ପେପରଲିକ୍ ଘଟଣାରେ ପ୍ରଧାନମନ୍ତ୍ରୀ ନିରବ କାହିଁକି ?


ପ୍ରସାଦ ରାଓ
ନୂଆଦିଲ୍ଲୀ, ଜୁନ ୨୨
ଚଳିତ ମାସରେ ଦେଶରେ ମୋଦୀ.୦୩ ସରକାର ଦାୟିତ୍ୱ ନେଉ ନେଉ ଜନଆକ୍ରୋଶର ସମ୍ମୁଖୀନ ହୋଇଛି । ମେ’ ୦୫ ତାରିଖରେ ଅନୁଷ୍ଠିତ ଏନଟିଏର ଏନଇଇଟି-ୟୁଜି ପରୀକ୍ଷା ଫଳ ଜୁନ ୦୪ ତାରିଖରେ ପ୍ରକାଶ ପାଇବା ପରେ ଏହି ପରୀକ୍ଷାରେ ଶତାଧିକ ପରୀକ୍ଷାର୍ଥୀ ଅସ୍ୱାଭାବିକ ଭାବେ ସର୍ବୋଚ୍ଚ ନମ୍ବର ପାଇ ଉତ୍ତୀର୍ଣ୍ଣ ହୋଇଥିବା ସାମ୍ନାକୁ ଆସିଥିଲା । ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ସଦୃଶ ଖୋଳତାଡ କଲା ବେଳେ ଏନଟିଏ ପରୀକ୍ଷାରେ ଅସାଧୁ ଉପାୟ ଅବଲମ୍ନ କରାଯାଇଥିବା ଓ ପରୀକ୍ଷା ପ୍ରଶ୍ନପତ୍ର ଆଗୁଆ ଲିକ୍ ହୋଇଥିବା (ପେପରଲିକ୍) ଭଳି ଗୁରୁତର ଘଟଣା ସାମ୍ନାକୁ ଆସିଥିଲା । ଅଷ୍ଟାଦଶ ଲୋକସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ଦିନ (ଜୁନ ୦୪ ତାରିଖ) ଦିନ ହିଁ ନିଟ୍-ୟୁଜି ପରୀକ୍ଷା ଫଳ ପ୍ରକାଶ ପାଇଥିଲା । ତେଣୁ, କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ଏନଡିଏ ଲଗାତର ତୃତୀୟ ପାଳି ସରକାର କରିିବାରୁ ଆନନ୍ଦ ଉଲ୍ଲାସରେ ଥିବା ବେଳେ ଏନଇଇଟି (ନିଟ୍)-ୟୁଜି ପରୀକ୍ଷାରେ ପେପରଲିକ୍ ହୋଇଥିବା ଅଭିଯୋଗ ସରକାରଙ୍କୁ ଗ୍ରହଣ ଭଳି ଗ୍ରାସ କରିବା ଆରମ୍ଭ କରିଥିଲା । ଏନଟିଏ ପରୀକ୍ଷାରେ ଘୋଟାଲା ଅଭିଯୋଗ ସାମ୍ନାକୁ ଆସିବା ପରେ ସମଗ୍ର ଦେଶରେ ଆନ୍ଦୋଳନ ଓ ପ୍ରତିବାଦ ଯୋଗୁଁ ଅଶାନ୍ତ ବାତାବରଣ ସୃଷ୍ଟି ହୋଇଛି । କେବଳ ପରୀକ୍ଷାର୍ଥୀ ନୁହନ୍ତି, ବିଭିନ୍ନ ଛାତ୍ର ଓ ଯୁବ ସଂଗଠନ ପ୍ରତିବାଦ, ଆନ୍ଦୋଳନରେ ସାମିଲ ହୋଇ ଦେଶବ୍ୟାପୀ ହୋହାଲ୍ଲା କରୁଥିବା ବେଳେ ମୋଦୀ ସରକାରରେ ଦ୍ୱିତୀୟ ଥର ପାଇଁ ଶିକ୍ଷା ମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିବା ଓଡ଼ିଶାର ବିଜେପି ସାଂସଦ ଧର୍ମେନ୍ଦ୍ର ପ୍ରଧାନ ପେପରଲିକ୍ କୁ ନେଇ ସଫେଇ ଦେଇ ଦେଇ କଳା କାଠ ପଡି ଗଲେଣି । ମାମଲା ସୁପ୍ରିମ କୋର୍ଟରେ ପହଂଚି ଦେଶର ସର୍ବୋଚ୍ଚ ଅଦାଲତଙ୍କ ବିଚାରାଧୀନ ରହିଛି । ପେପରଲିକ୍ କୁ ନେଇ ଦେଶବ୍ୟାପୀ ଚାଲିଥିବା ପ୍ରତିବାଦ, ଆନ୍ଦୋଳନ ଥମିବା ନାଁ ନେଉ ନଥିବା ବେଳେ ଶିକ୍ଷା ମନ୍ତ୍ରୀ ପ୍ରଧାନ ପ୍ରତି ଦିନ ଗଣମାଧ୍ୟମରେ ନିଜର ସଫେଇ ରଖୁଛନ୍ତି । ଆନେ୍ଦାଲନକାରୀ ନିଟ୍-ୟୁଜି ପରୀକ୍ଷାର୍ଥୀମାନେ ମେ’ ମାସରେ ହୋଇଥିବା ଏନଟିଏର ନିଟ୍-ୟୁଜି ପରୀକ୍ଷା ସଂପୂର୍ଣ୍ଣ ବାତିଲ କରାଯାଇ ନୂଆରେ ପରୀକ୍ଷା କରାଯିବାକୁ ଏବଂ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ବିଭିନ୍ନ ମେଡିକାଲ କଲେଜରେ ଅଣ୍ଡର ଗ୍ରାଜୁଏଟ ମେଡିକାଲ ପାଠ୍ୟକ୍ରମରେ ଆଡମିଶନ ପାଇଁ ଚାଲିଥିବା କାଉନସିଲିଂ ବନ୍ଦ ରଖାଯିବାକୁ ଦାବି କରୁଥିବା ବେଳେ କେନ୍ଦ୍ର ସରକାର ମେ’ ମାସରେ ଅନୁଷ୍ଠିତ ପରୀକ୍ଷାକୁ ସଂପୂର୍ଣ୍ଣ ଭାବେ ରଦ୍ଦ କରିବା ଓ କାଉନସିଲିଂ ବନ୍ଦ କରିବା ସପକ୍ଷରେ ନାହାନ୍ତି । ମାମଲା ସୁପ୍ରିମ କୋର୍ଟଙ୍କ ବିଚାରାଧୀନ ରହିଛି । ସୁପ୍ରିମ କୋର୍ଟ ମାମଲାର ପ୍ରାଥମିକ ଶୁଣାଣୀ ସମୟରେ ଏନଟିଏ ଦ୍ୱାରା ହୋଇଥିବା ପରୀକ୍ଷାରେ ଯେଉଁ ପରୀକ୍ଷାର୍ଥୀଙ୍କୁ ବିଭିନ୍ନ କାରଣ ଦୃଷ୍ଟିରୁ ଗ୍ରେସ୍ ମାର୍କ ଦିଆଯାଇଛି ତାହା ପ୍ରତ୍ୟାହାର କରିନିଆଯାଇ ସଂପୃକ୍ତ ପରୀକ୍ଷାର୍ଥୀଙ୍କ ପାଇଁ ପୁନଃ ପରୀକ୍ଷା ବ୍ୟବସ୍ଥା କରାଯିବାକୁ ନିର୍ଦେଶ ଦେଇଥିଲେ । ଏଥିସକାଶେ ଅଣ୍ଡର ଗ୍ରାଜୁଏଟ୍ ମେଡିକାଲ ଛାତ୍ରଛାତ୍ରୀଙ୍କ ପାଇଁ ହେବାକୁ ଥିବା କାଉନସିଲିଂ ଉପରେ ରୋକ୍ ଲଗାଇବାକୁ ସୁପ୍ରିମ କୋର୍ଟ ଅଗ୍ରାହ୍ୟ କରିଥିଲେ । ସରକାର ସୁପ୍ରିମ କୋର୍ଟଙ୍କ ଏହି ନିର୍ଦେଶକୁ ଦେଖାଇ ମେ’ ୫ରେ ଅନୁଷ୍ଠିତ ଏନଟିଏର ନିଟ୍-ୟୁଜି ପରୀକ୍ଷା ସଂପୂର୍ଣ୍ଣ ଭାବେ ବାତିଲ ହେବ ନାହିଁ, କାଉନସିଲିଂ ମଧ୍ୟ ଚାଲିବ, ତେବେ ଯେଉଁ କିଛି ପରୀକ୍ଷାର୍ଥୀ ବିଭିନ୍ନ କାରଣରୁ ଗ୍ରେସ୍ ମାର୍କ ପାଇଛନ୍ତି ସେମାନଙ୍କ ଗ୍ରେସ୍ ମାର୍କ ପ୍ରତ୍ୟାହାର କରିନିଆଯାଇ ପୁନଃ ପରୀକ୍ଷା ବ୍ୟବସ୍ଥା ହେବ ବୋଲି ଅଡି ରହିଛନ୍ତି । ଏହା ପ୍ରତିବାଦ ଆନ୍ଦୋଳନ ଥିବା ପରୀକ୍ଷାର୍ଥୀଙ୍କ ପାଇଁ ଗ୍ରହଣୀୟ ହେଉନାହିଁ । କେନଦ୍ର ଶିକ୍ଷାମନ୍ତ୍ରୀଙ୍କ ଲଗାତର ବୟାନ ପରେ ଆନ୍ଦୋଳନ ଛିଡିବା ବଦଳରେ ବଢୁଥିବା ଦେଖିବାକୁ ମିଳୁଛି । କେବଳ ନିଟ୍-ୟୁଜି ପରୀକ୍ଷାର୍ଥୀ ନୁହନ୍ତି, ବିରୋଧୀ ଦଳମାନେ ମଧ୍ୟ ପ୍ରତିବାଦରେ ସାମିଲ ହୋଇ ସରକାରଙ୍କୁ ଘେରୁଥିବା ଓ ମେ’ ମାସରେ ହୋଇଥିବା ନିଟ୍-ୟୁଜି ପରୀକ୍ଷା ସଂପୂର୍ଣ୍ଣ ବାତିଲ ଦାବିରେ ଅଡି ରହିଥିବା ପରିସ୍ଥିତିକୁ ଅଧିକ ଜଟିଳ କରିଛି । ଗଲା ମେ’ ମାସରେ ହୋଇଥିବା ଏନଟିଏର ନିଟ୍-ୟୁଜି ପରୀକ୍ଷାରେ ବ୍ୟାପକ ଘୋଟାଲା ହୋଇଛି ବୋଲି ବିରୋଧୀ ଅଭିଯୋଗ କରୁଥିବା ବେଳେ ପରୀକ୍ଷାରେ ଯଦି ୦.୦୦୦୧ ପ୍ରତିଶତ ଘୋଟାଲା ବି ହୋଇଥାଏ ତାହା ଅକ୍ଷମଣୀୟ ବୋଲି ସୁପ୍ରିମ କୋର୍ଟ କହିଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟ ପକ୍ଷରୁ ନିଟ୍-ୟୁଜି ପରୀକ୍ଷାକୁ ନେଇ ଏନଟିଏ ଓ କେନ୍ଦ୍ର ସରକାରଙ୍କୁ ଜବାବ ତଲବ କରାଯାଇଛି । ଜୁଲାଇ ୦୮ ତାରିଖରେ ସୁପ୍ରିମ କୋର୍ଟ ମାମଲାର ପରବର୍ତ୍ତୀ ଶୁଣାଣୀ କରିବେ । ମାମଲା ଏବେ କୋର୍ଟର ବିଚାରାଧୀନ (ସବ୍-ଜୁଡିସ୍) କହି ସରକାର ବିରୋଧୀଙ୍କ ଅଭିଯୋଗର ଉତ୍ତର ଦେବାରେ ସଂଯମତା ଅବଲମ୍ବନ କରୁଥିବା ବେଳେ ପେପରଲିକ୍ ମାମଲାର ତଦନ୍ତ ଦାୟିତ୍ୱ ସିବିଆଇ ନେଇ ସାରିଛି । ଅପରପକ୍ଷରେ, ବିହାର, ୟୁପି, ଝାଡଖଣ୍ଡ ଭଳି କିଛି ରାଜ୍ୟରେ ପୁଲିସ ଚଢାଉ କରି ପେପରଲିକ୍ ର୍ୟାକେଟ୍ ରେ ସଂପୃକ୍ତ ଥିବା ଅଭିଯୋଗରେ କିଛି ଲୋକଙ୍କୁ ଗିରଫ କରିଛନ୍ତି । ସେମାନଙ୍କୁ ଜେରା କରାଯିବା ବେଳେ ପୂର୍ବରୁ ଅନ୍ୟ ଏକ ପ୍ରଶ୍ନପତ୍ର ଲିକ୍ ମମଲାରେ ସଂପୃକ୍ତ ଥିବା ଅଭିଯୋଗରେ ଗିରଫ ହୋଇ ମିରଟ ଜେଲ ଅନ୍ତେବାସୀ ଥିବା ଜଣେ ବ୍ୟକ୍ତି ଜେଲରୁ ପ୍ରଶ୍ନପତ୍ର ଲିକ୍ ର୍ୟାକେଟ୍ କୁ ପରିଚାଳନା କରୁଥିବା ସାମ୍ନାକୁ ଆସିଲାଣି । ଗଲା ଏକ ସପ୍ତାହରୁ ଅଧିକ ହେଲା ଦେଶରେ ଏତେବଡ ଘୋଟାଲାକୁ ନେଇ ହଇଚଇ ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ଏନେଇ ଆଜି ସୁଦ୍ଧା ମୁହଁ ଖୋଲି ନଥିବା ଦେଶବାସୀଙ୍କୁ ଆଚମ୍ବିତ କରିଛି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ପ୍ରଧାନ ଏକୁଟିଆ ଗଣମାଧ୍ୟମରେ ଅଭିଯୋଗର ଉତ୍ତର ରଖୁଛନ୍ତି ଓ ସରକାରଙ୍କୁ ଭରସା କରିବାକୁ ଆନ୍ଦୋଳନରେ ଥିବା ଯୁବ ପରୀକ୍ଷାର୍ଥୀଙ୍କୁ ନିବେଦନ କରୁଛନ୍ତି । ନିଟ୍-ୟୁଜି ପରୀକ୍ଷାରେ ଯଦି ପ୍ରଶ୍ନପତ୍ରଲିକ୍ ଭଳି ଘୋଟାଲା ହେଉଛି ଭବିଷ୍ୟତରେ ଯଉଁ ଡାକ୍ତରମାନେ ଚିକିତ୍ସା କ୍ଷେତ୍ରକୁ ବାହାରିବେ ସେମାନଙ୍କ ଉପରେ କେତେମାତ୍ରାରେ ଭରସା କରି ହେବ ବୋଲି ବିରୋଧୀ ରାଜନୈତିକ ଦଳମାନେ ପ୍ରଶ୍ନ କରୁଥିବା ବେଳେ ନିଟ୍-ୟୁଜି ପ୍ରଶ୍ନପତ୍ର ଲିକ୍ (ପେପରଲିକ୍) ଅଭିଯୋଗରେ ଜଡିତ ଜଣେ ଅଭିଯୁକ୍ତଙ୍କ ସହ ପୂର୍ବତନ ବିହାର ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ସଂପର୍କ ଅଛି ବୋଲି ବିହାରର ଜଣେ ରାଜନେତା ଅଭିଯୋଗ କରି ବିରୋଧୀ ମେଂଟକୁ ଘେରିବା ଉଦ୍ୟମ କରିଛନ୍ତି । ଅପରପକ୍ଷରେ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିୟନ୍ତ୍ରଣରେ ସମସ୍ତ ତଦନ୍ତକାରୀ ସଂସ୍ଥା ରହିଛି । ଯଦି ସେଭଳି କିଛି ଅଛି, ତାହାର ତଦନ୍ତ ନକରି ଗଣମାଧ୍ୟମରେ ବୟାନବାଜୀ କରିବା ଶାସକ ମେଂଟର ବେକାବୁ ପଣକୁ ପଦାରେ ପକାଉଛି ବୋଲି ତେଜସ୍ୱୀ ପାଲଟା ଅଭିଯୋଗ କରିଛନ୍ତି । ଶାସକ ଓ ବିରୋଧୀ ମେଂଟର ଏଭଳି ଅଭିଯୋଗ, ପ୍ରତ୍ୟାଭିଯୋଗ ମଧ୍ୟରେ ଆଜି କେନ୍ଦ୍ର ଶିକ୍ଷାମନ୍ତ୍ରୀ ପ୍ରଧାନ ଦିଲ୍ଲୀରେ କହିଛନ୍ତି, ଏବେ ଯେଉଁ ପେପରଲିକ୍ ହୋଇଛି ତାହା କିଛି ପରୀକ୍ଷାର୍ଥୀଙ୍କ ମଧ୍ୟରେ ସୀମିତ । ୨୦୦୪ ଓ ୨୦୧୫ଭଳି ବଡ ଧରଣର ନୁହେଁ । ୨୦୦୪ ଓ ୨୦୧୫ରେ ବଡ ଧରଣର ପେପରଲିକ୍ ହେବାରୁ ସଂପୂର୍ଣ୍ଣ ପରିକ୍ଷା ବାତିଲ ହୋଇଥିଲା । ୨୦୨୪ ନିଟ୍-ୟୁଜି ପରୀକ୍ଷା ଯଦି ବାତିଲ କରାଯିବ କଠିନ ପରିଶ୍ରମ କରି ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଲକ୍ଷ, ଲକ୍ଷ ଯୁବକ, ଯୁବତୀ କ୍ଷତିଗ୍ରସ୍ତ ହେବେ । ସୁପ୍ରିମ କୋର୍ଟରେ ମାମଲାର ବିଚାରଣା ଚାଲିଛି । ସର୍ବୋଚ୍ଚ ନ୍ୟାୟାଳୟ ଯେଉଁ ରାୟ ଦେବେ ତାହା ହିଁ ଚୂଡାନ୍ତ । ଏଠାରେ ସୂଚନାଯୋଗ୍ୟ, ଗତ ମେ’ ମାସରେ ଅନୁଷ୍ଠିତ ନିଟ୍-ୟୁଜି ପରୀକ୍ଷାରେ ୬୭ ଜଣ ପରୀକ୍ଷାର୍ଥୀ ୭୨୦ରୁ ୭୨୦ ନମ୍ବର ରଖି ପ୍ରଥମ ସ୍ଥାନରେ ଉତ୍ତୀର୍ଣ୍ଣ ହୋଇଥିବା ବିବାଦର କାରଣ ହୋଇଛି । ଏନଟିଏ (ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି)ର ସଫେଇ ହେଉଛି, ପରୀକ୍ଷା ସମୟରେ ଭୁଲ ପ୍ରଶ୍ନପତ୍ର ବଂଟନ ଏବଂ ତାହା ଦ୍ୱାରା ବିଳମ୍ବରେ ପ୍ରା୍ନପତ୍ର ପାଇ ଉତ୍ତର ଲେଖିବାକୁ ଯଥେଷ୍ଟ ସମୟ ପାଇନଥିବା କିଛି ପରୀକ୍ଷାର୍ଥୀଙ୍କୁ ଗ୍ରେସ୍ ମାର୍କ ଦିଆଯାଇଛି । ମେ’ ୦୫ ତାରିଖରେ ଅନୁଷ୍ଠିତ ନିଟ୍-ୟୁଜି ପରୀକ୍ଷାରେ ପ୍ରାୟ ୨୪ ଲକ୍ଷ ପରୀକ୍ଷାର୍ଥୀ ଭାଗ ନେଇଥିଲେସା ସେଥିରୁ ୧୫୦୦ରୁ ଅଧିକ ପରୀକ୍ଷାର୍ଥୀଙ୍କୁ ଗ୍ରେସ ମାର୍କ ଦିଆଯାଇଛି । ଏନଟିଏ ପକ୍ଷରୁ ଯେଉଁଭଳି ଭାବେ ପରୀକ୍ଷା ପରିଚାଳନା ହୋଇଛି ତାହା ଏକ ‘ଅନୁଷ୍ଠାନର ବିଫଳତା’ । କେନ୍ଦ୍ର ସରକାର ଏନଟିଏର ପରୀକ୍ଷା ପରିଚାଳନାକୁ ଅନୁଧ୍ୟାନ କରି ଆବଶ୍ୟକ ପଦକ୍ଷେପ ନେବାକୁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବେ । କିଛି ସୀମିତ ମାଲପ୍ରାକ୍ସିସ ଅଭିଯୋଗକୁ ନେଇ ସଂପୂର୍ଣ୍ଣ ପରୀକ୍ଷାକୁ ବାତିଲ କରାଯିବା ଅମାନବୀକ ହେବ । ସରକାର ବିହାର ପୁଲିସକୁ ରିପୋର୍ଟ ମାଗିଛନ୍ତି । ରିପୋର୍ଟ ମିଳିବା ପରେ ତାହାକୁ ଅନୁଧ୍ୟାନ କରି ସରକାର ପରବର୍ତ୍ତୀ ପଦକ୍ଷେପ ନେବେ । କେନ୍ଦ୍ର ଶିକ୍ଷାମନ୍ତ୍ରୀ ପ୍ରଧାନ ଆଜି ନୂଆଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀ କରି ଏହା କହିଛନ୍ତି । ନିଟ୍-ୟୁଜି ପରୀକ୍ଷାରେ ହୋଇଥିବା ଘୋଟାଲା ଅଭିଯୋଗ ଆଜି ଦିନରେ ଜାତୀୟ ଓ ଆଂଚଳିକ ଗଣମାଧ୍ୟମରେ ପ୍ରମୁଖ ଚର୍ଚ୍ଚାର ବିଷୟ ହୋଇଛି । ଗଣମାଧ୍ୟମ ମଧ୍ୟ ସରକାରଙ୍କୁ ଘେରୁଛନ୍ତି । ସୋମବାରରୁ ସଂସଦର ପ୍ରଥମ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ବିରୋଧୀ ଏହାକୁ ମୁଖ୍ୟ ପ୍ରସଙ୍ଗ କରି ସରକାରଙ୍କୁ ଘେରିବା ନିଶ୍ଚିତ । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଆଜି ଗଣମାଧ୍ୟମରେ ଯେଉଁ ବୟାନ ରଖିଛନ୍ତି ସଂସଦରେ ମଧ୍ୟ ତାହା ହିଁ କହିବେ । ପେପରଲିକ୍ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ନିରବତାକୁ ନେଇ ବିରୋଧୀ ଏବେ ବାହାରେ ପ୍ରଶ୍ନ କରୁଛନ୍ତି । ସଂସଦରେ ମଧ୍ୟ ପ୍ରଶ୍ନ କରିବେ । ପ୍ରଧାନମନ୍ତ୍ରୀ ସଂସଦରେ ମୁହଁ ଖୋଲିବେ କି ନିରବ ରହିବେ – ତାହା ଆଗକୁ ଜଣାପଡିବ ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS