ସପ୍ତାହାନ୍ତ ରାଜନୀତି – ‘ଜିରୋ ଟଲରାନ୍ସ’ରୁ ‘ଜିରୋ ପିସି’ !


ପ୍ରସାଦ ରାଓ
ଭୁବନେଶ୍ୱର, ଜୁନ ୨୩
ସରକାର ବଦଳିଲେ ସ୍ଲୋଗାନ ବଦଳେ । ୨୪ ବର୍ଷର ବିଜେଡ଼ି ଶାସନରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁର୍ନୀତି ପ୍ରତି ‘ଜିରୋ ଟଲରାନ୍ସ’ ବା ‘ଶୂନ୍ୟ ସହିଷ୍ଣୁତା’ ସ୍ଲୋଗାନ ଦେଇଥିଲେ । ସରକାର ସ୍ୱଚ୍ଛ ରହିଲେ ପ୍ରଶାସନ ସ୍ୱଚ୍ଛ ରହିବ ଏବଂ ସରକାର ଦୁର୍ନୀତିକୁ ରୋକି ପାରିବେ – ଏହା ଥିଲା ରାଜ୍ୟ ସରକାରଙ୍କ ଆଭିମୁଖ୍ୟ । ତେବେ, ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ଅନ୍ୟ କେହି ଦୁର୍ନୀତିରେ ଲଗାମ ଲଗାଇବାରେ ସକ୍ଷମ ହୋଇନଥିଲେ । ୨୪ ବର୍ଷ ପୂର୍ବରୁ ପ୍ରଶାସନିକସ୍ତରରେ ଯେଭଳି ଦୁର୍ନୀତି ଚାଲିଥିଲା, ନବୀନ ସରକାରରେ ମଧ୍ୟ ତାହା ଅବ୍ୟାହତ ଥିଲା । କୌଣସି ସରକାରୀ ବିଭାଗ ଦୁର୍ନୀତିମୁକ୍ତ ନଥିବା ବିଭିନ୍ନ ସମୟରେ ହୋିଥିବା ଦୁର୍ନୀତି ନିର୍ବାରଣ ବିଭାଗର ଚଢାଉ ଓ ଦୁର୍ନୀତିଗ୍ରସ୍ତ ଅଧିକାରୀମାନେ ଧରା ପଡିବା କଥାରୁ ସ୍ପଷ୍ଟ ହୋଇଥିଲା । ବ୍ଲକରୁ ଆରମ୍ଭ କରି ସର୍ବୋଚ୍ଚ ପ୍ରଶାସନିକସ୍ତର ପର୍ଯ୍ୟନ୍ତ ଦୁର୍ନୀତି ଏତେଦୂର ବ୍ୟାପୃତ ଥିଲା ଯେ ମୁଖ୍ୟମନ୍ତ୍ରୀଙ୍କ ଦୁର୍ନୀତି ପ୍ରତି ‘ଜିରୋ ଟଲରାନ୍ସ’ ଏକପ୍ରକାର ପ୍ରହସନରେ ପରିଣତ ହୋଇଥିଲା । ୨୪ ବର୍ଷର ‘ନବୀନ’ ଶାସନ ପରେ ରାଜ୍ୟରେ ବିଜେପିର ‘ମୋହନ’ ଶାସନ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ତାଙ୍କ ମନ୍ତ୍ରୀ ପରିଷଦର ସଦସ୍ୟମାନେ ଜୁନ ୧୨ ତାରିଖରେ ଶପଥ ଗ୍ରହଣ କରି କାର୍ଯ୍ୟ ଆରମ୍ଭ କରିବା ପରେ ନିଜକୁ ‘ଜନତା ସରକାର’ ବୋଲି ପ୍ରତିପାଦିତ କରିବା ଉଦ୍ୟମ ଆରମ୍ଭ କରିଛନ୍ତି । ନୂଆ ନୂଆ ଶାସନକୁ ଆସିଲେ ଯେମିତି ପୁରୁଣା ସରକାରର ଗୋଇ ଖୋଳିବା ଆରମ୍ଭ ହୋଇଯାଏ ତାହା ଏବେ ଦେଖିବାକୁ ମିଳୁଛି । ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନେ ନିଜ ନିଜ ବିଭାଗର ଅଧିକାରୀମାନଙ୍କୁ ଡାକି ସମୀକ୍ଷା କରୁଛନ୍ତି । ବିଭାଗୀୟ କାର୍ଯ୍ୟ ଯେମିତି ଦୁର୍ନୀତି ମୁକ୍ତ ଓ ସ୍ୱଚ୍ଛ ରହିବ ସେଦିଗରେ ସରକାର ସଚେତନ ଥିବା ଦାବି କରୁଛନ୍ତି । ସରକାରକୁ ଆସିବା ପୂର୍ବରୁ ନିର୍ବାଚନ ସମୟରେ ଦଳ ରାଜ୍ୟବାସୀଙ୍କୁ ଯେଉଁସବୁ ପ୍ରତିଶ୍ରୁତି ଦେଇଥିଲା ନୂଆ ସରକାର ସେସବୁ କେମିତି କାର୍ଯ୍ୟକାରୀ କରିବେ ତାହାର ଖସଡା ପ୍ରସ୍ତୁତ କରୁଛନ୍ତି । ମୁଖ୍ୟମନ୍ତ୍ରୀ ମାଝୀ ଶହେ ଦିନିଆ ଖସଡା ପ୍ରସ୍ତୁତ କରି କାର୍ଯ୍ୟ ଆରମ୍ଭ କରିଛନ୍ତି । ସରକାରୀ କଳର ସ୍ୱଚ୍ଛତା ପ୍ରତି ଗୁରୁତ୍ୱ ଦିଆଯାଇ ‘ଜିରୋ ପିସି’ ନୀତି ଘୋଷଣା କରାଯାଇଛି । ରାଜ୍ୟର ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମ ମଧ୍ୟ ସରକାର ପରିବର୍ତ୍ତନ ପରେ ନୂତନ ମୁଖ୍ୟମନ୍ତ୍ରୀଙ୍କୁ ପାଇ ଉତ୍ସାହିତ । ରାତି ଦିନ ମୁଖ୍ୟମନ୍ତ୍ରୀ ମାଝୀଙ୍କ ସ୍ତୁତିଗାନ ଚାଲିଛି । ନବୀନ ସରକାରରେ ଗଣମାଧ୍ୟମର କଂଠରୋଧ ହୋଇଥିଲା । ରାଜ୍ୟ ସଚିବାଳୟ ବା ଲୋକ ସେବା ଭବନ ଏବଂ ରାଜ୍ୟ ବିଧାନସଭାରେ ସ୍ୱୀକୃତିପ୍ରାପ୍ତ ସାମ୍ବାଦିକଙ୍କ ପ୍ରବେଶ ମଧ୍ୟ ନିଷିଦ୍ଧ ଥିଲା । ଶାସକ ଦଳର ପ୍ରବକ୍ତମାନେ ଯାହା କହୁଥିଲେ ବା ପ୍ରେସ ବିଜ୍ଞପ୍ତି ପଠାଉଥିଲେ ଗଣମାଧ୍ୟମ ତାହାକୁ ଛାପିବାକୁ ବାଧ୍ୟ ହେଉଥିଲେ । ସରକାରଙ୍କୁ ଯଦି କେହି ମୃଦୁ ଭର୍ଛନା କରୁଥିଲେ ତାଙ୍କ ତୁରନ୍ତ ‘ସରକାର ବିରୋଧୀ’ କହି ନାଲି ଆଖି ଦେଖାଇବାକୁ ସରକାରୀ ପ୍ରବକ୍ତାମାନେ ପଛାଉ ନଥିଲେ । ଏପରିକି, ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗ ସରକାରଙ୍କ ଦଲାଲ ସାଜିଥିବା ଛୋଟ ବଡ ଗଣମାଧ୍ୟମ, ଘରୋଇ ୟୁଟ୍ୟୁବ ଚ୍ୟାନେଲ ଓ ୱେବ୍ ପୋର୍ଟାଲକୁ ସ୍ୱୀକୃତି ପ୍ରଦାନ କରି ଦଲାଲି କରୁନଥିବା ଗଣମାଧ୍ୟମଗୁଡିକର ପଂଜୀକରଣ ପାଇଁ ଆବେଦନକୁ ଖତଗଦାକୁ ଫିଙ୍ଗି ଦେଉଥିଲେ । ସରକାରୀ ସ୍ୱୀକୃତି ପାଇଁ ଆବେଦନ କରୁଥିବା ଘରୋଇ ୱେବ୍ ଚ୍ୟାନେଲ ଓ ପୋର୍ଟାଲ ପାଇଁ ଏଭଳି ଅସମ୍ଭବ ସର୍ତ୍ତମାନ ରଖା ଯାଉଥିଲା ଯେ ତାହା ପୂରଣ କରିବା ସମ୍ଭବ ନଥିବାରୁ ଅନେକ ସରକାରଙ୍କ ଗୋଡାଣିଆ ହେବାକୁ ବାଧ୍ୟ ହୋଇଥିଲେ । ଯେଉଁମାନେ ଗୋଡାଣିଆ ହୋଇପାରୁନଥିଲେ ସେମାନେ ନିଜ ଆର୍ଥିକ ସମ୍ବଳ ଅନୁସାରେ ପୋର୍ଟାଲ ଚଳାଉ ଥିଲେ ବା ବନ୍ଦ କରି ଦେଉଥିଲେ । ଶହ ଶହ କୋଟି ଟଙ୍କାର ସରକାରୀ ବିଜ୍ଞାପନ କିଛି ମୁଷ୍ଠିମେୟ ଘରୋଇ ଗଣମାଧ୍ୟମ, ନ୍ୟୁଜ୍ ଚ୍ୟାନେଲ, ୱେବ୍ ପୋର୍ଟାଲ କୁ ଯାଉଥିବା ବେଳେ ଅନ୍ୟାମାନେ ତାହା ଦେଖି ଅସହିଷ୍ଣୁ ହେବା ଛଡା କିଛି କରିପାରୁନଥିଲେ । ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗର ଅଧିକାରୀମାନେ କେତେମାତ୍ରାରେ ଦୁର୍ନୀତିଗ୍ରସ୍ତ ତାହା ଗଣମାଧ୍ୟମ ଶିଳ୍ପ ସହ ସଂପୃକ୍ତ ସମସ୍ତେ ଜାଣନ୍ତି । ବିଜ୍ଞାପନ ଦେବା ଓ ବିଜ୍ଞାପନ ଅର୍ଥ ରିଲିଜ୍ କରିବାରେ ସବୁଠାରୁ ଅଧିକ ପିସି କାରବାର ହୋଇଥାଏ । ଯେଉଁମାନେ ବିଭିନ୍ନ ବାଟରେ ଏହି ବିଭାଗର ପଦସ୍ଥ ଅଧିକାରୀଙ୍କୁ ସନ୍ତୁଷ୍ଟ କରିଥା’ନ୍ତି ସେମାନେ ସୂଚନା ଓ ଲୋକସଂପର୍କ ବିଭାଗର ସ୍ୱୀକୃତି ପାଇଁ କୋଯି କୋଟି ଟଙ୍କା ଉପାର୍ଜନ କରନ୍ତି । ଅନ୍ୟମାନେ ଜଳକା ଭଳି ଚାହିଁ ରହନ୍ତି । ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ଜଣେ ବରିଷ୍ଠ ଅଧିକାରୀ ଅବସର ନେବାର କିଛି ଦିନ ପୂର୍ବରୁ ଅସାଧୁ ଉପାୟରେ ଜଣେ ମହିଳାଙ୍କ ଦ୍ୱାରା ପରିଚାଳିତ ଘରୋଇ ନ୍ୟୁଜ୍ ଚ୍ୟାନେଲକୁ ସରକାରୀ ସ୍ୱୀକୃତି ଚିଠି ହସ୍ତାନ୍ତର କରିବା, ସଂପୃକ୍ତ ଚ୍ୟାନଲରେ ସନ୍ଦିଗ୍ଧ କାର୍ଯ୍ୟକଳାପ ଚାଲିଥିବା ଭିଡ଼ିଓ ପ୍ରସ୍ତୁତ କରି ସଂପାଦିକାଙ୍କୁ ବ୍ଲାକମେଲ୍ ଉଦ୍ୟମ କରିଥିବା ଅଭିଯୋଗରେ ଚ୍ୟାନେଲର କ୍ୟାମେରାମ୍ୟାନଙ୍କୁ ଅପହରଣ କରାଯାଇ ପିଟି ପିଟି ହତ୍ୟା କରାଯିବା ଏବଂ ଏହି ହତ୍ୟାକାଣ୍ଡର ତଦନ୍ତ କରୁଥିବା ପୁଲିସ କ୍ୟାମେରାମ୍ୟାନ ହତ୍ୟା ଘଟଣାରେ ସଂପୃକ୍ତ ଚ୍ୟାନେଲର ସଂପାଦିକଙ୍କ ସହ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗରୁ ସଦ୍ୟ ଅବସର ନେଇଥିବା ବରିଷ୍ଠ ଅଧିକାରୀଙ୍କୁ ଗିରଫ କରି ଜେଲକୁ ପଠାଇବା ଘଟଣା ଓଡ଼ିଶାବାସୀ ପ୍ରାୟତଃ ଭୁଲି ଯାଇଥିବେ । ଭାତ ହାଣିରୁ ଗୋଟିଏ ଚିପିଲା ଭଳି ଏହି ଘଟଣାଟି ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗରେ ଚାଲିଥିବା କେଲେଂକାରୀକୁ ପ୍ରଘଟ କରିବାକୁ ଯଥେଷ୍ଟ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂତନ ମନ୍ତ୍ରୀଙ୍କୁ ବିଭାଗ ବାଂଟିବା ବେଳେ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସଂପର୍କ ମନ୍ତ୍ରଣାଳୟକୁ ନିଜ ପାଖରେ ରଖିଛନ୍ତି । ବିଭାଗୀୟ ଶାସନ ସଚିବ ବଦଳି ନାହାନ୍ତି । ଜୁନ ୧୨ ତାରିଖ ଦିନ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ମାଝୀଙ୍କ ସମେତ ରାଜ୍ୟ ମନ୍ତ୍ରୀ ପରିଷଦର ଅନ୍ୟ ମନ୍ତ୍ରୀମାନେ ଶପଥ ନେଇଥିଲେ । ସେଦିନ ସକାଳ ସୁଦ୍ଧା ଅନେକ ସାମ୍ବାଦିକ ସମାରୋହରେ ଯୋଗ ଦେଇ ଖବର ସଂଗ୍ରହ ପାଇଁ ଅନୁମତିପତ୍ର ପାଇନଥିଲେ ବୋଲି ସାମାଜିକ ଗଣମାଧ୍ୟମରେ ପୋଷ୍ଟ୍ ଦେଖିବାକୁ ମିଳିଥିଲା । ମୁଖ୍ୟମନ୍ତ୍ରୀ ମାଝୀଙ୍କ ନଜରରେ ତାହା ପଡି ଥିଲା କି ନା – ଆମେ ଜାଣି ନାହୁଁ । ତେବେ, ରାଜ୍ୟ ସରକାରଙ୍କ ଆଡୁ କୌଣସି ପ୍ରତିକ୍ରିୟା ନଥିଲା । ଏଥିରୁ ନବୀନ ସରକାର ଓ ମୋହନ ସରକାର ମଧ୍ୟରେ ପ୍ରଭେଦ ଅଛି ବୋଲି କେମିତି କହି ହେବ ? ଆଉ ପିସି ବନ୍ଦ ! – ନୂଆ ନୂଆ ସରକାର କରିବା ସମୟରେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ପରିଷଦ ସଦସ୍ୟମାନେ ଏଭଳି ଜନପ୍ରିୟ ପ୍ରତିଶ୍ରୁତି ଦେଇ ନିଜକୁ ଭିନ୍ନ ବୋଲି ପ୍ରତିପାଦିତ କରିବାକୁ ଉଦ୍ୟମ କରନ୍ତି । ସରକାର ଚାଲିବା ସହ ପିସିରେ ଅଭ୍ୟସ୍ତ ସରକାରୀ କଳ ମଧ୍ୟ ନିଜ ଅଭ୍ୟାସକୁ ନେଇ ଚାଲିଥାଏ । ମୁଖ୍ୟମନ୍ତ୍ରୀ ଚାହିଲେ ଯଦି ତାହା ବନ୍ଦ ହୋଇଯାଉଥା’ନ୍ତା ତେବେ ବିଦାୟୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୁର୍ନୀତି ପ୍ରତି ‘ଜିରୋ ଟଲରାନ୍ସ’ ସ୍ଲୋଗାନ ମାଝୀ ସରକାର ଆଗରେ ଏକ ମାଇଲଖୁଂଟ ହୋଇଥା’ନ୍ତା । ନୂଆ ସରକାର ଆସିବା ପରେ ଆଉ ଗୋଟିଏ କଥା ଦେଖିବାକୁ ମିଳିଛି । ପୂର୍ବ ସରକାରମାନଙ୍କ ଭଳି ମୋହନ ସରକାର ମଧ୍ୟ ବିଭିନ୍ନ ସରକାରୀ ବିଭାଗରେ ସଂସ୍କାର ନାମରେ ପୁରୁଣା ସରକାରଙ୍କ ଦ୍ୱାରା ନିଯୁକ୍ତ ବିଭାଗୀୟ ଉପଦେଷ୍ଟା ଓ ବିଭିନ୍ନ ନିଗମର ଅଧ୍ୟକ୍ଷମାନଙ୍କୁ ହଟାଇ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଧାଡିକିଆ ନିର୍ଦେଶରେ ଏହା କାର୍ଯ୍ୟକାରୀ ହୋଇଛି । ଅବଶ୍ୟ, ଏହା ସ୍ୱୀକାର କରିବାକୁ ପଡିବ ଯେ, ବିଗତ ସରକାର ରାଜନୈତିକ ଥଇଥାନ ପାଇଁ ଅନାବଶ୍ୟକ ଭାବେ ନିଜ ଦଳର ବହୁ ନେତାଙ୍କୁ ବିଭିନ୍ନ ବିଭାଗର ଉପଦେଷ୍ଟା ଓ ବିଭିନ୍ନ ନିଗମରେ ଅଧକ୍ଷ ଭାବେ ନିଯୁକ୍ତି ଦେଇଥିଲେ । ସେମାନଙ୍କ ଦରମା, ଗାଡିଘୋଡା, ଗସ୍ତ ଖର୍ଚ୍ଚ ବାବଦରେ ମାସିକ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଥିଲା । ନବୀନଙ୍କ ପୂର୍ବରୁ ରାଜ୍ୟରେ କଂଗ୍ରେସ ସରକାର ଥିଲା ବେଳେ ମଧ୍ୟ ଏଭଳି ବ୍ୟବସ୍ଥା ଥିଲା । ରାଜନୈତିକ ନେତା ଓ କର୍ମୀଙ୍କୁ ଉପଦେଷ୍ଟା, ନିଗମ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇ ରାଜ୍ୟ ରାଜକୋଷରୁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରାଯାଉଥିଲା । ସରକାର ବଦଳିରେ ଲୋକ ବଦଳୁ ଥିଲେ, କିନ୍ତୁ ପଦ ପଦବୀ ବଦଳୁ ନଥିଲା । ନୂଆ ସରକାରର ଲୋକମାନେ ସେସବୁ ପଦରେ ନିଯୁକ୍ତି ପାଇ କ୍ଷମତା ଭୋଗ କରୁଥିଲେ । ନବୀନ ସରକାରରେ ବିଭିନ୍ନ ସରକାରୀ ବିଭାଗ ଓ ନିଗମରେ ନିଯୁକ୍ତି ପାଇଥିବା ଉପଦେଷ୍ଟା ଓ ନିଗମ ଅଧ୍ୟକ୍ଷମାନେ ‘ନିକମା’ ଜଣାପଡିବାରୁ ସେମାନଙ୍କୁ ହଟାଇ ଦିଆଗଲା ବୋଲି ମୁଖମନ୍ତ୍ରୀ ମାଝୀ ଗତକାଲି ଗଣମାଧ୍ୟମରେ କହିଛନ୍ତି । ଅପବ୍ୟୟ ରୋକିବାକୁ ସରକାରଙ୍କ ପଦକ୍ଷେପ ସ୍ୱାଗତଯୋଗ୍ୟ । ତେବେ, ରାଜ୍ୟ ବିଜେପି ସରକାର ନିଜ ଦଳର ନେତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ପୁରୁଣା ପରଂପରାକୁ ପୁନଃ କାଏମ କରିବେ ନାହିଁ ତ ? ଆଜି ଦିନରେ ଏହା ନିୟୁତ ଡଲାର ପ୍ରଶ୍ନ ହୋଇଛି । ମୋହନ ମାଝୀ ସରକାର ଦାୟିତ୍ୱ ନେବାର ମାତ୍ର ଦଶ ଦିନ ହୋଇଛି । ମନ୍ତ୍ରୀ ପରିଷଦରେ ଅଭିଜ୍ଞ ଓ ମୋଟେ ଅଭିଜ୍ଞତା ନଥିବା ପ୍ରଥମ ଥରର ବିଧାୟକ ମଧ୍ୟ ସ୍ଥାନ ପାଇଛନ୍ତି । ନୂଆ ସରକାରକୁ ନେଇ ରାଜ୍ୟବାସୀଙ୍କ ମନରେ ବେଶ ଉତ୍ସାହ ରହିଛି । କେବଳ ଅପେକ୍ଷା ରହିଛି – ମୋହନ ମାଝୀଙ୍କ ସରକାର ଆଗକୁ କଣ କରୁଛନ୍ତି ଦେଖିବାକୁ । ମୁଖ୍ୟମନ୍ତ୍ରୀଙ୍କ ପୁଅ ମୁଖ୍ୟମନ୍ତ୍ରୀ ହେବା ଓ ସମାଜର ନିମ୍ନ ବର୍ଗରୁ ଆସି କଠିନ ସଂଘର୍ଷ ପରେ ଜଣେ ଆଦିବାସୀ ନେତା ମୁଖ୍ୟମନ୍ତ୍ରୀ ଆସନରେ ବସିବା ମଧ୍ୟରେ ଭିନ୍ନତା ରହିଛି । ମୋହନ ମାଝୀ ରାଜ୍ୟ ଶାସନରେ ଉଦାହରଣ ସୃଷ୍ଟି କରିବେ ବୋଲି ଆମ ଆଶା କରୁଛୁ । ତେବେ, ରାଜ୍ୟରେ ପିସି ବନ୍ଦ କରି ସରକାରୀ କଳକୁ ସ୍ୱଚ୍ଛ କରିବାରେ ମୁଖ୍ୟମନ୍ତ୍ରୀ କେତେଦୂର ସଫଳ ହେବେ, ତାହା ଆଗାମୀ ଦିନରେ ଜଣାପଡିବ ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS