ଲୋକସଭା ବାଚସ୍ପତି ନିର୍ବାଚନ ମୁକାବିଲାତ୍ମକ ହେବ ?


ପ୍ରସାଦ ରାଓ
ନୂଆଦିଲ୍ଲୀ, ଜୁନ ୧୬
ସଦ୍ୟ ସମାପ୍ତ ୧୮ତମ ଲୋକସଭା ନିର୍ବାଚନ ପରେ ଦେଶର ରାଜନୀତି ଏକପ୍ରକାର ଶାନ୍ତ ହୋଇଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲଗାତର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବା ପରେ ନୂତନ ମନ୍ତ୍ରୀ ପରିଷଦ ଗଠନ କରି ସେମାନଙ୍କ ମଧ୍ୟରେ ବିଭାଗ ବଂଟନ କରି ସାରିଛନ୍ତି । ମନ୍ତ୍ରୀମାନେ ମଧ୍ୟ ନିଜ ନିଜ ବିଭାଗର ଦାୟିତ୍ୱ ସମ୍ଭାଳିଲେଣି । ନିର୍ବାଚନ ସମୟରେ ଶାସକ ଓ ବିରୋଧୀଙ୍କ ମଧ୍ୟରେ ଯେଭଳି କଟୁତା ଦେଖା ଦେଇଥିଲା ତାହା ପରିବର୍ତ୍ତିତ ପରିସ୍ଥିତିରେ ସାମାନ୍ୟ ହୋଇସାରିଥିଲେ ମଧ୍ୟ ଦେଶବାସୀ ଏହି ନିର୍ବାଚନରେ ଯେଉଁ ପ୍ରକାର ଜନାଦେଶ ଦେଇଛନ୍ତି ତାହା ଉଭୟଙ୍କୁ ସୁହାଇଲା ଭଳି ହୋଇଛି । ବିଜେପିକୁ ବହୁମତ ମିଳିଛି ସତ, କିନ୍ତୁ ଏକାକୀ ସରକାର ଗଠନ କରିବା ସକାଶେ ସଂଖ୍ୟା ମିଳି ନାହିଁ । ବିରୋଧୀ ମେଂଟକୁ ମଧ୍ୟ ଜନତା ସରକାର କରିବାକୁ ସୁଯୋଗ ଦେଇ ନାହାନ୍ତି । ବିଜେପି ଏନଡିଏ ମେଂଟକୁ ବହୁମତ ମିଳିଥିବାରୁ କେନ୍ଦ୍ରରେ ସରକାର କରିବାକୁ ସୁଯୋଗ ପାଇଛି । ବିରୋଧୀ ନିଜର ସ୍ଥିତି ସଂପର୍କରେ ଜ୍ଞାତ ଥିବାରୁ ବିରୋଧୀ ଭୂମିକାକୁ ବାଛି ନେଇଛନ୍ତି । ତେବେ, ଶାସକ ଓ ବିରୋଧୀ ମେଂଟ ଉଭୟେ ଏକପ୍ରକାର ସୁଦୃଢ ସ୍ଥିତିରେ ଥିବାରୁ ୧୮ତମ ଲୋକସଭାରେ ଦୁଇ ମେଂଟ ମଧ୍ୟରେ ମୁକାବିଲା ଜୋରଦାର ହେବା ନିଶ୍ଚିତ ।
ନିର୍ବାଚନ ପରେ ଆଉ ଏକ ଚିତ୍ର ସାମ୍ନାକୁ ଆସିଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଶାସକ ମେଂଟ (ଏନଡିଏ) ଲଗାତର ତୃତୀୟ ଥର ପାଇଁ କେନ୍ଦ୍ରରେ କ୍ଷମତାସୀନ ହୋଇଥିଲେ ମଧ୍ୟ ଲୋକସଭାରେ ୨୦୧୪ ଓ ୨୦୧୯ ଭଳି ବିଜେପିର ପ୍ରାଧାନ୍ୟ ଆଉ ନାହିଁ । ପୂର୍ବ ଦଶ ବର୍ଷ ମୋଦୀ ବିଜେପିର ଏକକ ସଂଖ୍ୟାଗରିଷ୍ଠତା ବଳରେ କେନ୍ଦ୍ରରେ ସରକାର କରିଥିଲେ । ଏନଡିଏର ଅନ୍ୟ ଅଂଶୀଦାରମାନେ କେବଳ ନାମକୁ ମାତ୍ର ସରକାରରେ ଭାଗିଦାର ଥିଲେ । ମୋଦୀ ଓ ଶାହା (କେନ୍ଦ୍ର ଗୃହ ମନ୍ତ୍ରୀ) ଯାହା ନିଷ୍ପତ୍ତି ନେଉଥିଲେ ସେଥିରେ ମୋହର ଲାଗୁଥିଲା ଏବଂ କେନ୍ଦ୍ରରେ ମୋଦୀ-ଶାହା ସରକାର ଚାଲିଛି ବୋଲି ଏକପ୍ରକାର ଧାରଣା ସୃଷ୍ଟି କରାଯାଇଥିଲା । ୨୦୨୪ ସାଧାରଣ ନିର୍ବାଚନ ପରେ କେନ୍ଦ୍ରରେ ସେହି ମୋଦୀ-ଶାହାଙ୍କ ରାଜତ୍ୱ ରହିଛି । ତେବେ, ଏହା ବିଜେପି ସରକାର ନହୋଇ ଏନଡିଏ ସରକାର ହୋଇଥିବାରୁ ଏନଡିଏ ଅଂଶୀଦାରଙ୍କ ଗୁରୁତ୍ୱ ବଢିଛି । ବିଜେପିର ସଂଖ୍ୟା ନଥିବାରୁ ଗୋଟିଏ ପଟେ ତେଲୁଗୁ ଦେଶମ ପାର୍ଟି ମୁଖ୍ୟ ଏନ.ଚନ୍ଦ୍ରବାବୁ ନାଇଡୁ ଓ ଅନ୍ୟପଟେ ଜେଡ଼ିୟୁ ମୁଖ୍ୟ ନୀତୀଶ କୁମାର ଆଶାବାଡୀ ସାଜି ଏହି ସରକାରକୁ କାନ୍ଧ ଦେଇଛନ୍ତି ।
ତେଣୁ, ନିରଂକୁଶ କ୍ଷମତା ଭୋଗ କରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଥର ସର୍ବସମ୍ମତିରେ ନିଷ୍ପତ୍ତି କଥା କହୁଛନ୍ତି । ମୋଦୀ ତାଙ୍କ ମନ୍ତ୍ରୀ ପରିଷଦରେ ବିଜେପିରୁ ୬୦ ଜଣଙ୍କୁ ସ୍ଥାନ ଦେଇଥିବା ବେଳେ ଏନଡିଏର ଅନ୍ୟ ଅଂଶୀଦାର ମାତ୍ର ୧୧ ମନ୍ତ୍ରୀ ପଦ ପାଇଛନ୍ତି । ତଥାପି, ସରକାରରେ ଯେ ସେମାନଙ୍କ ଗୁରୁତ୍ୱ ଅଧିକ ରହିଛି, ଏହା ସ୍ୱୀକାର୍ଯ୍ୟ । ବିଶେଷକରି, ସରକାରର ସାହାରା ହୋଇଥିବା ଚନ୍ଦ୍ରବାବୁ ନାଇଡୁ ଓ ନୀତୀଶ କୁମାର ନିର୍ଣ୍ଣାୟକ ଭୂମିକାରେ ରହିଛନ୍ତି । ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରଂଗ ବଦଳାଇବାରେ ଓସ୍ତାଦ । କେବଳ ବିହାର, ନୁହେଁ ସମଗ୍ର ଦେଶରେ ସେ ‘ପଲଟୁରାମ’ର ଖ୍ୟାତି ନେଇ ପରିଚିତ । ମୋଦୀ-୦୩ ସରକାରରେ ତାଙ୍କ ଦଳ ଜେଡିୟୁର ଗୁରୁତ୍ୱକୁ ଦେଖି ନୀତୀଶଙ୍କ ଭବିଷ୍ୟତ କାର୍ଯ୍ୟପନ୍ଥା ଉପରେ ସମସ୍ତଙ୍କ ନଜର ରହିବା ସ୍ୱାଭାବିକ । ଏହି ସରକାରର ଅନ୍ୟତମ ଆଶାବାଡି ତେଲୁଗୁ ଦେଶମ ପାର୍ଟ (ଟିଡିପି)ର ମୁଖ୍ୟ ତଥା ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ସ୍ୱପ୍ନବିଳାସୀ ହୋଇଥିବାରୁ ନିଜ ରାଜନୈତିକ ଆକାଂକ୍ଷାର ବାସ୍ତବ ରୂପାୟନ ପାଇଁ କେନ୍ଦ୍ରରେ ମୋଦୀ ସରକାରକୁ ସମର୍ଥନ ଦେଇଛନ୍ତି । ଆନ୍ଧ୍ର ପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମିଳିବା ନାଇଡୁଙ୍କ ଦୀର୍ଘ ବର୍ଷର ଦାବି ରହି ଆସିଛି । ଏହି ଦାବିକୁ ନେଇ ସେ ଏନଡିଏରେ ରହିଥିଲେ । ମୋଦୀ-୦୧ ସରକାରରେ ତାଙ୍କୁ ପ୍ରତିଶ୍ରୁତି ମିଳିଥିଲା ସିନା ବିଭିନ୍ନ ଆଳରେ ତାହା ରକ୍ଷା କରାନଯିବାରୁ ସେ ୨୦୧୮ରେ ଏନଡିଏ ଛାଡି ଥିଲେ । ଆଜି ମଧ୍ୟ ସେ ସେହି ଦାବିକୁ ଗୁରୁତ୍ୱ ଦେଉଛନ୍ତି ।
ନାଇଡୁ ଓ ନୀତୀଶଙ୍କ ସାହାରରେ କେନ୍ଦ୍ରରେ ସରାର କରିଥିବା ପ୍ରଧାନମନ୍ତ୍ରୀ ମୋଦୀ ସରକାରର ସ୍ଥାୟିତ୍ୱକୁ ନେଇ ଆଶଙ୍କାରେ ଥିଲେ ମଧ୍ୟ ଅନ୍ୟ ବିକଳ୍ପ ନଥିବାରୁ ଏହି ଦୁଇ ନେତାଙ୍କୁ ମାତ୍ରାଧିକ ସ୍ନେହ, ଶ୍ରଦ୍ଧା ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳୁଛି । ଅପରପକ୍ଷରେ, ଅଗାଧ ପରିଶ୍ରମ କରି ସୁଦ୍ଧା କ୍ଷମତା ହାସଲ କରିବାରେ ସଫଳ ହୋଇନଥିବା ବିରୋଧୀ ମେଂଟ (ଇଣ୍ଡିଆ) ନୀତୀଶ ଓ ନାଇଡୁଙ୍କ ଗତିବିଧି ଉପରେ ନଜର ରଖିଛି । କ୍ଷମତା ଦଖଲର ମେଜିକ ନମ୍ବର (୨୭୨)ଠାରୁ ବିରୋଧୀ ମେଂଟ ମାତ୍ର ୩୮ ଆସନ ପଛରେ ରହିଛି । ‘ଇଣ୍ଡି’ ମେଂଟ ୨୦୨୪ ନିର୍ବାଚନରେ ୨୩୪ ଆସନ ପାଇଥିବା ବେଳେ ଶାସକ ମେଂଟ ଏନଡିଏ ୨୯୩ ଆସନ ପାଇ ମେଜିକ ସଂଖ୍ୟାଠାରୁ ସାମାନ୍ୟ ଆଗରେ (ମାତ୍ର ୨୧ଟି ଅଧିକ ଆସନ) ରହିଛି । ଏନଡିଏକୁ ମିଳିଥିବା ସଂଖ୍ୟାରେ ନାଇଡୁଙ୍କ ୧୬ ଓ ନୀତୀଶଙ୍କ ୧୨ ଲୋକସଭା ଆସନ ଅନ୍ତର୍ଭୁକ୍ତ । ଏହି ଦୁଇ ନେତା କୌଣସି କାରଣବଶତଃ ଏନଡିଏ ଛାଡି ‘ଇଣ୍ଡି’ ମେଂଟକୁ ଗଲେ ମଧ୍ୟ ‘ଇଣ୍ଡି’ ମେଂଟ ସରକାର କରିବାକୁ ସକ୍ଷମ ନୁହେଁ । ତେବେ, ଦୁଇ ମେଂଟରେ ସଂଖ୍ୟାକୁ ନେଇ ଯେଉଁ ଅସ୍ଥିରତା ସୃଷ୍ଟି ହେବ – ତାହା ସହଜରେ ଅନୁମାନ କରି ହେବ ।
ତଥାପି, ଆସନ୍ତା ୨୪ ତାରିଖରେ ସଂସଦର ପ୍ରଥମ ଅଧିବେଶନ ଅନୁଷ୍ଠିତ ହୋଇ ଲୋକସଭା ବାଚସ୍ପତି ନିର୍ବାଚନ କାର୍ଯ୍ୟକ୍ରମ ଥିବାରୁ ଦୁଇ ମେଂଟ ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିବା ସୂଚନା ମିଳୁଛି । ‘ଇଣ୍ଡି’ ମେଂଟ ଲୋକସଭା ଉପ ବାଚସ୍ପତି ପଦ ଦାବି କରିବ । ଏନଡିଏ ତାହା ଦେବାକୁ ରାଜି ନହେଲେ ବାଚସ୍ପତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବ ବୋଲି ରଣନୀତି ପ୍ରସ୍ତୁତ କରିଥିବା ସୂଚନା ମିଳୁଥିବା ବେଳେ ଲୋକସଭା ବାଚସ୍ପତି ପଦ ଉପରେ ଏନଡିଏ ସରକାରଙ୍କ ସାହାରା ସାଜିଥିବା ଟିଡିପି ଓ ଜେଡୁୟୁର ଆଖି ମଧ୍ୟ ରହିଛି । ଚନ୍ଦ୍ରବାବୁ ଓ ନୀତୀଶ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିକଟରେ ଏହି ଦାବି ଉପସ୍ଥାପନ କରି ସାରିଛନ୍ତି । ତେବେ, ଲୋକସଭା ବାଚସ୍ପତି ସର୍ବଦା କେନ୍ଦ୍ର ସରକାରଙ୍କ ଭାଗ୍ୟ ନିଅନ୍ତା ରହି ଆସିଥିବାରୁ ବିଜେପି ବାଚସ୍ପତି ପଦ ନିଜ ହାତରେ ରଖିବାକୁ ବଦ୍ଧ ପରିକର । ବିଜେପି ନେତ୍ରୀ ଡି.ପୁରୁନ୍ଦେଶ୍ୱରୀଙ୍କୁ ଲୋକସଭା ବାଚସ୍ପତି କରି ବିଜେପି ନେତୃତ୍ୱ ଟିଡିପି ନେତା ଚନ୍ଦ୍ରବାବୁଙ୍କୁ ସନ୍ତୁଷ୍ଟ କରିବା ଯୋଜନାରେ ଥିଲେ ମଧ୍ୟ ଗତ ଦୁଇ ଲୋକସଭାରେ ମୋଦୀ ସରକାରଙ୍କ ସାହାରା ହୋଇଥିବା ପୂର୍ବତନ ବାଚସ୍ପତି ଓମ୍ ବିରଳାଙ୍କ କଥା ମଧ୍ୟ ବିଚାରାଧୀନ ଥିବା ସୂଚନା ମିଳୁଛି ।
ତେଣୁ, ଲୋକସଭା ବାଚସ୍ପତି ଓ ଉପ ବାଚସ୍ପତି ପଦକୁ ନେଇ ଶାସକ ଓ ବିରୋଧୀ ମେଂଟ ମଧ୍ୟରେ ପ୍ରଥମ ମୁକାବିଲା ୨୪ ତାରିଖରୁ ଆରମ୍ଭ ହେଉଥିବା ସଂସଦ ଅଧିବେଶନରେ ଦେଖିବାକୁ ମିଳିବ । ବିରୋଧୀ ‘ଇଣ୍ଡି’ ମେଂଟ ସଶକ୍ତ ଓ ସଂଗଠିତ ଥିବା ଏହି ଅଧିବେଶନରେ ପ୍ରଦର୍ଶନ କରିବାକୁ ଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ତାଙ୍କ ସହମତି ରାଜନୀତିର ଗୋଟଚାଳନା କରି ନିଜ ଇଚ୍ଛା ମୁତାବକ ନେତାଙ୍କୁ ଲୋକସଭା ବାଚସ୍ପତି ପଦରେ ଆସୀନ କରିବାକୁ ସମସ୍ତ ଉଦ୍ୟମ କରିବେ । ବିରୋଧୀ ମେଂଟ ଲଢେଇ ପାଇଁ ପ୍ରସ୍ତୁତ ଥିବା କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାଗେ ଗତକାଲି ଏକ ବୟାନ ଦେଇ ସ୍ପଷ୍ଟ ରିଛନ୍ତି । ‘କେନ୍ଦ୍ରରେ ଭୁଲରେ ଏହି ସରକାର ହୋଇଯାଇଛି, ତେବେ ଅଧିକ ଦିନ ତିଷ୍ଟିବ ନାହିଁ ବୋଲି ଖାର୍ଗେ ଏକ ଜାତୀୟ ସମ୍ବାଦ ସରବରାହ ସଂସ୍ଥାରେ ବୟାନ ରଖିଛନ୍ତି । ଉଚିତ ସମୟ ଆସିଲେ ‘ଇଣ୍ଡି’ ମେଂଟ ଉଚିତ ପଦକ୍ଷେପ ନେବ ବୋଲି ମଧ୍ୟ ସେ କହିଛନ୍ତି । ଖାର୍ଗେ ଏଭଳି ବୟାନ ଦେବାର କାରଣ ମଧ୍ୟ ରହିଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବିଜେପି ତୃତୀୟ ଥର ପାଇଁ କେନ୍ଦ୍ରରେ କ୍ଷମତାସୀନ ହୋଇଥିଲେ ମଧ୍ୟ ଲୋକସଭାରେ ବିଜେପିର ସଂଖ୍ୟା କମ୍ ଥିବାରୁ ଏନଡିଏ ଅଂଶୀଦାରଙ୍କ ଉପରେ ନିର୍ଭରଶୀଳ । ଏନଡିଏରେ ଏଭଳି କିଛି ଅଂଶୀଦାର ଅଛନ୍ତି ଯେଉଁମାନେ କି ଗତ ଲୋକସଭା ନିର୍ବାଚନରେ ନିଜ ନିଜ ରାଜ୍ୟରେ ଖରାପ ପ୍ରଦର୍ଶନ କରିଛନ୍ତି । ଏହି ଖରାପ ପ୍ରଦର୍ଶନ ପାଇଁ ସେମାନେ ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦାୟି କରିବାକୁ ପଛାଉ ନାହାନ୍ତି । ନିର୍ବାଚନ ସମୟରେ ମୋଦୀଙ୍କ ‘୪୦୦ ପାର୍’ ସ୍ଲୋଗାନ ଯୋଗୁଁ ଜନତାରେ ଏକ ଭୁଲ ଧାରଣା ସୃଷ୍ଟି ହୋଇଥିଲା । ବିରୋଧୀ ମେଂଟ ତାହାର ଫାଇଦା ସରକାରଙ୍କ ମତିଗତି ବିରୋଧରେ ଭୁଲ ପ୍ରଚାର କରିବାରୁ ଜନମତ ଏନଡିଏ ବିରୋଧରେ ଯାଇଥିଲା ବୋଲି ସେମାନେ ଅଭିଯୋଗ କରୁଛନ୍ତି । ନିର୍ବାଚନ ଫଳାଫଳ ଆସିବା ପରେ ଶିବସେନା ସିନ୍ଧେ ଗୋଷ୍ଠୀର ମୁଖ୍ୟ ତଥା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ରଖିଥିବା ବୟାନକୁ ଏଠାରେ ଉଦାହରଣ ଭାବେ ନିଆଯାଇପାରେ ।
ସିନ୍ଧେଙ୍କ ଅଭିଯୋଗ ହେଉଛି, ନିର୍ବାଚନ ସଭାମାନଙ୍କରେ ପ୍ରଧାନମନ୍ତ୍ରୀ ମୋଦୀ ବାରମ୍ବାର ‘ଇସ୍ ବାର୍ ୪୦୦ ପାର୍’ ବୋଲି ସ୍ଲୋଗାନ ଦେବା ଶାସକ ମେଂଟ ପାଇଁ ବୁମେରାଂ ହୋଇଥିଲା । ବିରୋଧୀ ‘ଇଣ୍ଡି’ ମେଂଟର ନେତାମାନେ ଏହାର ସୁଯୋଗ ନେଇ ବିଜେପି ଓ ଏନଡିଏକୁ ଯଦି ଏତେବେଡ ସଂଖ୍ୟା ମିଳେ ତେବେ ଦେଶରେ ସମ୍ବିଧାନକୁ ବଦଳାଇ ଦିଆଯାଇ ଆଉ ନିର୍ବାଚନ କରାଯିବ ନାହିଁ, ବିଭିନ୍ନ ବର୍ଗକୁ ମିଳୁଥିବା ଆରକ୍ଷଣ ସୁବିଧା ମଧ୍ୟ ହଟାଇ ନିଆଯିବ ବୋଲି ପାଲଟା ପ୍ରଚାର କରିଥିଲେ । ଫଳରେ, ସଂଖ୍ୟାଲଘୁ ଜାତି, ଜନଜାତି, ଦଳିତ ଓ ପଛୁଆ ବର୍ଗ ଭୟଭିତ ହୋଇ ବିଜେପି ଓ ଏନଡିଏ ବିରୋଧରେ ଭୋଟ ଦେଲେ । ମହାରାଷ୍ଟ୍ରରେ ଏନଡିଏର ଖରାପ ପ୍ରଦର୍ଶନ ପାଇଁ ସିନ୍ଧେ ମୋଦୀଙ୍କ ସ୍ଳୋଗାନକୁ ଦାୟି କରିଥିବା ବେଳେ ଏନଡିଏ ଅନ୍ୟତମ ଅଂଶୀଦାର ଏନସିପି ଅଜିତ ପାୱାର ଗୋଷ୍ଠୀ ମଧ୍ୟ ବିଜେପିକୁ ଆଂଗୁଠି ଦେଖାଇଛନ୍ତି । ଅଜିତ ପାୱାର ଗୋଷ୍ଠୀକୁ ଏନଡିଏରେ ସାମିଲ କରିବା ମେଂଟ ପାଇଁ କ୍ଷତିକାରକ ହେଲା ବୋଲି କିଛି ବିଜେପି ନେତା ଅଭିଯୋଗ କରିଥିବା ବେଳେ ମହାରାଷ୍ଟ୍ରର ୪୮ ଲୋକସଭା ଆସନରୁ ମାତ୍ର ଦୁଇଟି ଆସନ ଏନସିପି (ଅଜିତ ଗୋଷ୍ଠୀ)କୁ ମିଳିଥିଲା । ସେଥିରୁ ଗୋଟିକରେ ସେମାନେ ଜିତିଛନ୍ତି ଓ ଗୋଟିଏ ହାରିଛନ୍ତି । ଏନସିପି (ଅଜିତ ପାୱାର) ପାଇଁ ରାଜ୍ୟରେ ନିର୍ବାଚନ ବିପର୍ଯ୍ୟୟ ଘଟିଲା ବୋଲି ଆକ୍ଷେପ କରାଯିବା ଅଯଥାର୍ଥ ବୋଲି ଏହି ଗୋଷ୍ଠିର ନେତା ତଥା ମନ୍ତ୍ରୀ ଛଗନ ଭୁଜବଳ ମତ ରଖିଛନ୍ତି ।
ଏନଡିଏ ଅଂଶୀଦାରମାନେ କେବଳ ନୁହନ୍ତି, ବିଜେପିର ମୂଳ ଭିତ୍ତିଭୂମି କୁହାଯାଉଥିବା ଆରଏସଏସ (ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ) ଆଡୁ ମଧ୍ୟ ବିଜେପି ନେତୃତ୍ୱ ସମାଲୋଚନାର ଶରବ୍ୟ ହୋଇଛନ୍ତି । ୨୦୨୪ ନିର୍ବାଚନରେ ବିଜେପିର ବିପର୍ଯ୍ୟୟ ପାଇଁ ଆରଏସଏସ୍ (ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ) ମୁଖ୍ୟ ମୋହନ ଭାଗବତ ପ୍ରଥମେ ବିଜେପି ନେତୃତ୍ୱକୁ ପରୋକ୍ଷ ସମାଲୋଚନା କରିଥିଲେ । ‘ଯେଉଁମାନେ ପ୍ରକୃତ ସେବକ ଅହଂକାର ହୋଇ ନଥାନ୍ତି’ ବୋଲି ମୋହନ ଭାଗବତଙ୍କ ଆକ୍ଷେପ ଦେଶବ୍ୟାପୀ ଚର୍ଚ୍ଚାର ବିଷୟ ରହିଥିବା ବେଳେ ଆରଏସଏସର ବରିଷ୍ଠ ନେତା ଇନ୍ଦ୍ରେଶ କୁମାର ରାଜସ୍ଥାନରେ ଏକ ସଭାରେ ଆଉ ଏକ ମନ୍ତବ୍ୟ ଦେଇ ବିଜେପିକୁ କାଠଗଡାରେ ଠିଆ କରିଥିଲେ । ଜୟପୁର କାନୋଟ ନିକଟରେ ଆୟୋଜିତ ‘ରାମରଥ ଅଯୋଧ୍ୟା ଯାତ୍ରା ଦର୍ଶନ ପୂଜନ ସମାରୋହ’ରେ ଇନ୍ଦ୍ରେଶ କୁମର କହିଥିଲେ, ‘ଯେଉଁମାନେ ଶ୍ରୀରାମଙ୍କ ଭକ୍ତ ଥାଇ ସୁଦ୍ଧା ଅହଂକାରରେ ବୁଡି ରହିଲେ ସେମାନଙ୍କୁ ପ୍ରଭୁ ଶ୍ରୀରାମ ୨୪୦ ଆସନରେ ସୀମିତ ରଖିଥିବା ବେଳେ ହିନ୍ଦୁ ଦେବାଦେବୀଙ୍କୁ ବିରୋଧ କରୁଥିବା ଲୋକଙ୍କୁ ୨୩୪ ଆସନରେ ରୋକି ଦେଇଛନ୍ତି ।’ ଇନ୍ଦ୍ରେଶ କୁମାର ବ୍ୟବହାର କରିଥିବା ‘ଅହଂକାରୀ’ ଶବ୍ଦ କାହା ନିମନ୍ତେ ଉଦ୍ଦିଷ୍ଟ – ଦେଶବାସୀଙ୍କ ନିକଟରେ ଅଛପା ନାହିଁ । ପ୍ରଭୁ ଶ୍ରୀରାମଙ୍କ ଦରବାରରେ ଗଣତନ୍ତ୍ରର ସ୍ଥାନ ରହିଛି । ଯାହା ଫଳାଫଳ ଆସିଛି ତାହାପ୍ରଭୁ ଶ୍ରୀରାମଙ୍କ ନ୍ୟାୟ ବୋଲି ଇନ୍ଦ୍ରେଶ କୁମାର ଫଇଜାବାଦ ଲୋକସଭା ଆସନରୁ ପରାଜିତ ବିଜେପି ପ୍ରାର୍ଥୀ ଲାଲୁୁ ସିଂହଙ୍କ ଉଦ୍ଦେଶ୍ୟରେ କହିଥିଲେ ।
ଏଠାରେ ସୂଚନାଯୋଗ୍ୟ, ଗତ ଜାନୁୟାରୀ ୨୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଉଦ୍ଘାଟିତ ଅଯୋଧ୍ୟା ଭବ୍ୟ ରାମ ମନ୍ଦିର ଫଇଜାବାଦ ଲୋକସଭା ନିର୍ବାଚନ ମଣ୍ଡଳୀରେ ରହିଛି । ରାମ ମନ୍ଦିର ଉଦ୍ଘାଟନ ଓ ମନ୍ଦିରର ଗର୍ଭଗୃହରେ ରାମଲାଲାଙ୍କ ନୂତନ ବିଗ୍ରହରେ ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ମୋଦୀ ସରକାର ବିଶେଷ ଗୁରୁତ୍ୱ ଦେଇଥିଲେ ଏବଂ ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ୟୁପିରେ ଶ୍ରେଷ୍ଠ ପ୍ରଦର୍ଶନ କରିବ ବୋଲି ଆଶା ରଖିଥିଲେ । ତେବେ, ଫଇଜାବାଦ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ଲାଲୁ ସିଂହଙ୍କ ପରାଜୟ ବିଜେପିକୁ ଅପମାନଜନକ ସ୍ଥିତିରେ ପକାଇଛି । ଲାଲୁ ସିଂହଙ୍କୁ ସମାଜବାଦୀ ପାର୍ଟି ପ୍ରାର୍ଥୀ ଅୱଧେଶ ପ୍ରସାଦ ପରାଜିତ କରିଛନ୍ତି । ଲାଲୁ ସିଂହ ଆସନ୍ତା ପାଂଚ ବର୍ଷ ପାଇଁ ଆରାମ କରିବାକୁ ପ୍ରଭୁ ଶ୍ରୀରାମ ଆଦେଶ ଦେଇଛନ୍ତି ବୋଲି ଆରଏସଏସ ନେତା ଇନ୍ଦ୍ରେଶ କୁମାର ଟିପ୍ପଣୀ ଦେବା ପରେ ବିଜେପି ନିରବ ଥିଲେ ମଧ୍ୟ ଏନଡିଏ ଅଂଶୀଦାର ହିନ୍ଦୁସ୍ତାନ ଆୱାମୀ ମୋର୍ଚ୍ଚା (ହାମ୍) ସଭାପତି ତଥା କେନ୍ଦ୍ରମନ୍ତ୍ରୀ ଜୀତନ ରାମ ମାଂଝୀ କଡା ପ୍ରତିକ୍ରିୟା ରଖିଥିଲେ । ଆରଏସଏସ ନେତାମାନେ ଯାହା କୁହନ୍ତୁ ନା କାହିଁକି ପ୍ରଭୁ ଶ୍ରୀରାମ ସରକାର କରିବାକୁ ଏନଡିଏକୁ ସଂଖ୍ୟାଗରିଷ୍ଠତା ଦେଇଛନ୍ତି ଏବଂ ଆମେ କାମ କରୁଛୁ ବୋଲି ମାଂଝୀ କହିଛନ୍ତି । ଅଯୋଧ୍ୟା ରାମ ଜନ୍ମଭୂମି ଟ୍ରଷ୍ଟର ମୁଖ୍ୟ ପୁଝାରୀ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ ମଧ୍ୟ ଅଭିଯୋଗ କରିଛନ୍ତି, ଫଇଜାବାଦରେ ମୁସଲାମାନ ଭୋଟ ବିଜେପିକୁ ମିଳି ନାହିଁ । ଇନ୍ଦ୍ରେଶ କୁମାର ହିନ୍ଦୁ ଓ ମୁସଲମାନ ଭୋଟରଙ୍କୁ ଏକାଠି କରିବା ଦାୟିତ୍ୱ ନେଇଥିଲେ ମଧ୍ୟ ବିଫଳ ହୋଇଥିବାରୁ ଏବେ ବିଜେପିକୁ ନିନ୍ଦା କରୁଛନ୍ତି ।
ଇନ୍ଦ୍ରେଶ ବିଜେପି ନିର୍ବାଚନ ପ୍ରଚାରରେ ସକ୍ରିୟ ସହଯୋଗ କରିନଥିଲେ ବୋଲି ଆଚାର୍ଯ୍ୟ ଅଭିଯୋଗ କରିବା ପରେ ପରିସ୍ଥିତି ସଂଗୀନ ହେବାରୁ ଗତକାଲି ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କ ସହ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଆଲୋଚନା ହୋଇଥିବା ସୂଚନା ମିଳିଛି । ଏହି ଆଲୋଚନା ପରେ ଆରଏସଏସର ସ୍ୱର ସାମାନ୍ୟ ବଦଳିଛି । ନିର୍ବାଚନ ସମୟରେ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଦଳ ସୁଦୃଢ ହୋଇସାରି ଥିବାରୁ ଆଉ ଆରଏସଏସର ସହାୟତା ଲୋଡା ନାହିଁ କହି ଆରଏସଏସକୁ ଗୌଣ କରିଦେଇଥିଲେ । ଏବେ, ଆରଏସଏସ ନେତାମାନେ ବିଜେପି ନେତୃତ୍ୱକୁ ‘ଅହଂକାରୀ’ କହି ପାଳଟା ଆକ୍ରମଣ କରିବା ସହ ବିଜେପିର ବିପର୍ଯ୍ୟୟ ପାଇଁ ଦାୟି କରିଛନ୍ତି । ଏଭଳି ପରିସ୍ଥିତିରେ କେନ୍ଦ୍ରରେ ମୋଦୀଙ୍କ ତୃତୀୟ ପାଳି ସରକାର କାର୍ଯ୍ୟ ଆରମ୍ଭ କରିଛି । ସରକାରଙ୍କ ପାଇଁ ତୁରନ୍ତ କୌଣସି ସଂକଟ ନଥିଲେ ମଧ୍ୟ ସ୍ଥାୟିତ୍ୱକୁ ନେଇ ପ୍ରଶ୍ନ ଉଠୁଛି । ବିରୋଧୀ ମେଂଟ ସୁଦୃଢ ଥିବାରୁ ମୁକାବିଲା ପାଇଁ ପ୍ରସ୍ତୁତ ହେବା ସ୍ୱାଭାବିକ । କଂଗ୍ରେସ ସଭାପତି ଖାର୍ଗେ ମୋଦୀ ସରକାରରେ ଅସ୍ଥିରତା ସୃଷ୍ଟି ପାଇଁ ଉଦ୍ୟମ କରୁଛନ୍ତି ବୋଲି ଶାସକ ମେଂଟର କିଛି ନେତା ଏବେ ଅଭିଯୋଗ କଲେଣି । ତେବେ, ଗଲା ଦଶ ବର୍ଷର ଘଟଣାବଳୀକୁ ସେମାନେ ଥରେ ପଛେଇ ଦେଖବା ଉଚିତ ବୋଲି କିଛି ନିରପେକ୍ଷ ରାଜନୈତିକ ବିଶ୍ଲେଷକ ମତ ରଖିଛନ୍ତି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS