ରାହୁଲଙ୍କ ‘ହିନ୍ଦୁତ୍ୱ’ ମନ୍ତବ୍ୟ ଗୃହ ବିବରଣୀରୁ ହଟିଲା !


ପ୍ରସାଦ ରାଓ
ଜୁଲାଇ ୦୨
କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗତକାଲି ଲୋକସଭାରେ ବିରୋଧୀ ଦଳ ନେତା ଭାବେ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ପ୍ରସ୍ତାବ ଉପରେ ଗୃହରେ ଭାଷଣ ରଖିବା ବେଳେ ଦେଇଥିବା କିଛି ମନ୍ତବ୍ୟକୁ ଆଜି ବାଚସ୍ପତି ଓମ୍ ବିରଳା ଗୃହ ବିବରଣୀରୁ ହଟାଇ ଦେଇଛନ୍ତି । ବିଶେଷକରି, ରାହୁଲ ଗାନ୍ଧୀ ହିନ୍ଦୁତ୍ୱକୁ ନେଇ ଗୃହରେ ରଖିଥିବା କିଛି ମନ୍ତବ୍ୟ ଘୋର ଆପତ୍ତିଜନକ କହି ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଓ ଗୃହର ଉପନେତା କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପ୍ରମୁଖ ତାହାର ସମାଲୋଚନା କରିବା ସହ ଗୃହ ବିବରଣୀରୁ ସେସବୁ ମନ୍ତବ୍ୟକୁ ହଟା ଯିବାକୁ ଲୋକସଭା ବାଚସ୍ପତିଙ୍କୁ ନିବେଦନ କରିଥିଲେ । ରାହୁଲ ବିରୋଧୀ ଦଳ ନେତା ଭାବେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଗୃହରେ ଆଗତ ଧନ୍ୟବାଦ ପ୍ରସ୍ତାବକୁ ନେଇ ଆଲୋଚନା ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା, ବିଜେପି, ଆରଏସଏସକୁ କଡା ଆକ୍ରମଣ କରିଥିଲେ । ‘ହିନ୍ଦୁତ୍ୱ’ କାହାରି ଏକଚାଟିଆ ସଂପତ୍ତି ବା ଅଧିକାର ନୁହେଁ । ଯେଉଁମାନେ ହିନ୍ଦୁତ୍ୱ କଥା କହି ଦିନ ରାତି ଚବିଶି ଘଂଟା ଦେଶରେ ହିଂସା ଓ ଘୃଣାର ପ୍ରସାର କରୁଛନ୍ତି ସେମାନେ ପ୍ରକୃତ ହିନ୍ଦୁ ନୁହନ୍ତି ବୋଲି ସେ କହିଥିଲେ । ଭାଷଣ ଦେବା ସମୟରେ ସେ ଗୃହରେ ଭଗବାନ ଶିବ, ଗୁରୁ ନାନକ ପ୍ରମୁଖଙ୍କ ଫଟୋ ବାରମ୍ବାର ପ୍ରଦର୍ଶନ କରି ହିନ୍ଦୁ ଧର୍ମ କେବେ ହିଂସା ଓ ଘୃଣାକୁ ପ୍ରଶ୍ରୟ ଦିଏ ନାହିଁ; ଶାନ୍ତି, ପ୍ରେମ, ସଦ୍ଭାବନା ଓ ଅହିଂସାର ବାତ୍ ର୍ତା ଦେଇଥାଏ । ‘ସତ୍ୟ କହିବାକୁ ଡର ନାହିଁ ବା କାହାକୁ ଡରାଅ ନାହିଁ’ – ଏହା ହିନ୍ଦୁ ଧର୍ମର ମୂଳମନ୍ତ୍ର ହୋଇଥିବା ବେଳେ ଯେଉଁମାନେ ନିଜକୁ ହିନ୍ଦୁ କହୁଛନ୍ତି ସେମାନେ ଦିନ ରାତି ହିଂସା ଓ ଘୃଣାର ବାତାବରଣ ସୃଷ୍ଟି କରୁଥିବା କ୍ଷୋଭର ବିଷୟ ବୋଲି ରାହୁଲ କହିଥିଲେ । ବିଜେପି ଓ ଆରଏସଏସକୁ ପ୍ରତ୍ୟକ୍ଷ ଭାବେ ଆକ୍ରମଣ କରି ରାହୁଲ ଏଭଳି ମନ୍ତବ୍ୟ ରଖିବାରୁ ଗୃହରେ ଉପସ୍ଥିତ ଥିବା ପ୍ରଧାନମନ୍ତ୍ରୀ ମୋଦୀ ନିଜ ଆସନରୁ ଉଠି ତାହାର ପ୍ରତିବାଦ କରିଥିଲେ । ପ୍ରତିରକ୍ଷା ବିଭାଗରେ ଅଗ୍ନିବୀର ନିଯୁକ୍ତି, ଦେଶର କୃଷକଙ୍କୁ ଏମଏସପି ନ ମିଳିବା (ଆଇନଗତ ମାନ୍ୟତା), ନିଟ୍-ୟୁଜି ପରୀକ୍ଷାରେ ଘୋଟାଲା, ଆଦାନୀ-ଆମ୍ବାନୀଙ୍କ ସମେତ ପ୍ରତିପତ୍ତିଶାଳୀ ଶିଳ୍ପପତିଙ୍କ ହଜାର ହଜାର କୋର୍ଟ ଟଙ୍କାର ଋଣ ଛାଡ ହେଉଥିବା ବେଳେ କୃଷକଙ୍କ ଋଣ ଛାଡ ଦାବିକୁ ଗ୍ରହଣ ନକରି ସରକାର ଆନ୍ଦୋଳନରେ ଥିବା କୃଷକଙ୍କୁ ବିଚ୍ଛନ୍ନତାବାଦୀ, ଆତଙ୍କବାଦୀ କହିବା ପ୍ରଭୃତି ଅଭିଯୋଗ ମାଧ୍ୟମରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସରକାରଙ୍କୁ ଘେରିବାରୁ ସଂସଦରେ ଶାସକ ମେଂଟର ମନ୍ତ୍ରୀ, ସାଂସଦମାନେ ତାହାର କଡା ବିରୋଧ କରିଥିଲେ । ବିଶେଷକରି, ରାହୁଲଙ୍କ ହିନ୍ଦୁତ୍ୱକୁ ନେଇ ବୟାନ ଶାସକ ମେଂଟ ସାଂସଦଙ୍କୁ କ୍ଷୁବ୍ଧ କରିଥିଲା । ପ୍ରଧାନମନ୍ତ୍ରୀଙ୍କ ବିରୋଧ ପରେ ଶାସକ ମେଂଟ ମନ୍ତ୍ରୀ ଓ ସାଂସଦମାନେ ରାହୁଲଙ୍କ ହିନ୍ଦୁତ୍ୱକୁ ନେଇ ବ୍ୟାଖ୍ୟାନକୁ ସମଗ୍ର ହିନ୍ଦୁ ସମାଜ ପ୍ରତି ଘୋର ଅପମାନ ଦର୍ଶାଇ ତାହାର ବିରୋଧ କରିଥିଲେ । ରାହୁଲ ସବୁ ହିନ୍ଦୁଙ୍କୁ ‘ହିଂସ୍ର’ କହିବା ଆପତ୍ତିଜନକ ଓ ଅଗ୍ରହଣୀୟ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଓ ଗୃହରେ ଉପସ୍ଥିତ ଶାସକ ମେଂଟ ସାଂସଦମାନେ କହିବା ସହ ବାଚସ୍ପତିଙ୍କ ନିକଟରେ ଆପତ୍ତି କରିଥିଲେ । ଅଗ୍ନିବୀର ନିଯୁକ୍ତି, ଏମଏସପିକୁ ନେଇ ରାହୁଲ ଗାନ୍ଧୀ ଗୃହରେ ରଖିଥିବା କିଛି ମନ୍ତବ୍ୟ ତୃଟିପୂର୍ଣ୍ଣ ଦର୍ଶାଇ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ସିଂହ ଓ କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନ ଗତକାଲି ଲୋକସଭାରେ ତାହାର ବିରୋଧ କରିବା ସହ ରାହୁଲ ଗୃହରେ ପ୍ରମାଣ ଉପସ୍ଥାପନ କରନ୍ତୁ ବୋଲି ଦାବି କରିଥିଲେ । ବିରୋଧୀ ଦଳ ନେତା ଗୃହରେ ଉଠାଇ ଥିବା ଅଭିଯୋଗ ଓ ଆକ୍ଷେପର ପ୍ରମାଣ ରଖନ୍ତୁ, ନହେଲେ ତାଙ୍କ ବିରୋଧରେ ସଦନର ନିୟମାବଳୀ ଅନୁଯାୟୀ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ ବୋଲି ଶାସକ ମେଂଟ ମନ୍ତ୍ରୀ, ସାଂସଦଙ୍କ ଦାବିକୁ ନେଇ ଆଜି ବାଚସ୍ପତି ପ୍ରଥମ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଗୃହ ବିବରଣୀରୁ ରାହୁଲଙ୍କ କିଛି ମନ୍ତବ୍ୟକୁ ବାଦ୍ ଦେଇଛନ୍ତି । ରାହୁଲ ଗାନ୍ଧୀ ଗତକାଲି ଚର୍ଚ୍ଚା ଆରମ୍ଭ କରି ଲୋକସଭା ବାଚସ୍ପତି ଓମ୍ ବିରଳାଙ୍କୁ ମଧ୍ୟ ଲଂଠନ ଦେଖାଇବାକୁ ପଛାଇ ନଥିଲେ । ତାହା ମଧ୍ୟ ଆଜି ଗୃହ ବିବରଣୀରୁ ବାଦ୍ ଦିଆଯାଇଥିବା ସୂଚନା ମିଳିଛି । ଗତକାଲି ଲୋକସଭାରେ ସେ ଦେଇଥିବା ଭାଷଣର ବହୁ ଅଂଶ ଗୃହ ବିବରଣୀରୁ ବାଦ୍ ଦିଆଯାଇଥିବା ନେଇ ଜାଣିବା ପରେ ରାହୁଲ ଆଜି କହିଛନ୍ତି, ଗତକାଲି ସଂଖ୍ୟାଲଘୁ, ଅଗ୍ନିବୀର ନିଯୁକ୍ତି, ନିଟ୍ ପରୀକ୍ଷାରେ ଘୋଟାଲା, କୃଷକଙ୍କ ସମସ୍ୟା ପ୍ରଭୃତି ନେଇ ଯାହା କହିଛନ୍ତି ସେସବୁ ପୂର୍ଣ୍ଣମାତ୍ରାରେ ସତ କଥା । ବାଚସ୍ପତି ସେସବୁ ଗୃହ ବିବରଣୀରୁ ବାଦ୍ ଦେଇଥିଲେ ମଧ୍ୟ ସତ୍ୟକୁ କେଡି କେଉଁଠି ବାଦ୍ ଦେଇପାରିବ ନାହିଁ ବୋଲି ରାହୁଲ ଆାଜି ସକାଳେ ଗୃହରେ ପ୍ରବେଶ କରିବା ପୂର୍ବରୁ ଗଣମାଧ୍ୟମକୁ କହିଛନ୍ତି । ସଂସଦ ହେଉଛି ‘ମୋଦୀଜୀଙ୍କ ସାମ୍ରାଜ୍ୟ’ ବୋଲି ରାହୁଲ ପାଲଟା ଆକ୍ରମଣ କରିଥିଲେ । ଗତକାଲି ରାହୁଲ ଲୋକସଭାରେ ୪୦ ମିନଟ ଭାଷଣ ଦେଇଥିଲେ । ରାଜ୍ୟସଭା ସାଂସଦ ଥିବା ତାଙ୍କ ମା’ ସୋନିଆ ଗାନ୍ଧୀ ଓ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଦର୍ଶନ ଗ୍ୟାଲେରୀରେ ବସି ବିରୋଧୀ ଦଳ ନେତା ଭାବେ ରାହୁଲଙ୍କ ପ୍ରଥମ ଭାଷଣକୁ ଶୁଣିବା ସୁଯୋଗ ନେଇଥିଲେ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ନେଇ ଧନ୍ୟବାଦ ପ୍ରସ୍ତାବ ଉପରେ ନିଜର ଭାଷଣ ରଖିଛନ୍ତି । ସେ ଗୃହରେ ଠିଆ ହୋଇ ଭାଷଣ ରଖିବା ସମୟରେ ବିରୋଧୀ ମେଂଟ ସାଂସଦମାନେ ମଣିପୁର ଓ ଅନ୍ୟ ବିଷୟ ଉପରେ ସେ କୁହନ୍ତୁ ବୋଲି ଦାବି କରିଥିଲେ । ତେବେ, ପ୍ରଧାନମନ୍ତ୍ରୀ କହିଛନ୍ତି, ୨୦୨୪ ଲୋକସଭା ନିର୍ବାଚନରେ ଦେଶର ସର୍ବାଧିକ ସଂଖ୍ୟକ ମତଦାତା ଏନଡିଏ ସପକ୍ଷରେ ଭୋଟ ଦେଇ କ୍ଷମତାସୀନ କରିଥିବାରୁ ପରାଜିତ ହୋିଥିବା ବିରୋଧୀ ମେଂଟର ହଜମ ହେଉନି । ତେଣୁ, ସେମାନେ ସବୁ ପ୍ରକାର ମିଛ ଅଭିଯୋଗ କରୁଛନ୍ତି । ରାଷ୍ଟ୍ରପତି ଉଭୟ ଗୃହର ସଦସ୍ୟଙ୍କ ମିଳିତ ଅଧିବେଶନରେ ଭାଷଣ ଦେଇ ଯେଉଁ ‘ବିକଶିତ ଭାରତ’ କଥା କହିଛନ୍ତି ତାହାକୁ ହାସଲ କରିବାରେ ତାଙ୍କ ସରକାର ନିଷ୍ଠାପର ଉଦ୍ୟମ କରିବେ । ତାଙ୍କ ସରକାର ପାଇଁ ଦେଶ ଆଗ ବୋଲି କହି ସରକାରଙ୍କ ନୀତି ଦୁର୍ନୀତି ପ୍ରତି ଶୂନ୍ୟ ସହନଶୀଳତା, ତୁଷ୍ଟିକରଣ ନୁହେଁ, ସମସ୍ତଙ୍କୁ ନ୍ୟାୟ ହେବ ବୋଲି ସେ କହିଥିଲେ । କଂଗ୍ରେସ ଦଳ ଗି ନିର୍ବାଚନରେ ମାତ୍ର ୯୯ ଆସନ ପାଇଥିବା ବେଳେ ବିରୋଧୀ ମେଂଟ ଅଂଶୀଦାରଙ୍କ ବଳରେ ବଳୀୟାନ ବୋଲି ପ୍ରଧାନମନ୍ତ୍ରୀ ସମାଲୋଚନା କରିଥିଲେ । ଗତକାଲି ଲୋକସଭାରେ ଯାହା ହୋଇଛି ତାହା ପିଲାଳିଆମୀ ବୋଲି ସେ ସମାଲୋଚନା କରିଥିଲେ । ଅଜି ଲୋକସଭା ଅଧିବେଶନ ପ୍ରାରମ୍ଭରେ ସମାଜବାଦୀ ପାର୍ଟି (ଏସପି) ସାଂସଦ ଅଖିଳେଶ ଯାଦବ ଭାଷଣ ରଖିଥିଲେ । ୨୦୨୪ ନିର୍ବାଚନରେ ଦେଶବାସୀ ଏନଡିଏକୁ ଶାସନ କରିବାର ସୁଯୋଗ ଦେଇଥିଲେ ମଧ୍ୟ ବିରୋଧୀ ମେଂଟ ସପକ୍ଷରେ ରାୟ ଦେଇଛନ୍ତି ଓ ବିରୋଧୀ ମେଂଟକୁ ସଶକ୍ତ କରିଛନ୍ତି ବୋଲି ଅଖିଲେଶ କହିଛନ୍ତି । ଇଭିଏମ ଉପରେ ତାଙ୍କର ଭରସା ନଥିବା ଦର୍ଶାଇ ସେ କହିଛନ୍ତି ୟୁପିର ୮୦ଟି ଯାକ ଲୋକସଭା ଆସନରେ ସେ ଜିତିଲେ ମଧ୍ୟ ଇଭିଏମକୁ ନେଇ ତାଙ୍କ ମତ ବଦଳିବ ନାହିଁ । ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ‘୪୦୦ ପାର୍’ ସ୍ଲୋଗାନକୁ ସମାଲୋଚନା କରି ଅଖିଳେଶ କହିଛନ୍ତି, ଦେଶବାସୀ ବିଜେପିକୁ ୨୪୦ରେ ସୀମିତ ରଖି ଦେଇଥିବା ବେଳେ ବିରୋଧୀ ମେଂଟକୁ ୨୩୨ ଆସନ ଦେଇଛନ୍ତି । ୟୁପିରେ ସମାଜବାଦୀ ପାର୍ଟି ୮୦ରୁ ୩୭ ଆସନ ଜିତିବା ବଡ ସଫଳତା ବୋଲି ସେ କହିବା ସହ ବିରୋଧୀ ମେଂଟ ସଂଗଠିତ ଭାବେ ଯେମିତି ନିର୍ବାଚନ ଜିତିଲା ଆଗକୁ ମଧ୍ୟ ସେଭଳି ସଂଗଠିତ ରହି କାର୍ଯ୍ୟ କରିବ ବୋଲି ଆଶାବ୍ୟକ୍ତ କରିଛନ୍ତି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS