ଋଣ ବୋଝରେ ଓଡ଼ିଶା, ଅୟସରେ ସରକାର
– ପ୍ରସାଦ ରାଓ –
ଜୁନ ୩୦ ତାରିଖ
୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିବା ପରେ ରାଜ୍ୟ ସରକାର ଯେଉଁ ସୂଚନା ଦେଇଛନ୍ତି ସେଥିରୁ ଜଣାପଡୁଛି ଏହି ଆର୍ଥିକ ବର୍ଷ ଶେଷ ସୁଦ୍ଧା ଓଡ଼ିଶାର ଋଣ ବୋଝ ୧ଲକ୍ଷ କୋଟି ଟଙ୍କା ଟପି ଯିବ । ତାହା ୧ ଲକ୍ଷ ୬ ହଜାର କୋଟି ପାଖାପାଖି ହୋଇ ପାରେ ବୋଲି ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ଶାସନ ସଚିବ ଅଶୋକ କୁମାର ମୀନା ଗଣମାଧ୍ୟମକୁ କହିଛନ୍ତି । ସରକାର ବିଭିନ୍ନ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିବା ସକାଶେ ଋଣ କରୁଥିବା ଏବଂ ଏଥି ପାଇଁ ଥିବା ଲକ୍ଷ୍ମଣ ରେଖା ଭିତରେ ରହିଥିବା କହୁଥିଲେ ମଧ୍ୟ ବାସ୍ତବରେ ଆୟ ବୃଦ୍ଧିର ବାଟ ନ କରି ଋଣ ବଢାଇ ଚାଲିବା କେତେଦୂର ଯୁକ୍ତିଯୁକ୍ତ ବୋଲି ବିରୋଧୀ ପ୍ରଶ୍ନ କରିଛନ୍ତି । ବିରୋଧୀଙ୍କ ପ୍ରଶ୍ନରେ ଦମ୍ ରହିଛି । କାରଣ, ଯେକୌଣସି ବଜେଟ୍, ତାହା ଘରୋଇ ହେଉ ବା ସରକାରୀ ହେଉ, ଆୟକୁ ଦେଖି ବ୍ୟୟ ନିର୍ଦ୍ଧାରଣ ହୋଇଥାଏ । ସେଭଳି ଜରୁରୀ ଆବଶ୍ୟକତା ନ ଥିଲେ ଋଣ କଥା କେହି ଚିନ୍ତା କରି ନ ଥା’ନ୍ତି । ‘ଋଣକୃତ୍ୱା ଘୃତଂ ପିବତେ’ ନ୍ୟାୟରେ ସରକାରୀ ବଜେଟ୍ ‘ଖଟୁଲି ଖାଇବା’ ସଦୃଶ ହୋଇଛି।
ସରକାର ୨୦୧୯ ନିର୍ବାଚନ ସମୟରେ ରାଜ୍ୟର ବିଭିନ୍ନ ଶ୍ରେଣୀର ନାଗରିକଙ୍କୁ ଖୁସି କରିବା ପାଇଁ ବିଭିନ୍ନ ଜନପ୍ରୀୟ ଘୋଷଣା କରିଥିଲେ । ସେସବୁ ଘୋଷଣାକୁ କାର୍ଯ୍ୟରେ ପରିଣତ କରିବାକୁ ଯାଇ ରାଜ୍ୟର ଋଣ ବୋଝ ବଢାଉ ଥିବା ଅଭିଯୋଗ ହେଉଛି । ଚାଷୀଙ୍କ ପାଇଁ ‘କାଳିଆ’ ଯୋଜନା ହେଉ ବା ମହିଳା ସ୍ୱେଚ୍ଛାସେବୀଙ୍କୁ ବିନା ସୁଧରେ ଋଣ ଯୋଗାଣ, ସ୍ମାର୍ଟ ଫୋନ ବଂଟନ ହେଉ ବା ସ୍କୁଲ, କଲେଜ ଛାତ୍ରଛାତ୍ରୀଙ୍କୁ ମାଗଣା ଲାପଟପ୍ ଓ ସାଇକଲ ବଂଟନ, ଗରୀବ ଲୋକଙ୍କୁ ଟଙ୍କିକିଆ ଚାଉଳ ହେଉ ବା ଅନ୍ୟାନ୍ୟ ସବୁ ସୁବିଧା ସୁଯୋଗ ପ୍ରତିଶ୍ରୁତି – ସବୁ ହେଉଛି ସରକାରଙ୍କ ଘୋଷିତ ଜନପ୍ରିୟ ବା ପପୁଲିଷ୍ଟ୍ କାର୍ଯ୍ୟକ୍ରମ । ତାହାକୁ କାର୍ଯ୍ୟକାରୀ କରିବା ସକାଶେ ଯେଉଁ ଅର୍ଥର ଆବଶ୍ୟକତା ରହିଛି ତାହା ଓଡ଼ିଶା ସରକାରଙ୍କ ଆର୍ଥିକ ସମ୍ବଳ ଭିତରେ ନାହିଁ । କାରଣ, ଅର୍ଥନୀତି ଦୃଷ୍ଟିରୁ ଓଡ଼ିଶା ବଳକା ରାଜ୍ୟ ନୁହେଁ । ତେଣୁ, ସରକାର ଋଣ କରି ଅୟସ କରିବାକୁ ବାଧ୍ୟ ହେଉଛନ୍ତି । ରାଜ୍ୟର ଋଣ ବୋଝ ବଢିଲେ ସରକାର ବା ସରକାରୀ କର୍ମଚାରୀଙ୍କ କିଛି ପରବାୟ ନାହିଁ । କାରଣ, ସେମାନଙ୍କ ଦରମା ଓ ଅୟସର ସାଧନ ଋଣ ଟଙ୍କାରେ ହୋଇଯାଉଛି, ରାଜ୍ୟବାସୀଙ୍କ ମୁଣ୍ଡରେ ବୋଝ ବଢୁଛି । ପରବର୍ତୀ ସମୟରେ ଯିଏ ସରକାରରେ ଆସିବ ସେ ଏହି ପରଂପରା ବଜୟ ରଖିବ ।
ରାଜ୍ୟର କିଛି ଜିଲ୍ଲାରେ ଜିଲ୍ଲପାଳମାନେ ସରକାରୀ ଅର୍ଥରେ ଯେଭଳି ଅୟସ କରୁଛନ୍ତି ତାହା ନିକଟରେ ଗଣମାଧ୍ୟମରେ ପ୍ରସାରିତ ରିପୋର୍ଟରୁ ସୂଚନା ମିଳିଛି । ସରକାରୀ ବଂଗଳାକୁ ଇଚ୍ଛା ମୁତାବକ ସଜାଇବା ପାଇଁ ଜଣେ ଜଣେ ଜିଲ୍ଲାପାଳ ହାତଖୋଲା ଖର୍ଚ୍ଚ କରିଛନ୍ତି । ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବା ସମୟରେ ତାହା ସରକାରୀ ଅର୍ଥ ନା ଋଣ ଅର୍ତ କେବେ ଚିନ୍ତା କରିଛନ୍ତି କି ? ରାଜ୍ୟର ମନ୍ତ୍ରୀ, ଅଫିସର ଓ କିଛି ହାତଗଣତି ପ୍ରଭାବଶାଳୀ ଗଣମାଧ୍ୟମ ପ୍ରତିନିଧି ଇଚ୍ଛଧୀନ କୋଟାରେ ରାଜଧାନୀରେ ଘର, ଜମି ପାଇ ଅୟସ କରୁଥିବା ବେଳେ ‘ଫନି’ ସୁପର ସାଇକ୍ଲୋନ ପୀଡ଼ିତ ପରିବାରଙ୍କୁ ଘର ଉପରେ ଛାଇବା ପାଇଁ ଦୁଇ ମାସ ହେଲା ପାଲଟିଏ ମିଳି ନାହିଁ । ଖରା ବର୍ଷାରେ ସେମାନେ ସରକାରୀ ସହାୟତା ଅପେକ୍ଷାରେ ରାସ୍ତା କଡରେ ପଡି ରହିଛନ୍ତି । ବ୍ଲକ ଅଧିକାରୀମାନେ ଟନ୍ ଟନ୍ ରିଲିଫ ଚୁଡା ଗମରା ହୋଇ ଗଲା କହି ଖାତରେ ପୋତି ଦେଉଥିବା ବେଳେ ପ୍ରକୃତିକ ଦୁର୍ବିପାକ ସମୟରେ ଭୋକିଲା ପିଲାଙ୍କୁ ଚୁଡା ଟିକେ ମିଳୁ ନାହିଁ । ରାଜ୍ୟରେ ଗରିବ କମିଛନ୍ତି ବୋଲି ରାଜ୍ୟ ସରକାରଙ୍କ ଅର୍ଥନୈତିକ ସର୍ଭେ ରିପୋର୍ଟ କହୁଥିଲେ ମଧ୍ୟ ବାସ୍ତବରେ ଗ୍ରାମ ବା ସହରାଂଚଳର ଗରିବୀ ଚିତ୍ର ବଦଳି ନାହିଁ । ନିଜକୁ ଗରିବ ଦେଖାଇ ସବୁ ସରକାରୀ ସୁବିଧା ଲୁଟୁଥିବା ପ୍ରଭାବଶାଳୀ ସ୍ୱଚ୍ଛଳ ବର୍ଗ ଅଧିକ ଧନୀ ହୋଇଛନ୍ତି, ଗରିବ ପୂର୍ବ ଭଳି କାମଧନ୍ଦା ନ ପାଇ ଦାଦନ ଖଟିବାକୁ ସୁରଟ ଯାଉଛି ।
ସରକାର ଟଙ୍କିକିଆ ଚାଉଳ ଦେଇ ରାଜ୍ୟରୁ ଭୋକ ହଟାଇ ଦେଇଥିବା ଦାବି କରୁଥିବା ବେଳେ ବାସ୍ତବରେ ନୂଆ ଭିକାରି ତିଆରି କରୁଛନ୍ତି । ଖାଉଟୀ ସାମଗ୍ରୀର ଆକାଶଛୁଆଁ ଦର ବୃଦ୍ଧି ବିଚାରକୁ ନିଆଯାଉ ନାହିଁ । ଖାଉଟୀ ସୁରକ୍ଷା ଯୋଜନାରେ ବାସ୍ତବରେ ଯେଉଁମାନେ ଅନ୍ତର୍ଭୁକ୍ତ ହୋଇଛନ୍ତି ସେମାନେ ଯେ ସବୁ ସେଥିପାଇଁ ହକଦାର୍ ଏକଥା ସରକାର ଛାତିରେ ହାତ ଦେଇ କହିପାରିବେ ନାହିଁ । ଚିହ୍ନଟ ହୋଇଥିବା ହିତାଧିକାରୀଙ୍କ ଛଡା ଅନ୍ୟ ଯେଉଁମାନେ ଦରବୃଦ୍ଧିର ସାମନା କରୁଛନ୍ତି ସେମାନେ ସମସ୍ତେ ସ୍ୱଚ୍ଛଳ କି ? ଏହାର ଉତ୍ତର କାହାରି ପାଖରେ ନାହିଁ । ସରକାରୀ ହିସାବରେ ରାଜ୍ୟରେ ଗରିବୀ କମିଛି, ରାଜ୍ୟର ଗ୍ରାମାଂଚଳ ଓ ସହରାଂଚଳରେ ମୁଣ୍ଡପିଛା ଆୟ ବଢିଛି । ତେବେ, ଏହା ବାସ୍ତବ ନୁହେଁ – ମୁଖ୍ୟମନ୍ତ୍ରୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ସଚିବାଳୟର ତୃତୀୟ ମହଲାରେ ଏଭଳି ଗୋଲାପି ଚିତ୍ର ପ୍ରସ୍ତୁତ କରାଯାଉଛି ବୋଲି ବିରୋଧୀ ଯାହା ସମାଲୋଚନା କରୁଛନ୍ତି ସେଥିରେ ଯଥାର୍ଥତା ରହିଛି ।
୨୦୦୦ ମସିହା ପୂର୍ବରୁ ରାଜ୍ୟରେ କଂଗ୍ରେସ ସରକାର ଥିଲା ସମୟରେ ଓଡ଼ିଶାର ଋଣବୋଝ ୧୮ ହଜାର କୋଟି ଟଙ୍କା ଟପି ଯିବାରୁ ତୁମ୍ବିତୋଫାନ ହୋଇଥିଲା । ସେତେବେଳ ବିରୋଧୀ ଆସନରେ ଥିବା ବର୍ତମାନର ଶାସକମାନେ ତକ୍ରାଳୀନ ସରକାରଙ୍କୁ ଘେରିବାକୁ ପଛାଇ ନ ଥିଲେ । ରାଜ୍ୟରେ କଂଗ୍ରେସ ଦଳ କ୍ଷମତା ହରାଇବାର ଅନ୍ୟତମ କାରଣ ଏହି ଋଣବୋଝ କୁହାଯାଉଥିଲା । ବର୍ତମାନ ସେହି ଋଣବୋଝ ପରିମାଣ ୧ ଲକ୍ଷ କୋଟି ଟଙ୍କା ଟପିବାକୁ ଯାଉଛି ବୋଲି ସରକାରୀ ବାବୁମାନେ ନିଃସଂକୋଚରେ କହୁଥିବା ବେଳେ କାହାରି ଭୃକୁଂଚନ ହେଉନି । ମୁଖ୍ୟମନ୍ତ୍ରୀଙ୍କ ମୁହଁରେ ମଧ୍ୟ ଚିନ୍ତାର ରେଖା ଦେଖିବାକୁ ମିଳୁ ନାହିଁ । ରାଜ୍ୟବାସୀଙ୍କ ମୁଣ୍ଡରୁ ଋଣବୋଝ କମାଇବା ପାଇଁ ସରକାରଙ୍କ ଆଡୁ ୨୦୧୯-୨୦ ଆର୍ଥିକ ବର୍ଷ ବଜେଟରେ ସେଭଳି କିଛି ଖର୍ଚ୍ଚକାଟ୍ ବ୍ୟବସ୍ଥା ନାହିଁ । ସରକାର ବିକାଶମୂଳକ କାର୍ଯ୍ୟ କରିବା ସକାଶେ ରାଜ୍ୟକୁ ଋଣ ଭାରରେ ପୋତି ଦେଉଛନ୍ତି ସିନା ରାଜ୍ୟର ଆୟ ବୃଦ୍ଧି ଓ ସରକାରୀ ଖର୍ଚ୍ଚ କାଟ୍ ପାଇଁ କିଛି ବ୍ୟବସ୍ଥା କରୁ ନ ଥିବାରୁ ଜନସାଧାରଣ ବଜେଟ୍ କୁ ନେଇ ବିତସ୍ପୃହ ।
ଗତ ଜୁନ ୨୮ ତାରିଖ ଅପରାହ୍ନରେ ରାଜ୍ୟ ଅର୍ଥ ମନ୍ତ୍ରୀ ନିରଂଜନ ପୁଜାରୀ ବିଧାନସଭାରେ ୨୦୧୯-୨୦ ଆର୍ଥିକ ବର୍ଷର ବଜେଟ ଉପସ୍ଥାପନ କରିବା ସମୟରେ ଟେଲିଭିଜନରେ ଏହାର ସିଧା ପ୍ରସାରଣ ଦେଖୁଥିବା ଜଣେ ସାମ୍ବାଦିକ ବନ୍ଧୁଙ୍କ ପ୍ରଶ୍ନ କରିଥିଲେ, ଓଡ଼ିଶା ବଜେଟକୁ ନେଇ ରାଜ୍ୟବାସୀଙ୍କ ମନରେ ଉକ୍ରଣ୍ଠା ରହୁ ନାହିଁ କାହିଁକି ? କେନ୍ଦ୍ରୀୟ ବଜେଟ୍ କୁ ସମସ୍ତେ ମନଧ୍ୟାନ ଦେଇ ଦେଖିଥା’ନ୍ତି । ତହାକୁ ନେଇ ଆଗୁଆ ଚର୍ଚ୍ଚା ଆରମ୍ଭ ହୋଇଯାଏ । ବଜେଟରେ କଣ ସବୁ ବ୍ୟବସ୍ଥା ହେଉଛି ଜାଣିବା ପାଇଁ ସାଧାରଣ ଜନତାରେ ଆତୁରତା ଥାଏ । ଓଡ଼ିଶା ବଜେଟ ନେଇ ସମସ୍ତେ ନିର୍ଲିପ୍ତ ! ଏହି ପ୍ରଶ୍ନର ସରଳ ଉତ୍ତର ହେଉଛି, କେନ୍ଦ୍ର ସରକାରଙ୍କ ବଜେଟରେ ଆୟ କର ଛାଡ ସୀମାଠାରୁ ଆରମ୍ଭ କରି ବିଭିନ୍ନ ଟିକସ ଓ ବିକାଶ ସଂପର୍କିତ ଯୋଜନା ବିସ୍ତୁତ ଭାବେ ଆଲୋଚନା ହୋଇଥାଏ । ବଜେଟ୍ ମଧ୍ୟ ନିର୍ଦ୍ଧାରିତ ଦିବସ ପୂର୍ବରୁ ବାହାରେ ପ୍ରଘଟ ହୋଇ ନଥାଏ । କିନ୍ତୁ, ଓଡ଼ିଶା ବଜେଟରେ ଉକ୍ରଣ୍ଠା ସୃଷ୍ଟି ହେଲା ଭଳି କିଛି ହେବାକୁ ନାହିଁ । ସରକାର ପରଂପରା ରକ୍ଷା କରି ବଜେଟ୍ ଉପସ୍ଥାପନ କରୁଛନ୍ତି ଏବଂ ସେଥିରେ ନିର୍ବାଚନ ପ୍ରତିଶ୍ରୁତି ପାଳନର ଆତୁରତା ହିଁ ରହିଛି । ବଜଟ୍ ସବୁ ଶ୍ରେଣୀର ନାଗରିକଙ୍କ ପାଇଁ ସମାନ ଭାବେ ବିକାଶର କଥା କହୁଥିଲେ ବଜେଟ୍ କୁ ନେଇ ଆତୁରତା ଥା’ନ୍ତା । ଯେଉଁଠି ଗରିବ ଓ ମଧ୍ୟବିତ୍ତ ପରବାରର ଦୈନନ୍ଦିନ ଜୀବନ ଜୀବିକା ବଦଳିବାର ଆଶ୍ୱାସନା ନାହିଁ ସେଠି ରାଜ୍ୟ ବଜେଟ୍ କୁ ନେଇ ସାଧାରଣ ଜନତାରେ ଉକ୍ରଣ୍ଠା ରହିବ କେମିତି ?
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS