ରାଷ୍ଟ୍ରପତିଙ୍କ ଅଭିଭାଷଣରେ ବି ଇନ୍ଦିରାଙ୍କ ଏମର୍ଜେନ୍ସୀ !


ପ୍ରସାଦ ରାଓ
ନୂଆଦିଲ୍ଲୀ, ଜୁନ ୨୭
ଅଷ୍ଟାଦଶ ସଂସଦ ଅଧିବେଶନ ପ୍ରାରମ୍ଭରୁ ୧୯୭୫ ମସିହାରେ ଇନ୍ଦିରା ଗାନ୍ଧୀଙ୍କ ଦ୍ୱାରା ଜାରି ଏମର୍ଜେନ୍ସୀକୁ ନେଇ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର କଂଗ୍ରେସ ଓ ତାହାର ସହଯୋଗୀ ଦଳଙ୍କୁ ଘେରିବା ଆରମ୍ଭ କରିଛନ୍ତି । ଗତକାଲି ବରିଷ୍ଠ ବିଜେପି ସାଂସଦ ଓମ୍ ବିରଲା ଦ୍ୱିତୀୟ ଥର ପାଇଁ ଲୋକସଭା ବାଚସ୍ପତି ନିର୍ବାଚିତ ହେବା ପରେ ଅଷ୍ଟାଦଶ ଲୋକସଭାକୁ ନିର୍ବାଚିତ ହୋଇଥିବା ସାଂସଦମାନଙ୍କୁ ଉଦ୍ବୋଧନ ଦେଇ ଇନ୍ଦିରାଙ୍କ ଦ୍ୱାରା ୧୯୭୫ ଜୁନ ୨୫ ତାରିଖରେ ଜାରି ଏମର୍ଜେନ୍ସୀ ବା ଜରୁରୀ ପରିସ୍ଥିତି କଥା ମନେ ପକାଇ ଦେଇଥିଲେ ଓ ଗୃହରେ ଏହା ବିରୋଧରେ ଏକ ନିନ୍ଦା ପ୍ରସ୍ତାବ ଆଣିଥିଲେ । ଯାହାକୁ ଶାସକ ମେଂଟ ସାଂସଦମାନେ ଉତ୍ସାହର ସହ ସ୍ୱାଗତ କରିଥିବା ବେଳେ ବିରୋଧୀ ମେଂଟ ସାଂସଦମାନେ କଡା ବିରୋଧ କରି ଗୃହରେ ହଟ୍ଟଗୋଳ କରିଥିଲେ । ତେବେ, ବାଚସ୍ପତିଙ୍କ ଦ୍ୱାରା ଆଗତ ହୋଇଥିବା ନିନ୍ଦା ପ୍ରସ୍ତାବ ଲୋକସଭାରେ ଗୃହୀତ ହୋଇଥିଲା । ଇନ୍ଦିରା ଗାନ୍ଧୀଙ୍କ ଜରୁରୀ ପରିସ୍ଥିତିର ୪୯ ବର୍ଷ ପୂର୍ତ୍ତି ହୋଇଛି । ଏହାକୁ ନେଇ ବିଜେପି ଗତକାଲି ଦେଶବ୍ୟାପୀ ‘କଳା ଦିବସ’ ପାଳନ କରିଛି । ଜରୁରୀ ପରିସ୍ଥିତି ଜାରି ଦିନଟି ଦେଶ ପାଇଁ ଏକ ‘କଳା ଅଧ୍ୟାୟ’ ଥିଲା ବୋଲି ବାଚସ୍ପତି କହିଥିଲେ । ବିରୋଧୀ ମିଳିତ ଭାବେ ଏହା ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ ମଧ୍ୟ ଲୋକସଭାରେ ଶାସକ ମେଂଟର ସଂଖ୍ୟାଗରିଷ୍ଠତା ଦୃଷ୍ଟିରୁ ବାଚସ୍ପତିଙ୍କ ଦ୍ୱାରା ଆଗତ ନିନ୍ଦା ପ୍ରସ୍ତାବ ଗୃହୀତ ହେବା କଷ୍ଟକର ହୋଇନଥିଲା । ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦର ଉଭୟ ଗୃହର ସଦସ୍ୟଙ୍କ ମିଳିତ ଅଧିବେଶନରେ ଅଭିଭାଷଣ ଦେଇ ପୁନର୍ବାର ଇନ୍ଦିରାଙ୍କ ଏମର୍ଜେନ୍ସୀ କଥା ଉଠାଇଛନ୍ତି ଓ କଂଗ୍ରେସକୁ ଆକ୍ରମଣ କରିଛନ୍ତି । ରାଷ୍ଟ୍ରପତି ତାଙ୍କ ଅଭିଭାଷଣରେ ୧୯୭୫ ମସିହା ଜୁନ ୨୫ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଦ୍ୱାରା ଜାରି ହୋଇଥିବା ଜରୁରୀ ପରିସ୍ଥିତି ଦେଶର ସମ୍ବିଧାନ ପ୍ରତି ପ୍ରତ୍ୟକ୍ଷ ଆକ୍ରମଣ ଥିଲା ବୋଲି କହିଛନ୍ତି । ଇନ୍ଦିରାଙ୍କ ଏମର୍ଜେନ୍ସୀ ଦେଶରେ ଏକ ‘କଳା ଅଧ୍ୟାୟ’ ସୃଷ୍ଟି କରିଥିଲା, ଯାହାକୁ କି ସମଗ୍ର ଦେଶ ଅନୁଭବ କରିଥିଲା ବୋଲି ରାଷ୍ଟ୍ରପତି ମନ୍ତବ୍ୟ ଦେବା ସହ ତାହାର ନିନ୍ଦା କରିଥିଲେ । ଶାସକ ମେଂଟର ସାଂସଦମାନେ ରାଷ୍ଟ୍ରପତିଙ୍କ ମନ୍ତବ୍ୟକୁ ଉଲ୍ଲାସର ସହ ସ୍ୱାଗତ କରିଥିବା ବେଳେ ବିରୋଧୀ ମେଂଟ ସାଂସଦମାନେ ତାହାର କଡା ବିରୋଧ କରିଥିଲେ । ୨୦୨୪ ସାଧାରଣ ନିର୍ବାଚନ ପରେ ନବଗଠିତ ସଂସଦରେ ଏହା ଥିଲା ରାଷ୍ଟ୍ରପତିଙ୍କ ପ୍ରଥମ ଅଭିଭାଷଣ । ଉପ ରାଷ୍ଟ୍ରପତି ଜଗଦୀପ ଧନକର ମଧ୍ୟ ଇନ୍ଦରାଙ୍କ ଏମର୍ଜେନ୍ସୀ କଥା ଉଠାଇ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ଦୋହରାଇ ଥିଲେ । ତାହା ଦେଶର ସମ୍ବିଧାନ ପ୍ରତି ପ୍ରତ୍ୟକ୍ଷ ଆକ୍ରମଣ ଥିଲା ବୋଲି ଧନକର କହିଥିଲେ । ନିର୍ବାଚନ ସମୟରେ କଂଗ୍ରେସ ଓ ବିରୋଧୀ ମେଂଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶାସନରେ ଦେଶର ସମ୍ବିଧାନ ଓ ଗଣତନ୍ତ୍ର ବିପନ୍ନ ହୋଇଥିବା ଦର୍ଶାଇ ତାହାର ସୁରକ୍ଷା କରିବା ପ୍ରତିଶ୍ରୁତିରେ ଜନତାଙ୍କୁ ଭୋଟ ମାଗି ଥିଲେ । ବିରୋଧୀଙ୍କ ଆହ୍ୱାନ ନିର୍ବାଚନ ଫଳାଫଳରେ ପ୍ରତିଫଳିତ ହୋଇଛି । ଦେଶର ଜନତା ୨୦୧୪ ଓ ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ସପକ୍ଷରେ ଯେଭଳି ବହୁମତ ଦେଇ ସରକାର ଗଠନ କରିବା ସୁଯୋଗ ଦେଇଥିଲେ ୨୦୨୪ରେ ତାହା କରି ନାହାନ୍ତି । ବିଜେପି ଏକାକୀ ସରକାର କରିବା ସ୍ଥିତିରେ ନଥିବା ବେଳେ ତାହା ନେତୃତ୍ୱାଧୀନ ଏନଡିଏ ମେଂଟ ବହୁମତ ପାଇ ସରକାର କରିଛି । ଲୋକସଭାରେ ବିଜେପି ସଂଖ୍ୟାଲଘୁ ହୋଇଯିବା, ବିରୋଧୀ ‘ଇଣ୍ଡି’ ମେଂଟର ଶକ୍ତିବୃଦ୍ଧି, କଂଗ୍ରେସ ଦଳ ତାହାର ନିର୍ବାଚିତ ପ୍ରତିନିଧିଙ୍କ ସଂଖ୍ୟା ବୃଦ୍ଧି କରି ସରକାରୀ ଭାବେ ମୁଖ୍ୟ ବିରୋଧୀ ଦଳର ସ୍ୱୀକୃତି ପାଇବା ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଲୋକସଭାରେ ବିରୋଧୀ ଦଳ ନେତାର ମାନ୍ୟତା ପାଇବା ବିଜେପି ଓ ଶାସକ ମେଂଟକୁ ବିଚଳିତ କରିଛି । ଯାହାର ପ୍ରତିଫଳନ ଦେଖିବାକୁ ମିଳିଛି ସଂସଦ ଅଧିବେଶନ ଆରମ୍ଭରୁ । ବିରୋଧୀ ‘ଇଣ୍ଡି’ ମେଂଟ ସାଂସଦମାନେ ସମ୍ବିଧାନ ଓ ଗଣତନ୍ତ୍ରର ପ୍ରହରୀ ସଦୃଶ ହାତରେ ସମ୍ବିଧାନ ପୁସ୍ତିକା ଧରି ଲୋକସଭାରେ ଶପଥ ନେଇଥିଲେ । ଶାସକ ମେଂଟ କଂଗ୍ରେସ ଓ ବିରୋଧୀ ମେଂଟକୁ ଜବାବ ଦେବାକୁ ଯାଇ ୧୯୭୫ ଜୁନ ୨୫ ତାରିଖରେ ତତ୍କାଳୀନ କଂଗ୍ରେସ ସରକାର ଓ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଦ୍ୱାରା ଜାରି ହୋଇଥିବା ଏମର୍ଜେନ୍ସୀ ବା ଜରୁରୀ ପରିସ୍ଥିତିର ୪୯ ବର୍ଷ ପୂର୍ତ୍ତି ପାଳନ ନାମରେ ସଂସଦରେ ଓ ସଂସଦ ବାହାରେ ବିରୋଧୀଙ୍କୁ ଘେରିବାକୁ ଉଦ୍ୟମ କରିଛି । ବିଜେପି ଗତକାଲି ଦେଶବ୍ୟାପୀ ‘କଳା ଦିବସ’ ପାଳନ କରିଥିବା ବେଳେ ଲୋକସଭାରେ ନବ ନିର୍ବାଚିତ ବାଚସ୍ପତି ବିରଲା ଇନ୍ଦିରାଙ୍କ ଏମର୍ଜେନ୍ସୀ ବିରୋଧରେ ନିନ୍ଦା ପ୍ରସ୍ତାବ ଗୃହୀତ କରାଇଛନ୍ତି । ଆଜି ରାଷ୍ଟ୍ରପତି ମୁର୍ମୁ ସଂସଦର ଉଭୟ ସଦନର ସାଂସଦମାନଙ୍କ ମିଳିତ ଅଧିବେଶନରେ ଅଭିଭାଷର ଦେଇ ଇନ୍ଦିରାଙ୍କ ଏମର୍ଜେନ୍ସୀକୁ ସମ୍ବିଧାନ ପ୍ରତି ପ୍ରତ୍ୟକ୍ଷ ଆକ୍ରମଣ ଥିଲା କହି ତାହାର ନିନ୍ଦା କରିଛନ୍ତି । ଆଜି ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଶାସକ ମେଂଟର ମନ୍ତ୍ରୀ, ସାଂସଦମାନେ ୧୯୭୫ ଜରୁରୀ ପରିସ୍ଥିତି ସମୟର ଭୟାନକ ଅଭିଜ୍ଞତାକୁ ବର୍ଣ୍ଣନା କରି ଘୋର ଉଦ୍ବେଗ ପ୍ରକାଶ କରିଥିବା ବେଳେ କଂଗ୍ରେସ ତଥା ‘ଇଣ୍ଡି’ ମେଂଟର ସାଂସଦମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗଲା ଦଶ ବର୍ଷର ଶାସନରେ ଦେଶ ‘ଅଘୋଷିତ ଜରୁରୀ ପରିସ୍ଥିତି’କୁ ଅନୁଭବ କରିଛି ବୋଲି ପାଳଟା ଆକ୍ରମଣ କରିଥିଲେ । ଦୁଇ ପକ୍ଷ ମଧ୍ୟରେ ଆକ୍ଷେପ, ପ୍ରତ୍ୟାକ୍ଷେପ ବେଶ୍ ଉତ୍ତେଜକ ପରିସ୍ଥିତି ସୃଷ୍ଟି କରିଥିଲା । ଏହି ବିତର୍କ ଆଧାର ରାଷ୍ଟ୍ରପତି ମୁର୍ମୁ ଆଜି ସଂସଦରେ ତାଙ୍କ ଅଭିଭାଷଣ ରଖିଛନ୍ତି । ସାଧାରଣତଃ ସଂସଦ ଅଧିବେଶନ ଆରମ୍ଭରେ ରାଷ୍ଟ୍ରପତି ଉଭୟ ଗୃହର ସଦସ୍ୟଙ୍କୁ ସଂବୋଧିତ କରି ସରକାରଙ୍କ ଉପଲବ୍ଧୀ ଓ ଭବିଷ୍ୟତ କାର୍ଯ୍ୟକ୍ରମ ସଂପର୍କରେ ବିସ୍ତୃତ ସୂଚନା ଦେଇଥା’ନ୍ତି, ଯାହାକୁ ଆଧାର କରି ସଂସଦର ଉଭୟ ଗୃହରେ ଶାସକ ଓ ବିରୋଧୀ ଚର୍ଚ୍ଚାରେ ଭାଗ ନିଅନ୍ତି ଓ ଶେଷରେ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଦେଇ ପ୍ରସ୍ତାବ ଗୃହୀତ ହୋଇଥାଏ । ରାଷ୍ଟ୍ରପତିଙ୍କ ଅଭିଭାଷଣ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥାଏ ଏବଂ ସେଥିରେ ସରକାରଙ୍କ ବିଭିନ୍ନ ନୀତି ଓ ନିଷ୍ପତ୍ତି ସ୍ପଷ୍ଟ ଭାବେ ଉଲ୍ଲେଖ ଥାଏ । ରାଷ୍ଟ୍ରପତି ମୁର୍ମୁ ତାଙ୍କ ଅଭିଭାଷଣରେ କହିଛନ୍ତି, ତାଙ୍କ ସରକାର ଭାରତୀୟ ସମ୍ବିଧାନକୁ କେବଳ ସରକାର ଚଳାଇବା ପାଇଁ ଏକ ମାଧ୍ୟମ ଭାବେ ବିଚାର କରନ୍ତି ନାହିଁ, ଏହା ଜନ ଚେତନାର ଏକ ଅଂଶ ହେବା ଦିଗରେ ସରକାର ଉଦ୍ୟମୀ ରହିବେ । ଭାରତ ବିଶ୍ୱର ତୃତୀୟ ବୃହତ୍ ଅର୍ଥନୀତି ହେବା ଦିଗରେ ଦୃତ ବେଗରେ ଗତି କରୁଛି । ଏଥିସକାଶେ ସରକାର ଉତ୍ପାଦନ, ସେବା ଓ କୃଷିକୁ ସର୍ବାଧିକ ପ୍ରଧାନ୍ୟ ଦେବାକୁ ଯାଉଛନ୍ତି । ନିଟ୍ ପରୀକ୍ଷା ପରିଚାଳନାରେ ହୋଇଥିବା ଅବ୍ୟବସ୍ଥା ସଂପର୍କରେ ମଧ୍ୟ ରାଷ୍ଟ୍ରପତି କହିଛନ୍ତି ଏବଂ ତାଙ୍କ ସରକାର ନିଟ୍-ୟୁଜି ପରୀକ୍ଷାରେ ହୋଇଥିବା ପ୍ରଶ୍ନପତ୍ର ଲିକ୍ ର ତଦନ୍ତ କରି ଦୋଷୀଙ୍କ ବିରାଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଦକ୍ଷେପ ନେଇଥିବା ସୂଚନା ଦେଇଛନ୍ତି । ବିଭାଜନମୂଳକ ରାଜନୀତିରୁ ଉର୍ଦ୍ଧରେ ରହି ଏହା ବିରୋଧରେ ଦୃଢ ପଦକ୍ଷେପ ନିଆଯିବା ଉପରେ ରାଷ୍ଟ୍ରପତି ଗୁରୁତ୍ୱ ଦେଇଥିଲେ । ରାଷ୍ଟ୍ରପତି ‘ନିଟ୍’ ପରୀକ୍ଷା ସଂପର୍କରେ ବକ୍ତବ୍ୟ ରଖିବା ବେଳେ ବିରୋଧୀ ବେଂଚ୍ ରୁ ‘ନିଟ୍’, ‘ନିଟ୍’ ବୋଲି ଚିତ୍କାର ଶୁଣିବାକୁ ମିଳିଥିଲା । ସଂସଦର ଶୃଙ୍ଖଳିତ ପରିଚାଳନା ଉପରେ ଗୁରୁତ୍ୱ ଦେଇ ରାଷ୍ଟ୍ରପତି କହିଛନ୍ତି, ସରକାରଙ୍କ ନୀତିକୁ ବିରୋଧ କରିବା ଅର୍ଥ ବିଶୃଙ୍ଖଳା ସୃଷ୍ଟି କରିବା ଠିକ୍ ନୁହେଁ, ଏହା ଉପରେ ସୁସ୍ଥ ଓ ଫଳପ୍ରଦ ଆଲୋଚନା ହେବା ଆବଶ୍ୟକ । ସଂସଦର ପ୍ରତ୍ୟେକ ମୁହୂର୍ତ୍ତ ମୂଲ୍ୟବାନ ହୋଇଥିବାରୁ ଜନସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗକୁ ଅଗ୍ରାଧିକାର ଦେଇ ସଦନର ସମୟକୁ ଠିକ୍ ଭାବେ ବିନିଯୋଗ କରାଯିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି । ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ସଂସଦର ଉଭୟ ଗୃହରେ ବିତର୍କ ପରେ ଧନ୍ୟବାଦ ପ୍ରସ୍ତାବ ପାରିତ ହେବାକୁ ଥିବାରୁ ବିତର୍କ ସମୟରେ ଇନ୍ଦିରାଙ୍କ ଏମର୍ଜେନ୍ସୀ ଓ ନିଟ୍-ୟୁଜି ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗକୁ ନେଇ ଶାସକ ଓ ବିରୋଧୀ ମେଂଟ କିଭଳି ପରସ୍ପରକୁ ସାମ୍ନା କରିବେ, ତାହା ଉପରେ ସମଗ୍ର ଦେଶର ନଜର ରହିବ ।
ମୁଖ୍ୟ ସଂପାଦକ, ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS