ରେଭାନ୍ନା ପରିବାରକୁ ନେଇ ବିଜେପି, ଜେଡିଏସ୍ ଅଡୁଆରେ !
ପ୍ରସାଦ ରାଓ
ମେ’ ୦୨
ନିର୍ବାଚନ ସମୟରେ ଯଦି କୌଣସି ରାଜନେତାଙ୍କ ପେନ୍ ଡ୍ରାଇଭ୍ ବିରୋଧୀଙ୍କ ହାତରେ ଲଗିଯାଏ ଏବଂ ସେଥିରେ ହଜାର ହଜାର ସଂଖ୍ୟାରେ ଅଶ୍ଳୀଳ ଯୌନାଚାରର ଭିଡ଼ିଓ ଥାଏ -ଅବସ୍ଥା କଣ ହେବ ? ନେତା ଜଣକ ଜିଅନ୍ତା ମରି ଯିବେ ଏବଂ ତାଙ୍କ ଦଳ ମଧ୍ୟ ମୁହଁ ଦେଖାଇବା ଅବସ୍ଥାରେ ରହିବ ନାହିଁ । ନିକଟରେ, କର୍ଣ୍ଣାଟକରେ ଜେଡ଼ିଏସ୍ ସାଂସଦ ପ୍ରଜ୍ୱଳ ରେଭାନ୍ନାଙ୍କ ଭିଡ଼ିଓ ଲିକ୍ ପରେ ଜେଡିଏସ୍ ଅବସ୍ଥା ଏଭଳି ହୋଇଛି । ଚଳିତ ଲୋକସଭା ନିର୍ବାଚନରେ କର୍ଣ୍ଣାଟକରେ ଜେଡ଼ିଏସ୍ ସହ ମେଂଟ କରିଥିବା ବିଜେପି ମଧ୍ୟ ଏହି ନିଆଁ ଧାସରୁ ବତ୍ତି ପାରୁନି । ସବୁଠାରୁ ବଡ କଥା ହେଉଛି, ହାସନ ସାଂସଦ ପ୍ରଜ୍ୱଳଙ୍କ ଏହି ଅଶ୍ଳୀଳ ଭିଡ଼ିଓର ପିଟାରା ଥିବା ପେନ୍ ଡ୍ରାଇଭ୍ ଲିକ୍ ହୋଇଛି ତାଙ୍କ ପରିବାରର ଜଣେ ପୂର୍ବତନ ବିଶ୍ୱସ୍ତ କର୍ମଚାରୀଙ୍କ ଦ୍ୱାରା । ଯିଏକି, ଗଲା ୧୫ ବର୍ଷ ଧରି ରେଭାନ୍ନା ପରିବାରର ଗାଡି ଡ୍ରାଇଭର, ବ୍ୟକ୍ତିଗତ ସୁରକ୍ଷା କର୍ମଚାରୀ ଓ ହିସାବ ରକ୍ଷକ ଦାୟିତ୍ୱ ତୁଲାଉ ଥିଳେ । ଗତ ବର୍ଷ ଏକ ୧୬ ଏକର ଜମିର ମାଲିକାନାକୁ ନେଇ ବିବାଦ ଉପୁଜିବାରୁ ସଂପୃକ୍ତ କର୍ମଚାରୀ ଚାକିରୀ ହରାଇ ଥିଲେ ଏବଂ ତାହା ପରେ ରେଭାନ୍ନା ପରିବାରର ଗୁମର ପଦାରେ ପଡିଛି ।
ଅଶ୍ଳୀଳ ଭିଡ଼ିଓ ସୁଟିଂ କରି ଓ ସେସବୁ ଦେଖାଇ ବହୁ ଯୁବତୀଙ୍କୁ ବଳତ୍ମାର କରିଥିବା ଅଭିଯୋଗରେ ଅଭିଯୁକ୍ତ ପ୍ରଜ୍ୱଳ ରେଭାନ୍ନା ହେଉଛନ୍ତି ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବେଗୌଡାଙ୍କ ନାତି ଓ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀଙ୍କ ପୁତୁରା । ସେ ନିଜେ କର୍ଣ୍ଣାଟକର ହାସନ ଲୋକସଭା ଆସନରୁ ଜେଡିଏସ୍ ସାଂସଦ ଥିବା ବେଳେ ତାଙ୍କ ପିତା ଏଚଡି ରେବାନ୍ନା ବିଧାୟକ ଅଛନ୍ତି । ଘରର ଚାକରାଣୀଠୁ ଆରମ୍ଭ କରି ଜେଜେ ବାପା ଏଚଡି ଦେବେଗୌଡାଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିବା ଆଂଚଳିକ ରାଜନୈତିକ ଦଳ ଜେଡ଼ିଏସ୍ ବା ଜନତା ଦଳ-ଧର୍ମନିରପେକ୍ଷର ମହିଳା କର୍ମୀ ପର୍ଯ୍ୟନ୍ତ ବହୁ ନାରୀ ରେଭେନ୍ନା ପରିବାର ଦ୍ୱାରା ଯୌନ ଉତ୍ପୀଡନର ଶିକାର ହୋଇଥିବା ଅଭିଯୋଗ ସାମ୍ନାକୁ ଆସିବା ପରେ ସମଗ୍ର ଦେଶକୁ ଆଲୋଡନ ସୃଷ୍ଟି ହୋଇଛି ଏବଂ ସାଂସଦ ପ୍ରଜ୍ୱଳ ରେଭାନ୍ନା ଓ ତାଙ୍କ ବାପା ଏଚଡି ରେଭାନ୍ନା ଏସଆଇଟି ତଦନ୍ତର ସମ୍ମୁଖୀନ ହୋଇଛନ୍ତି । କର୍ଣ୍ଣାଟକ ସରକାର ଦ୍ୱାରା ଗଠିତ ଏସଆଇଟି ବାପ, ପୁଅଙ୍କୁ ଜେରା ପାଇଁ ନୋଟିସ ଜାରି କରିଥିବା ବେଳେ ପୁଅ ପ୍ରଜ୍ୱଳ ଦେଶ ଛାଡି ପଳାଇ ଥିବା ଚର୍ଚ୍ଚା ହେଉଛି ।
କର୍ଣ୍ଣାଟକ କଂଗ୍ରେସ ସରକାର ହାତରେ ଯେଉଁ ପେନ୍ ଡ୍ରାଇଭ୍ ଲାଗିଛି ସେଥିରେ ତିନି ହଜାରରୁ ଅଧିକ ଅଶ୍ଲୀଳ ଭିଡ଼ିଓ ଥିବା କୁହାଯାଉଛି ଏବଂ ଗଣମାଧ୍ୟମରେ ସେସବୁ ଭାଇରାଲ ହେବା ପରେ କେବଳ ପ୍ରଜ୍ୱଳ ନୁହନ୍ତି, ତାଙ୍କ ପରିବାରର ସମସ୍ତ ସଦସ୍ୟ ଏବେ ସେହି ବୈଜ୍ୟରେ ଘାଂଟି ହେଉଛନ୍ତି । ଚଳିତ ଲୋକସଭା ନିର୍ବାଚନରେ ଜେଡ଼ିଏସ୍ ର ସହଯୋଗୀ ଥିବା ବିଜେପି ମଧ୍ୟ ହରଡଘଣାରେ ପଡିଛି । କର୍ଣ୍ଣାଟକ ସରକାର ଏହି ଯୌନାଚାରର ଏସଆଇଟି ତଦନ୍ତ ଆରମ୍ଭ କରି ପ୍ରଜ୍ୱଳ ଓ ତାଙ୍କ ପିତା ଏଚଡି ରେବେନ୍ନାଙ୍କୁ ଜେରା କରିବାକୁ ନୋଟିସ କରିଥିବା ବେଳେ ଅଡୁଆରେ ପଡିଥିବା ଜେଡିଏସ୍ ଗତ ମଂଗଳବାର ଦିନ ସାଂସଦ ପ୍ରଜ୍ୱଳ ରେଭାନ୍ନାଙ୍କୁ ଦଳରୁ ନିଲମ୍ବିତ କରିଛି । ପ୍ରଜ୍ୱଳଙ୍କ ଦାଦା ତଥା ପୂର୍ବତନ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀ ଏହି ନିଲମ୍ବିତ କଥା ଘୋଷଣା କରିବା ସହ ଏହା ପଛରେ ବିରୋଧୀଙ୍କ ଷଡଯନ୍ତ୍ର ଥିବା କଥା ମଧ୍ୟ ଅଭିଯୋଗ କରି କଂଗ୍ରେସକୁ ଘେରିବା ଉଦ୍ୟମ କରିଛନ୍ତି । ତେବେ, ପ୍ରଜ୍ୱଳଙ୍କୁ ନିଲମ୍ବନ କରାଯିବା ନିଷ୍ପତ୍ତିରେ ଜେଡ଼ିଏସ ପ୍ରତିଷ୍ଠାତା ତଥା ପ୍ରଜ୍ୱଳଙ୍କ ଜେଜେବାପା ଏଚଡି ଦେବେ ଗୌଡାଙ୍କ ସହମତି ଥିବା କୁମାରସ୍ୱାମୀ ଗଣାମଧ୍ୟମରେ ସୂଚନା ଦେବା ବେଳେ ସ୍ୱୀକାର କରିଛନ୍ତି ।
୩୩ ବର୍ଷ ବୟସ୍କ ପ୍ରଜ୍ୱଳ ହାସନରୁ ସାଂସଦ ଥିବା ବେଳେ ଦଳ ୨୦୨୪ ଲୋକସଭା ନିର୍ବାଚନରେ ମଧ୍ୟ ସେହି ଆସନରୁ ତାଙ୍କୁ ପ୍ରାର୍ଥୀ କରିଛି । କର୍ଣ୍ଣାଟକରେ ବିଜେପି ଓ ଜେଡିଏସ୍ ମଧ୍ୟରେ ନିର୍ବାଚନ ବୁଝାମଣା ହୋଇଥିବାରୁ ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କର୍ଣ୍ଣାଟକ ଗସ୍ତରେ ଯାଇଥିବା ସମୟରେ ହାସନରେ ଆୟୋଜିତ ଏକ ନିର୍ବାଚନ ସଭାରେ ପ୍ରଜ୍ୱଳଙ୍କ ପାଇଁ ଭୋଟ ମାଗି ଥିଲେ । ଗୋଟିଏ ମଂଚରେ ପ୍ରଧାନମନ୍ତ୍ରୀ ମୋଦୀ, ପ୍ରଜ୍ୱଳ ଓ ଦେବେଗୌଡା ପରିବାରର ଅନ୍ୟ ସଦସ୍ୟ ଏକାଠି ଥିବା ଫଟୋ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି । ବିଜେପି ‘ମହିଳାଙ୍କୁ ସମ୍ମାନ’ ଓ ‘ବେଟି ବଚାଓ, ବେଟି ପଢାଓ’ କଥା କହୁଥିବା ବେଳେ ଅଶ୍ଳୀଳ ଭିଡ଼ିଓ ମାମଲାରେ ଫସି ଥିବା ଜେଡିଏସ୍ କୁ କେମିତି ବରଦାସ୍ତ କରୁଛି (!) ବୋଲି କର୍ଣ୍ଣାଟକ କଂଗ୍ରେସ ନେତାମାନେ ପ୍ରଶ୍ନ କରୁଛନ୍ତି । ତେବେ, ବିଜେପିର ଚାଣକ୍ୟ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ଚତୁର ଉତ୍ତର ହେଉଛି, କର୍ଣ୍ଣାଟକରେ କଂଗ୍ରେସର ସରକାର ରହିଛି । ରାଜ୍ୟମାନଙ୍କରେ ଆଇନ ଶୃଙ୍ଖଳା ରକ୍ଷା ଦାୟିତ୍ୱ ହେଉଛି ରାଜ୍ୟ ସରକାରଙ୍କ । କେନ୍ଦ୍ର କଣ କରିବାରିବ ?
କଂଗ୍ରେସ ସରକାରରେ ଥାଇ ପ୍ରଜ୍ୱଳଙ୍କ ଏହି ଯୌନାଚାରର ଭିଡ଼ିଓ ହାତରେ ଲାଗିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣରେ ଏତେ ବିଳମ୍ବ କଲା କାହିଁକି (?) ବୋଲି ଶାହା ପ୍ରଶ୍ନ ଉଠାଇ କଂଗ୍ରେସ ମୁଣ୍ଡରେ ଅଠା ବୋଳିବା ଉଦ୍ୟମ କରିଛନ୍ତି । ଶାହା ମଂଗଳବାର ଦିନ ଆସାମର ଗୌହାଟୀଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ବିଜେପିର ମାତୃଜାତି ଓ ନାରୀ ଶକ୍ତି ପ୍ରତି ଯଥେଷ୍ଟ ସଂବେଦନଶୀଳ, ମାତୃଜାତି ପ୍ରତି ଅପମାନକୁ ଦଳ କେବେ ବରଦାସ୍ତ କରିବ ନାହିଁ ବୋଲି କହିଛନ୍ତି । ପ୍ରଜ୍ୱଳଙ୍କ ଲିକ୍ ହୋଇଥିବା ଭିଡ଼ିଓ ଦେଖି ଆମେ ମର୍ମାହତ । କିନ୍ତୁ, ଏନଡିଏର ଏକ ଅଂଶୀଦାର ଦଳ ଏହି କାଣ୍ଡରେ ସଂପୃକ୍ତ ବୋଲି କଂଗ୍ରେସ ଆଡୁ ପ୍ରଚାର ହେଉଥିବା କ୍ଷୋଭର ବିଷୟ । କର୍ଣ୍ଣାଟକରେ କାହା ସରକାର ଅଛି ?, କାର୍ଯ୍ୟାନୁଷ୍ଠାନ କାହିଁକି ବିଳମ୍ବ ହେଲା ?’ ବୋଲି ଶାହା ମୁଖ୍ୟମନ୍ତ୍ରୀ ସିଦ୍ଧରାମାୟାଙ୍କ ସରକାରଙ୍କୁ ପ୍ରଶ୍ନ କରିଛନ୍ତି । କର୍ଣ୍ଣାଟକରାଜନୀତିରେ ଭୋକାଲିଂଗା ସଂପ୍ରଦାୟର ବେଶ୍ ପ୍ରାଧାନ୍ୟ ଥିବାରୁ କଂଗ୍ରେସ ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ଭୋଟ (ମେ’ ୨୬ ତାରିଖ) ସରିବା ପର୍ଯ୍ୟନ୍ତ ନିରବ ଥିଲେ ବୋଲି ଗଣମାଧ୍ୟମରେ ବ୍ୟାଖ୍ୟାନ ଆରମ୍ଭ ହୋଇସାରିଛି ।
ପ୍ରଜ୍ୱଳ ରେଭାନ୍ନାଙ୍କ ଅଶ୍ଲୀଳ ଭିଡ଼ିଓ ଲିକ୍ ଘଟଣାକୁ ନେଇ ଗତକାଲି ସୁଦ୍ଧା ଜେଡିଏସ୍ ର ଆଭ୍ୟନ୍ତରୀଣ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଅଶ୍ଳୀଳ ଭିଡ଼ିଓ ସବୁ ଥିବା ପେନ୍ ଡ୍ରାଇଭ୍ ରେଭାନ୍ନା ପରିବାରର ଜଣେ ପୂର୍ବତନ ବିଶ୍ୱସ୍ତ କର୍ମାଚରୀ ବା ଡ୍ରାଇଭର କାର୍ତ୍ତିକ ଦ୍ୱାରା ଲିକ୍ ହୋିଛି । କାର୍ତ୍ତିକ ୧୫ ବର୍ଷ ଧରି ରେଭାନ୍ନା ପରିବାରରେ ଗାଡି ଚାଳକ ଭାବେ କାମ କରୁଥିଲା । କେବଳ ଚଳାଇବା ନୁହେଁ, ପରିବାର ଲୋକଙ୍କ ବ୍ୟକ୍ତିଗତ ସଚିବ ଓ ହିସାବ ରକ୍ଷକ ଭାବେ ମଧ୍ୟ ସେ ଦାୟିତ୍ୱ ତୁଲାଉ ଥିଲା । ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବେଗୌଡାଙ୍କ ପୈତୃକ ଗ୍ରାମ ହେଲେନାରସିପୁରରେ ପରିବାରର ଏକ ୧୬ ଏକର ଜମି ଅଛି । ଆୟକର ବିଭାଗ ଦୃଷ୍ଟି ଆଢୁଆଳରେ ରଖିବା ପାଇଁ ରେଭାନ୍ନା ପରିବାର ଜମିକୁ କାର୍ତ୍ତିକ ନାମରେ ପଂଜୀକୃତ କରାଇ ଥିଲେ । ଗତବର୍ଷ ଯେତେବେଳ ଜମି ହସ୍ତାନ୍ତର କଥା ଉଠିଲା କାର୍ତ୍ତିକ ଅମଂଗ ହୋଇ ଚାକିରୀ ଛାଡିଲା ଏବଂ ୨୦୨୩ ଡିସେମ୍ବରରେ ମାସରେ ଥାନାରେ ଏତଲା ଦେଲା ଯେ, ଜମି ହସ୍ତାନ୍ତର କରିବାରୁ ସେ ମନା କରିବାରୁ ପ୍ରଜ୍ୱଳ ରେଭାନ୍ନା ତା’ ପତ୍ନୀଙ୍କୁ ଓ ମା’ଙ୍କୁ ଅପହରଣ କରି ନେଇଛି ।
କାର୍ତ୍ତିକ ପରିବାରର ଅତ୍ୟନ୍ତ ବିଶ୍ୱସ୍ତ ଥିବାରୁ ପ୍ରଜ୍ୱଳଙ୍କ ବ୍ୟକ୍ତିଗତ ମୋବାଇଲ ଫୋନ ପର୍ଯ୍ୟନ୍ତ ତା’ର ପ୍ରବେଶ ଥିଲା । ରେଭାନ୍ନାଙ୍କ ଘରେ କଥିତ ଯୌନାଚାର ଚାଲିଥିବା ବେଳେ ସେ ଲୁଚିଛପି ପ୍ରଜ୍ୱଳଙ୍କ ମୋବାଇଲରେ ତାହାର ଭିଡ଼ିଓ ରେକଡିଂ କରିଥିଲା । ଜମି ହସ୍ତାନ୍ତର ପାଇଁ ବାଧ୍ୟ କଲେ ଏସବୁ ଭିଡ଼ିଓ ଦେଖାଇ ରେଭାନ୍ନା ପରିବାରକୁ ଚୁପ୍ କରିବା ଯୋଜନାରେ ଥିଲା କାର୍ତ୍ତିକ । ତେବେ, ଚାକିରୀ ଚାଲି ଯିବାରୁ ସେ ୨୦୨୩ ଡିସେମ୍ବରରେ ପ୍ରଜ୍ୱଳଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଥିଲା ଏବଂ ସେଠାକାର ଆଇନଜୀବୀ ତଥା ବିଜେପି ନେତା ଜି.ଦେବାରାଜଗୌଡାଙ୍କୁ ସହାୟତା ନେଇଥିଲା । ଏବେ, କାର୍ତ୍ତିକ କୌଣସି ଅଜ୍ଞାତ ସ୍ଥାନରୁ ଭିଡ଼ିଓ ଜାରି କରି ରେଭାନ୍ନା ପରିବାର ବେଆଇନ ଭାବେ ତା’ ଜମି ହାତେଇବାକୁ ଉଦ୍ୟମ କରିବ ପତ୍ନୀଙ୍କୁ ମାଡ ମାରି ଥିବା ଓ ଏନେଇ ସେ ଥାନାରେ ଅଭିଯୋଗ କରିଥିବା କହିଛି । ସେ ଏହା ମଧ୍ୟ କହିଛି, ଆଇନଜୀବୀ ଜି.ଦେବରାଜଗୌଡା ତା’ର ମାମଲା ଦେଖୁଥିଳେ ଏବଂ ସେ (କାର୍ତ୍ତିକ) ବିଶ୍ୱାସରେ ଦେବାରଜଙ୍କୁ ପ୍ରଜ୍ୱଳଙ୍କ ଅଶ୍ଳୀଳ ଭିଡ଼ିଓ ଥିବା ପେନ୍ ଡ୍ରାଇଭ୍ ହସ୍ତାନ୍ତର କରିଥିଲା । ଦେବାରାଜ ଏହାକୁ ଗୋପନ ରଖିବେ ବୋଲି ତା’ର ବିଶ୍ୱାସ ଥିଲା । ଦେବରାଜଙ୍କ ବ୍ୟତୀତ ସେ ଅନ୍ୟ କାହାକୁ ପେନ୍ ଡ୍ରାଇଭ୍ କପି ଦେଇ ନାହିଁ ବା ନିଜେ ଭିଡ଼ିଓ ଲିକ୍ କରି ନାହିଁ ।
ମାମଲା ଗରମ ହେବା ପରେ ଆଇନଜୀବୀ ଦେବରାଜଗøଡା ଗଣମାଧ୍ୟମ ସାମ୍ନାକୁ ଆସି ଭିଡ଼ିଓ ଲିକ୍ ସହ ତାଙ୍କର କୌଣସି ସଂପର୍କ ନାହିଁ ବୋଲି ସଫେଇ ଦେଇଛନ୍ତି । ଏଠାରେ ସୂଚନାଯୋଗ୍ୟ, ୨୦୨୩ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ଦେବରାଜଗୌଡା ଏଚଡି ରେଭାନ୍ନାଙ୍କ ବିରୋଧରେ ବିଜେପି ପ୍ରାର୍ଥୀ ଥିଲେ । ସେହି ସମୟରେ ରେଭାନ୍ନା ପରିବାର ଯୌନ କେଲେଂକାରୀ ଭିଡ଼ିଓ ଲିକ୍ ହେବା ଆଶଙ୍କା ବ୍ୟକ୍ତ କରି କୋର୍ଟକୁ ଯାଇଥିଲେ । ତେବେ, କୋର୍ଟରେ ଦର୍ଶାଇ ଥିଲେ, ଚଂଚକତାପୂର୍ଣ୍ଣ ଭାବେ ସେମାନଙ୍କ ପରିବାକୁ ବଦନାମ କଲାଭଳି ଖବର ଓ ଅଶାଳୀନ ଭିଡ଼ିଓ ପ୍ରସ୍ତୁତ କରାଯାଇ ଗଣମାଧ୍ୟମରେ ପ୍ରକାଶନ ଓ ପ୍ରସାରଣର ଧମକ ଦିଆଯାଇଛି । ଏଭଳି କିଛି ପ୍ରକାଶନ ଓ ପ୍ରସାରଣ ଉପରେ ରୋକ୍ ଲଗାଇବାକୁ କୋର୍ଟଙ୍କୁ ରେଭାନ୍ନା ପରିବାରର ନିବଦେନ କରିବାରୁ କୋର୍ଟ ୮୬ଟି ମିଡ଼ିଆ ସଂସ୍ଥା, କାର୍ତ୍ତିକ ଓ ଅନ୍ୟ ଦୁଇ ଜଣ ବ୍ୟକ୍ତିଙ୍କ ଉପରେ ରୋକ୍ ଲଗାଇ ଥିଲେ । ଏବେ, ଲୋକସଭା ନିର୍ବାଚନ ସମୟରେ ପ୍ରଜ୍ୱଳଙ୍କ ଭିଡ଼ିଓ ଲିକ୍ ହୋଇଛି । କାର୍ତ୍ତିକ ଏବଂ ତାଙ୍କ ଓକିଲ ଥିବା ବିଜେପି ନେତା ଦେବରାଜଗୌଡା ଭିଡ଼ିଓ ଲିକ୍ ସହ ସେମାନେ କିଛି ସଂପୃକ୍ତ ନଥିବା ଦାବି କରୁ ଥିବାରୁ ବାସ୍ତବରେ କିଏ ଏହି ରହସ୍ୟ ପଦାରେ ପକାଇଛି – ତଦନ୍ତ ସାପେକ୍ଷ । କର୍ଣ୍ଣାଟକ ସରକାର ରହସ୍ୟ ଉନ୍ମୋଚନ କରିବାରେ କେତେଦୂର ସଫଳ ହେଉଛନ୍ତି ତାହା ଆଗାମୀ ଦିନରେ ଜଣାପଡିବ ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS