ସଂସଦ ଅଧିବେଶନ ଆରମ୍ଭ: ‘ଏମର୍ଜେନ୍ସି’ ପ୍ରସଙ୍ଗରେ କଂଗ୍ରେସକୁ ଘେରିଲେ ମୋଦୀ


ପ୍ରସାଦ ରାଓ
ନୂଆଦିଲ୍ଲୀ, ଜୁନ ୨୪
ନିର୍ବାଚନ ସରି ଦେଶରେ ନୂଆ ସରକାର ଗଠନ ହେବା ପରେ ସମ୍ବିଧାନ ଓ ଗଣତନ୍ତ୍ରକୁ ନେଇ ଶାସକ ଓ ବିରୋଧୀ ମେଂଟ ମଧ୍ୟରେ ଆକ୍ଷେପ, ପ୍ରତ୍ୟକ୍ଷେପର ଅବସାନ ଘଟି ନାହିଁ । ଅଷ୍ଟାଦଶ ଲୋକସଭା ନିର୍ବାଚନରେ ବିରୋଧୀ ମେଂଟ ଏହି ପ୍ରସଙ୍ଗକୁ ନେଇ ଶାସକ ମେଂଟକୁ ସାମ୍ନା କରିଥିଲେ । ଦେଶବାସୀ କେନ୍ଦ୍ରରେ ମୋଦୀଙ୍କ ନେତୃତ୍ୱରେ ଏନଡିଏ ସରକାର ଗଠନ ସପକ୍ଷରେ ବହୁମତ ଦେଇଥିଲେ ମଧ୍ୟ ବିଜେପି ସପକ୍ଷରେ ବହୁମତ ଦେଇ ନାହାନ୍ତି । ଅପରପକ୍ଷରେ, ବିରୋଧୀ ମେଂଟ ସରକାର ଗଠନ ପାଇଁ ଆବଶ୍ୟକ ସଂଖ୍ୟା ପାଇନଥିଲେ ସୁଦ୍ଧା ଲୋକସଭାରେ ଏକ ସଶକ୍ତ ବିରୋଧୀ ଦଳ ଭାବେ ଉଭା ହୋଇଛି । ଆଜି ନବଗଠିତ ଲୋକସଭାର ପ୍ରଥମ ଅଧିବେଶନ ଆରମ୍ଭ ହୋଇଛି । ଦୁଇ ପକ୍ଷ ଲୋକସଭାରେ ମୁହାଁମୁହିଁ ହେବାକୁ ଥିବାରୁ ୨୦୨୪ ଲୋକସଭାରେ ବିତର୍କ ପୂର୍ବ ଦୁଇଟି ଲୋକସଭା (୨୦୧୪ ଓ ୨୦୧୯)ଠାରୁ ଭିନ୍ନ ରହିବା ନିଶ୍ଚିତ ହୋଇଛି ।
ଆଜି ସକାଳେ ସଂସଦ ଅଧିବେଶନ ଆରମ୍ଭ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଣମାଧ୍ୟମରେ ବକ୍ତବ୍ୟ ରଖି ୧୯୭୫ ଜୁନ ୨୫ ତାରିଖରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଦେଶରେ ଜାରି କରିଥିବା ‘ଏମର୍ଜେନ୍ସି’ ବା ଜରୁରୀ ପରିସ୍ଥିତି କଥା ମନେ ପକାଇ ଦେଇ ମୁଖ୍ୟ ବିରୋଧୀ ଦଳ କଂଗ୍ରେସକୁ କଡା ଆକ୍ରମଣ କରିଛନ୍ତି । ଆସନ୍ତା କାଲି ଜରୁରୀ ପରିସ୍ଥିତି ଜାରିର ୫୦ ବର୍ଷ ପୂର୍ତ୍ତି ହେଉଛି । ଦେଶର ଗଣତନ୍ତ୍ର ପାଇଁ ୫୦ ବର୍ଷ ତଳର ଏହି ତାରିଖ ଏକ ‘‘କଳା ଦାଗ’’ ହୋଇ ରହି ଯାଇଛି ବୋଲି ସେ କହିଛନ୍ତି । ମୋଦୀ ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ ମଧ୍ୟ ଏନଡିଏ ଅଂଶୀଦାରମାନଙ୍କ ସମର୍ଥନରେ ଏହି ସୌଭାଗ୍ୟ ଅର୍ଜନ କରିଛନ୍ତି । ପୂର୍ବ ଦୁଇଟି ଲୋକସଭାରେ ବିଜେପିର ଏକକ ସଂଖ୍ୟାଗରିଷ୍ଠତା ଥିଲା ଏବଂ ବିଜେପି ସରକାର ଗଢି ଥିଲା । ଏନଡିଏ ଅଂଶୀଦାରମାନେ କେବଳ ସହଯୋଗୀ ଦଳ ଭୂମିକାରେ ରହିଥିଲେ ।
ତେଲୁଗୁ ଦେଶମ ପାର୍ଟି ଓ ଜେଡିୟୁର ସାହାରା ନେଇ ଠିଆ ହୋଇଥିବା ମୋଦୀଙ୍କ ଏହି ତୃତୀୟ ପାଳି ସରକାରରେ ଶାସକ ମେଂଟ ଓ ବିରୋଧୀ ମେଂଟ ପରସ୍ପରକୁ ଘେରିବାକୁ ଯାଉଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏମଜେନ୍ସିକୁ ନେଇ ବୟାନ ବିରୋଧୀ ମେଂଟକୁ ଚେତାବନୀ ଭଳି ହୋଇଛି । ଲୋକସଭାରେ ବିଜେପି ସଂଖ୍ୟାଲଘୁ ଥିଲେ ମଧ୍ୟ ସରକାର ବିରୋଧୀ ମେଂଟକୁ ମୁକାବିଲା କରିବାରେ ଯଥେଷ୍ଟ ଶକ୍ତି ଓ ସାମଥ୍ୟ ରଖିଛନ୍ତି ବୋଲି ମୋଦୀ ଏହି ବୟାନ ମାଧ୍ୟମରେ ସ୍ପଷ୍ଟ କରିଛନ୍ତି । ମୋଦୀ କହିଛନ୍ତି, ବହୁମତରେ ସରକାର ଗଠନ କରିବା ଭିନ୍ନ କଥା । ସରକାର ସହମତିରେ ଚାଲିବ । ତାଙ୍କ ନେତୃତ୍ୱାଧୀନ ସଂଖ୍ୟାଲଘୁ ସରକାର ତିନି ଗୁଣ ଅଧିକ ପରିଶ୍ରମ କରିବ ଓ ଅଧିକ ତିନି ଗୁଣ ବେଗରେ ଦେଶବାସୀଙ୍କୁ ବିକାଶର ସୁଫଳ ଦେବ । ଦେଶ ସ୍ୱାଧୀନ ହେବାର ୬୦ ବର୍ଷ ପରେ ଦେଶବାସୀ ତାଙ୍କ ସରକାରଙ୍କୁ ଲଗାତର ତୃତୀୟ ଥର ପାଇଁ କ୍ଷମତାସୀନ କରିଛନ୍ତି । ଏହାର ଅର୍ଥ ହେଉଛି, ଦେଶବାସୀ ତାଙ୍କ ସରକାରର କାର୍ଯ୍ୟଦକ୍ଷତା ଓ ନିଷ୍ଠାକୁ ସ୍ୱୀକୃତି ଦେଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ଦେଶବାସୀଙ୍କୁ ଇନ୍ଦିରାଙ୍କ ‘ଏମର୍ଜେନ୍ସି’ କଥା ମନେ ପକାଇ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ୧୯୭୫ ମସିହା ଜୁନ ୨୫ ତାରିଖରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଦେଶରେ ଜରୁରୀ ପରିସ୍ଥିତି ଜାରି କରି ଦେଶର ସମ୍ବିଧାନ ଓ ଗଣତନ୍ତ୍ରକୁ ଏକପ୍ରକାର ଅଚଳ କରି ଦେଇଥିଲେ । ଗଣମାଧ୍ୟମର ସ୍ୱାଧୀନତା କ୍ଷୁର୍ଣ୍ଣ ହୋଇଥିଲା । ସମଗ୍ର ଦେଶ ଏକ ଜେଲରେ ପରିଣତ ହୋଇଥିଲା । ଆଗକୁ ଏହାକୁ ହୋକୁ ଦିଆଯିବ ନାହିଁ ବୋଲି ଆସନ୍ତା କାଲି ଏମର୍ଜେନ୍ସର ୫୦ ବର୍ଷ ପୂର୍ତ୍ତି ଅବସରରେ ଶପଥ ନିଆଯିବ । ତାଙ୍କ ସରକାର ସମସ୍ତଙ୍କୁ, ବିଶେଷକରି ଦେଶର ଜନତାକୁ ସାଥିରେ ନେଇ କାର୍ଯ୍ୟ କରିବାକୁ ଉଦ୍ୟମ କରିବ । ତେବେ, ଦେଶବାସୀ ଚାହାନ୍ତି ସଂସଦରେ ବିରୋଧୀ ଦଳ ଦାୟିତ୍ୱବାନ ହୋଇ କାର୍ଯ୍ୟ କରୁ । ଡ୍ରାମାବାଜୀ, ବିଶୃଙ୍ଖଳା ବା ସ୍ଲୋଗାନବାଜୀ ନହୋଇ ଗଠନମୂଳକ ବିତର୍କ ହେଉ । ଦେଶବାସୀଙ୍କ ଏହି ଆକାଂକ୍ଷା ପୂରଣ କରିବାରେ ବିରୋଧୀ ମେଂଟ ସକ୍ଷମ ହେବ ବୋଲି ପ୍ରଧାନମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି ।
ଅପରପକ୍ଷରେ, ପ୍ରଧାନମନ୍ତ୍ରୀଙ୍କ ଗଣମାଧ୍ୟମ ବୟାନକୁ ନେଇ କଂଗ୍ରେସ ଆଡୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ନିଜ ପ୍ରତିକ୍ରିୟାରେ କହିଛନ୍ତି, ‘ନିଟ୍’ ପରୀକ୍ଷା ଫଳକୁ ନେଇ ଦେଶବାସୀ ଛାତ୍ର, ଅଭିଭାବକ ଓ ଯୁବ ସମାଜ ପକ୍ଷରୁ ତୀବ୍ର ବିରୋଧ ପ୍ରଦର୍ଶନ ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ଆଜି ଗଣମାଧ୍ୟମରେ ଏହା ଉପରେ ପଦଟିଏ କହି ନାହାନ୍ତି । ମୋଦୀ ନିଟ୍ ପରୀକ୍ଷା, ପଶ୍ଚିମ ବଂଗରେ ନିକଟରେ ଘଟିଥିବା ରେଳ ଦୁର୍ଘଟଣା ବା ମଣିପୁରରେ ଅବ୍ୟାହତ ଥିବା ଜାତିଗତ ହିଂସା ଉପରେ କିଛି କହିବେ ବୋଲି ଆଶା କରାଯାଉଥିଲା । କିନ୍ତୁ, ୫୦ ବର୍ଷ ତଳେ ଜାରି ଜରୁରୀ ପରିସ୍ଥିତି କଥା କହି ବିରୋଧୀଙ୍କୁ ଚେତାବନୀ ଦେଇଛନ୍ତି । ସେ ଭୁଲି ଯାଉଛନ୍ତି ଗତ ଦଶ ବର୍ଷରେ ଦେଶବାସୀ ସମ୍ମୁଖୀନ ହୋଇଥିବା ‘ଅଘୋଷିତ ଜରୁରୀ ପରିସ୍ଥିତି’ କଥା ।
୨୦୨୪ ନିର୍ବାଚନରେ ‘ମୋଦୀଜୀ’ଙ୍କ ବିରୋଧରେ ଜନମତ ଆସିଛି । ବିରୋଧୀ ‘ଇଣ୍ଡି’ ମେଂଟ ଜନମତକୁ ସମ୍ମାନ ଦେଇ ସଂସଦ ଭିତରେ ଓ ବାହାରେ ଜନସାଧାରଣଙ୍କ ସମସ୍ୟାକୁ ସ୍ୱର ଉତ୍ତୋଳନ ଜାରି ରଖିବ ବୋଲି କଂଗ୍ରେସ ସଭାପତି କହିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଗଣମାଧ୍ୟମ ବୟାନ ଓ କଂଗ୍ରେସ ସଭାପତିଙ୍କ ପାଳଟା ପ୍ରତିକ୍ରିୟା ଚଳିତ ଲୋକସଭା ଅଧିବେଶନ କେତେଦୂର ସରଗରମ ହେବାକୁ ଯାଉଛି ତାହା ସ୍ପଷ୍ଟ କରୁଛି । ୨୦୨୪ ନିର୍ବାଚନରେ ବହୁ ସଂଖ୍ୟାରେ ଯୁବ ନେତା ଲୋକସଭାକୁ ନିର୍ବାଚିତ ହୋଇ ଆସିଛନ୍ତି । ସେମାନଙ୍କ ଭୂମିକା କଣ ହେଉଛି, ତାହା ମଧ୍ୟ ଦେଖିବାକୁ ମିଳିବ । ଚଳିତ ଲୋକସଭାରେ ବିଜେପିର ସଂଖ୍ୟା ୨୪୦ (୫୪୩ରୁ)ରେ ସୀମିତ ଥିବା ବେଳେ ଏନଡିଏର ସଂଖ୍ୟା ୨୯୩ ରହିଛି । ଏଥର କଂଗ୍ରେସରୁ ୯୯ ସାଂସଦ ନିର୍ବାଚିତ ହୋଇଛନ୍ତି, ଯାହାକି ୨୦୧୪ ଓ ୨୦୧୯ର ଦୁଇ ଗୁଣ ।
ଦଶ ବର୍ଷ ପରେ କଂଗ୍ରେସ ଦଳ ପ୍ରଥମ କରି ଲୋକସଭାରେ ମୁଖ୍ୟ ବିରୋଧୀ ଦଳର ସ୍ୱୀକୃତି ପାଇବାକୁ ଯାଉଛି । ଏହାଛଡା, କଂଗ୍ରେସ ସାମିଲ ଥିବା ‘ଇଣ୍ଡି’ ମେଂଟର ସାଂସଦ ସଂଖ୍ୟା ରହିଛି ୨୩୪ । ତେଣୁ, ସରକାରୀ ପକ୍ଷ ଭଳି ବିରୋଧୀ ପକ୍ଷ ମଧ୍ୟ ସୁଦୃଢ ରହିଛି । ଆଜି ରାଷ୍ଟ୍ରପତି ଦୌପଦୀ ମୁର୍ମୁୁ ଅସ୍ଥାୟୀ ବାଚସ୍ପତି (ପ୍ରୋଟେମ ସ୍ପିକର୍) ଡକ୍ଟର ଭର୍ତ୍ତୃହରି ମହତାବଙ୍କୁ ଶପଥ ପାଠ କରାଇଛନ୍ତି । ଅସ୍ଥାୟୀ ବାଚସ୍ପତି ଡକ୍ଟର ମହତାବ ଅଷ୍ଠାଦଶ ଲୋକସଭାକୁ ନିର୍ବାଚିତ ହୋଇଥିବା ସମସ୍ତ ସାଂସଦଙ୍କୁ ଆଜି ଓ କାଲି ଶପଥ ପାଠ କରାଇବା ପରେ ୨୬ ତାରିଖ ଲୋକସଭାର ସ୍ଥାୟୀ ବାଚସ୍ପତି ନିର୍ବାଚନ ହେବ । ବାଚସ୍ପତି ଓ ଉପ ବାଚସ୍ପତି ପଦ ପାଇଁ ଶାସକ ମେଂଟ ଭିତରେ ଏବଂ ଶାସକ ଓ ବିରୋଧୀ ମେଂଟ ମଧ୍ୟରେ ଛକାପଂଝା ଚାଲିଛି । ବୁଧବାର ହେବାକୁ ଥିବା ଶକ୍ତି ପ୍ରଦର୍ଶନରେ କାହା ପଲ୍ଲା କେତେ ଭାରି ତାହା ସ୍ପଷ୍ଟ ହୋଇଯିବ ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS