ଓଡ଼ିଶା ଦେଇଛି ୨୦ ସାଂସଦ, ମାତ୍ର ମନ୍ତ୍ରୀ ମିଳିଲା ଦୁଇ ?
ପ୍ରସାଦ ରାଓ
ନୂଆଦିଲ୍ଲୀ/ଜୁନ ୧୦
୨୦୨୪ ସାଧାରଣ ନିର୍ବାଚନରେ ବିଜେପି ଓଡ଼ିଶାରୁ ୨୧ରୁ ୨୦ ଲୋକସଭା ଆସନରେ ବିଜୟୀ ହୋଇଥିବା ବେଳେ ଗତକାଲି ଶପଥ ନେଇଥିବା ମୋଦ:୦୩ ସରକାରରେ ରାଜ୍ୟକୁ ମିଳିଛି ମାତ୍ର ତିନିଟି ମନ୍ତ୍ରୀ ପଦ । କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଥିବା ତିନି କେନ୍ଦ୍ର ମନ୍ତ୍ରୀଙ୍କ ମଧ୍ୟରେ ଦୁଇ ଜଣ ରାଜ୍ୟର ଲୋକସଭା ସାଂସଦ ଥିବା ବେଳେ ଜଣେ ହେଉଛନ୍ତି ରାଜ୍ୟସଭା ସାଂସଦ । ଓଡ଼ିଶାରୁ କେନ୍ଦ୍ରରେ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଥିବା ଧର୍ମେନ୍ଦ୍ର ପ୍ରଧାନ ୨୦୨୪ ଓ ୨୦୧୯ ମୋଦୀ ସରକାରରେ ମନ୍ତ୍ରୀ ରହିଛନ୍ତି । ସେ ତୃତୀୟ ଥର ପାଇଁ କେନ୍ଦ୍ର ମନ୍ତ୍ରୀ ପରିଷଦରେ ସ୍ଥାନ ପାଇଛନ୍ତି । ସେହିଭଳି, ଗତକାଲି ଶପଥ ନେଇଥିବା ଓଡ଼ିଶାର ଦ୍ୱିତୀୟ କେନ୍ଦ୍ର ମନ୍ତ୍ରୀ ହେଉଛନ୍ତି ସୁନ୍ଦରଗଡ଼ ବିପେି ସାଂସଦ ଜୁଏଲ ଓରାମ । ଅତୀତରେ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଏନଡ଼ିଏ ସରକାରରେ ଓ ମୋଦୀ:୦୧ ସରକାରରେ କେନ୍ଦ୍ର ମନ୍ତ୍ରୀ ରହିଥିଲେ । ମୋଦୀ:୦୨ ସରକାରରେ ତାଙ୍କୁ ସ୍ଥାନ ମିଳି ନଥିଲା । ମୋଦୀ:୦୩ ସରକାରରେ ଓଡ଼ିଶାରୁ ତୃତୀୟ ମନ୍ତ୍ରୀ ପଦ ପାଇଥିବା ଅଶ୍ୱିନୀ ବୈଷ୍ଣବ ହେଉଛନ୍ତି ରାଜ୍ୟରୁ ବିଜେଡ଼ି ସମର୍ଥନରେ ଜିତିଥିବା ରାଜ୍ୟସଭା ସାଂସଦ । ସେ ରାଜସ୍ଥାନ ବାସିନ୍ଦା ହୋଇଥିଲେ ମଧ୍ୟ ଓଡ଼ିଶାରେ ଦୀର୍ଘ ବର୍ଷ ଧରି ପ୍ରଶାସନିକ ସେବା ଦେଇଥିଲେ । ୨୦୧୯ରେ ସେ ପ୍ରଥମେ ରାଜ୍ୟରୁ ବିଜେପିରୁ ରାଜ୍ୟସଭା ପ୍ରାର୍ଥୀ ହୋଇ ବିଜେଡ଼ି ସମର୍ଥନରେ ନିର୍ବାଚିତ ହୋଇଥିଲେ । ଅଶ୍ୱିନୀଙ୍କ କାର୍ଯ୍ୟକାଳ ସରିବା ପରେ ବିଜେପି ତାଙ୍କୁ ଦ୍ୱିତୀୟ ଥର ପାଇଁ ବିଜେଡ଼ି ସମର୍ଥନରେ ରାଜ୍ୟସଭାକୁ ଜିତାଇ ନେଇଛି । ଅଶ୍ୱିନୀ ୨୦୨୧ରୁ କେନ୍ଦ୍ରରେ ରେଳବାଇ ଓ ଆଇଟି ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇ ଆସୁଛନ୍ତି । ଗତ ନିର୍ବାଚନରେ ସେ ଓଡ଼ିଶାର କଟକ କିମ୍ବା ବାଲେଶ୍ୱର ଲୋକସଭା ଆସନରୁ ପ୍ରାର୍ଥୀ ହେବେ ବୋଲି ଜୋରସୋର ଚର୍ଚ୍ଚା ହୋଇଥିଲା । ତେବେ, ବିଜେପି ସବୁ କଳ୍ପନା ଜଳ୍ପନାର ଅବସାନ ଘଟାଇ ଗତ ଫେବୃୟାରୀରେ ହୋଇଥିବା ରାଜ୍ୟସଭା ନିର୍ବାଚନରେ ତାଙ୍କ ପୁନର୍ବାର ରାଜ୍ୟସଭାକୁ ନିର୍ବାଚିତ କରାଇ ନେଇଥିଲେ । ମୋଦ:୦୩ ସରକାରରେ ଓଡ଼ିଶାର ଏକ ନମ୍ବର ମନ୍ତ୍ରୀ ଭାବେ ଶପଥ ନେଇଥିବା ଧର୍ମେନ୍ଦ୍ର ପ୍ରଧାନ ପୂର୍ବରୁ ରାଜ୍ୟ ବାହାରୁ ରାଜ୍ୟସଭା ସାଂସଦ ଥାଇ କେନ୍ଦ୍ର ମନ୍ତ୍ରୀ ଭାବେ ଗଲା ଦଶ ବର୍ଷ ଧରି କାର୍ଯ୍ୟ କରିଥିବା ବେଳେ ୨୦୨୪ ନିର୍ବାଚନରେ ସେ ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ସମ୍ବଲପୁର ଲୋକସଭା ଆସନରୁ ସଂସଦକୁ ନିର୍ବାଚିତ ହୋଇଛନ୍ତି । ଦଳ ପ୍ରଥମ ଥର ପାଇଁ ଏଥର ଓଡ଼ିଶାର ୧୪୭ ବିଧାନସଭା ଆସନରୁ ୭୮ଟିରେ ବିଜୟୀ ହୋଇ ସରକାର କରିବାକୁ ଯାଉଥିବାରୁ ଦଶ ବର୍ଷ ହେଲା ରାଜ୍ୟରେ ଦଳର ମୁହଁ ହୋଇ କାର୍ଯ୍ୟ କରିଥିବା ଧର୍ମେନ୍ଦ୍ରଙ୍କୁ ରାଜ୍ୟରେ ମୁଖ୍ୟମନ୍ତ୍ରୀ କରି ପାରେ ବୋଲି ଚର୍ଚ୍ଚା ହେଉଥିବା ବେଳେ ବିଜେପି ନେତୃତ୍ୱ ତାଙ୍କୁ ତୃତୀୟ ଥର ପାଇଁ କେନ୍ଦ୍ର ମନ୍ତ୍ରୀ ପରିଷଦରେ ସ୍ଥାନ ଦେଇ ଚର୍ଚ୍ଚାରେ ଅବସାନ ଘଟାଇଛନ୍ତି । ମୋଦୀ:୦୨ ସରକାରରେ ଓଡିଶାରୁ କେନ୍ଦ୍ର ମନ୍ତ୍ରୀ ହୋଇଥିବା ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ ୨୦୨୪ ନିର୍ବାଚନରେ ସେହି ଆସନରୁ ଲୋକସଭାକୁ ନିର୍ବାଚିତ ହୋଇ ମନ୍ତ୍ରୀ ପରିଷଦରେ ସ୍ଥାନ ପାଇବା ଆଶା ରଖିଥିବା ବେଳେ ମୋଦୀଙ୍କ ତୃତୀୟ ପାଳିରେ ତାଙ୍କୁ ଅଣଦେଖା କରାଯାଇଛି । ମୋଦୀ:୦୨ ସରକାରରେ ୨୦୨୧ଜୁଲାଇ ୦୭ରୁ ୨୦୨୪ ଜୁନ ୦୯ପର୍ଯ୍ୟନ୍ତ କେନ୍ଦ୍ର ମନ୍ତ୍ରୀ ଥିବା ମୟୁରଭଂଜ (ଆଦିବାସୀଙ୍କ ପାଇଁ ସଂରକ୍ଷିତ) ସାଂସଦ ବିଶ୍ୱେଶ୍ୱର ଟୁଡୁଙ୍କ ଦଳ ୨୦୨୪ରେ ଟିକଟ ନଦେଇ ନବଚରଣ ମାଝୀଙ୍କୁ ପ୍ରାର୍ଥୀ କରିଥିଲା । ସେ ମଧ୍ୟ ବିଜୟୀ ହୋଇଛନ୍ତି । ମୋଦୀ:୦୩ ସରକାରରେ ସ୍ଥାନ ପାଇବା ଆଶାରେ ଥିଲେ ଭୁବନେଶ୍ୱର ଲୋକସଭା ଆସନରୁ ଦ୍ୱିତୀୟ ଥର ପାଇଁ ସଂସଦକୁ ନିର୍ବାଚିତ ହୋଇଥିବା ଶ୍ରୀମତୀ ଅପରାଜିତା ଷଡଙ୍ଗୀ, କଟକ ଲୋକସଭା ଆସନରୁ ବିଜେଡ଼ିରୁ ସାତ ଥର ସଂସଦକୁ ନିର୍ବାଚିତ ହୋଇଥିବା ଭର୍ତ୍ତୃହରି ମହତାବ, ବିଜେପିର ଜାତୀୟ ଉପ-ସଭାପତି ତଥା କେନ୍ଦ୍ରପଡା ଲୋକସଭା ଆସନରୁ ସଂସଦକୁ ଏକାଧିକ ଥର ନିର୍ବାଚିତ ହୋଇଥିବା ବରିଷ୍ଠ ନେତା ବୈଜୟନ୍ତ ପଣ୍ଡା, ପୁରୀ ଲୋକସଭା ଆସନରୁ ପ୍ରଥମ ଥର ପାଇଁ ସଂସଦକୁ ନିର୍ବାଚିତ ହୋଇଥିବା ବିଜେପିର ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର, ବଲାଂଗୀର ସାଂସଦ ସଂଗତା ସିଂହଦେଓ ପ୍ରମୁଖ । ଦଳ ପ୍ରଥମ ଥର ପାଇଁ ଓଡ଼ିଶାରୁ ରେକର୍ଡ ପରିମାଣର ଲୋକସଭା ଆସନ ଜିତିଥିବାରୁ କେନ୍ଦ୍ର ମନ୍ତ୍ରୀ ପରିଷଦରେ ରାଜ୍ୟକୁ ଅଧିକ ଗୁରୁତ୍ୱ ଦିଆଯାଇ ଅଧିକ ମନ୍ତ୍ରୀ ପଦ ଦିଆଯିବ ବୋଲି ଏହି ସାଂସଦମାନଙ୍କ ଅଶା ଗତକାଲି ମଉଳି ଯାଇଛି । ମୋଦୀ:୦୩ ସରକାରରେ ଓଡ଼ିଶାରୁ ସେହି ତିନିଟି ପୁରୁଣା ମୁହଁକୁ ହିଁ କ୍ୟାବିନେଟ ମନ୍ତ୍ରୀ ଭାବେ ସ୍ଥାନିତ କରାଯାଇଥିବାରୁ କେବଳ ଆଶାୟୀ ନେତା ନୁହନ୍ତି, ସେମାନଙ୍କ ସମର୍ଥକମାନେ ମଧ୍ୟ ନିରାଶ ହୋଇଛନ୍ତି । ୨୦୨୪ ସାଧାରଣ ନିର୍ବାଚନରେ ବିଜେପିକୁ ପୂର୍ବ ଦୁଇଟି ନିର୍ବାଚନ ଭଳି ନିରଂକୁଶ ଜନାଦେଶ ମିଳିନି । କେନ୍ଦ୍ରରେ ସରକାର ଗଠନ ପାଇଁ ଆବଶ୍ୟକ ସଂଖ୍ୟା (୨୭୨)ଠାରୁ ବିଜେପିକୁ ୩୨ କମ୍ ଆସନ ମିଳିଥିବା ବେଳେ ବିଜେପି ନେତୃତ୍ୱାଧୀନ ଏନଡିଏକୁ ୨୯୩ ଆସନ ମିଳିଥିବାରୁ କେନ୍ଦ୍ରରେ ଲଗାତର ତୃତୀୟ ଥର ପାଇଁ ସରକାର କରିବାକୁ ମୋଦୀ ସକ୍ଷମ ହୋଇଛନ୍ତି । ଏନଡିଏ ସଦସ୍ୟ ଥିବା ଆନ୍ଧ୍ର ପ୍ରଦେଶର ତେଲୁଗୁ ଦେଶମ ପାର୍ଟି (ଟିଡ଼ିପି) ୧୬ଟି ଓ ବିହାରର ଜନତା ଦଳ-ୟୁନାଇଟେଡ ବା ଜେଡ଼ିୟୁ ୧୨ଟି ଲୋକସଭା ଆସନ ପାଇ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଥିବାରୁ ସେମାନେ ମୋଦୀ ସରକାରରେ ବଡ ଅଂଶୀଦାର ଅଛନ୍ତି । ଟିଡ଼ିପି ମୁଖ୍ୟ ଏନ.ଚନ୍ଦ୍ରବାବୁ ନାଇଡୁ ଓ ଜେଡ଼ିୟୁ ମୁଖ୍ୟ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଅସନ୍ତୁଷ୍ଟ କରିବା ସ୍ଥିତିରେ ନାହାନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଏହା ଛଡା ଅନ୍ୟ ଛୋଟ ଦଳ ଏନଡିଏରେ ସାମିଲ ଅଛନ୍ତି ଏବଂ ସେମାନେ ମୋଦୀଙ୍କ ତୃତୀୟ ପାଳି ସରକାରରେ ଭାଗିଦାର ହୋଇଛନ୍ତି । ପ୍ରତି ଚାରିଟି ସାଂସଦରେ ଗୋଟିଏ ମନ୍ତ୍ରୀ ପଦ ନ୍ୟାୟରେ କେନ୍ଦ୍ର ମନ୍ତ୍ରୀ ପରିଷଦରେ ସ୍ଥାନ ବଂଟନ ହୋଇଛି । ଲୋକସଭାରେ ବିଜେପିର ୨୪୦ ସାଂସଦ ଥିବାରୁ ଦଳକୁ ୬୦ ମନ୍ତ୍ରୀ ପଦ ମିଳିଥିବା ବେଳେ ଏନଡିଏର ଅନ୍ୟ ଅଂଶୀଦାର ଦଳକୁ ୧୨ଟି ମନ୍ତ୍ରୀ ପଦ ମିଳିଛି । କେନ୍ଦ୍ରରେ କ୍ୟାବିନେଟ ମନ୍ତ୍ରୀ, ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ) ଓ ରାଷ୍ଟ୍ରମନ୍ତ୍ରୀ ପଦରେ ବିଜେପି ଓ ତାହାର ସହଯୋଗୀ ଦଳର ୭୨ ସାଂସଦଙ୍କୁ ସନ୍ତୁଷ୍ଟ କରାଯାଇଥିବା ବେଳେ ମହାରାଷ୍ଟ୍ରର ଅଜିତ ପାୱାରଙ୍କ ଏନସିପି ଭଳି କିଛି ସହଯୋଗୀ ଦଳ ଅସନ୍ତୋଷ ପ୍ରକାଶ କରି ନୂତନ ମନ୍ତ୍ରୀ ପରିଷଦରେ ସାମିଲ ହୋଇ ନାହାନ୍ତି । ଅଜିତ ପାୱାର ଏନସିପିର ବରିଷ୍ଠ ନେତା ପ୍ରଫୁଲ୍ଲ ପଟେଲଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ତୃତୀୟ ପାଳି ସରକାରରେ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ) କରାଯିବା ପ୍ରସ୍ତାବ ଦିଆଯାଇଥିଲେ ମଧ୍ୟ ସେ ଏହାକୁ ପଦୋନ୍ନତି ବଦଳରେ ପଦ-ଅବନତି ଦର୍ଶାଇ ଗତକାଲି ଶପଥ ନେବାକୁ ଯଇନଥିଲେ । ମୋଦୀଙ୍କ ତୃତୀୟ ପାଳି ସରକାରରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁରଙ୍କ (ହିମାଚଳ ପ୍ରଦେଶର ହମିରପୁର ଆସନରୁ ନିର୍ବାଚିତ ହୋଇଥିବା) ଭଳି ଅନୁଗତ ନେତା ବାଦ୍ ପଡିବା ଅନେକଙ୍କୁ ବିସ୍ମିତ କରିଛି । ମୋଦୀ:୦୨ ସରକାରରେ ସେ ପ୍ରଥମେ ରାଷ୍ଟ୍ରମନ୍ତ୍ରୀ ଓ ପରେ (୨୦୨୧ରେ) କ୍ୟାବିନେଟ ମନ୍ତ୍ରୀ ହୋଇଥିଲେ । ତାଙ୍କୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ, କ୍ରୀଡା ଓ ଯୁବ ସେବା ମନ୍ତ୍ରଣାଳୟର ମନ୍ତ୍ରୀ ଭାବେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିଥିଲା । ୨୦୧୪ରେ ସେ ନିର୍ବାଚିତ ହୋଇଥିଲେ ମଧ୍ୟ ମୋଦୀ:୦୩ ସରକାରରେ ତାଙ୍କୁ ସ୍ଥାନ ମିଳି ନାହିଁ । ମନ୍ତ୍ରୀ ହେବାକୁ ଧାର୍ଯ୍ୟ କୋଟାରେ ହିମାଚଳ ପ୍ରଦେଶକୁ ଗୋଟିଏ ମନ୍ତ୍ରୀ ପଦ ମିଳିଥିବାରୁ ଏବଂ ମୋଦୀ:୦୩ ସରକାରରେ ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି.ନଡ୍ଡାଙ୍କୁ କ୍ୟାବିନେଟ ମନ୍ତ୍ରୀ ଭାବେ ନିଆଯାଇଥିବାରୁ ଅନୁରାଗ ଠାକୁର ଏଥର ମନ୍ତ୍ରୀ ହେବାକୁ ବଂଚିତ ହୋଇଥିବା ପଡିଥିବା ଜଣାପଡିଛି । ସେହିପରି, ରବି ଶଙ୍କର ପ୍ରସାଦ, ରାଜୀବ ପ୍ରତାପ ରୁଢି, ପୁରୁଷୋତ୍ତମ ରୁପାଲା, ନାରାୟଣ ରାଣେଙ୍କ ପରି ବିଜେପିର ବହୁ ବଡ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ମୋଦୀଙ୍କ ତୃତୀୟ ପାଳି ସରକାରରେ ସ୍ଥାନ ପାଇ ନାହାନ୍ତି । ଅପରପକ୍ଷରେ, ମୋଦୀଙ୍କ ଏହି ତୃତୀୟ ପାଳି ସରକାରରେ ପଂଜାବର ଲୁଧିଆନା ଆସନରୁ ପରାଜିତ ହୋଇଥିବା ରଭନିତ ସିଂହ ବିଟ୍ଟୁ (ପଂଜାବର ମୁଖ୍ୟମନ୍ତ୍ରୀ ଥାଇ ୧୯୯୯ରେ ଖାଲିସ୍ତାନୀ ଆତଙ୍କବାଦୀଙ୍କ ଦ୍ୱାରା ନିହତ ହୋଇଥିବା ବିୟନ୍ତ ସିଂହଙ୍କ ନାତି), କେରଳରୁ ସଂସଦକୁ ନିର୍ବାଚିତ ହୋଇନଥିବା ବିଜେପି ନେତା ତଥା ଖ୍ରୀଷ୍ଟ ସଂପ୍ରଦାୟର ନେତୃତ୍ୱ ନେଉଥିବା ଜର୍ଜ କୁରିଆନ, ତାମିଲନାଡୁ ବିଜେପିର ପୂର୍ବତନ ମୁଖ୍ୟ (ନିଳଗିରି ଲୋକସଭା ଆସନରୁ ପରାଜିତ) ଏଲ.ମୁରୁଗାନଙ୍କୁ ନୂତନ ମନ୍ତ୍ରୀ ପରିଷଦରେ ନିଆଯାଇଥିବା ଅନେକଙ୍କୁ ଆଶ୍ଚର୍ଯ୍ୟାନ୍ୱିତ କରିଛି । ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଓ ରାଜୀବ ଚନ୍ଦ୍ରଶେଖର ୨୦୨୪ ନିର୍ବାଚନରେ ଯଥାକ୍ରମେ ୟୁପିର ଅମେଥୀ ଓ ତାମିଲନାଡୁର ଥିରୁଭନାଥପୁରମ ଲୋକସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରି ପରାଜିତ ହୋଇଥିବାରୁ ମୋଦୀ:୦୩ ମନ୍ତ୍ରୀ ପରିଷଦରେ ସ୍ଥାନ ପାଇ ନାହାନ୍ତି । ମୋଟାମୋଟି ଭାବେ କହିବାକୁ ଗଲେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ତୃତୀୟ ପାଳି ସରକାର ଗଠନ କରିବା ସମୟରେ ବହୁ ବାଧ୍ୟବାଧକତାର ସମ୍ମୁ୍ଖୀନ ହୋଇଥିବା ଏଥିରୁ ସ୍ପଷ୍ଟ । ଅନେକ ଆଶା କରିଥିଲେ, ଓଡ଼ିଶା ବିଜେପିକୁ ୨୦ଟି ଲୋକସଭା ଆସନ ଦେଇ ମୋଦୀଙ୍କ ୨୪୦ ସଂଖ୍ୟା ହାସଲରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବାରୁ ରାଜ୍ୟକୁ କ୍ୟାବିନେଟ ନହେଲେ ମଧ୍ୟ ଗୋଟିଏ, ଦୁଇଟି ରାଷ୍ଟ୍ରମନ୍ତ୍ରୀ ପାହ୍ୟା ମିଳିବ । ଗତକାଲି ସନ୍ଧ୍ୟାରେ ରାଷ୍ଟ୍ରପତି ଭବନରେ ଚାଲିଥିବା ଶପଥ ଗ୍ରହଣ ଉତ୍ସବ ଉପରେ ସମସ୍ତ ଓଡ଼ିଆଙ୍କ ଆଖି ଥିଲା । ମନ୍ତ୍ରୀ ପରିଷଦରେ ସ୍ଥାନ ପାଇଥିବା ରାଜ୍ୟର ତିନି କ୍ୟାବିନେଟ ମନ୍ତ୍ରୀଙ୍କ ନାମ ଘୋଷଣା ସରିବା ପରେ ମଧ୍ୟ ସେମାନଙ୍କ ଆଖି ଥିଲା ଟିଭି ପରଦା ଉପରେ । କାଳେ ଓଡ଼ିଶାରୁ ନିର୍ବାଚିତ ସାଂସଦଙ୍କ ମଧ୍ୟରୁ କାହାରି ନାମ ରାଷ୍ଟ୍ରମନ୍ତ୍ରୀ ତାଲିକାରେ ରହିଥିବ କି ? ଶେଷରେ ସମସ୍ତଙ୍କୁ ନିରାଶ ହେବାକୁ ପଡିଛି । ଏବେ, ଲୋକସଭା ବାଚସ୍ପତି ଆସନ ଉପରେ ସମସ୍ତଙ୍କ ନଜର । କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କୁ ସଂସଦୀୟ ଅଭିଜ୍ଞତା ଦୃଷ୍ଟିରୁ ଲୋକସଭା ବାଚସ୍ପତି କରାଯାଇପାରେ ବୋଲି କିଛି ଦିନ ଧରି ଚର୍ଚ୍ଚା ହେଉଥିଲା । ତେବେ, ଅଚାନକ ଆନ୍ଧ୍ର ପ୍ରଦେଶର ପୁରୁଖା ବିଜେପି ନେତ୍ରୀ ଏନ.ପୁରୁନେ୍ଦଶ୍ୱରୀଙ୍କ ନାମ ଏବେ ଆଲୋଚନା ପରିସରକୁ ଆସିଯାଇଛି । ପୁରୁନେ୍ଦଶ୍ୱରୀ ହେଉଛନ୍ତି ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତେଲୁଗୁ ଦେଶମ ପାର୍ଟି (ଟିଡିପି)ର ପ୍ରତିଷ୍ଠାତା ସ୍ୱର୍ଗତ ଏନ.ଟି.ରାମାରାଓଙ୍କ କନ୍ୟା ଓ ପୂର୍ବତନ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ତଥା ଟିଡିପି ମୁଖ୍ୟ ଏନ.ଚନ୍ଦ୍ରବାବୁ ନାଇଡୁଙ୍କ ଶାଳୀ । ଉଭୟ ଟିଡିପି ଓ ଜେଡିୟୁ ଲୋକସଭା ବାଚସ୍ପତି ଆସନ ଉପରେ ଆଖି ପକାଇ ଥିବା ବେଳେ ଟିଡିପି ନେତା ଚନ୍ଦ୍ରବାବୁ ନାଇଡୁଙ୍କୁ ଏନଡିଏ ମେଂଟରେ ଯୋଡି ରଖିବା ପାଇଁ ଏନ.ପୁରୁନେ୍ଦଶ୍ୱରୀଙ୍କୁ ବିଜେପି ନେତୃତ୍ୱ ଲୋକସଭା ବାଚସ୍ପତି କରିବାରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ବୋଲି ରାଜନୈତିକ ସମୀକ୍ଷକ କହିଲେଣି । ଏହା ଯଦି ହୁଏ ତେବେ ଓଡ଼ିଶା ବିଜେପିକୁ ବିପୁଳ ସମର୍ଥନ ଦେଇ କଣ ପାଇଲା (?) ବୋଲି ପ୍ରଶ୍ନ ହେବା ସ୍ୱାଭାବିକ । ଆସନ୍ତା କାଲି ଓଡ଼ିଶା ବିଜେପି ବିଧାୟକ ଦଳ ବୈଠକ ବସି ବିଧାୟକ ଦଳ ନେତା ତଥା ମୁଖ୍ୟମନ୍ତ୍ରୀଙ୍କୁ ଚୟନ କରାଯିବାକୁ ଅଛି । ବିଜେପି ନେତୃତ୍ୱ ରାଜ୍ୟର ବିଜେପି ବିଧାୟକଙ୍କ ମଧ୍ୟରୁ କାହାରିକୁ ମୁଖ୍ୟମନ୍ତ୍ରୀ କରିବେ କି ବିଧାୟକ ଦଳ ବାହାରୁ କାହାରିକୁ ମୁଖ୍ୟମନ୍ତ୍ରୀ ଚୟନ କରି ରାଜ୍ୟବାସୀଙ୍କ ଉପରେ ଆଉ କିଛି ବିସ୍ମୟ ଲଦି ଦେବେ – ତାହା ଦେଖିବାକୁ ବାକି ରହିଛି ।
ମୁଖ୍ୟ ସଂପାଦକ, ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS