ଭାରତୀୟ ଟେଷ୍ଟ୍ କ୍ରିକେଟ ଅଧିନାୟକ ହେବ କିଏ ? ରୋହିତ ନା ରାହୁଲ ??


ପ୍ରସାଦ ରାଓ
ଜାନୁୟାରୀ ୧୭
୨୦୧୪ରୁ ଭାରତୀୟ କ୍ରିକେଟ ଦଳକୁ ନେତୃତ୍ୱ ଦେଇ ଆସୁଥିବା ବିରାଟ କୋହିଲୀ ପ୍ରଥମେ ଟି୨୦ ଦଳର ଅଧିନାୟକ ପଦରୁ ବିଦା ହେଲେ । ପରେ, ଶନିବାର ସନ୍ଧ୍ୟାରେ ଭାରତୀୟ ଟେଷ୍ଟ୍ କ୍ରିକେଟ ଦଳର ଅଧିନାୟକ ପଦରୁ ସ୍ୱଇଚ୍ଛାରେ ଅବ୍ୟାହତି ନେଇଛନ୍ତି । କାହିଲୀଙ୍କ ପ୍ରଥମ ନିଷ୍ପତ୍ତି ବ୍ୟକ୍ତିଗତ ଥିଲେ ମଧ୍ୟ ତାଙ୍କୁ ଅଧିନାୟକ ପଦରେ ରହିବାକୁ କେହି ମନାଇ ନଥିଲେ ବୋଲି କୋହିଲୀ ନିଜେ ଅଭିଯୋଗ କରିଛନ୍ତି । ସେହିଭଳି, ଶନିବାର ଭାରତୀୟ ଟେଷ୍ଟ୍ କ୍ରିକେଟ ଦଳର ଅଧିନାୟକ ପଦରୁ ସେ ଅବ୍ୟାହତି ନେଉଥିବା କୋହିଲୀ ଘୋଷଣା କରିବା ପରେ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ତାଙ୍କୁ ମନାଇବାକୁ ଉଦ୍ୟମ କରି ନାହିଁ । ଅପରପକ୍ଷରେ, କୋହିଲୀଙ୍କ ଏହା ହେଉଛି ବ୍ୟକ୍ତିଗତ ନିଷ୍ପତ୍ତି, ଯାହାକୁ କି ବୋର୍ଡ ସମ୍ମାନ ଜଣାଉଛି ବୋଲି ଭାରତୀୟ କ୍ରିକେଟ୍ କଂଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ସୌରାଭ ଗାଂଗୁଲି ପ୍ରତିକ୍ରିୟା ରଖିବା ଭାରତୀୟ କ୍ରିକେଟରେ କୋହିଲୀଙ୍କ ନେତୃତ୍ୱ ନେବାର ଯୁଗ ସରିଲା ବୋଲି ସ୍ପଷ୍ଟ କରିଛି । ବର୍ତ୍ତମାନ ଭାରତୀୟ କ୍ରିକେଟ ପ୍ରେମୀଙ୍କ ମନରେ ବଡ଼ ପ୍ରା୍ନ ଭାବେ ଉଭା ହୋଇଛି, କୋହିଲୀଙ୍କ ସ୍ଥାନ ନେବ କିଏ ? ରୋହିତ ଶର୍ମା ନା କେ.ଏଲ.ରହୁଲ୍ । ଗତ ମାସରେ ଦୁବାଇରେ ଅନୁଷ୍ଠିତ ଆଇସିସି ଆନ୍ତର୍ଜାତିକ ଟି୨୦ ବିଶ୍ୱକପ୍ କ୍ରିକେଟରେ ଭାରତର ଶୋଚନୀୟ ପରାଜୟ ପରେ କୋହିଲୀ ଭାରତୀୟ ଟି୨୦ଦଳର ଅଧିନାୟକ ପଦରୁ ଅବ୍ୟାହତି ନେଉ ଥିବାକୁ ଘୋଷଣା କରିଥିଲେ ଏବଂ ବିସିସିଆଇ ତୁରନ୍ତ ତାଙ୍କ ସ୍ଥାନରେ ଉପ ଅଧିନାୟକ ଥିବା ରୋହିତ ଶର୍ମାଙ୍କୁ ଧଳାବଲ କ୍ରିକେଟ ଦଳର ପୂର୍ଣ୍ଣକାଳୀନ ଅଧିନାୟକ ଘୋଷଣା କରି କୋହିଲୀଙ୍କୁ ଚକିତ କରିଥିଲା । ତେବେ, ବିରାଟ କୋହିଲୀ ଭାରତୀୟ ଟେଷ୍ଟ୍ କ୍ରିକେଟ ଦଳର ଅଧିନାୟକ ରହିବେ ବୋଲି ବିସିସିଆଇ ସ୍ପଷ୍ଟ କରିଥିଲା ।
ଦୁଇଟି ଫର୍ମାଟରେ ଦୁଇ ଜଣ ଭିନ୍ନ ଭିନ୍ନ ଅଧିନାୟକ ରହିବାରେ କିଛି ଅସୁବିଧା ନାହିଁ ବୋଲି ବିସିସିଆଇ କହିଥିଲା । ବିରାଟ କୋହିଲୀ ଏହାକୁ ନେଇ ତୁରନ୍ତ ପ୍ରତିକ୍ରିୟା ରଖି ନଥିଲେ ମଧ୍ୟ ଭାରତ ଦକ୍ଷିଣ ଆଫ୍ରିକାରେ ଟେଷ୍ଟ୍ କ୍ରିକେଟ ଖେଳିବାକୁ ଯିବାର ଠିକ୍ ପୂର୍ବରୁ ସାମ୍ବାଦିକ ସମ୍ମିଳନୀ କରି ନିଜର ପ୍ରତିକ୍ରିୟା ରଖିଥିଲେ । ଟି୨୦ ବିଶ୍ୱକପ୍ ପ୍ରତିଯୋଗିତାରେ ଭାରତୀୟ ଦଳର ପରାଜୟ ପରେ ସେ ସ୍ୱଇଚ୍ଛାରେ ଟି୨୦ ଦଳର ଅଧିନାୟକ ପଦରୁ ଅବ୍ୟାହତି ନେବାକୁ ଘୋଷଣା କରିଥିଲେ ମଧ୍ୟ ବିସିସିଆଇ ପକ୍ଷରୁ କେହି ତାଙ୍କୁ ମନାଇବାକୁ ଉଦ୍ୟମ କରି ନଥିଲେ ବୋଲି କୋହିଲୀ ଗଣମାଧ୍ୟମରେ ନିଜର ପ୍ରତିକ୍ରିୟା ରଖି ବିସିସିଆଇକୁ ଅଡୁଆରେ ପକାଇ ଥିଲେ । କାରଣ, କୋହିଲୀ ଟି୨୦ ଦଳର ଅଧିନାୟକ ପଦ ଛାଡିବା ପରେ ବିସିସିଆଇ ସଭାପତି ସୌରଭ ଗାଂଗୁଲିଙ୍କ ତୁରନ୍ତ ପ୍ରତିକ୍ରିୟା ଥିଲା, ସେ ନିଜେ କୋହିଲୀଙ୍କୁ ଅଧିନାୟକ ପଦ ନ ଛାଡିବାକୁ ଅନୁରୋଧ କରିଥିଲେ ମଧ୍ୟ କୋହିଲୀ ରାଜି ହୋଇ ନଥିଲେ । ତେଣୁ, ରୋହିତଙ୍କୁ ପୂର୍ଣ୍ଣକାଳୀନ ଟି୨୦ ଅଧିନାୟକ ଘୋଷଣା କରାଯାଇଥିଲା । ପରବର୍ତ୍ତୀ ସମୟରେ କୋହିଲୀ ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ସାମ୍ବାଦିକ ସମ୍ମିଳନୀ କରି ଟି୨୦ ଅଧିନାୟକ ପଦରେ ରହିବାକୁ ତାଙ୍କୁ ବିସିସିଆଇର କୌଣସି ଅଧିକାରୀ ମନାଇ ନଥିଲେ ବୋଲି ଅଭିଯୋଗ କରିବା ବିସିସିଆଇ ସହ କୋହିଲୀଙ୍କ ସଂପର୍କ ଯେ ସୁସ୍ଥ ନଥିଲା ତାହା ପ୍ରତିଫଳିତ କରିଛି । ବିସିସିଆଇ ସଭାପତି ଗାଂଗୁଲି କୋହଲୀଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିବାକୁ ମନା କରିବା ବୋଧହୁଏ ଥିଲା ଡ୍ୟାମଜ୍ କଂଟ୍ରୋଲ ଉଦ୍ୟମ । ନିକଟରେ ଦକ୍ଷିଣ ଆଫ୍ରିକା ମାଟିରେ ସରି ଥିବା ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ୍ କ୍ରିକେଟ ମ୍ୟାଚରେ ଭାରତୀୟ ଦଳର ୧-୨ରେ ପରାଜୟ ବୋଧହୁଏ ଭାରତୀୟ ଟେଷ୍ଟ୍ ଦଳର ନେତୃତ୍ୱ ନେଉଥିବା କୋହିଲୀଙ୍କୁ ଅଧିକ ନିରାଶ କରିଛି । ତେଣୁ, ଶନିବାର ସନ୍ଧ୍ୟାରେ ସେ ଅଚାନକ ଭାରତୀୟ ଟେଷ୍ଟ୍ କ୍ରିକେଟ୍ ଅଧିନାୟକ ପଦରୁ ଅବ୍ୟାହତି ନେଉଥିବା ଘୋଷଣା କରି ବିସିସିଆଇକୁ ଚକିତ କରିଛନ୍ତି । କୋହିଲୀଙ୍କ ନିଷ୍ପତ୍ତିକୁ ନେଇ ବିସିସିଆଇର ପ୍ରତିକ୍ରିୟା କଣ ରହିବ, ତାହା ଉପରେ ସମସ୍ତଙ୍କ ନଜର ଥିବା ବେଳେ ବିସିସିଆଇ ସଭାପତି ଗାଂଗୁଲି ‘ଟ୍ୱିଟର୍’ ମାଧ୍ୟମରେ କୋହିଲୀଙ୍କ ନିଷ୍ପତ୍ତିକୁ ‘ତାଙ୍କ ବ୍ୟକ୍ତିଗତ’ ନିଷ୍ପତ୍ତି ବୋଲି ଦର୍ଶାଇ ନିଷ୍ପତ୍ତି ପ୍ରତି ସମ୍ମାନ ଜଣାଇଛନ୍ତି । କୋହିଲୀ ମଧ୍ୟ ଟେଷ୍ଟ୍ କ୍ରିକେଟ୍ ଅଧିନାୟକ ପଦରୁ ଅବ୍ୟାହତି ନେଉଥିବା ବିଷୟ ‘ଟ୍ୱିଟର୍’ ମାଧ୍ୟମରେ ଘୋଷଣା କରିଥିଲେ । ସେ ଦୀର୍ଘ ସାତ ବର୍ଷ ଧରି ନିଷ୍ଠାର ସହ ତାଙ୍କ ଦାୟିତ୍ୱ ତୁଲାଇଛନ୍ତି । ଆଉ ଅଧିକ ଭାରାକ୍ରାନ୍ତ ହେବାକୁ ଚାହୁଁ ନାହାନ୍ତି ବୋଲି କୋହିଲୀ ତାଙ୍କ ‘ଟ୍ୱିଟର୍’ ପୃଷ୍ଠାରେ ଲେଖିଥିବା ବେଳେ କୋହିଲୀ ଭାରତୀୟ ଦଳର ଅଧିନାୟକ ଭାବେ ଉତ୍ତମ ପ୍ରଦର୍ଶନ କରି ଭାରତୀୟ କ୍ରିକେଟକୁ ବହୁ ଉଚ୍ଚକୁ ନେଇଛନ୍ତି ବୋଲି ବିସିସିଆଇ ସଭାପତି ଗାଂଗୁଲି ପ୍ରଶଂସା କରି ଆଗାମୀ ଦିନରେ ମଧ୍ୟ ସେ ଦେଶକୁ ଗୌରବାନ୍ୱିତ ହେବାରେ ସହାୟକ ହେବେ ବୋଲି ଆଶା ପ୍ରକାଶ କରିଛନ୍ତି । ତେବେ, କୋହିଲୀ ତାଙ୍କ ଟ୍ୱିଟ୍ ରେ ଭାରତୀୟ ଦଳର ପୂର୍ବତନ ଅଧିନାୟକ ତଥା କୋଚ୍ ରବି ଶାସ୍ତ୍ରୀଙ୍କୁ ସଫଳତା ପାଇଁ ଶ୍ରେୟ ଦେବା ଏବଂ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କୁ କୃତଜ୍ଞତା ଜଣାଇବା ଶାସ୍ତ୍ରୀଙ୍କ ପ୍ରତି ଅନୁଗତିକୁ ସ୍ପଷ୍ଟ କରୁଛି । ରବି ଶାସ୍ତ୍ରୀଙ୍କ ସହ ବିସିସିଆଇ ସଭାପତି ଗାଂଗୁଲିଙ୍କ ସଂପର୍କ ତୀକ୍ତ ତାହା ସମସ୍ତେ ଜାଣନ୍ତି । କୋହିଲୀ ଭାରତୀୟ କ୍ରିକେଟର ଟି୨୦ ଓ ଟେଷ୍ଟ୍ କ୍ରିକେଟ ଫର୍ମାଟ୍ ଅଧିନାୟକ ପଦରୁ ଅବ୍ୟାହତି ନେଇ ଥିବାରୁ ବିସିସିଆଇ ବତ୍ ର୍ତମାନ ଧଳାବଲ କ୍ୟାପଟେନ୍ ଥିବା ରୋହିତ ଶର୍ମାଙ୍କ ହାତରେ ଦୁଇଟି ଯାକ ଫର୍ମାଟର ଅଧିନାୟକ ଭାର ନ୍ୟସ୍ତ କରିବ କି ଟେଷ୍ଟ୍ କ୍ରିକେଟ୍ ଅଧିନାୟକ ଭାବେ ଅନ୍ୟ କାହାକୁ ନିଯୁକ୍ତ କରିବ (?) – ସେ ନେଇ ଆଲେଶଚନା ଜୋର୍ ଧରିଛି । ଭାରତୀୟ କ୍ରିକେଟର ଦିଗ୍ଗଜମାନେ ଏନେଇ ବିଭାଜିତ ମତ ରଖୁଛନ୍ତି । ଦକ୍ଷିଣ ଆଫ୍ରିକା ଗସ୍ତ ସମୟରେ ଅଧିନାୟକ କୋହିଲୀଙ୍କ ଅନୁପସ୍ଥିତିରେ ଭାରତୀୟ ଦଳର ଅଧିନାୟକ ଦାୟିତ୍ୱ ତୁଲାଇ ଥିବା କେ.ଏଲ.ରାହୁଲଙ୍କୁ ଟେଷ୍ଟ୍ ଦଳର ଅଧିନାୟକ କରାଯିବା ସପକ୍ଷରେ କେତେକ ମତବ୍ୟକ୍ତ କରୁଥିବା ବେଳେ ଦୁଇଟି ଯାକ ଫର୍ମାଟ୍ ପାଇଁ ଭିନ୍ନ ଭିନ୍ନ ଅଧିନାୟକ ନିଯୁକ୍ତ ହେଲେ ଭାରତୀୟ କ୍ରିକେଟ୍ କ୍ଷତିଗ୍ରସ୍ତ ହେବ ବୋଲି ଭାରତୀୟ କ୍ରିକେଟର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ମନ୍ତବ୍ୟ ଥିବା ଏକ ଭିଡ଼ିଓ ଘୁରି ବୁଲୁ ଥିବାରୁ ବିସିସିଆଇ ରୋହିତଙ୍କୁ ଟେଷ୍ଟ କ୍ରିକେଟ ଦଳର ଅଧିନାୟକ ଦାୟିତ୍ୱ ମଧ୍ୟ ଦେବା ସମ୍ଭାବନା ବଢି ଯାଇଛି । ଫେବୃୟାରୀରେ ଭାରତ ଶ୍ରୀଲଙ୍କା ବିପକ୍ଷରେ ଦୁଇଟି ଟେଷ୍ଟ୍ ମ୍ୟାଚ ଖେଳିବା କାର୍ଯ୍ୟକ୍ରମ ରହିଛି । ସେହିଭଳି, ୨୦୨୨ରେ ଟି୨୦ ଓ ୨୦୨୩ରେ ୫୦ ଓଭର ବିଶ୍ୱକପ୍ କ୍ରିକେଟ୍ ହେବାକୁ ଥିବାରୁ ଜଣେ ଅଧିନାୟକଙ୍କୁ ସେଥିପାଇଁ ନୂଆ ଟିମ୍ ଗଠନ କରି ପ୍ରତିଯୋଗୀତା ପାଇଁ ପ୍ରସ୍ତୁତ କରିବା ବଡ଼ ଚ୍ୟାଲେଂଜ ହେବ । ତେଣୁ, ବସିସିଆଇ ରୋହିତଙ୍କୁ ସମସ୍ତ ଫର୍ମାଟର ଅଧିନାୟକ ଭାବେ ନିଯୁକ୍ତି ଦେଇ କେ.ଏଲ.ରାହୁଲଙ୍କୁ ଉପ ଅଧିନାୟକ କରିବା ସମ୍ଭାବନା ଯଥେଷ୍ଟ ଅଧିକ ବୋଲି ଏବେ ଚର୍ଚ୍ଚା ହେଉଛି । ବିଦାୟୀ ଅଧିନାୟକ କେହିଲୀଙ୍କ ଭବିଷ୍ୟତ କାର୍ଯ୍ୟପନ୍ଥା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ । ଏକଥା ସ୍ୱୀକାର୍ଯ୍ୟ ଯେ, ଜଣେ ଟେଷ୍ଟ୍ କ୍ରିକେଟ ଅଧିନାୟକ ଭାବେ କୋହିଲୀ ଭାରତୀୟ ଦଳକୁ ୬୮ଟି ଟେଷ୍ଟ୍ ମ୍ୟାଚରୁ ୪୦ଟିରେ ବିଜୟ କରାଇ ବିଶ୍ୱର ସର୍ବାଧିକ ଟେଷ୍ଟ୍ ମ୍ୟାଚ୍ ବିଜୟୀ ଅଧିନାୟକଙ୍କ ତାଲିକାରେ ଚତୁର୍ଥ ସ୍ଥାନରେ ରହିଛନ୍ତି । ତାଲିକାରେ ଦକ୍ଷିଣ ଆଫ୍ରିକାର ଗ୍ରାହମ ସ୍ମିଥ୍ (୫୩) ପ୍ରଥମ, ଅଷ୍ଟ୍ରେଲିଆର ରିକିଂ ପଂଟିଙ୍ଗ୍ (୪୩) ଓ ଷ୍ଟିଭ୍ ୱେ (୪୧) ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଅଛନ୍ତି । ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ (ବିସିସିଆଇ) କୋହିଲୀଙ୍କ ଭଳି ଜଣେ ସ୍ୱାଭିମାନୀ ଓ ଦକ୍ଷ ଅଧିନାୟକଙ୍କୁ ଠିକ୍ ଭାବେ ପରିଚାଳନା କରି ନ ଥିବାରୁ ଆଜି ଏଭଳି ଏକ ଅନିଶ୍ଚିତ ବାତାବରଣ ସୃଷ୍ଟି ହୋଇଛି ବୋଲି ବହୁ ପ୍ରତିଷ୍ଠିତ କ୍ରିକେଟ୍ ବିଶେଷଜ୍ଞ ମତ ରଖିବା କୋହିଲୀଙ୍କ ସମ୍ମାନକୁ ବହୁଗୁଣିତ କରିଛି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS