ତୃତୀୟ ସାମ୍ମୁଖ୍ୟ କଥା କହିଲେଣି ଚନ୍ଦ୍ରଶେଖର ଆଜାଦ !
ପ୍ରସାଦ ରାଓ
ନୂଆଦିଲ୍ଲୀ
ଜାନୁୟାରୀ ୧୫
ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଯେତେ ପାଖେଇ ଆସୁଛି ରାଜନୀତିର ରଂଗ ସେତେ ବଦଳୁଛି । ୨୦୨୨ ନିର୍ବାଚନରେ ଶାସକ ବିଜେପିକୁ କ୍ଷମତାଚ୍ୟୁତ କରିବାକୁ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ପଛୁଆ ଓ ଦଳିତ ବର୍ଗ ନେତାଙ୍କୁ ଗୋଟିଏ ମଂଚ ତଳେ ଏକାଠି କରିବା ଉଦ୍ୟମ ଜାରି ରଖିଥିବା ବେଳେ ଆସନ ଭାଗବଂଟାକୁ ନେଇ କେତେକ କ୍ଷେତ୍ରରେ ଦଳିତ ବର୍ଗର ସହ ବିବାଦୀୟ ପରିସ୍ଥିତି ଲାଗି ରହିଥିବା ‘ଭୀମ୍ ଅର୍ମି’ ମୁଖ୍ୟ ଚନ୍ଦ୍ରଶେଖର ଅଜାଦଙ୍କ ବିବୃତିରୁ ସ୍ପଷ୍ଟ ସୂଚନା ମିଳୁଛି । ‘ଭୀମ୍ ଆମି’ର୍ ଓ ସମାଜବାଦୀ ପାର୍ଟି ମେଂଟରେ ନିର୍ବାଚନ ଲଢିବେ ବୋଲି କିଛି ଦିନ ହେଲା ଚର୍ଚ୍ଚା ଚାଲି ଥିଲା । ‘ଭୀମ୍ ଆର୍ମି’ ମୁଖ୍ୟ ଚନ୍ଦ୍ରଶେଖର ଆଜାଦଙ୍କ ସହ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ଆଲୋଚନା ହୋଇଥିଲା । ତେବେ, ଆସନ ବଂଟାକୁ ନେଇ ବିବାଦରୁ ଆଜାଦ୍ ଏବେ ତୃତୀୟ ସାମ୍ମୁଖ୍ୟ ଗଠନ କଥା କହିଲେଣି । ମିଳିଥିବା ସୂଚନା ଅନୁଯାୟୀ, ‘ଭୀମ୍ ଆର୍ମି’ ମୁଖ୍ୟ ଆଜାଦ ତାଙ୍କ ଦଳକୁ ୧୦ଟି ଆସନ ଦିଆଯିବାକୁ ଅଖିଳେଶଙ୍କ ନିକଟରେ ଦାବି ରଖି ଥିବା ବେଳେ ଅଖିଳେଶ ତିନିଟି ଆସନ ଦେବାକୁ ମଂଗିଛନ୍ତି । ତେଣୁ, ଆଜାଦ୍ କ୍ଷୁବ୍ଧ । ଗତକାଲି ଅଖିଳେଶଙ୍କ ସହ ଆଜାଦଙ୍କ ଆଲୋଚନା ହୋଇଥିଲା । ଆଲୋଚନା ପରେ କ୍ଷୁବ୍ଧ ଚନ୍ଦ୍ରଶେଖର ଆଜାଦ କହିଛନ୍ତି, ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ଦଳିତଙ୍କ ସହ ନିର୍ବାଚନୀ ମେଂଟ ଚାହୁଁ ନାହାନ୍ତି, କେବଳ ଦଳିତଙ୍କ ଭୋଟରେ କ୍ଷମତା ଦଖଲ ଚାହୁଁଛନ୍ତି । ଥରେ ସେ କ୍ଷମତାକୁ ଆସିଲେ ଦଳିତ ସମାଜର ସମସ୍ୟା ନେଇ ତାଙ୍କ ସହ ଆଲୋଚନାର ସୁଯୋଗ ମିଳିବ କି ନାହିଁ ସେଭଳି ଆଶଙ୍କା ଦେଖା ଦେଲାଣି । ‘ଆମେ ମାଡ଼ ଖାଇଲେ, ଆମ ଜମି ଛଡାଇ ନିଆ ଗଲେ ଓ ହତରସ୍ ଭଳି ଆମ ମହିଳାଙ୍କ ପ୍ରତି ଦୁଷ୍କର୍ମ ହେଲେ ଆମ କଥା ସେ ଶୁଣିବେ କି ନାହିଁ, ସେହି ଆଶଙ୍କାରେ ଅଛୁ’ ବୋଲି ଆଜାଦ କହିଛନ୍ତି । ଅପରପକ୍ଷରେ, ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ କହିଛନ୍ତି, ‘ଭୀମ୍ ଆର୍ମି’କୁ ସେ କିଛି ଆସନ ଛାଡିବାକୁ ପ୍ରସ୍ତୁତ ଥିଲେ ମଧ୍ୟ ଆଜାଦ ତାଙ୍କ ପ୍ରସ୍ତାବକୁ ଅଗ୍ରାହ୍ୟ କରିଛନ୍ତି । ଆଜାଦ ନିଜେ ନିର୍ବାଚନ ଲଢିବାକୁ ଚାହୁଁ ଥିଲେ । ‘ଲୋକ ଦଳ’ ସହ ଆଲୋଚନା କରି ସେ ଗାଜିଆବାଦ ଓ ରାମପୁର ମଣିହରଣ ଆସନ ଆଜାଦଙ୍କୁ ଛାଡିବାକୁ ପ୍ରସ୍ତାବ ଦେଇଥିଲେ । ତେବେ, ଆଜାଦ କାହା ସହ ଫୋନରେ କଥା ହେବା ପରେ ନିର୍ବାଚନ ଳଢିବାକୁ ମନା କଲେ । ଆଜାଦ କହା ସହ ଫୋନରେ କଥା ହେଲେ (?) ଓ କିଏ ଏଭଳି ଷଡ଼ଯନ୍ତ୍ର କରୁଛି (?) ବୋଲି ଅଖିଳେଶ ପାଲଟା ପ୍ରଶ୍ନ କରିଛନ୍ତି । ଭୀମ ଆର୍ମି ପାର୍ଟି ମୁଖ୍ୟ ଆଜାଦଙ୍କ ସାହରନପୁରରେ ଦୃଢ ରାଜନୈତିକ ଭିତ୍ତିଭୂମି ରହିଛି । ସାହରନପୁରରୁ ସେ ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି ବୋଲି ଅଖିଳେଶ କହିଛନ୍ତି । ଅନ୍ୟପକ୍ଷରେ, ଆଜାଦ କହିଛନ୍ତି, ଆସନ୍ତା ନିର୍ବାଚନରେ ବିଜେପିକୂ ମାତ୍ ଦେବାକୁ ସେ ସମାଜବାଦୀ ପାର୍ଟି ନେତା ଅଖିଳେଶଙ୍କ ସହ ମେଂଟ କରିବାକୁ ଚାହୁଁଛନ୍ତି ଏବଂ ଏଥିସକାଶେ ଦୁଇ ଦିନ ହେଲା ଲକ୍ଷ୍ନୌରେ ବସିଛନ୍ତି । ତେବେ, ଦଳିତଙ୍କୁ ଉଚିତ ପ୍ରତିନିଧିତ୍ୱ ଦେବାକୁ ଅଖିଳେଶ ଚାହୁଁ ନଥିବା ମନେ ହେଉଛି । ଦୁଇ ଦିନ ମଧ୍ୟରେ ସେ ପରବର୍ତ୍ତୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବେ ଏବଂ ଅତିଶୀଘ୍ର ଏକ ତୃତୀୟ ସାମ୍ମୁଖ୍ୟ ସାମ୍ନାକୁ ଆସି ପାରେ ବୋଲି ଆଜାଦ ଚେତାଇଛନ୍ତି । ଆଜାଦ କୌଣସି ମତେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପରାଜିତ କରିବାକୁ ଚାହୁଁଥିବା ବେଳେ ରାଜ୍ୟରେ ସମାଜବାଦୀ ପାର୍ଟି ବିଜେପିର ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ଭାବେ ଉଭା ହୋଇଥିବାରୁ ସେ ସମାଜବାଦୀ ପାର୍ଟି ଆଡକୁ ଢଳି ଥିଲେ । ଅପରପକ୍ଷରେ, ଅଖିଳେଶ ଏହି ନିର୍ବାଚନରେ କଂଗ୍ରେସ ଭଳି ବଡ଼ ଜାତୀୟ ଦଳକୁ ପାସଙ୍ଗକୁ ନ ନେଇ ଓମ୍ ପ୍ରକାଶ ରାଜଭର, ସୁହେଲଦେବ ଭାରତୀୟ ସମାଜ ପାର୍ଟିର୍ ଓ ରାଷ୍ଟ୍ରୀୟ ଲୋକ ଦଳ ନେତା ଜୟନ୍ତ ଚୌଧୁରୀଙ୍କ ଭଳି ଅଂଚଳିକ ଦଳ ଓ ନେତାଙ୍କ ସହ ନିର୍ବାଚନୀ ବୁଝାମଣା କଲେଣି । ବିଜେପିର ପଛୁଆ ଜାତି ଓ ଦଳିତ ବର୍ଗର ଦୁଇ ଜଣ ମନ୍ତ୍ରୀଙ୍କ ସମେତ କିଛି ବିଧାୟକ ଅଖିଳେଶଙ୍କ ସମାଜବାଦୀ ପାର୍ଟିରେ ସାମିଲ ହୋଇ ୟୁପି ରାଜନୀତିକୁ ଚଳଚଂଚଳ କରିଥିବା ବେଳେ ଆଜାଦଙ୍କ ଭଳି ଦଳିତ ନେତା ତୃତୀୟ ସାମ୍ମୁଖ୍ୟ ଗଠନ କଥା କହିବା ପଛରେ କେଉଁ ଅଦୃଶ୍ୟ ଶକ୍ତି କାମ କରୁଛି, ତାହା ଏବେ ବଡ଼ ପ୍ରଶ୍ନ ହୋଇଛି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS