ପଂଜାବ ରାଜନୀତି: ଚାଷୀ ନେତାଙ୍କ ଭିତରେ ଫାଟ ?
ପ୍ରସାଦ ରାଓ
ଜାନୁୟାରୀ ୧୪
କେନ୍ଦ୍ର ସରକାରଙ୍କ ତିନି କୃଷି ଆଇନ ବିରୋଧରେ ଏକାଠି ଲଢି ବିଜୟ ମୁକୁଟ ପିନ୍ଧି ଥିବା ଚାଷୀ ନେତାମାନେ ଏବେ ପଂଜାବ ବିଧାନସଭା ନିର୍ବାଚନକୁ ନେଇ ଆସନ ବୁଝାମଣା ଲଢେଇରେ ଫସୀ ଥିବା ଖବର ରାଜନୈତିକ ମହଲକୁ ବିସ୍ମିତ କରିଛି । ୪୦ରୁ ଅଧିକ ଚାଷୀ ସଂଗଠନ ସଂଯୁକ୍ତ କିଶାନ ମୋର୍ଚ୍ଚାର ଛତ୍ରଛାୟା ତଳେ ରହି ମିଳିତ ଭାବେ କେନ୍ଦ୍ର ସରକାରଙ୍କ ତିନି ନୂଆ କୃଷି ଆଇନ ବିରୋଧରେ ୨୦୨୦ ସେପ୍ଟେମ୍ବରରୁ ୨୦୨୧ ନଭେମ୍ବର ୩୦ ପର୍ଯ୍ୟନ୍ତ ଲଢୁଥିଲେ । ୟୁପି ଓ ପଂଜାବ ବିଧାନସଭା ନିର୍ବାଚନରେ ପରାଜୟ ଭୟରେ କେନ୍ଦ୍ର ସରକାର ସଂଯୁକ୍ତ କିଶାନ ମୋର୍ଚ୍ଚା ନେତାଙ୍କ ଦାବି ଆଗରେ ମୁଣ୍ଡ ନୁଆଁଇ ଗତ ନଭେମ୍ବର ୩୦ ତାରିଖ ଦିନ ତିନି ନୂଆ କୃଷି ଆଇନ ପ୍ରତ୍ୟାହାର କରିନେଲେ । ତଥାପି, ଏମଏସପି ଓ ଅନ୍ୟାନ୍ୟ ଦାବିକୁ ନେଇ କେନ୍ଦ୍ର ସରକାର ଓ ଚାଷୀ ସଂଗଠନଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ରହିଛି । କେନ୍ଦ୍ର ସରକାର ଦାବି ପୂରଣର ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ଅଗ୍ରଗତି ହୋଇ ନଥିବାରୁ ପଂଜାବ ଓ ୟୁପିରେ ବିଜେପି ପ୍ରତି ଚାଷୀ ଅସନ୍ତୋଷ ପୂର୍ବ ପରି ରହିଛି । ୟୁପିରେ ଫେବୃୟାରୀ ୧୦ରୁ ମାର୍ଚ୍ଚ ୭ ପର୍ଯ୍ୟନ୍ତ ସାତ ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ପଂଜାବରେ ଫେବୃୟାରୀ ୧୪ ତାରିଖରେ ଗୋଟିଏ ପର୍ଯ୍ୟାୟରେ ବିଧାନସଭା ଭୋଟ ହେବାକୁ ଯାଉଛି । ସଂଯୁକ୍ତ କିଶାନ ମୋର୍ଚ୍ଚା (ଏସକେଏମ୍) ନିର୍ବାଚନ ମଇଦାନରେ ନଥିବା କହୁଥିବା ବେଳେ ମୋର୍ଚ୍ଚା ସହ ସଂପୃକ୍ତ ଅଧିକାଂଶ ପଂଜାବ ଭିତ୍ତିକ ଚାଷୀ ସଂଗଠନ ସିଧାସଳଖ ରାଜନୀତି ମଇଦାନରେ ଉତୁରିଛନ୍ତି । ହରିୟାଣାର ଚାଷୀ ନେତା ଗୁରନାମ ସିଂହ ଚାନ୍ଦୁନି ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବାର ବହୁ ପୂର୍ବରୁ ନିଜର ରାଜନୈତିକ ଦଳ ସଂଯୁକ୍ତ ସଂଘର୍ଷ ପାର୍ଟି (ଏସଏସପି) ଗଠନ କରି ନିର୍ବାଚନ ପାଇଁ ପ୍ରସ୍ତୁତିରେ ଲାଗିଥିବା ସମୟରେ କୃଷି ଆଇନ ପ୍ରତ୍ୟାହାର ପରେ ପଂଜାବର ୨୨ଟି ଚାଷୀ ସଂଗଠନକୁ ନେଇ ବଳବୀର ସିଂହ ରାଜେୱାଲାଙ୍କ ନେତୃତ୍ୱରେ ଗଠନ ହୋଇଛି ସଂଯୁକ୍ତ ସମାଜ ମୋର୍ଚ୍ଚା ନାମକ ରାଜନୈତିକ ଦଳ । ଫେବୃୟାରୀ ୧୪ ତାରିଖ ବିଧାନସଭା ନିର୍ବାଚନରେ ଉଭୟ ଏସଏସପି ଓ ଏସଏସଏମ ନିର୍ବାଚନ ଲଢିବାକୁ ଆଗ୍ରହୀ । ଦୁଇ ଦ ମଧ୍ୟରେ ମଧ୍ୟରେ ମେଂଟ ମଧ୍ୟ ହୋଇସାରିଛି । ତେବେ, ବିଧାନସଭା ଆସନ ବୁଝାମଣାକୁ ନେଇ ଏବେ ଫାଟ ଆରମ୍ଭ ହୋଇଥିବା ଆଜି ଚଣ୍ଡିଗଡ଼ରୁ ସୂଚନା ମିଳିଛି । ୧୧୭ ଆସନ ବିଶିଷ୍ଟ ପଂଜାବ ବିଧାନସଭାର ସମସ୍ତ ଆସନରୁ ପ୍ରାର୍ଥୀ ଦେବ ବୋଲି ସଂଯୁକ୍ତ ସମାଜ ମୋର୍ଚ୍ଚା ପୂର୍ବରୁ ଘୋଷଣା କରିଥିଲେ ମଧ୍ୟ ପରେ ଏସଏସପି ସହ ମେଂଟ ହୋଇଛି ଏବଂ ଦୁଇ ଦଳ ମଧ୍ୟରେ ଆସନ ବୁଝାମଣା ଆଲୋଚନା ଚାଲିଛି । ଏସଏସପି ୨୫ଟି ଆସନରେ ପ୍ରାର୍ଥୀ ଦେବାକୁ ଚାହୁଁଥିବା ବେଳେ ସଂଯୁକ୍ତ ସମାଜ ମୋର୍ଚ୍ଚା (ଏସଏସଏମ) ମାତ୍ର ୯ଟି ଆସନ ଛାଡିବାକୁ ଚାହୁଁ ଥିବାରୁ ଏସଏସପି କ୍ଷୁବ୍ଧ । ‘ଆମକୁ ଉଚିତ ଭାଗ ନ ମିଳିଲେ ଆମେ ଅଲଗା ପ୍ରାର୍ଥୀ ଦବାକୁ ବାଧ୍ୟ ହେବୁ’ ବୋଲି ଏସଏସପି ନେତା ଚାନ୍ଦୁନି ଏସଏସଏମ ନେତା ରାଜେୱାଲଙ୍କୁ ଚେତାବନୀ ଦେଇଥିବା ମଧ୍ୟ ସୂଚନା ଆସିଛି । ଏଠାରେ ସୂଚନାଯୋଗ୍ୟ କି, ପଂଜାବ ବିଧାନସଭା ନିର୍ବାଚନରେ ଏସଏସପି ସହ ଆସନ ବୁଝାମଣା ପାଇଁ ଏସଏସଏମ୍ ଏକ କମିଟି ଗଠନ କରିଛି । ଜାନୁୟାରୀ ୯ ତାରିଖ ଦିନ ଏସଂପର୍କରେ ଆଲୋଚନା ପରେ ଚାନ୍ଦୁନିଙ୍କ ଦଳ ଫେବୃୟାରୀ ୧୪ରେ ୧୦ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କାର୍ଯ୍ୟକ୍ରମକୁ ବାତିଲ କରିଥିଲେ । ତେବେ, ରାଜେୱାଲଙ୍କ ନେତୃତ୍ୱାଦୀନ ଏସଏସଏମ ଏସଏସପିକୁ ମାତ୍ର ୯ଟି ଆସନ ଛାଡିବାକୁ ରାଜି ହେଉଛି । ଚାନ୍ଦୁନି ଭାରତୀୟ କିଶାନ ୟୁନିୟନ (ବିକେୟୁ) ହରିୟାଣା ଶାଖାର ମୁଖ୍ୟ ଅଛନ୍ତି । ସେ କହିବା ଅନୁସାରେ, ତାଙ୍କ ଦଳ ପଂଜାବ ବିଧାନସଭା ନିର୍ବାଚନରେ ଭାଗ ନେବାକୁ ଗଲା ଛଅ ମାସ ହେଲା ପ୍ରସ୍ତୁତି ଚଳାଇଛି । ୪୦ରୁ ୫୦ ଆସନରେ ନିର୍ବାଚନ ଲଢିବାକୁ ଦଳରେ ପ୍ରାର୍ଥୀ ଅଛନ୍ତି । ତେଣୁ, ତାଙ୍କ ଦଳ ଏସଏସଏମ ସହ ମଳିତ ହୋଇ ନିର୍ବାଚନ ଳଢିବାକୁ ୨୫ଟି ଆସନ ମାଗି ଥିଲେ । ତେବେ, ଏସଏସଏମ ମାତ୍ର ୯ଟି ଆସନ ଛାଡିବାକୁ ରାଜି ହେଉଛି । ‘ଆମେ ଏସଏସଏମ ସହ ମିଳିତ ଭାବେ ନିର୍ବାଚନ ଲଢିବାକୁ ଚାହୁଁଛୁ, କିନ୍ତୁ ଏସଏସଏମ ଆମକୁ ଉପେକ୍ଷା କରୁଛି’ ବୋଲି ଚାନ୍ଦୁନି ଆଜି ଅଭିଯୋଗ କରିଛନ୍ତି । ମତଦାନ ତାରିଖ ପାଖେଇ ଆସୁଥିବା ବେଳେ ଆସନ ଭାଗବଂଟାକୁ ନେଇ ଦୁଇ ଚାଷୀ ନେତା ଚାନ୍ଦୁନି ଓ ରାଜେୱାଲଙ୍କ ମଧ୍ୟରେ ବୁଝାମଣା ହୋଇପାରୁ ନଥିବା କଂଗ୍ରେସ, ବିଜେପି ସମେତ ଅନ୍ୟ ରାଜନୈତିକ ଦଳଙ୍କୁ ଆଶ୍ୱସ୍ତ କରିଛି । କାରଣ, ତିନି କୃଷି ଆଇନ ପ୍ରତ୍ୟାହାର କରି ନେବା ପରେ ମଧ୍ୟ ବିଜେପି ଚାଷୀଙ୍କ ବିଶ୍ୱାସ ଜିତି ପାରି ନାହିଁ । କଂଗ୍ରେସ, ଅକାଳୀ ଦଳ ଏବଂ ‘ଆମ୍ ଆଦମୀ ପାର୍ଟି’ ଚାଷୀ ଆନ୍ଦୋଳନ ପ୍ରତ୍ୟାହାର ହେବା ଯାଏଁ ଚାଷୀ ସଂଗଠନଙ୍କୁ ସମର୍ଥନ ଦେଇ ଆସୁଥିବା ବେଳେ ୨୦୨୨ ବିଧାନସଭା ନିର୍ବାଚନରେ ଚାଷୀ ସେମାନଙ୍କୁ ପ୍ରତ୍ୟକ୍ଷ ଭାବେ ସମର୍ଥନ କରିବା ବଦଳରେ ନିର୍ବାଚନ ମଇଦାନରେ ଉତୁରିଛନ୍ତି । ସଂଯୁକ୍ତ କିଶାନ ମୋର୍ଚ୍ଚା ନିର୍ବାଚନ ମଇଦାନରୁ ଦୂରେଇ ରହି ଥିବା ଘୋଷଣା କରିଥିବା ବେଳେ ମୋର୍ଚ୍ଚା ସହ ସଂଶ୍ଲିଷ୍ଟ କିଛି ଚାଷୀ ସଂଗଠନ ରାଜନୀତି ଲାଳସା ରଖି ନିର୍ବାଚନ ମଇଦାନକୁ ଆସିବା ଏବଂ ଏସଏସଏମ ନେତା ରାଜେୱାଲ ମୁଖ୍ୟମନ୍ତ୍ରୀ ଚେହେରା ଭାବେ ଗଣମାଧ୍ୟମ ଦ୍ୱାରା ଉପସ୍ଥାପିତ ହେବା ପୁରୁଣା ରାଜନୈତିକ ଦଳଙ୍କ ପାଇଁ ଅଡୁଆ ହୋଇଛି । ଚାଷୀ ନେତାମାନେ ବିଜେପି ବିରୋଧରେ ମୋର୍ଚ୍ଚା ଖୋଲି ଥିଲେ ସୁଦ୍ଧା ସିଧାସଲଖ ନିର୍ବାଚନ ମଇଦାନକୁ ଆସି ଥିବାରୁ ଅନ୍ୟ ରାଜନୈତିକ ଦଳ ଚାଷୀ ଅସନ୍ତୋଷରୁ ଯେତିକି ଫାଇଦା ପାଇବେ ବୋଲି ଆଶା ରଖି ଥିଲେ ତାହା ମିଳୁ ମିଳିବା ଆଶା କ୍ଷୀଣ । ତେଣୁ, ଏସଏସପି -ଏସଏସଏମ ଆସନ ବୁଝାମଣା ଉପରେ ସେମାନଙ୍କ ନଜର ରହିବା ଏବଂ ସେଥିରୁ ଫାଇଦା ଖୋଜିବା ସ୍ୱାଭାବିକ ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS