ରତ୍ନଭଣ୍ଡାର ରାଜନୀତି – ଆଇନ ମନ୍ତ୍ରୀ କ୍ଷୁବ୍ଧ କାହିଁକି ?


ପ୍ରସାଦ ରାଓ
ଭୁବନେଶ୍ୱର, ଜୁନ ୨୦
ସଦ୍ୟ ସମାପ୍ତ ଓଡ଼ିଶା ବିଧାନସଭା ନିର୍ବାଚନରେ ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଚାବି ହଜିବା ଅନ୍ୟତମ ମୁଖ୍ୟ ପ୍ରସଙ୍ଗ ଥିଲା । ଏହି ପ୍ରସଙ୍ଗ ଉଠାଇ ବିଜେପି ରାଜ୍ୟରେ ୨୪ ବର୍ଷର ବିଜେଡ଼ି ସରକାରକୁ ଘେରିଥିଲା । ରତ୍ନଭଣ୍ଡାର ଚାବି ହଜିବା ଏବଂ ବିରୋଧୀଙ୍କ ଚାପରେ ରାଜ୍ୟ ସରକାର ରତ୍ନଭଣ୍ଡାରର ଡୁପ୍ଲିକେଟ ଚାବି ମିଳିଛି ବୋଲି ସଫେଇ ଦେଇ ମାମଲାକୁ ଥଣ୍ଡା କରିବାକୁ ଉଦ୍ୟମ କରିବା ବିଜେଡ଼ିକୁ ସନ୍ଦେହ ଘେରକୁ ଟାଣି ଆଣିଥିଲା । ସେତେବେଳେ ବିରୋଧୀ ଆସନରେ ଥିବା ବିଜେପି ନେତାମାନେ ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣାର ସିବିଆଇ ତଦନ୍ତ ପାଇଁ ଦାବି କରି ସରକାରଙ୍କୁ ଘେରି ଥିଲେ ମଧ୍ୟ କେନ୍ଦ୍ରରେ କ୍ଷମତାରେ ଥିବା ବିଜେପି ସରକାର ନିରବ ରହିବାରୁ ବିଜେପି ରାଜ୍ୟ ନେତାମାନେ ମୁହଁ ବନ୍ଦ ରଖିବାକୁ ମାଧ୍ୟ ହୋଇଥିଲେ । ସିବିଆଇ ରାଜ୍ୟ ସରକାରଙ୍କ ଚିଟଫଣ୍ଡ୍ ଦୁର୍ନୀତିକୁ ଯେଭଳି ଥଣ୍ଡାବାକ୍ସରେ ପକାଇ ଦେଇଛି ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ମାମଲାରେ ମଧ୍ୟ ସେଭଳି ହେବା ସମସ୍ତେ ଆଶଙ୍କା କରୁଥିଲେ । ତେଣୁ, ରତ୍ନଭଣ୍ଡାର ଚାବି ହଜିବା ଘଟଣାର ସିବିଆଇ ତଦନ୍ତ ଦାବି ଶୀତଳ ଭଣ୍ଡାରକୁ ଚାଲି ଯାଇଥିଲା । କିନ୍ତୁ, ଗତ ବିଧାନସଭା ନିର୍ବାଚନରେ ବିଜେପି ‘ଓଡ଼ିଆ ଅସ୍ମିତା’କୁ ପ୍ରସଙ୍ଗ କରି ନିର୍ବାଚନ ମଇଦାନରେ ଉତୁରି ଥିଲା । ପୁରୀ ଶ୍ରୀମନ୍ଦିର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ, କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବିଜେପିର ବରିଷ୍ଠ ନେତାମାନେ ରାଜ୍ୟ ବିଜେଡ଼ି ସରକାରଙ୍କୁ ଆକ୍ରମଣ କରିଥିଲେ । ଯେଉଁଥିରେ କି ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ସାମିଲ ହୋଇଥିଲେ । ରାଜ୍ୟରେ ବିଜେପି ସରକାର ଆସିଲେ ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିଥିବା ଘଟଣାର ତଦନ୍ତ କରାଯାଇ ଯିଏ ଦାୟୀ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେମାନେ ପ୍ରତିଶ୍ରୁତି ଦେଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ସରକାରଙ୍କୁ ଘେରିବାକୁ ଯାଇ ବିଜେପି ସରକାର ରାଜ୍ୟର ଚିଟଫଣ୍ଡ୍ କ୍ଷତିଗ୍ରସ୍ତ ପରିବାରଙ୍କୁ ମଧ୍ୟ ତୁରନ୍ତ ସେମାନଙ୍କ ବିନିଯୋଗ ହୋଇଥିବା ଅର୍ଥ ଫେରାଇବେ ବୋଲି ଆଶ୍ୱସ୍ତ କରିଥିଲେ । ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ରାଜ୍ୟବାସୀଙ୍କ ପାଇଁ ଏକ ଆବେଗିକ ପ୍ରସଙ୍ଗ ଥିଲା । ସେହିଭଳି, ଚିଟଫଣ୍ଡ୍ ଠକେଇରେ ସର୍ବସ୍ୱାନ୍ତ ହୋଇଥିବା ପରିବାର ସବୁ ରାଜ୍ୟ ସରକାରଙ୍କ ପ୍ରତି ଆସ୍ଥା ହରାଇ ସାରିଥିଲେ । ରାଜ୍ୟରେ ବିଜେପି ଶାସନକୁ ଆସିଲେ ଚିଟଫଣ୍ଡ୍ କ୍ଷତିଗ୍ରସ୍ତ ସେମାନଙ୍କ କଷ୍ଟାର୍ଜିତ ପୁଂଜି ଫେରି ପାଇବେ ଏବଂ ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯାଇ ତାହାର ଅନୁଧ୍ୟାନ କରାଯିବା ପରେ ଯଦି କିଛି ଗଫଲତି ଥାଏ କାର୍ଯ୍ୟାନୁଷ୍ଠାନ ହେବ – ସେହି ବିଶ୍ୱାସରେ ରାଜ୍ୟବାସୀ ଆଖି, କାନ ବନ୍ଦ ରଖି ବିଜେପି ସପକ୍ଷରେ ଆଶାତୀତ ମତଦାନ କରିଥିଲେ । ରାଜ୍ୟରେ ଲମ୍ବା ବଜେଡ଼ି ଶାସନର ମୂଳେତ୍ପାଟନ କରି ବିଜେପି କ୍ଷମତାକୁ ଆସିଛି । ଲୋକସଭାରେ ବିଜେଡ଼ି ମୂଳପୋଛ ହୋଇଯାଇଥିବା ବେଳେ ରାଜ୍ୟ ବିଧାନସଭାରେ ୧୪୭ରୁ ୭୮ ଆସନରେ ବିଜୟୀ ହୋଇ ସରକାର କରିଛି । ବିଜେପିର ଜଣେ ସରଳ ଆଦିବାସୀ ନେତା ମୋହନ ଚରଣ ମାଝୀ ରାଜ୍ୟର ପ୍ରଥମ ମୁଖ୍ୟମନ୍ତ୍ରୀ (ବିଜେପିର) ହୋଇଛନ୍ତି । ମାଝୀ କ୍ଷମତାକୁ ଆସୁ ଆସୁ ପ୍ରଥମ କ୍ୟାବିନେଟ ବୈଠକ ଡାକି ଶ୍ରୀମନ୍ଦିରର ଚାରି ଦ୍ୱାର (କୋଭିଡ଼ ସମୟରୁ ମନ୍ଦିରର ସିଂହଦ୍ୱାର ବ୍ୟବତୀତ ଅନ୍ୟ ତିନିଟି ଦ୍ୱାର ବନ୍ଦ ଥିଲା) ଖୋଲିବା ନଷ୍ପତ୍ତି ନେବା ସହ ତାହାକୁ କାର୍ଯ୍ୟକାରୀ କରିଛନ୍ତି । ଶ୍ରୀମନ୍ଦିରର ସୁପରିଚାଳନା ନିମନ୍ତେ ସରକାର ୫୦୦ କୋଟି ଟଙ୍କାର କର୍ପସ ପାଂଠି ଗଠନ କରିବେ ବୋଲି ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ସମସ୍ତ ଜଗନ୍ନାଥ ପ୍ରେମୀଙ୍କୁ ଆନନ୍ଦିତ କରିଛି । ଶ୍ରୀମନ୍ଦିରର ରତ୍ନଭଣ୍ଡାର ଖୋଲିବାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣାକୁ ସମସ୍ତେ ଅପେକ୍ଷା କରିଥିବା ବେଳେ ଗତକାଲି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ଏକ ସୁଖଦ ଖବର ବାହାରକୁ ଆସିଥିଲା ଏବଂ ରାଜ୍ୟବାସୀଙ୍କ ଆନନ୍ଦକୁ ବହୁଗୁଣିତ କରିଥିଲା । ଜୁଲାଇ ୮ ତାରିଖରେ ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବ ବୋଲି ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟିର ଗତକାଲିର ବୈଠକରେ ନିଷ୍ପତ୍ତି ହୋଇଥିବା ନେଇ ଏଏସଆଇ (ଆର୍କୋଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆ)ର ଜଣେ ଅଧିକାରୀ (ସୁପରିଟେଣ୍ଡେଂଟ ଡି.ବି.ଗଡନାୟକ) ଗଣମାଧ୍ୟମକୁ ସୂଚିତ କରିବା ପରେ ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ତାହାକୁ ଖଣ୍ଡନ କରି ବିବୃତି ରଖିବା ସମସ୍ତଙ୍କୁ ବିସ୍ମିତ କରିଛି । ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ନେଇ ରାଜ୍ୟ ସରକାର କୌଣସି ନିଷ୍ପତ୍ତି ନେଇ ନାହାନ୍ତି । ଜୁଲାଇ ୮ ତାରିଖରେ ରତ୍ନଭଣ୍ଡାର ଖୋଲିବ ନାହିଁ । କେବେ ରତ୍ନଭଣ୍ଡାର ଖୋଲିବ, ରାଜ୍ୟ ସରକାର ତାହାର ତାରିଖ ଧାର୍ଯ୍ୟ କରିବେ ବୋଲି ଆଇନ ମନ୍ତ୍ରୀ ହରିଚନ୍ଦନ ବୟାନ ରଖିଛନ୍ତି । ଏଏସଆଇ ରାଜ୍ୟ ଅଧ୍ୟକ୍ଷ ଗଡନାୟକ କେନ୍ଦ୍ର ସରକାରଙ୍କ କର୍ମଚାରୀ ହୋଇଥିଲେ ମଧ୍ୟ ୮ ତାରିଖ ରତ୍ନଭଣ୍ଡାର ଖୋଲିବ ବୋଲି ଗଣମାଧ୍ୟମରେ ବୟାନ ରଖିଥିବାରୁ ତାହା ବିଭ୍ରାନ୍ତିକର କହି ମନ୍ତ୍ରୀ ଗଡନାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି । ଗଣମାଧ୍ୟମ ପ୍ରତିନିଧିମାନେ ମନ୍ତ୍ରୀଙ୍କୁ ଗୁଡାଇ ତୁଡାଇ ପ୍ରଶ୍ନ କରିବାରୁ ସେ ଚିହିଁକି ଉଠିଥିଲେ ଏବଂ ସେ ଯାହା କହୁଛନ୍ତି ତାହା ହିଁ ଠିକ୍ ବୋଲି ଜୋର ଦେଇ କହିଥିଲେ । ରାଜ୍ୟ ଆଇନ ମନ୍ତ୍ରୀଙ୍କ କ୍ରୋଧକୁ ଦେଖି ଏଏସଆଇ ସୁପରିଟେଣ୍ଡେଂଟ ଗଡନାୟକ ନିଜ ବକ୍ତବ୍ୟରୁ ଓହରି ଯାଇଛନ୍ତି । ରାଜ୍ୟ ସରକାରଙ୍କ ଆଇନ ବିଭାଗ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ଜାରି ହୋଇଛି । ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟି ପକ୍ଷରୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ନେଇ କୌଣସି ପ୍ରସ୍ତାବ ସରକାରଙ୍କ ହସ୍ତଗତ ହୋଇନାହିଁ, ସରକାର ରତ୍ନଭଣ୍ଡାର ଖୋଲିବା ନେଇ କୌଣସି ନିଷ୍ପତ୍ତି ନେଇ ନାହାନ୍ତି । ରାଜ୍ୟ ସରକାର ଏହାର ତାରିଖ ଧାର୍ଯ୍ୟ କରିବେ ବୋଲି ସେଥିରେ କୁହାଯାଇଛି । ମନ୍ତ୍ରୀଙ୍କ ବୟାନ ଓ ଆଇନ ବିଭାଗର ପ୍ରେସ ବିଜ୍ଞପ୍ତି ଗଣମାଧ୍ୟମକୁ ଆସିବା ପରେ ଜୁଲାଇ ୮ ତାରିଖରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବ ବୋଲି ଯେଉଁମାନେ ଖୁସିରେ ସାମାଜିକ ଗଣମାଧ୍ୟମରେ ବୟାନବାଜୀ ଚଳାି ଥିଲେ ସେମାନେ ନିରାଶ ହୋଇଛନ୍ତି । ଯେଉଁ ନେତାମାନେ ରତ୍ନଭଣ୍ଡାର ଚାବିକୁ ନେଇ ନିର୍ବାଚନ ସମୟରେ ତୁମ୍ବିତୋଫାନ କରୁଥିଲେ ଶ୍ରୀମନ୍ଦିର ପରିଚାଳନା କମିଟିର ନିଷ୍ପତ୍ତି ଶୁଣିବା ପରେ ସେମାନେ ୟୁ-ଟର୍ଣ୍ଣ ମାରିବାର କାରଣ କଣ ହୋଇପାରେ ବୋଲି ଏବେ ପ୍ରଶ୍ନ ହେଉଛି । ବୋଧହୁଏ ମନ୍ତ୍ରୀ ନିଜେ ଯାହା ଘୋଷଣା କରିବାକୁ ଚାହୁଁଥିଲେ ତାହା ଏଏସଆଇ ପୁରୀ ସର୍କଲ ସୁପରିଟେଣ୍ଡେଂଟ ଆଗୁଆ ଗଣମାଧ୍ୟମରେ ଘୋଷଣା କରିବାରୁ ମନ୍ତ୍ରୀ ହରିଚନ୍ଦନ କ୍ଷୁବ୍ଧ ଥିବା କିଛି ଲୋକ ଅନୁମାନ କରୁଛନ୍ତି । ଗତକାଲିର ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀରବିକ୍ରମ ଯାଦବ, ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଏସପି ପିନାକ ମିଶ୍ର, ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ, ଏଏସଆଇ ଅଧିକ୍ଷକ ଗଡନାୟକ ଓ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ । ବୈଠକରେ ରତ୍ନଭଣ୍ଡାର ଖୋଲିବା ଉପରେ ଆଲୋଚନା ହୋଇଥିଲା । ଏଏସଆଇର ବୈଷୟିକ କମିଟି ଓ ରାଜ୍ୟ ସରକାରଙ୍କ ରତ୍ନଭଣ୍ଡାର କମିଟି ଉପସ୍ଥିତିରେ ଜୁଲାଇ ୮ ତାରିଖ ଦିନ ରତ୍ନଭଣ୍ଡାର ଖୋଲାଯିବ । ସେଦିନ ଏହାର ଆଭ୍ୟନ୍ତରୀଣକୁ ସ୍ଥିତିକୁ ଅନୁଧ୍ୟାନ କରାଯବା ପରେ କଣ ପଦକ୍ଷେପ ନିଆଯିବ ତାହାର ନୀତିଗତ ନିଷ୍ପତ୍ତି ନିଆଯିବ ବୋଲି ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ହୋଇଥିଲା । ୨୦୧୮ ମସିହା ଅନୁଧ୍ୟାନ ରିପୋର୍ଟରେ ମଧ୍ୟ ରତ୍ନଭଣ୍ଡାର ଅସୁରକ୍ଷିତ ଅବସ୍ଥାରେ ଥିବା ଦର୍ଶାଯାଇଥିଲା । ନଭେମ୍ବର ୨୮ ତାରିଖରେ ବାହାର କାନ୍ଥ ଅନୁଧ୍ୟାନ ବେଳେ ରତ୍ନଭଣ୍ଡାର କାନ୍ଥ ଓ କାନ୍ଥର ସଂଯୋଗ ସ୍ଥଳରେ ଫାଟ ଥିବା ଜଣାପଡିଥିଲା । ମୌସୁମୀ ବର୍ଷାରେ ରତ୍ନଭଣ୍ଡାରରେ ପାଣି ପଶିବା ସମ୍ଭାବନା ଅଧିକ ଥିବାରୁ ରତ୍ନଭଣ୍ଡାର ଖୋଲି ଦେଖିବା ପରେ ଯଦି ଆବଶ୍ୟକ ପଡେ ଭିତର ପାଶ୍ୱର୍ର ଲେଜର ସ୍କାନିଂ କରାଯିବ ବୋଲି ଗଡନାୟକ ଗତକାଲି କହିଥିଲେ । ଏଏସଆଇ ଦାୟିତ୍ୱ ହେଉଛି ସଂରକ୍ଷଣ, ଅଳଙ୍କାର ଗଣତି, ମଣତି ରତ୍ନଭଣ୍ଡାର କମିଟି ଦେଖିବେ ବୋଲି ମଧ୍ୟ ସେ କହିଥିଲେ । ଶ୍ରୀମନ୍ଦିର ରିଚାଳନା କମିଟି ବୈଠକରେ ଗଡନାୟକ ଉପସ୍ଥିତ ଥିଲେ ଓ ବୈଠକ ସରିବା ପରେ ଗଣମାଧ୍ୟମରେ ବୟାନ ରଖିଥିଲେ । ରାଜ୍ୟ ଆଇନ ମନ୍ତ୍ରୀ ଏଥିରେ କ୍ଷୁବ୍ଧ ହେବାର କାରଣ କଣ ଜଣାପଡୁନି । ୧୯୭୮ ମସିହାରେ ଶେଷ ଥର ପାଇଁ ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯାଇ ସେଥିରେ ଥିବା ଅଳଂକାରର ଗଣତି, ମଣତି ହୋଇଥିଲା ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS