ରେଳମନ୍ତ୍ରୀଙ୍କ ଦୁର୍ଯୋଗ !


ପ୍ରସାଦ ରାଓ
ନୂଆଦିଲ୍ଲୀ, ଜୁନ ୧୭
ପଶ୍ଚିମ ବଂଗର ଦାର୍ଜିଲିଂ ଜିଲ୍ଲା ନ୍ୟୁ ଜଳପାଇଗୁଡି ନିକଟ ରଂଗପାନି ଷ୍ଟେସନ ନିକଟରେ ଆଜି ସକାଳେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟି ଅନ୍ୟୁନ ୦୯ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ପାଖାପାଖି ୫୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ଆସାମର ସିଲଚରରୁ କୋଲକାତାର ସିଆଲଦା ଅଭିମୁଖେ ଯାଉଥିବା କାଂଚନଜଂଗା ଏକ୍ସପ୍ରେସକୁ ପଚରୁ ଗୋଟିଏ ମାଲଗାଡି ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ମାଲଗାଡିର ଲୋକୋ-ପାଇଲଟ, ଜଣେ ଆରଏମଏସ କର୍ମଚାର ଓ କାଂଚନଜଂଗା ଏକ୍ସପ୍ରେସର ଗାର୍ଡ ପ୍ରାଣ ହରାଇଛନ୍ତି । କାଂଚନଜଂଗା ଏକ୍ସପ୍ରେସର ସହକାରୀ ଲୋକୋ-ପାଇଲଟ ଗୁରୁତର ଆହତ ହୋଇଛନ୍ତି । ମାଲଗାଡିର ଲୋକୋ-ପାଇଲଟ ସିଗ୍ନାଲକୁ ଅବଜ୍ଞା କରିି କାଂଚନଜଂଗା ଏକ୍ସପ୍ରେସ ଯାଉଥିବା ରେଳ ଧାରଣାରେ ଆଗକୁ ମାଡି ଯାଇଥିଲା ଏବଂ କାଂଚନଜଂଗା ଏକ୍ସପ୍ରେସକୁ ପଛ ଆଡୁ ଧକ୍କା ଦେଇଥିଲା । ଫଳରେ, କାଂଚନଜଂଗା ଏକ୍ସପ୍ରେସର ତିନିଟି ବଗି ଲାଇନଚ୍ୟୁତ ହେବା ସହ ଅନ୍ୟ କେତେକ ବଗି କ୍ଷତିଗ୍ରସ୍ତ ହୋଇଛି । କେନ୍ଦ୍ର ସରକାରଙ୍କ ରେଳ ମନ୍ତ୍ରଣାଳୟ ଅଧିନସ୍ଥ ରେଳବାଇ ବୋର୍ଡ ଏହି ଦୁର୍ଘଟଣାର ତଦନ୍ତ କରି ପ୍ରାଥମିକ ରିପୋର୍ଟରେ ମାଲଗାଡିର ଲୋକୋ- ପାଇଲଟଙ୍କୁ ଦାୟି କରିଛନ୍ତି । ଦୁର୍ଘଟଣା ପରେ ସେହି ରେଳ ରାସ୍ତାରେ ଟ୍ରେନ ଚଳାଚଳ ବ୍ୟାହତ ହୋଇଥିଲା । ଅନ୍ୟୁନ ୧୦ଟି ଟ୍ରେନକୁ ଅନ୍ୟ ରାସ୍ତା ଦେଇ ଗନ୍ତବ୍ୟସ୍ଥଳକୁ ପଠା ଯାଇଥିଲା । ପଶ୍ଚିମ ବଂଗର ଦାର୍ଜିଲିଂ ହେଉଛି ଏକ ଜନପ୍ରିୟ ଶୈଳ ନିବାସ । ଦାର୍ଜିଲିଂ ଭ୍ରମଣରେ ଯାଉଥିବା ପର୍ଯ୍ୟଟକମାନେ ସାଧାରଣତଃ କାଂଚନଜଂଗା ଏକ୍ସପ୍ରେସକୁ ନିର୍ଭର କରିଥା’ନ୍ତି । ଦାର୍ଜିଲିଂ ଯାଉଥିବା ଏହି ରାସ୍ତା ‘ଚିକେନ୍ସ କରିଡର’ ନାମରେ ପରିଚିତ ଏକ ସଂକୀର୍ଣ୍ଣ ରୋଳ ରାସ୍ତାକୁ ଅତିକ୍ରମ କରିଥାଏ, ଯାହାକି ଉତ୍ତର-ପୂର୍ବାଂଚଳ ସହ ଦେଶର ଅନ୍ୟ ଅଂଚଳକୁ ଯୋଡୁଛି । ଏହି ରେଳ ରୁଟ୍ ରେ ଅଟୋମେଟିକ ସିଗନାଲ ସେକ୍ସନ ରହିଛି । ଏହା ଏକ ବ୍ୟସ୍ତବହୁଳ ରେଳରୁଟ୍ ହୋଇଥିବାରୁ ଏକାଧିକ ଟ୍ରେନ ଚଳାଚଳ ନିମନ୍ତେ ଟ୍ରାକ୍ ବ୍ୟବସ୍ଥା ମଧ୍ୟ ରହିଛି । ଆଜି ପଶ୍ଚିମ ବଂଗ ନ୍ୟୁ ଜଳପାଇଗୁଡି ନିକଟରେ ଘଟିଥିବା ରେଳ ଦୁର୍ଘଟଣା ୨୦୨୩ ଜୁନ ୦୨ ତାରିଖରେ ଓଡ଼ିଶାର ବାଲେଶ୍ୱର ଜିଲା ବାହାନଗା ଷ୍ଟେସନ ନିକଟରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣା ଭଳି ବଡ ଧରଣର ଓ ଭୟଂକର ହୋଇନଥିଲେ ମଧ୍ୟ ବାହାନଗା ବଜାର ଦୁର୍ଘଟଣାକୁ ମନେ ପକାଇ ଦେବାକୁ ଯଥେଷ୍ଟ । ୨୦୨୩ ଜୁନରେ ଘଟିଥିବା ବାହାନଗା ବଜାର ରେଳ ଦୁର୍ଘଟଣାରେ ୨୯୬ ଯାତ୍ରୀଙ୍କ ମୃତ୍ୟୁ ଘଟିବା ସହ ୧୨୦୦ ଯାତ୍ରୀ ଆହତ ହୋଇଥିଲେ । ସିଗ୍ନାଲ ତୃଟି କାରଣରୁ ଏହି ଭୟଙ୍କର ରେଳ ଦୁର୍ଘଟଣା ଘଟିଥିବା ତଦନ୍ତରୁ ଜଣାପଡିଥିଲା । ହାୱଡାରୁ ମାଡ୍ରାସ ଅଭିମୁଖେ ଯାଉଥିବା ସୁପରଫାଷ୍ଟ କରମଣ୍ଡଳ ଏକ୍ସପ୍ରେସ୍ ବାହାନଗା ବଜାର ନିକଟରେ ତୃଟିପୂର୍ଣ୍ଣ ଅଟୋମେଟିକ ସିଗ୍ନାଲିଂ କାରଣରୁ ଦୃତ ଗତିରେ ଲୁପ୍ ଲାଇନରେ ପୂର୍ବରୁ ସ୍ଥିର ଅବସ୍ଥାରେ ରହିଥିବା ଏକ ମାଲ ଗାଡି ଉପରେ ଚଢି ଯାଇଥିଲା । ଦୁର୍ଘଟଣା ଏତେଦୂର ଭୟଂକର ଥିଲା ଯେ କରମଣ୍ଡଳ ଏକ୍ସପ୍ରେସର ୨୧ଟି ବଗି ଲାଇନଚ୍ୟୁତ ହୋଇ ସେଥିରୁ କେତୋଟି ବଗି ବିପରିତ ଦିଗରୁ ଆସୁଥିବା ଦୃତଗାମୀ ବେଂଗାଲୁୁର-ହାୱଡା ସୁପରଫାଷ୍ଟ ଏକ୍ସପ୍ରେସର ଶେଷ କେତୋଟି ବଗି ଉପରକୁ ଛିଟିକି ପଡି ଦୁର୍ଘଟଣାକୁ ଅଧିକ ଭୟାବହ କରିଥିଲା । ଏଭଳି ଦୁର୍ଘଟଣା ରେଳବାଇ ଇତିହାସରେ ବିରଳ ବୋଲି ସେତେବେଳେ ଚର୍ଚ୍ଚା ହୋଇଥିଲା । ରେଳବାଇର ଅଟୋମେଟିକ ସିଗ୍ନାଲିଂ ବ୍ୟବସ୍ଥା ପରିଚାଳନାରେ ମାନବୀୟ ତୃଟି କାରଣରୁ ବାହାନଗା ବଜାର ଭଳି ଭୟଂକର ରେଳ ଦୁର୍ଘଟଣା ଘଟିଲା, ଯହାକି ପ୍ରାଥମିକ ତଦନ୍ତ ପରେ ରେଳବାଇ ବୋର୍ଡ ସ୍ୱୀକାର କରିଥିଲେ । ଜୁନ ୦୨ ତାରିଖ ବିଳମ୍ବିତ ସନ୍ଧ୍ୟାରେ ଏହି ଦୁର୍ଘଟଣା ଘଟିଥିବା ବେଳେ ପାଂଚ ଦିନ ପରେ ଅର୍ଥାତ ଜୁନ ୦୭ ତାରିଖରେ ରେଳମନ୍ତ୍ରୀ ଥିବା ଅଶ୍ୱିନୀ ବୈଷ୍ଣବ ମାମଲାର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରିଥିଲେ । ସିବିଆଇ ଅଧିକାରୀମାନେ ଏହି ଦୁର୍ଘଟଣାର ତଦନ୍ତ କରି ସିଗ୍ନାଲିଂ ଦାୟିତ୍ୱରେ ଥିବା ତିନି ଜଣ ବୈଷୟିକ ଅଧିକାରୀଙ୍କୁ ଗିରଫ କରିବା ସହ ବାହାନଗା ରେଳ ଷ୍ଟେସନର ଷ୍ଟେସନ ମାଷ୍ଟରଙ୍କ ସମେତ ଅନ୍ୟ କିଛି ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ଗିରଫ ଅଧିକାରୀଙ୍କ ମାମଲା କୋର୍ଟର ବିଚାରାଧୀନ ରହିଛି । ବାହାନଗା ରେଳ ଦୁର୍ଘଟଣା ପରେ ଦେଶରେ ଛୋଟ ବଡ ରେଳ ଦୁର୍ଘଟଣା ଘଟିଛି ସତ, କିନ୍ତୁ ବାହାନଗା ବଜାର ଭଳି ବଡ ଧରଣର ରେଳ ଦୁର୍ଘଟଣା ଘଟି ନାହିଁ । ବାହାନଗା ରେଳ ଦୁର୍ଘଟଣା ଓ ଆଜିର ରେଳ ଦୁର୍ଘଟଣା ମଧ୍ୟରେ ଏକମାତ୍ର ସମଂଜସ୍ୟ ହେଉଛି – ୨୦୨୩ ଜୁନ ୦୨ ତାରିଖ ବାହାନଗା ବଜାର ରେଳ ଦୁର୍ଘଟଣା ସମୟରେ ଅଶ୍ୱିନୀ ବୈଷ୍ଣବ କେନ୍ଦ୍ରରେ ରେଳମନ୍ତ୍ରୀ ଥିଲେ । ଆଜି କାଂଚନଜଂଗା ଏକ୍ସପ୍ରେସ ଦୁର୍ଘଟଣା ସମୟରେ ମଧ୍ୟ ସେ ସଦ୍ୟ (ମୋଦୀ-୦୩ ସରକାରରେ) ରେଳ ମନ୍ତ୍ରୀ ଭାବେ କାର୍ଯ୍ୟ ଆରମ୍ଭ କରିଛନ୍ତି । ରେଳ ଦୁର୍ଘଟଣା ସହ ବିଭାଗୀୟ କେନ୍ଦ୍ର ମନ୍ତ୍ରୀଙ୍କ ସିଧାସଳଖ ସଂପର୍କ ନଥିଲେ ମଧ୍ୟ ବିରୋଧୀ କାଂଚନଜଂଗା ଏକ୍ସପ୍ରେସ ଦୁର୍ଘଟଣା ପାଇଁ ରେଳମନ୍ତ୍ରୀଙ୍କୁ ଦାୟି କରିବାକୁ ପଛାଇ ନାହାନ୍ତି । ରେଳ ମନ୍ତ୍ରଣାଳୟର ଅପାରଗତା କାରଣରୁ ଦେଶରେ ରେଳ ଦୁର୍ଘଟଣା ବଢୁଛି ଏବଂ ଏଥିପାଇଁ ରେଳମନ୍ତ୍ରୀ ଦାୟି ବୋଲି ସେମାନେ କହୁଛନ୍ତି । ବାହାନଗା ବଜାର ଦୁର୍ଘଟଣା କଥା ମନେ ପକାଇ ଅଶ୍ୱିନୀ ବୈଷ୍ଣବଙ୍କୁ ମୋଦୀ ପୁନର୍ବାର ରେଳ ମନ୍ତ୍ରୀ କେମିତି କଲେ ବୋଲି ସେମାନେ ପ୍ରଶ୍ନ କରୁଛନ୍ତି । ଏହା ବୈଷ୍ଣବଙ୍କ ଦୁର୍ଯୋଗ କୁହାଯାଇପାରେ । ତେବେ, ଏଥିପାଇଁ ରେଳମନ୍ତ୍ରୀଙ୍କୁ କେମିତି ଦାୟି କରିହେବ ବୋଲି ଅନ୍ୟ କେତେକ ମଧ୍ୟ ସାମାଜିକ ଗଣମାଧ୍ୟମରେ ପ୍ରଶ୍ନ କରିଛନ୍ତି । ଆଜି ସକାଳେ ପଶ୍ଚିମ ବଂଗର ନ୍ୟୁ ଜଳପାଇଗୁଡି ନିକଟରେ ଏହି ଦୁର୍ଘଟଣା ଘଟିଥିବା ଖବର ପାଇବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଦୁଃଖ ବ୍ୟକ୍ତ କରିବା ସହ ମୃତାହତ ପରିବାରଙ୍କ ନିମନ୍ତେ କ୍ଷତିପୂରଣ ଘୋଷଣା କରିଛନ୍ତି । ରେଳମନ୍ତ୍ରୀ ବୈଷ୍ଣବ ମଧ୍ୟ ଦୁର୍ଘଟଣା ସ୍ଥଳକୁ ଯାଇଛନ୍ତି । ଦୁର୍ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଦୃତ ଗତିରେ ଚାଲିଛି ବୋଲି ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ‘ଏକ୍ସ’ରେ ଏକ ପୋଷ୍ଟରେ କହିଛନ୍ତି । ଘଟଣାସ୍ଥଳକୁ ଡିଜାଷ୍ଟର ରେସପନ୍ସ ଟିମ୍ ଓ ମେଡିକାଲ ଟିମ୍ ପଠା ଯାଇଛି ବୋଲି ମମତା ସୂଚନା ଦେବା ସହ ମୃତାହତ ଯାତ୍ରୀଙ୍କ ନିମନ୍ତେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର ଓ ଚିକିତ୍ସା କାର୍ଯ୍ୟ ଚାଲିଛି ବୋଲି ସେ ତାଙ୍କ ପୋଷ୍ଟରେ କହିଛନ୍ତି । କେନ୍ଦ୍ର ସରକାରଙ୍କ ରେଳ ମନ୍ତ୍ରଣାଳୟ ସବୁ ଟ୍ରେନରେ ନୂଆ ଏଲଏଚବି କୋଚ ଲଗାଇ ଅପଗ୍ରେଡ୍ କରୁଥିବା ବେଳେ କାଂଚନଜଂଗା ଏକ୍ସପ୍ରେସରେ ପୁରୁଣା ବଗି ସବୁ ଲାଗିଥିବା ଜଣାପଡିଛି । ତେବେ, କାଂଚନଜଂଗା ଏକ୍ସପ୍ରେସର ପଛ ପାଖରେ ଦୁଇଟି ପାର୍ସଲ ଭ୍ୟାନ ଓ ଗାର୍ଡ ଭ୍ୟାନ ରହିବା କାରଣରୁ ମାଲଗାଡି ଧକ୍କାରେ ପ୍ରଭାବ କମ ଥିବା କୁହାଯାଉଛି । କେନ୍ଦ୍ର ରେଳବାଇ ମନ୍ତ୍ରଣାଳୟ ଦେଶରେ ବଢୁଥିବା ରେଳ ଦୁର୍ଘଟଣାକୁ କମାଇବା ସକାଶେ ସ୍ୱଦେଶ ନିର୍ମିତ ‘କବଚ’ ବ୍ୟବସ୍ଥା କାର୍ଯ୍ୟକାରୀ କରୁଥିଲେ ମଧ୍ୟ ତାହା ମନ୍ଥର ଗତିରେ ଚାଲିଛି । ଏନେଇ ସୁପ୍ରିମ କୋର୍ଟ ମଧ୍ୟ ହସ୍ତକ୍ଷେପ କରି ଏହି ବ୍ୟୟବହୁଳ ବ୍ୟବସ୍ଥାକୁ ପୂର୍ଣ୍ଣତଃ କାର୍ଯ୍ୟକାରୀ କରିବାକୁ କେତେ ଅର୍ଥର ଆବଶ୍ୟକତା ରହିଛି ବୋଳି ଗତ ବର୍ଷ ସରକାରଙ୍କୁ ପ୍ରଶ୍ନ କରିଥିଲେ । ରେଳବାଇ ବୋର୍ଡ ଅଧ୍ୟକ୍ଷା ଜୟା ବର୍ମା ସିହ୍ନାଙ୍କ ସୂଚନା ଅନୁଯାୟୀ, ଆସନ୍ତା ବର୍ଷ ସୁଦ୍ଧା ଦିଲ୍ଲୀ ଗୌହାଟୀ ରୁଟ୍ ରେ ପାୟ ୬ ହଜାର କିମି ରେଳ ନେଟୱାର୍କରେ ‘କବଚ’ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ଲକ୍ଷ୍ୟ ଥିବା ବେଳେ ୩୦୦୦ କିମି ଭିତରେ ପଶ୍ଚିମ ବଂଗ ରହିଛି । ତେଣୁ, ଦିଲ୍ଲୀ-ହାୱଡା ରୁଟରେ ଚଳିତ ବର୍ଷ ଶେଷ ବେଳକୁ ‘କବଚ’ ସୁରକ୍ଷା ବ୍ୟବସ୍ଥା ଲାଗି ଯାଇଥିବ । ଦେଶର ଏକ ଲକ୍ଷ କିମି ଲମ୍ବା ରେଳ ନେଟୱାର୍କରୁ ମାତ୍ର ୧୫୦୦ କିମିରେ ‘କବଚ’ ସୁରକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ ହୋଇପାରିଛି । ୨୦୨୨-୨୩ ବର୍ଷ ପାଖାପାଖି ୨୦୦୦ କିମି ରେଳ ନେଟୱାର୍କରେ ‘କବଚ’ ସୁରକ୍ଷା ବ୍ୟବସ୍ଥା ଲଗାଇବା ରେଳ ମନ୍ତ୍ରଣାଳୟ ଯୋଜନା କରିଥିଲେ । ପ୍ରଥମ ପର୍ଯ୍ୟାୟରେ ଦେଶରେ ମୋଟ ୩୪ ହଜାର କିମି ରେଳ ନେଟୱାର୍କରେ ‘କବଚ’ ସୁରକ୍ଷା ବ୍ୟବସ୍ଥା ଲାଗାଇାକୁ କେନ୍ଦ୍ର ରେଳବାଇ ମନ୍ତ୍ରଣାଳୟ ଲକ୍ଷ୍ୟଧାର୍ଯ୍ୟ କରିଥିଲେ ମଧ୍ୟ ଯେଭଳି ମନ୍ଥର ଗତିରେ ଏହି କାର୍ଯ୍ୟ ଚାଲିଛି ସରକାର ରେଳଯାତ୍ରୀଙ୍କ ସୁରକ୍ଷାକୁ ପ୍ରାଥମିକତାକୁ ଦେଉନଥିବା ସେଥିରୁ ସ୍ପଷ୍ଟ ହେଉଛି । ଦିଲ୍ଲୀ-ହାୱଡା ରେଳ ରୁଟ୍ ରେ ‘କବଚ’ ବ୍ୟବସ୍ଥା ଲାଗି ସାରିଥିଲେ ଆଜିର ଏହି ଦୁର୍ଘଟଣାକୁ ଏଡାଇ ହୋଇଥାନ୍ତା ବୋଲି କିଛି ରେଳ ବିଶେଷଜ୍ଞ ମତ ଦେଇଛନ୍ତି । ତେବେ, ‘କବଚ’ ସୁରକ୍ଷା ବ୍ୟବସ୍ଥା ପୂର୍ଣର୍ତଃ କାର୍ଯ୍ୟକାରୀ ହେବା ଅତ୍ୟନ୍ତ ବ୍ୟୟବହୁଳ ଥିବାରୁ ସରକାର ଧୀରେ ଧୀରେ ତାହା କାର୍ଯ୍ୟକାରୀ କରୁଥିବା ଜଣାପଡିଛି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS