ରାହୁଲ ବିରୋଧୀ ଦଳ ନେତା, ବିରଳା ବାଚସ୍ପତି – ସଂସଦ ଠିକଠାକ୍ ଚାଲିବ ତ ?


ପ୍ରସାଦ ରାଓ
ନୂଆଦିଲ୍ଲୀ, ଜୁନ ୨୬
୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଜଣେ ‘ଅପରିପକ୍ୱ’ ନେତା ଭାବେ ସମଗ୍ର ଦେଶରେ ସମାଲୋଚିତ ହୋଇଆସୁଥିଲେ । କେନ୍ଦ୍ରରେ କ୍ଷମତାରେ ଥିବା ଦଳ କେବଳ ନୁହେଁ, ସାଧାରଣ ଜନତା ମଧ୍ୟ କେତେବେଳେ ତାଙ୍କୁ ‘ଜୋକର’ କହି ଟାହିଟାପରା କରୁଥିଲେ ତ ଆଉ କେତେବେଳେ କହୁଥିଲେ ସେ ଜଣେ ‘ସିରିୟସ୍’ ନେତା ନୁହନ୍ତି, ଜଣେ ‘ସୌଖିନ ରାଜନେତା’ । ସେ ଦେଶର ନେତୃତ୍ୱ ନେବାକୁ ସକ୍ଷମ ନୁହନ୍ତି । ଶାସକ ବିଜେପି ନେତା ଓ ମୁଖପାତ୍ରମାନେ ଦିନ ରାତି ତାଙ୍କୁ ‘ପପ୍ପୁ’ କହି ସମାଲୋଚନା କରୁଥିଲେ । ସାଧାରଣ ଜନତା ମଧ୍ୟ ତାଙ୍କୁ ‘ପପ୍ପୁ’ କହି କଟାକ୍ଷ କରୁଥିଲେ । ୨୦୨୪ ସାଧାରଣ ନିର୍ବାଚନରେ କଂଗ୍ରେସ ଓ ବିରୋଧୀ ‘ଇଣ୍ଡି’ ମେଂଟର ସଫଳତା ଜନସାଧାରଣରେ ଥିବା ଏହି ଧାରଣା ବଦଳାଇଛି । ରାହୁଲଙ୍କନେତୃତ୍ୱ କଂଗ୍ରେସ ୨୦୨୪ ନିର୍ବାଚନ ଲଢି ଲଢି ଲୋକସଭାର ୫୪୩ରୁ ୯୯ ଆସନରେ ବିଜୟୀ ହୋଇଛି । କଂଗ୍ରେସ ସଂପୃକ୍ତ ଥିବା ବିରୋଧୀ ‘ଇଣ୍ଡି’ ମେଂଟ ଲୋକସଭାରେ ୨୩୪ ଆସନ ଦଖଲ କରି ଏକ ସଶକ୍ତ ବିରୋଧୀ ଦଳ ଭାବେ ଉଭା ହୋଇଛି । ଅଷ୍ଟାଦଶ ଲୋକସଭାରେ କଂଗ୍ରେସ ମୁଖ୍ୟ ବିରୋଧୀ ଦଳ ଭାବେ ସ୍ୱୀକୃତି ପାଇବା ସହ ରାହୁଲ ହୋଇଛନ୍ତି ବିରୋଧୀ ଦଳ ନେତା । ତାଙ୍କୁ କଂଗ୍ରେସ ନେତୃତ୍ୱ ସଂସଦୀୟ ଦଳ ନେତା ନିର୍ବାଚିତ କରିଥିବା ବେଳେ ବିରୋଧୀ ‘ଇଣ୍ଡି’ ମେଂଟ ମଧ୍ୟ ତାଙ୍କୁ ନେତା ନିର୍ବାଚନ କରି ୨୦୨୪ ନିର୍ବାଚନ ସଫଳତାର ଶ୍ରେୟ ଦେଇଛି । ଏହି ପରିବର୍ତ୍ତିତ ଦୃଶ୍ୟପଟ୍ଟରେ ଆଜି ଲୋକସଭାରେ ଆଉ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି । ଲୋକସଭା ବାଚସ୍ପତି ନିର୍ବାଚନରେ ଓମ୍ ବିରଳା ଦ୍ୱତୀୟ ଥର ପାଇଁ ବାଚସ୍ପତି ନିର୍ବାଚିତ ହେବା ପରେ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜ୍ୁଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବାଚସ୍ପତିଙ୍କୁ ବାଚସ୍ପତି ପୋଡିୟମକୁ ପାଛୋଟି ନେଇଥିଲେ ଏବଂ ନୂତନ ବାଚସ୍ପତିଙ୍କ ସହ ହାତ ମିଳାଇ ଥିଲେ । କଥା ସେତକିରେ ଅଟକି ନଥିଲା । ପୋଡିୟମ ତଳକୁ ଆସିବା ପରେ ପ୍ରଧାନମନ୍ତ୍ରୀ ମୋଦୀ ଓ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପରସ୍ପର ସହ କରମର୍ଦ୍ଦନ କରୁଥିବା ଦୃଶ୍ୟ ଗଣମାଧ୍ୟମରେ ବେଶ୍ ପ୍ରସାରିତ ହୋଇ ସମଗ୍ର ଦେଶକୁ ଆଚମ୍ବିତ କରିଥିଲା । ବାଚସ୍ପତି ନିର୍ବାଚନରେ କଂଗ୍ରେସ ପକ୍ଷରୁ ଆଠ ଥରର ସାଂସଦ କେ.ସୁରେଶଙ୍କୁ ପ୍ରାର୍ଥୀ କରାଟାିଥିଲେ ମଧ୍ୟ ‘ଇଣ୍ଡି’ ମେଂଟର ଆବଶ୍ୟକ ସଂଖ୍ୟା ନଥିବାରୁ ମୌଖିକ ଭୋଟରେ ଶାସକ ମେଂଟ ପ୍ରାର୍ଥୀ ଓମ୍ ବିରଳା ବିଜୟୀ ହୋଇଥିଲେ । ବିରଳାଙ୍କ ବିଜୟକୁ ନେଇ କଂଗ୍ରେସ ଦୁଃଖି ହେବା ବଦଳରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ତାଙ୍କୁ ସ୍ୱାଗତ କରିଥିଲେ । ଗୃହ ପରିଚାଳନାରେ ବିରୋଧୀ ମେଂଟ ପୂର୍ଣ୍ଣ ସହଯୋଗ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ, ଗୃହରେ ବିରୋଧୀ ସାଂସଦଙ୍କୁ ମଧ୍ୟ ଜନସାଧାରଣଙ୍କ ବିଭିନ୍ନ ସମସ୍ୟା ଉତ୍ଥାପନ କରିବାକୁ ପୂର୍ଣ୍ଣ ସୁଯୋଗ ଓ ସ୍ୱାଧୀନତା ଦିଆଯିବାକୁ ବାଚସ୍ପତିଙ୍କୁ ଅନୁରୋଧ କରିଥିଲେ । ୨୦୨୪ ନିର୍ବାଚନରେ ବିଜେପି ୨୪୦ ଲୋକସଭାରେ ଆସନରେ ବିଜୟୀ ହୋଇ ସରକାର ଗଠନ ସଂଖ୍ୟା (୨୭୨)ରୁ ପଛରେ ରହିଛି । ତେବେ, ବିଜେପି ନେତୃତ୍ୱାଧୀନ ଏନଡିଏକୁ ୨୯୩ ଆସନ ମିଳିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲଗାତର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବା ସୁଯୋଗ ପାଇଛନ୍ତି । ଚଳିତ ଲୋକସଭାରେ ଏନଡିଏର ଦୁଇ ପ୍ରମୁଖ ଅଂଶୀଦାର ହେଉଛନ୍ତି ଆନ୍ଧ୍ର ପ୍ରଦେଶର ତେଲୁଗୁ ଦେଶମ ପାର୍ଟି (ଟିଡିପି) ଓ ବିହାରର ନୀତୀଶ କୁମାରଙ୍କ ଜେଡିୟୁ (ଜନତା ଦଳ- ୟୁନାଇଟେଡ) । ଆରମ୍ଭରୁ ଏହି ଦୁଇ ଅଂଶୀଦାର ଦଳ ବାଚସ୍ପତି ଆସନ ଉପରେ ଆଖି ରଖିଥିଲେ ମଧ୍ୟ ବିଜେପି ୨୦୧୯-୨୪ର ବାଚସ୍ପତି ଓମ୍ ବିରଳାଙ୍କୁ ଦ୍ୱିତୀୟ ଥର ପାଇଁ ପ୍ରାର୍ଥୀ କରୁଥିବା ଜାଣି ନିରବ ରହିଥିଲେ । ଆଜି ସେମାନେ ମିଳି ମିଶି ବିରଳାଙ୍କୁ ବାଚସ୍ପତି ନିର୍ବାଚନରେ ବିଜୟୀ କରାଇଥିଲେ । ବିରଳା ଦ୍ୱିତୀୟ ଥର ପାଇଁ ଲୋକସଭା ବାଚସ୍ପତି ଆସନରେ ବସିବା ସୌଭାଗ୍ୟର ବିଷୟ କହି ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ସ୍ୱାଗତ କରିଥିବା ବେଳେ ବିରୋଧୀ ସାଂସଦମାନେ ସପ୍ତଦଶ ଲୋକସଭାରେ ବହୁ ସଂଖ୍ୟକ ବିରୋଧୀ ସାଂସଦଙ୍କୁ ବାଚସ୍ପତି ଥିବା ବିରଳା ଗୃହରୁ ନିଲମ୍ବନ ଓ ବହିଷ୍କାର କରିଥିବା କଥା ମନେ ପକାଇ ଦେଇଥିଲେ । ବିରୋଧୀ ସାଂସଦମାନେ ମଧ୍ୟ ଜନସାଧାରଣଙ୍କ ପ୍ରତିନିଧିତ୍ୱ କରୁଥିବାରୁ ଅଷ୍ଟାଦଶ ଲୋକସଭାରେ ସେମାନଙ୍କୁ କହିବାର ପୂର୍ଣ୍ଣ ସୁଯୋଗ ଓ ସ୍ୱାଧୀନତା ଦିଆଯିବା ଆବଶ୍ୟକ ବୋଲି ବାଚସ୍ପତିଙ୍କୁ ଚେତାଇ ଦେଇଥିଲେ । ବାଚସ୍ପତି ବିରଳା ସ୍ମିତହାସ୍ୟ ସହ ଉଭୟ ଶାସକ ଓ ବିରୋଧୀ ସାଂସଦଙ୍କୁ ସ୍ୱାଗତ କରିଥିଲେ ମଧ୍ୟ ଦାୟିତ୍ୱ ନେବା ପରେ ତାଙ୍କ ପୁରୁଣା ରୂପକୁ ଫେରିଛନ୍ତି । ୧୯୭୫ ମସିହା ଜୁନ ୨୬ ତାରିଖରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଦେଶରେ ଜରୁରୀ ପରିସ୍ଥିତି (ଏମର୍ଜେନ୍ସୀ) ଜାରି କରିଥିଲେ । ଏହାର ୪୯ ବର୍ଷ ପୁରିଛି । ବିଜେପି ଆଜି ଦେଶବ୍ୟାପୀ ‘କଳା ଦିବସ’ ପାଳନ କରୁଛି । ନୂତନ ବାଚସ୍ପତି ବିରଳା ଏହା ଉଲ୍ଲେଖ କରି ‘କଳା ଦିବସ’ ଅବସରରେ ଗୃହରେ ଉପସ୍ଥିତ ସମସ୍ତ ସଦସ୍ୟ ଦୁଇ ମିନିଟ ନିରବ ପ୍ରାର୍ଥନା କରିବାକୁ ନିବେଦନ କରିବାରୁ ବିରୋଧୀ ସାଂସଦମାନେ ହଟ୍ଟଗୋଳ କରିଥିଲେ ଓ ଗୃହ ମୁଲତବୀ ରହିଥିଲା । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା କାଳଇ (୨୭ ତାରିଖ) ସଂସଦର ଉଭୟ ଗୃହକୁ ସମ୍ଭୋଧିତ କରିବା କାର୍ଯ୍ୟକ୍ରମ ରହିଛି । ଏହାପରେ, ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ସରକାର ଧନ୍ୟବାଦ ପ୍ରସ୍ତାବ ଆଗତ କରିବେ ଏବଂ ସଂସଦର ଉଭୟ ଗୃହରେ ତାହା ଉପରେ ଆଲୋଚନା ହେବ । ସପ୍ତଦଶ ଲୋକସଭାରେ ଶାସକ ବିଜେପିର ଏକକ ସଂଖ୍ୟାଗରିଷ୍ଠତା ଥିବାରୁ ବିରୋଧୀଙ୍କୁ ଦବାଇ ଦିଆଯାଇଥିଲା । କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ତାଙ୍କୁ କହିବାକୁ ସୁଯୋଗ ଦିଆଯାଉନଥିବା ଓ ବିରୋଧୀ ସାଂସଦମାନେ କହିବା ବେଳେ ମାଇକକୁ ବନ୍ଦ କରି ଦିଆଯାଉଥିବା ଅଭିଯୋଗ କରିଥିଲେ । ଲୋକସଭାରେ ବିଭିନ୍ନ ବିତର୍କ ସମୟରେ ବିଭିନ୍ନ କାରଣରୁ ଶାସକ ମେଂଟର ନେତାମାନେ ତାଙ୍କୁ ଅପଦସ୍ତ କରିବାକୁ ପଛାଇ ନଥିଲେ । ଏପରିକି ବାଚସ୍ପତି ଥିବା ବିରଳା ମଧ୍ୟ ତାଙ୍କୁ ସୁରକ୍ଷା ଦେଇ ନଥିଲେ । ରାହୁଲ ଗାନ୍ଧୀ ୨୦୧୯ରେ ଦେଇଥିବା ଏକ ଭାଷଣ ପାଇଁ ସୁରତ ଅଦାଲତରେ ଦୁଇ ବର୍ଷ ପାଇଁ କାରାଦଣ୍ଡରେ ଦଣ୍ଡିତ ହେବା ପରେ ତୁରନ୍ତ ତାଙ୍କ ସଭ୍ୟପଦ ରଦ୍ଦ କରାଯାଇଥିଲା ଓ ତାଙ୍କୁ ସରକାରୀ ବାସଭବନରୁ ବେଦଖଲ କରାଯାଇଥିଲା । ଲୋକସଭା ସଚିବାଳୟ ରାହୁଲଙ୍କୁ ନିଶ୍ୱାସ ନେବାକୁ ମଧ୍ୟ ସମୟ ଦେଇନଥିଲେ । ଆଜି ପରିସ୍ଥିତି ବଦଳିଛି । ଲୋକସଭାରେ ବିରୋଧୀ ଆଉ ଦୁର୍ବଳ ନୁହନ୍ତି । ଶାସକ ମେଂଟକୁ ଟକ୍କର ଦେବା ଭଳି ସ୍ଥିତିରେ ଅଛନ୍ତି । ୨୦୧୯-୨୪ ପର୍ଯ୍ୟନ୍ତ ସପ୍ତଦଶ ଲୋକସଭାରେ ରାହୁଲ ଗାନ୍ଧୀ ଜଣେ ସାଧାରଣ ସାଂସଦ ଥିଲେ । ଅଷ୍ଟାଦଶ ଲୋକସଭାରେ ସେ ସ୍ୱୀକୃତିପ୍ରାପ୍ତ ବିରୋଧୀ ଦଳ ଓ ମେଂଟର ନେତା । ଓମ୍ ବିରଳା ଦ୍ୱିତୀୟ ଥର ପାଇଁ ବାଚସ୍ପତି ହୋଇଛନ୍ତି । ବିରଳା ଦାୟିତ୍ୱ ନେଉ ନେଉ ଜରୁରୀ ପରିସ୍ଥିତିର କଳା ଦିନ ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରିବାକୁ ସାଂସଦମାନଙ୍କୁ ଆହ୍ୱାନ ଦେବା ପକ୍ଷଭୁକ୍ତ ଆଚରଣ ବୋଲି ବିରୋଧୀ ଅଭିଯୋଗ କରିଛନ୍ତି । ଆଗକୁ କଣ ହେବ ଏବଂ ବିରୋଧୀ ଦଳ ନେତା ଭାବେ ରାହୁଲ ସରକାରଙ୍କୁ କିଭଳି ଭାବେ ମୁକାବିଲା କରିବେ – ତାହା ଦେଖିବାକୁ ଆଗକୁ ପର୍ଯ୍ୟାପ୍ତ ସମୟ ରହିଛି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS