ଗୋରଖପୁର ଆସନରୁ ନିର୍ବାଚନ ଲଢିବେ ମୁଖ୍ୟମନ୍ତ୍ରୀ ଯୋଗୀ
ପ୍ରସାଦ ରାଓ
ନୂଆଦିଲ୍ଲୀ
ଜାନୁୟାରୀ ୧୫
ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଯୋଧ୍ୟା ନୁହେଁ, ଗୋରଖପୁର ବିଧାନସଭା ସଦର ବିଧାନସଭା ଆସନରୁ ନିର୍ବାଚନ ଲଢିବେ ବୋଲି ଜଣାପଡିଛି । ଫେବୃୟାରୀ ୧୦ରୁ ମାର୍ଚ୍ଚ ୭ ତାରିଖ ପର୍ଯ୍ୟନ୍ତ ସାତ ପର୍ଯ୍ୟାୟରେ ହେବାକୁ ଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଆଜି ବିଜେପି ତାହାର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଫେବୃୟାରୀ ୧୦ ଓ ୧୪ ତାରିଖରେ ରାଜ୍ୟର ୧୧୩ ବିଧାନସଭା ଆସନ ପାଇଁ ମତଦାନ ହେବାକୁ ଥିବା ବେଳେ ବିଜେପି ଆଜି ୧୦୭ ପ୍ରାର୍ଥୀଙ୍କ ନାମ ତାଲିକା ପ୍ରକାଶ କରିଛି । ଏହି ତାଲିକାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନାମ ରହିଛି । ସେ ଗୋରଖପୁର ସଦର ଆସନରୁ ପ୍ରାର୍ଥୀ ହେଉଥିବା ସମୟରେ ରାଜ୍ୟ ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ପ୍ରୟାଗରାଜର ସିରାଥୁ ଆସନରୁ ପ୍ରାର୍ଥୀ ହେଉଥିବା ସ୍ପଷ୍ଟ ହୋଇଛି । ପ୍ରକାଶିତ ପ୍ରାର୍ଥୀ ତାଲିକାରେ ଥିବା ଅନ୍ୟ ୧୦୫ ଜଣଙ୍କ ମଧ୍ୟରୁ ୪୪ ଜଣ ଓବିସି (ଅନ୍ୟାନ୍ୟ ପଛୁଆ ବର୍ଗ) ଓ ୧୯ ଜଣ ସଂଖ୍ୟାଲଘୁ ଜାତିର । ପ୍ରଥମ ଦୁଇ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜେପି ଦେଇଥିବା ପ୍ରାର୍ଥୀଙ୍କ ମଧ୍ୟରୁ ୬୦ ପ୍ରତିଶତ ଓବିସି ଓ ସଂଖ୍ୟାଲଘୁ ଜାତିର ବୋଲି ଦଳ ଦାବି କରିଛି । ଅନ୍ୟାନ୍ୟ ପଛୁଆ ବର୍ଗ ଓ ସଂଖ୍ୟାଲଘୁ ଜାତି ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଜେପି ଏହି ରଣନୀତିର ଆଶ୍ରୟ ନେଇଥିବା କୁହାଯାଉଛି । ୟୁପି ଦାୟିତ୍ୱରେ ଥିବା ବିଜେପି ପ୍ରଭାରୀ ଥିବା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଗଣମାଧ୍ୟମକୁ ଭେଟି ଦଳର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ୬୩ ଜଣ ବର୍ତ୍ତମାନର ବିଧାୟକ ସ୍ଥାନ ପାଇଥିବା ସୂଚନା ଦେଇଛନ୍ତି । ଉତ୍ତରାଖଣ୍ଡର ପୂର୍ବତନ ରାଜ୍ୟପାଳ ତଥା ବର୍ତ୍ତମାନର ବିଜେପି ଉପ ସଭାପତି ବେବି ରାଣୀ ମୌର୍ଯ୍ୟଙ୍କୁ ଆଗ୍ରା ଗ୍ରାମାଂଚଳ ଆସନରୁ ଦଳ ପ୍ରାର୍ଥୀ କରିଥିବା ବେଳେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ପୁଅ ପଂକଜ ସିଂହ ପୁନର୍ବାର ନୋଇଡ଼ା ଆସନରୁ ନିର୍ବାଚନ ଲଢିବେ ବୋଲି ପ୍ରଧାନ କହିଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଯୋଧ୍ୟାରୁ ପ୍ରାର୍ଥୀ ହୋଇପାରନ୍ତି ବୋଲି ଯେଉଁ ଚର୍ଚ୍ଚା ଚାଲି ଥିଲା ତାହା ଉପରେ ଗଣମାଧ୍ୟମ ପ୍ରତିନିଧିମାନେ ପ୍ରଶ୍ନ କରିବାରୁ ମନ୍ତ୍ରୀ ପ୍ରଧାନ କହିଛନ୍ତି, ମୁଖ୍ୟମନ୍ତ୍ରୀ ଯୋଗୀ ରାଜ୍ୟର ୪୦୩ ବିଧାନସଭା ଆସନ ମଧ୍ୟରୁ ଯେଉଁଠୁ ଦଳ ତାଙ୍କୁ ପ୍ରାର୍ଥୀ କରିବ ସେଠାରୁ ସେ ନିର୍ବାଚନ ଲଢିବାକୁ ପ୍ରସ୍ତୁତ ଥିବା ସ୍ପଷ୍ଟ କରିଥିଲେ । ଦଳ ପକ୍ଷରୁ ତାଙ୍କୁ ଗୋରଖପୁର ସଦର ବିଧାନସଭା ଆସନରୁ ପ୍ରାର୍ଥୀ କରାଯିବା ନିଷ୍ପତ୍ତି ହୋଇଛି । ଗୋରଖପୁର ହେଉଛି ତାଙ୍କ ପାରଂପରିକ ରାଜନୈତିକ କ୍ଷେତ୍ର, ଯେଉଁଠାରୁ କି ସେ ଲଗାତର ପାଂଚ ଥର ଲୋକସଭାକୁ ନିର୍ବାଚିତ ହୋଇଛନ୍ତି । ଯୋଗୀ ୨୦୧୭ରେ ବିଧାନସଭା ନିର୍ବାଚନ ଲଢି ନଥିଲେ । ଦଳର ଜଣେ ଷ୍ଟାର୍ ପ୍ରଚାରକ ଭାବେ ଦାୟିତ୍ୱ ତୁଲାଇ ଥିଲେ । ଦଳ ନିର୍ବାଚନରେ ଆଶାତୀତ ସଫଳତା ପାଇବା ପରେ ଲୋକସଭା ସଦସ୍ୟ ଥିବା ଯୋଗୀଙ୍କୁ ରାଜ୍ୟ ମୁଖ୍ୟମନ୍ତ୍ରୀ କରିଥିଲା । ବର୍ତ୍ତମାନ ସେ ୟୁପି ବିଧାନ ପରିଷଦ ସଦସ୍ୟ ବା ଏମଏଲସି ଅଛନ୍ତି । ୨୦୨୨ ନିର୍ବାଚନରେ ସେ ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନ ଲଢିବାକୁ ଯାଉଛନ୍ତି । ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଦୃତ ଗତିରେ ଚାଲିଛି । କାଶୀ ବିଶ୍ୱନାଥ ମନ୍ଦିରର ନବୀକରଣ ହୋଇ ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଶ୍ରଦ୍ଧାଳୁଙ୍କ ଉଦ୍ଦେଶ୍ୟରେ ସମର୍ପିତ ହୋଇଛି । ଏଥିସକାଶେ କାଶୀରେ ଏକ ଭବ୍ୟ ଉତ୍ସବର ଆୟୋଜନ ହୋଇଥିଲା, ଯେଉଁଠାରେ କି ପ୍ରଧାନମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସମାନ ଭାବେ ଗୁରୁତ୍ୱ ପାଉଥିବା ଦେଖିବାକୁ ମିଳିଥିଲା । ଏହାଛଡା, ମଥୁରାରେ ଶ୍ରୀ ରାଧା-କୃଷ୍ଣ ମନ୍ଦିରର ପୁନର୍ବିର୍ନ୍ୟାସ ବିଜେପି ଆଜେଣ୍ଡାରେ ରହିଛି । ୟୁପିରେ ଧର୍ମ ଓ ଧାର୍ମିକ ଅନୁଷ୍ଠାନକୁ ନେଇ ବିଜେପିର ରାଜନୀତି ଗତିଶୀଳ ଥିବା ବେଳେ ଆଗାମୀ ନିର୍ବାଚନରେ ଦଳର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି (ସପା) ଜାତି ଭିତ୍ତିକ ମେଂଟ କରି ବିଜେପିକୁ ଟକ୍କର ଦେଉ ଥିବାରୁ ବିଜେପି ତାହାର ରଣନୀତିରେ ପଛୁଆ ବର୍ଗଙ୍କୁ ସାମିଲ କରିବାକୁ ପ୍ରୟାସ କରୁଥିବା ଦେଖିବାକୁ ମିଳୁଛି । ଅଖିଳେଶ ରାଜ୍ୟର ଛୋଟ ଛୋଟ ଦଳଙ୍କୁ ଯୋଡି ବିଜେପି ବିରୋଧୀ ମୋର୍ଚ୍ଚାକୁ ଶକ୍ତ କରିବା ସହ ବିଜେପିରେ ଥିବା କିଛି ପଛୁଆ ବର୍ଗର ମନ୍ତ୍ରୀ, ବିଧାୟକଙ୍କୁ ନିଜ ଦଳକୁ ଟାଣି ନେଇ ବିଜେପିକୁ ବଡ଼ ଝଟକା ଦେଇଛନ୍ତି । ଆଗାମୀ ନିର୍ବାଚନରେ ସପା ବିଜେପିକୁ କ୍ଷମତାଚ୍ୟୁତ କରି ରାଜ୍ୟରେ କ୍ଷମତାକୁ ଆସିବ ବୋଲି ଅଖିଳେଶଙ୍କ ଆସ୍ଫାଳନ ଧର୍ମ ସହ ଜାତିଆଣ ରାଜନୀତିକୁ ଯୋଡିବାକୁ ବିଜେପିକୁ ବାଧ୍ୟ କରିଥିବା କିଛି ଦିନ ହେଲା ଲକ୍ଷ୍ୟ କରାଯାଉଛି । କେନ୍ଦ୍ର ମନ୍ତ୍ରୀ ପ୍ରଧାନ ମଧ୍ୟ ତାହାକୁ ଏକପ୍ରକାର ସ୍ୱୀକାର କରିଛନ୍ତି । ଫେବୃୟାରୀ-ମାର୍ଚ୍ଚରେ ହେବାକୁ ଥିବା ୟୁପି ବିଧାନସଭା ନିର୍ବାଚନ ପାଇଁ ଘୋଷିତ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଏକ ଅସଂରକ୍ଷିତ ଆସନରୁ ଜଣେ ଦଳିତଙ୍କୁ ପ୍ରାର୍ଥୀ କରାଯାଇଛି । ପରବର୍ତ୍ତୀ ପର୍ଯ୍ୟାୟ ପାଇଁ ଘୋଷଣା ହେବାକୁ ଥିବା ପ୍ରାର୍ଥୀ ତାଲିକାରେ ମଧ୍ୟ ତାହାର ପ୍ରତିଫଳନ ଦେଖିବାକୁ ମିଳିବ ବୋଲି ମନ୍ତ୍ରୀ ପ୍ରଧାନ ଆଜି ଗଣମାଧ୍ୟମକୁ କହିଛନ୍ତି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS