ଅର୍ଣ୍ଣବଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷାକୁ ନେଇ ମହାରାଷ୍ଟ୍ର ରାଜ୍ୟପାଳ ବିଚଳିତ !
ପ୍ରସାଦ ରାଓ
ନଭେମ୍ବର, ୦୯
ମୁମ୍ବାଇର ୫୩ ବର୍ଷ ବୟସ୍କ ଇଂଟେରିୟର ଡିଜାଇନର୍ ଅନ୍ୱୟ ନାଏକ ଓ ତାଙ୍କ ମା’ ୨୦୧୮ରେ କରିଥିବା ଆତ୍ମହତ୍ୟା ପଛରେ ‘ରିପବ୍ଲିକ ଟିଭି’ ମାଲିକ ତଥା ମୁଖ୍ୟ ସଂପାଦକ ଅର୍ଣ୍ଣବ ଗୋସ୍ୱାମୀ ଏବଂ ଅନ୍ୟ ଦୁଇ ଜଣ ବ୍ୟବସାୟୀଙ୍କ ଚାପ ରହିଥିବା ଅଭିଯୋଗ ଚର୍ଚ୍ଚାରେ ଥିବା ବେଳେ ଅର୍ଣ୍ଣବଙ୍କ ପ୍ରତି କେନ୍ଦ୍ରରେ କ୍ଷମତାସୀନ ଦଳ (ବିଜେପି)ର ଅହେତୁକ ଦରଦ କାହାରିକୁ ଅଛପା ନାହିଁ । ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶିଆରୀ ଆଜି ଆଉ ପାଦେ ଆଗକୁ ଯାଇ ଜେଲରେ ବିଚାରାଧୀନ ବନ୍ଦୀ ଥିବା ଅର୍ଣ୍ଣବଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷା ନେଇ ଚିନ୍ତା ପ୍ରକଟ କରିଛନ୍ତି ଏବଂ ମହାରାଷ୍ଟ୍ର ସରକାରଙ୍କୁ ତାଙ୍କ ଉଦ୍ବେଗ ଜଣାଇଛନ୍ତି । ଜେଲରେ ତାଙ୍କୁ ଭେଟିବାକୁ ପରିବାରକୁ ସୁଯୋଗ ଦିଆଯାଉ ନାହିଁ ବୋଲି ଅର୍ଣ୍ଣବ ରବିବାର ଅଭିଯୋଗ କରିଥିବା ବେଳେ ରାଜ୍ୟପାଳ କୋଶିଆରୀ ଅଜି ମହାରାଷ୍ଟ୍ର ଗୃହ ମନ୍ତ୍ରୀ ଅନିଲ ଦେଶମୁଖଙ୍କୁ ଯୋଗଯୋଗ କରି ଅର୍ଣ୍ଣବଙ୍କ ପରିବାରକୁ ଏହି ସୁଯୋଗ ଦିଆଯିବାକୁ କହିଛନ୍ତି । ପୂର୍ବରୁ ମହାରାଷ୍ଟ୍ର ରାଜ୍ୟପାଳ କୋଶିଆରୀ ଅର୍ଣ୍ଣବଙ୍କ ଗିରଫଦାରୀକୁ ନିନ୍ଦା କରି ବିବାଦ ଘେରକୁ ଆସିଥିଲେ । ଆଜିର ପଦକ୍ଷେପ ବିଜେପି ସହ ଅର୍ଣ୍ଣବଙ୍କ ଭାବନାତ୍ମକ ଘନିଷ୍ଟତାକୁ ଅଧିକ ଉଜାଗର କରିଛି । ଗିରଫ ହେବା ପରେ ଅର୍ଣ୍ଣବ ଗଲା ୪ ତାରିଖରୁ ନ୍ୟାୟିକ ହାଜତରେ ଅଛନ୍ତି । ଆଲିବାଗ ଜେଲ୍ ପକ୍ଷରୁ କୋଭିଡ଼-୧୯ ସକାଶେ ଗୋଟିଏ ସ୍କୁଲକୁ ପ୍ରିଜନ୍ କ୍ୱାରେଂଟାଇନ୍ ସେଂଟରରେ ପରିଣତ କରାଯାଇଥିଲା । ସେହି ସ୍କୁଲରେ ଅର୍ଣ୍ଣବ ୪ ରାତି ଅଟକ ଥିଲେ । ତେବେ, ଜେଲରେ ଥିବା ଅବସ୍ଥାରେ ସେ ମୋବାଇଲରେ କଥା ହେଉଛନ୍ତି ଓ ବାହାର ଦୁନିଆ ସହ ମୋବାଲ୍ ଚାଟିଂ କରୁଛନ୍ତି ବୋଲି ଜଣାପଡିବା ପରେ ରବିବାର ଦିନ ତାଙ୍କୁ ଆଲିବାଗ ଜେଲରୁ ମହାରାଷ୍ଟ୍ର ରାୟଗଡ଼ ଜିଲ୍ଲାର ତାଲୋଜା ଜେଲକୁ ସ୍ଥାନାନ୍ତର କରାଯାଇଛି । ତାଲୋଜା ଜେଲକୁ ନିଆଯିବା ସମୟରେ ଅର୍ଣ୍ଣବ ଜେଲ ଭ୍ୟାନରୁ ଚିତ୍କାର କରି ସାମ୍ବାଦିକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଏବଂ ତାଙ୍କୁ ଜେଲ ଭିତରେ ଜେଲ୍ କର୍ତ୍ତୃପକ୍ଷ ମାଡ ମାରି ଥିବା, ତାଙ୍କ ପତ୍ନୀଙ୍କ ପ୍ରତି ବିପଦ ଥିବା ଏବଂ ଓକିଲଙ୍କ ସହ ପରାମର୍ଶ ପାଇଁ ତାଙ୍କୁ ସୁଯୋଗ ଦିଆଯାଉ ନଥିବା ଅଭିଯୋଗ କରିଛନ୍ତି । ତାଙ୍କ ପତ୍ନୀ ସମ୍ୟବ୍ରତା ରାୟ ଗୋସ୍ୱାମୀ, ଯିଏକି ରିପବ୍ଲିକ୍ ଟିଭି ସହ ଯୋଡି ହୋଇ ଅଛନ୍ତି, ଏକ ବିବୃତି ଦେଇ ତାଙ୍କ ସ୍ୱାମୀଙ୍କୁ ମହାରାଷ୍ଟ୍ର ପୁଲିସ ରବିବାର ସକାଳେ ଜବରଦସ୍ତ ଏକ ଭ୍ୟାନରେ ଉଠାଇ ନେଇ ତାଲୋଜା ଜେଲକୁ ସ୍ଥାନାନ୍ତର କରି ଦେଇଥିବା ଅଭିଯୋଗ କରିଛନ୍ତି । ସେ କହିଛନ୍ତି, ସ୍ଥାନାନ୍ତର ସମୟରେ ଅର୍ଣ୍ଣବ ‘ମୋ ପତ୍ନୀ ପ୍ରତି ବିପଦ ରହିଛି’ବୋଲି ଚିତ୍କାର କରିଥିଲେ ମଧ୍ୟ କେହି କର୍ଣ୍ଣପାତ କରି ନଥିଲେ । ଅର୍ଣ୍ଣବ ନିଜ ଓକିଲଙ୍କ ସହ ଯୋଗାଯୋଗ କରିବାକୁ ଚାହିଁବାରୁ ଜେଲର୍ ତାଙ୍କୁ ଅନୁମତି ନ ଦେଇ ମାଡ ମାରିଛନ୍ତି । ସୁପ୍ରିମ କୋର୍ଟ ଏଥିରେ ହସ୍ତକ୍ଷେପ କରି ଅର୍ଣ୍ଣବଙ୍କୁ ଜାମିନ ଦିଅନ୍ତୁ ବୋଲି ସମ୍ୟବ୍ରତା ନିବେଦନ କରିଛନ୍ତି । ଏଠାରେ ଉଲ୍ଲେଖନୀୟ ଯେ, ଅର୍ଣ୍ଣବଙ୍କୁ ମହାରାଷ୍ଟ୍ର ପୁଲିସ ୨୦୧୮ ମସିହାର ଏକ ମାମଲରେ ଗିରଫ କରିବା ପରେ ମହାରାଷ୍ଟ୍ର ରାଜ୍ୟପାଳ କୋଶିଆରୀ କେବଳ ନୁହନ୍ତି, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ସମେତ ବହୁ କେନ୍ଦ୍ର ମନ୍ତ୍ରୀ ଓ ବିଜେପି ନେତା ତାହାର ନିନ୍ଦା କରିଥିଲେ ଏବଂ ତାହାକୁ ୧୯୭୫ର ଜରୁରୀ ପରିସ୍ଥିତି ସହ ତୁଳନା କରି ମହାରାଷ୍ଟ୍ର ସରକାରଙ୍କୁ ଆକ୍ଷେପ କରିଥିଲେ । ମହାରାଷ୍ଟ୍ରରେ ଶିବସେବା ପୂର୍ବରୁ ବିଜେପି ସହ ଥିଲା । ୨୦୧୯ରେ ଦଳ ବିଜେପିର ହାତଛାଡି ଏନସିପି ଓ କଂଗ୍ରେସ ସହ ମିଶି ରାଜ୍ୟରେ ମହାଅଘାଡି ସରକାର ଗଠନ କରିବାରୁ ବିଜେପି କ୍ଷୁବ୍ଧ । ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ମାମଲା ବିଜେପି-ଶିବସେନା ସଂପର୍କକୁ ଅଧିକ ତୀକ୍ତ କରିଛି । ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ଘଟଣାରେ କେନ୍ଦ୍ର ସରକାର ଅଭିନେତ୍ରୀ ରିୟା ଚକ୍ରବର୍ତୀଙ୍କୁ ସିବିଆଇ ଓ ଏନସିବି ମାଧ୍ୟମରେ ହାରାଶ କରିବା ସହ ଜେଲ ପଠାଇ ଥିବାରୁ ମହାରାଷ୍ଟ୍ର ଶିବସେନା ସରକାର ରିୟାଙ୍କୁ ଜେଲ୍ ପଠାଇବାରେ ପ୍ରମୁଖ ଭୂମିକାରେ ଥିବା ଅର୍ଣ୍ଣବଙ୍କ ୨୦୧୮ ମସିହାର ମାମଲା ଖୋଲିଛନ୍ତି । ୨୦୧୮ ମେ’ ୫ ତାରିଖରେ ଇଂଟେରିୟର ଡିଜାଇନର୍ ଅନ୍ୱୟ ନାଏକ ଓ ତାଙ୍କ ମା’ ଆଲିବାଗ ସ୍ଥିତ ବାସଭବନରେ ଆତ୍ମହତ୍ୟା କରିଥିଲେ । ଏହି ଆତ୍ମହତ୍ୟା ପଛରେ ୫ କୋଟି ୪୦ ଲକ୍ଷ ଟଙ୍କା ହଡପ ଅଭିଯୋଗ ରହିଛି । ରିପବ୍ଲିକ୍ ଟିଭି ମାଲିକ ଅର୍ଣ୍ଣବ ଓ ଅନ୍ୟ ଦୁଇ ଜଣ ମିଡ଼ିଆ ବ୍ୟବସାୟୀ ଅନ୍ୱୟଙ୍କ ଦ୍ୱାରା ଇଂଟରିୟର ଡ଼ିଜାଇନ୍ କାମ କରାଇ ଟଙ୍କା ଦେଇ ନ ଥିଲେ । ପାଲଟା ମାନସିକ ନିର୍ଯ୍ୟାତନା ଦେବାରୁ ଅନ୍ୱୟ ଓ ତାଙ୍କ ମା’ଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥିବା ଥାନାରେ ଏତଲା ରହିଛି । ଅନ୍ୱୟଙ୍କ ସ୍ୱିସାଇଡ୍ ନୋଟ୍ ଭିତ୍ତିରେ ମାମଲା କରିଥିଲେ ମଧ୍ୟ ୨୦୧୯ରେ ମାମଲାର ତଦନ୍ତ ସନ୍ଦେହଜନକ ଭାବେ ବନ୍ଦ ହୋଇଯାଇଥିଲା । ପୂର୍ବ ସରକାର ତାହା ବନ୍ଦ କରି ଦେଇଥିଲେ ବୋଲି ଅଭିଯୋଗ ହେଉଛି । ରାଜ୍ୟରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ନେତୃତ୍ୱରେ ଶିବସେବା-କଂଗ୍ରେସ ଓ ଏନସିପିର ମିଳିତ ‘ମହାଅଘାଡି’ ସରକାର ପ୍ରତିଷ୍ଠା ହେବା ପରେ ୨୦୨୦ ପ୍ରାରମ୍ଭରେ କୋର୍ଟଙ୍କ ଅନୁମତି ନେଇ ଏହି ଫାଇଲ୍ ଖୋଲାଯାଇଛି । ମହାରାଷ୍ଟ୍ର ପୁଲିସ ଅନ୍ୱୟ ନାଏକ ଆତ୍ମହତ୍ୟା ମାମଲାର ପୁନଃ ତଦନ୍ତ ଆରମ୍ଭ କରି ନଭେମ୍ବର ୪ ତାରିଖ ମାମଲାରେ ତିନି ଅଭିଯୁକ୍ତ ରିପବ୍ଲିକ୍ ଟିଭି ମୁଖ୍ୟ ଅର୍ଣ୍ଣବ ଗୋସ୍ୱାମୀ ଓ ଅନ୍ୟ ଦୁଇ ବ୍ୟବସାୟୀ ଫିରୋଜ୍ ଶେଖ ଓ ନୀତୀଶ ଶରଦଙ୍କୁ ଗିରଫ କରିଛନ୍ତି । ନିମ୍ନ ଅଦାଲତ ତିନି ଅଭିଯୁକ୍ତଙ୍କୁ ନଭେମ୍ବର ୧୮ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହଜତକୁ ପଠାଇ ଥିବା ବେଳେ ମୁମ୍ବାଇ ହାଇକୋର୍ଟରେ ଅର୍ଣ୍ଣବଙ୍କ ଆବେଦନ ଉପରେ ଶୁଣାଣୀ ହୋଇଛି ସିନା ରାୟ ସ୍ଥଗିତ ରହିଛି । ଏହି ମାମଲା ଖାରଜ କରାଯିବାକୁ ଅର୍ଣ୍ଣବ ସୁପ୍ରିମ କୋର୍ଟରେ ଆବେଦନ କରିଛନ୍ତି ସିନା ତୁରନ୍ତ କିଛି ରିଲିଫ ମିଳି ନାହିଁ । ଏଭଳି ପରିସ୍ଥିତିରେ ଅର୍ଣ୍ଣବ ଜାତୀୟତାବାଦୀର ଛବି ନେଇ ଲଢେଇ ଜାରି ରଖିଥିବା ବେଳେ କେନ୍ଦ୍ରରେ କ୍ଷମତାରେ ଥିବା ଦଳର ରାଜ୍ୟପାଳ, ମନ୍ତ୍ରୀ ଓ ନେତାମାନେ ଅର୍ଣ୍ଣବଙ୍କ ଗିରଫଦାରୀକୁ ଖୋଲା ନିନ୍ଦା କରିବା ଏବଂ ତାଙ୍କ ପ୍ରତି ମାତ୍ରାଧିକ ଦରଦ ପ୍ରକାଶ ପାଇବା କାହା ସ୍ୱାର୍ଥରେ (?) ବୋଲି ପ୍ରଶ୍ନ ହେଲାଣି । ଏହାର ଉତ୍ତର ସେହି କେନ୍ଦ୍ରୀୟ ନେତାମାନେ ହିଁ ଦେଇ ପାରିବେ ।
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS