ଲୋକସଭା ଆଲୋଚନାରେ ଭିନ୍ନ ମୁଦ୍ରାରେ ରାହୁଲ !


ପ୍ରସାଦ ରାଓ
ଜୁଲାଇ ୦୧
ଦୁଇ ଦିନ ବିରତି ପରେ ଆଜି ସଂସଦ ଅଧିବେଶନ ଆରମ୍ଭ ହୋଇଛି । ଲୋକସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିରୋଧୀ ଦଳ ନେତା (ଏଲଓପି) ରାହୁଲ ଗାନ୍ଧୀ ମୁହାଁମୁହିଁ ହୋଇଛନ୍ତି । ହିନ୍ଦୁତ୍ୱକୁ ନେଇ ରାହୁଲ ବିଜେପି ଓ ଆରଏସଏସକୁ କଡା ଆକ୍ରମଣ କରିଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ଗୃହରେ ତାହାର ଉତ୍ତର ଦେବାକୁ ଦୁଇ ଥର ନିଜ ଆସନରୁ ଉଠିବା ଓ ପ୍ରଧାନମନ୍ତ୍ରୀଙ୍କୁ ସୁରକ୍ଷା ଦେବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ରାହୁଲଙ୍କ ସାମ୍ନା କରିବା ସଂସଦର ନିମ୍ନ ସଦନରେ ଏକ ନିଆରା ଦୃଶ୍ୟର ଅବତାରଣା କରିଥିଲା । ରାହୁଲଙ୍କ ଆକ୍ରମଣ ଥିଲା, ଦେଶରେ ହିନ୍ଦୁତ୍ୱ ନାମରେ ସୃଷ୍ଟି କରାଯାଉଥିବା ଗୃଣା ଓ ଭୟକୁ । ବିଜେପି ଓ ଆରଏସଏସ ଏଭଳି ଘୃଣା ଓ ଭୟ ସୃଷ୍ଟି କରଛନ୍ତି ଏବଂ ହିଂସାକୁ ପ୍ରୋତ୍ସାହିତ କରୁଛନ୍ତି ବୋଲି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ତାଙ୍କ ଭାଷଣରେ ଅଭିଯୋଗ କରିବାରୁ ପ୍ରଧାନମନ୍ତ୍ରୀ ମୋଦୀ ଓ ଗୃହ ମନ୍ତ୍ରୀ ଶାହା ତାହାର ବିରୋଧ କରିଥିଲେ । ଦେଶର କୋଟି କୋଟି ହିନ୍ଦୁଙ୍କୁ ରାହୁଲ ଆକ୍ଷେପ କରିଛନ୍ତି ବୋଲି ସେମାନେ ଅଭିଯୋଗ କରିବାରୁ ରାହୁଲ କହିଥିଲେ ହିନ୍ଦୁତ୍ୱବାଦ ଭୟ, ଘୃଣା ଓ ମିଥ୍ୟାକୁ ପ୍ରଶ୍ରୟ ଦେଇନଥାଏ । ଯେଉଁମାନେ ନିଜକୁ ହିନ୍ଦୁ ବୋଲି ଦାବି କରୁଛନ୍ତି ସେମାନେ ଦିନ ରାତି ହିଂସା ଓ ଘୃଣାର ପ୍ରସାର କରୁଛନ୍ତି । ରାହୁଲ ଗାନ୍ଧୀ ଲୋକସଭାରେ ବିରୋଧୀ ଦଳ ନେତା ଭାବେ ବକ୍ତବ୍ୟ ରଖିବା ବେଳେ ପ୍ରଧାନମନ୍ତ୍ରୀ ବକ୍ତବ୍ୟ ମଝିରେ ହସ୍ତକ୍ଷେପ କରି ଉତ୍ତର ରଖିବା ଥିଲା ଏହା ପ୍ରଥମ ଅନୁଭବ । ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସମଗ୍ର ହିନ୍ଦୁ ସମାଜକୁ ହିଂସା ସୃଷ୍ଟିକାରୀ ବୋଲି ଆକ୍ଷେପ କରିଥିବା ଅତି ଗୁରୁତର କଥା ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଲୋକସଭାରେ ଅଧ୍ୟକ୍ଷତା କରୁଥିବା ବାଚସ୍ପତି ଓମ୍ ବିରଳାଙ୍କ ଦୃଷ୍ଟିକୁ ଆଣିବାରୁ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଉତ୍ତରରେ ଥିଲା – ସଂପୂର୍ଣ୍ଣ ହିନ୍ଦୁ ସମାଜ କହିଲେ କେବଳ ବିଜେପି ବା ପ୍ରଧାନମନ୍ତ୍ରୀ ମାଦୀଙ୍କୁ ବୁଝାଉ ନାହିଁ । ବିଜେପି ଏକାକୀ ହିନ୍ଦୁ ସମାଜ ନୁହେଁ, ଆରଏସଏସ ଏକାକୀ ହିନ୍ଦୁ ସମାଜ ନୁହେଁ, ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଏକାକୀ ହିନ୍ଦୁ ସମାଜ ନୁହନ୍ତି । ସେମାନେ ହିନ୍ଦୁ ସମାଜର ଠିକା ନେଇ ନାହାନ୍ତି । ରାହୁଲ ଗୃହରେ ବକ୍ତବ୍ୟ ରଖିବା ବେଳେ ବାରମ୍ବାର ଭଗବାନ ଶିବଙ୍କ ଫଟୋ ଦେଖାଇ କହିଥିଲେ ଏହି ଫଟୋକୁ ଦେଖିଲେ ଜଣାପଡୁଛି, ହିନ୍ଦୁମାନେ କେବେ ଭୟ ଏବଂ ଦିନ ରାତି ଚବିଶି ଘଂଟା ଘୃଣାର ପ୍ରସାର କରି ନଥା’ନ୍ତି । ବିଜେପି ସଂଖ୍ୟାଲଘୁ ସଂପ୍ରଦାୟଙ୍କୁ ଧମକ ଦେବା ସହ ଘୃଣାର ପ୍ରସାର କରୁଛି । ମୁସଲିମ, ଶିଖ ଓ ଖ୍ରୀଷ୍ଟିଆନଙ୍କ ବିରୋଧରେ ହିଂସାର ପ୍ରସାର ହେଉଛି । ଇସଲାମ୍, ବୌଦ୍ଧ, ଜୈନ, ଶିଖ୍, ଖ୍ରୀଷ୍ଟିଆନ ଧର୍ମ ପରି ସମସ୍ତ ଧର୍ମ ଭୟଶୂନ୍ୟ ରହିବାର ବାତ୍ ର୍ତା ଦେଇ ଆସୁଥିବା ବେଳେ ବିଜେପି, ଆରଏସଏସ ଭୟର ବାତାବରଣ ସୃଷ୍ଟି କରୁଛନ୍ତି ବୋଲି ରାହୁଲ ଅଭିଯୋଗ କରିଥିଲେ ଏବଂ ଶାସକ ମେଂଟ ଆଡକୁ ହାତରେ ଅଭୟ ମୁଦ୍ରା ଦେଖାଇ ‘ଡରାଓ ମତ୍’ ବା ‘କାହାରିକୁ ଭୟଭିତ କର ନାହିଁ’ ବୋଲି ଆହ୍ୱାନ ଦେଇଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ଦୁଇ ଥର ତାଙ୍କ ଆସନରୁ ଉଠି ରାହୁଲଙ୍କ ବକ୍ତବ୍ୟରେ ଅସନ୍ତୋଷ ବ୍ୟକ୍ତ କରିବା ପରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଆସନରୁ ଉଠି, ଦେଶର କୋଟି କୋଟି ଜନତା ନିଜର ହିନ୍ଦୁତ୍ୱକୁ ନେଇ ଗର୍ବ ଅନୁଭବ କରୁଛନ୍ତି, ସେମାନେ ସମସ୍ତେ କଣ ହିଂସାର ପ୍ରସାର କରୁଛନ୍ତି (?) ବୋଲି ଶାହା ପ୍ରଶ୍ନ କରିଥିଲେ । ୧୯୭୫ ମସିହା ଜୁନ ୨୫ ତାରିଖରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଦେଶରେ ଜରୁରୀ ପରିସ୍ଥିତି ଜାରି କରିବା ଏବଂ ୧୯୮୪ରେ ଇନ୍ଦିରାଙ୍କ ହତ୍ୟା ପରେ ହୋଇଥିବା ଶିଖ୍ ବିରୋଧୀ ଦଂଗା କଥା ଉଠାଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଅହିଂସା କଥା କହିବା ଅଧିକାର ରଖି ନାହାନ୍ତି ବୋଲି ଗୃହ ମନ୍ତ୍ରୀ ଶାହା କହିଥିଲେ । ରାହୁଲ ଗାନ୍ଧୀ ତାଙ୍କ ମନ୍ତବ୍ୟ ପାଇଁ କ୍ଷମା ମାଗନ୍ତୁ ବୋଲି ଶାହା ଗୃହରେ ଦାବି ରଖିଥିଲେ ମଧ୍ୟ ରାହୁଲ ବିବ୍ରତ ନହୋଇ ପ୍ରତିରକ୍ଷା ବିଭାଗରେ ଆଗ୍ନିବୀରଙ୍କ ନିଯୁକ୍ତି, ମଣିପୁରରେ ଜାତିଗତ ହିଂସା ଚାଲୁ ରହିଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ଲଢୁଥିବା କୁକି ଓ ମୈତିଙ୍କ ମଧ୍ୟରେ ସୌହାର୍ଦ୍ଧ୍ୟପୂର୍ଣ୍ଣ ସଂପର୍କ ପ୍ରତିଷ୍ଠା ଉଦ୍ୟମ କରିନଥିବା ଓ ଆଜି ସୁଦ୍ଧା ସେମାନଙ୍କ ପାଖକୁ ଯାଇନଥିବା, ତିନି କୃଷି ଆଇନ ବିରୋଧରେ ଚାଷୀଙ୍କ ଆନ୍ଦୋଳନ ସମୟରେ ଚାଷୀଙ୍କ ଉପରେ ବଳ ପ୍ରୟୋଗ ହେବା ଓ ସେମାନଙ୍କୁ ଆତଙ୍କବାଦୀ କହି ଆକ୍ଷେପ କରାଯିବା, ଚାଷୀ ଏମଏସପିର ଆଇନଗତ ଗ୍ୟାରେଂଟି ଦାବି କରୁଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସରକାର ତାହାକୁ ଏଡାଇ ଚାଲିଥିବା, ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ପ୍ରଥମ ଦଫା ଶାସନରେ ରାତି ଅଧିଆ ବିମୁଦ୍ରୀକରଣ ଓ ଜିଏସଟି ଲାଗୁ କରି ଦେଶର ବାଣିଜ୍ୟ, ବ୍ୟବସାୟକୁ ଧ୍ୱସ୍ତ କରି ଦେଇଥିବା, ଫଳରେ ନିଯୁକ୍ତି ଅଭାବରୁ ଦେଶରେ ବେକାରୀ ବଢିଥିବା, ନିଟ୍-ୟୁଜି ପରୀକ୍ଷାରେ ଘୋଟାଲା କରାଯାଇ ଦେଶର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳା ଯିବା ପ୍ରଭୃତି ପ୍ରସଙ୍ଗ ଉଠାଇ ଶାସକ ମେଂଟକୁ ଘେରିଥିଲେ । ଏପରିକି, ଲୋକସଭା ବାଚସ୍ପତିଙ୍କୁ ମଧ୍ୟ ଘେରିବାକୁ ପଛାଇ ନଥିଲେ । ଜୁନ ୨୬ ତାରିଖରେ ଓମ୍ ବିରଳା ଲୋକସଭା ବାଚସ୍ପତି ନିର୍ବାଚିତ ହେବା ପରେ ତାଙ୍କୁ ବାଚସ୍ପତି ଚୌକିକୁ ପାଛୋଟି ନେବାକୁ ପ୍ରଧାନମନ୍ତ୍ରୀ ମୋଦୀ ଓ ବିରୋଧୀ ଦଳ ନେତା ଭାବେ ସେ (ରାହୁଲ) ବିରଳାଙ୍କ ଆସନ ନିକଟକୁ ଯାଇଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ନୂତନ ବାଚସ୍ପତିଙ୍କ ସହ ହାତ ମିଳାଇବା ବେଳେ ବାଚସ୍ପତି ଅଂଟା ନୁଆଁଇ କରମର୍ଦ୍ଦନ କରିଥିବା ବେଳେ ରାହୁଲଙ୍କ ସହ କରମର୍ଦ୍ଦନ ସମୟରେ ଅଂଟା ଭାଂଗି ନଥିଲେ । ରାହୁଲ ଗାନ୍ଧୀ ଆଜି ଲୋକସଭାରେ ଏହି ପ୍ରସଙ୍ଗ ଉଠାଇବାରୁ ମୋଦୀ ହେଉଛନ୍ତି ଦେଶର ପ୍ରଧାନମନ୍ତ୍ରୀ ଏବଂ ଗୃହର ନେତା ବୋଲି ଶାସକ ମେଂଟ ନେତାମାନେ ପାଟି କରିଥିଲେ । ତେବେ, ବାଚସ୍ପତି ବିରଳାଙ୍କ ଉତ୍ତର ଥିଲା, ବୟସରେ ବଡଙ୍କ ସହ ଅଂଟା ନୋଇଁ କରମର୍ଦ୍ଦନ କରିବା ଏବଂ ଛୋଟଙ୍କ ସହ ଅଂଟା ସଳଖି କରମର୍ଦ୍ଦନ କରିବା ହେଉଛି ଭାରତୀୟ ସମାଜର ସଂସ୍କାର । ତାହା ସେ ଶିଖିଛନ୍ତି ଓ ସେଦିନ ପ୍ରଦର୍ଶନ କରିଛନ୍ତି । ରାହଉଲ ଏହାର ଉତ୍ତରରେ କହିଥିଲେ, ସଂସଦରେ ବାଚସ୍ପତି ହେଉଛନ୍ତି ସର୍ବୋଚ୍ଚ ନେତା । ତେଣୁ, ସେ ତାଙ୍କ ଗାରିମା ରକ୍ଷା କରିବା ଉଚିତ । ବାଚସ୍ପତି ଉଭୟ ଶାସକ ଓ ବିରୋଧୀଙ୍କ ପ୍ରତି ନିରପେକ୍ଷ ରହିବାକୁ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଅନୁରୋଧ କରିଥିଲେ । ଲୋକସଭାରେ ଆଜି ରାହୁଲଙ୍କ ଏହି ଭିନ୍ନ ମୁଦ୍ରା ଓ ବେଧଡକ ବିତର୍କରେ ଭାଗ ନେବା ବିରୋଧୀ ମେଂଟର ନିର୍ବାଚନୀ ସଫଳତାକୁ ପ୍ରତିଫଳିତ କରୁଥିଲା । ସେ କେବଳ କଂଗ୍ରେସର ନୁହଁ, ବିରୋଧୀ ମେଂଟର ନେତା ଏବଂ ବିରୋଧୀ ମେଂଟ ନେତା ଭାବେ ଗୃହରେ ସମସ୍ତ ବିରୋଧୀ ଦଳଙ୍କ ଆଡୁ ପକ୍ଷ ରଖୁଛନ୍ତି ବୋଲି ବାରମ୍ବାର ବାଚସ୍ପତିଙ୍କ ନଜରକୁ ଆଣୁଥିବା ଦେଖିବାକୁ ମିଳୁଥିଲା । ଇଡି, ସିବିଆଇ, ଆୟକର ବିଭାଗ ଭଳି କେନ୍ଦ୍ରୀୟ ଏଜେନ୍ସୀଙ୍କ ମାଧ୍ୟମରେ ସରକାର ବିରୋଧୀଙ୍କ ଭୟଭିତ କରିବାକୁ ଉଦ୍ୟମ କରୁଥିବା ରାହୁଲ ଅଭିଯୋଗ କରିଥିଲେ । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ (ଗିରଫ ପରେ ପଦରୁ ଇସ୍ତଫା ଦେଇଥିଲେ)ଙ୍କୁ ଜମି ଦୁର୍ନୀତି ଅଭିଯୋଗରେ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲଙ୍କୁ ଦିଲ୍ଲୀ ସରକାରଙ୍କ ମଦ ଦୁର୍ନୀତି ମାମଲାରେ ଗିରଫ କରି ଜେଲରେ ପୁରାଇବା ଘଟଣାର ଉଦାହରଣ ଦେଇ ସାମ୍ବିଧାନିକ ପଦପଦବୀରେ ଥିବା ଲୋକଙ୍କୁ ଅବସ୍ଥା ଏଭଳି ହୋଇଥିବା ବେଳେ ସାଧାରଣ ଲୋକଙ୍କ ଅବସ୍ଥା କଣ (?) ବୋଲି ପ୍ରଶ୍ନ କରିଥିଲେ । କଂଗ୍ରେସ ଓ ବିରୋଧୀ ମେଂଟ ସରକାରଙ୍କୁ ଡରୁ ନାହାନ୍ତି, ସହଯୋଗ କରି ଦେଶକୁ ଆଗକୁ ନେବାକୁ ଚାହୁଛନ୍ତି । ଲୋକଙ୍କ ସମସ୍ୟାକୁ ନେଇ ସେମାନେ ସଂସଦରେ ଓ ସଂସଦ ବାହାରେ ସ୍ୱର ଉତ୍ତୋଳନ ଜାରି ରଖିବେ । ଗୃହରେ ବାଚସ୍ପତି ନିରପେକ୍ଷ ରହି ବିରୋଧୀଙ୍କୁ କେବଳ ସୁରକ୍ଷା ଦିଅନ୍ତୁ ବୋଲି ଆଜି ରାହୁଲ ଗାନ୍ଧୀ ନିବେଦନ କରିଛନ୍ତି । ରାହୁଲ ବକ୍ତବ୍ୟ ଦେବା ସମୟରେ ସଂସଦର ‘ରୁଲ୍ ବୁକ୍’ରେ ଥିବା ନିୟମର ଭଂଗ କରୁଥିବା ଶାସକ ମେଂଟ ନେତାମାନେ ଅଭିଯୋଗ କରି ବାଚସ୍ପତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଦାବି ରଖିଥିବା ବେଳେ ବାଚସ୍ପତି କେବଳ ତାଗିଦ କରୁଥିବା ଦେଖିବାକୁ ମିଳିଥିଲା ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS