ଅନ୍ଧଭକ୍ତିର କରୁଣ ପରିଣତି…


ପ୍ରସାଦ ରାଓ
ଜୁଲାଇ ୦୩
ଉତ୍ତର ପ୍ରଦେଶର ହଥସର ଜିଲ୍ଲାରେ ମଂଗଳବାର ଅପରାହ୍ନରେ ଘଟିଥିବା ଦଳାଚକଟା ଘଟଣା ଅନ୍ଧଭକ୍ତିର କରୁଣ ପରିଣତି ବୋଲି ଦେଶବ୍ୟାପୀ ଚର୍ଚ୍ଚା ହେଉଛି । ଏହି ଦଳଚକଟାରେ ୧୨୧ ଜଣଙ୍କ ପ୍ରାଣହାନୀ ଘଟିଛି । ଭୋଲେ ବାବା ନାମକ ଜଣେ ଆତ୍ମଘୋଷିତ ସନ୍ଥଙ୍କ ପକ୍ଷରୁ ଗତକାଲି ଫୁଲରାଇ ଓ ସିକନ୍ଦରା ରାଉ ଅଂଚଳର ମୁଗଲଘାଡି ମଧ୍ୟରେ ଥିବା ଏକ ଖୋଲା ପଡିଆରେ ଟେଂଟ୍ ପକାଯାଇ ସତସଂଗର ଆୟୋଜନ କରାଯାଇଥିଲା । ହଜାର ହଜାର ସଂଖ୍ୟାରେ ପୁରୁଷ, ମହିଳା ପିଲାଛୁଆଙ୍କ ସହ ଏହି ସତସଂଗରେ ଯୋଗ ଦେଇଥିଲେ । ସତସଂଗ ସରିବା ପରେ ଭୋଲେ ବାବାଙ୍କ ଚରଣ ଧୂଳି ନେବାକୁ ଭକ୍ତଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବାରୁ ଦଳଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା ବୋଲି କିଛି କହୁଥିବା ବେଳେ ଆଉ କିଛି କହୁଛନ୍ତି, ସତସଂଗ ସରିବା ପରେ ପଡିଆକୁ ଲାଗି ରହିଥିବା ଏକ ନାଳ ଉପର ଦେଇ ଲୋକମାନେ ବାହାରକୁ ବାହାରୁ ଥିବା ବେଳେ ନାଳ ହୁଡା ଧସିବାରୁ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଦଳାଚକଟାରେ ମୃତକଙ୍କ ମଧ୍ୟରେ ଅଧିକାଂଶ ହେଉଛନ୍ତି ମହିଳା ଓ ଶିଶୁ । ଏତେ ବଡମାତ୍ରାରେ ଜନସମାଗମ ହେବାକୁ ଥିବା ବେଳେ ଜିଲ୍ଲା ପୁଲିସ ପ୍ରଶାସନ ସେଠାରେ ମାତ୍ର ୪୦ ଜଣ ପୁଲିସ କର୍ମଚାରୀଙ୍କୁ ମୁତୟନ କରିବା ଯେତିକି ଆଶ୍ଚର୍ଯ୍ୟଜନକ, ତା’ଠାରୁ ଅଧିକ ଆଶ୍ଚର୍ଯ୍ୟଜନକ ହେଉଛି ଆଜି ଅପରାହ୍ନ ସୁଦ୍ଧା ଭୋଲା ବାବାଙ୍କ ବିରୋଧରେ ପୁଲିସ ଏତଲା ରୁଜୁ ନକରିବା । ବାବାଙ୍କ ଜଣେ ସହଯୋଗୀଙ୍କ ବିରୋଧରେ ଏତଲା ରୁଜୁ ହୋଇଛି ସିନା ସେଥିରେ ବାବାଙ୍କ ନାମ ନଥିବା ଜଣାପଡିଛି । ସତସଂଗ ଆୟୋଜକଙ୍କ ମଧ୍ୟରୁ କାହାରିକୁ ପୁଲିସ ଗିରଫ କରିନାହିଁ । ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ସକାଳେ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି । ଗତକାଲିର ଦଳାଚକଟା ଏକ ଦୁର୍ଘଟଣା କହିହେବ, ତେବେ ଏହା ପଛରେ ଷଡଯନ୍ତ୍ର ଥିବା ସନ୍ଦେହକୁ ମଧ୍ୟ ଏହାଇ ହେବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିବା ପରେ ଘଟଣାଟି ସଂପୂର୍ଣ୍ଣ ଭିନ୍ନ ମୋଡ ନେବାକୁ ଯାଉଥିବା ଅନୁମାନ କରାଯାଉଛି । ଗତକାଲିର ଦଳାଚକଟା ଘଟଣାର ଏସଆଇଟି ତଦନ୍ତ ସହ ଜଣେ ଅବସରପ୍ରପ୍ତ ହାଇକୋର୍ଟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଘଟଣାର ନ୍ୟାୟିକ ତଦନ୍ତ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ଏହା ମଧ୍ୟ କହିଛନ୍ତି, ସତସଂଗ ସରିବା ପରେ ଦଳେ ଲୋକ ଭୋଲେ ବାବାଙ୍କ ପଦ ଧୂଳି ନେବାକୁ ଉଦ୍ୟମ କରୁଥିବା ବେଳେ କିଛି ଲୋକ ସତସଂଗ ସ୍ଥଳରୁ ବାହାରିବାକୁ ଉଦ୍ୟମ କରୁଥିଲେ । ସେହି ସମୟରେ ଦଳାଚକଟା ହୋଇଥିବା ତାଙ୍କ ନିକଟରେ ପହଂଚି ଥିବା ରିପୋର୍ଟରୁ ଜଣାପଡୁଛି । କିଛି ପ୍ରତ୍ୟକ୍ଷଦର୍ଶୀଙ୍କ ବିବରଣୀକୁ ଆଧାର କରି ମୁଖ୍ୟମନ୍ତ୍ରୀଙ୍କୁ କହିଛନ୍ତି, ସତସଂଗ ଚାଲି ଥିବା ସମୟରେ କିଛି ମହିଳା ଭକ୍ତ ଭୋଲେ ବାବାଙ୍କ ପାଦ ଧୂଳି ନେବାକୁ ଆଗକୁ ବଢିଥୁବା ବେଳେ ବହୁ ସଂଖ୍ୟାକ ଲୋକ ସେପଟକୁ ମାଡି ଯାଇଥିଲେ । ବାବାଙ୍କ ସୁରକ୍ଷା କର୍ମୀମାନେ ସେମାନଙ୍କ ପଛକୁ ଠେଲି ଥିଲେ । ପରେ, ଏହି ଘଟଣାକୁ ଘୋଡାଇବା ଉଦ୍ୟମ ହୋଇଛି । ମୃତାହତଙ୍କୁ ହସପିଟାଲକୁ ସ୍ଥାନାନ୍ତର କରିବା ସମୟରେ ମଧ୍ୟ ବାବାଙ୍କ ସୁରକ୍ଷା ଟିମ୍ ସେଠାରୁ ଦୌଡି ପଳାଇ ଥିଲେ । ମଂଗଳବାର ଅପରାହ୍ନରେ ଆୟୋଜତି ଭୋଲେ ବାବାଙ୍କ ସତସଂଗରେ ପ୍ରାୟ ଅଢେଇ ଲକ୍ଷ ଲୋକ ଯୋଗ ଦେଇଥିଲେ ବୋଲି କିଛି ଲୋକ କହୁଛନ୍ତି । ଭୋଲେ ବାବା ନାମରେ ସତସଂଗ କରୁଥିବା ବ୍ୟକ୍ତି ଜଣକ ହେଉଛନ୍ତି ସୁରଜ ପାଲ ସିଂହ, ଜଣେ ପୂର୍ବତନ ପୁଲିସ ଗୁଇନ୍ଦା ବିଭାଗ କର୍ମଚାରୀ । ସେ ଚାକିରୀ ଛାଡି ନିଜକୁ ଧର୍ମଗୁରୁ ଘୋଷଣା କରି ୟୁପିରେ ଏଭଳି ପ୍ରବଚନ କାର୍ଯ୍ୟକ୍ରମମାନ ଚଳାଇ ଥିଲେ । ଦାଚକଟାରେ ୧୨୧ ଜଣଙ୍କ ମୃତ୍ୟୁ ଘଟିଛି ବୋଲି ଆଜି ଅପରାହ୍ନ ସୁଦ୍ଧା ସୂଚନା ମିଳିଛି । ସେଥିରୁ ଛଅ ଜଣ ହରିୟାଣା, ରାଜସ୍ଥାନ ଓ ମଧ୍ୟ ପ୍ରଦେଶର ହୋଇଥିବା ବେଳେ ଅନ୍ୟ ମୃତକମାନେ ୟୁପିର ବିଭିନ୍ନ ଜିଲ୍ଲାରୁ ଆସିଥିବା ଭକ୍ତ ଥିବା କୁହାଯାଉଛି । ଏହି ଦଳାଚକଟାକୁ ନେଇ ବିରୋଧୀ ଦଳ ସରକାରଙ୍କୁ କଠୋର ସମାଲୋଚନା କରୁଥିବା ବେଳେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଯେଉଁମାନେ ଏହି ଘଟଣା ପାଇଁ ଦାୟି ସେମାନଙ୍କୁ ଚିହ୍ନଟ କରାଯାଉଛି । ଦୋଷୀଙ୍କୁ ଗିରଫ କରାଯିବ । ଅନ୍ୟୁନ ୩୦ ଜଣ ଆହତ ଅବସ୍ଥାରେ ବିଭିନ୍ନ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଏବଂ ସେମାନେ ପ୍ରମାଦ ମୁକ୍ତ ଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ବର୍ତ୍ତମାନ ପ୍ରଶ୍ନ ଉଠୁଛି, ଭୋଲେ ବାବାଙ୍କ ଏହି ସତସଂଗ ପାଇଁ କିଏ ଅନୁମତି ଦେଇଥିଲା ? କେତେ ସଂଖ୍ୟାରେ ଲୋକ ସେଠାରେ ପହଂଚିବେ, ତାହାର ଆଗୁଆ ଆକଳନ କରାଯାଇଥିଲା କି ନାହିଁ ? ଯଦି କରାଯାଇଥିଲା ସତସଂଗ ସ୍ଥଳରେ କି ପ୍ରକାର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ? ତଦନ୍ତରୁ ଯେଉଁ ତଥ୍ୟ ମିଳିବ ତାହା ଆଧାରରେ ପୁଲିସ କାର୍ଯ୍ୟାନୁଷ୍ଠାନ ହେବ ବୋଲି ରାଜ୍ୟ ପୁଲିସ ମୁଖ୍ୟ ପ୍ରଶାନ୍ତ କୁମାର କହିଥିଲେ ମଧ୍ୟ ଆତ୍ମଘୋଷିତ ଧର୍ମଗୁରୁ ଭୋଲେ ବାବାଙ୍କୁ ଗିରଫ କରାଯିବ କି ନାହିଁ – ସେ ନେଇ ସ୍ପଷ୍ଟ କିଛି କହି ନାହାନ୍ତି । ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ଭାଗ ନେଇ ବିରୋଧୀଙ୍କ ସମାଲୋଚନାର ଉତ୍ ତର ରଖୁଥିବା ବେଳେ ହାଥରସ ଦଳାଚକଟା ଘଟଣାର ଖବର ପାଇଁ ମୃତାହତଙ୍କ ପାଇଁ ଗଭୀର ଦୁଃଖ ପ୍ରକାଶ କରିଥିଲେ । ମୃତାହତ ଲୋକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗୃହରେ ପ୍ରତିଶ୍ରୁତି ଦେଇଥିଲେ । ଅପରପକ୍ଷରେ, ସମାଜବାଦୀ ପାର୍ଟି ଅଧ୍ୟକ୍ଷ ତଥା ଲୋକସଭା ସାଂସଦ (ପୂର୍ବତନ ୟୁପି ମୁଖ୍ୟମନ୍ତ୍ରୀ) ଅଖିଳେଶ ଯାଦବ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଭାଗି ପଡିଛି କହି ସରକାରଙ୍କୁ କଡା ସମାଲୋଚନା କରିଥିଲେ । ସତସଂଗ ସ୍ଥଳରେ ଗତକାଲି ପର୍ଯ୍ୟାପ୍ତ ପୁଲିସ କର୍ମଚାରୀ ମୁତୟନ ନଥିଲେ, ଦମକଳ ଗାଡି ମଧ୍ୟ ମୁତୟନ ନଥିଲା ବୋଲି କିଛି ପ୍ରତ୍ୟକ୍ଷଦର୍ଶୀ ସନ୍ଧ୍ୟାରେ ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧିଙ୍କ ନିକଟରେ ଅଭିଯୋଗ କରିଥିଲେ । ମୃତକଙ୍କ ମଧ୍ୟରେ ତିନିରୁ ନଅ ବର୍ଷ ବୟସର ବହୁ ଶିଶୁ ଥିବା ଜଣାପଡିଛି । ସତସଙ୍ଗ ସରିବା ପରେ ସେଥିରେ ଯୋଗ ଦେଇଥିବା ପରିବାର ସଦସ୍ୟମାନେ ସେମାନଙ୍କ ଆସିଥିବା ଗାଡି ପାଖକୁ ଯାଉଥିବା ସମୟରେ ଦଳଚକଟାରେ ସେମାନଙ୍କ ଶିଶୁ ପୁତ୍ର ଓ କନ୍ୟା ମରିଥିବା ଖବର ପାଇ ପଛକୁ ଧାଇଁଥିଲେ ବୋଲି ଏହି ପରିବାର ମଧ୍ୟରୁ କିଛି ଗଣମାଧ୍ୟମକୁ କହିଥିବା ଜଣାପଡିଛି । ୟୁପିର ଏହି ଘଟଣା ଦେଶରେ ଚାଲି ଥିବା ଆତ୍ମଘୋଷିତ ବାବାମାନଙ୍କ ଲଗାମଛଡା ସମାବେଶ ଆୟୋଜନ ଏବଂ ଏହି ବାବାମାନଙ୍କ ପ୍ରତି ଜନସାଧାରଣରେ ଥିବା ଅନ୍ଧପ୍ରୀତିକୁ ଉଜାଗର କରିଛି । ଆଲିଗଡ ରେଂଜ ପୁଲିସ ଆଇଜି ସଲଭ ମାଥୁର ଗତକାଲି ଗଣମାଧ୍ୟମରେ କହିଥିଲେ, ଏହି ସତସଂଗ ଆୟୋଜନ ପାଇଁ ଆୟୋଜକମାନଙ୍କୁ କେବଳ ଏକ ସାମୟିକ ଅନୁମତିପତ୍ର (ଟେଂପରାରୀ ପରମିସନ) ଦିଆଯାଇଥିଲା । ଯେତିକି ଲୋକ ସତସଂଗରେ ଯୋଗଦେବାକୁ ଅନୁମତି ଦିଆଯାଇଥିଲା ତାହାଠାରୁ ବହୁ ଅଧିକ ଲୋକ ସେଠାରେ ଏକଠି ହୋଇ ଏଭଳି ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିବାରୁ ପୁଲିସ ଏକ ଏତଲା ରୁୁଜୁ କରିଛନ୍ତି, ସତସଂଗ ଆୟୋଜକମାନଙ୍କୁ ଏଥିରେ ଅନ୍ତର୍ଭୁକ୍ତ କରାଯିବ ବୋଲି ଗତକାଲି ଆଗ୍ରା ଜୋନ ପୁଲିସ ଏଡିଜି ଅନୁପମ କୁଳଶ୍ରେଷ୍ଟ କହିଛନ୍ତି । ଜଣେ ଆହତ ବ୍ୟକ୍ତ ଗଣମାଧ୍ୟମକୁ କହିଛନ୍ତି, ସତସଂଗ ସ୍ଥଳରେ ଆଶାତୀତ ସଂଖ୍ୟାରେ ଭକ୍ତଙ୍କ ସମାଗମ ହୋଇଥିବା ବେଳେ ବାହାରକୁ ବାହାରିବା ପାଇଁ ଗୋଟିଏ ମାତ୍ର ରାସ୍ତା ରହିଥିଲା । ବାହାରେ ବହୁ ସଂଖ୍ୟାରେ ମଟର ସାଇକଲ ରାସ୍ତାକୁ ଅବରୋଧ କରି ରହିଥିଲା । ଫଳରେ, ଲୋକମାନେ ସତସଂଗ ସ୍ଥଳରୁ ବାହାରିବା ବେଳେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇ ଆନେକ ବେହୋସ ହୋଇ ତଳେ ପଡି ଯାଇଥିଲେ ଏବଂ ଅନ୍ୟମାନେ ସେମାନଙ୍କୁ ମାଡି ବାହାରି ଯାଇଥିଲେ । ପରିସ୍ଥିତି ନିୟନ୍ତ୍ରଣ କରିବାକୁ ସେଠାରେ କେହି ନଥିଲେ । ପ୍ରଶାସନିକ ଅକ୍ଷମତା କାରଣରୁ ଗତକାଲି ଏତେବଡ ଘଟଣା ଘଟିଲା ବୋଲି ବହୁ ଲୋକ କହିଛନ୍ତି । ରାଜ୍ୟରେ ଆଗକୁ ଏଭଳି ଘଟଣା ଘଟିବ ନାହିଁ, ଏଭଳି ଆୟୋଜନ ପାଇଁ ଏକ ଏସଓପି (ଷ୍ଟାଣ୍ଡାର୍ଡ ଅପରେସନ ପ୍ରୋଟୋକଲ) ରହିବ ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ଘଟଣାସ୍ଥଳ ପରିଦର୍ଶନ ପରେ ଗଣମାଧ୍ୟମକୁ କହିଛନ୍ତି । ଗତକାଲି ସେ ଦଳାଚକଟାକୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକ କରିବା ସହ ପ୍ରତ୍ୟେକ ମୃତକଙ୍କ ପରିବାକୁ ଦୁଇ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS