ପୁଣି ଥରେ ଅଗ୍ନି ପରୀକ୍ଷାରେ ‘ଓଡ଼ିଆ ଅସ୍ମିତା’ !


ପ୍ରସାଦ ରାଓ
ଭୁବନେଶ୍ୱର/ଜୁନ ୦୯
ନିକଟରେ ସରିଥିବା ସାଧାରଣ ନିର୍ବାଚନରେ ଓଡ଼ିଶାରେ ‘ଓଡ଼ିଆ ଅସ୍ମିତା’ ମୁଖ୍ୟ ପ୍ରସଙ୍ଗ ଥିଲା । ବିଜେପିର ରାଜ୍ୟ ଓ ଜାତୀୟ ନେତାମାନେ ଏହି ପ୍ରସଙ୍ଗ କରି ବିଜେଡ଼ିକୁ କାଠଗଡ଼ାରେ ଠିଆ କରିବା ସହ ରାଜ୍ୟରେ କ୍ଷମତାକୁ ଆସିଲେ । ବିଜେପିର ବ୍ୟାଖ୍ୟାନ ଓଡ଼ିଶାବାସୀଙ୍କୁ ପ୍ରଭାବିତ କରିଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ଥାନରେ ଜଣେ ତାମିଲ ପ୍ରଶାସକ ଓଡ଼ିଶାକୁ ଶାସନ କରୁଥିବାରୁ ଏହି ସରକାରକୁ ହଟାଇ ଜଣେ ଖାଂଟି ଓଡ଼ିଆଙ୍କୁ ରାଜ୍ୟର ମୁଖ୍ୟମନ୍ତ୍ରୀ କରିବାକୁ ରାଜ୍ୟବାସୀ ପରିବତ୍ ର୍ତନ ସପକ୍ଷରେ ଭୋଟ ଦେଇଥିଲେ । ରାଜ୍ୟରେ ସରକାର ସିନା ବଦଳିଲା, ଫଳାଫଳ ଆସିବାର ପାଂଚ ଦିନ ବିତିଲାଣି ବିଜେପି କାହାକୁ ମୁଖ୍ୟମନ୍ତ୍ରୀ କରିବାକୁ ଯାଉଛି ସ୍ପଷ୍ଟ ହୋଇ ନାହିଁ । ରାଜ୍ୟବାସୀ ବିଜେପି ସପକ୍ଷରେ ମତଦାନ କରି ଆପେକ୍ଷା କରିଛନ୍ତି କିଏ ସେହି ଖାଂଟି ଓଡ଼ିଆ ରାଜ୍ୟର ମୁଖ୍ୟମନ୍ତ୍ରୀ ହେଉଛି ଜାଣିବାକୁ ।
ଆଜି ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ରରେ ନୂଆ ସରକାର ଶପଥ ନେଉଛି । ମୋଦୀଙ୍କ ପୂର୍ବ ଦୁଇ ସରକାରରେ ସଂସଦରେ ବିଜେପିର ଯଥେଷ୍ଟ ସଂଖ୍ୟା ଥିଲା । ଦେଶରେ ଏନଡିଏ ସରକାର ପ୍ରତିଷ୍ଠା ହୋଇଥିଲେ ମଧ୍ୟ ସେଥିରେ ସାମିଲ ଥିବା ଅନ୍ୟ ରାଜନୈତିକ ଦଳର ନେତାମାନେ ବିଜେପି ନେତୃତ୍ୱର ଦୟାର ପାତ୍ର ହୋଇ ରହିଥିଲେ । ତେବେ, ୨୦୨୪ ନିର୍ବାଚନରେ ଦେଶବାସୀ ଏହି ଚିତ୍ର ବଦଳାଇଛନ୍ତି । ଦେଶରେ ବିଜେପି ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଥିଲେ ମଧ୍ୟ ଏକାକୀ ସରକାର କଲା ଭଳି ପାଖରେ ସଂଖ୍ୟା ନାହିଁ । ଏନଡ଼ିଏରେ ଅଂଶୀଦାର ଥିବା ଟିଡିପି ଓ ଜେଡିୟୁ ମୋଦୀ ସରକାରଙ୍କ ଆଶାବାଡି ହୋଇଛନ୍ତି । ଏହି ଦୁଇ ଆଂଚଳିକ ଦଳର ମୁଖ୍ୟ ଏନ.ଚନ୍ଦ୍ରବାବୁ ନାଇଡୁ ଓ ନୀତୀଶ କୁମାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିଜ ନିଜ ସର୍ତ୍ତରେ ବାନ୍ଧି ରଖି ସରକାର ଗଠନରେ ସହାୟକ ହୋଇଥିବା ବେଳେ ଶାସକ ମେଂଟରେ ଥିବା ଅନ୍ୟ ଆଂଚଳିକ ଦଳମାନେ ମଧ୍ୟ ନୂଆ ମନ୍ତ୍ରୀ ପରିଷଦରେ ସାମିଲ ହେବାକୁ ବ୍ୟଗ୍ର ।
ପ୍ରଧାନମନ୍ତ୍ରୀ ମୋଦୀ ଓ ବିଜେପିର ଅନ୍ୟ ରାଷ୍ଟ୍ରୀୟ ନେତାମାନେ ଏନଡିଏ ଅଂଶୀଦାରମାନଙ୍କୁ ସନ୍ତୁଷ୍ଟ ରଖିବା କସରତରେ ଏତେ ବ୍ୟସ୍ତ ଯେ ପାଂଚ ଦିନ ହେଲା ଓଡ଼ିଶାରେ କାହାକୁ ମୁଖ୍ୟମନ୍ତ୍ରୀ ପଦରେ ବସାଇବେ ତାହା ସ୍ଥିର କରି ପାରି ନାହାନ୍ତି । ଆଜି କେନ୍ଦ୍ରରେ ନୂତନ ମନ୍ତ୍ରୀ ପରିଷଦର ଶପଥ ଗ୍ରହଣ ସରିବା ପରେ ୧୦ ତାରିଖ ଓଡ଼ିଶା ବିଜେପି ବିଧାୟକ ଦଳର ବୈଠକ ବସି ମୁଖ୍ୟମନ୍ତ୍ରୀ ଚୟନ ଓ ଶପଥ ଗ୍ରହଣ ହେବ ବୋଲି ପୂର୍ବରୁ ଦଳ ପକ୍ଷରୁ ଘୋଷଣା କରାଯାଇଥିଲା । ତେବେ, ୧୨ ତାରିଖ ପର୍ଯ୍ୟନ୍ତ ତାହାକୁ ଘୁଂଚାଇ ଦିଆଯାଇଥିବା ଆଜି ସୂଚନା ମିଳିଛି । ରାଜ୍ୟରେ ବିଜେପିର ୭୮ ବିଧାୟକ ଥାଇ ମଧ୍ୟ ସେମାନଙ୍କ ମଧ୍ୟରୁ କିଏ ମୁଖ୍ୟମନ୍ତ୍ରୀ ହେବ, ତାହା ଓଡ଼ିଆ ନେତାମାନେ ନିର୍ଣ୍ଣୟ ନେଇପାରୁ ନାହାନ୍ତି । ଦଳର ଅଣ-ଓଡ଼ିଆ କେନ୍ଦ୍ରୀୟ ନେତାଙ୍କ ସଂକେତ ଅପେକ୍ଷାରେ ରହିଛନ୍ତି । ଏହା କି ପ୍ରକାର ଓଡ଼ିଆ ଅସ୍ମିତା ବୋଲି ସାମାଜିକ ଗଣମାଧ୍ୟମରେ ପ୍ରଶ୍ନ ହେଲାଣି ।
ପୂର୍ବରୁ କଂଗ୍ରେସରେ ହାଇକମାଣ୍ଡ ସଂସ୍କୃତି ରହି ଆସିଛି । ଏହାକୁ ଅନ୍ୟ ରାଜନୈତିକ ଦଳମାନେ ସମାଲୋଚନା କରି ଆସିଛନ୍ତି । କଂଗ୍ରେସ ଶାସିତ ରାଜ୍ୟମାନଙ୍କରେ ମୁଖ୍ୟମନ୍ତ୍ରୀ କିଏ ହେବେ ତାହା ଦଳର ହାଇକମାଣ୍ଡ ନିର୍ଣ୍ଣୟ ନେଉଥିବାରୁ ସଂପୃକ୍ତ ମୁଖ୍ୟମନ୍ତ୍ରୀମାନେ ରାଜ୍ୟବାସୀଙ୍କ ନିକଟରେ ନୁହେଁ, ହାଇକମାଣ୍ଡଙ୍କ ବିଶ୍ୱସ୍ତ ରହିବାକୁ ଉଦ୍ୟମ କରିଥା’ନ୍ତି । ରାଜ୍ୟବାସୀଙ୍କୁ ନିକଟରେ ଉତ୍ତରଦାୟୀ ରହିନଥା’ନ୍ତି । କଂଗ୍ରେସରେ ଆଭ୍ୟନ୍ତରୀଣ ଗଣତନ୍ତ୍ର ନାହିଁ । ଏବେ ବିଜେପି ସେହି ସଂସ୍କୃତିକୁ ଆବୋରି ନେଇଛି । ଦଳର ରାଜ୍ୟ ନେତୃତ୍ୱକୁ ପ୍ରଶ୍ନ ହେଲେ ଉତ୍ତର ମିଳୁଛି, ଓଡ଼ିଶାରେ କିଏ ମୁଖ୍ୟମନ୍ତ୍ରୀ ହେବ ତାହା ବିଜେପିର ଜାତୀୟସ୍ତର କମିଟି ନିଷ୍ପତ୍ତି ନେବ । ତାହା ପରେ ଆନୁଷ୍ଠାନିକ ଭାବେ ବିଧାୟକ ଦଳ ବୈଠକ ବସି ସେହି ନାମରେ ମୋହର ଲଗାଇବେ । ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା ସହ ନୂଆ ସରକାରର ଶପଥ ଗ୍ରହଣ ଉତ୍ସବ ହେବ । ଅବଶ୍ୟ କଂଗ୍ରେସ ଭଳି ବିଜେପି ମଧ୍ୟ ଗୋଟିଏ ଜାତୀୟ ରାଜନୈତିକ ଦଳ ହୋଇଥିବାରୁ କେନ୍ଦ୍ରୀ ନେତାଙ୍କ ଆଧିପତ୍ୟ ରହିବା ସ୍ୱାଭାବିକ ।
ତେବେ, ନିର୍ବାଚନ ଫଳାଫଳ ଆସି ପାଂଚ ଦିନ ବିତିଥିଲେ ସୁଦ୍ଧା ରାଜ୍ୟରେ କିଏ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛି, ତାହା ଦଳର ରାଜ୍ୟ ସଭାପତି ନିଜେ କହିପାରୁନଥିବା ଏବଂ ଦଳର କେନ୍ଦ୍ରୀୟ କମିଟି ନିଷ୍ପତ୍ତିକୁ ଆପେକ୍ଷା କରାଯାଇଛି ବୋଲି ଗଣମାଧ୍ୟମରେ ଉତ୍ତର ରଖୁଥିବା ଅତ୍ୟନ୍ତ ଲଜ୍ଜାଜନକ କୁହାଯାଇପାରେ । ଓଡ଼ିଆ ଅସ୍ମିତା ସପକ୍ଷରେ ମତଦାନ କରି ରାଜ୍ୟର ମତଦାତା ଏଥର ବିଜେପିକୁ କ୍ଷମତାକୁ ଆଣିଛନ୍ତି । ସେମାନେ ଏବେ ବିଜେପି କେନ୍ଦ୍ରୀୟ ନେତୃତ୍ୱର ନିଷ୍ପତ୍ତି ମାନି ନେବାକୁ ବାଧ୍ୟ । ଅନେକ ଆଶା କରୁଥିଲେ, ଦଶ ବର୍ଷ ହେଲା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟରେ ବିଜେପିର ‘ମୁହଁ’ ହୋଇ ରହ ଥିବାରୁ ଓଡ଼ିଶାରେ ବିଜେପି କ୍ଷମତାକୁ ଆସିଲେ ସେ ମୁଖ୍ୟମନ୍ତ୍ରୀ ହେବା ଥୟ । କିନ୍ତୁ, ମୋଦୀ ତାଙ୍କ ୩.୦ ସରକାରରେ ଧମେନ୍ଦ୍ରଙ୍କୁ କେନ୍ଦ୍ର ମନ୍ତ୍ରୀ ପରିଷଦରେ ସାମିଲ କରୁଥିବାରୁ ସେ ଓଡ଼ିଶା ମୁଖ୍ୟମନ୍ତ୍ରୀ ହେବା ଆଶା ମଉଳିଛି । ସେହିଭଳି, ଓଡ଼ିଶାରୁ ବିଜେପିର ସାଂସଦ ଭାବେ ନିର୍ବାଚିତ ଅନ୍ୟ କିଛି ଚର୍ଚ୍ଚିତ ନେତା କେନ୍ଦ୍ରରେ ମନ୍ତ୍ରୀ ହେବା ଦୌଡରେ ଥିବାରୁ ଜୁନ ୧୨ ତାରିଖ ଦିନ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ କେଉଁ ନେତାଙ୍କ ନାମ ଘୋଷଣା ହେବ – ତାହା ଅସ୍ପଷ୍ଟ ରହିଛି ।
ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ନିଜେ ବିଧାନସଭା ନିର୍ବାଚନରେ ହାରିଛନ୍ତି । ତେଣୁ, ସେ ମୁଖ୍ୟମନ୍ତ୍ରୀ ଦୌଡରେ ନାହାନ୍ତି ବୋଲି ଆଜି କହିଛନ୍ତି । ତେବେ, ରାଜ୍ୟରେ ମିଏ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛି ତାଙ୍କ ନିକଟରେ ସୂଚନା ନାହିଁ ବୋଲି ମଧ୍ୟ ସେ ସ୍ୱୀକାର କରିଛନ୍ତି । ଜୁନ ୦୪ ତାରିଖ ଦନ ରାଜ୍ୟ ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପରେ ବିଜେଡ଼ି କ୍ଷମତାରୁ ହଟିଛି ଓ ଦଳର ମୁଖ୍ୟ ନବୀନ ପଟ୍ଟନାୟକ ରାଜ୍ୟପାଳଙ୍କୁ ଭୋଟି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇସାରିଛନ୍ତି । ରାଜ୍ୟପାଳଙ୍କ ଅନୁରୋଧକ୍ରମେ ସେ ନୂତନ ସରକାର ଗଠନ ପର୍ଯ୍ୟନ୍ତ କାମଚଳା ମୁଖ୍ୟମନ୍ତ୍ରୀ ଅଛନ୍ତି । ବିଜେଡ଼ି ସରକାର କ୍ଷମତାଚ୍ୟୁତ ହେଉ ହେଉ ରାଜ୍ୟରେ ବିଏସକେୱାଇ (ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା) କାର୍ଡ ଅଚଳ (ଅବଶ୍ୟ ରାଜ୍ୟପାଳଙ୍କ ହସ୍ତକ୍ଷେପ ପରେ ବିଏସକେୱାଇ କାର୍ଡ ସଚଳ ରହିଛି ଓ ନୂତନ ସରକାର ଦାୟିତ୍ୱ ନେବା ପରେ ଏନେଇ ଯାହା ନିଷ୍ପତ୍ତି ନେବେ ବୋଲି ରାଜ୍ୟ ମୁଖ୍ୟ ଶାସନ ସଚିବ କହିଛନ୍ତି) ଏବଂ ପୁରୀ ଶ୍ରୀମନ୍ଦିରକୁ ଅନ୍ଧକାର ମଧ୍ୟକୁ ଠେଲି ଦିଆଯିବା ଓଡ଼ିଆ ଅସ୍ମିତା ପ୍ରତି କୁଠାରଘାତ ବୋଲି ଆଲୋଚନା ହେଉଛି ।
ଅବଶ୍ୟ, ପୁରୀ ଶ୍ରୀଜଗନ୍ନାଥ ମନ୍ଦିରକୁ ଅନ୍ଧକାର ଭିତରକୁ ଠେଲି ଦିଆଯିବା ଘଟଣାକୁ ଗଣମାଧ୍ୟମରେ ସମାଲୋଚନା କରାଯିବା ପରେ ପୁନର୍ବାର ସେଠାରେ ଉଜ୍ୱଳ ଆଲୋକ ବ୍ୟବସ୍ଥା ହୋଇଛି ଏବଂ କେଉଁମାନେ ଏଥିପାଇଁ ଦାୟି ତଦନ୍ତ କରିବାକୁ ରାଜ୍ୟ ସରକାର ପୁରୀ ଜିଲ୍ଲା ପ୍ରଶାସନକୁ ଶନିବାର ଦିନ ନିର୍ଦେଶ ଦେଇଛନ୍ତି । ରାଜ୍ୟ ସରକାର ଗତ ଜାନୁୟାରୀ ୧୭ ତାରିଖରେ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନ କରିବା ସମୟରେ ଶ୍ରୀମନ୍ଦିରକୁ ଅତ୍ୟୁଜ୍ୱଳ ଆଲୋକିତ କରିବାକୁ ଏକ ଦିଲ୍ଲୀ ଭିତ୍ତିକ ଇଭେଂଟ ମ୍ୟାନେଜମେଂଟ କଂପାନୀ ଜରିଆରେ ଆଲୋକୀକରଣ ବ୍ୟବସ୍ଥା କରିଥିଲେ । ଜୁନ ୦୪ ତାରିଖ ପର୍ଯ୍ୟନ୍ତ ତାହା ଠିକଠାକ୍ ଚାଲିଥିଲା । ନିର୍ବାଚନ ଫଳାଫଳ ଆସିବା ପରଦିନ, ଅର୍ଥାତ ଜୁନ ୦୫ ତାରିଖ ଦିନ ଶ୍ରୀମନ୍ଦିର ଚାରିପାଖରୁ ଏହି ଅତ୍ୟୁଜ୍ୱଳ ଆଲୋକ ସବୁକୁ ହଟାଇ ନିଆଯାଇ ଶ୍ରୀଜଗନ୍ନାଥଙ୍କ ମନ୍ଦିରକୁ ଅନ୍ଧାର ଭିତରକୁ ଠେଲି ଦିଆଯାଇଥିଲା । ଶ୍ରୀମନ୍ଦିର ସେବାୟତ ଓ ଶ୍ରୀଜଗନ୍ନାଥ ଭକ୍ତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବାରୁ ସରକାର ଅନ୍ୟ ଏକ କଂପାନୀ ମାଧ୍ୟମରେ ମନ୍ଦିର ଚାରି ପାଖରେ ଅତ୍ୟୁଜ୍ୱଳ ଆଲୋକ ବ୍ୟବସ୍ଥା କରିଛନ୍ତି । ତେବେ, ୦୫ ତାରିଖ ମନ୍ଦିରକୁ ଅନ୍ଧାର ଭିତରକୁ ଠେଲି ଦିଆଯାଇଥିଲେ ମଧ୍ୟ ପୁରୀ ଜିଲ୍ଲା ପ୍ରଶାସନ ତୁରନ୍ତ ପ୍ରତିକ୍ରିୟଶୀଳ ନହେବା ସନ୍ଦେହର କାରଣ ହୋଇଛି ।
ଗୋଟିଏ ସରକାର କ୍ଷମତାଚ୍ୟୁତ ହେବା ଓ ନୂଆ ସରକାର କ୍ଷମତାକୁ ଆସିବା ମଧ୍ୟରେ ପୁରୀ ଶ୍ରୀଜଗନ୍ନାଥଙ୍କ ମନ୍ଦିରକୁ ଅନ୍ଧାର କରିଦିଆଯିବା ନିଶ୍ଚିତ ଭାବେ ଦୁଷ୍ଟବୁଦ୍ଧିର ପରିଚୟ । ବିଜେଡ଼ି କ୍ଷମତାଚ୍ୟୁତ ହୋଇଥିଲେ ମଧ୍ୟ ରାଜ୍ୟରେ ନବୀନ କାମଚଳା ମୁଖ୍ୟମନ୍ତ୍ରୀ ଅଛନ୍ତି । ତେଣୁ, ଶ୍ରୀଜଗନ୍ନାଥ ମନ୍ଦିର ଅନ୍ଧାର ହେବା କଥାରେ ଜନତା ପୁରୀ ଜିଲ୍ଲାପାଳ ଓ ବିଦାୟୀ ସରକାରକୁ ଦୋଷ ଦେବା ସ୍ୱାଭାବିକ । ନବୀନ ଗଲା ୨୪ ବର୍ଷ ଧରି ରାଜ୍ୟର ମୁଖ୍ୟମନ୍ତ୍ରୀ ଥିଲେ । ସେ ଓଡ଼ିଶାବାସୀଙ୍କ ସେବା କରିବା ସହ ରାଜ୍ୟକୁ ଦୁର୍ଦ୍ଦିନ ଭିତରୁ ମୁକ୍ତ କରି ବିକାଶ ପଥରେ ନେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଷଷ୍ଠ ଥର କ୍ଷମତାକୁ ଆସି ସର୍ବାଧିକ ସମୟ ଶାସନ କରିଥିବା ମୁଖ୍ୟମନ୍ତ୍ରୀ ଭାବେ ନୂଆ ରେକର୍ଡ କରିବାକୁ ଅଭିଳାଷ ରଖିଥିବା ବେଳେ ରାଜ୍ୟବାସୀ ତାଙ୍କୁ କ୍ଷମତାରୁ ହଟାଇ ଦେଇଛନ୍ତି । ତେଣୁ, ଏଭଳି ଏକ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେଲା ବୋଲି ଅନେକ ସନ୍ଦେହ କରୁଥିବା ବେଳେ ଆଉ କିଛି ନବୀନଙ୍କୁ ବଦନାମ କରିବା ପାଇଁ ଏହା ଏକ ଷଡଯନ୍ତ୍ର ବୋଲି ଅଭିଯୋଗ କରୁଛନ୍ତି । ତେବେ, କେଉଁଟା ଠିକ୍ ତାହା ପ୍ରଶାସନିକ ତଦନ୍ତରୁ ଜଣାପଡିବ ।
ପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ‘ଓଡ଼ିଆ ଅସ୍ମିତା’ର ପ୍ରତୀକ । ତାଙ୍କ ପ୍ରତି ଅପମାନସୂଚକ ମନ୍ତବ୍ୟ ଦେଇଥିବା ବିଜେପି ନେତା ସମ୍ବିତ ପାତ୍ରଙ୍କୁ ସେ କ୍ଷମା କରିଛନ୍ତି ଓ ପୁରୀରୁ ସାଂସଦ ଭାବେ ଜିତାଇଛନ୍ତି । ରାଜ୍ୟରେ ବିଜେପିକୁ ଆଶାତୀତ ସମର୍ଥନ ମିଳିବା ପଛରେ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ରହିଥିବା ବିଜେପିର ରାଷ୍ଟ୍ରୀୟ ନେତାମାନେ ସ୍ୱୀକାର କରୁଛନ୍ତି । ଏଭଳି ସ୍ଥିତିରେ ଓଡ଼ିଆ ଅସ୍ମିତା ନାମରେ କ୍ଷମତାକୁ ଆସିଥିବା ରାଜ୍ୟ ବିଜେପି ନିଜେ ନିଜ ବିଧାୟକ ଦଳ ନେତା ବାଛିବା ଓ ପରେ ତାହା ଦଳର କେନ୍ଦ୍ରୀୟ ନେତୃତ୍ୱଠାରୁ ଅନୁମୋଦନ କରାଇ ଆଣିବା ଅଧିକ ସମ୍ମାନଜକ ହୋଇଥା’ନ୍ତା । କିନ୍ତୁ, ରାଜ୍ୟ ବିଜେପି ନେତୃତ୍ୱ ତାହା ନକରି ଓଡ଼ିଶାର ନେତା କିଏ ହେବ ତାହା ନିର୍ଣ୍ଣୟ କରିବା ନିଷ୍ପତ୍ତି ରାଜ୍ୟ ବାହାରର ଅଣ-ଓଡ଼ିଆ ନେତାଙ୍କ ଉପରେ ଛାଡିଛନ୍ତି । ଦଳ ସରକାର ଗଠନ କରିବା ପାଇଁ ଆବଶ୍ୟକ ସଂଖ୍ୟା ପାଇବାର ଗୋଟିଏ ସପ୍ତାହ ପରେ ବିଧାୟକ ଦଳ ନେତା ବାଛିବ ଓ ଓଡ଼ିଶାବାସୀଙ୍କୁ କହିବ କିଏ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବେ ! ଏହା କି ପ୍ରକାର ‘ଓଡ଼ିଆ ଅସ୍ମିତା’ ବୋଲି ଯେଉଁମାନେ ପ୍ରଶ୍ନ କରିବା ଆରମ୍ଭ କଲେଣି ସେମାନଙ୍କ ରାଜ୍ୟ ବିଜେପି ନେତୃତ୍ୱ କି ଜବାବ ଦେବ ?
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS