୍ୱାର୍ଥକୁ ଦୃଷ୍ଟିରୁ ୨୦୨୪ରେ ମିଳିତ ଭାବେ ନିର୍ବାଚନ ଲଢିବାକୁ ଚାହୁଁଥିବା ପ୍ରଚାର ଜୋର ଧରିଥିଲା । ବିଜେଡ଼ି ରାଜ୍ୟ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଓରଫ ବବି ଦାସ ଓ ଆଇଏଏସ୍ ଚାକିରୀରୁ ଇସ୍ତଫା ଦେଇ ବିଜେଡ଼ି ମଂଗ ଧରିଥିବା ଭି.କାର୍ତ୍ତିକେୟନ ପାଣ୍ଡିଆନ ଚାର୍ଟର୍ଡ ବିମାନରେ ଦିଲ୍ଲୀ ଧାଇଁ ବିଜେପି ରାଷ୍ଟ୍ରୀୟ ନେତାଙ୍କ ସହ ଆଲୋଚନା କରୁଥିବା ବେଳେ ବିଜେପିର ରାଜ୍ୟସ୍ତରୀୟ ନେତାମାନେ ଏଭଳି କିଛି ମେଂଟ ହେଉଥିବା କଥାକୁ ବାରମ୍ବାର ଅଗ୍ରାହ୍ୟ କରି ମେଂଟ ହେବା ବିରୋଧରେ ନିଜ ଦଳର ରାଷ୍ଟ୍ରୀୟ ନେତାମାନଙ୍କୁ ବୁଝାଇବାକୁ ଉଦ୍ୟମ କରିଥିଲେ । ଏଭଳି ଏକ ଦ୍ୱନ୍ଦ୍ୱାତ୍ମକ ବାତାବରଣ ଭିତରେ ରାଜ୍ୟବାସୀ ଅଣନିଶ୍ୱାସୀ ହୋଇପଡିଥିବା ବେଳେ ବିଜେପି ଏକାକୀ ରାଜ୍ୟରେ ବିଧାନସଭା ନିର୍ବାଚନ ଲଢିବ ବୋଲି ଦଳର ରାଷ୍ଟ୍ରୀୟ ନେତୃତ୍ୱ ଘୋଷଣା କରିଥିଲେ । ବିଜେଡ଼ି ମଧ୍ୟ ଏକାକୀ ଲଢିବାକୁ ପ୍ରସ୍ତୁତି ଆରମ୍ଭ କରିଥିଲା । ବିଜେଡ଼ି-ବଜେପି ମେଂଟ ହେଲେ କଂଗ୍ରେସ ମୁଖ୍ୟ ବିରୋଧୀ ଦଳ ରହି ନିର୍ବାଚନରେ ଫାଇଦା ଉଠାଇବ ବୋଲି ଯେଉଁ ଆଶା ରଖିଥିଲା ମେଂଟ ନହେବାରୁ ସେହି ଆଶା ମଉଳି ଯାଇଥିଲା । ରାଜ୍ୟର ତିନି ମୁଖ୍ୟ ରାଜନୈତିକ ଦଳ ସେମାନଙ୍କ ପ୍ରାର୍ଥୀ ତାଲିକା ଘୋଷଣା କରିବାରେ ଲମ୍ବା ସମୟ ନେଇଥିଲେ । ଟିକଟ ନପାଇ ଗୋଟିଏ ଦଳରୁ ଅନ୍ୟ ଦଳକୁ ଡେଉଁଥିବା ନେତାଙ୍କ ସଂଖ୍ୟା ବଢି ଚାଲି ଥିଲା । ବିଜେଡ଼ି, ବିଜେପି, କଂଗ୍ରେସ – କେହି ଏଥିରୁ ବାଦ ପଡି ନଥିଲେ । ଶେଷ ମୂହୁର୍ତ୍ତ ପର୍ଯ୍ୟନ୍ତ ପ୍ରାର୍ଥୀ ବଦଳ ଚାଲି ଥିଲା । ଟିକଟ ଦେଇ ଶେଷ ବେଳକୁ ଟିକଟ ଛଡାଇ ନେବା ଏବଂ ନେତା ଟିକଟ ପାଇଁ ଜଗି ଜଗି ନିରାଶ ହେବା ପରେ ଅନ୍ୟ ଦଳକୁ ଯାଇ ଟିକଟ ହାତେଇବା ଭଳି ଦୃଶ୍ୟ ୨୦୨୪ରେ ହିଁ ଅଧିକ ଦେଖିବାକୁ ମିଳିଥିଲା । ଏସବୁ ଭିତରେ ଶାସକ ବିଜେଡ଼ି ଓ ବିରୋଧୀ ବିଜେପିର ପ୍ରଭାବଶାଳୀ ନେତାମାନେ ୨୦୨୪ ଲୋକସଭା ଓ ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ଥିବାରୁ ପରସ୍ପରକୁ ପରାଜିତା କରିବା ଚକ୍ରବ୍ୟୁହରେ ଏଭଳି ଫସିଗଲେ ଯେ ଅନ୍ୟ ନିର୍ବାଚନ ମଣ୍ଡଳୀ କଥା ଚିନ୍ତା କରିବାକୁ ଫୁରୁସତ ପାଇ ନଥିଲେ । ଓଡ଼ିଶାରେ ୨୪ ବର୍ଷ ଧରି କ୍ଷମତାସୀନ ଥିବା ବିଜେଡ଼ି ସରକାର ବିରୋଧରେ ଜନଅସନ୍ତୋଷ ଦାନା ବାନ୍ଧି ରହିଥିବା ହୃଦବୋଧ ହେବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଠାରୁ ଆରମ୍ଭ କରି ବିଜେପିର ଅଧିକାଂଶ ରାଷ୍ଟ୍ରୀୟ ନେତା ଓ ବିଜେପି ଶାସିତ ରାଜ୍ୟ ମୁଖ୍ୟମନ୍ତ୍ରୀମାନେ ଘନ ଘନ ଓଡ଼ିଶା ଗସ୍ତରେ ଆସିଥିଲେ ଏବଂ ନିର୍ବାଚନ ସଭାଗୁଡିକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବ୍ୟକ୍ତିଗତ ଆକ୍ଷେପ କରିବାକୁ କୁଂଠାବୋଧ କରିନଥିଲେ । ମୁଖ୍ୟମନ୍ତ୍ରୀ ପଟ୍ଟନାୟକଙ୍କ ଅସୁସ୍ଥତାର ସୁଯୋଗ ନେଇ ଜଣେ ତାମିଲ (୨୦୨୪ ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କ କା’ ଭାବେ ବିଜେଡ଼ି ପ୍ରଚାରର ମଂଗ ଧରିଥିବା ଭି.କେ.ପାଣ୍ଡିଆନ) ସମସ୍ତ କ୍ଷମତା ହଡପ କରି ନେଇଥିବା ଏବଂ ଏହି ତାମିଲ ଅଧିକାରୀଙ୍କ ଦ୍ୱାରା ପରିଚାଳିତ ଏକ ଅଣ-ଓଡ଼ିଆ ଅଧିକାରୀଙ୍କ କୋଟେରୀ ରାଜ୍ୟକୁ ଶାସନ କରୁଥିବା ବିଜେପି ରାଜ୍ୟ ଓ ରାଷ୍ଟ୍ରୀୟ ନେତାମାନଙ୍କ ପ୍ରମୁଖ ନିର୍ବାଚନ ବ୍ୟାଖ୍ୟାନ ଥିଲା । ଓଡିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ଅସ୍ମିତାର ସୁରକ୍ଷା ନିର୍ବାଚନରେ ବଡ ପ୍ରସଙ୍ଗ ଥିଲା । ଏହାଛଡା, ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଚାବି ହଜିବା, ଦଶ ବର୍ଷ ତଳେ ରାଜ୍ୟରେ ହୋଇଥିବା ଚିଟଫଣ୍ଡ୍ ଦୁର୍ନୀତିରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିବା, ୨୪ ବର୍ଷରେ ରାଜ୍ୟରେ ବିକାଶର ଘର ‘ଶୂନ’ ଥିବା ପ୍ରଭୃତି ପ୍ରସଙ୍ଗକୁ ନେଇ ବିଜେପି ନେତୃତ୍ୱ ବିଜେଡ଼ିକୁ ଘନ ଘନ ଆକ୍ରମଣ କରିଥିଲେ । ଦେଶର ପ୍ରଧାନମନ୍ତ୍ରୀ ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ଜାତୀୟ ଗଣମାଧ୍ୟମ ଉଦ୍ବେଗ ପ୍ରକାଶ କରିବା ଆଳରେ କଟୁ ମନ୍ତବ୍ୟ ରଖିବା ଏବଂ ରାଜ୍ୟରେ ବିଜେପି କ୍ଷମତାକୁ ଆସିଲେ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ଏତେ ଖରାପ ହେବା ପାଇଁ କିଏ ଦାୟୀ ତଦନ୍ତ କରାଯିବ ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଘୋଷଣା କରିବା ବୋଧହୁଏ ୨୦୨୪ ନିର୍ବାଚନରେ ପ୍ରଥମ କରି ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀ ନିଜେ ତାହାର ସଫେଇ ଦେଉଥିବା ଦେଖିବାକୁ ମିଳିଥିଲା । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ଅଛି, ସେ ରାଜ୍ୟର ବିଭିନ୍ନ ଅଂଚଳକୁ ଗସ୍ତ କରି ନିର୍ବାଚନ ସଭା ଓ ରୋଡ ସୋ’ କରୁଛନ୍ତି ଏବଂ ପାଣ୍ଡିଆନ ତାଙ୍କ ଉତ୍ତରାଧିକାରୀ ନୁହନ୍ତି, ଉତ୍ତରାଧିକାରୀ କିଏ ହେବ ତାହା ଓଡ଼ିଶାର ଜନତା ହିଁ ନିର୍ଣ୍ଣୟ କରିବେ ବୋଲି ନବୀନଙ୍କ ଶେଷ ପର୍ଯ୍ୟନ୍ତ ସଫେଇ ଦେଇଥିବା ନିଷ୍ଫଳ ଯାଇଛି । ଓଡ଼ିଶାବାସୀ ମେ’ ୧୩ରୁ ଜୁନ ୦୧ ତାରିଖ ପର୍ଯ୍ୟନ୍ତ ଚାରି ପର୍ଯ୍ୟାୟରେ ଅନୁଷ୍ଠିତ ଲୋକସଭା ଓ ବିଧାନସଭା ପାଇଁ ଭୋଟ ଦେବା ବେଳେ ନବୀନଙ୍କ ସଫେଇକୁ ଅଣଦେଖା କରି ବିଜେପି ରାଷ୍ଟ୍ରୀୟ ନେତାଙ୍କ ଅଭିଯୋଗକୁ ସର୍ବାଧିକ ଗୁରୁତ୍ୱ ଦେଇଛନ୍ତି । ଯାହାକି ଜୁନ ୦୪ ତାରିଖରେ ଆସିଥିବା ରାଜ୍ୟର ଲୋକସଭା ଓ ବିଧାନସଭା ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ହୋଇଛି । ଲୋକସଭାରେ ବିଜେଡ଼ି ମୂଳପୋଛ ହୋଇଯାଇଛି । ରାଜ୍ୟର ୨୧ ଲୋକସଭା ଆସନରୁ ବିଜେପି ୨୦ ଆସନ ଅକ୍ତିଆର କରିଥିବା ବେଳେ ୧୪୭ ବିଧାନସଭା ଆସନରୁ ୭୮ଟି ହାତେଇଛି । ବିଜେଡ଼ି ୨୪ ବର୍ଷ ପରେ ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ସ୍ଥିତିକୁ ଆସିଛି । ରାଜ୍ୟବାସୀ ଏକ ପରିବର୍ତ୍ତନ ଚାହୁଁଥିଲେ ଓ ତାହା ସପକ୍ଷରେ ଭୋଟ ଦେଇଛନ୍ତି -ଏକଥା ସତ । ତେବେ, ବିଜେପିର ଆଶାତୀତ ବିଜୟ ଓ ବିଜେଡ଼ିର ଦୁଃଖଦ ପରାଜୟ ପରେ ରାଜ୍ୟରେ ଯେଭଳି ଉତ୍ସବର ମାହୋଲ ସୃଷ୍ଟି ହେବ ବୋଲି ଅନୁମାନ ଥିଲା ଆଜି ସୁଦ୍ଧା ସେଭଳି କିଛି ଦେଖିବାକୁ ମିଳିନି । ସମଗ୍ର ରାଜ୍ୟ ଏକପ୍ରକାର ଗୁମସୁମ୍ ରହିଛି । ବୋଧହୁଏ ରାଜ୍ୟବାସୀ ବିଜେଡ଼ି ନେତାମାନଙ୍କ କାର୍ଯ୍ୟକଳାପରେ ବିତୃଷ୍ଣ ଥିଲେ ଏବଂ ରାଜ୍ୟରେ ପରିବର୍ତ୍ତନ ଚାହୁଁଥିଲେ । ତାହା ସପକ୍ଷରେ ମଧ୍ୟ ଭୋଟ ଦେଇଛନ୍ତି । ତେବେ, ବିଜେଡ଼ିର ପରାଜୟ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ଷମତାଚ୍ୟୁତ ହେବା ସେମାନଙ୍କୁ ପସନ୍ଦ ଆସିନି । ତେଣୁ, ଫଳାଫଳ ଆସିବା ପରେ ରାଜ୍ୟରେ ଯେଉଁ ଖୁସିର ମାହୋଲ ଦେଖିବାକୁ ମିଳିବା ବିରୋଧୀ ଆଶା କରୁଥିଲେ ତାହା ଦେଖିବାକୁ ମିଳୁନି । ବୋଧହୁଏ ବାଧ୍ୟବାଧକତାରେ ରାଜ୍ୟବାସୀ ଏଭଳି ଏକ ନିର୍ଣ୍ଣୟ ନେଇଥିଲେ – ପରିସ୍ଥିତି, ପରିବେଶ ଦେଖିଲେ ସେଭଳି ଲାଗୁଛି । ଜୁନ ୦୪ ତାରିଖ ସନ୍ଧ୍ୟାରୁ ସାମାଜିକ ଗଣମାଧ୍ୟରେ ଯେଉଁ ସବୁ ପ୍ରତିକ୍ରିୟା ଆସୁଛି ସେଥିରେ ନବୀନଙ୍କ ପ୍ରଶଂସା ହିଁ ଦେଖିବାକୁ ମିଳୁଛି, ତାଙ୍କ ପ୍ରତି ଆକ୍ରୋଶ ନୁହେଁ । ଜଣେ ଶାନ୍ତ, ନିର୍ବିବାଦୀୟ ଓ ସରଳ ମୁଖ୍ୟମନ୍ତ୍ରୀଙ୍କୁ ଓଡ଼ିଶା ହରାଇଲା ବୋଲି ଆସୁଥିବା ପ୍ରତିକ୍ରିୟା ନବୀନଙ୍କ ପ୍ରତି ରାଜ୍ୟବାସୀଙ୍କ ମନରେ ଥିବା ସ୍ନେହ ଓ ଶ୍ରଦ୍ଧାକୁ ପ୍ରତିଫଳିତ କରୁଛି । ବିଜେପି ପ୍ରଥମ ଥର ପାଇଁ ରାଜ୍ୟ ବିଧାନସଭାରେ ସଂଖ୍ୟାଗରିଷ୍ଠତା ପାଇ ସରକାର ଗଠନ କରିବାକୁ ଯାଉଛି । କିନ୍ତୁ, ଏହି ବିପୁଳ ବିଜୟକୁ ନେଇ ଦଳ ରାଜ୍ୟରେ ଯେଭଳି ଉତ୍ସାହ ଓ ଉତ୍ସବର ମାହୋଲ ସୃଷ୍ଟି କରିବ ବୋଲି ଆଶା କରାଯାଉଥିଲା ବାସ୍ତବରେ ତାହା ଆଜି ସୁଦ୍ଧା ଦେଖିବାକୁ ମିଳି ନାହିଁ । ଦଳର ବରିଷ୍ଠ ସାଂସଦ ଓ ବିଧାୟକମାନେ ଏବେ କେନ୍ଦ୍ରରେ ମନ୍ତ୍ରୀ ଓ ରାଜ୍ୟରେ ମୁଖ୍ୟମନ୍ତ୍ରୀ ହେବା ପ୍ରତିଯୋଗିତାରେ ବ୍ୟସ୍ତ । କିନ୍ତୁ, ନିର୍ବାଚନ ଫଳାଫଳ ଆସିବା ପରେ ସାମାଜିକ ଗଣମାଧ୍ୟମରେ ଗଲା ତିନି ଦିନ ହେଲା ରାଜ୍ୟ ଓ ଜାତୀୟସ୍ତରରେ ପ୍ରମୁଖ୍ୟ ଚର୍ଚ୍ଚିତ ଚେହେରା ହୋଇଛନ୍ତି ବିଜେଡ଼ି ନେତା ଭି.କାର୍ତ୍ତିକେୟ ପାଣ୍ଡିଆନ । ନିର୍ବାଚନ ପୂର୍ବରୁ ସେ ପାଖାପାଖି ଏକ ବର୍ଷ ହେଲା ଦଳ ଓ ସରକାରଙ୍କ ମଂଗ ଧରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଭାବେ ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଉଥିଲେ । ରାଜ୍ୟର କେଉଁ ଆସନ (ଲୋକସଭା ହେଉ ବା ବିଧାନସଭା)ରୁ କିଏ ପ୍ରାର୍ଥୀ ହେବ ତାହା ପାଣ୍ଡିଆନଙ୍କସ୍ତରରେ ନିଷ୍ପତ୍ତି ହେଉଥିଲା ବୋଲି କୁହାଯାଉଛି । ନିର୍ବାଚନ ପ୍ରଚାର ସମୟରେ ପାଣ୍ଡିଆନଙ୍କୁ ହିଁ ରାଜ୍ୟରେ ବିଜେଡ଼ି ପ୍ରାର୍ଥୀଙ୍କ ପାଇଁ ଧୂଆଁଧାର ପ୍ରଚାର କରୁଥିବା ଦେଖିବାକୁ ମିଳୁଥିଲା । ଅନ୍ୟ ନେତାମାନେ ତାଙ୍କ ଆଢୁଆଳରେ ରହି କ୍ଷମତା ଭୋଗ କରୁଥିଲେ ମଧ୍ୟ ବିରୋଧୀଙ୍କ ଶାଣିତ ଆକ୍ରମଣର ଶରବ୍ୟ ଥିଲେ ପାଣ୍ଡିଆନ । ଏବେ ନିର୍ବାଚନ ଫଳାଫଳ ଆସିବା ପରେ ପାଣ୍ଡିଆନ ହିଁ ସାମାଜିକ ଗଣମାଧ୍ୟମରେ ଘୃଣାର ଶରବ୍ୟ ହୋଇଛନ୍ତି । ବିଜେଡ଼ିରେ ଥାଇ ଯେଉଁମାନେ ତାଙ୍କର ଆଧିପତ୍ୟକୁ ସହ୍ୟ କରିପାରୁନଥିଲେ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଚେତାଇ ଦେବାକୁ ଉଦ୍ୟମ କରି ଦଳରେ ଅଲୋଡା ହୋଇ ପଡିଥିଲେ ଆଜି ସେମାନେ ରାଜ୍ୟରେ ବିଜେଡ଼ିର ପରାଜୟରେ ଅଧିକ ଖୁସି । ବିଶେଷକରି, ପାଣ୍ଡିଆନଙ୍କ ପରାଜୟରେ । ୨୦୨୪ ବିଧାନସଭା ନିର୍ବାଚନରେ ବିଜେଡ଼ିର ପରାଜୟ ପାଇଁ ଦଳର କିଛି ଅହଂକାରୀ ନେତା ଓ ଦଳୀୟ ମୁଖପାତ୍ର ବହୁମାତ୍ରାରେ ଦାୟି, ଏକଥା ରାଜ୍ୟର ସାମାଜିକ ଓ ମୁଖ୍ୟସ୍ରୋତ ଗଣମାଧ୍ୟମ ଭଲରେ ଜାଣନ୍ତି । ତଥାପି, ‘ମାର ମାର ଭଣ୍ଡାରିଆକୁ ମାର’ ନ୍ୟାୟରେ ଗୋଟିଏ ମୁଣ୍ଡରେ ଅଠା ବୋଳା ଚାଲିଛି – ତାହା ହେଉଛି ପାଣ୍ଡିଆନଙ୍କ ମୁଣ୍ଡ … । ପାଣ୍ଡିଆନଙ୍କୁ ‘ତାମିଲ ଶାସକ’ କହି ଓଡ଼ିଆ ଅସ୍ମିତା ନାମରେ ବିଜେପି ଓଡ଼ିଶାରେ ୨୦୨୪ ନିର୍ବାଚନ ଜିତିଛି । ତେଣୁ, ପାଣ୍ଡିଆନଙ୍କୁ ଟ୍ରୋଲ୍ କରି ରାଜ୍ୟରେ ବିଜେପି ସରକାରଙ୍କ ନିକଟତର ହେବା ସୁଯୋଗ କିଏ କାହିଁକି ବା ହାତଛଡା କରିବ ?
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS