ସପ୍ତାହାନ୍ତ ରାଜନୀତି – ଭାରତ ବିଶ୍ୱକପ୍ ବିଜୟୀ ହେବାରୁ ସମସ୍ତେ ଖୁସି


ପ୍ରସାଦ ରାଓ
ଜୁନ ୩୦
ମୁଁ କ୍ରିକେଟ ପାଗଳ ନୁହେଁ । କିନ୍ତୁ, ଭାରତୀୟ ଟିମ ଖେଳୁଥିବା କିଛି ଗୁରୁତ୍ୱପୂର୍ଣ୍ଣ ଆନ୍ତର୍ଜାତିକ ମ୍ୟାଚ ଟିଭି ପରଦାରେ ଦେଖିବା ଆଗ୍ରହକୁ ରୋକି ପାରେନି । ଯେମିତିକି, ଶନିବାର ଅର୍ଥାତ ଜୁନ ୨୯ ତାରିଖ ରାତିରେ ଆମେରିକାର ବାର୍ବାଡସରେ ଖେଳା ଯାଇଥିବା ଆଇସିସିର ଟି-୨୦ ବିଶ୍ୱକପ୍ କ୍ରିକେଟର ଫାଇନାଲ ମ୍ୟାଚ । ଭାରତ-ପାକିସ୍ତାନ ଗୃପ୍ ମ୍ୟାଚ ଦେଖିବା ପରେ ଅନ୍ୟ କୌଣସି ମ୍ୟାଚ ଦେଖିନି । କିନ୍ତୁ, ଭାରତୀୟ ଦଳ ଫାଇନାଲରେ ପହଂଚିବା ଓ ଦକ୍ଷିଣା ଆଫ୍ରିକା ଭଳି ଏକ ଶକ୍ତିଶାଳୀ ଦଳ ସହ ଶନିବାର ରାତିରେ ଚୂଡାନ୍ତ ମ୍ୟାଚ ଖେଳିବାକୁ ଯାଉଥିବା ସବୁ ଭାରତୀୟଙ୍କ ଭଳି ମୋତେ ମଧ୍ୟ ଟିଭି ପରଦା ସାମ୍ନାରେ ବସିବାକୁ ବାଧ୍ୟ କରିଥିଲା । ମ୍ୟାଚର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଉତ୍କଂଠା ଭରି ରହି ଥିଲା । ସଂପୂର୍ଣ୍ଣ ଖେଳ ଦେଖିବାକୁ ସୁଯୋଗ ଦେଇଥିଲା ବାହାରେ ଚାଲିଥିବା ଲଘୁଚାପଜନିତ ବର୍ଷା । ଖେଳ ଦେଖୁଥିବା ସମୟରେ ଜଣେ ସାମାଜିକ ଗଣମାଧ୍ୟମ ବନ୍ଧୁ ପଚାରି ଥିଲେ – ମୁଁ କଣ କରୁଛି ? ଯେତେବେଳେ କହିଲି, ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଫାଇନାଲ ମ୍ୟାଚ ଦେଖୁଛି ବନ୍ଧୁ ପ୍ରଶ୍ନ କରିଥିଲେ – କିଏ ଜିତିବ ? ଭାରତ ପ୍ରଥମ ବ୍ୟାଟିଂ କରୁଛି, ୨୦୦ ରନ କରିବ । ମୋର ଉତ୍ତର ଥିଲା, ଭାରତୀୟ ଦଳରେ ଭଲ ବ୍ୟାଟର ଓ ବୋଲର ଅଛନ୍ତି । କିଏ ଜିତିବ ତାହା ଭାରତର ବ୍ୟାଟିଂ, ଦକ୍ଷିଣ ଆଫ୍ରିକାକୁ ଦେବାକୁ ଥିବା ରନ୍ ଲକ୍ଷ୍ୟ ଓ ଭାରତୀୟ ବୋଲରଙ୍କ କମାଲ ଉପରେ ନିର୍ଭର କରୁଛି । ଦକ୍ଷିଣ ଆଫ୍ରିକା କିଛି କମ୍ ନୁହେଁ । ଭାବ ବିନିମୟ ବେଳକୁ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ମାତ୍ର ୦୯ ରନ୍ କରି ବିଦା ନେଇ ସାରିଥିଲେ । ଦକ୍ଷିଣ ଆଫ୍ରିକାର ବୋଲରମାନେ ରୋହିତଙ୍କ ପରେ ନିୟମିତ ଭାବେ ୱକେଟ ନେବା ଆରମ୍ଭ କରିଥା’ନ୍ତି । ସୂର୍ଯ୍ୟକାନ୍ତ ଯାଦବ ୦୩ ରନ୍ କରି ପଡିଆ ଛାଡିବା ନିରାଶ କରିଥିଲା । ଅକ୍ଷର ପଟେଲଙ୍କ ୪୭, ବିରାଟ କୋହିଲିଙ୍କ ୭୬ ଓ ଶୁଭମ ଦୁବେଙ୍କ ୨୭ ରନ୍ ଭାରତ ବଡ ସ୍କୋର କରିବା ନିଶ୍ଚିତ କରିଥିଲେ ମଧ୍ୟ ଖେଳ ସରିବା ପର୍ଯ୍ୟନ୍ତ ଆଶା, ଆଶଂକା ରହିଥିଲା । ଶେଷ ଯୋଡି ହାର୍ଦ୍ଧିକ ପାଣ୍ଡ୍ୟା ଓ ରବିନ୍ଦ୍ର ଜାଦେଜା ଯଥାକ୍ରମେ ୦୫ ଓ ୦୨ ରନ୍ କରି ଭାରତର ସ୍କୋରକୁ ୨୦ ଓଭରରେ ୧୭୬ରେ ପହଂଚାଇ ଥିଲେ । ଭାରତ ସାତ ୱକେଟ ହରାଇ ଦକ୍ଷିଣ ଆଫ୍ରିକାକୁ ୧୭୭ ରନ୍ ର ଲକ୍ଷ୍ୟ ଦେଇଥିଲା । ଦକ୍ଷିଣ ଆଫ୍ରିକା ଟିମ୍ ବ୍ୟାଟିଂ ଆରମ୍ଭ କରି ମାତ୍ର ୦୭ ରନ୍ ରେ ପ୍ରଥମ ୱିକେଟ ହରାଇଲେ ମଧ୍ୟ ପରେ ଖେଳକୁ ସମ୍ଭାଳି ନେଇଥିଲା । ଫାଇନାଲ ମ୍ୟାଚ ଜିତିବା ଲକ୍ଷ୍ୟରେ ଦକ୍ଷିଣ ଆଫ୍ରକାର ବ୍ୟାଟରମାନେ ସଂଘର୍ଷ କରୁଥିଲେ । ଭାରତୀୟ ବୋଲରମାନେ ଗୋଟିଏ ପରେ ଗୋଟିଏ ୱିକେଟ୍ ଦଖଲ କରି ବିପର୍ଯ୍ୟୟ ସୃଷ୍ଟି କରିବା ଉଦ୍ୟମରେ ଥିଲେ । ଏହି ଛକାଂପଂଝା ମଧ୍ୟରେ ଖେଳ ଶେଷ ପର୍ଯ୍ୟନ୍ତ କିଏ ଜିତିବ, କିଏ ହାରିବ – ସେ ନେଇ କେହି ନିଶ୍ଚିତ ହୋଇପାରୁନଥିଲେ । ଖେଳ ଶେଷ ଆଡକୁ ଏଭଳି ପରିବେଶ ସୃଷ୍ଟି ହୋଇଥିଲା ଯେ ଭାରତ ହାତରୁ ମ୍ୟାଚ୍ ଖସିଯିବା ଆଶଙ୍କାରେ କମେଂଟ୍ରି ବକ୍ସରେ ଥିବା ନବଜୋତ ସିଦ୍ଧୁଙ୍କ ଭଳି ଧୁରଂଧର କ୍ରିକେଟ କମେଂଟେଟର ମଧ୍ୟ ଆଶଙ୍କାରେ ପଡିଥିଲେ । ବାରମ୍ବାର ସେମାନେ କହୁଥିଲେ ଜଶପ୍ରିତ ବୁମରାକୁ ଛାଡ, ସେ ହିଁ ଭାରତକୁ ବିଜୟ ଦେଇପାରିବ । ତାହା ହିଁ ହେଲା । ସୂର୍ଯ୍ୟକାନ୍ତ ଯାଦବ ବାଉଣ୍ଡ୍ରି ଲାଇନରେ ଧରିଥିବା ଦୁଇଟି କ୍ୟାଚ୍ ଓ ବୁମରାଙ୍କ ମ୍ୟାଚ୍ ଛଡାଇ ନେବା ଭଳି ବୋଲିଂ ଭାରତ-ଦକ୍ଷିଣ ଆଫ୍ରିକା ଫାଇନାଲ ମ୍ୟାଚ୍ ର ମୋଡ ବଦଳାଇ ଦେଲା । ଭାରତ ଦକ୍ଷିଣ ଆଫ୍ରିକାକୁ ୨୦ ଓଭରରେ ୧୬୯ ରନ୍ ରେ ସୀମିତ କରି ସାତ ରନ୍ ରେ ଫାଇନାଲ ଜିତିଲା । କପିଳ ଦେବ, ମହେନ୍ଦ୍ର ସିଂହ ଧୋନିଙ୍କ ପରେ ରୋହିତ ଶର୍ମା ଭାରତୀୟ କ୍ରିକେଟ ଦଳର ଅଧିନାୟକ ଭାବେ ଆଇସିସି ଟି-୨୦ ବିଶ୍ୱକପ୍ ଜିତିବାରେ ସଫଳ ନାୟକ ଭାବେ ଇତିହାଶ ରଚିଲେ । ଲେଖାଟି ପଢୁଥିବା ବା ପଢିବାକୁ ଚାହୁଁଥିବା ସମସ୍ତ ଶୁଭେଚ୍ଛୁ ଶନିବାର ରାତିର ସେହି ଉତ୍କଂଠାପୂର୍ଣ୍ଣ ଫଇନାଲ ମ୍ୟାଚ୍ ଦେଖିଥିବେ ଏବଂ ମୁଁ ଯାହା ଲେଖୁଛି ତାହା ସେମାନଙ୍କ ପାଇଁ କେବଳ ରିପିଟ୍ ଭଳି ଲାଗୁଥିବ । ତେବେ, ‘ସପ୍ତାହାନ୍ତ ରାଜନୀତି’ ଲେଖିବା ସମୟରେ ଶନିବାର ରାତିର ଆଇସିସି ଟି-୨୦ ବିଶ୍ୱକପ୍ ଫାଇନାଲ ମ୍ୟାଚ୍ ର ସେହି ସଂଘର୍ଷ ମୋ ଆଖିରେ ନାଚୁଥିଲା । ତେଣୁ, ଆଜି ଏହି ସ୍ତମ୍ବରେ ଗତକାଲିର ଫାଇନାଲ୍ସ୍ ଉପରେ ଲେଖୁଛି । କ୍ରିକେଟକୁ ନେଇ ମୋର ସେଭଳି କିଛି ଗଭୀର ଜ୍ଞାନ ନାହିଁ । ‘ସମ୍ବାଦ’ ବ୍ରହ୍ମପୁର ସଂସ୍କରଣର ସଂପାଦନା ବିଭାଗ ଦାୟିତ୍ୱ ଥିବା ସମୟରେ କୌଣସି ଆନ୍ତର୍ଜାତିକ କ୍ରିକେଟ ମ୍ୟାଚରେ ଭାରତୀୟ ଦଳ ଖେଳୁଥିଲେ ସଂପାଦକ ମହାଶୟ ଫୋନ କଲେ ପଚାରୁ ଥିଲେ – ସ୍କୋର୍ କେତେ ହେଲାଣି ? ଖବର ନ ରଖିଲେ ଗାଳି ପଡୁଥିଲା । ତେଣୁ, କ୍ରିକେଟ ପ୍ରତି ଆଗ୍ରହ ଥାଉ ବା ନଥାଉ ସ୍କୋର ଜାଣିବାର ବାଧ୍ୟବାଧକତା ରହିଥିଲା । ଏବେ ସେହି ବାଧ୍ୟବାଧକତା ନାହିଁ । ତେବେ, ଭାରତୀୟ ଟିମ୍ ଖେଳୁଥିବା କିଛି ଗୁରୁତ୍ୱପୂର୍ଣ୍ଣ ଆନ୍ତର୍ଜାତିକ ମ୍ୟାଚ୍ ଦେଖିବା ଆଗ୍ରହ ବଢିଛି । ଶନିବାର ରାତିର ଫାଇନାଲ ମ୍ୟାଚ୍ ସେଥିରୁ ଅନ୍ୟତମ । ଭାରତ ଟି-୨୦ ଆଇସିସି ବିଶ୍ୱକପ୍ ବିଜେତା ହୋଇଥିବାରୁ ସମସ୍ତ ଭାରତୀୟ ଖୁସି । ମୁଁ ମଧ୍ୟ ଖୁସି । ଭାରତୀୟ ଟିମ୍ ପ୍ରଶିକ୍ଷକ ରାହୁଲ ଦ୍ରାବିଡ ଏହି ବିଜୟ ଗୌରବକୁ ସାଥିରେ ନେଇ ପ୍ରଶିକ୍ଷଣରୁ ବିଦାୟ ନେବାକୁ ଯାଉଛନ୍ତି । ରୋହିତ ଶର୍ମା, ବିରାଟ କୋହିଲି ମଧ୍ୟ ଏହି ବିଜୟ ପରେ ଟି-୨୦ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଭାରତର ବିଜୟକୁ ନେଇ ଗତକାଲି ବିଳମ୍ବିତ ରାତିରୁ ଆରମ୍ଭ ହୋଇଥିବା ବାଣଫୁଟା ଆଜି ମଧ୍ୟ ସରିନି । ବର୍ଷା ସତ୍ତ୍ୱେ ବାଣ ଫୁଟା ଚାଲିଛି ଓ ତାହା ଭାରତୀୟଙ୍କ ଖୁସିକୁ ଜାହିର କରୁଛି । ମୁଁ ବା କେମିତି ବାଦ୍ ପଡିଥା’ନ୍ତି …!
‘ସହମତି’ ନୁହେଁ, ‘ଆତ୍ମବଡିମା’ ରାଜନୀତି…
୨୦୨୪ ସାଧାରଣ ନିର୍ବାଚନରେ ଦେଶବାସୀ ଯେଉଁ ପ୍ରକାର ମତଦାନ କରିଛନ୍ତି ତାହା ଏକ ମିଳିତ ସରକାର ସପକ୍ଷରେ ଯାଇଛି । ଗଲା ଦଶ ବର୍ଷ ହେଲା କେନ୍ଦ୍ରରେ ନିରଂକୁଶ କ୍ଷମତା ଭୋଗ କରୁଥିବା ବିଜେପି ଏଥର ଏକାକୀ ସରକାର ଗଠନ କଲା ଭଳି ସଂଖ୍ୟା ନପାଇ ଜାତୀୟ ଗଣତାନ୍ତ୍ରିକ ମେଂଟ (ଏନଡିଏ)ରେ ଥିବା ସହଯୋଗୀ ଦଳଙ୍କ ସହାୟତାରେ ସରକାର କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲଗାତର ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହୋଇଛନ୍ତି ଓ ସରକାରେ ବିଜେପି ସଂଖ୍ୟାଲଘୁ ଥିବାରୁ ‘ସହମତି’ର ଶାସନ କଥା କହୁଛି । କିନ୍ତୁ, ବାସ୍ତବରେ ‘ସହମତି’ ନୁହେଁ, ଗତ ଦଶ ବର୍ଷ ଭଳି ଚଳିତ ସଂସଦରେ ମଧ୍ୟ ‘ଆତ୍ମବଡିମା’ର ନଗ୍ନ ପ୍ରଦର୍ଶନ ଆରମ୍ଭ ହେଲାଣି । ଅଷ୍ଟାଦଶ ସଂସଦର ପ୍ରଥମ ଅଧିବେଶନ ଜୁନ ୨୪ ତାରିଖରୁ ଆରମ୍ଭ ହେଲା । ଶାସକ ମେଂଟ ଲୋକସଭାର ବିଜେପିର ବରିଷ୍ଠ ସାଂସଦ ଭର୍ତ୍ତୃହରି ମହତାବ (ବିଜେପି)ଙ୍କୁ କାମଚଳା ବାଚସ୍ପତି ନିଯୁକ୍ତ କରି ବିରୋଧୀ ମେଂଟ ଆଡୁ ବିରୋଧର ସମ୍ମୁଖୀନ ହେଲେ । ଲୋକସଭା ଅଧିବେଶନ ଆରମ୍ଭ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୃହ ବାହାରେ ଗଣମାଧ୍ୟମକୁ ଭେଟି ୧୯୭୫ ମସିହା ଜୁନ ୨୫ ତାରିଖରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଦେଶରେ ଜାରି କରିଥିବା ଜରୁରୀ ପରିସ୍ଥିତି କଥା ଉଠାଇ ୪୯ ବର୍ଷ ତଳର ଏମର୍ଜେନ୍ସୀକୁ ଏକ ‘କଳା ଅଧ୍ୟାୟ’ କହିଲେ । ବିଜେପି ଜୁନ ୨୫ ତାରିଖରେ ଦେଶବ୍ୟାପୀ ‘କଳା ଦିବସ’ ପାଳନ କରିବ ବୋଲି ମଧ୍ୟ ସେ ଘୋଷଣା କଲେ । କଂଗ୍ରେସ ସହ ବିରୋଧୀ ‘ଇଣ୍ଡି’ ମେଂଟ ତାହାର ଦୃଢ ବିରୋଧ କଲା । ସେହିପରି, ବାଚସ୍ପତି ନିର୍ବାଚନକୁ ନେଇ ଶାସକ ଓ ବିରୋଧୀ ମେଂଟ ମୁହାଁମୁହିଁ ହେଲେ । ଶାସକ ମେଂଟ ବାଚସ୍ପତି ପଦକୁ ହାତରେ ରଖିଲେ ଉପ ବାଚସ୍ପତି ପଦ ବିରୋଧୀ ମେଂଟକୁ ଦିଆଯିବା ‘ଇଣ୍ଡି’ ମେଂଟର ଦାବି ଥିଲା । ତେବେ, ବିଜେପି ନେତୃତ୍ୱ ଆଡୁ କୌଣସି ପ୍ର୍ରତିଶ୍ରୁତି ନ ମିଳିବାରୁ ବାଚସ୍ପତି ନିର୍ବାଚନ ‘ସହମତି ଭିତ୍ତିକ’ ନହୋଇ ପ୍ରତିଦ୍ୱନ୍ଦ୍ୱିତାତ୍ମକ ହେଲା । ବିରୋଧୀ ମେଂଟ ଲୋକସଭାରେ ସେମାନଙ୍କର ଆବଶ୍ୟକ ସଂଖ୍ୟା ନଥିବା ଜାଣି ମଧ୍ୟ ଶାସକ ମେଂଟର ବାଚସ୍ପତି ପ୍ରାର୍ଥୀ ଓମ୍ ବିରଳାଙ୍କ ବିରୋଧରେ ବରିଷ୍ଠ କଂଗ୍ରେସ ନେତା କେ.ସୁରେଶଙ୍କୁ ପ୍ରାର୍ଥୀ କଲେ । ବିରଳା ନିର୍ବାଚନରେ ବିଜୟୀ ହେଲେ । ବାଚସ୍ପତି ଆସନରେ ବସୁ ବସୁ ସେ ପ୍ରଥମେ ଇନ୍ଦରା ଗାନ୍ଧୀଙ୍କ ୧୯୭୫ ମସିହା ଜୁନ ୨୫ ତାରିଖର ଏମର୍ଜେନ୍ସୀ କଥା ଉଠାଇ ଲୋକସଭାରେ ନିନ୍ଦା ପ୍ରସ୍ତାବ ଗୃହୀତ କରାଇଲେ । କଂଗ୍ରେସ ଓ ‘ଇଣ୍ଡି’ ମେଂଟ ନେତାମାନେ ଲୋକସଭାରେ ଏହାର ଦୃଢ ବିରୋଧ କରିବା ସହ ବାଚସ୍ପତିଙ୍କୁ ତାଙ୍କ ଚ୍ୟାମ୍ବରରେ ଭେଟି ନିରପେକ୍ଷତା ଅବଲମ୍ବନ କରିବାକୁ ନିବେଦନ କରିଥିଲେ । ୨୬ ତାରିଖ ବାଚସ୍ପତି ନିର୍ବାଚନ ପରେ ୨୭ ତାରିଖ ସଂସଦର ଉଭୟ ଗୃହର ମିିଳିତ ଅଧିବେଶନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅଭିଭାଷଣ ରଖିବା କାର୍ଯ୍ୟକ୍ରମ ଥିଲା । ସାଧାରଣତଃ ରାଷ୍ଟ୍ରପତି ସରକାରଙ୍କ ଦ୍ୱାରା ପ୍ରସ୍ତୁତ ବିବରଣୀ ଅଭିଭାଷଣ ମାଧ୍ୟମରେ ଗଡରେ ଉପସ୍ଥାପନ କରିଥା’ନ୍ତି । ୨୭ ତାରିଖ ତାହା ହିଁ ହେଲା । ରାଷ୍ଟ୍ରପତି ମୁର୍ମୁ ତାଙ୍କ ଭାଷଣରେ ୧୯୭୫ ଜୁନ ୨୫ ତାରିଖ ଏମର୍ଜେନ୍ସୀ କଥା ଉଠାଇ ତାହାର ଦୃଢ ନିନ୍ଦା କଲେ । ଜରୁରୀ ପରିସ୍ଥିତି ସମୟରେ ଦେଶର ସମ୍ବିଧାନକୁ କିଭଳି ପାଦରେ ଦଳି ଦିଆଗଲା ଏବଂ ବିରୋଧୀଙ୍କ ସ୍ୱରକୁ ଦବାଇବାକୁ ଦେଶକୁ ଏକ କାରାଗାରରେ ପରିଣତ କରାଗଲା – ରାଷ୍ଟ୍ରପତି ତାହା ଉଲ୍ଲେଖ କରିଥିଲେ । ରାଷ୍ଟ୍ରପତି ୧୯୭୫ରେ ଜାରି ଜରୁରୀ ପରିସ୍ଥିତି ଏକ ‘କଳା ଅଧ୍ୟାୟ’ ଥିଲା କହି ନିନ୍ଦା କରି ବିରୋଧୀଙ୍କ ହଟ୍ଟଗୋଳର ସମ୍ମୁଖୀନ ହୋଇଥିଲେ । ଜୁନ ୨୮ ତାରିଖ ଦିନ ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଗତ କରାଯାଇ ତାହା ଉପରେ ଆଲୋଚନା କରାଯିବାକୁ ବାଚସ୍ପତି ଆହ୍ୱାନ ଦେଇଥିଲେ । ତେବେ, ଦୀର୍ଘ ଦଶ ବର୍ଷ ପରେ ଲୋକସଭାରେ ପ୍ରଥମ କରି ବିରୋଧୀ ଦଳର ସ୍ୱୀକୃତି ପାଇଥିବା କଂଗ୍ରେସ ତଥା ବିରୋଧୀ ‘ଇଣ୍ଡି’ ମେଂଟର ନେତା ରାହୁଲ ଗାନ୍ଧୀ ଗୃହରେ ପ୍ରଥମେ ‘ନିଟ୍’ ପରୀକ୍ଷାରେ ହୋଇଥିବା ଘୋଟାଲା ଉପରେ ଆଲୋଚନା କରାଯିବାକୁ ଦାବି ରଖିଥିଲେ । ନିଟ୍ ପରୀକ୍ଷାରେ ହୋଇଥିବା ଘୋଟାଲାରେ ଦେଶର ଲକ୍ଷ ଲକ୍ଷ ଯୁବକ, ଯୁବତୀ ପ୍ରଭାବିତ ହୋଇଥିବାରୁ ପ୍ରଥମେ ସେମାନଙ୍କ କଥା ଆଲୋଚନା ହେଉ ଏବଂ ଉଭୟ ସରକାର ଓ ବିରୋଧୀ ଉଦବିଗ୍ନ ଥିବାର ଏକ ମିଳିତ ବାର୍ତ୍ତା ସେମାନଙ୍କ ପାଖକୁ ଯାଉ ବୋଲି ରାହୁଲ ଦାବି ରଖିଥିବା ବେଳେ ଲୋକସଭା ବାଚସ୍ପତି ସେଥିପାଇଁ ଅନୁମତି ନଦେଇ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ପ୍ରଥମେ ବିତର୍କ ହେଉ ବୋଲି ଆଗ୍ରହ ପ୍ରକାଶ କରିବାରୁ ବିରୋଧୀ ହଟ୍ଟଗୋଳ କରିଥିଲେ । ବାଚସ୍ପତି ସୋମବାର ଯାଏଁ ଗୃହ ମୁଲତବୀ ରଖିଲେ । ରାଜ୍ୟସଭାରେ ମଧ୍ୟ ‘ନିଟ୍’ ପରୀକ୍ଷା ଘୋଟାଲା ଉପରେ ପ୍ରଥମେ ଆଲୋଚନା କରାଯିବାକୁ ବିରୋଧୀ ମେଂଟ ଦାବି ରଖି ହଟ୍ଟଗୋଳ କରିବାରୁ ଗୃହ ମୁଲତବୀ ରହିଛି । ଆସନ୍ତା କାଲି ଉଭୟ ଗୃହରେ କାର୍ଯ୍ୟ ଚାଲିବ । ଶାସକ ଓ ବିରୋଧୀ ମେଂଟ ନିଜ ନିଜ ଦାବିରେ ଅଟଳ ଥିବାରୁ କାଲି ମଧ୍ୟ ଗୃହ ଚାଲିବା ନେଇ ସନ୍ଦେହ ପ୍ରକାଶ ପାଉଛି । ଇନ୍ଦିରାଙ୍କ ଏମର୍ଜେନ୍ସୀକୁ ନେଇ ଶାସକ ମେଂଟ କଂଗ୍ରେସ ଓ ବିରୋଧୀ ମେଂଟକୁ ଘେରିବାକୁ ପ୍ରଥମେ ଉଦ୍ୟମ କରିବାରୁ ବିରୋଧୀ ମେଂଟ ‘ନିଟ୍’ ପରୀକ୍ଷାରେ ହୋଇଥିବା ଘୋଟାଲାକୁ ନେଇ ସରକାରଙ୍କୁ ଘେରିବା ଆରମ୍ଭ କରିଛି । ଏଥିରେ ‘ସହମତି’ ରାଜନୀତି କେଉଁଠି ରହିଲା ବୋଲି ତଥ୍ୟାଭିଜ୍ଞ ମହଲରେ ପ୍ରଶ୍ନ ହେଉଛି । ଗଲା ଦଶ ବର୍ଷ ଧରି ବିଜେପି ଲୋକସଭାରେ ନିରଂକୁଶ ଥିଲା ଓ ବିରୋଧୀଙ୍କୁ ନ୍ୟୁନ ଦୃଷ୍ଟିରେ ଦେଖୁଥିଲା । ଆଜିର ପରିସ୍ଥିତି ଭିନ୍ନ । ବିରୋଧୀ ମେଂଟ ଲୋକସଭାରେ ସଶକ୍ତ ରହିଛି । ରାହୁଲ ଗାନ୍ଧୀ ଏକ ଶକ୍ତିଶାଳୀ ବିରୋଧୀ ମେଂଟର ନେତୃତ୍ୱ ନେଉଛନ୍ତି । ଶାସକ ମେଂଟ ପୂର୍ବ ଭଳି ଅଡିଅଳ ରହିଲେ ବିରୋଧୀ ମେଂଟ ମଧ୍ୟ ଅଡିଅଳ ହେବ – ଏଥିରେ କୌଣସି ସନ୍ଦେହ ନାହିଁ ।
ସୋରେନ ଖସିଲେ, କିନ୍ତୁ କେଜରୀୱାଲ ଘାଂଟି ହେଉଛନ୍ତି !
ଝାଡଖଣ୍ଡରେ ହୋଇଥିବା କଥିତ ଜମି ଦୁର୍ନୀତି ମାମଲାରେ ସଂପୃକ୍ତି ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ପାଂଚ ମାସ ତଳେ, ଅର୍ଥାତ ଜାନୁୟାରୀ ୩୦ ତାରିଖରେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଗିରଫ କରିଥିଲେ । ଗିରଫ ହେବା ପରେ ସୋରେନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଜେଏମଏମର ବରିଷ୍ଠ ନେତା ଚଂପେଇ ସୋରେନଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇ ନିଜେ ଜେଲ ଚାଲି ଯାଇଥିଲେ । ନିକଟରେ ସେ ଝାଡଖଣ୍ଡ ହାଇକୋର୍ଟରୁ ଜାମିନ ପାଇ ମୁକୁଳିଛନ୍ତି । କଥିତ ଜମି ଦୁର୍ନୀତି ସହ ସୋରେନଙ୍କ ପ୍ରତ୍ୟକ୍ଷ ସଂପୃକ୍ତ ଥିବା ନେଇ ପ୍ରବର୍ତ୍ତନ ନିର୍ଦେଶାଳୟ କୌଣସି ଠୋସ୍ ପ୍ରମାଣ ଉପସ୍ଥାପନ କରିପାରିନଥିବା ଝାଡଖଣ୍ଡ ହାଇକୋର୍ଟ ଟିପ୍ପଣୀ ଦେବା ସୋରେନଙ୍କ ଜାମିନ ମଂଜୁର କରିଛନ୍ତି । ସୋରେନ ବାରମ୍ବାର କହି ଆସୁଛନ୍ତି କଥିତ ଜମି ଦୁର୍ନୀତି ସହ ତାଙ୍କର କିଛି ସଂପର୍କ ନାହିଁ । ସେ ବିରୋଧୀ ‘ଇଣ୍ଡି’ ମେଂଟ ସହ ଥିବାରୁ ବିଜେପି ସରକାର ରାଜନୈତିକ ଆକ୍ରେଶ ରଖି ଇଡି ଜରିଆରେ ତାଙ୍କୁ ହାରାଶ କରୁଛନ୍ତି । ୨୦୨୪ ସାଧାରଣ ନିର୍ବାଚନରେ ସୋରେନ ବିରୋଧୀ ‘ଇଣ୍ଡି’ ମେଂଟ ପାଇଁ ନିର୍ବାଚନ ପ୍ରଚାର କରିବାକୁ ଚାହିଁଥିଲେ ଓ କୋର୍ଟରେ ଜାମିନ ପାଇଁ ଆବେଦନ କରିଥିଲେ । ତେବେ, ତାଙ୍କୁ ଅଦାଲତରୁ ଜାମିନ ମିଳିନଥିଲା । ଝାଡଖଣ୍ଡ ହାଇକୋର୍ଟରୁ ଏବେ ତାଙ୍କୁ ଜାମିନ ଦେଇଥିବାରୁ ସେ ଆଶ୍ୱସ୍ତ । ଅପରପକ୍ଷରେ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ ଦିଲ୍ଲୀ ସରକାରଙ୍କ ୨୦୧-୨୨ ଅବକାରୀ ଦୁର୍ନୀତି ମାମଲାରେ ଫସି ମାର୍ଚ୍ଚ ୨୧ ତାରିଖରୁ ଜେଳଷର ଅଛନ୍ତି । ସେ ଇଡି ଦ୍ୱାରା ଗିରଫ ହୋଇଥିଲେ । ୨୦୨୪ ସାଧାରଣ ନିର୍ବାଚନ ସମୟରେ ସେ ନିର୍ବାଚନ ପ୍ରଚାରରେ ସାମିଲ ହେବା ପାଇଁ ସୁପ୍ରିମ କୋର୍ଟରେ ଆବେଦନ କରି ୨୧ ଦିନିଆ ଅନ୍ତରୀଣ ଜାମିନ ପାଇଥିଲେ । ଜୁନ ୦୧ ତାରିଖରେ ମତଦାନ ପ୍ରକ୍ରି୍ରୟା ଶେଷ ହେବା ପରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶ ପ୍ରକାରେ କେଜରୀୱାଲ ଜୁନ ୦୨ ତାରିଖରେ ତିହାର ଜେଲରେ ଆତ୍ମସମର୍ପଣ କରି ସ୍ଥାୟୀ ଜାମିନ ଆବେଦନ କରିଛନ୍ତି । ଗତ ୨୦ ତାରିଖ ଦିନ ଦିଲ୍ଲୀର ରାଉଜ ଏଭିନ୍ୟୁ କୋର୍ଟ କେଜରୀୱାଲଙ୍କ ଜାମିନ ମଂଜୁର କରିଥିଲେ ମଧ୍ୟ ତଳ କୋର୍ଟଙ୍କ ଜାମିନ ଆଦେଶ ତୃଟିପୂର୍ଣ୍ଣ ଦର୍ଶାଇ ଇଡି ତୁରନ୍ତ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିଲା । ହାଇକୋର୍ଟ ତାହାର ଶୁଣାଣୀ କରି ଜାମିନ ଉପରେ ସ୍ଥଗିତାଦେଶ ଜାରି କରିଥିଲେ । ପରେ, ନିମ୍ନ ଅଦାଲତ ଦେଇଥିବା ଜାମିନ ତୃଟିପୂର୍ଣ୍ଣ କହି ଦିଲ୍ଲୀ ହାଇକୋର୍ଟ ଆଉ ସ୍ଥିଗିତାଦେଶ ଉଠାଇ ନାହାନ୍ତି । ହାଇକୋର୍ଟଙ୍କ ରାୟ ବିରୋଧରେ କେଜରୀୱାଲ ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ତୁରନ୍ତ ଆଶ୍ୱସ୍ତ ମିଳି ନଥିଲା । ସୁପ୍ରିମ କୋର୍ଟ ଯେଉଁ ଦିନ ଏହି ଜାମିନ ଆବେଦନ ଉପରେ ଶୁଣାଣୀ ରଖିଥିଲେ ପୂର୍ବ ରାତିରେ ସିବିଆଇ ସେହି ମାମଲାରେ କେଜରୀୱାଲଙ୍କୁ ଜେଲରେ ଜେରା କରିବା ସହ ପରଦିନ ତାଙ୍କୁ ଗିରଫ କରିଛନ୍ତି । ଦିଲ୍ଲର ରାଉଜ ଏଭିନ୍ୟୁ କୋର୍ଟ ତିିନି ଦିନ ପାଇଁ ସିବିଆଇକୁ କେଜରୀୱାଳଙ୍କ ରିମାଣ୍ଡ ଦେଇଥିଲା । ଗତକାଲି ରିମାଣ୍ଡ ଅବଧି ସରିଛି । କେଜରୀୱାଲ ତଦନ୍ତରେ ସହଯୋଗ କରୁନଥିବା ସିବିଆଇ କୋର୍ଟକୁ ଜଣାଇବାରୁ ଗତକାଲି କୋର୍ଟ ତାଙ୍କୁ ୧୪ ଦିନ ପାଇଁ ନ୍ୟାୟିକ ହାଜତକୁ ପଠାଇ ଦେଇଛନ୍ତି । କେନ୍ଦ୍ର ସରକାରଙ୍କ ସିବିଆଇ, ଇଡି ଖେଳରେ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ସୋରେନ ଲଗାତର ପାଂଚ ମାସ ଜେଲରେ ରହି ଝାଡଖଣ୍ଡ ହାଇକୋର୍ଟରୁ ଜାମିନ ପାଇ ଆଶ୍ୱସ୍ତି ହୋଇଥିବା ବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରୀୱାଲଙ୍କ ଭାଗ୍ୟ ସୁଧୁରୁନି । ସୁପ୍ରିମ କୋର୍ଟରୁ ସ୍ଥାୟୀ ଜାମିନ ମିଳିବା ନେଇ ସେ ଆଶା ବାନ୍ଧି ବସିଥିବା ବେଳେ ସିବିଆଇ ତାଙ୍କ ଅଶାକୁ ଧୂଳିସାତ କରିଛି । ଏହା ହିଁ ଆଜି ଦିନର ଭାରତୀୟ ରାଜନୀତିର ଅବସ୍ଥା ବୋଲି ସାଧାରଣରେ ଆଲୋଚନା ହେଉଛି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS