ପ୍ରବାସରୁ ଫେରୁଛନ୍ତି ହଜାର ହଜାର ଓଡ଼ିଆ
ମୋଅନୁଭବ.କମ୍
୨୮ ଏପ୍ରିଲ୍
ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ମାସେରୁ ଅଧିକ ହେଲା ଦେଶବ୍ୟାପୀ ତାଲାବନ୍ଦ ଜାରି ରହିଛି । ଫଳରେ, ଲକ୍ଷାଧିକ ପ୍ରବାସୀ ଓଡ଼ିଆ ବିଭିନ୍ନ ରାଜ୍ୟରେ ଫସି ରହିଛନ୍ତି । ସେମାନଙ୍କୁ ଓଡ଼ିଶାକୁ ଫେରାଇ ଆଣିବାକୁ ସରକାର ବିଚାରବିମର୍ଷ ଜାରି ରଖି ଥିବା ବେଳେ ପ୍ରବାସରେ ପଡି ରହି ଥିବା ଓଡ଼ିଆମାନେ ଆଉ ନିଜକୁ ସମ୍ଭାଳିବା ଅବସ୍ଥାରେ ନାହାନ୍ତି । ସେମାନେ ନିଜ ନିଜ ଉଦ୍ୟମରେ ଓଡ଼ିଶା ଫେରୁଥିବା ଦେଖିବାକୁ ମିଳିଛି । ନିକଟରେ ତାମିଲନାଡୁର ଚେନ୍ନାଇ ସହରରୁ କିଛି ପ୍ରବାସୀ ଓଡ଼ିଆ ଶ୍ରମିକ ଲକ୍ଷାଧିକ ଟଙ୍କା ବ୍ୟୟରେ ଡ଼ଙ୍ଗା କ୍ରୟ କରି ସମୁଦ୍ର ପଥରେ ଓଡ଼ିଶା ଫେରି ଥିବା ବେଳେ ସୋମବାର ଆଉ ୩୩ ଜଣ ମତ୍ସ୍ୟଜୀବୀ ଡ଼ଙ୍ଗାରେ ଗଂଜାମ ଜିଲ୍ଲା ଉପକୂଳରେ ପହଂଚି ଥିବା ଖବର ମିଳିଛି । ସେମାନେ ୨ ଳକ୍ଷରୁ ଅଧିକ ଟଙ୍କା ବ୍ୟୟରେ ଡ଼ଙ୍ଗା କିଣି ସମୁଦ୍ର ପଥରେ ଓଡ଼ିଶା ଉପକୂଳକୁ ଫେରି ଥିବା ଗଂଜାମ ଜିଲ୍ଲା ପ୍ରଶାସନ କହିଛନ୍ତି । ସେହିଭଳି, ଗୁଜରାଟର ସୁରତ ସହରରେ ଲକ୍ଷାଧିକ ଓଡ଼ିଆ ପରିବାର ତାଲାବନ୍ଦରେ ଫସି ରହିଛନ୍ତି । ସେମାନେ ପରିବାର ସହ ବସ୍ ଯୋଗେ ଓଡ଼ିଶା ଫେରୁଥିବା ଜଣାପଡିଛି । ସୁରତର ପାଣ୍ଡସରା ଅଂଚଳରୁ ୧୦୦୦ରୁ ଅଧିକ ଶ୍ରମିକ ପରିବାର ତିନିଟି ବସ୍ ରେ ଓଡ଼ିଶା ଅଭିମୁଖେ ଯାତ୍ରା କରିଥିବା ଖବର ପହଂଚିଛି । ଏସଂପର୍କରେ ରାଜ୍ୟ ସରକାରଙ୍କ ନିକଟରେ ସୂଚନା ରହିଛି । ସେମାନେ ସମସ୍ତ ଓଡ଼ିଶା ଫେରିବାକୁ ପଂଜୀକରଣ କରିଛନ୍ତି । ଓଡ଼ିଶାରେ ପହଂଚିଲେ ସେମାନଙ୍କୁ ୧୪ ଦିନ କ୍ୱାରେଂଟାଇନ୍ ବା ସଂଗରୋଧରେ ରଖାଯିବ । ସେମାନଙ୍କ ଭିତରୁ କେହି କରୋନା ସଂକ୍ରମିତ କି ନାହିଁ ଜାଣିବା ସକାଶେ ସ୍ୱାବ୍ ଓ ରକ୍ତ ନମୁନା ପରୀକ୍ଷା କରାଯିବ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର କରୋନା ସ୍ଥିତି ଏବଂ ରାଜ୍ୟକୁ ଫେରୁଥିବା ପ୍ରବାସୀ ଓଡ଼ିଆଙ୍କ ସଂପର୍କରେ ବିଭାଗୀୟ ଶାସନ ସଚିବମାନଙ୍କ ସହ ଭିଡ଼ିଓ କନ୍ଫରେନ୍ସିଂରେ ଆଲୋଚନା କରିଛନ୍ତି । ରାଜ୍ୟକୁ ଫେରୁଥିବା ଶ୍ରମିକ ଓ ସେମାନଙ୍କ ପରିବାର ଉପରେ ସରକାରଙ୍କ କଡା ନଜର ରହିଛି । ସେମାନଙ୍କ ପାଇଁ ସଂଗରୋଧ ବାଧ୍ୟତାମୂଳକ ଥିବାରୁ ସରକାର ଏବାବଦରେ କେତେ କଣ ଖର୍ଚ୍ଚ କରିବେ ତାହା ସ୍ଥିର କରିଛନ୍ତି । ଖର୍ଚ୍ଚ ପ୍ରସ୍ତାବ ଏସଆରସିଙ୍କ ଅନୁମୋଦନ ପାଇଁ ପଠାଯାଇଥିବା ଜଣାପଡିଛି । ସଂଗରୋଧ ସମୟରେ ପ୍ରତ୍ୟେକ ବୟସ୍କ ବ୍ୟକ୍ତିଙ୍କୁ ଖାଦ୍ୟପେୟ ବାବଦରେ ଦିନକୁ ୧୨୦ ଟଙ୍କା, ୧୪ ବର୍ଷରୁ କମ୍ ବୟସ୍କ ପିଲାଙ୍କୁ ଦିନକୁ ୧୦୦ଟଙ୍କା ମିଳିବ । ହାଇଜିନ୍ କିଟ୍ ପାଇଁ ୧୪ ଦିନରେ ୩୦୦ ଟଙ୍କା ଏବଂ ସାନିଟାଇଜେସନ୍ ଓ ସିକ୍ୟୁରିଟି ବାବଦରେ ୨୦୦୦ ଟଙ୍କା ଭିତରେ ଖର୍ଚ୍ଚ କରାଯିବ ବୋଲି ସରକାର କହିଛନ୍ତି । ସଂଗରୋଧ ସମୟରେ ବେଡ୍ ପିଛି ଦୁଇଟି ଲେଖାଏଁ ବେଡସିଟ୍ ଦିଆଯିବ ବୋଲି ସରକାର କହିଛନ୍ତି । ଆଜି ସୁରତରୁ ୧୩ଟି ବସ୍ ରେ ପ୍ରବାସୀ ଓଡ଼ିଆ ଶ୍ରମିକ ଓ ସେମାନଙ୍କ ପରିବାର ଓଡ଼ିଶା ଫେରୁଛନ୍ତି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS