ମୁମ୍ବାଇ ସ୍ଥିତି ସୁଧୁରିନି, ଲୋକାଲ୍ ଟ୍ରେନ୍ ଚଳାଚଳ ଆରମ୍ଭ
ମୁମ୍ବାଇ, ମେ’୨୧
ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ କରୋନା ସଂକ୍ରମଣ ବଢି ଚାଲିଛି । ବୁଧବାର ମୁମ୍ବାଇରେ ୧,୩୭୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବ ପରେ ଗୁରୁବାର ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୩,୯୩୫କୁ ବୃଦ୍ଧି ପାଇଛି। ସେହିଭଳି, ଏହି ସମୟରେ ୪୧ ଜଣଙ୍କ ମୃତ୍ୟୁ ଘଟିବା ଫଳରେ ମୁମ୍ବାଇରେ କରୋନା ଜନତି ମୃତ୍ୟୁ ସଂଖ୍ୟା ୮୪୧ରେ ପହଂଚିଛି । ବୁଧବାର ଲଗାତର ଚତୁର୍ଥ ଦିନ ପାଇଁ ମହାରାଷ୍ଟ୍ରରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦୦୦ ଟପିଛି । ବୁଧବାର ରାଜ୍ୟରେ ୨,୨୫୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗୋଟିଏ ଦିନରେ ୬୫ ଜଣଙ୍କ ମୃତ୍ୟୁ ଘଟିଛି । ଫଳରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୯,୩୯୭ରେ ପହଂଚି ଥିବା ବେଳେ ମୃତ୍ୟୁ ସଂଖ୍ୟା ୧,୩୯୦ ହୋଇଛି । ଇତ୍ୟବସରରେ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋସିଆରୀ ରାଜ୍ୟରେ କୋଭିଡ଼-୧୯ର ମୁକାବିଲା ପାଇଁ ଆଗୁଆ ସୈନିକ ଭାବେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ଇନସେଂଟିଭ୍ ଦେବା ବ୍ୟବସ୍ଥା କରାଯିବାକୁ ଓ କଂଟେନମେଂଟ୍ ଜୋନ୍ ପାଇଁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯିବାକୁ ରାଜ୍ୟ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ପରାମର୍ଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଠାକରେ ପୂର୍ବରୁ ଚଳିତ ମାସ ଶେଷ ବେଳକୁ ଓ ଜୁନ ମାସରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବହୁମାତ୍ରରେ ବଢିବ ବୋଲି ଆଶଙ୍କା ବ୍ୟକ୍ତ କରିଥିଲେ । ତେବେ, ରାଜ୍ୟରେ କରୋନା ସଂକ୍ରମଣକୁ ବହୁମାତ୍ରାରେ ନିୟନ୍ତ୍ରଣ କରାଯାଇଛି ବୋଲି ସେ କହିଥିଲେ । ଏଭଳି ସମୟରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନେ ପରିବହନ କ୍ଷେତ୍ରରେ କଟକଣାକୁ ବହୁମାତ୍ରାରେ କୋହଳ କରି ବିମାନ ଓ ରେଳ ସେବା ଆରମ୍ଭ କରିବାକୁ ଅଂଟା ଭିଡିଛନ୍ତି । ଆସନ୍ତା ୨୫ ତାରିଖରୁ ଦେଶରେ ଘରୋଇ ବିମାନ ଉଡାଣ ଆରମ୍ଭ ହେଉଥିବା ବେଳେ ଜୁନ ୧ ତାରିଖରୁ ୧୦୦ ଯୋଡା ବା ୨୦୦ଟି ନୂଆ ନନ୍-ଏସି ସ୍ୱତନ୍ତ୍ର ଟ୍ରୋନ୍ ଚଳାଇବାକୁ ଭାରତୀୟ ରେଳବାଇ ସୂଚନା ଦେଇଛି । ଆଜିଠାରୁ ରେଳଯାତ୍ରା ପାଇଁ ଆଇଆରସିଟିସି ମାଧ୍ୟମରେ ଅନ୍ ଲାଇନ୍ ଟ୍ରେନ୍ ଟିକଟ ବୁକିଂ ଆରମ୍ଭ ହୋଇଛି । ମୁମ୍ବାଇର ଲାଇଫ୍ ଲାଇନ୍ କୁହାଯାଉଥିବା ଲୋକାଲ୍ ଟ୍ରେନ୍ ଚଳାଚଳ ମଂଗଳବାରରୁ ଆରମ୍ଭ ହୋଇଛି । ତେବେ, ବର୍ତମାନ ପାଇଁ ତାହା କେବଳ ଅତ୍ୟାବଶ୍ୟକ ସେବାରେ ନିୟୋଜିତ କର୍ମଚାରୀଙ୍କ ପାଇଁ ଉଦ୍ଦିଷ୍ଟ ବୋଲି ସରକାର କହିଛନ୍ତି । କେନ୍ଦ୍ରୀୟ ରେଳବାଇ ପକ୍ଷରୁ ମଂଗଳବାରରୁ ଲୋକାଲ ଟ୍ରେନ୍ ଚଳାଚଳ ଆରମ୍ଭ ହୋଇଛି। ସିଏସଏମଟି-ପାନୱାଲ୍, ସିଏସଏମଟି-କରଜାତ, ସିଏସଏମଟି-କସାରା ମଧ୍ୟରେ ଏହି ଲୋକାଲ୍ ଟ୍ରେନ୍ ଦୈନିକ ୮ ଟ୍ରିପ୍ କରୁଥିବା ସୂଚନା ମିଳିଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS