ଓଡ଼ିଆ ଅସ୍ମିତା, ପାଣ୍ଡିଆନ ଓ ବିଜେପି…
ପ୍ରସାଦ ରାଓ
ଭୁବନେଶ୍ୱର/ ଏପ୍ରିଲ ୩୦
ଓଡ଼ିଶାରେ ସାଧାରଣ ନିର୍ବାଚନ ସହ ବିଧାନସଭା ନିର୍ବାଚନ ପାଇଁ ମେ’ ୧୩ ତାରିଖରୁ ଚାରି ପର୍ଯ୍ୟାୟରେ ମତଦାନ ଆରମ୍ଭ ହେଉଥିବା ବେଳେ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ଅସ୍ମିତାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି । ବିରୋଧୀ ବିଜେପି ନେତାମାନେ ଏହି ପ୍ରସଙ୍ଗ ଉଠାଇ ଏଇ କିଛି ଦିନ ହେଲା ରାଜ୍ୟ ରାଜନୀତିକୁ ସରଗରମ କରିଛନ୍ତି । ବିଜେଡ଼ି ଯେହେତୁ ଏକ ଆଂଚଳିକ ରାଜନୈତିକ ଦଳ ଏବଂ ଗଲା ୨୪ ବର୍ଷ ହେଲା କ୍ଷମତାରେ ରହିଛି ଓଡ଼ିଶାର ଭାଷା, ସାହିତ୍ୟ, ସଂସ୍କୃତି ଓ ଅସ୍ମିତାକୁ ସୁରକ୍ଷିତ ରଖିବାର ଉତ୍ତରଦାୟିତ୍ୱ ହେଉଛି ରାଜ୍ୟ ସରାକାରଙ୍କର । ତେବେ, ଭୋଟ ସମୟରେ ଓଡ଼ିଶାବାସୀ କେବେ ବି ବିଜେଡ଼ି ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏହାକୁ ନେଇ ପ୍ରଶ୍ନ କରି ନାହାନ୍ତି । ମୁଖ୍ୟମନ୍ତ୍ରୀ ବିଭିନ୍ନ ସମୟରେ ଓଡ଼ିଆରେ ଯେଉଁ ଭାଷଣ ପଢିଥା’ନ୍ତି ତାହା ରୋମାନ ଇଂରାଜୀରେ ଲେଖିତ । ତାଙ୍କ ଓଡ଼ିଆ ଉଚ୍ଚାରଣ ମଧ୍ୟ ହାସ୍ୟାସ୍ପଦ । ଏକଥା ରାଜ୍ୟବାସୀ ଗଲା ୨୪ ବର୍ଷ ହେଲା ଜାଣନ୍ତି । ଘରୋଇ ଆଲୋଚନା ବେଳେ ତାହାର ସମାଲୋଚନା କରନ୍ତି, କିନ୍ତୁ ଭୋଟ ସମୟରେ କେହି ପ୍ରଶ୍ନ କରନ୍ତି ନାହିଁ । ଓଲଟା, ମୁଖ୍ୟମନ୍ତ୍ରୀଙ୍କ ଗମ୍ଭିର ମୁଦ୍ରା, ତାଙ୍କ ମୁହଁରୁ ବାହାରୁ ଥିବା ଦୁଇ ପଦ ଓଡ଼ିଆ ଏବଂ ସଭା ମଂଚରୁ ବା ରୋଡ୍ ସୋ’ ବେଳେ ତାଙ୍କ ହାତ ହଲା ରାଜ୍ୟବାସୀଙ୍କୁ ଏତେଦୂର ପ୍ରଭାବିତ କରେ ଯେ ସେମାନେ ଭୁଲି ଯାଆନ୍ତି ମୁଖ୍ୟମନ୍ତ୍ରୀ ଓଡ଼ିଆ ହୋଇ ମଧ୍ୟ ଶୁଦ୍ଧ ଓଡ଼ିଆ କହିବାକୁ ସକ୍ଷମ ନୁହନ୍ତି । ଇଂରାଜୀରେ ଲେଖିତ ଭାଷଣ ଓଡ଼ିଆରେ ପଢିବା ସମୟରେ ଓଡ଼ିଆ ଶବ୍ଦର ଉଚ୍ଚାରଣ ମଧ୍ୟ କିମ୍ବୁତ କିମାକାର ହୋଇଥାଏ ।
ତଥାପି, ୨୪ ବର୍ଷ ହେଲା ଓଡ଼ିଶାବାସୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଭାବଗତ ସଂପର୍କ ରଖି ଆସିଛନ୍ତି । ତାହାର ଦୁଇଟି କାରଣ ହେଉଛି, ପ୍ରଥମତଃ ନବୀନ ହେଉଛନ୍ତିି ନବ ଓଡ଼ିଶା ଗଠନର ପ୍ରଥମ ଉଦ୍ୟୋକ୍ତା ତଥା ଓଡ଼ିଶାର ବରେଣ୍ୟ ନେତା ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ପୁତ୍ର । ଅନ୍ୟ କାରଣ କୁହାଯାଇପାରେ – ନବୀନ ହେଉଛନ୍ତି ଜଣେ ନିର୍ବିବାଦୀୟ ଓ ସରଳ ଜୀବନଯାପନ କରୁଥିବା ନେତା ଯିଏକି ଗତ ୨୪ ବର୍ଷ ଶାସନ କାଳରେ ପ୍ରତ୍ୟେକ ଓଡ଼ିଶାଙ୍କ ପାଇଁ ଖଂଜି ଦେଇଛନ୍ତି ଜନ୍ମରୁ ଆରମ୍ଭ କରି ମୃତ୍ୟୁ ପର୍ଯ୍ୟନ୍ତ ବିଭିନ୍ନ ଯୋଜନା । ମହିଳା ସଶକ୍ତିକରଣ ବା ମିଶନ ଶକ୍ତି କ୍ଷେତ୍ରରେ ଓଡ଼ିଶା ସମଗ୍ର ଦେଶ ପାଇଁ ଉଦାହରଣ ହୋଇଛି । ରାଜଧାନୀ ହେଉ କି ରାଜ୍ୟର ଯେକୌଣସି ଗ୍ରାମାଂଚଳ – ଯେକୌଣସି ପୁରୁଷ ବା ମହିଳାଙ୍କୁ ପ୍ରଶ୍ନ କଲେ ସେମାନେ କୁହନ୍ତି ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ହେଉଛନ୍ତି ଦେବତା ସଦୃଶ ମଣିଷ, ସେ ହିଁ ଗରୀବଙ୍କ ସାହା ଭରସା । ଗଲା ୨୪ ବର୍ଷ ହେଲା ଓଡିଶାର ସହରାଂଚଳ ଓ ଗ୍ରାମାଂଚଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନେଇ ଯେଉଁ ଭାବନାତ୍ମକ ଆବେଗ (ପରସେପ୍ସନ୍) ଏବଂ ବିଶ୍ୱାସ ରହିଛି, ଯାହାକି ବିଜେଡ଼ି ପାଇଁ ବରଦାନ ହୋଇଛି । ୨୦୨୪ ନିର୍ବାଚନରେ ମଧ୍ୟ ଓଡ଼ିଶାରେ ଏହି ଭାବନାତ୍ମକ ଆବେଗ ରହିଛି – ଏକଥା ନିସଂକୋଚରେ କୁହାଯାଇପାରେ । ତେଣୁ, ବିଜେଡ଼ି ଓ ନବୀନଙ୍କୁ ଚଳିତ ନିର୍ବାଚନରେ ମାତ୍ ଦେବାକୁ ବିରୋଧୀ, ବିଶେଷକରି ବିଜେପି ନୂଆ ଫନ୍ଦିର ଆଶ୍ରୟ ନେଇଛି । ତାହା ହେଉଛି – ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ଅସ୍ମିତାର ସୁରକ୍ଷା ।
ନବୀନ ଓଡ଼ିଆ ଶବ୍ଦର ସଠିକ ଉଚ୍ଚାରଣ କରିବାକୁ ଅକ୍ଷମ, ରୋମାନ୍ ଇଂରାଜୀରେ ଲେଖା ଓଡ଼ିଆ ଭାଷଣ ପଢୁଛନ୍ତି । ବିରୋଧୀଙ୍କ ଏଭଳି ଅଭିଯୋଗ ଆଉ ଲୋକଙ୍କୁ ଧରୁନି । ବିଜେଡ଼ି ଶାସନରେ ରାଜ୍ୟର କୌଣସି ବିକାଶ ବା ରୂପାନ୍ତରକରଣ ହୋଇନି ବୋଲି ଅଭିଯୋଗ ମଧ୍ୟ କାମ କରୁନି । ତେଣୁ, ବିଜେଡ଼ି ଶାସନରେ ଓଡିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ଅସ୍ମିତା ଅସୁରକ୍ଷିତ କହି ସେମାନେ ଏବେ ବିଜେଡ଼ି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଘେରିବାକୁ ଚାହୁଁଛନ୍ତି ଏବଂ ବିରୋଧୀଙ୍କ ଅଭିଯୋଗର ଇନ୍ଧନ ହୋଇଛନ୍ତି ମୁଖ୍ୟମନ୍ତ୍ରୀଙ୍କ ପୂର୍ବତନ ବ୍ୟକ୍ତିଗତ ସଚିବ ତଥା ଏବେକାର ଦୁଇ ନମ୍ବର ବିଜେଡ଼ି ନେତା କାର୍ତ୍ତିକେୟ ପାଣ୍ଡିଆନ । ପାଣ୍ଡିଆନ ଆଇଏଏସ୍ ଚାକିରୀରେ ଥାଇ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ଯୋଗ ଦେଇଥିଲେ । ପରଦା ଆଢୁଆଳରେ ରହି ଓଡ଼ିଶା ସରକାର ଓ ବିଜେଡ଼ି ରାଜନୀତିକୁ ନିୟନ୍ତ୍ରଣ କରୁଥିଲେ । ଜଣେ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ଅଧିକାରୀ ହୋଇ ମଧ୍ୟ ଶାସକ ଦଳ ପାଇଁ କାର୍ଯ୍ୟ କରୁଥିଲେ, ଯାହାକି ଅସାମ୍ବିଧାନିକ କହି ବିରୋଧୀ ତାଙ୍କୁ ଘେରିବା ଆରମ୍ଭ କରିଥିଲେ । ବିଜେପିର ରାଜ୍ୟ ନେତାମାନେ କେନ୍ଦ୍ର ସରକାରଙ୍କ ନିକଟରେ ଫେରାଦ ହେଉଥିଲେ ମଧ୍ୟ କିଛି ସୁଫଳ ମିଳୁ ନଥିଲା । ଏଇ କିଛି ମାସ ତଳେ ପାଣ୍ଡିଆନ ସ୍ୱଇଚ୍ଛାରେ ଆଇଏଏସ୍ ଚାକିରୀରୁ ଅବସର ନେଇ ସକ୍ରିୟ ରାଜନୀତିକୁ ଆସିଛନ୍ତି । ବିଜେଡ଼ିର ୫-ଟି ଅଧକ୍ଷ୍ୟ ଭାବେ ମୁଖ୍ୟମନ୍ତ୍ରୀ ତାଙ୍କୁ ନିଯୁକ୍ତି ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ପଛକୁ ସେ ବିଜେଡ଼ିର ଦ୍ୱିତୀୟ ନେତା ଭାବେ ସରକାର ଓ ଦଳର ମଂଗ ଧରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କା’ ଭାବେ ସେ ସମଗ୍ର ରାଜ୍ୟ ଗସ୍ତ କରି ବିଜେଡ଼ିର ପାଇଁ ନିର୍ବାଚନ ପ୍ରଚାର କରୁଛନ୍ତି, ଯାହାକି ବିରୋଧୀଙ୍କ ପାଇଁ ଅସହ୍ୟ ହୋଇଛି ।
ଯେହେତୁ ପାଣ୍ଡିଆନ ତାମିଲନାଡୁର ଅଧିବାସୀ ଓ ତାଙ୍କ ମାତୃଭାଷା ହେଉଛି ତମିଲ ବିରୋଧୀ ତାଙ୍କୁ ପ୍ରଥମେ ଅଣ-ଓଡ଼ିଆ ଅଧିକାରୀ ଏବଂ ପରେ ଅଣ-ଓଡ଼ିଆ ରାଜନେତା କହି ସମାଲୋଚନା କରିବାକୁ ପଛାଇ ନାହାନ୍ତି । ସେ (ପାଣ୍ଡିଆନ) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମ୍ଭାବ୍ୟ ଉତ୍ତରାଧିକାରୀ ବୋଲି ଚାଲିଥିବା ପ୍ରଚାର ମଧ୍ୟ ବିରୋଧୀଙ୍କୁ ବିଜେଡ଼ିକୁ ଟାର୍ଗେଟ୍ କରିବାର ସୁଯୋଗ ସୃଷ୍ଟି କରିଛି । ଓଡ଼ିଶା ବାହାରୁ ଆସିଥିବା ଜଣେ ବ୍ୟକ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ କେମିତି ହେବେ (?) – ଏଭଳି ଏକ ଧାରଣା ଓଡ଼ିଶାବାସୀଙ୍କ ମୁଣ୍ଡରେ ପୁରାଇବା ପାଇଁ ବିରୋଧୀ ଉଦ୍ୟମ ଆରମ୍ଭ କରିଛନ୍ତି । ଓଡ଼ିଶାରେ ଆଜି ଦିନରେ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ଅସ୍ମିତା ବିପନ୍ନ କହି ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରତ୍ୟକ୍ଷ ଟାର୍ଗେଟ୍ କରୁଥିଲେ ମଧ୍ୟ ପରୋକ୍ଷରେ ତାହା ବିଜେଡ଼ି ୫-ଟି ଅଧ୍ୟକ୍ଷ ପାଣ୍ଡିଆନଙ୍କ ପାଇଁ ଉଦ୍ଦିଷ୍ଟ – ଏକଥା କାହାରିକୁ ଅଛପା ନାହିଁ । ଗଲା ଏକ ବର୍ଷରୁ ଅଧିକ ସମୟ ହେଲା ପାଣ୍ଡିଆନଙ୍କୁ ବିରୋଧ ରାଜ୍ୟ ବିଜେପି ନେତାଙ୍କ ମଧ୍ୟରେ ସୀମିତ ଥିଲା । ସରକାରୀ ଖର୍ଚ୍ଚରେ ପାଣ୍ଡିଆନ ରାଜ୍ୟସାରା ବିମାନରେ ଗସ୍ତ କରି ଲୋକଙ୍କ ସମସ୍ୟା ସଂପର୍କିତ ଅଭିଯୋଗପତ୍ର ସଂଗ୍ରହ କରିବା କେତେଦୂର ଆଇନସମ୍ମତ ବୋଲି ବିରୋଧୀ ପ୍ରଶ୍ନ କରିବା ସହ ଏହାକୁ ଏକ ବଡ ପ୍ରସଙ୍ଗ କରିଥିଲେ । କିନ୍ତୁ, ବିଜେପିର କେନ୍ଦ୍ରୀୟ ନେତାମାନେ ରାଜ୍ୟ ନେତାମାନଙ୍କ ଅଭିଯୋଗକୁ ପ୍ରଶ୍ରୟ ନଦେଇ ରାଜ୍ୟ ବିଜେଡ଼ି ନେତୃତ୍ୱ ସହ ସୌହାଦ୍ଧ୍ୟପୂର୍ଣ୍ଣ ସଂପର୍କ ବଜାୟ ରଖି ଆସି ଥିଲେ । ତେବେ, ୨୦୨୪ ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ବିଜେପି-ବିଜେଡ଼ି ସଂପର୍କରେ ଅନେକ ପରିବର୍ତ୍ତନ ଆସିଛି । ପ୍ରଥମେ ରାଜ୍ୟରେ ବିଜେଡ଼ି-ବିଜେପି ମେଂଟରେ ନିର୍ବାଚନ ଲଢିବା ଉଦ୍ୟମ ଆରମ୍ଭ ହେଲା । ବିଜେଡ଼ି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଭାବେ କାର୍ତ୍ତିକ ପାଣ୍ଡିଆନ ଓ ପ୍ରଣବ ପ୍ରକାଶ ଦାସ ଦିଲ୍ଲୀ ଯାଇ ବିଜେପି କେନ୍ଦ୍ରୀ ନେତାଙ୍କ ସହ ଆଲୋଚନା କରୁଥିଲେ । ତେବେ, କୌଣସି କାରଣରୁ ମେଂଟ ଉଦ୍ୟମ ସଫଳ ନ ହେବାରୁ ଦୁଇ ଦଳ ଅଲଗା ଅଲଗା ନିର୍ବାଚନ ମଇଦାନରେ ଅଛନ୍ତି ଓ ପରସ୍ପର ବିରୋଧରେ ବିଷୋଦ୍ଗାର କରୁଛନ୍ତି ।
ରାଜ୍ୟର ବିଜେପି ନେତାମାନେ କେନ୍ଦ୍ରୀୟ ନେତାଙ୍କୁ ୨୦୨୪ରେ ଓଡ଼ିଶାବାସୀ ପରିବର୍ତ୍ତନ ଚାହୁଁଛନ୍ତି, ରାଜ୍ୟରେ ବିଜେପି ସରକାର ଗଢିବା ସୁନିଶ୍ଚିତ ବୋଲି ସୁନେଲି ସ୍ୱପ୍ନ ଦେଖାଇବା ପରେ ବିଜେପି କେନ୍ଦ୍ରୀୟ ନେତୃତ୍ୱ ମେଂଟ କଥାବାର୍ତ୍ତାରୁ ଆଂଚଳିକ ନେତାମାନେ ନ ଚାହିଁବାରୁ ମେଂଟ ହେଲାନି ବୋଲି କହିଥିଲେ । ଏବେ ସେମାନେ ବିଜେଡ଼ି ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ଅସ୍ମିତାକୁ ଭୂଲୁଣ୍ଠିତ କରିଥିବା ବ୍ୟାଖାନ ଆରମ୍ଭ କରିଛନ୍ତି । ବିଜେପି ଚାଣକ୍ୟ (କେନ୍ଦ୍ର ଗୃହ ମନ୍ତ୍ରୀ) ଅମିତ ଶାହା ପ୍ରଥମେ ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ବିଜେପି ଓଡ଼ିଶା ଶାକା ନେତାମାନେ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ଅସ୍ମିତାକୁ ନେଇ କୌଣସି ପ୍ରକାର ସାଲିସ କରିବାକୁ ଚାହୁଁ ନାହାନ୍ତି ବୋଲି କହିଥିଲେ । ପରେ, ଓଡିଶା ଆସିଥିବା ବେଳେ ଗଣମାଧ୍ୟମରେ ତାହାକୁ ଦୋହରାଇ ଥିଲେ । ନିକଟରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏକ ଜାତୀୟ ସମ୍ବାଦପତ୍ର ସାକ୍ଷାତକାରରେ ଓଡ଼ିଶାରେ ବିଜେଡ଼ି ଶାସନରେ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ଅସ୍ମିତା ବିପନ୍ନ ହୋଇପଡିଥିବା କହିଛନ୍ତି । ରାଜ୍ୟ ସରକାର ଏହାର ସୁରକ୍ଷା ଦିଗରେ କିଛି କରି ନାହାନ୍ତି ବୋଲି ଅଭିଯୋଗ କରିଛନ୍ତି । ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି.ନଡ୍ଡା ମଧ୍ୟ ନିକଟରେ ଓଡ଼ିଶା ଗସ୍ତରେ ଆସି ଗଂଜାମ ଜିଲ୍ଲା ବ୍ରହ୍ମପୁର ସହର ଉପକଂଠ ଆମ୍ବପୁଆ ନିର୍ବାଚନ ସଭାରୁ ଅଣ-ଓଡ଼ିଆ ନେତା କହି ପାଣ୍ଡିଆନଙ୍କୁ ପରୋକ୍ଷ ଟାର୍ଗେଟ୍ କରିଛନ୍ତି । ଓଡିଶାରେ କଣ କେହି ନେତା ନାହାନ୍ତି ଯେ ଅଣ-ଓଡ଼ିଆଙ୍କୁ ଆମଦାନୀ କରାଯାଉଛି ବୋଲି ବିଜେପିର ଜାତୀୟ ନେତାଙ୍କ ପ୍ରଶ୍ନ ଯେ ପରୋକ୍ଷରେ ପାଣ୍ଡିଆନଙ୍କ ପାଇଁ ଉଦ୍ଦିଷ୍ଟ – ଏହା ଜାଣିବା କଥା । ଓଡ଼ିଶାରେ ଓଡିଆ ଅସ୍ମିତା ବିପନ୍ନ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଗଣମାଧ୍ୟମରେ ମନ୍ତବ୍ୟ ରଖିବା ପରେ ବିଜେଡ଼ି ନେତା ପାଣ୍ଡିଆନ ଏକ ଜାତୀୟ ଗଣମାଧ୍ୟମ ସାକ୍ଷାତକାରରେ ସେ ‘ଘର’ ଲୋକ କି ‘ବାହାର’ ଲୋକ ତାହା ଓଡ଼ିଶାବାସୀ ନିର୍ଣ୍ଣୟ କରିବେ ବୋଲି ଯେଉଁ ପାଲଟା ଉତ୍ତର ଦେଇଛନ୍ତି ତାହା ବିଜେପି ପାଇଁ ମୁହତୋଡ ଜବାବ ହୋଇଛି ।
ପାଣ୍ଡିଆନ କହିଛନ୍ତି, ବିଜେଡ଼ି ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେଉଛନ୍ତି ତାଙ୍କ ରାଜନୈତିକ ଗୁରୁ । ରାଜ୍ୟର ପ୍ରତ୍ୟେକ ଯୁବକ, ଯୁବତୀଙ୍କ ଭଳି ସେ ମଧ୍ୟ ନବୀନ ବାବୁଙ୍କ ଆଦର୍ଶ ଓ ମୂଲ୍ୟବୋଧରେ ଅନୁପ୍ରାଣିତ । ସେ ମୁଖ୍ୟମନ୍ତ୍ରୀ ନୁହେଁ, ନବୀନଙ୍କ ଆଦର୍ଶ ଓ ମୂଲ୍ୟବୋଧ ରାଜନୀତିର ଉତ୍ତରାଧିକାରୀ ହେବାକୁ ଚାହୁଁଛନ୍ତି । ମୁଖ୍ୟମନ୍ତ୍ରୀ ଦଳରେ ତାଙ୍କ ପାଇଁ ଭୂମିକା ଧାର୍ଯ୍ୟ କରିବେ ସେହି ଭୂମିକାରେ ରହି ସେ କାର୍ଯ୍ୟ କରିବେ ବୋଲି ମଧ୍ୟ ପାଣ୍ଡିଆନ ସ୍ପଷ୍ଟ କରିଛନ୍ତି । ସମ୍ବଲପୁର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ଥିବା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁରରୁ ତାଙ୍କୁ ଟାର୍ଗେଟ୍ କରୁଥିବାରୁ ପାଣ୍ଡିଆନ ମଧ୍ୟ ଓଡ଼ିଶାର ବିଭିନ୍ନ ଅଂଚଳ ଗସ୍ତ କରିବା ସମୟରେ ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ୍ କରୁଛନ୍ତି । ଓଡ଼ିଶାରେ ଓଡ଼ିଆ ଅସ୍ମିତା ବିପନ୍ନ ବୋଲି ବିଜେପି ନେତୃତ୍ୱାର ଅଭିଯୋଗ ଉପରେ ପାଣ୍ଡିଆନ ତାଙ୍କ ସାକ୍ଷାତକାରରେ କହିଛନ୍ତି, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ତେବେ, ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରରେ ୧୦ ବଷ ମନ୍ତ୍ରୀ ଥାଇ ଓଡ଼ିଆ ଶାସ୍ତ୍ରୀୟ ଭାଷାର ପ୍ରସାର ଦିଗରେ କଣ କରିଛନ୍ତି (?) ବୋଲି ପାଣ୍ଡିଆନ ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି, ଦେଶର ଅନ୍ୟାନ୍ୟ ଶାସ୍ତ୍ରୀୟ ଭାଷାର ପ୍ରସାର ପାଇଁ କେନ୍ଦ୍ର ସରକାର ଗଲା ଦଶ ବର୍ଷରେ ଆର୍ଥିକ ଅନୁଦାନ ଦେଇଛନ୍ତି । କିନ୍ତୁ, ଓଡ଼ିଆ ଭାଷାର ଶସ୍ତ୍ରୀୟତାର ପ୍ରସାର ପାଇଁ କଣା କଉଡିଟିଏ ଦେଇ ନାହାନ୍ତି । ଓଡ଼ିଶାବାସୀ ଏହା ଜାଣିବା ଆବଶ୍ୟକ ।
ନବ ଓଡ଼ିଶା ଗଠନର ପୁରୋଧା ବିଜୁ ପଟ୍ଟନାୟକଙ୍କୁ ‘ଭାରତ ରତ୍ନ’ ଦେବା ଦାବିକୁ କେନ୍ଦ୍ର ଅଣଦେଖା କରିଛି । ଓଡ଼ିଶାରୁ ଜଣେ କେହି ଆଜି ଯାଏଁ ‘ଭାରତ ରତ୍ନ’ରେ ସମ୍ମାନୀତ ହୋଇ ନାହାନ୍ତି । ୧୮୧୭ରେ ବ୍ରିଟିଶ ଶାସନ ବିରୋଧରେ ଓଡ଼ିଶାରେ ଯେଉଁ ପାଇକ ବିଦ୍ରୋହ ହୋଇଥିଲା ତାହା ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ହୋଇଥିଲେ ସୁଦ୍ଧା କେନ୍ଦ୍ର ବିଜେପି ସରକାର ଓଡ଼ିଶାର ପାଇକ ପୁଅଙ୍କୁ ସମ୍ମନା ଦେବାରେ କଣ କରିଛନ୍ତି ବୋଲି ପାଣ୍ଡିଆନ ପ୍ରଶ୍ନ କରିଛନ୍ତି । ‘ମୋର ଠାକୁର ହେଉଛନ୍ତି ପ୍ରଭୁ ଜଗନ୍ନାଥ, ଗୁରୁ ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମୋର କର୍ମଭୂମୀ ହେଉଛି ଓଡ଼ିଶା, ମୋ ପିଲା ଦୁଇ ଜଣଙ୍କ ମାତୃଭାଷା ଓଡ଼ିଆ ଏବଂ ଓଡ଼ିଶା ହେଉଛି ସେମାନଙ୍କ ଜନ୍ମଭୂମି । ତେଣୁ, ମୁଁ ଓଡ଼ିଶାର କି ଓଡ଼ିଶା ବାହାରର’ ତାହା ଓଡ଼ିଶାବାସୀ ନିର୍ଣ୍ଣୟ ନେବେ’ ବୋଲି ପାଣ୍ଡିଆନ ତାଙ୍କ ସାକ୍ଷାତକାରରେ କହିବା ସହ ନିର୍ଣର୍ୟ ଛାଡି ଦେଇଛନ୍ତି ଓଡ଼ିଶାର ସାଢେ ଚାରି କୋର୍ଟ ଜନତା ଉପରେ । ସେ ଏହା ମଧ୍ୟ କହିଛନ୍ତି, ବିରୋଧୀ ୨୦୧୪ରୁ ତାଙ୍କୁ ଲଗାତର ଭାବେ ବିରୋଧ କରି ଆସୁଛନ୍ତି । ୨୦୧୪ ପରେ ୨୦୧୯ରେ ତାଙ୍କୁ ବିରୋଧ କରାଯାଇଥିଲା । ଏବେ, ୨୦୨୪ରେ ବିରୋଧ ହେଉଛି । ତାଙ୍କ ପାଇଁ ବିରୋଧ କିଛି ନୂଆ ନୁହେଁ, ଦେହସୁହା ହୋଇ ଗଲାଣି । ପାଣ୍ଡିଆନଙ୍କ ଏହି ସାକ୍ଷାତକାର ରାଜ୍ୟ ବିଜେପି ମୁଖ୍ୟ ମନମୋହନ ସାମଲଙ୍କ ପାଇଁ ରାଜ୍ୟ ନେତାଙ୍କ ପାଇଁ ଉଦ୍ଦିଷ୍ଟ ନୁହେଁ; ସିଧାସଳଖ ପ୍ରଧାନମନ୍ତ୍ରୀ ମୋଦୀ, କେନ୍ଦ୍ର ଗୃହ ମନ୍ତ୍ରୀ ଶାହା ଓ ବିଜେପି ରାଷ୍ଟ୍ରୀୟ ସଭାପତି ନଡ୍ଡାଙ୍କ ପାଇଁ ଉଦ୍ଦିଷ୍ଟ କୁହାଯାଇପାରେ । ବିଜେପିର ଏହି ତୁଂଗ ନେତାମାନେ ଏହା ଉପରେ କିଭଳି ପ୍ରତିକ୍ରିୟା ରଖୁଛନ୍ତି, ତାହା ଆଗକୁ ଜଣାପଡିବ ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS