ହାରି ମଧ୍ୟ ଜନତାଙ୍କ ହୃହୟରେ ଅଛନ୍ତି ନବୀନ !
ପ୍ରସାଦ ରାଓ
ଭୁବନେଶ୍ୱର:ଜୁନ ୧୩
ଦେଶରେ ସାଧାରଣ ନିର୍ବାଚନ ସରିଲା । ସାଧାରଣ ନିର୍ବାଚନ ସହ ଓଡ଼ିଶା ସମେତ କିଛି ରାଜ୍ୟର ବିଧାନସଭା ନିର୍ବାଚନ ମଧ୍ୟ ସରିଲା । ୨୦୨୪ର ଏହି ନିର୍ବାଚନ ସବୁଠାରୁ ପ୍ରତିଦ୍ୱନ୍ଦ୍ୱିତାମୂଳକ ଏବଂ ପରିବର୍ତ୍ତନ ସପକ୍ଷରେ ବଡ ପ୍ରଦର୍ଶନ ଥିଲା । ଗୋଟିଏ ପଟେ ଗଣତନ୍ତ୍ର ପ୍ରତି ଦେଖା ଦେଇଥିବା ଆହ୍ୱାନକୁ ନେଇ ବିରୋଧୀ ନିର୍ବାଚନ ରଣାଂଗନରେ ଥିଲେ । ଅନ୍ୟପଟେ, ଦଶ ବର୍ଷ ଧରି ଦେଶରେ ନିରଂକୁଶ କ୍ଷମତାର ଭୋଗ କରି ନିଜ ଇଚ୍ଛା ମୁତାବକ ନିଷ୍ପତ୍ତି ନେଇ ଆସୁଥିବା ଉତ୍ତୁଂଗ ନେତୃତ୍ୱର ପୁନଃ ବିଜୟ ଆକାଂକ୍ଷା ଓ ଆସ୍ପର୍ଦ୍ଧା ମଧ୍ୟରୁ ଗୋଟିକୁ ଦେଶବାସୀ ଚୟନ କରିବାକୁ ଆହ୍ୱାନ ଥିଲା । ଏହି ଦୁଇ ବିକଳ୍ପ ଦେଶର କୋଟି କୋଟି ମତଦାତାଙ୍କୁ ଦ୍ୱନ୍ଦ୍ୱରେ ରଖି ଥିଲେ । ତେବେ, ଶେଷରେ ଜନତା ଯେଭଳି ମତଦାନ କରିଛନ୍ତି ତାହା ସମଗ୍ର ଦେଶକୁ ଆଲୋଡିତ କରିଛି । ବିଚାରବନ୍ତ ମତଦାତା ନିଜ ଇଚ୍ଛା ମୁତାବକ ପ୍ରତିନିଧି ଚୟନ କରିଛନ୍ତି । ଉଭୟ ଜାତୀୟ ଓ ରାଜ୍ୟ ବିଧାନସଭା ନିର୍ବାଚନରେ ପରିବର୍ତ୍ତନ ସପକ୍ଷରେ ମତଦାନ ହୋଇଛି । ତେବେ, କେନ୍ଦ୍ରରେ ଶାସନରେ ଥିବା ଦଳ ପୁନଃ କ୍ଷମତାକୁ ଆସିଛି ସିନା ଜନତା ନିରଂକୁଶ କ୍ଷମତା ଦେଇ ନାହାନ୍ତି । ଦଶ ବର୍ଷ ପରେ ଦେଶରେ ପୁନର୍ବାର ମେଂଟ ସରକାରର ଆବିର୍ଭାନ ଘଟିଛି । ତେବେ, ଓଡ଼ିଶାବାସୀ ସଂପୂର୍ଣ୍ଣ ଭାବେ ସରକାର ବଦଳାଇ ଦେଇଛନ୍ତି । ୨୪ ବର୍ଷ ଧରି ରାଜ୍ୟକୁ ଶାସନ କରି ଆସୁଥିବା ଦଳକୁ ହଟାଇ ରାଜ୍ୟରେ ଡବଲ ଇଂଜିନ ସରକାର ପ୍ରତିଷ୍ଠା କରିଛନ୍ତି । ଏହା ଗଣତନ୍ତ୍ରର ସବୁଠାରୁ ବଡ ଉପଲବ୍ଧୀ କୁହାଯାଇପାରେ । କିନ୍ତୁ, ଗଣତନ୍ତ୍ରର ଆଉ ଏକ ସୁନ୍ଦର ଖେଳ ମଧ୍ୟ ବୁଧବାର (ଜୁନ ୧୨ ତାରିଖ) ଦିନ ଦେଖିବାକୁ ମିଳିଛି । ତାହା ହେଉଛି, ଜଣେ ବିଦାୟୀ ବା ପରାଜିତ ମୁଖ୍ୟମନ୍ତ୍ରୀଙ୍କୁ ନୂତନ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହରେ ମଂଚ ଉପରେ ନୂଆ ସରକାର ଓ ସେହି ଦଳର ରାଷ୍ଟ୍ରୀୟ ନେତାମାନଙ୍କ ସହ ଦେଖିବାକୁ ମିଳିଛି । ବିଜେୟୀ ଦଳର ନେତାମାନେ ପରାଜିତ ହୋଇଥିବା ଦଳର ମୁଖ୍ୟ ତଥା ବିଦାୟୀ ମୁଖ୍ୟମନ୍ତ୍ରୀଙ୍କୁ ମଂଚ ଉପରକୁ ସସମ୍ମାନେ ପାଛୋଟି ନେବା, ମଂଚାସୀନ ବରିଷ୍ଠ ନେତାମାନେ ନତମସ୍ତକ ହୋଇ ତାଙ୍କୁ ସ୍ୱାଗତ କରିବା ଏବଂ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନେ ଶପଥ ଗ୍ରହଣ କରିବା କାର୍ଯ୍ୟକ୍ରମ ଶେଷ ହେବା ପର୍ଯ୍ୟନ୍ତ ପୂର୍ବତନ ମୁଖ୍ୟମନ୍ତ୍ରୀ ମଂଚରେ ରହି ସେମାନଙ୍କୁ ଆଶୀର୍ବାଦ କରିବା ଏକ ବିରଳ ଘଟଣା ହିଁ କୁହାଯିବ, ଯାହାକି ସମଗ୍ର ଦେଶ ତଥା ବିଶ୍ୱ ଗତକାଲି ଦେଖିଛି । ପରାଜୟ ପରେ ମଧ୍ୟ ଏହି ନେତାଙ୍କ ଏତେମାତ୍ରାରେ ଆଦୃତି ଗୋଟିଏ କଥା କହୁଛି – ଗତ ୨୪ ବର୍ଷର ଶାସନ କାଳରେ ସରକାରରେ ଦାଗ ଲାଗିଛି ସିନା ତାହାର ନେତୃତ୍ୱ ନେଉଥିବା ମଣିଷଟି ନିର୍ଦାଗ ରହିଛି । ଆଜି ମଧ୍ୟ ଦେଶବାସୀ ତଥା ଓଡ଼ିଶାବାସୀ ତାଙ୍କୁ ଶ୍ରଦ୍ଧା ଓ ସମ୍ମାନ କରୁଛନ୍ତି । ଏହି ବ୍ୟକ୍ତିତ୍ୱ ଜଣକ ହେଉଛନ୍ତି – ନବୀନ ପଟ୍ଟନାୟକ, ଓଡ଼ିଶାର ବିଦାୟୀ ମୁଖ୍ୟମନ୍ତ୍ରୀ ଓ ଆଗାମୀ ପାଂଚ ବର୍ଷ ପାଇଁ ରାଜ୍ୟ ବିଧାନସଭାରେ ହେବାକୁ ଯାଉଥିବା ବିରୋଧୀ ଦଳ ନେତା । ନିର୍ବାଚନ ସମୟରେ ବିରୋଧୀ ଦଳର ରାଷ୍ଟ୍ରୀୟ ନେତାମାନେ (ପ୍ରଧାନମନ୍ତ୍ରୀ ଓ ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ସମେତ) ନବୀନଙ୍କୁ ଯେଭଳି ବ୍ୟକ୍ତିଗତ ଆକ୍ଷେପରେ ପୋତି ପକାଇ ଥିଲେ, ତାଙ୍କ ସ୍ଥାନରେ ଅନ୍ୟ କେହି ନେତା ହୋଇଥିଲେ ନୂଆ ସରକାରଙ୍କ ଶପଥ ଗ୍ରହଣ ଉତ୍ସବକୁ କୌଣସି ଆଳ ଦେଖାଇ ଏଡାଇ ଯାଇଥା’ନ୍ତେ । ବିରୋଧୀ ନେତାମାନେ ଯେଉଁ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ନବୀନଙ୍କୁ ନିର୍ବାଚନ ପ୍ରଚାରରେ ଟାର୍ଗେଟ କରିଥିଲେ ଉତ୍ସବ ସ୍ଥଳକୁ ନ ଯିବା ପାଇଁ ନବୀନଙ୍କର ତାହା ହିଁ ବଡ ବାହାନା ହୋଇପାରିଥା’ନ୍ତା । କିନ୍ତୁ, ନବୀନ ଜଣେ କ୍ଷୁଦ୍ରକାୟ ରାଜ୍ୟ ନେତା ନୁହନ୍ତି, ଦେଶର ଜଣେ ତୁଂଗ ରାଷ୍ଟ୍ରନେତା – ତାହା ଗତକାଲି ସେ ପ୍ରମାଣିତ କରିଛନ୍ତି । ବୁଧବାର ଅପରାହ୍ନରେ ଭୁବନେଶ୍ୱର ଜନତା ମଇଦାନରେ ଆୟୋଜିତ ନୂତନ ମନ୍ତ୍ରୀ ପରିଷଦର ଶପଥ ଗ୍ରହଣ ଉତ୍ସବରେ ବିଦାୟୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପହଂଚୁ ପହଂଚୁ ସେଠାରେ ଉପସ୍ଥିତ ଥିବା ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କୁ ମଂଚକୁ ପାଛୋଟି ନେଇଥିଲେ । ମଂଚାସୀନ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଅନ୍ୟ ବରିଷ୍ଠ କେନ୍ଦ୍ରମନ୍ତ୍ରୀ ଏବଂ ଦଶଟି ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ନବୀନଙ୍କୁ ନିଜ ନିଜ ଚଉକିରୁ ଉଠି ଯେଭଳି ସମ୍ମାନ ପ୍ରଦର୍ଶନ କରିଥିଲେ ତାହା ସମଗ୍ର ବିଶ୍ୱରେ ନବୀନଙ୍କ ଭାବମୂର୍ତ୍ତିକୁ ଅଧିକ ଉଜ୍ୱଳ କରିଛି । ନବୀନ ମଧ୍ୟ ତାହାର ଉତ୍ତରରେ ସେମାନଙ୍କ ସ୍ୱାଗତ ସଂଭାଷଣକୁ ସହାସ୍ୟ ବଦନରେ ଗ୍ରହଣ କରିଥିଲେ ଏବଂ ନିର୍ବାଚନ ସମୟର କଟୁକ୍ତିକୁ ନେଇ ତାଙ୍କ ମନରେ କୌଣସି ବିଦ୍ୱେଷ ନଥିବା ସେ ନିଜ ଭାବଭଂଗୀରେ ସ୍ପଷ୍ଟ କରି ଦେଇଥିଲେ । ଶପଥ ଗ୍ରହଣ ସମାରୋହ ସରିବା ପରେ ପ୍ରଧାନମନ୍ତ୍ରୀ ମୋଦୀ ଓ ବିଦାୟୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଧ୍ୟରେ ଅଳ୍ପ ସମୟ ପାଇଁ ହେଲେ ମଧ୍ୟ ସୌହାର୍ଦ୍ଧ୍ୟପୂର୍ଣ୍ଣ ଭାବେ ଭାବ ବିିନିମୟ ହୋଇଥିବା ଦେଶ ତଥା ରାଜ୍ୟବାସୀ ଦେଖିଥିଲେ । ଏହା ହିଁ ଭାରତୀୟ ଗଣତନ୍ତ୍ରର ସୌଦ୍ଧର୍ଯ୍ୟ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା । ୨୦୨୪ ନିର୍ବାଚନରେ କେନ୍ଦ୍ରରେ ସରକାର ବଦଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲଗାତର ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରି ପୂର୍ବତନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ରେକର୍ଡର ସମତୁଲ ହୋଇଥିବା ବେଳେ ତାଙ୍କ ମନ୍ତ୍ରୀ ପରିଷଦର ଅଧିକାଂଶ ମନ୍ତ୍ରୀ ତୃତୀୟ ପାଳି ସରକାରରେ ନିଜର ପୂର୍ବ ମନ୍ତ୍ରଣାଳୟ ବଜାୟ ରଖିଛନ୍ତି । କିନ୍ତୁ, ମୋଦୀଙ୍କୁ ୨୦୧୪ ଓ ୨୦୧୯ରେ ଯେଭଳି ନିରଂକୁଶ ଜନମତ ମିଳିଥିଲା ୨୦୨୪ରେ ସେଭଳି ନିରଂକୁଶ ଜନମତ ମିଳିନାହିଁ । କେନ୍ଦ୍ରରେ ସରକାର ଗଠନ ପାଇଁ ୨୭୨ ସାଂସଦଙ୍କ ସମର୍ଥନର ଆବଶ୍ୟକତା ଥିବା ବେଳେ ୨୦୨୪ରେ ବିଜେପିକୁ ୨୪୦ ସାଂସଦ ମିଳିଛନ୍ତି । କିନ୍ତୁ, ବିଜେପି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଂଟ (ଏନଡିଏ)କୁ ୨୯୩ ସାଂସଦ ମିଳିଥିବାରୁ ଏଥର କେନ୍ଦ୍ରରେ ମୋଦୀଙ୍କ ନେତୃତ୍ୱରେ ଏନଡିଏ ସରକାର ହୋଇଛି, ଯେଉଁଥିରେ କି ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ.ଚନ୍ଦ୍ରବାବୁ ନାଇଡୁଙ୍କ ତେଲୁଗୁ ଦେଶମ ପାର୍ଟି (୧୬ ସାଂସଦ) ଓ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଜନତା ଦଳ-ୟୁନାଇଟେଡ (୧୨ ସାଂସଦ) ପ୍ରମୁଖ ଅଂଶୀଦାର ରହିଛି । ଏହାଛଡା, ଏନଡିଏରେ ଥିବା ଅନ୍ୟ ଛୋଟ, ବଡ ଦଳ ସରକାରରେ ପ୍ରତ୍ୟକ୍ଷ ଭାବେ ସାମିଲ ରହିଛନ୍ତି । କିନ୍ତୁ, ଓଡ଼ିଶାରେ ପ୍ରଥମ ଥର ପାଇଁ ବିଜେପି ନିରଂକୁଶ କ୍ଷମତା ହାସଲ କରିଛି । ରାଜ୍ୟର ୧୪୭ ବିଧାନସଭା ଆସନରୁ ବିଜେପି ଏକାକୀ ୭୮ ଆସନରେ ଜିତିଥିବା ବେଳେ ୨୪ ବର୍ଷ ଦରି କ୍ଷମତାରେ ଥିବା ବିଜେଡ଼ିର ବିଧାୟକ ସଂଖ୍ୟା ୫୧କୁ ଖସି ଆସିଛି । କଂଗ୍ରେସ ବିଧାୟକ ସଂଖ୍ୟା ୦୯ (୨୦୧୯)ରୁ ୧୪ (୨୦୨୪)କୁ ବୃଦ୍ଧି ପାଇଛି । ୨୦୧୪ରେ ବିଧାନସଭାରେ ବିଜେଡ଼ିର ୧୧୭ ବିଧାୟକ ଥିଲେ । ୨୦୧୯ରେ ସେହି ସଂଖ୍ୟା ଥିଲା ୧୧୨ । ସେହିଭଳି, ଓଡ଼ିଶାରେ ଲୋକସଭା ନିର୍ବାଚନରେ ବିଜେପି ୨୧ରୁ ୨୦ ଆସନରେ ବିଜୟୀ ହୋଇ ରେକର୍ଡ କରିଥିବା ବେଳେ କଂଗ୍ରେସ ଗୋଟିଏ ଆସନ ଜିତିଛି । ବିଜେଡ଼ି ମୂଳପୋଛ ହୋଇଯାଇଛି । ଜାତୀୟସ୍ତରରେ ମତଦାତା ସମ୍ବିଧାନ ଓ ଗଣତନ୍ତ୍ରକୁ ସୁରକ୍ଷିତ ରଖିବା ସପକ୍ଷରେ ମତଦାନ କରିଥିବା ବେଳେ ଓଡ଼ିଶାରେ ‘ଓଡ଼ିଆ ଅସ୍ମିତା’ର ସୁରକ୍ଷା ନାମରେ ମତଦାନ କରିଛନ୍ତି । ପ୍ରଥମ ଥର ପାଇଁ ଓଡ଼ିଶାରେ କ୍ଷମତାକୁ ଆସିଥିବା ବିଜେପି ଆଦିବାସୀ ସଂପ୍ରଦାୟର ଜଣେ ଅଭିଜ୍ଞ ଯୁବନେତା ମୋହନ ଚରଣ ମାଝୀଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ବସାଇ ଥିବା ବେଳେ ଅନ୍ୟ ଦୁଇ ଜଣଙ୍କୁ ଉପ ମୁଖ୍ୟମନ୍ତ୍ରୀ ପଦରେ ବସାଇଛି । ଉପ ମୁଖ୍ୟମନ୍ତ୍ରୀ ପଦରେ ଅବସ୍ଥାପିତ ପାଟଣାଗଡ ବିଧାୟକ କନକ ବର୍ଦ୍ଧନ ସିଂହଦେଓ ଓ ନିମାପଡା ବିଧାୟିକା ପ୍ରଭାତୀ ପରିଡାଙ୍କ ମଧ୍ୟରୁ କନକ ବର୍ଦ୍ଧନ ହେଉଛନ୍ତି ପଶ୍ଚିମ ଓଡ଼ିଶାର ଗୋଟିଏ ରାଜ ପରିବାର ସଦସ୍ୟ । ମନ୍ତ୍ରୀ ଭାବେ ତାଙ୍କ ପୂର୍ବ ଅଭିଜ୍ଞତା ରହିଛି । ପ୍ରଭାତୀ ପରିଡା ଜଣେ ଅଭିଜ୍ଞ ନେତ୍ରୀ ହୋଇଥିଲେ ମଧ୍ୟ ପ୍ରଥମ ଥର ପାଇଁ ଏଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ରାଜ୍ୟ କ୍ୟାବିନେଟରେ ସ୍ଥାନ ପାଇଥିବା ସୁରେଶ ପୁଜାରୀ ମଧ୍ୟ ଜଣେ ଅଭିଜ୍ଞ ରାଜନେତା । ପଶ୍ଚିମ ଓଡ଼ିଶାକୁ ପ୍ରତିନିଧିତ୍ୱ କରୁଛନ୍ତି । ରାଜ୍ୟରେ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଥିବା ଅନ୍ୟ ସାତ ଜଣ ହେଉଛନ୍ତି – ବରିଷ୍ଠ ବିଧାୟକ ରବି ନାୟକ, ଡକ୍ଟର ମୁକେଶ ମହାଲିଂଗ, ନିତ୍ୟାନନ୍ଦ ଗଣ୍ଡ, କୃଷ୍ଣଚନ୍ଦ୍ର ପାତ୍ର, ପୃଥ୍ୱୀରାଜ ହରିଚନ୍ଦନ, ବିଭୂତି ଭୂଷଣ ଜେନା, କୃଷ୍ଣଚନ୍ଦ୍ର ମହାପାତ୍ର । ସେଭଳି, ଶପଥ ନେଇଥିବା ପାଂଚ ଜଣ ରାଷ୍ଟ୍ରମନ୍ତ୍ରୀ ହୋଇଛନ୍ତି – ବିଜେପିର ଯୁବ ବିଧାୟକ ସୁରଜ ସୂର୍ଯ୍ୟବଂଶୀ, ଗଣେଷରାମ ଖୁଂଟିଆ, ପ୍ରଦୀପ ବଳସାମନ୍ତ, ଗୋକୁଳାନନ୍ଦ ମିଲ୍ଲିକ ଓ ସଂପଦ ସ୍ୱାଇଁ । ଓଡ଼ିଶାବାସୀଙ୍କ ପାଇଁ ଅନେକ ନୂଆ ମୁହଁ ଓ ପ୍ରଥମ ଥରର ବିଧାୟକ ଏହି ମନ୍ତ୍ରୀ ପରିଷଦରେ ସ୍ଥାନ ପାଇଛନ୍ତି । ନୂଆ ମନ୍ତ୍ରୀ ପରିଷଦକୁ ନେଇ ରାଜ୍ୟବାସୀଙ୍କ ମଧ୍ୟରେ ଯେଭଳି ଉକ୍ରଂଠା ଲାଗି ରହିଛି ବିଜେଡ଼ି ଷଷ୍ଠ ଥର ପାଇଁ କ୍ଷମତାକୁ ଫେରିଥିଲେ ବୋଧହୁଏ ସେଭଳି ଉକ୍ରଂଠା ଦେଖିବାକୁ ମିଳି ନଥା’ନ୍ତା । ସେହି ପୁରୁଣା ମୁହଁ, ପୁରୁଣା ନେତାଙ୍କ ଘିସାପିଟା ଶାସନ ଆଉ ପାଂଚ ବର୍ଷ ଚାଲିଥା’ନ୍ତା । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସରକାର ରାଜ୍ୟରେ କିଭଳି ପରିବର୍ତ୍ତନ ଆଣୁଛନ୍ତି – ତାହା ଆଗାମୀ ଦିନରେ ଦେଖିବାକୁ ମିଳିବ । ତେବେ, ରାଜ୍ୟବାସୀ ଅନେକ ଆଶା ଓ ଭରସା ରଖିଛନ୍ତି । ରାଜ୍ୟର ୨୪ ବର୍ଷର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୨୪ ନିର୍ବାଚନରେ ପରାଜିତ ହୋଇ ମୁଖ୍ୟମନ୍ତ୍ରୀ ପଦରୁ ବିଦାୟ ନେବା କଥାକୁ ଏବେ ମଧ୍ୟ ଅନେକ ଗ୍ରହଣ କରିପାରୁ ନାହାନ୍ତି । ବିଜେଡ଼ି ପ୍ରତି ସେମାନଙ୍କ ଆକ୍ରେଶ ଥିଲେ ମଧ୍ୟ ନବୀନଙ୍କ ପ୍ରତି କୌଣସି ଆକ୍ରେଶ ନଥିବା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ଜନତାଙ୍କ ପ୍ରତିକ୍ରିୟାରୁ ସ୍ପଷ୍ଟ ହେଉଛି । ଗତକାଲି ରାଜ୍ୟ ମନ୍ତ୍ରୀ ପରିଷଦ ସଦସ୍ୟଙ୍କ ଶପଥ ଗ୍ରହଣ ସମାରୋହରେ ଉପସ୍ଥିତ ନବୀନଙ୍କ ପ୍ରତି ବିଜେପି ରାଷ୍ଟ୍ରୀୟ ଓ ରାଜ୍ୟସ୍ତରୀୟ ନେତାମାନେ ଯେଭଳି ଶ୍ରଦ୍ଧା ଓ ସମ୍ମାନ ପ୍ରଦର୍ଶନ କଲେ ତାହା ଜଣେ ରାଷ୍ଟ୍ରୀୟ ନେତା ଭାବେ ତାଙ୍କ ଲୋକପ୍ରିୟତାର ନିଦର୍ଶନ ହୋଇ ରହିବ । ସେ ହାରିଛନ୍ତି ସତ, କିନ୍ତୁ ଲୋକଙ୍କ ହୃଦରେ ଅଛନ୍ତି – ତାହା ନବୀନ ପରାଜୟ ପରେ ପ୍ରମାଣିତ କରିଛନ୍ତି । ଏବେ, ରାଜ୍ୟବାସୀ ନୂତନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଭିତରେ ବିଦାୟୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭାବମୂର୍ତ୍ତୀକୁ ଖୋଜିବେ । ତେଣୁ, ମୁଖ୍ୟମନ୍ତ୍ରୀ ମାଝୀ ଓ ତାଙ୍କ ସରକାର ସେଥିପାଇଁ ଅଧିକ ସଚେତନ ରହିବେ ବୋଲି ଆଶା କରିବା । ଭୋଟ ଫଳାଫଳ ଆସିବା ପରେ ଜଣେ ବନ୍ଧୁ ଜନମତକୁ ନେଇ ମୋ ପ୍ରତିକ୍ରିୟା କଣ ଜାଣିବାକୁ ଚାହିଁଥିଲେ । ମୋର ଉତ୍ତର ଥିଲା, ଜାତୀୟସ୍ତରରେ ଓ ରାଜ୍ୟରେ ଜନସାଧାରଣ ଭୋଟଦାନ ମାଧ୍ୟମରେ ଯେଉଁ ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି ତାହା ଅତ୍ୟନ୍ତ ଚମକପ୍ରଦ । ଜାତୀୟସ୍ତରରେ ଗଣତନ୍ତ୍ର ଓ ସମ୍ବିଧାନକୁ ସୁରକ୍ଷିତ ରଖିବା ସପକ୍ଷରେ ମତଦାନ ହୋଇଥିବା ବେଳେ ରାଜ୍ୟରେ ପରିବର୍ତ୍ତନ ସପକ୍ଷରେ । ସେମାନେ କେତେ ଦିନ ଆଉ ଘିସାପିଟା ବ୍ୟବସ୍ଥାକୁ ବରଦାସ୍ତ କରିଥା’ନ୍ତେ ?
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS