ୱାଇନାଡ ଛାଡିଲେ ରାହୁଲ, ପ୍ରିୟଙ୍କା ପ୍ରାର୍ଥୀ ହେବେ – ରବର୍ଟ ଖୁସି !


ପ୍ରସାଦ ରାଓ
ନୂଆଦିଲ୍ଲୀ, ଜୁନ ୧୮
ଧର୍ମ ସଂକଟରେ ଥିଲେ କଂଗ୍ରେସର ଯୁବରାଜ ରାହୁଲ ଗାନ୍ଧୀ । ୨୦୨୪ ଲୋକସଭା ନିର୍ବାଚନରେ ସେ ଦୁଇଟି ଆସନ – କେରଳର ୱାଇନାଡ ଓ ୟୁପିର ରାଏବରେଲିରୁ ନିର୍ବାଚିତ ହେବା ପରେ ନିୟମ ଦୃଷ୍ଟିରୁ ଗୋଟିଏ ରଖି ଗୋଟିଏ ଛାଡିବା ଆବଶ୍ୟକତା ଥିଲା । ଲଗାତର ଦ୍ୱିତୀୟ ଥର ପାଇଁ ସେ ୱାଇନାଡ ଲୋକସଭା ଆସନରୁ ନିର୍ବାଚିତ ହୋଇଥିବାରୁ ରାଏବରେଲି ଛାଡିବେ ନା ୱାଇନାଡ ଛାଡିବେ – ସେ ନେଇ ଦ୍ୱନ୍ଦ୍ୱରେ ଥିଲେ । ଗତକାଲି ନିଷ୍ପତ୍ତି ହୋଇଯାଇଛି । ରାହୁଲ ରାଏବରେଲି ଆସନ ରଖି ୱାଇନାଡ ଛାଡିଛନ୍ତି ଏବଂ କେରଳର ଏହି ଲୋକସଭା ଆସନରୁ ସାନ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଉପ ନିର୍ବାଚନରେ ପ୍ରାର୍ଥୀ କରିବାକୁ ନିଷ୍ପତ୍ ତି ନେଇଛନ୍ତି । କଂଗ୍ରେସ ନେତୃତ୍ୱ ଏହା ଘୋଷଣା କରିଛନ୍ତି । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଗତକାଲି ରାହୁଲ, ପ୍ରିୟଙ୍କା ଓ ବରିଷ୍ଠ କଂଗ୍ରେସ ନେତା କେ.ସି.ବେଣୁଗୋପାଳଙ୍କ ଉପସ୍ଥିତିରେ ଏହି ଘୋଷଣା କରି ସବୁ କିଛି ସ୍ପଷ୍ଟ କରିଥିଲେ ।
ରାହୁଲଙ୍କ ଦ୍ୱନ୍ଦ୍ୱର କାରଣ ଥିଲା, ୨୦୧୯ ସାଧାରଣ ନିର୍ବାଚନରେ ସେ ପ୍ରବଳ ମୋଦୀ ହାୱାରେ ୟୁପିର ଆମେଥୀ ଲୋକସଭା ଆସନ ସହ କେରଳର ୱାଇନାଡ ଲୋକସଭା ଆସନରୁ ପ୍ରାର୍ଥୀ ହୋଇ ଆମେଥୀରୁ ପରାଜିତ ହୋଇଥିଲେ ମଧ୍ୟ ୱାଇନାଡବାସୀ ତାଙ୍କୁ ବିପୁଳ ଜନସମର୍ଥନ ଦେଇ ସଂସଦକୁ ପଠାଇ ଥିଲେ । କେରଳ ବାମପନ୍ଥୀ ଶାସିତ ରାଜ୍ୟ ହୋଇ ମଧ୍ୟ ୱାଇନାଡରେ ଗାନ୍ଧୀ ପରିବାରକୁ ବିଶେଷ ସମର୍ଥନ ମିଳିଥିଲା । ରାହୁଲ ସେଠାରେ ଶ୍ରଦ୍ଧା ଓ ସମ୍ମାନ ପାଇଥିଲେ । ଗତ ପାଂଚ ବର୍ଷ ଧରି ରାହୁଲ ୱାଇନାଡ ସାଂସଦ ଥାଇ ବହୁ ଉତ୍ଥାନ, ପତନ ଦେଖିଛନ୍ତି । ନିର୍ବାଚନ ପ୍ରଚାର ସମୟରେ ମୋଦୀ ସମାଜ ବିରୋଧରେ କଟାକ୍ଷ କରିବା ଅଭିଯୋଗରେ ସେ ଆପରାଧୀନ ମାନହାନୀ ମାମଲାର ସମ୍ମୁଖୀନ ହୋଇଛନ୍ତି । ଗୁଜରାଟର ଏକ ନିମ୍ନ ଅଦାଲତ ତାଙ୍କୁ ଏହି ମାଲାରେ ଦୋଷୀ ସାବ୍ୟସ୍ତ କରି ଦୁଇ ବର୍ଷ କାରାଦଣ୍ଡ ଦେବା ପରେ ସେ ସାଂସଦ ପଦ ହରାଇ ଥିଲେ । ଗୁଜରାଟ ହାଇକୋର୍ଟ ମଧ୍ୟ ନିମ୍ନ ଅଦାଲତର ରାୟକୁ କାଏମ ରଖି ତାଙ୍କୁ ନିରାଶ କରିଥିଲେ । ତେବେ, ରାହୁଲ ସୁପ୍ରିମ କୋର୍ଟର ଦ୍ୱାରସ୍ଥ ହୋଇ ଆଶ୍ୱସ୍ତ ପାଇଛନ୍ତି ।
ନିମ୍ନ ଅଦାଲତର ଦଣ୍ଡାଦେଶକୁ ସୁପ୍ରିମ କୋର୍ଟ ସ୍ଥଗିତ ରଖିବାରୁ ରାହୁଲ ସାଂସଦ ପଦ ଫେରି ପାଇଛନ୍ତି । ସାଂସଦ ପଦ ଯିବା ପରେ ତାଙ୍କୁ ସରକାର ଦେଇଥିବା ସରକାରୀ ବାସଭବନ ଛଡାଇ ନିଆଯାଇ ଅପମାନିତ କରାଯାିଥିଲା । ସୁପ୍ରିମ କୋର୍ଟରୁ ଆଶ୍ୱସ୍ତି ମିଳିବା ପରେ ତାଙ୍କୁ ପୁନର୍ବାର ସରକାରୀ ଘର ମିଳିଛି । ରାହୁଲଙ୍କ ବିରୋଧରେ ଏହା ଗୋଟିଏ ମାମଲା ନୁହେଁ, ଭିନ୍ନ ଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ମାମଲା କରାଯାଇ ହାରାଶ କରାଯାଇଛି । ବିଜେପିର କିଛି ନେତା ୨୦୧୯ ନିର୍ବାଚନ ସମୟରେ ରାହୁଲ ଦେଇଥିବା ବିଭିନ୍ନ ରାଜନୈତିକ ମନ୍ତବ୍ୟକୁ ଆଧାର କରି ଏକାଧିକ ଆପରାଧୀକ ମାନହାନୀ ମାମଲା ରୁଜୁ କରିଛନ୍ତି, ଯାହାକୁ କି ସେ ଦାମ୍ବିକତାର ସହ ସାମ୍ନା କରି ଆସୁଛନ୍ତି । ବିଗତ ପାଂଚ ବର୍ଷ ମଧ୍ୟରେ ରାହୁଲଙ୍କ ଏହି ନ୍ୟାୟିକ ଲଢେଇକୁ ୱାଇନାଡବାସୀ ପ୍ରତ୍ୟକ୍ଷ କରୁଛନ୍ତି । ବିଭିନ୍ନ ଅଦାଲତରେ ମାମଲା ଚାଲିଥିବା ସତ୍ତ୍ୱେ ରାହୁଲ ବିଜେପି ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିର୍ଭିକ ଭାବେ ସାମ୍ନା କରୁଥିବା ତାଙ୍କ ନେତୃତ୍ୱ ପ୍ରତି ସେମାନଙ୍କ ଆସ୍ଥା ବଢାଇ ଦେଇଛି ।
୨୦୨୪ ସାଧାରଣ ନିର୍ବାଚନରେ ରାହୁଲ ୟୁପିର ଆମଥୀ ଆସନରୁ ପ୍ରାର୍ଥୀ ହୁଅନ୍ତୁ ବୋଲି ୨୦୧୯ ନିର୍ବାଚନରେ ତାଙ୍କୁ ପରାଜିତ କରିଥିବା ବିଜେପି ନେତ୍ରୀ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଆହ୍ୱାନ ଦେଇଥିଲେ । ରାହୁଲ ଦ୍ୱିତୀୟ ଥର ନିର୍ବାଚନ ଲଢିଲେ ପରାଜିତ ହେବେ ବୋଲି ମଧ୍ୟ ଚ୍ୟାଲେଂଜ କରିଥିଲେ । ତେବେ, ରାହୁଲ ଗାନ୍ଧୀ ୱାଇନାଡରୁ ହିଁ ପ୍ରାର୍ଥୀ ହୋଇଥିଲେ ଏବଂ ଲକ୍ଷାଧିକ ଭୋଟରେ ସାଂସଦ ନିର୍ବାଚିତ ହୋଇଛନ୍ତି । ଅପରପକ୍ଷରେ, ବିଜେପିର ଏହି ଅହଂକାରୀ ନେତାଙ୍କୁ କଂଗ୍ରେସର ଜଣେ ସାଧାରଣ କାର୍ଯ୍ୟକର୍ତ୍ତା ଆମେଥୀରେ ପରାଜିତ କରି ଅହଂକାର ଭଂଗ କରିଛନ୍ତି । ସ୍ମୃତି ଇରାନୀଙ୍କ ପରାଜୟ ଏବଂ ରାଏବରେଲିରୁ ରାହୁଲଙ୍କ ବିଜୟ ୟୁପି ରାଜନୀତିରେ ଏକ ନୂଅ ଅଧ୍ୟାୟ ସୃଷ୍ଟି କରିଛି । କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ରାହୁଲଙ୍କୁ ଏହି ସୁଯୋଗ ଦେଇଛନ୍ତି ।
୨୦୨୪ ସାଧାରଣ ନିର୍ବାଚନ ତାରିଖ ଘୋଷଣାର ଠିକ୍ ପୂର୍ବରୁ ଭାରତୀୟ ନିର୍ବାଚନ ଆୟୁକ୍ତ (ଇସିଆଇ) ଜୁନ, ଜୁଲାଇରେ ଖାଲି ହେଉଥିବା କିଛି ରାଜ୍ୟସଭା ଆସନ ପାଇଁ ଫେବୃୟାରୀ ମାସରେ ନିର୍ବାଚନ କରାଇଥିଲେ । ରାୟବରେଲି ସାଂସଦ ଥିବା କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ରାଜ୍ୟସଭା ନିର୍ବାଚନରେ ରାଜସ୍ଥାନରୁ ପ୍ରାର୍ଥୀ ହୋଇ ସଂସଦର ଉପର ଗୃହକୁ ନିର୍ବାଚିତ ହେବା ଫଳରେ ରାଏବରେଲି ଆସନ ଖାଲି ହୋଇଥିଲା । ସୋନିଆ ଚାହୁଁଥିଲେ ଗାନ୍ଧୀ ପରିବାରର ଏହି ପାରଂପରିକ ଆସନରୁ ପୁଅ ରାହୁଲ ପ୍ରାର୍ଥୀ ହୁଅନ୍ତୁ ଏବଂ ପରଂପରା ରକ୍ଷା କରନ୍ତୁ । ସୋନିଆ ରାଏବରେଲି ଜନତାଙ୍କୁ ଚିଠି ଲେଖି ପୁଅକୁ ଆଶୀର୍ବାଦ କରିବାକୁ ମଧ୍ୟ ନିବେଦନ କରିଥିଲେ । ରାହୁଲ ୱାଇନାଡରୁ ଲୋକସଭା ପ୍ରାର୍ଥୀ ଥିଲେ । ମତଦାନ ସରିବା ପରେ ସେ ରାଏବରେଲିରୁ ପ୍ରାର୍ଥୀପତ୍ର ଦାଖଲ ମା’ଙ୍କ ଅନୁରୋଧ ରଖିଥିଲେ । ୨୦୨୪ ନିର୍ବାଚନରେ ରାହୁଲ ୱାଇନାଡ ସହ ରାଏବରେଲି ଆସନରୁ ମଧ୍ୟ ବିଜୟୀ ହୋଇଛନ୍ତି ।
ୱାଇନାଡବାସୀ ଦ୍ୱିତୀୟ ଥର ପାଇଁ ତାଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରିବା ହିଁ ରାହୁଲଙ୍କ ପାଇଁ ଦ୍ୱନ୍ଦ୍ୱର କାରଣ ଥିଲା । ଏହି ଆସନ ଛାଡିବା ନିଷ୍ପତ୍ତି ଅତ୍ୟନ୍ତ କଷ୍ଟକର ଥିଲା । ତେବେ, ଦେଶର ସର୍ବାଧିକ ୮୦ ଲୋକସଭା ଆସନ ଥିବା ୟୁପିରେ କଂଗ୍ରେସର ସ୍ଥିତି ଦୁର୍ବଳ ରହିଥିବାରୁ ଏବଂ ୨୦୨୪ ନିର୍ବାଚନରେ ସମାଜବାଦୀ ପାର୍ଟି (ଏସପି)ର ସହଯୋଗରେ କଂଗ୍ରେସ ନିଜର ସ୍ଥତି ସୁଧାରି ଥିବାରୁ ରାହୁଲ ରାଏବରେଲି ଆସନ ଛାଡିବାକୁ କୁଂଠିତ ଥିଲେ । ଶେଷରେ, ୱାଇନାଡ ଆସନ ଛାଡିବାକୁ ସେ ନିଷ୍ପତ୍ତି ନେବା ସହ ସାନ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ସେଠାରୁ ପ୍ରାର୍ଥୀ କରାଇବା ନିଷ୍ପତ୍ତି ନେଇଛନ୍ତି । ପ୍ରିୟଙ୍କା ଉପ ନିର୍ବାଚନ ଲଢିବେ ବୋଲି ସେ କେରଳବାସୀଙ୍କୁ ଆଶ୍ୱସ୍ତ କରିବା ସହ ୱାଇନାଡର ମତଦାତା ତାଙ୍କୁ ଯେଭଳି ଶ୍ରଦ୍ଧା ଓ ସମ୍ମାନ ଦେଇଛନ୍ତି ପ୍ରିୟଙ୍କାଙ୍କୁ ମଧ୍ୟ ସେଭଳି ଶ୍ରଦ୍ଧା ସମ୍ମାନ ଦେଇ ନିର୍ବାଚିତ କରିବାକୁ ନିବେଦନ କରିଛନ୍ତି ।
ପ୍ରିୟଙ୍କା ସାଂସଦ ନିର୍ବାଚିତ ହେଲେ ଗାନ୍ଧୀ ପରିବାରର ଦୁଇ ଜଣ ସଦସ୍ୟ ସେମାନଙ୍କ ସହ ରହିବେ ଏବଂ ନିର୍ବାଚନମଣ୍ଡଳୀର ବିକାଶ କରିବେ ବୋଲି ରାହୁଲ ପ୍ରତିଶ୍ରୁତି ଦେଇଥିବାରୁ ଉପ ନିର୍ବାଚନ ହେଲେ ପ୍ରିୟଙ୍କାଙ୍କ ବିଜୟ ସୁନିଶ୍ଚିତ ବୋଲି ଆଶା କରାଯାଉଛି । ରାହୁଲ ଯଦି ରାଏବରେଲି ଛାଡ ଥା’ନ୍ତେ ଓ ପ୍ରିୟଙ୍କା ଉପ ନିର୍ବାଚନରେ ସେଠାରୁ ପ୍ରାର୍ଥୀ ହୋଇଥା’ନ୍ତେ ପରାଜିତ ବିଜେପି ନେତ୍ରୀ ସ୍ମୃତି ଇରାନୀଙ୍କୁ ପୁନର୍ବାର ମୁଣ୍ଡ ଟେକିବାକୁ ସୁଯୋଗ ମିଳିଥା’ନ୍ତା । ବିଜେପି ଏହି ଆସନ ଜିତିବାକୁ ସମସ୍ତ ଶକ୍ତି ଲଗାଇ ଥା’ନ୍ତା । ଅପରପକ୍ଷରେ, କଂଗ୍ରେସ ଓ ଗାନ୍ଧୀ ପରିବାର ପ୍ରତି ଦକ୍ଷିଣ ଭାରତରେ ବେଶ ସମ୍ମାନ ଓ ସମର୍ଥନ ରହିଛି । ପ୍ରିୟଙ୍କା ପ୍ରଥମ କରି ନିର୍ବାଚନ ଲଢିବାକୁ ଯାଉଥିବାରୁ ୱାଇନାଡ ତାଙ୍କ ପାଇଁ ସୁରକ୍ଷିତ ଆସନ ହେବ ବୋଲି କଂଗ୍ରେସ ନେତୃତ୍ୱ ଭାବୁଛନ୍ତି । ତେଣୁ, ପ୍ରିୟଙ୍କାଙ୍କୁ ୱାଇନାଡରୁ ଲଂଚ୍ କରିବା ନିଷ୍ପତ୍ତି ହୋଇଛି । କଂଗ୍ରେସ ନେତୃତ୍ୱ ଗତକାଳି ଏହି ଘୋଷଣା କରି ୱାଇନାଡବାସୀଙ୍କ ପ୍ରତି ଗଭୀର ବିଶ୍ୱାସ ଥିବା ସ୍ପଷ୍ଟ କରିଛନ୍ତି ।
ସୋନିଆ ଗାନ୍ଧୀଙ୍କ ଜ୍ୱାଇଁ ତଥା ପ୍ରିୟଙ୍କାଙ୍କ ସ୍ୱାମୀ ରବର୍ଟ ଭଦ୍ରା ମଧ୍ୟ କଂଗ୍ରେସ ନେତୃତ୍ୱର ଏହି ନିଷ୍ପତ୍ତିକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି । ରବର୍ଟ ୟୁପିର ଆମେଥୀରୁ ପ୍ରାର୍ଥୀ ହେବା ନେଇ ପୂର୍ବରୁ ଚର୍ଚ୍ଚା ହୋଉଥିଲେ ମଧ୍ୟ ୨୦୨୪ ନିର୍ବାଚନରେ ସେ ପ୍ରାର୍ଥୀ ହୋଇନଥିଲେ । ସମସ୍ତ କଳ୍ପନା ଜଳ୍ପନାର ଅବସାନ ଘଟିଥିଲା । ପ୍ରିୟଙ୍କା ମଧ୍ୟ ନିର୍ବାଚନ ଳଢି ନଥିଲେ । ଏବେ, ୱାଇନାଡରେ ଉପ ନିର୍ବାଚନ ହେବ ଓ ପ୍ରିୟଙ୍କା କଂଗ୍ରେସରୁ ପ୍ରାର୍ଥୀ ହେବେ ବୋଲି ଘୋଷଣା ସ୍ୱାଗତଯୋଗ୍ୟ ବୋଲି ରବର୍ଟ ଭଦ୍ରା କହିଛନ୍ତି । ଯେବେ ସୁବିଧା ମିଳିବ ପତ୍ନୀଙ୍କ ପଛେ ପଛେ ସେ ମଧ୍ୟ ସଂସଦରେ ପହଂଚି ଯିବେ ବୋଲି ରବର୍ଟ ଆଜି ଏକ ଜାତୀୟ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି । ୨୦୨୪ ନିର୍ବାଚନରେ କଂଗ୍ରେସ ଓ ବିରୋଧୀ ‘ଇଣ୍ଡି’ ମେଂଟ ବିଜେପିର ବିସ୍ତାରବାଦ ରାଜନୀତିକୁ ରୋକିବାରେ ସଫଳ ହୋଇଥିବାରୁ ରବର୍ଟ ସମସ୍ତଙ୍କୁ ବଧେଇ ଜଣାଇବା ସହ ପତ୍ନୀ ସଂସଦକୁ ଯାଆନ୍ତୁ ବୋଲି ସେ ଅନ୍ତରରୁ ଚାହୁଁଥିବା କଥା ରବର୍ଟ କହିଛନ୍ତି ।
ପ୍ରିୟଙ୍କା ଗାନ୍ଧୀ ଆଜି ସୁଦ୍ଧା କୌଣସି ନିର୍ବାଚନ ଲଢି ନାହାନ୍ତି । ତେବେ, ୨୦୧୯ରୁ ପ୍ରତ୍ୟକ୍ଷ ଭାବେ କଂଗ୍ରେସ ନିର୍ବାଚନ ପ୍ରଚାରରେ ସାମିଲ ରହିଛନ୍ତି । ୟୁପି ବିଧାନସଭା ନିର୍ବାଚନ କଂଗ୍ରେସର ସାଧାରଣ ସଂପାଦିକା ଭାବେ ସେ ପ୍ରଚାର ଦାୟିତ୍ୱରେ ନେଇଥିଲେ ଏବଂ ‘ମେ ଲଡକି ହୁଁ, ଲଢଶକ୍ତି ହୁଁ’ ସ୍ଲୋଗାନ ଦେଇ ରାଜନୀତିରେ ଆଲୋଡନ ସୃଷ୍ଟି କରିଥିଲେ । ୟୁପି ବିଧାନସଭା ନିର୍ବାଚନରେ ପ୍ରିୟଙ୍କାଙ୍କ କଠିନ ପରିଶ୍ରମ ସତ୍ତ୍ୱେ ଦଳ ଭଲ ଫଳାଫଳ କରିବାରେ ସଫଳ ହୋଇନଥିଲା । ରାଜ୍ୟ ବିଧାନସଭାରେ ମାତ୍ର ଦୁିଟି ଆସନ ମିଳିଥିଲା । କିନ୍ତୁ, କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ଭାଇ-ଭଉଣୀଙ୍କ ଯାଦୁ କମାଲ କରିଥିଲା । ସେମାନେ ବିଜେପିକୁ ପରାଜିତ କରି ରାଜ୍ୟରେ କଂଗ୍ରେସର ସରକାର କରିବାରେ ସଫଳ ହୋଇଥିଲେ । ୨୦୨୪ ସାଧାରଣ ନିର୍ବାଚନରେ ପ୍ରିୟଙ୍କା ସକ୍ରିୟ ଭାବେ ଦଳର ପ୍ରଚାର କରିଥିଲେ । ବିରୋଧୀ ‘ଇଣ୍ଡି’ ମେଂଟରେ ସେ କଂଗ୍ରେସ ପକ୍ଷରୁ ପ୍ରତିନିଧିତ୍ୱ କରୁଛନ୍ତି । ତେଣୁ, ନିର୍ବାଚନ ରାଜନୀତିରେ ତାଙ୍କର ଯେଉଁ ଅଭିଜ୍ଞତା ରହିଛି ତାହା ୱାଇନାଡ ପାଇଁ ହେବାକୁ ଥିବା ଲୋକସଭା ଉପ ନିର୍ବାଚନରେ ତାଙ୍କ ବିଜୟ ପାଇଁ ସହାୟକ ହେବ ବୋଲି ଆଶା କରାଯାଉଛି । କେରଳର ଶାସକ ବାମପନ୍ଥୀ ମେଂଟ ୨୦୨୪ ନିର୍ବାଚନରେ ରାହୁଲଙ୍କ ବିରୋଧରେ ଆନି ରାଜାଙ୍କୁ ପ୍ରାର୍ଥୀ କରିଥିଲେ । ଉପନିର୍ବାଚନରେ କାହାକୁ ପ୍ରାର୍ଥୀ କରିବେ – ତାହା ଉପରେ ଅନେକ କିଛି ନିର୍ଭର କରୁଛି ବୋଲି ତଥ୍ୟାଭିଜ୍ଞ ମହଲରେ ଆଲୋଚନା ହେଉଛି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS