ହାଇକୋର୍ଟରୁ ଆଶ୍ୱସ୍ତି ମିଳିଲାନି, ଜେଲରେ ରହିବେ କେଜରୀୱାଲ


ପ୍ରସାଦ ରାଓ
ନୂଆଦିଲ୍ଲୀ, ଜୁନ ୨୫
ଦିଲ୍ଲୀ ସରକାରଙ୍କ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲଙ୍କୁ ଆଜି ହାଇକୋର୍ଟରୁ ଆଶ୍ୱସ୍ତି ମିଳିଲା ନାହିଁ । ଫଳରେ, ସେ ଆଉ କିଛି ଦିନ ଜେଲରେ ରହିବା ନିଶ୍ଚିତ ହୋଇଯାଇଛି । ଦିଲ୍ଲୀର ରାଉଜ ଏଭିନ୍ୟୁ କୋର୍ଟ ଗତ ସପ୍ତାହରେ କେଜରୀୱାଲଙ୍କ ସ୍ଥାୟୀ ଜାମିନ ଆବେଦନର ବିଚାର କରି ତାଙ୍କୁ ଏକ ଲକ୍ଷ ଟଙ୍କାର ବ୍ୟକ୍ତିଗତ ମୁଚାଲିକା ବିନିମୟରେ ଜାମିନ ମଂଜୁର କରିଥିଲେ । ରାଉଜ ଏଭିନ୍ୟୁ କୋର୍ଟ ଅବକାଶକାଳୀନ ବିଚାରପତିଙ୍କ ଏହି ଜାମିନ ମଂଜୁରୀ କରିବା ସମୟରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ତାହାକୁ ବିରୋଧ କରିଥିଲା ଏବଂ ତୁରନ୍ତ ଜାବିନ ମଂଜୁର ନ କରିବାକୁ କୋର୍ଟଙ୍କୁ ନିବେଦନ କରିଥିଲା । ତେବେ, କୋର୍ଟ ଇଡିର ଯୁକ୍ତିକୁ ଅଗ୍ରାହ୍ୟ କରି କେଜରୀୱାଲଙ୍କ ଜାମି ମଂଜୁର କରିବାରୁ ଜାମିନ ଆଦେଶ ଏକପାଖିଆ ଓ ତୃଟିପୂର୍ଣ୍ଣ ଦର୍ଶାଇ ଇଡି ତୁରନ୍ତ ଦିଲ୍ଲୀ ହାଇକୋର୍ଟରେ ପହଂଚି ଥିଲେ । ଦିଲ୍ଲୀ ହାଇକୋର୍ଟ ତାହା ଉପରେ ଶୁଣାଣୀ କରି ରାଉଜ ଏଭିନ୍ୟୁ କୋର୍ଟଙ୍କ ଆଦେଶ ଉପରେ ସାମୟିକ ଭାବେ ସ୍ଥଗିତାଦେଶ ଜାରି କରିଥିଲେ । ଆଜି ଦିଲ୍ଲୀ ହାଇକୋର୍ଟ ବିଚାରପତି ଇଡି ଆବେଦନ ଉପରେ ରାୟ ଦେଇଛନ୍ତି । ନିମ୍ନ ଅଦାଲତଙ୍କ ଜାମିନ ଆଦେଶ ତୃଟିପୂର୍ଣ୍ଣ କହି ହାଇକୋର୍ଟ ତାହା ଉପରେ ଜାରି କରିଥିବା ସ୍ଥଗିତାଦେଶ କାଏମ ରଖିଛନ୍ତି । ରାଉଜ ଏଭିନ୍ୟୁ କୋର୍ଟ ବିଚାରପତି କେଜରୀୱାଲଙ୍କ ଜାମିନ ମଂଜୁର କରିବା ସମୟରେ ନିଜର ମସ୍ତିଷ୍କକୁ ଠିକ୍ ଭାବେ ବ୍ୟବହାର କରି ନାହାନ୍ତି । ଜାମିନ ମଂଜୁରୀ ଆଦେଶରେ ଆନେକ ତୃଟି ରହିଛି ବୋଲି ହାଇକୋର୍ଟ ବିଚାରପତି କହିଛନ୍ତି । କେଜରୀୱାଲଙ୍କ ବିରୋଧରେ ଇଡି ଯେଉଁ ପିଏମଏଲଏ (ମନିଲଂଡରିଂ) ମାମଲା କରିଛି ତାହାର ଧାରା ୭୦କୁ ତର୍ଜମା କରିବାରେ ନିମ୍ନ ଅଦାଲତ ବିଫଳ ହୋଇଛି । ଏହାଛଡା, ମାମଲା ରୁଜୁ କରିଥିବା ପକ୍ଷକୁ ଯୁକ୍ତି ଉପସ୍ଥାପନ କରିବାକୁ ଯଥେଷ୍ଟ ସମୟ ଦିଆଯାଇ ନାହିଁ ବୋଲି ହାଇକୋର୍ଟ କହିଛନ୍ତି । ଜାମିନ ମଂଜୁରର ସର୍ତ୍ତ ଓ ପରିଣତ ସଂପର୍କରେ ମଧ୍ୟ ଧ୍ୟାନ ଦିଆଯାଇନଥିବା ଦିଲ୍ଲୀ ହାଇକୋର୍ଟ ରାୟରେ କୁହାଯାଇଛି । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଇଡି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରୀୱାଲଙ୍କୁ ମାର୍ଚ୍ଚ ୨୧ ତାରିଖ ରାତିରେ ଗିରଫ କରିଥିଲେ । ଏପ୍ରିଲ ୦୧ ତାରିଖରୁ ସେ ତିହାର ଜେଲରେ ଅଛନ୍ତି । ମଝିରେ କେବଳ ୨୧ ଦିନ ପାଇଁ ସେ ସୁପ୍ରିମ କୋର୍ଟରୁ ଅନ୍ତରୀଣ ଜାମିନ ପାଇଥିଲେ । ତାହା ମଧ୍ୟ ଲୋକସଭା ନିର୍ବାଚନ ପ୍ରଚାର ପାଇଁ । ନିର୍ବାଚନ ସରିବା ପରେ ସୁପ୍ରିମ କୋର୍ଟ ଆଦେଶ ମୁତାବକ ସେ ଜେଲରେ ଆତ୍ମସମର୍ପଣ କରିଥିଲେ । କେଜରୀୱାଲଙ୍କ ପକ୍ଷରୁ କୋର୍ଟରେ ଯୁକ୍ତି ଦର୍ଶାଯାଇଛି ଯେ, ଇଡି ଯେଉଁ ଆର୍ଥିକ ଅନିୟମିତତା ଓ ଦୁର୍ନୀତି ଅଭିଯୋଗ କରୁଛି ତାହାର କାଣିଚାଏ ପ୍ରମାଣ ତଦନ୍ତକାରୀ ସଂସ୍ଥା ନିକଟରେ ନାହିଁ । ଏପରିକି, ଦୁର୍ନୀତି ଉପାୟରେ ସଂଗୃହୀତ ଅର୍ଥ ଗୋଆ ବିଧାନସଭା ନିର୍ବାଚନରେ ଆମ୍ ଆଦମୀ ପାର୍ଟି ଖର୍ଚ୍ଚ କରିଛି ବୋଲି ଯାହା କୁହାଯାଉଛି ତାହାର ପ୍ରମାଣ ମଧ୍ୟ ଇଡି ଉପସ୍ଥାପନ କରିପାରୁନି । କେଜରୀୱାଲଙ୍କ ଗିରଫ କରାଯିବା ପଛରେ ରାଜନୈତିକ ଷଡଯନ୍ତ୍ର ରହିଛି । ରାଉଜ ଏଭିନ୍ୟୁ କୋର୍ଟଙ୍କ ଜାମିନ ଆଦେଶକୁ ଦିଲ୍ଲୀ ହାଇକୋର୍ଟ ସାମୟିକ ଭାବେ ସ୍ଥଗିତା ରଖିବା ପରେ ମୁଖ୍ୟମନ୍ତ୍ରୀ କେଜରୀୱାଲ ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥା ହୋଇଥିଲେ ଓ ହାଇକୋର୍ଟଙ୍କ ସ୍ଥଗିତାଦେଶ ଉପରେ ତୁରନ୍ତ ଶୁଣାଣୀ ପାଇଁ ନିବେଦନ କରିଥିଲେ । ତେବେ, ସୁପ୍ରିମ କୋର୍ଟ ତୁରନ୍ତ ଆଶ୍ୱସ୍ତ ନଦେଇ ହାଇକୋର୍ଟରେ ମାମଲାର ଶୁଣାଣୀ ହୋଇଥିବାରୁ ଚୂଡାନ୍ତ ରାୟ ଆସିବା ପରେ ହିଁ ସେଥିରେ ହସ୍ତକ୍ଷେପ କରିବା ଉଚିତ ହେବ କହି କେଜରୀୱାଲଙ୍କ ଆବେଦନକୁ ଟାଳି ଦେଇଥିଲେ । ଆଜି ହାଇକୋର୍ଟ ଚଡାନ୍ତ ରାୟ ପ୍ରକାଶ କରିବାକୁ ଥିବାରୁ ବୁଧବାର, ଅର୍ଥାତ କାଲି ସୁପ୍ରିମ କୋର୍ଟରେ କେଜରୀୱାଲଙ୍କ ଆବେଦନ ଉପରେ ଶୁଣାଣୀ ହେବାକୁ ଅଛି । ଏବେ, ସୁପ୍ରିମ କୋର୍ଟ ହିଁ ମୁଖ୍ୟମନ୍ତ୍ରୀ କେଜରୀୱାଲଙ୍କ ପାଇଁ ଏକମାତ୍ର ଭରସା କହିଲେ ଅତ୍ୟୁକ୍ତି ହେବ ନାହିଁ ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS