ପୁଣି ଥରେ ବିଜେଡ଼ି ରାଜନୀତିର କେନ୍ଦ୍ରବିନ୍ଦୁକୁ ଫେରିଲେ ନବୀନ


ପ୍ରସାଦ ରାଓ
ଭୁବନେଶ୍ୱର/ଜୁନ ୦୮
ରାଜ୍ୟ ବିଧାନସଭା ନିର୍ବାଚନରେ ବିଜେଡ଼ିର ଶୋଚନୀୟ ପରାଜୟ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଥରେ ଦଳର କେନ୍ଦ୍ରବିନ୍ଦୁକୁ ଫେରିଛନ୍ତି । ଅନ୍ୟ ଦଳକୁ ଭାଂଗି ବିଧାୟକ ଗୋଟାଇବା ଓ ଜୋରଜବରଦସ୍ତ ସରକାର କରିବା ଆଜି ଦିନର ରାଜନୈତିକ ସଂସ୍କୃତି ହୋଇଥିବା ବେଳେ ନବୀନ କିନ୍ତୁ ପରାଜୟକୁ ନେଇ ବିଚଳିତ ନଥିବା ଓ ବିରୋଧୀ ଦଳର ଭୂମିକାରେ ରହିବାକୁ ନିର୍ଣ୍ଣୟ ନେଇ ସାରିଥିବା ଗତ ଦୁଇ ଦିନ ହେଲା ତାଙ୍କ କଥନ ଓ କର୍ମରୁ ଜଣାପଡୁଛି । ରାଜ୍ୟରେ ୧୪୭ ବିଧାନସଭା ଆସନ ରହିଛି । ସେଥିରୁ ୭୮ଟି ବିଜେପି ଖାତାକୁ ଯାଇଥିବା ବେଳେ ବିଜେଡ଼ିକୁ ଆସିଛି ୫୧ । କଂଗ୍ରେସ ୧୪ ଆସନରେ, ସ୍ୱାଧୀନ ୦୩ ଓ ସିପିଏମ୍ ଗୋଟିଏ ଆସନରେ ବିଜୟୀ ହୋଇଛନ୍ତି । ତେଣୁ, ବିଧାନସଭା ଗଣିତ ଦେଖିଲେ ରାଜ୍ୟରେ ପ୍ରଥମ କରି କ୍ଷମତାକୁ ଆସିଥିବା ବିଜେପି ସରକାର ଗଠନ ପାଇଁ ଆବଶ୍ୟକ ସଂଖ୍ୟାଠାରୁ ମାତ୍ର ଚାରିଟି ଅଧିକ ଆସନ ପାଇଛି । ବିରୋଧୀଙ୍କ ଖାତାରେ ୬୯ ଆସନ ରହିଛି । ସରକାର ଗଠନ ସଂଖ୍ୟାରୁ ବିରୋଧୀ ମାତ୍ର ୦୫ଟି ଆସନ ଦୂରରେ । ନବୀନ ଚାହିଁଲେ କଂଗ୍ରେସ ଓ ଅନ୍ୟ ବିରୋଧୀ ବିଧାୟକଙ୍କ ସହ ଆଲୋଚନା କରି ସେମାନଙ୍କ ସମର୍ଥନ ନେଇଥା’ନ୍ତେ ଏବଂ ଦୁଷ୍ଟବୁଦ୍ଧି ପ୍ରୟୋଗ କରି ଯେଉଁ ନେତାମାନେ ନିର୍ବାଚନ ଚାଲିଥିବା ସମୟରେ ବିଜେଡ଼ି ଛାଡି ବିଜେପିକୁ ଡିଆଁ ମାରିଛନ୍ତି ଓ ୨୦୨୪ ନିର୍ବାଚନରେ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ସେମାନଙ୍କୁ ପ୍ରଲୋଭନ ଦେଖାଇ ନିଜ ପକ୍ଷକୁ ଆଣିବା ଉଦ୍ୟମ କରିଥା’ନ୍ତେ । ବିଜେପି ବିଳମ୍ବରେ ହେଲେ ମଧ୍ୟ ଅତୀତରେ କର୍ଣ୍ଣାଟକ ଓ ମଧ୍ୟ ପ୍ରଦେଶରେ ଏହି ଖେଳ ଖେଳି କର୍ଣ୍ଣାଟକର ଜେଡ଼ିୟୁ-କଂଗ୍ରେସ ମେଂଟ ସରକାର ଓ ମଧ୍ୟ ପ୍ରଦେଶର କମଳନାଥ ସରକାରର ପତନ ଘଟାଇ ଥିଲା ଏବଂ ନିଜେ କ୍ଷମତା ଦଖଲ କରିଥିଲା । ବିଜେଡ଼ି ସୁପ୍ରିମୋ କ୍ଷମତାଠାରୁ କିଛି ପାହୁଣ୍ଡ ଦୂରରେ ଥାଇ ମଧ୍ୟ ଏଭଳି କୁଟନୀତି ପ୍ରୟୋଗ ନକରି ଜନାଦେଶକୁ ଗ୍ରହଣ କରିନେଇଥିବା, ଆସନ୍ତା ପାଂଚ ବର୍ଷ ବିରୋଧୀ ଭୂମିକାରେ ରହି ରାଜ୍ୟବାସୀଙ୍କ ପାଇଁ କାମ କରିବାକୁ ଦଳର ନିର୍ବାଚିତ ବିଧାୟକ, ପରାଜିତ ବିଧାୟିକ ପ୍ରାର୍ଥୀ ଓ ରାଜ୍ୟ ବିଜେଡ଼ି ନେତାମାନଙ୍କୁ ପରାମର୍ଶ ଦେଉଥିବା ତାଙ୍କ ମହନୀୟତାର ପରିଚୟ ଦେଉଛି । ଗଲା ଦଶ ବର୍ଷ ଧରି ନବୀନ ବିଜେଡ଼ିକୁ ଏନଡିଏ ବାହାରେ ରଖି କଂଗ୍ରେସ ଓ ବିଜେପିରୁ ସମଦୂରତା କଥାକଥା କହୁଥିଲେ ମଧ୍ୟ ବାସ୍ତବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରର ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକୁ ସଂସଦରେ ସମର୍ଥନ ଦେଇ ଆସିଥିଲେ । କଂଗ୍ରେସ ଅପେକ୍ଷା ବିଜେପି ସହ ବିଜେଡ଼ିର ସଂପର୍କ ନିବିଡ ଥିଲା । ତେଣୁ, ରାଜ୍ୟ ଓ ରାଜ୍ୟ ବାହାରେ ବିଜେପି ଓ ବିଜେଡ଼ି ଗୋଟିଏ ମୁଦ୍ରାର ଦୁଇ ପାଖ ବୋଲି ସମାଲୋଚନା ହୋଇଆସୁଥିଲା । କିନ୍ତୁ, ବିଜେପି ଓଡ଼ିଶା ଦଖଲ ଲାଳସାରେ ୨୦୨୪ ନିର୍ବାଚନରେ ଏହି ସଂପର୍କରେ ପୂର୍ଣ୍ଣଛେଦ ପକାଇ ଥିଲା । ପ୍ରଧାନମନ୍ତ୍ରୀ ନିଜେ ଓଡ଼ିଶା ଗସ୍ତରେ ଥିବା ବେଳେ ଜାତୀୟ ଗଣମାଧ୍ୟମରେ ବୟାନ ଦେଇଥିଲେ, ଏହି ନିର୍ବାଚନରେ ବିଜେଡ଼ି ଜନସାଧାରଣରେ ଏଭଳି ଅଗ୍ରହଣୀୟ ହୋଇଛି ଯେ ଆମେ (ବିଜେପି) ଦୁଃଖର ସହ ନବୀନ ବାବୁଙ୍କ ସହ ସଂପର୍କ ତୁଟାଇବାକୁ ବାଧ୍ୟ ହେଉଛି । ଅବଶ୍ୟ ଲୋକସଭା ନିର୍ବାଚନରେ ବିଜେପି ଓଡ଼ିଶାରେ ବିଜେଡ଼ିକୁ ମୂଳପୋଛ କରି ଇତିହାଶ ସୃଷ୍ଟି କରିଛି । ବିଜେଡ଼ିକୁ ଜାତୀୟ ରାଜନୀତିରେ ଗୁରୁତ୍ୱହୀନ ଓ ଅପ୍ରାସଙ୍ଗିକ କରି ଦେଇଛି । ତେବେ, ରାଜ୍ୟ ରାଜନୀତିରେ ବିଜେଡ଼ି ବିଜେପି ପଛକୁ ଦ୍ୱିତୀୟ ଶକ୍ତି ହୋଇ ରହିଛି । ନବ ଗଠିତ ରାଜ୍ୟ ବିଧାନସଭାରେ ସବୁ ବିରୋଧୀ ବିଧାୟକ ଯଦି ସଂଗଠିତ ଭାବେ କାର୍ଯ୍ୟ କରିନ୍ତି ତେବେ ରାଜ୍ୟରେ ବିଜେପିର ଯିଏ ମୁଖ୍ୟମନ୍ତ୍ରୀ ହୁଅନ୍ତୁ ନା କାହିଁକି ବିରୋଧୀଙ୍କୁ ସାମ୍ନା କରିବା ତାଙ୍କ ପାଇଁ କଷ୍ଟକର ହେବ । ତେବେ, ସବୁ ନିର୍ଭର କରୁଛି ବିଦାୟୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ । ଆଜି ଦିନରେ ଓଡ଼ିଶା ରାଜନୀତିକୁ ନେଇ ରାଜ୍ୟ ଓ ଜାତୀୟସ୍ତରରେ ଯେଉଁ ଆଲୋଚନା ଚାଲିଛି ସେଥିରେ ଦୁଇଟି ପ୍ରମୁଖ ପ୍ରସଙ୍ଗ ରହିଛି । ସେଥିରୁ ଗୋଟିଏ ହେଉଛି – ରାଜ୍ୟରେ ନବଗଠିତ ବିଜେପି ସରକାରରେ ବିଜେପି ହାଇକମାଣ୍ଡ କାହାକୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇବେ ଓ ରାଜ୍ୟରୁ ବହୁ ପୁରୁଖା ନେତା ସଂସଦକୁ ନିର୍ବାଚିତ ହୋଇଥିବାରୁ ସେମାନଙ୍କ ମଧ୍ୟରୁ କେଉଁମାନେ ମୋଦୀ ସରକାରରେ ସ୍ଥାନ ପାଇବା ସମ୍ଭାବନା ଅଧିକ । ଦ୍ୱିତୀୟ ପ୍ରସଙ୍ଗ ହେଉଛି – ନୂଆରେ ଗଠନ ହେବାକୁ ଯାଉଥିବା ବିଧାନସଭାରେ ବିଦାୟୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସକ୍ରିୟ ଭାବେ ବିରୋଧୀ ଦଳ ନେତା ଦାୟିତ୍ୱ ତୁଲାଇବେ ନା ଅନ୍ୟ କାହାରି ହାତରେ ଏହି ଗୁରୁତ୍ୱପୂର୍ଣ୍ଣ ପଦବୀ ସମର୍ପି ଦେଇ ନିଜେ ‘ନବୀନ ନିବାସ’ରୁ ଦଳକୁ ନିୟନ୍ତ୍ରଣ କରିବେ ? ଏହି ଦୁଇ ପ୍ରସଙ୍ଗ ଉପରେ ଓଡ଼ିଶା ରାଜନୀତି ବହୁମାତ୍ରାରେ ନିର୍ଭର କରୁଛି । ୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାରେ ବିଜେଡ଼ିର ଶୋଚନୀୟ ପରାଜୟ ପାଇଁ ଦାୟି କିଏ (?) – ସେନେଇ ନବୀନ ନିବାସରେ ନିର୍ବାଚନ ଫଳାଫଳ ପରବର୍ତ୍ତୀ ସମୀକ୍ଷା ଆରମ୍ଭ ହୋଇସାରିଛି । ଏଭଳି ସ୍ଥିତିରେ ଦଳର ଛାତ୍ର ଓ ଯୁବ ଗୋଷ୍ଠୀ ନିର୍ବାଚନ ପରାଜୟ ପାଇଁ ପୂର୍ବତନ ପ୍ରଶାସକ ତଥା ଦଳର ନେତା ଭି.କେ.ପାଣ୍ଡିଆନଙ୍କ ସମେତ କିଛି ଆଗ ଧାଡିଆ ନେତାଙ୍କୁ ଦାୟି କରିଛନ୍ତି । ସେମାନେ ମୁଖ୍ୟମନ୍ତ୍ରୀ ଓ ଦଳର ନେତା-କର୍ମୀଙ୍କ ମଧ୍ୟରେ ପ୍ରତିବନ୍ଧକ ଭାବେ ଠିଆ ରହି ନବୀନ ନିବାସରେ ଏକଛତ୍ର ଶାସନ ଚଳାଇଥିଲେ ବୋଲି ଏହି ଯୁବ ଓ ଛାତ୍ର ନେତାମାନେ ଖୋଲାଖୋଲି ଅଭିଯୋଗ କରିଛନ୍ତି । ଦଳର ପରାଜୟ ପାଇଁ ଦାୟି ଏହି ନେତାଙ୍କୁ ନବୀନ ନିବାସରେ ପୁରାଇ ଦିଆଯିବ ନାହିଁ ବୋଲି ମଧ୍ୟ ସେମାନେ ସତର୍କବାଣୀ ଶୁଣାଇଛନ୍ତି । ଗତକାଲି ବିଜେଡ଼ି ରାଜ୍ୟ କାର୍ଯ୍ୟାଳୟ ‘ଶଙ୍ଖ ଭବନ’ରେ ଯେଉଁ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେଲା ତାହା ଆଜି ଗଣମାଧ୍ୟରେ ଚର୍ଚ୍ଚାର ବିଷୟ ହୋଇଛି ଏବଂ ନିର୍ବାଚନ ସମୟରେ ଦଳରେ କିଭଳି ଅସନ୍ତୋଷ ଓ ଅବିଶ୍ୱାସ ଭାବ ଥିଲା ତାହା ସ୍ପଷ୍ଟ କରିଛି । ଏପରିକି, ବିଜେଡ଼ିର ଯୁବ ଓ ଛାତ୍ର ନେତାମାନେ ଦଳର ପରାଜୟ ପାଇଁ ପାଣ୍ଡିଆନଙ୍କ ସମେତ ବିଜେଡ଼ି ରାଜ୍ୟ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଓ ରାଜ୍ୟସଭା ସାଂସଦ ମାନସ ରଂଜନ ମଂଗରାଜଙ୍କୁ ଦାୟି କରି ସ୍ଲୋଗାନବାଜୀ କରିଥିବା ଏବଂ ଦଳର ପ୍ରମୁଖ ମୁଖପାତ୍ରଙ୍କୁ ମଧ୍ୟ ଛାଡି ନଥିବା ଗଣମାଧ୍ୟମରେ ପ୍ରକାଶ ପାଇଛି । ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ପାଣ୍ଡିଆନଙ୍କୁ ସୁରକ୍ଷା ଦେଇଥିବା ବିଜେଡ଼ିର ମୁଖ୍ୟ ମୁଖପାତ୍ର ସସ୍ମିତ ପାତ୍ରଙ୍କୁ ମଧ୍ୟ ସେମାନେ ବିରୋଧ କରିଥିବା ଜଣାପଡିଛି । ବୋଧହୁଏ ବିଜେଡ଼ି ସୁପ୍ରିମୋ ପରିସ୍ଥିତିକୁ ହୃଦୟଂଗମ କରିଛନ୍ତି ଏବଂ ଆଜି ଗଣମାଧ୍ୟମରେ ବିବୃତି ଦେଇ ୨୦୨୪ ନିର୍ବାଚନରେ ପରାଜୟ ପାଇଁ ପାଣ୍ଡିଆନଙ୍କୁ ଦାୟି କରାଯିବା ଠିକ ନୁହେଁ ବୋଲି କହିଛନ୍ତି । ପାଣ୍ଡିଆନ ତାଙ୍କ ଉତ୍ତରାଧିକାରୀ ନୁହନ୍ତି, ଓଡ଼ିଶାବାସୀ ତାଙ୍କ ଉତ୍ତରାଧିକାରୀ ଚୟନ କରିବେ ବୋଲି ନବୀନ ଆଜି ଦୋହରାଇବା ସହ ପାଣ୍ଡିଆନ ବିଜେଡ଼ିରେ କୌଣସି ସାଂଗଠନିକ ପଦ ପଦବୀରେ ନାହାନ୍ତି, ଗତ ନିର୍ବାଚନରେ ସେ ପ୍ରାର୍ଥୀ ମଧ୍ୟ ନଥିଲେ ବୋଲି କହିଛନ୍ତି । ନବୀନଙ୍କ ଏହି ବୟାନ ପରେ ଦଳ ଭିତରେ ଥିବା ପାଣ୍ଡିଆନ-ବିରୋଧୀ ଆକ୍ରୋଶ କିଛିମାତ୍ରାରେ ଶାନ୍ତ ପଡିବ ବୋଲି ଆଶା କରାଯାଉଛି । ଅପରପକ୍ଷରେ, ନବୀନଙ୍କ ପୁତୁରା (ବଡ ଭାଇ ପ୍ରେମ୍ ପଟ୍ଟନାୟକଙ୍କ ପୁଅ) ଅରୁଣ ପଟ୍ଟନାୟକଙ୍କ ଦିଲ୍ଲୀରୁ ଆସି ଗତକାଲି ରାତିରେ ଭୁବନେଶ୍ୱର ‘ନବୀନ ନିବାସ’ରେ ପହଂଚି ଥିବା ଏବଂ ପାଣ୍ଡିଆନ ତାଙ୍କୁ ଦିଲ୍ଲୀରୁ ସାଂଗରେ ଧରି ଆସିଥିବା ଖବର ଗଣମାଧ୍ୟମରେ ପ୍ରସାରିତ ହେବା ପରେ ଅରୁଣଙ୍କୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା ଆରମ୍ଭ ହୋଇଛି । ପୁତୁରା ଅରୁଣ ଓଡ଼ିଶା ରାଜନୀତିରେ ଦାଦା ନବୀନଙ୍କ ଉତ୍ତରାଧିକାରୀ ହୋଇପାରନ୍ତି ବୋଲି ବହୁ ଆଗରୁ ଚର୍ଚ୍ଚା ହୋଇଆସୁଛି । ତେବେ, ଅରୁଣ ନିଜେ ସେଭଳି ସମ୍ଭାବନାକୁ ଅଗ୍ରାହ୍ୟ କରିବା ପରେ ଚର୍ଚ୍ଚାରେ ଭଟ୍ଟା ପଡିଥିଲା । ୨୦୧୧-୧୨ରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ବ୍ୟକ୍ତଗତ ସଚିବ ଭାବେ ଦାୟିତ୍ୱ ତୁଲାଉଥିବା ଭି.କାର୍ତ୍ତିକ ପାଣ୍ଡିଆନ ଗଲା କିଛି ବର୍ଷ ମଧ୍ୟରେ ସରକାର ଓ ଦଳକୁ ନିଜ ଅକ୍ତିଆରକୁ ନେଇ ଧୀରେ ଧୀରେ ଦଳର ନେତାମାନଙ୍କୁ ଗୌଣ କରିଦେବା ଏବଂ ମୁଖ୍ୟମନ୍ତ୍ରୀଙ୍କ ପରେ ଦଳର ଦ୍ୱିତୀୟ ନେତା ଭାବେ ଦଳ ଓ ସରକାରକୁ ପରିଚାଳନା କରିବା ଏବଂ ନିର୍ବାଚନ ପୂର୍ବରୁ ଚାକିରୀରୁ ଆଗୁଆ ଅବସର ନେଇ ବିଜେଡ଼ିରେ ଯୋଗଦେବା ବିରୋଧୀଙ୍କ ପାଇଁ ଚେତାବନୀ ସଦୃଶ ଥିଲା । ଦଳ ଭିତରେ ଓ ବାହାରେ ଅସନ୍ତୋଷ ବଢିଥିଲା ଏବଂ ୨୦୨୪ ନିର୍ବାଚନରେ ତାଙ୍କ ଏକକ ନାୟକତ୍ୱରେ ଶାସକ ବିଜେଡ଼ିର ପ୍ରଚାର ଅଭିଯାନ ଚାଲିବା କଥାକୁ ବିରୋଧୀ ଚତୁରତାର ସହ ନିର୍ବାଚନ ପ୍ରସଙ୍ଗ କରି ରାଜ୍ୟବାସୀଙ୍କ ମନ ଜିତିବା ବିଜେଡ଼ି ପାଇଁ ମହଂଗା ପଡିଥିଲା । ଏବେ, ନବୀନ ନିବାସରେ ଅରୁଣଙ୍କ ପୁନଃ ଆବିର୍ଭାବ ଦଳ ଭିତରେ ଓ ବାହାରେ ପାଣ୍ଡିଆନଙ୍କୁ ନେଇ ସୃଷ୍ଟି ହୋଇଥିବା ଆକ୍ରୋଶ ଓ ଆଶଙ୍କାକୁ ଭାବକୁ ବହୁମାତ୍ରାରେ ଦୂର କରିବ ବୋଲି ଆଶା କରାଯାଉଛି । ୨୦୨୪ ନିର୍ବାଚନରେ ପରାଜୟ ପରେ ନବୀନ ପଟ୍ଟନାୟକ ପୂର୍ବଭଳି ଦଳର ନେତାଙ୍କୁ ନବୀନ ନିବାସ ଡକାଇ ଭେଟୁଛନ୍ତି ଓ ସେମାନଙ୍କ ସହ ଆଲୋଚନା କରୁଛନ୍ତି । ସଂଗଠନକୁ ସୁଦୃଢ କରିବା ଉପରେ ଗୁରୁତ୍ୱ ଦେଉଛନ୍ତି । ପାଣ୍ଡିଆନଙ୍କ ଉପସ୍ଥିତି ଓ ହସ୍ତକ୍ଷେପ ବିନା ଏହି ପ୍ରକ୍ରିୟା ଆରମ୍ଭ ହୋଇଥିବାରୁ ବିଜେଡ଼ିରେ ସକାରାତ୍ମକ ବାତାବରଣ ଫେରିବା ଆଶା କରାଯାଇପାରେ । ନବୀନ ନିଜେ ବିଧାନସଭାରେ ବିରୋଧୀ ଦଳ ନେତା ଭୂମିକାରେ ରହି କାର୍ଯ୍ୟ କଲେ ଏବଂ ଦଳୀୟ ବିଧାୟକଙ୍କୁ ପ୍ରତ୍ୟକ୍ଷ ନେତୃତ୍ୱ ଦେଲେ ରାଜ୍ୟରେ ବିଜେଡ଼ିର ପତିଆରା ପୁଣି ବଢିବ ଏବଂ ଦଳ ବିଜେପିର ବିଭାଜନକାରୀ ରାଜନୀତିର ସଶକ୍ତ ମୁକାବିଲା କରିପାରିବ ବୋଲି ରାଜନୈତିକ ବିଶ୍ଲେଷକ ମହଲରେ ଆଲୋଚନା ହେଉଛି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS