କେଜରୀୱାଲଙ୍କୁ ଜାମିନ, ଅସ୍ଥାୟୀ ଭାବେ ବାତିଲ – ହିନସ୍ତାରେ ମୁଖ୍ୟମନ୍ତ୍ରୀ !


ପ୍ରସାଦ ରାଓ
ନୂଆଦିଲ୍ଲୀ, ଜୁନ ୨୧
ଦିଲ୍ଲୀ ଅବକାରୀ ନୀତିର କାର୍ଯ୍ୟକାରିତାରେ ଦୁର୍ନୀତି ମାମଲାରେ କେନ୍ଦ୍ର ସରକାରଙ୍କ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଦ୍ୱାରା ଗିରଫ ହୋଇ ତିହାର ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲଙ୍କ ହିନସ୍ତା ବଢିବାରେ ଲାଗିଛି । ମାର୍ଚ୍ଚ ୨୧ ତାରିଖ ରାତିରେ ଇଡି ପିଏମଏଲଏ ମାମଲାରେ ତାଙ୍କୁ ଗିରଫ କରିଥିଲେ । ଏପ୍ରିଲ ୦୧ ତାରିଖରୁ ସେ ତିହାର ଜେଲରେ ରହିଛନ୍ତି । ନିର୍ବାଚନ ସମୟରେ ସୁପ୍ରିମ କୋର୍ଟ ତାଙ୍କୁ ନିର୍ବାଚନ ପ୍ରଚାର ପାଇଁ ୨୧ ଦିନିଆ ଅନ୍ତରୀଣ ଜାମିନ ଦେଇଥିଲେ । ଜାମିନ ସମୟ ସରିବା ପରେ ସେ ଜେଲକୁ ଫେରି ଯାଇଛନ୍ତି । କେଜରୀୱାଲ ସୁପ୍ରିମ କୋର୍ଟଙ୍କ ନିର୍ଦେଶ ଅନୁସାରେ ନିମ୍ନ ଅଦାଲତ ଦିଲ୍ଲୀର ରାଉଜ ଏଭିନ୍ୟୁ କୋର୍ଟରେ ଜାମିନ ଆବେଦନ କରିଥିଲେ । ଗତକାଲି ନିମ୍ନ ଅଦାଲତ ତାଙ୍କ ଆବେଦନର ବିଚାର କରି ଜାମିନ ମଂଜୁର କରିଛନ୍ତି । ୪୮ ଘଂଟା ପାଇଁ ଏହି ଆଦେଶ ସ୍ଥଗିତ ରଖାଯିବାକୁ ଇଡି କରିଥିବା ଆବେଦନକୁ ତଳ କୋର୍ଟ ଖାରଜ କରିଥିଲେ । କେଜରୀୱାଲ ଆଜି ଜେଲରୁ ଖଲାସ ହେବାକୁ ଥିବାରୁ ତାଙ୍କ ରାଜନୈତିକ ଦଳ ଆମ୍ ଆଦମୀ ପାର୍ଟି (ଆପ୍) ନେତାମାନେ ଖୁସି ମନାଉ ଥିଲେ । ତେବେ, କେଜରୀୱାଲ ଜେଲରୁ ମୁକୁଳିବା ପୂର୍ବରୁ ଇଡି ପକ୍ଷରୁ ଆଜି ଦିଲ୍ଲୀ ହାଇକୋର୍ଟରେ ଏକ ଜରୁରୀ ଆବେଦନ କରାଯାଇ ତଳ କୋର୍ଟ ରାୟ ରଦ୍ଦ କରାଯିବାକୁ ନିବେଦନ କରାଯାଇଛି । ହାଇକୋର୍ଟ ମଧ୍ୟ ଇଡି ଆବେଦନ ଉପରେ ସବିଶେଷ ଶୁଣାଣୀ ପର୍ଯ୍ୟନ୍ତ ତଳ କୋର୍ଟର ଜାମିନ ଆଦେଶ ଉପରେ ଅସ୍ଥାୟୀ ରୋକ୍ ଲଗାଇ ଦେଇଛନ୍ତି । ଇଡି ପକ୍ଷରୁ ହୋଇଥିବା ଆବେଦନର ଶୁଣାଣୀ ସରିବା ପର୍ଯ୍ୟନ୍ତ କେଜରୀୱାଲଙ୍କ ଜାମିନ ନେଇ ତଳ କୋର୍ଟଙ୍କ ଆଦେଶ ଅସ୍ଥାୟୀ ଭାବେ ସ୍ଥଗିତ ରହିଲା ବୋଲି ଦିଲ୍ଲୀ ହାଇକୋର୍ଟର ଏକ ଖଣ୍ଡପୀଠ ଆଜି ଶୁଣାଇ ଦେଇଛନ୍ତି । ଆଜି ଇଡି ପକ୍ଷରୁ ଅତିରିକ୍ତ ସଲିସିଟର ଜେନେରାଲ (ଏଏସଜି) ଏସ.ଭି.ରାଜୁ ଦିଲ୍ଲୀ ହାଇକୋର୍ଟରେ ପିଟିସନ ଦାଖଲ କରି ରାଉଜ ଏଭିନ୍ୟୁ କୋର୍ଟର ଆଦେଶକୁ ଚ୍ୟାଲେଂଜ କରିଥିଲେ । ତଳ କୋର୍ଟ ଯେଉଁ କାରଣ ଦର୍ଶାଇ କେଜରୀୱାଲଙ୍କ ଜାମିନ ମଂଜୁରୀ କରିଛନ୍ତି ତାହା ତୃଟିପୂର୍ଣ୍ଣ ବୋଲି ସେ ଯୁକ୍ତି ଦର୍ଶାଇଛନ୍ତି । ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ କେଜରୀୱାଲଙ୍କ ପ୍ରତ୍ୟକ୍ଷ ସଂପୃକ୍ତି ନେଇ କୌଣସି ସିଧାସଳଖ ପ୍ରମାଣ ନାହିଁ ବୋଲି ଗତକାଲି ଦିଲ୍ଲୀ ରାଉଜ ଏଭିନ୍ୟୁ କୋର୍ଟ ତାଙ୍କ ଆଦେଶରେ କହିଥିଲେ ଏବଂ କେଜରୀୱାଲଙ୍କୁ ଏକ ଲକ୍ଷ ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ଜାମିନ ମଂଜୁର କରିଥିଲେ । ନିମ୍ନ ଅଦାଲତ ଜାମିନ ମଂଜରୀ ପାଇଁ ଯେଉଁ କାରଣ ଦର୍ଶାଇଛନ୍ତି ତାହା ଠିକ୍ ନୁହେଁ, ଇଡି କୋର୍ଟରେ ଯେଉଁ ତଥ୍ୟ ଉପସ୍ଥାପନ କରିଛି ତାହାକୁ ସଂପୂର୍ଣ୍ଣ ଅଣଦେଖା କରାଯାଇ କେଜରୀୱାଲଙ୍କ ଜାମିନ ମଂଜୁର କରାଯାଇଛି । ତଳ କୋର୍ଟ ଜାମିନ ମଂଜୁର କରିବାରେ କାହାରି ଆପତ୍ତି ନାହିଁ । ତେବେ, ଇଡି ଦ୍ୱାରା ଉପସ୍ଥାପିତ ତଥ୍ୟକୁ ଅଣଦେଖା କରି ଅଭିଯୁକ୍ତଙ୍କ ଜାମିନ ମଂଜୁର କରାଯିବା ତୃଟିପୂର୍ଣ୍ଣ ହୋଇଥିବାରୁ ତାହା ରଦ୍ଦ କରାଯାଉ ବୋଲି ଇଡି ଓକିଲ (ଏଏସଜି) ରାଜୁ ଦିଲ୍ଲୀ ହାଇକୋର୍ଟ ବିଚାରପତି ଜଷ୍ଟିସ ସୁଧୀର କୁମାର ଜୈନ ଓ ଜଷ୍ଟିସ ରବିନ୍ଦର ଦୁଧେଜାଙ୍କ ଖଣ୍ଡପୀଠରେ ଯୁକ୍ତି ଉପସ୍ଥାପନ କରିଥିଲେ । ନିମ୍ନ ଅଦାଲତ ଯଥାଯଥ ତଥ୍ୟକୁ ଅଣଦେଖା କରି ଅଯଥା ତଥ୍ୟ ଆଧାରରେ ଅଭିଯୁକ୍ତଙ୍କ ଜାମିନ ମଂଜୁର କରିବା ଏବଂ ଇଡିର ଯୁକ୍ତିକୁ ଅଣଶୁଣା କରିଦେବା ଜାମିନ ଆଦେଶ ରଦ୍ଦ ପାଇଁ ଯଥେଷ୍ଟ ବୋଲି ରାଜୁ ଦର୍ଶାଇବାରୁ ବିଚାରପତି ଜଷ୍ଟିସ ଜୈନ ଓ ଜଷ୍ଟିସ ଦୁଧେଜାଙ୍କ ଖଣ୍ଡପୀଠ ଇଡିର ଆବେଦନକୁ ଟିକିନିଖି ଅନୁଧ୍ୟାନ କରିବା ପର୍ଯ୍ୟନ୍ତ କେଜରୀୱାଲଙ୍କ ଜାମିନ ଅସ୍ଥାୟୀ ଭାବେ ସ୍ଥଗିତ ରହିଲା ବୋଲି ଆଜି ଶୁଣାଇ ଦେଇଛନ୍ତି । ଏଠାରେ ସୂଚନାଯୋଗ୍ୟ, ୨୦୨୧-୨୨ରେ ଦିଲ୍ଲୀ ସରକାରଙ୍କ ରାଜ୍ୟରେ ନୂତନ ଅବକାରୀ ନୀତିର କାର୍ଯ୍ୟକାରୀ କରି ନୂଆମଦ ଭେଣ୍ଡରଙ୍କୁ ଲାଇସେନ୍ସ ପ୍ରଦାନ କରିଥିଲେ । ଏଥିରେ ବ୍ୟାପକ ଅନିୟମିତତା ଓ ମୋଟା ଅଂକର ଲାଂଚ କାରବାର ହୋଇଥିବା ଦିଲ୍ଲୀର ଉପ ରାଜ୍ୟପାଳ (ଲ୍ୟୁଟିନାଂଟ ଗଭର୍ଣ୍ଣର) ବି.କେ.ସାକ୍ସେନା ସିବିଆଇରେ ଅଭିଯୋଗ କରିବା ପରେ ମାମଲାର ସିବିଆଇ ତଦନ୍ତ ଆରମ୍ଭ ହୋଇଥିଲା । ତଦନ୍ତ ଆରମ୍ଭ ହେବାରୁ ଦିଲ୍ଲୀ ସରକାର ନୂତନ ଅବକାରୀ ନୀତିକୁ ପ୍ରତ୍ୟାହାର କରି ନେଇଥିଲେ । ପରବର୍ତ୍ତୀ ସମୟରେ ସିବିଆଇ ସହ ଇଡି ଏହି ତଦନ୍ତରେ ସାମିଲ ହୋଇ ଆର୍ଥିକ ଅନିୟମିତତା ଅଭିଯୋଗରେ କିଛି ସରକାରୀ ଅଧିକାରୀ, ମଦ ଭେଣ୍ଡର ଓ ରାଜନେତାଙ୍କୁ ଗିରଫ କରିଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ ଆର୍ଥିକ ଅନିୟମିତତାରେ ସିଧାସଳଖ ସଂପୃକ୍ତ ଥିବା ଅଭିଯୋଗରେ ଗତ ମାର୍ଚ୍ଚ ୨୧ ତାରିଖରେ ଗିରଫ ହୋଇଥିବା ବେଳେ ରାଜ୍ୟର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ବର୍ଷେରୁ ଅଧିକ ସମୟ ହେଲା ଗିରଫ ହୋଇ ଜେଲରେ ଅଛନ୍ତି । ‘ଆପ୍’ ରାଜ୍ୟସଭା ସାଂସଦ ସଂଜୟ ସିଂହଙ୍କୁ ମଧ୍ୟ ଇଡି ଗତ ବର୍ଷ ଅକ୍ଟୋବର ମାସରେ ଗିରଫ କରିଥିଲେ । ତେବେ, ଛଅ ମାସ ଜେଲରେ ରହି ସେ ସୁପ୍ର୍ରିମ କୋର୍ଟରୁ ମାଳିଥିବା ଜାମିନରେ ବାହାରେ ଅଛନ୍ତି । ଏକଚାଟିଆ ମଦ ଲାଇସେନ୍ସ ପାଇବା ସକାଶେ ଦକ୍ଷିଣୀ ଲବି କେଜରୀୱାଲ ସରକାରକୁ ଶତାଧିକ କୋଟି ଟଙ୍କା ଲାଂଚ ଦେଇଥିବା ଅଭିଯୋଗ ହୋଇଛି ଏବଂ ଏହି ଲବିର ମୁଖ୍ୟ କୁହାଯାଉଥିବା ତେଲଂଗାନା ରାଜନେତ୍ରୀ କେ.କବିତା (ତେଲେଂଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓଙ୍କ କନ୍ୟା) ମଧ୍ୟ କେଜରୀୱାଲଙ୍କ ଆଗରୁ ଇଡି ଦ୍ୱାରା ଗିରଫ ହୋଇ ତିହାର ଜେଲରେ ଅଛନ୍ତି । କେଜରୀୱାଲ ତାଙ୍କ ଗିରଫଦାରୀକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରର ଏକ ରାଜନୈତିକ ଷଡଯନ୍ତ୍ର ବୋଲି ଅଭିଯୋଗ କରି ଆସୁଥିବା ବେଳେ ବିଜେପି ତାହାକୁ ଅସ୍ୱୀକାର କରୁଛି । ଏହାକୁ ନେଇ ଜାତୀୟ ରାଜନୀତି ସରଗରମ ଥିଲା । ଦିଲ୍ଲୀର ସାତଟି ଯାକ ଲୋକସଭା ଆସନରେ ‘ଆପ୍’ର ପରାଜୟ ପରେ ତାହା କିଛି ମାତ୍ରାରେ ଥମି ଯାଇଛି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS