ପୁରୀ ଶ୍ରୀମନ୍ଦିର ସିଂହଦ୍ୱାରରେ ଲାଗିଲା ତିନି ଠାକୁରଙ୍କ ରଥ
ପ୍ରସାଦ ରାଓ
ଭୁବନେଶ୍ୱର, ଜୁଲାଇ ୦୧
ମୋଅନୁଭବ.କମ୍
ଜୁନ ୨୩ ତାରିଖ ରଥଯାତ୍ରା ଅବସରରେ ପୁରୀ ଶ୍ରୀମନ୍ଦିର ଛାଡି ଜନ୍ମବେଦୀ (ମା’ ଗୁଣ୍ଡିଚାଙ୍କ ମନ୍ଦିର)କୁ ଯାଇଥିବା ତିନି ଠାକୁର ପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରା ସେଠାରେ ସାତ ଦିନ ଲୀଳାଖେଳା କରିବା ପରେ ଆଜି ବାହୁଡା ତିଥିରେ ଶ୍ରୀମନ୍ଦିର ସିଂହଦ୍ୱାର ନିକଟକୁ ଅପରାହ୍ନ ସୁଦ୍ଧା ବାହୁଡିଛନ୍ତି । ଶ୍ରୀଜଗନ୍ନାଥ ପରଂପରା ଅନୁଯାୟୀ, କାଲି (୨ ତାରିଖ) ଠାକୁରମାନଙ୍କୁ ତିନି ରଥ ଉପରେ ସୁନା ବେଶ କରାଯିବ । ରଥରେ ଠାକୁରମାନଙ୍କ ସହ ଯାତ୍ରା କରିଥିବା ଅଶରୀରୀମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ୩ ତାରିଖ ଅଧରପଣା ହେବା ପରେ ୪ ତାରିଖ ନିଳାଦ୍ରୀ ବିଜେ ଉତ୍ସବ ଆୟୋଜନ କରାଯାଇ ଠାକୁରମାନଙ୍କୁ ଗୋଟି ପହଣ୍ଡିରେ ଶ୍ରୀମନ୍ଦିରରେ ରତ୍ନବେଦୀକୁ ନିଆଯିବ । ନିଳାଦ୍ରୀ ବିଜେ ହେଉଛି ଚଳିତ ବର୍ଷ ରଥଯାତ୍ରାର ଶେଷ କାର୍ଯ୍ୟକ୍ରମ । ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମ କୋର୍ଟଙ୍କ ନିର୍ଦେଶ ପ୍ରକାରେ ଚଳିତ ବର୍ଷ ବଡ଼ଦାଣ୍ଡରେ ଭକ୍ତଙ୍କ ଉପସ୍ଥିତି ବିନା ରଥଯାତ୍ରା ଓ ବାହୁଡା ଯାତ୍ରା ସମାପିତ ହୋଇଛି । ହଜାର ହଜାର ସେବାୟତ ଖାଲି ପାଦରେ ରଥ ତିନିଟିକୁ ଟାଣି ଶ୍ରୀମନ୍ଦିର ସିଂହଦ୍ୱାରରେ ପହଂଚାଇଛନ୍ତି । ସୁନାବେଶ, ଅଧରପଣା ଓ ନିଳାଦ୍ରୀ ବିଜେ ମଧ୍ୟ ରଥଯାତ୍ରା ଓ ବାହହୁଡା ଭଳି ଭକ୍ତଶୂନ୍ୟ ରହିବ ଏବଂ କଡା କର୍ଫ୍ୟୁ କଟକଣା ମଧ୍ୟରେ ସମାପିତ ହେବା ନିଶ୍ଚିତ ହୋଇଛି ।
କରୋନା ମହାମାରୀ ଯୋଗୁ ରାଜ୍ୟ ସରକାର ଗତ ମାର୍ଚ୍ଚ ମାସ ୨୨ ତାରିଖରୁ ରାଜ୍ୟରେ ତାଲାବନ୍ଦ ଲାଗୁ କରିବା ଦ୍ୱାରା ପୁରୀ ଶ୍ରୀମନ୍ଦିରରେ ବିଜେ ଥିବା ତିନି ଠାକୁର ଦୀର୍ଘ ତିନି ମାସ ହେଲା ମନ୍ଦିର ଭିତରେ ବନ୍ଦ ଥିଲେ । ସ୍ନାନଯାତ୍ରା ଅବସରରେ ଠାକୁରମାନଙ୍କୁ ଗୋଟି ପହଣ୍ଡି କରାଯାଇ ରତ୍ନବେଦୀରୁ ସ୍ନାନବେଦୀକୁ ଅଣା ଯାଇଥିଲା । ତିନି ଠାକୁରଙ୍କ ସହ ପ୍ରଭୁ ସୁଦର୍ଶନ ସ୍ନାନବେଦୀରେ ବିଜେ ହେବା ପରେ ଦିବ୍ୟସ୍ନାନର ଆୟୋଜନ କରାଯାଇଥିଲା । ଠାକୁରମାନେ ୧୦୮ ଗରା ଜଳସ୍ନାନ କରିବା ପରେ ହାତୀ ବେଶ ହୋଇଥିଲା । ଅତ୍ୟଧିକ ସ୍ନାନ ଯୋଗୁ ଅସୁସ୍ଥ ହୋଇ ଠାକୁରମାନେ ୧୫ ଦିନ କାଳ ଅଣସର ଘରେ ରହି ଚିକତ୍ସିତ ହୋଇଥିଲେ । ପରେ, ନବଯୌବନ ଲାଭ କରି ଭକ୍ତଙ୍କୁ ଟେଲିଭିଜନରେ ଦର୍ଶନ ଦେଇଥିଲେ । ଏହି ସବୁ କାର୍ଯ୍ୟ ସଂପାଦନ କରିଥିବା ଶ୍ରୀମନ୍ଦିର ସେବାୟତଙ୍କୁ କୋଭିଡ଼ ଟେଷ୍ଟ୍ର କରାଯାଇଥିଲେ । ଯେଉମାନଙ୍କୁ କରୋନା ନେଗେଟିଭ୍ ପ୍ରମାଣପତ୍ର ମିଳି ଥିଲା ସେହିମାନେ ଦେବସ୍ନାନ କାର୍ଯ୍ୟ ସଂପରଦନର ସୁଯୋଗ ପାଇଥିଲେ । ତେବେ, ତିନି ଠାକୁର ଅଣସର ଘରେ ରହି ଚିକିତ୍ସିତ ହେଉଥିବା ସମୟରେ ଚଳିତ ବର୍ଷର ରଥଯାତ୍ରାକୁ ନେଇ ବାହାରେ ଘୋର ଅନିଶ୍ଚିତତା ଲାଗି ରହିଥିଲା । ରଥଯାତ୍ରା ନ ହେଲେ ତିନି ଠାକୁର ଅଣସର ଘରେ ହିଁ ରହିଯିବା କି (?)- ଏଭଳି ଆଶଙ୍କା ଶ୍ରୀମନ୍ଦିର ପରିଚାଳନା କମିଟି, ମୁକ୍ତି ମଣ୍ଡପର ପଣ୍ଡିତ ଓ ସେବାୟତମାନଙ୍କୁ ବିବ୍ରତ କରିଥିଲା ।
ଅପରପକ୍ଷରେ, ତିନି ଠାକୁରଙ୍କ ରଥ ନିର୍ମାଣ ଦୃତ ଗତିରେ ଚାଲି ଥିଲେ ସୁଦ୍ଧା ରାଜ୍ୟ ସରକାରଙ୍କ ମତିଗତି ଅସ୍ପଷ୍ଟ ରହିବା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ଥିଲା । ପୁରୀ ଗଜପତି ତଥା ଶ୍ରୀମନ୍ଦିର ପରିଚାଳନା କମିଟି ସଭାପତି ଦିବ୍ୟସିଂହ ଦେବ ବାରମ୍ବାର ବୈଠକ କରି ଓ ରାଜ୍ୟ ସରକାରଙ୍କୁ ଚିଠି ଲେଖି ବଡ଼ଦାଣ୍ଡରେ ଭକ୍ତଶୂନ୍ୟ ରଥଯାତ୍ରା କରିବାକୁ ପ୍ରସ୍ତାବ ଦେଇଥିଲେ ସୁଦ୍ଧା ସରକାର ତାହାକୁ ଅଣଦେଖା କରି ଓଡ଼ିଶା ବିକାଶ ପରିଷଦ ନାମକ ଏକ ଏନଜିଓ ଦ୍ୱାରା ଚଳିତ ବର୍ଷ କରୋନା ମହାମାରୀ ଯୋଗୁ ରଥଯାତ୍ରା ବନ୍ଦ ପାଇଁ ଅଦାଲତରେ ଦାଏର କରାଯାଇ ଥିବା ମାମଲାର ରାୟକୁ ଅପେକ୍ଷା କରିଥିଲେ । ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଜୁନ ୯ ତାରିଖରେ ରାୟ ଦେଇ ରଥଯାତ୍ରା ନିଷ୍ପତ୍ତି ରାଜ୍ୟ ସରକାରଙ୍କ ଉପରେ ଛାଡି ଦେବା ମାଧ୍ୟମରେ ପଥ ପରିଷ୍କାର କରିବା ସତ୍ୱେ ସରକାର ନିରବ ରହିବା ଓ ମାମଲା ଦାଏର କରିଥିବା ଏନଜିଓକୁ ସୁପ୍ରିମ କୋର୍ଟରେ ରିଭ୍ୟୁ ପିଟିସନ ଦାଖଲ ପାଇଁ ସୁଯୋଗ ଦେବା ସରକାରଙ୍କୁ ସନ୍ଦେହ ଘେରକୁ ଆଣି ଥିଲା । ହାଇକୋର୍ଟ ରାୟକୁ ଚ୍ୟାଲେଂଜ କରି ଦାଖଲ ହୋଇଥିବା ରିଭ୍ୟୁ ପିଟିସନ୍ ଉପରେ ସୁପ୍ରିମ କୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଏସ.ଏ. ବୋବଡେଙ୍କ ନେତୃତ୍ୱରେ ଗଠିତ ଏକ ତିନି ଜଣିଆ ଖଣ୍ଡପୀଠ ଜୁନ ୧୮ ତାରିଖ ଶୁଣାଣୀ କରି ରାଜ୍ୟ ସରକାରଙ୍କ ଦ୍ୱାରା ଉପସ୍ଥାପିତ ତଥ୍ୟକୁ ଭିତ୍ତି କରି କରୋନା ମହାମାରୀ ବ୍ୟାପି ଜନଜୀବନ ବିପନ୍ନ ହେବା ଆଶଙ୍କାରେ ଓଡ଼ିଶାରେ ଚଳିତ ବର୍ଷ ରଥଯାତ୍ରା ହେବ ନାହିଁ ବୋଲି ରାୟ ଦେଇ ରଥଯାତ୍ରାକୁ ଅଧିକ ଅନିଶ୍ଚିତ କରିଥିଲେ ।
ତେବେ, ଏହି ରାୟରେ ସମ୍ୟକ ପରିବର୍ତନ ପାଇଁ ୧୯ ଓ ୨୦ ତାରିଖରେ ସର୍ବୋଚ୍ଚ ଅଦାଲତରେ ଏକାଧିକ ଆବେଦନକାରୀ ଆବେଦନ କରିବା ପରେ ୨୨ ତାରିଖ ନାଟକୀୟ ପରିସ୍ଥିତିରେ ସୁପ୍ରମି କୋର୍ଟର ସେହି ଖଣ୍ଡପୀଠ ସସବୁ ଶୁଣାଣୀ କରି ମୂଳ ରାୟରେ ପରିବର୍ତନ କରିଥିଲେ । ଶ୍ରୀଜଗନ୍ନାଥଙ୍କ ମୂଳପୀଠ ପୁରୀରେ ହିଁ ୨୩ ତାରିଖ ରଥଯାତ୍ରା ହେବ ବୋଲି ଖଣ୍ଡପୀଠ ଅନୁମତି ଦେଇ ରାୟ ପ୍ରକାଶ କରିଥିଲେ । ଏଥିସହ, ପୁରୀ ରଥଯାତ୍ରା ପାଇଁ କୋର୍ଟ କେତେକ କଟକଣା ମଧ୍ୟ ଜାରି କରିଥିଲେ । କରୋନା ମହାମାରୀକୁ ଆଖିରେ ରଖି କୋର୍ଟ ଯେଉଁ କଟକଣା ଜାରି କରିଥିଲେ ସେହି ଅନୁସାରେ ୨୩ ତାରିଖ ରଥଯାତ୍ରା ଓ ଆଜିର ବାହୁଡା ଯାତ୍ରା ଭକ୍ତଶୂନ୍ୟ ଭାବେ ସଂପନ୍ନ ହୋଇଛି । ରଥଯାତ୍ରା ଭଳି ବାହୁଡା ଯାତ୍ରାରେ ମଧ୍ୟ ପୁରୀ ସହର ଓ ଜିଲ୍ଲା ୩୦ ତାରିଖ ରାତି ୯ଟାରୁ ୨ ତାରିଖ ସକାଳ ୧୦ଟା ପର୍ଯ୍ୟନ୍ତ କର୍ଫ୍ୟୁ ମଧ୍ୟରେ ରହିଛି । ଭକ୍ତମାନେ ଦୂରଦର୍ଶନର ସିଧା ପ୍ରସାରଣ ମାଧ୍ୟମରେ ୨୩ ତାରିଖ ରଥଯାତ୍ରା ଭଳି ଆଜିର ବାହୁଡା ଯାତ୍ରା ମଧ୍ୟ ଦର୍ଶନ କରିବା ସୁଯୋଗ ପାଇଛନ୍ତି ।
ଆଜିର ବାହୁଡା ଯାତ୍ରା ପାଇଁ ପୁରୀ ଶ୍ରୀମନ୍ଦିରର ସେବାୟତ, ବାହୁଡାରେ ନିୟୋଜିତ ପୁଲିସ କର୍ମଚାରୀ, ଜିଲ୍ଲା ଓ ଜଗନ୍ନାଥ ମନ୍ଦିର ପ୍ରଶାସନର କର୍ମଚାରୀ, ଏଭଳି ୫,୫୦୦ ଜଣଙ୍କ କୋଭିଡ଼ ଟେଷ୍ଟ୍ ହୋଇଥିଲା । ଆରଟି ପିସିଆର ଟେଷ୍ଟ୍ ରେ ଯେଉଁମାନଙ୍କ ରିପୋର୍ଟ ନେଗେଟିଭ୍ ଆସିଛି ସେହିମାନେ ବାହୁଡା ଯାତ୍ରା ସଂପାଦନ ପାଇଁ ନିୟୋଜିତ ଥିବା ପୁରୀ ଜିଲ୍ଲପାଳ ବଳୱନ୍ତ ସିଂହ ଗଣମାଧ୍ୟମକୁ କହିଥିଲେ । ଆଜି ବାହୁଡା ଯାତ୍ରା ଅବସରରେ ଯେଭଳି ଭକ୍ତମାନେ ଏକାଠି ହେବାର ସୁଯୋଗ ନ ପାଇବେ ତାହା ଦୃଷ୍ଟିରେ ରଖି କର୍ଫ୍ୟୁ କରାଯିବା ସହ ପୁରୀରେ ପ୍ରାୟ ୭୦ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି । ପୁରୀ ସହରର ସମସ୍ତ ଏଂଟ୍ରି ପଏଂଟ୍ ମଧ୍ୟ ସିଲ୍ ରହି ଥିଲା । ଗୁଣ୍ଡିଚା ମନ୍ଦିରରୁ ତିନି ରଥ ବାହୁଡା ଯାତ୍ରାରେ ବାହରିବା ପୁର୍ବରୁ ପୁରୀ ଗଜପତି ଶ୍ରୀ ଦିବ୍ୟସିଂହ ଦେବ ତିନି ରଥରେ ଛେରା ପହଁରା କରିଥିଲେ । ଶ୍ରୀମନ୍ଦିର ସେବାୟତମାନେ ପ୍ରଥମେ ଶ୍ରୀବଳଭଦ୍ର, ତାଙ୍କ ପରେ ଦେବୀ ସୁଭଦ୍ରା ଓ ଶେଷରେ ବଡ ଠାକୁର ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥକୁ ଟାଣି ଅପରାହ୍ନ ସୁଦ୍ଧା ଶ୍ରୀମନ୍ଦିର ସିଂହଦ୍ୱାରରେ ଲଗାଇ ଥିଲେ । କାଲିର ସୁନା ବେଶ, ଜୁନ ୩ ତାରିଖ ଅଧରପଣା ରୀତିନୀତି ଓ ଶେଷରେ ୪ ତାରିଖ ଶେଷପର୍ବ ନିଳାଦ୍ରୀ ବିଜେ ମଧ୍ୟ ସୁପ୍ରିମ କୋର୍ଟଙ୍କ ନିର୍ଦେଶର୍ପ୍ରକାରେ କରୋନା କଟକଣା ମଧ୍ୟରେ ସମାପିତ ହେବ । ରାଜ୍ୟ ସରକାର ଜୁଲାଇ ମାସରେ ମଧ୍ୟ ମନ୍ଦିର ଓ ଧର୍ମସ୍ଥାନଗୁଡିକୁ ଖୋଲି ନ ଥିବାରୁ ରଥଯାତ୍ରା ପରଂପରା ସରିବା ପରେ ମଧ୍ୟ ଭକ୍ତମାନେ କେବେ ତିନି ଠାକୁରଙ୍କୁ ଚର୍ମ ଚକ୍ଷୁରେ ଦର୍ଶନ କରିବା ସୁଯୋଗ ପାଇବେ, ତାହା କହି ହେବ ନାହିଁ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS