ମୋଦୀ ବନାମ ବିରୋଧୀ – ଏଥର ସହମତିରେ ସଂସଦ ଚାଲିବ ତ !


ପ୍ରସାଦ ରାଓ
ନୂଆଦିଲ୍ଲୀ, ଜୁନ ୧୯
୨୦୨୪ ଲୋକସଭା ନିର୍ବାଚନ ପରେ ସଂସଦର ପ୍ରଥମ ଅଧିବେଶନ ଜୁନ ୨୪ରୁ ଆରମ୍ଭ ହେବାକୁ ଯାଉଛି । ବିଭିନ୍ନ କାରଣରୁ ଏହି ଅଧିବେଶନ ଉପରେ ସମଗ୍ର ଦେଶର ଦୃଷ୍ଟି ରହିଛି । କାରଣ, ସଦ୍ୟ ସମାପ୍ତ ଲୋକସଭା ନିର୍ବାଚନରେ ଦେଶବାସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦେଶରେ ତୃତୀୟ ପାଳି ସରକାର ଗଠନ ସପକ୍ଷରେ ମତଦାନ କରିଥିଲେ ମଧ୍ୟ ବିଜେପିକୁ ଏକାକୀ ସରକାର ଗଠନ କଲା ଭଳି ସଂଖ୍ୟା ଦେଇ ନାହାନ୍ତି । ବିଜେପି ନେତୃତ୍ୱାଧୀନ ଶାସକ ମେଂଟ (ଏନଡିଏ) ସରକାର ଗଠନ ପାଇଁ ଆବଶ୍ୟକ ସଂଖ୍ୟା ପାଇ ସରକାର ଗଠନ କରିଛି । ବିଜେପି ବୃହତ୍ତ ଦଳ ହୋଇଥିଲେ ମଧ୍ୟ ସରକାର ଚଳାଇବାକୁ ଏନଡିଏର ଦୁଇ ପ୍ରମୁଖ ଅଂଶୀଦାର ଆନ୍ଧ୍ର ପ୍ରଦେଶର ତେଲୁଗୁ ଦେଶମ ପାର୍ଟି (ଟିଡିପି) ଓ ବିହାରର ଜନତା ଦଳ – ୟୁନାଇଟେଡ (ଜେଡିୟୁ) ଉପରେ ନିର୍ଭରଶୀଳ । କୌଣସି ସର୍ତ୍ତ ନରଖି ଏହି ଦୁଇ ଆଂଚଳିକ ଦଳ ସରକାର ଗଠନରେ ବିଜେପିକୁ ସମର୍ଥନ ଦେଇଥିବା ବାହାରକୁ କହୁଥିଲେ ମଧ୍ୟ ମନ୍ତ୍ରୀ ପରିଷଦ ଗଠନଠାରୁ ଆରମ୍ଭ କରି ବାଚସ୍ପତି ନିର୍ବାଚନ ପର୍ଯ୍ୟନ୍ତ ସବୁଠି ସେମାନଙ୍କ ମୂଲଚାଲ ଦେଖିବାକୁ ମିଳୁଛି । ଏନଡିଏର ଅନ୍ୟ କ୍ଷୁଦ୍ର ଅଂଶୀଦାରମାନେ ନୂତନ ମନ୍ତ୍ରୀ ପରିଷଦରେ ସ୍ଥାନ ପାଇ ସନ୍ତୁଷ୍ଟ । ସେମାନଙ୍କ ଆଡୁ ମୋଦୀ ସରକାର ସେଭଳି କୌଣସି ବିପଦ ଆଶଙ୍କା କରୁନାହାନ୍ତି । ଅପରପକ୍ଷରେ, କଂଗ୍ରେସ ସାମିଲ ଥିବା ବିରୋଧୀ ମେଂଟ ‘ଇଣ୍ଡିଆ’ ଏଥର ଲୋକସଭାରେ ଏକ ଶକ୍ତିଶାଳୀ ମେଂଟ ଭାବେ ଉଭା ହୋଇଛି । ବିଜେପି ନିକଟରେ ୨୪୦ ଓ ଏନଡିଏର ମୋଟ ସାଂସଦ ସଂଖ୍ୟା ୨୯୩ ହୋଇଥିବା ବେଳେ ବିରୋଧୀ ମେଂଟରେ କଂଗ୍ରେସ ସାଂସଦଙ୍କ ସଂଖ୍ୟା ୯୯ ଓ ‘ଇଣ୍ଡି’ ମେଂଟ ସାଂସଦ ସଂଖ୍ୟା ୨୩୪ ରହିଛି । ୨୦୧୪ ଓ ୨୦୧୯ ଲୋକସଭାରେ ବିଜେପିର ଏକାକୀ ସାଂସଦ ସଂଖ୍ୟା ଥିଲା ଯଥାକ୍ରମେ ୨୮୨ ଓ ୩୦୩ ଥିଲା । ସରକାର ଗଠନ ପାଇଁ ୨୭୨ ସାଂସଦଙ୍କ ସମର୍ଥନର ଆବଶ୍ୟକ ଥିବା ବେଳେ ବିଜେପି ସାଂସଦଙ୍କ ସଂଖ୍ୟା ଯଥେଷ୍ଟ ଅଧିକ ଥିଲା । କେନ୍ଦ୍ରରେ ଏନଡିଏର ସରକାର ଥିଲେ ମଧ୍ୟ ବିଜେପି ବ୍ୟତୀତ ଅନ୍ୟ ଅଂଶୀଦାରମାନେ ନାମକୁ ମାତ୍ର ନିଷ୍କତ୍ତି ନେବାର ଅଧିକାର ରଖିଥିଲେ । ୨୦୨୪ରେ ଏହି ସ୍ଥିତି ବଦଳି ଯାଇଛି । ଦେଶରେ ଏନଡିଏ ସରକାର ପ୍ରତିଷ୍ଠା ହୋଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସହମତି ଭିତ୍ତିରେ ସରକାର ଚଳାଇବାକୁ ଏକପ୍ରକାର ବାଧ୍ୟ । ବିଶେଷକରି, ଟିଡିପି ଓ ଜେଡିୟୁକୁ ଅଣଦେଖା କଲେ ସରକାର ଭୁଶୁଡି ପଡିବା ଆଶଙ୍କା ଥିବାରୁ ବିଜେପି ପୂର୍ବ ଭଳି ମନମାନି କରିବାକୁ ସାହସ କରିବ ନାହିଁ ବୋଲି ରାଜନୈତିକ ବିଶ୍ଲେଷକମାନେ ଅନୁମାନ କରୁଛନ୍ତି । ତେବେ, ଏହି ପରୀକ୍ଷା ଆରମ୍ଭ ହେବାକୁ ଯାଉଛି ଜୁନ ୨୪ ତାରିଖରୁ । ନବ ଗଠିତ ଅଷ୍ଟାଦଶ ଲୋକସଭାର ପ୍ରଥମ ସ୍ୱତନ୍ତ୍ର ଅଧିବେଶନ ଆସନ୍ତା ୨୪ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏହି ଅଧିବେଶନ ପ୍ରାରମ୍ଭରେ ଅସ୍ଥାୟୀ ବାଚସ୍ପତି ଭାବେ ନିଯୁକ୍ତ ବରିଷ୍ଠ କଂଗ୍ରେସ ନେତା କେ.ସୁରେଶଙ୍କ ନବ ନିର୍ବାଚିତ ସାଂସଦଙ୍କୁ ଶପଥ ପାଠ କରାଇବେ । ଜୁନ ୨୬ ତାରିଖ ଦିନ ଲୋକସଭା ବାଚସ୍ପତି ନିର୍ବାଚନ ହେବ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦ ଅଧିବେଶନ ପ୍ରାରମ୍ଭରେ ଉଭୟ ଗୃହକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତୃତୀୟ ପାଳି ସରକାରର ଆଗାମୀ ପାଂଚ ବର୍ଷର ଦୃଷ୍ଟିଭଂଗୀ ଉପରେ ଆଲୋକପାତ କରିବେ । ୨୭ ତାରିଖ ସଂସଦର ଉଭୟ ଗୃହରେ ରାଷ୍ଟ୍ରପତିଙ୍କ ଅଭିଭାଷଣରେ ଉପରେ ଧନ୍ୟବାଦ ପ୍ରସ୍ତାବ ଆଗତ କରାଯାଇ ତାହା ଉପରେ ଚର୍ଚ୍ଚା କରାଯିବ । ଜୁଲାଇ ପ୍ରଥମ ସପ୍ତାହରେ ପ୍ରଧାନମନ୍ତ୍ରୀ ମୋଦୀ ସଂସଦରେ ତାଙ୍କ ବକ୍ତବ୍ୟ ରଖିବେ ବୋଲି କାର୍ଯ୍ୟ ଖସଡା ପ୍ରସ୍ତୁତ ହୋଇଛି । ୨୪ ତାରିଖରୁ ଆରମ୍ଭ ହେଉଥିବା ସଂସଦ ଅଧିବେଶନକୁ ଶୃଂଖଳିତ ଭାବେ ପରିଚାଳନା ନିମନ୍ତେ ଏନଡିଏ ଅଂଶୀଦାର ଓ ବିରୋଧୀ ମେଂଟ ସାଂସଦଙ୍କ ସହ ସମନ୍ୱୟ ରକ୍ଷା କରିବା ଦାୟିତ୍ୱ ଦିଆଯାଇଛି ବରିଷ୍ଠ ବିଜେପି ନେତା ତଥା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ । ରାଜନାଥ ଏହି ଦାୟତ୍ୱ ନେବା ପରେ ବରିଷ୍ଠ କେନ୍ଦ୍ର ମନ୍ତ୍ରୀ ଓ ଏନଡିଏ ନେତାମାନଙ୍କୁ ଡକାଇ ଆଲୋଚନା କରୁଛନ୍ତି । ‘ଇଣ୍ଡି’ ମେଂଟ ନେତାଙ୍କ ସହ ମଧ୍ୟ ରାଜନାଥ ଆଲୋଚନା କରି ସହଯୋଗ କାମନା କରିବେ ବୋଲି ସୂଚନା ମିଳୁଛି । ନୂତନ ଲୋକସଭାରେ ସରକାରଙ୍କ ପାଇଁ ସବୁଠାରୁ ବଡ ସମସ୍ୟା ହେବାକୁ ଯାଉଛି ଜୁନ ୨୬ ତାରିଖରେ ହେବାକୁ ଥିବା ଲୋକସଭା ବାଚସ୍ପତି ନିର୍ବାଚନ । ସଂସଦରେ ସରକାରଙ୍କୁ ସୁରକ୍ଷା ଦେବାରେ ବାଚସ୍ପତିଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ, ଏକଥା ସମସ୍ତେ ଜାଣନ୍ତି । ଲୋକସଭାରେ ବିଜେପିର ସଂଖ୍ୟା କମି ଯାଇ ଥିବାରୁ ବାଚସ୍ପତି ପଦ ହାତଛଡା କରିବାକୁ ଚାହୁଁ ନାହିଁ । ଅପରପକ୍ଷରେ, କେନ୍ଦ୍ର ସରକାରଙ୍କ ଆଶାବାଡିର ଭୂମିକାରେ ଥିବା ଟିଡିପି ଓ ଜେଡିୟୁ ମନ୍ତ୍ରୀ ପରିଷଦରେ ଦୁଇଟି ଲେଖାଏଁ ମନ୍ତ୍ରୀ ପଦରେ ସନ୍ତୁଷ୍ଟ ନାହାନ୍ତି । ବାଚସ୍ପତି ପଦ ପାଇଁ ସେମାନେ ଦାବିଦାର ରହିଛନ୍ତି । ଜେଡିୟୁ ଉପ ବାଚସ୍ପତି ପଦରେ କାମ ଚଳାଇବାକୁ ପ୍ରସ୍ତୁତ ଥିବା ଦଳର ବରିଷ୍ଠ ନେତା କେ.ସି.ତ୍ୟାଗୀ ଗଣମାଧ୍ୟମକୁ ସୂଚିତ କରିଥିଲେ ମଧ୍ୟ ଟିଡିପି ମୁଖ୍ୟ ଏନ.ଚନ୍ଦ୍ରବାବୁ ନାଇଡୁ ସର୍ବସମ୍ମତ ଭିତ୍ତିରେ ବାଚସ୍ପତି, ଉପ ବାଚସ୍ପତିକୁ ନିର୍ବାଚିତ କରାଯିବା ସପକ୍ଷରେ ମତ ଦେଇ ବିଜେପି ନେତୃତ୍ୱର ଅଡୁଆ ବଢାଇଛନ୍ତି । ଅନ୍ୟପଟେ, ‘ଇଣ୍ଡି’ ମେଂଟ ଉପ ବାଚସ୍ପତି ପଦ ବିରୋଧୀ ମେଂଟକୁ ଦିଆଯିବାକୁ ଦାବି ରଖିଛି । ଏହା ନହେଲେ ବିରୋଧୀ ମେଂଟ ବାଚସ୍ପତି ନିର୍ବାଚନ ରେ ପ୍ରାର୍ଥୀ ଦେବାକୁ ବାଧ୍ୟ ହେବ ବୋଲି ଚେତାବନୀ ଦେଇଛି । ବିଜେପି ଯଦି ଟିଡିପିକୁ ବାଚସ୍ପତି ପଦ ନଦିଏ ଏବଂ ଚନ୍ଦ୍ରବାବୁ ନିଜ ଆଡୁ କାହାକୁ ବାଚସ୍ପତି ପ୍ରାର୍ଥୀ କରନ୍ତି ତେବେ ‘ଇଣ୍ଡି’ ମେଂଟ ଚନ୍ଦ୍ରବାବୁଙ୍କୁ ସମର୍ଥନ କରିବା ବିଷୟ ବିଚାର କରିବ ବୋଲି ଶିବସେନା (ୟୁବିଟି) ନେତା ସଂଜୟ ରାଉତ ଗତକାଲି ବୟାନ ଦେଇ ବାଚସ୍ପତି ନିର୍ବାଚନକୁ ଜଟିଳ କରିବାକୁ ଉଦ୍ୟମ କରିଛନ୍ତି । ଏଥିରୁ ‘ଇଣ୍ଡି’ ମେଂଟର ରଣନୀତି ସ୍ପଷ୍ଟ ହେଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶାସନରେ ଲୋକସଭାରେ ବାଚସ୍ପତି ଭାବେ ସଫଳତାର ସହ ଦାୟିତ୍ୱ ତୁଲାଇ ରହିଥିବା ଓମ୍ ବିରଳା ତୃତୀୟ ପାଳିରେ ମଧ୍ୟ ବାଚସ୍ପତି ହେବା ଆଶା ରଖିଥିବା ବେଳେ ବିଜେପି ନେତୃତ୍ୱ ଅନ୍ୟ କିଛି ବିକଳ୍ପ ପ୍ରାର୍ଥୀଙ୍କ ନାମ ଉପସ୍ଥାପନ କରି ସହମତି ଆଣିବା ଉଦ୍ୟମରେ ଥିବା ସୂଚନା ମିଳିଛି । ବିଜେପିର ତାଲିକାରେ ଥିବା ନାମ ମଧ୍ୟରେ ଓଡ଼ିଶାର କଟକ ଲୋକସଭା ଆସନରୁ ଅଷ୍ଟମ ଥର ପାଇଁ ନିର୍ବାଚିତ ହୋଇଥିବ ଭର୍ତ୍ତୃହରି ମହତାବଙ୍କ ନାମ ଥିବା ଚର୍ଚ୍ଚା ହୋଇ ଆସୁଛି । ମହତାବ ବିଜେଡ଼ିରେ ଥାଇ ସାତ ଥର କଟକ ଲୋକସଭା ଆସନରୁ ସଂସଦକୁ ନିର୍ବାଚିତ ହୋଇଥିଲେ । ସଂସଦରେ ନିଜର ଦକ୍ଷତା ପ୍ରଦର୍ଶନ କରିବା ସହ ‘ଶେଷ୍ଠ ସାଂସଦ’ ପୁରସ୍କାର ମଧ୍ୟ ପାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ତାଙ୍କର ସୁସଂପର୍କ ରହିଛି । ୨୦୨୪ ନିର୍ବାଚନରେ ବିଜେଡ଼ିରୁ ଇସ୍ତଫା ଦେଇ ସେ ବିଜେପି ପ୍ରାର୍ଥୀ ଭାବେ କଟକ ଲୋକସଭା ଆସନରୁ ବିଜୟୀ ହୋଇଛନ୍ତି । ୨୦୨୪ ନିର୍ବାଚନରେ ଓଡ଼ିଶାର ୨୧ଟି ଲୋକସଭା ଆସନରୁ ୨୦ଟିରେ ବିଜେପି ବିଜୟୀ ହୋଇଥିଲେ ମଧ୍ୟ କେନ୍ଦ୍ର ମନ୍ତ୍ରୀ ପରିଷଦରେ ଓଡ଼ିଶାକୁ ଉଚିତ ପ୍ରତିନିଧିତ୍ୱ ମିଳି ନଥିବାରୁ ଦଳ ସମାଲୋଚିତ ହେଉଛି । ତେଣୁ, ମହତାବଙ୍କ ଭାଗ୍ୟ ଖୋଲିବ ବୋଲି ଆଶା କରାଯାଉଛି । ଅପରପକ୍ଷରେ, ଆନ୍ଧ୍ର ପ୍ରଦେଶ ବିଜେପି ସଭାପତି ଡି.ପୁରୁୁନେ୍ଦଶ୍ୱରୀ ମଧ୍ୟ ଏହି ଦୌଡରେ ଅଛନ୍ତି । ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ତେଲୁଗୁ ଦେଶମ ପାର୍ଟି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁଙ୍କ ସେ ଅତି ନିକଟ ସଂପର୍କୀୟ ହୋଇଥିବାରୁ ବିଜେପି ତାଙ୍କୁ ପ୍ରାର୍ଥୀ କରି ନାଇଡୁଙ୍କୁ ନିରବ କରିପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ତାଲିକାରେ ଅନ୍ୟ କିଛି ବରିଷ୍ଠ ନେତାଙ୍କ ନାମ ମଧ୍ୟ ରହିଛି । ତେବେ, ପ୍ରଧାନମନ୍ତ୍ରୀ ମୋଦୀ ଜନ ୨୫ ତାରିଖ ଦିନ ବାଚସ୍ପତି ପ୍ରାର୍ଥୀଙ୍କ ନାମ ଘୋଷଣା କରି ରହସ୍ୟ ଉପରୁ ପରଦା ଉଠାଇବେ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ଲୋକସଭା ବାଚସ୍ପତି, ଉପ ବାଚସ୍ପତି ନିର୍ବାଚନ ଏବଂ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବକୁ ନେଇ ସଂସଦର ଉଭୟ ଗୃହରେ ଚର୍ଚ୍ଚା ଉଭୟ ଶାସକ ଓ ବିରୋଧୀ ମେଂଟ ପାଇଁ ଗୁରୁତ୍ୱପୂର୍ଣ୍ଣ । ଲୋକସଭାରେ ବିଜେପିର ସ୍ଥିତି ସାମାନ୍ୟ ମଳିନ ଥିଲେ ମଧ୍ୟ ଏନଡିଏ ମେଂଟ ସରକାରଙ୍କୁ ସୁରକ୍ଷା ଦେବା ଅବସ୍ଥାରେ ରହିଛି । ସେହିଭଳି, ବିରୋଧୀ ମେଂଟ ଏଥର ୨୩୪ ଆସନରେ ବିଜୟୀ ହୋଇ ଲୋକସଭାରେ ନିଜ ସ୍ଥିତି ସୁଦୃଢ କରିଛି ଓ ଗୃହରେ ଫଳପ୍ରଦ ଭାବେ ସରକାରଙ୍କୁ ମୁକାବିଲା କରିବାରେ ସଫଳ ହେବ ବୋଲି ଆଶା ରଖିଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଲୋକସଭାରେ ବିରୋଧୀ ମେଂଟର ନେତୃତ୍ୱ ନେବା ସମ୍ଭାବନା ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନକୁ ସରଗରମ କରିବା ଆଶା କରାଯାଉଛି । ମୋଦୀ ସରକାର ପରିବର୍ତ୍ତିତ ପରିସ୍ଥିତିରେ କିଭଳି ସହମତି ଭିତ୍ତିରେ ସରକାର ଚଳାଇବାକୁ ଯାଉଛନ୍ତି – ତାହା ଏହି ପ୍ରଥମ ଅଧିବେଶନରୁ ସ୍ପଷ୍ଟ ହୋଇଯିବ ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS