ନେତାଙ୍କ ରାଜକୀୟ ଠାଣି ବିଜେଡ଼ିର ବିପର୍ଯ୍ୟୟର କାରଣ ଥିଲା ?


ପ୍ରସାଦ ରାଓ
ଭୁବନେଶ୍ୱର, ଜୁନ ୨୯
ଓଡ଼ିଶା ବିଧାନସଭା ନିର୍ବାଚନ ସରି ପାଖାପାଖି ଏକ ମାସ ହେଲାଣି, ନିର୍ବାଚନ ବିପର୍ଯ୍ୟୟକୁ ନେଇ ବିଜେଡ଼ିର ମାନସ ମଂଥନ ସରୁନାହିଁ । ରାଜ୍ୟରେ ୨୪ ବର୍ଷ ଧରି ଦଳ ନିରଙ୍କୁଶ କ୍ଷମତାରେ ଥିଲା । ସରକାର ଗର୍ଭରେ ଥିବା ଶିଶୁଠାରୁ ଆରମ୍ଭ କରି ମୃତ୍ୟୁ ପରେ ଶେଷ ସଂସ୍କାର କରିବା ପର୍ଯ୍ୟନ୍ତ ସ୍କିମ୍ ଖଂଜି ଦେଇ ରାଜ୍ୟବାସୀଙ୍କୁ ସନ୍ତୁଷ୍ଟ ରଖିବାକୁ ଉଦ୍ୟମ କରିଥିଲେ । ଫଳରେ, ସହରାଂଚଳ ଓ ଗ୍ରାମାଂଚଳ ପର୍ଯ୍ୟନ୍ତ ବିଜେଡ଼ି ବିରୋଧରେ ଅସନ୍ତୋଷ ଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକପ୍ରିୟତାରେ ଏକ ନମ୍ବରରେ ଥିଲେ । ଏହା ସରକାରଙ୍କ ୟୁଏସପି ରହିଥିଲା । ନବୀନଙ୍କ ନାମରେ ଭୋଟ ହେଉଥିଲା ଓ ନେତା ବିଧାନସଭା ଓ ସଂସଦକୁ ଜିତି ବିଧାୟକ, ସାଂସଦ ହେଉଥିଲେ । ବିଜେପି ମଧ୍ୟ ଏହାର ସୁଯୋଗ ନେଇ ନିଜ ଦଳର ନେତାଙ୍କୁ ଓଡ଼ିଶାରୁ ରାଜ୍ୟସଭାକୁ ପଠାଉ ଥିଲା । ବିଜେଡ଼ି ନେତାମାନେ ନବୀନଙ୍କ ନାମରେ ନିର୍ବାଚନ ଜିତୁ ଥିବାରୁ ଦଳରେ ମୂଷା ଭଳି ରହୁଥିଲେ । ୨୦୧୯ ସାଧାରଣ ନିର୍ବାଚନ ପର୍ଯ୍ୟନ୍ତ ରାଜ୍ୟରେ ଏହି ଯାଦୁ କାମ କରିଥିଲା । ତେବେ, ୨୦୨୪ ନିର୍ବାଚନରେ ନବୀନଙ୍କ ଯାଦୁ କାମ କଲା ନାହିଁ । ଏମିତି କଣ ହେଲା ଯେ ରାଜ୍ୟବାସୀଙ୍କ ଭରସା ବିଜେଡ଼ି ଓ ନବୀନଙ୍କ ଉପରୁ ତୁଟି ଗଲା ଓ ବିଜେଡ଼ି ନେତାମାନେ ନିର୍ବାଚନରେ ଠୋ..ଠା.. ହାରିଲେ ? ଦଳ ପାଇଁ ତାହା ତର୍ଜମା କରିବାର ବିଷୟ ହୋଇଛି ।
ଏହି ରହସ୍ୟ ଭୋଦ କରିବା ପାଇଁ ବିଜେଡ଼ି ସୁପ୍ରିମୋ ତଥା ବିଦାୟୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନ ବିପର୍ଯ୍ୟୟ ପରେ ପର୍ଯ୍ୟାୟକ୍ରମେ ବରିଷ୍ଠ ବିଜେଡ଼ି ନେତାଙ୍କୁ ନିଜ ବାସଭବନ ‘ନବୀନ ନିବାସ’କୁ ଡକାଇ ଆଲୋଚନା କରିଛନ୍ତି । ସେମାନଙ୍କ ଅଭିଯୋଗ ଶୁଣିଛନ୍ତି । ନିର୍ବାଚନ ସମୟରେ ମୁକ ହୋଇଯାଇଥିବା ନେତାମାନେ ମୁଖର ହୋଇ ଜଣେ ପୂର୍ବତନ ପ୍ରଶାସକଙ୍କୁ ଦାୟି କରୁଛନ୍ତି । ଏପରିକି, ଦଳରଯୁବ ଓ ଛାତ୍ର ନେତାମାନେ ସଂପୃକ୍ତ ପୂର୍ବତନ ପ୍ରଶାସକ ଓ ତାଙ୍କ କିଛି ଆଗଧାଡିର ନେତାଙ୍କୁ ଦାୟି କରି ଶଙ୍ଖ ଭବନରେ ହାଂଗାମା କରିବାକୁ ପଛାଇ ନାହାନ୍ତି । ପରାଜିତ ନେତାମାନେ କହୁଛନ୍ତି ନିର୍ବାଚନ ବର୍ଷ ସେମାନଙ୍କୁ ସ୍ୱାଧୀନ ଭାବେ କାର୍ଯ୍ୟ କରିବାର ସୁଯୋଗ ମିଳିନଥିଲା । ନିର୍ବାଚନ ସମୟରେ ସେମାନେ ନିଜ ନିଜ ନିର୍ବାଚନ ମଣ୍ଡଳୀରେ ସଖୀ କଂଢେଇ ସାଜି ବସିଥିଲେ । ବିଭିନ୍ନ ଲୋକସଭା ଓ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଚୟନ ମଧ୍ୟ ତୃଟିପୂର୍ଣ୍ଣ ଥିଲା । ତେଣୁ, ଦଳ ବିପର୍ଯ୍ୟୟର ସମ୍ମୁଖୀନ ହେଲା ।
ତେବେ, ବିଦାୟୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ ନେତାଙ୍କ ଏଭଳି ଅଭିଯୋଗକୁ ହଜମ କରିବା ସ୍ଥିତିରେ ନାହାନ୍ତି । ନିର୍ବାଚନରେ ବିଜେଡ଼ିର ବିପର୍ଯ୍ୟୟ ପାଇଁ ସେ ‘ମୋଦୀ-ସୁନାମୀ’କୁ ଦାୟି କରିବା ସହ ଦଳର ବିଜୟୀ ଓ ପରାଜିତ ବିଧାୟକମାନେ ନିଜ ନିଜ ନିର୍ବାଚନମଣ୍ଡଳୀରେ ପୁନର୍ବାର ସଂଗଠନ ତିଆରି କରିବାକୁ ଓ ଦଳକୁ ସୁଦୃଢ କରିବାକୁ ପରାମର୍ଶ ଦେଇଛନ୍ତି । ନବୀନଙ୍କ କହିବା କଥା ହେଉଛି, ନିର୍ବାଚନରେ ବିଜୟ, ପରାଜୟ ରହିଛି । ତେଣୁ, ତାହାକୁ ଗ୍ରହଣ କରି ନେଇ ଆଗକୁ ବଢିବା ଆବଶ୍ୟକ । ନବୀନ ରାଜ୍ୟ ବିଧାନସଭାରେ ବିରୋଧୀ ଦଳ ନେତାର ଦାୟିତ୍ୱ ନେବା ପରେ ବିଜେଡ଼ି ରାଜନୀତିରେ ସ୍ଥିରତା ଆସିଛି ସିନା ପରାଜୟର ଗ୍ଲାନି ଦୂର ହୋଇନାହିଁ । ବିଜେପି ରାଜ୍ୟରେ ଗଲା ପାଂଚ ବର୍ଷ ହେଲା ମୁଖ୍ୟ ବିରୋଧୀ ଦଳ ଭୂମିକାରେ ରହିଥିଲା । ନବୀନଙ୍କ ନେତୃତ୍ୱ ଥିବା ପର୍ଯ୍ୟନ୍ତ ବିଜେଡ଼ି ବିରୋଧୀଙ୍କ ପାଇଁ ଅଭେଦ୍ୟ ଦୁର୍ଗ ରହିବ ବୋଲି ଯେଉଁ ଧାରଣା ରହି ଆସିଥିଲା ତାହା୨୦୨୪ ନିର୍ବାଚନରେ ଆଖି ପିଛୁଳାକେ ବଦଳି ଗଲା । ବିଜେଡ଼ି ସୁପ୍ରିମୋ, ଯାହାକୁ ଭରସା କରି ବିଜେଡ଼ି ନେତାମାନେ ନିର୍ବାଚନ ମଇଦାନରେ ହେଣ୍ଡି ମାରୁଥିଲେ ଓ ରାଜ୍ୟବାସୀ ଆଖି, କାନ ବୁଜି ଭୋଟ ଦେଇ ଚାଲି ଥିଲେ, ସେ ନିଜେ ଦୁଇଟି ବିଧାନସଭା ଆସନରୁ ପ୍ରାର୍ଥୀ ହୋଇ ଗୋଟିକରେ (କଂଟାବାଂଜି) ହାରି ଗଲେ ।
ନବୀନ ହିଂଜିଳୀ ଆସନରେ ପରାଜିତ ହୋଇଥିଲେ ରାଜ୍ୟରେ ବିଜେଡ଼ି ତାହାର ଅସ୍ତିତ୍ୱ ହରାଇ ଦେଇଥା’ନ୍ତା । କିନ୍ତୁ, ୨୪ ବର୍ଷ ହେଲା ପ୍ରତିନିଧିତ୍ୱ କରୁଥିବା ଏହି ଆସନରୁ ସେ ମାତ୍ର ଚାରି ହଜାରରୁ ଅଧିକ ଭୋଟ ବ୍ୟବଧାନରେ ନିର୍ବାଚିତ ହୋଇ ନିଜର ଓ ଦଳର ଅସ୍ତିତ୍ୱକୁ ବଂଚାଇବାରେ ସକ୍ଷମ ହୋଇଛନ୍ତି । ଏହାକୁ ବିଡମ୍ବନା ହିଁ କୁହାଯିବ । ନବୀନ ବୋଧହୁଏ ୨୦୨୪ ନିର୍ବାଚନ ପୂର୍ବରୁ ଏଭଳି ବିପର୍ଯ୍ୟୟର ଆଶଙ୍କା କରୁନଥିଲେ । କିଛି ଆସନ କମିଗଲେ ବି ଦଳ ପୁଣି ଥରେ କ୍ଷମତାକୁ ଫେରିବ ଓ ସେ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଆସନରେ ବସି ନୂଆ ରେକର୍ଡ ସୃଷ୍ଟି କରିବେ, ଏହି ବିଶ୍ୱାସକୁ ନେଇ ସେ ନିର୍ବାଚନ ପରିଚାଳନା କରିଥିଲେ । ଜନ ଅସନ୍ତୋଷକୁ ଏଡାଇବା ପାଇଁ ସେ ଦଳର ପ୍ରମୁଖ ନେତାଙ୍କୁ ଦାୟିତ୍ୱ-ମୁକ୍ତ କରି ନିଜେ ସଂଗଠନ ଓ ସରକାରର ଦାୟିତ୍ୱ ହାତକୁ ନେଇଥିଲେ । ନିଜ ବ୍ୟକ୍ତିଗତ ସଚିବଙ୍କୁ ସାମ୍ନାରେ ରଖି ନିର୍ବାଚନ ପୂର୍ବ ଛଅ ମାସ ରାଜ୍ୟବାସୀଙ୍କ ଅଭିଯୋଗ ଶୁଣାଣୀ କରିଥିଲେ ଓ ସମସ୍ୟା ସବୁର ସମାଧାନ ପାଇଁ ବିପୁଳ ଅର୍ଥ ବ୍ୟୟ କରିଥିଲେ । ନବୀନଙ୍କ ବ୍ୟକ୍ତିଗତ ସଚିବ ଥିବା ଭି.କାର୍ତ୍ତିକେୟ ପାଣ୍ଡିଆନ ଛଅ ମାସ କସରତ କରି ଜନସଂପର୍କ ସୁଦୃଢ କରିବା ସହ ନବୀନଙ୍କୁ ନିର୍ବାଚନ ଜିତିବା ନେଇ ଏକ ଗୋଲାପିଚିତ୍ର ପ୍ରଦାନ କରିବା ପରେ ଆଇଏଏସ ଚାକିରୀରୁ ଆଗୁଆ ଅବସର ଗ୍ରହଣ କରି ପ୍ରତ୍ୟକ୍ଷ ଭାବେ ବିଜେଡ଼ି ରାଜନୀତିରେ ସାମିଲ ହୋଇଥିଲେ । ଶାସନ କଳ ତ ପୂର୍ଣ୍ଣତଃ ତାଙ୍କ ନିୟନ୍ତ୍ରଣରେ ଥିଲା ।
ନବୀନ ନାମକୁ ମାତ୍ର ନିର୍ବାଚନ ପ୍ରଚାର କରିଥିଲେ । ପାଣ୍ଡିଆନ ହିଁ ସେନାପତି ସାଜି ନିର୍ବାଚନ ପରିଚାଳନାର ମଂଗ ଧରିଥିଲେ । ପ୍ରାର୍ଥୀ ଚୟନରୁ ଆରମ୍ଭ କରି ସମସ୍ତ କାର୍ଯ୍ୟରେ ନବୀନଙ୍କ ମୋହର ଲାଗିଥିଲେ ମଧ୍ୟ ନିଷ୍ପ ତ୍ତି ଥିଲା ପାଣ୍ଡିଆନଙ୍କର । ଯାହାକି ବିଜେଡ଼ି ପାଇଁ ବୁମେରାଂ ହେଲା । ଦଳରେ ଚାପା ଅସନ୍ତୋଷ ଥିଲେ ମଧ୍ୟ ବାହାରେ କେହି ପାଟି ଫିଟାଇବାକୁ ସାହାସ କରୁନଥିଲେ । ନେତାମାନେ ଏକପ୍ରକାର ନିଷ୍କ୍ରିୟ ରହିଥିଲେ । ନବୀନ ସରକାରରେ ପାଣ୍ଡିଆନଙ୍କ ଏକକ ପ୍ରଭାବକୁ ଦେଖି ବିରୋଧୀ ଭୂମିକାରେ ଥିବା ବିଜେପି ଓ କଂଗ୍ରେସ ତାହାକୁ ଅସାମ୍ବିଧାନିକ କହି ସମାଲୋଚନା କରୁଥିଲେ ସିନା ସରକାର ଶୁଣିବା ଅବସ୍ଥାରେ ନଥିଲେ । ୨୪ ବର୍ଷ ଧରି ରାଜଧାନୀରେ ରାଜଥାଟ ଭୋଗ କରିଆସୁଥିବା ନେତାମାନେ ଏହି ନିର୍ବାଚନକୁ ମଧ୍ୟ ନବୀନଙ୍କ ନାମରେ ସହଜରେ ପାରି ହୋଇଯିବେ ବୋଲି ଆଶାବାନ୍ଧି ବସିଥିବା ବେଳେ ବିଜେପି ପାଣ୍ଡିଆନଙ୍କ ରାଜତ୍ୱକୁ ପ୍ରସଙ୍ଗ କରି ନିର୍ବାଚନ ଲଢିଲା । ରାଜ୍ୟ ଶାସନ ଆଉ ନବୀନଙ୍କ ହାତରେ ନାହିଁ, ଜଣେ ତାମିଲ ପ୍ରଶାସକଙ୍କ ହାତକୁ ଚାଲି ଯାଇଛି । ସେ ସମସ୍ତ କ୍ଷମତା ହଡପ କରି ଏକ ନିର୍ଦ୍ଧିଷ୍ଟ ଗୋଷ୍ଠୀର ସହାୟତାରେ ରାଜ୍ୟ ଶାସନ କରୁଛନ୍ତି ବୋଲି ବିରୋଧୀଙ୍କ ଅଭିଯୋଗ ଏଭଳି ଭାବେ ରାଜ୍ୟର ମତଦାତାଙ୍କ ମୁଣ୍ଡକୁ ଆବୋରି ବସିଲା ଯେ ୨୦୨୪ ନିର୍ବାଚନରେ ମତଦାନ ଏକପାଖିଆ ହେଲା ଏବଂ ୨୪ ବର୍ଷର ବିଜେଡ଼ି ସରକାର ବାଲି ଘର ଭଳି ଧସି ଗଲା ।
‘ଓଡ଼ିଆ ଅସ୍ମିତା’ ନାମରେ ବିଜେପି ନେତୃତ୍ୱ ଓଡ଼ିଶାରେ ଯେଉଁ ଲଢେଇ କଲେ ତାହା ଓଡ଼ିଶାବାସୀଙ୍କୁ ଭ୍ରମିତ କରିବାକୁ ଯଥେଷ୍ଟ ଥିଲା । ୨୦୧୪ ଓ ୨୦୧୯ ବିଧାନସଭା ନିର୍ବାଚନରେ ଯଥାକ୍ରମେ ୧୧୭ ଓ ୧୧୨ ଆସନରେ (୧୪୭ରୁ) ଜିତିଥିବା ଦଳ ୨୦୨୪ ନିର୍ବାଚନରେ ୫୧ ଆସନରେ ସୀମିତ ରହି ଗଲା । ଗଲା ନିର୍ବାଚନରେ ବିଜେଡ଼ିର ଅଧିକାଂଶ ବଡ ନେତା ହାରିଛନ୍ତି । ଲୋକସଭାରେ ବିଜେଡ଼ିର ସଂଖ୍ୟା ଶୂନ (୨୧ରୁ) ହୋଇଯାଇଛି । ୨୪ ବର୍ଷର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗୀରର କଂଟାବାଂଜି ଆସନରୁ ଲକ୍ଷ୍ମଣ ବାଗ ନାମକ ଅନାମଧେୟଙ୍କ ନିକଟରୁ ପରାଜିତ ହୋଇଛନ୍ତି । ଲକ୍ଷ୍ମଣ ବାଗ ନବୀନଙ୍କୁ ୧୬,୩୪୪ ଭୋଟ ବ୍ୟବଧାନରେ ପରାଜିତ କରିଛନ୍ତି । ୨୦୨୪ ନିର୍ବାଚନ ପୂର୍ବରୁ ବିଜେପି ପଶ୍ଚିମ ଓଡ଼ିଶାରେ ରାଜତ୍ୱ କରୁଥିଲା । ଦକ୍ଷିଣ, ଉତ୍ତର ଓ କେନ୍ଦ୍ରୀୟ ଓଡ଼ିଶାରେ ବିଜେଡ଼ିର ହିଁ ରାଜ ଚାଲିଥିଲା । ୨୦୨୪ ନିର୍ବାଚନରେ ସବୁ କିଛି ଓଲଟ ପାଲଟ ହୋଇଯାଇଛି । ନବୀନ ଲଗାତର ପାଂଚ ଥର ବିଧାନସଭାକୁ ଜିତିଥିବା ଗଂଜାମ ଜିଲ୍ଲାର ହିଂଜିଳୀରୁ ଏଥର ମଧ୍ୟ ଲକ୍ଷାଧିକ ଭୋଟରେ ଜିତିବେ ବୋଲି ଆଶା ରଖିଥିବା ବେଳେ ମାତ୍ର ୪,୬୩୬ ଭୋଟ ବ୍ୟବଧାନରେ ଜିତି ନିଜ ଅସ୍ତତ୍ୱକୁ ବଂଚାଇଛନ୍ତି ।
ବିଜେପୁର, ବରଗଡ, ଅତାବିରା, ଭଟ୍ଟଲି, ବ୍ରଜରାଜନଗର, ଝାରସୁଗୁଡା, ତଳସରା, ରଘୁନାଥପାଲ୍ଲୀ, କୁଚିଣ୍ଡା, ସମ୍ବଲପୁର, ତେଲକୋଇ, ପାଟନା, କେଉଁଝର, ଯଶୀପୁର, ସାରସକଣା, ରାଇରଂଗପୁର, ବାଂଗିରିପୋଷୀ, କରଂଜିଆ, ଉଦଳା, ବଡସାହି, ବାରିପଦା, ମୋରଡା, ବାଲେଶ୍ୱର, ରେମୁଣା, ନୀଳଗିରି, ସିମୁଳିଆ, ଭଦ୍ରକ, ଧାମନଗର, ବଡଚଣା, କୋରେଇ, ସୁକିନ୍ଦା, ଢେଙ୍କାନାଳ, ହିନେ୍ଦାଳ, କାମାକ୍ଷାନଗର, ପରଜଂଗ, ପାଲଲହଡା, ଅନୁଗୁଳ, ଛେଣ୍ଡିପଦା, ବୀରମହାରାଜପୁର, ଲୋଇସିଂଗା, ପାଟଣାଗଡ, ଟିଟିଲାଗଡ, କଂଟାବାଂଜୀ, ଉମରକୋଟ, ଝରିଗାଁ, ନବରଂଗପୁର, ଧର୍ମଗଡ, ଫୁଲବାଣୀ, କଂଟାମାଳ, ବୌଦ୍ଧ, ନିଆଳି, କଟକ ସଦର, ମହାକାଳପଡା, ପାରାଦୀପ, ଜଗତସିଂହପୁର, ନିମାପଡା, ବ୍ରହ୍ମଗିରି, ସତ୍ୟବାଦୀ, ପିପିଲି, ଏକାମ୍ର-ଭୁବନେଶ୍ୱର, ଖୋର୍ଦ୍ଧା, ଚିଲିକା, ରଣପୁର, ଖଣ୍ଡପଡା, ଭଂଜନଗର, ପୋଲସରା, କବିସୂର୍ଯ୍ୟନଗର, ଖଲ୍ଲିକୋଟ, ଛତ୍ରପୁର, ଆସିକା, ସୋରଡା, ଗୋପାଳପୁର, ବ୍ରହ୍ମପୁର, ଦିଗପହଣ୍ଡି, ଚିକିଟି, କୋଟପାଡ, କୋରାପୁଟ, ମାଲକାନଗିରି – ଏଭଳି ୭୮ଟି ବିଧାନସଭା ଆସନକୁ ବିଜେପି ପୋଛି ନେଇଥିବା ବେଳେ ବିଜେଡ଼ି ୫୧ଟି ଓ କଂଗ୍ରେସ ୧୪ଟି ଆସନରେ ସୀମିତ ରହିଛି ।
ବିଜେଡ଼ି ଜିତିଥିବା ବିଧାନସଭା ଆସନଗୁଡିକ ହେଉଛି – ପଦ୍ମପୁର, ସୁନ୍ଦରଗଡ, ବୀରମିତ୍ରପୁର, ରାଉରକେଲା, ରେଂଗାଲି, ରେଢାଖୋଲ, ଦେଓଗଡ, ଘସିପୁରା, ଆନନ୍ଦପୁର, ଚଂପୁଆ, ଜଳେଶ୍ୱର, ଭୋଗରାଇ, ବସ୍ତା, ସୋର, ଭଣ୍ଡାରିପୋଖରୀ, ଚାନ୍ଦବାଲି, ବିଂଝାରପୁର, ବରୀ, ଯାଜପୁର, ତାଳଚେର, ଆଠମଲ୍ଲିକ, ସୋନପୁର, ବଲାଂଗୀର, ନୂଆପଡା, ଖରିଆର, ଡାବୁଗାଁ, ଲାଂଜିଗଡ, ଜୁନାଗଡ, ନର୍ଲା, ବାଲିଗୁଡା, ବାଂକି, ଆଠଗଡ, ଚୌଦ୍ୱାର-କଟକ, ସାଲେପୁର, ପାଟକୁରା, କେନ୍ଦ୍ରାପଡା, ଆଳି, ରାଜନଗର, ତିର୍ତ୍ତୋଲ, ବାଲିକୁଦା-ଏରସମା, କାକଟପୁର, ପୁରୀ, ଜୟଦେବ, ଭୁବନେଶ୍ୱର-ମଧ୍ୟ, ଭୁବନେଶ୍ୱର-ଉତ୍ତର, ଜଟଣୀ, ବେଗୁନିଆ, ଦଶପଲ୍ଲା, ନୟାଗଡ, ହିଂଜିଳୀ, ପାରଳାଖେମୁଣ୍ଡି । ରାଜ୍ୟ ବିଧାନସଭାରେ କଂଗ୍ରେସର ସଂଖ୍ୟା ୦୯ରୁ ୧୪କୁ ବଢିଛି । କଟକ ସଦର, ରାଜଗାଂଗପୁର, ବାସୁଦେବପୁର, ଭବାନିପାଟଣା, ଜି.ଉଦୟଗିରି, ସାନଖେମୁଣ୍ଡି, ମୋହନା, ଗୁଣୁପୁର, ବିଷମକଟକ, ରାୟଗଡା, ଲକ୍ଷ୍ମୀପୁର, ଜୟପୁର, ପଟ୍ଟାଙ୍ଗୀ ଓ ଚିତ୍ରକୋଣ୍ଡା ଆସନରେ କଂଗ୍ରେସ ଜିତିଛି । ସୁନ୍ଦରଗଡ ଜିଲ୍ଲାର ବଣେଇ ଆସନ ସିପିଏମର ଲକ୍ଷ୍ମଣ ମୁଣ୍ଡାଙ୍କ ସପକ୍ଷରେ ଯାଇଥିବା ବେଳେ ଯାଜପୁର ଜିଲ୍ଲା ଧର୍ମଶାଳା ଓ କଟକ ଜିଲ୍ଲାର ବଡମ୍ବା ଓ ମାହାଙ୍ଗା ଭଳି ତିନିଟି ଗୁରୁତ୍ୱପୂର୍ଣ୍ଣ ବିଧାନସଭା ଆସନରୁ ସ୍ୱାଧୀନ ବିଧାୟକ ଜିତିଛନ୍ତି । ଧର୍ମଶାଳାରୁ ହିମାଂଶୁ ସାହୁ, ବଡମ୍ବାରୁ ବିଜୟ ଦଳବେହେରା ଓ ମହାଂଗାରୁ ଶାରଦା ପ୍ରସାଦ ପ୍ରଧାନଙ୍କ ବିଜୟ ଉଲ୍ଲେଖନୀୟ ।
ଏହି ତିନିଟି ଆସନରୁ ବିଜେଡ଼ର ହେଭିୱେଟ୍ ନେତା ଲଗାତର ଜିତି ଆସୁଥିଲେ । ଧର୍ମଶାଳାରେ ପ୍ରଣବ ବଳବନ୍ତରାୟ, ବଡମ୍ବାରେ ଦେବୀ ମିଶ୍ରଙ୍କ ପରାଜୟ ଘଟିଥିବା ବେଳେ ମାହାଂଗାରେ ପୂର୍ବତନ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ପୁଅ ବିଜେଡ଼ି ପ୍ରାର୍ଥୀ ହୋଇ ପରାଜିତ ହୋଇଛନ୍ତି । ସ୍ୱୀଧୀନ ବିଧାୟକମାନେ ନିର୍ବାଚିତ ଜିତିବା ପରେ ବିଜେପିକୁ ସମର୍ଥନ ଦେଇଥିବାରୁ ରାଜ୍ୟ ବିଧାନସଭାରେ ବିଜେପିର ସଂଖ୍ୟା ୮୧କୁ ବୃଦ୍ଧି ପାଇଛି । ବିଜେଡ଼ି ମୁଖ୍ୟ ବିରୋଧୀ ଦଳ ରହିଥିବା ବେଳେ ତୃତୀୟ ସ୍ଥାନରେ ରହିଛି କଂଗ୍ରେସ । ଏଠାରେ ଆଉ ଏକ ଉଲ୍ଲେଖନୀୟ ବିଷୟ ହେଉଛି – ଭୁବନେଶ୍ୱର (ମଧ୍ୟ) ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡ଼ି ବିଧାୟକ ଅନନ୍ତ ନାରାୟଣ ଜେନା ମାତ୍ର ୩୭ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିବା ବେଳେ ଏକ ହଜାରରୁ କମ୍ ଭୋଟ ବ୍ୟବଧାନରେ ଜିତିଥିବା ବିଧାୟକମାନେ ହେଉଛନ୍ତି – ଜଳେଶ୍ୱର ବିଜେଡ଼ି ବିଧାୟକ ଅଶ୍ୱିନୀ କୁମାର ପାତ୍ର (୩୧୯), ସୋର ବିଜେଡ଼ି ବିଧାୟକ ମାଧବ ଚନ୍ଦ୍ର ଧଡା (୮୦୨), ନୟାଗଡ ବିଜେଡ଼ି ବିଧାୟକ ଡକ୍ଟର ଅରୁଣ କୁମାର ସାହୁ (୪୩୯), ବାସୁଦେବପୁର କଂଗ୍ରେସ ବିଧାୟକ ଅଶୋକ କୁମାର ଦାସ (୬୩୧) ।
ଭଣ୍ଡାରିପୋଖରୀରୁ ନିର୍ବାଚିତ ହୋଇଥିବା ବିଜେଡ଼ି ବିଧାୟକ ସଂଜୀବ କୁମାର ମଲ୍ଲିକଙ୍କ ବିଜୟ ବ୍ୟବଧାନ ମାତ୍ର ୧୫୫୧ ଭୋଟ ହୋଇଥିବା ବେଳେ ୧୫୦୦ରୁ ୧୦୦୦ ଭୋଟ ବ୍ୟବଧାନରେ ଜିତି ଥିବା ବିଧାୟକମାନେ ହେଉଛନ୍ତି – ଝାରସୁଗୁଡା ବିଜେପି ବିଧାୟକ ଟଂକଧର ତ୍ରିପାଠୀ (୧୩୩୩), ପାଟଣାଗଡ ବିଜେପି ବିଧାୟକ ତଥା ରାଜ୍ୟ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ (୧୩୫୭), ନିଆଳି ବିଜେପି ବିଧାୟକ ଛବି ମଲ୍ଲିକ (୧୪୫୨) ଓ ଜୁନାଗଡ ବିଜେଡ଼ି ବିଧାୟକ ଦିବ୍ୟଶଙ୍କର ମିଶ୍ର (୧୩୩୮) । ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା (ସିପିଏମ) ୨୩,୪୩୯ ଭୋଟ ବ୍ୟବଧାନରେ ଜିତିଥିବା ବେଳେ ବଡମ୍ବାରୁ ସ୍ୱାଧୀନ ବିଧାୟକ ବିଜୟ କୁମାର ଦଳବେହେରା ୨୩,୪୭୯ ଭୋଟ ବ୍ୟବଧାନରେ ଜିତିଛନ୍ତି । ମାହାଙ୍ଗା ଓ ଧର୍ମଶାଳା ବିଜେଡ଼ିର ଦୁର୍ଗ ଥିଲା । ସ୍ୱାଧୀନ ପ୍ରାର୍ଥୀଙ୍କ ବିଜେୟ ବିଜେଡ଼ିକୁ ଝଟକା ହୋଇଛି । ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ଲଗାତର ମାହାଂଗା ଆସନରୁ ଜିତୁଥିଲେ । ଏଥର ଦଳ ତାଙ୍କ ଟିକଟ ନଦେଇ ପୁଅକୁ ଟିକଟ ଦେଇଥିଲା । ମାହାଂଗାରୁ ସ୍ୱାଧୀନ ବିଧାୟକ ଶାରଦା ପ୍ରସାଦ ପ୍ରଧାନ ୭୪୨୩ ଭୋଟ ବ୍ୟବଧାନରେ ଜିତିଛନ୍ତି । ଧର୍ମଶାଳା ଆସନରେ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ପରାଜିତ କରିଥିବା ସ୍ୱାଧୀନ ବିଧାୟକ ହିମାଂଶୁ ଶେଖର ସାହୁଙ୍କ ଭୋଟ ବ୍ୟବଧାନ ହେଉଛି ମାତ୍ର ୪୧୫୦ ଭୋଟ ।
ଓଡ଼ିଶାରେ ଏତେବଡ ବିପର୍ଯ୍ୟୟ ଘଟିବ ବୋଲି ବିଜେଡ଼ି ନେତୃତ୍ୱର କଳ୍ପନା କରିନଥିଲେ । ଯାହା ବି ଜନଅସନ୍ତୋଷ ରହିଛି ତାହାକୁ ନବୀନ ନାମରେ ପାରି ହୋଇଯିବ ବୋଲି ବିଜେଡ଼ି ନେତାମାନେ ଧରି ନେଇଥିଲେ । ନବୀନ କିନ୍ତୁ ଜାଣିପାରିଥିଲେ ଓଡ଼ିଶାବାସୀଙ୍କ ମୁଡ୍ । ତେଣୁ, ଦଳର ନେତା ଓ ବିଧାୟକଙ୍କୁ ସାଇଡ୍ କରି ପାଣ୍ଡିଆନଙ୍କୁ ସାରଥୀ କରିଥିଲେ । ବିପର୍ଯ୍ୟୟକୁ ଏଡାଇବା ପାଇଁ ବିଜେପି ସହ ମେଂଟ ଉଦ୍ୟମ କରିଥିଲେ । ତେବେ, ରାଜ୍ୟବାସୀଙ୍କ ମନରେ ଭରି ରହିଥିବା ଅସନ୍ତୋଷକୁ ଶୁଙ୍ଘି ପାରିଥିବା ଓଡ଼ିଶା ରାଜ୍ୟପାଳ ରଘୁବର ଦାସ ବିଜେପି କେନ୍ଦ୍ରୀୟ ନେତୃତ୍ୱ ନିକଟରେ ରିପୋର୍ଟ ଉପସ୍ଥାପନ କରି ଏକାକୀ ଲଢିବା ସପକ୍ଷରେ ମତ ରଖିଥିଲେ । ବିଜେପି ରାଜ୍ୟ ନେତାମାନେ ମଧ୍ୟ ମେଂଟ ବିରୋଧରେ କେନ୍ଦ୍ରୀୟ ନେତାଙ୍କୁ ମନାଇବାରେ ସଫଳ ହେବାରୁ ରାଜ୍ୟରେ ବିଜେଡ଼ି-ବିଜେପି ଲଢେଇ ହେଲା ଓ ବିଜେଡ଼ିର ବିପର୍ଯ୍ୟୟ ଘଟିଲା । ୨୪ ବର୍ଷର ଶସନରେ ବିଜେଡ଼ି ନେତାଙ୍କ ଅୟାସୀ ମଧ୍ୟ ଏବେ ଲୋକଲୋଚନକୁ ଆସିଛି । ନବୀନ ୨୪ ବର୍ଷ ମୁଖ୍ୟମନ୍ତ୍ରୀ ଥାଇ ଧଳା କୁର୍ତ୍ତା, ପାଇଜାମା ଓ ଗୋଡରେ ଚପଲରେ ସୀମିତ ରହି ଯାଇଥିଲେ ସିନା ତାଙ୍କ ଦଳର ଦ୍ୱିତୀୟ ଧାଡିର ନେତା ଅୟାସୀରେ ବୁଡି ରହିଥିଲେ । ନିକଟରେ, ବିଜେଡ଼ି ରାଜ୍ୟ ସଂଗଠନ ସଂପାଦକ ବବି ଦାସ (ପ୍ରଣବ ପ୍ରକାଶ ଦାସ)ଙ୍କ ସରକାରୀ କ୍ୱାଟରରେ ଭଂଗା ଯାଇଥିବା ଅବୈଧ ନିର୍ମାଣରୁ ତାହା ସ୍ପଷ୍ଟ ହୋଉଛି ।
ବବି ବିଜେଡ଼ିର ଦୁଇ ନମ୍ବର ପ୍ରଭାବଶାଳୀ ନେତା ଥିଲେ । ପାଣ୍ଡିଆନଙ୍କ ସହ ମିଳିତ ଭାବେ ରାଜ୍ୟରେ ବିଜେଡ଼ି ସଂଗଠନ ଓ ସରକାରକୁ ସେ ନିୟନ୍ତ୍ରଣ କରୁଥିଲେ । ନିର୍ବାଚନ ବିପର୍ଯ୍ୟୟ ପରେ ପରାଜିତ ମନ୍ତ୍ରୀ, ବିଧାୟକଙ୍କୁ ସରକାର କ୍ୱାଟର ଛାଡିବାକୁ ନିର୍ଦେଶ ଦେଇଛନ୍ତି । ବବି ଦାସ ଯାଜପୁର ଜିଲ୍ଲାର ବିଧାୟକ ଭାବେ ଯେଉଁ ସରକାରୀ କ୍ୱାଟର ଅକ୍ତିଆର କରି ରହିଥିଲେ ତାହାର ବିଶାଳତା ସମସ୍ତଙ୍କୁ ଆଚମ୍ବିତ କରିଛି । ଘର ଛାଡିବାକୁ ସରକାରୀ ନୋଟିସ ଜାରି ପରେ ବବି ତାଙ୍କ ସରକାରୀ କ୍ୱାଟରରେ ଅବୈଧ ଭାବେ ହୋଇଥିବା ଭବ୍ୟ ନିର୍ମାଣକୁ ଭାଂଗିବାକୁ ଯାଇ ଗଣମାଧ୍ୟମର ନଜରକୁ ଆସି ଯାଇଛନ୍ତି । ରାଜ୍ୟରେ ଲମ୍ବା ବିଜେଡ଼ି ଶାସନରେ ଯେଉଁ ଗଣମାଧ୍ୟମ ବିଭିନ୍ନ କାରଣରୁ ବବିଙ୍କ ଚାଟୁକାରିତାକୁ ପସନ୍ଦ କରୁଥିଲା ଆଜି ସରକାର ବଦଳି ବିଜେପି ଶାସନକୁ ଆସିବା ପରେ ପଟ୍ଟ ପରିବର୍ତ୍ତନ କରି ବବିଙ୍କୁ ଲଂଗଳା ମୁକୁଳା କରିଛି । କେବଳ ବବି ନୁହନ୍ତି, ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ ମଧ୍ୟ ଲଂଗଳା ମୁକୁଳା ହେଲେଣି । ଏହା ପରେ ବିଜେଡ଼ିର କେଉଁ ନେତାଙ୍କ ପାଳି ପଡିବ ଦେଖିବା ଆପେକ୍ଷାରେ ଅଛନ୍ତି ରାଜ୍ୟବାସୀ ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS